Unknown

 

 

 

 

 

 

 

 

 

ନୂଆ ଶିକ୍ଷାର ବିଶ୍ଵାସ

ଶ୍ରୀ ଚିତ୍ତରଞ୍ଜନ ଦାସ

 

ମୁଖବନ୍ଧ

 

ଯାବତୀୟ ଶିକ୍ଷା ମୁଖ୍ୟତଃ ଫୁଟି ଉଠିବାର ଏକ ପ୍ରକ୍ରିୟା, ଚେତନାଗତ ପରିବର୍ତ୍ତନର ଏକ ପ୍ରକ୍ରିୟା । ଆପଣାର ଅନ୍ତର୍ନିହିତ ସମ୍ଭାବନାସକଳର କ୍ରମମୁକୁଳନ ମାଧ୍ୟମରେ ଆମେ ଆପଣାର ଅସଲ ପରିଚୟ ପାଉ, ଆତ୍ମ ଆବିଷ୍କାର କରୁ । ଶିକ୍ଷାହିଁ ଏକଥା ସମ୍ଭବ କରାଏ । ଏହା ବ୍ୟକ୍ତିକୁ ବଦଳାଏ ଏବଂ ତାକୁ ନିମିତ୍ତକରି ସମାଜକୁ ମଧ୍ୟ ବଦଳାଏ ।

 

କିନ୍ତୁ ନାନା କାରଣରୁ ଅଭିସନ୍ଧି କଲାଭଳି ଏବେ ଶିକ୍ଷାକୁ ତା'ର ମୂଳ ଆଭିମୁଖ୍ୟରୁ ହଟାଇ ନିଆଯାଉଛି । ସମାଜର ପ୍ରଚଳିତ ବ୍ୟବସ୍ଥାରେ ଖାପ୍ ଖାଇଯିବା ପାଇଁ, ସ୍ଵାର୍ଥ କୈନ୍ଦ୍ରିକ ଭାବେ ସଫଳତା ଅର୍ଜନ ପାଇଁ ମଣିଷ ଶିଶୁକୁ ମଣକରାଯାଉଛି । ପୁରୁଣା ସମାଜରୂପୀ ପଙ୍କପୂର୍ଣ୍ଣ ପୋଖରୀରେ ଲଟର ପଟର ହେଉଥିବା ପିତାମାତା ଓ ଶିକ୍ଷକମାନେ ପିଲାମାନଙ୍କୁ ତା'ରି ଭିତରେ ଲୋଟିବାର ନଦେଖିଲେ ମୋଟେ ଆତ୍ମସନ୍ତୋଷ ଲାଭ କରିପାରୁନାହାନ୍ତି । କଅଁଳ ଗୋରା ମାନଙ୍କୁ ସେମାନଙ୍କ ମନ ମୁତାବକ ସଜାଇବାକୁ ଯାଇ ସେମାନେ ଅତ୍ୟନ୍ତ ଶୁଭେଚ୍ଛାର ସହିତ ସେଗୁଡ଼ିକୁ କାଟିକୁଟି ବନ୍‍ସାଇ କରିବାରେ ବ୍ୟସ୍ତ । ପିଲାମାନଙ୍କୁ ମାଡ଼ି ମକଚି ସେମାନଙ୍କ ଅଭିଲକ୍ଷିତ ଛାଞ୍ଚରେ ପକାଇବାକୁ ବୟସ୍କମାନେ ଏଇ ଯେଉଁ ଅପଚେଷ୍ଟା ଚଳାଇଛନ୍ତି ସେମାନଙ୍କୁ ଏଥିରୁ ନିବର୍ତ୍ତାଇବ କିଏ ? ସେମାନଙ୍କ ଉପରେ ସବାର ହୋଇଥିବା ପୁରୁଣା ଶିକ୍ଷାର ଭୂତକୁ ଛଡ଼ାଇବ କିଏ-?

 

ଏକ ଦୁଃସାହସୀ ନୂତନ ଶିକ୍ଷାଧାରାହିଁ ଏକଥା କରିପାରେ । ଏବଂ ଆଶ୍ଵାସନାର ବିଷୟ ଏହିକିଯେ ଶିଶୁକୁ ବିକଳାଙ୍ଗ ବା ତାର ବିକାଶକୁ ଖର୍ବ କରିପକାଉଥିବା ଏଇ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାକୁ ସ୍ଥାନଚ୍ୟୁତ କରି ଏକ ସକଳାଙ୍ଗ ନୂତନ ଶିକ୍ଷାର ସୂର୍ଯ୍ୟୋଦୟ ଇତିମଧ୍ୟରେ ସମ୍ଭବ ହେଲାଣି । ଶ୍ରୀଅରବିନ୍ଦ ଓ ମାଆଙ୍କ ପ୍ରବର୍ତ୍ତିତ ନୂଆ ଶିକ୍ଷାର ପ୍ରେରଣା ଓ ପ୍ରୟୋଗ ଶ୍ରୀଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ର, ପଣ୍ଡିଚେରୀରୁ ଗତକେତେ ବର୍ଷ ପୂର୍ବେ ଓଡ଼ିଶା ମାଟିକୁ ସଂକ୍ରମିତ ହୋଇ ଆସିଛି । ନୂଆ ଶିକ୍ଷାରେ ବିଶ୍ଵାସୀ କିଛି ଉତ୍ସାହୀ ବନ୍ଧୁଙ୍କର ଉଦ୍ୟମରେ ଏବେ ଆମ ରାଜ୍ୟରେ ତିନିଶହରୁ ଉର୍ଦ୍ଧ୍ଵ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର କ୍ରିୟାଶୀଳ । ମଣିଷର ଜୀବନ ବଦଳିବ, ତା'ର ସମାଜର ଦିବ୍ୟ ରୂପାୟନ ହେବ । ମାନସତ୍ତୋର ଏକ ନୂତନ ଚେତନା ଆମକୁ ନିମିତ୍ତ କରି ଏଇ ପୃଥିବୀରେ ଅଭିବ୍ୟକ୍ତ ହେବ, ବିବର୍ତ୍ତନଧାରା ଆଗକୁ ଯିବ – ନୂଆ ଶିକ୍ଷା ତାହାରି ପାଇଁ ଏକ ପ୍ରସ୍ତୁତି । ଏକ ନୂଆ ଶିକ୍ଷା ପାଇଁ ଲୋଡ଼ା ହୃଦୟରେ ନୂଆ ଏକ ବିଶ୍ଵାସର ଆଖି । ପ୍ରଖ୍ୟାତ ଶିକ୍ଷାବିତ୍, ପୂର୍ଣ୍ଣାଙ୍ଗ ଶିକ୍ଷା ଆନ୍ଦୋଳନର ପ୍ରମୁଖ ପୁରୋଧା ଶ୍ରୀଯୁକ୍ତ ଚିତ୍ତରଂଜନ ଦାସଙ୍କ ରଚିତ ''ନୂଆ ଶିକ୍ଷାର ବିଶ୍ଵାସ'' ବହିଟି ଶିକ୍ଷା ସମ୍ପର୍କୀୟ ସକଳ ପୂର୍ବୋପୋଷିତ ଧାରଣା ଓ ପୁରୁଣା ବିଶ୍ଵାସର ଲେଞ୍ଜରାପୂର୍ଣ୍ଣ ଆମର ଆଖିକୁ ଧୋଇଦେବାରେ ଅନେକ ସାହାଯ୍ୟ କରିବ । ଏକ ନୂଆ ଶିକ୍ଷା ମାଧ୍ୟମରେ ଆମର ଏ ଅପୂର୍ଣ୍ଣ ଜୀବନ ଆହୁରି ଉଜ୍ଜଳ, ସୁନ୍ଦର ଓ ସର୍ବାଙ୍ଗୀନ ହେବ ଏବଂ ଆମମାନଙ୍କ ମନରେ ନୂଆ ବୀଜ ବପନ କରିବ, ଏଥିରେ ସନ୍ଦେହ ନାହିଁ ।

 

ରବୀନ୍ଦ୍ରନାଥ ପାଢ଼ୀ,
ସଭାପତି, ନବପଲ୍ଲବ

Image

 

ସୂଚୀପତ୍ର

 

୧.

ଏକ ନୂତନ ବିଶ୍ଵାସ

୨.

ଗୋଟିଏ ଗାଆଁର ସ୍କୁଲ

୩.

ଯଂ ତମୋ ନ ବେଦ

୪.

ମହେଶ

୫.

ଏହି ସ୍ଵୀକୃତି କିଏ ଦେଲା ?

୬.

ଆଉ ଗୋଟିଏ ଫୁଲ ଫୁଟିଲା

୭.

ଏ ଘର ଭାଙ୍ଗି ଦେବାକୁ ହେବ

୮.

ସ୍ଵୀକୃତି କାହାକୁ ମିଳିଲା ?

୯.

ସଖ୍ୟ ଏବଂ ସଂକଳ୍ପର ଶିବିର

୧୦.

ଯୁଦ୍ଧ ଅବଶ୍ୟମ୍ଭାବୀ

୧୧.

ବାଟ ଅନେକ, ମନ ଗୋଟିଏ

୧୨.

'ଶିକ୍ଷାପତ୍ର'ର ବର୍ଷେ ପୂରିଗଲା

୧୩.

ଶିକ୍ଷକ ସମାବେଶ – ୧୯୮୦

୧୪.

ସିଂହାବଲୋକନ–ସମ୍ମୁଖାବଲୋକନ

୧୫.

ତଳି ଛାଡ଼ିଯିବାର ବିପତ୍ତି

୧୬.

ଆମ ସମସ୍ତଙ୍କର ମନ୍ଦିର

୧୭.

ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଓଡ଼ିଶା

୧୮.

ପାଠଚକ୍ର ଓ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ

୧୯.

ପାଠଚକ୍ରରୁ ପୂର୍ଣ୍ଣାଙ୍ଗ ଶିକ୍ଷା

୨୦.

ଆଉ କେଉଁଠାକୁ ଗଲେ ଭଲ ଲାଗିବ ?

୨୧.

ସୁଅରେ ମିଶିଯିବା କେଡ଼େ ସହଜ !

୨୨.

ଡାଳିଯୋଡ଼ାର ଅନେକ ଡାଳ

୨୩.

ଭଗବାନଙ୍କ କାମ ଆମ ମାର୍ଗରେ

୨୪.

ଏକ ସାମୂହିକ ପରିକ୍ରମାର କାହାଣୀ

୨୫.

ଆମ ଲଢ଼େଇ କାହା ବିରୁଦ୍ଧରେ ?

୨୬.

ଆମର ଅସଲ ପ୍ରମାଣପତ୍ର

୨୭.

ଆମ ପରୀକ୍ଷା ଆମ ନିଜ ଦ୍ଵାରା

୨୮.

ମନୁଷ୍ୟର ପ୍ରକୃତି

୨୯.

ମୁଣ୍ଡି ସାହାଡ଼ାର କୋଳି

୩୦.

ଶାନ୍ତିନିକେତନ

୩୧.

ମନୁଷ୍ୟର ପ୍ରକୃତି–୨

୩୨.

ଶିଷ୍ୟବିତ୍ତାପହାରକାଃ

୩୩.

ସମ୍ମିଳନ ଓ ସମୀକ୍ଷଣର ଗୋଟିଏ ସପ୍ତାହ

୩୪.

ବିଧି ଓ ବିଜ୍ଞାନ

୩୫.

ଅବସରକାଳର ବିନୋଦନ

୩୬.

ଅବସର-ସମୟର କାର୍ଯ୍ୟ

୩୭.

ଯଦି ସତକୁ ସତ

୩୮.

ବିଦ୍ୟାରୁ ବିନୟ

୩୯.

ପୂର୍ଣ୍ଣ ଶ୍ରଦ୍ଧା ପୂର୍ଣ୍ଣାଙ୍ଗ ଶିକ୍ଷା

୪୦.

ପ୍ରହ୍‍ଲାଦଃ ନାମା ଭକ୍ତଃ

୪୧.

ଆମ ଅନୁରାଗ ତାଙ୍କର ଦାବୀ

୪୨

ଉତ୍ସାହ ଆଦୌ ଯଥେଷ୍ଟ ନୁହେଁ

୪୩.

ଆନ୍ତରିକତାର ଅଡ଼ୁଆ

Image

 

ଏକ ନୂତନ ବିଶ୍ଵାସ

 

ସଂସାରରେ ଏମିତି ଅନେକ ମଣିଷ ଅଛନ୍ତି, ଯେଉଁମାନେ ଭାରି ଚମତ୍କାର ଭାବରେ ସବୁଠାରେ ଖାପ ଖାଇଯାଆନ୍ତି, ବାହାରେ ବି ଖାପ ଖାଇଯାଆନ୍ତି । ଖାପ ଖାଇଯିବାକୁ ହିଁ ସେମାନେ ସୁଖର ଅମୋଘ ଉପାୟ ବୋଲି ଭାବିଥାନ୍ତି । ସେମାନେ ବୋଧହୁଏ ଧରି ନେଇଥାନ୍ତି ଯେ କାଳଟା ସବୁଦିନେ ଠିକ୍ ଏମିତି ଥିଲା, ସବୁଦିନକୁ ବି ଠିକ୍ ଏମିତି ରହିବ । ସମାଜଟା ସବୁଦିନ ଠିକ୍ ଏମିତିଥିଲା, ସବୁଦିନେ ଠିକ୍ ଏମିତି ରହିବ ।

 

କିନ୍ତୁ ଅସଲ କଥା ହେଉଛି, ସମାଜଟା ସବୁଦିନେ ମୋଟେ ଠିକ୍ ଏମିତି ନଥିଲା ଏବଂ ସବୁଦିନେ ମୋଟେ ଏମିତି ରହିବ ନାହିଁ । କାଳ ବି ସବୁଦିନେ ଠିକ୍ ଏମିତି ନଥିଲା କି ସବୁଦିନେ ମୋଟେ ଠିକ୍ ଏମିତି ରହିବ ନାହିଁ । ସମାଜ ବଦଳିଯିବ, କାଳ ବଦଳି ବଦଳି ଯାଉଥିବ । କାରଣ, ମଣିଷ ଭିତରେ ଏମିତି ଗୋଟାଏ ଉପାଦାନ ରହିଛି, ଯାହାକି ଅଳପରେ ମୋଟେ ସନ୍ତୁଷ୍ଟ ହୋଇ ରହିପାରେ ନାହିଁ, ଯାହାକି ମୋଟେ ମାନିନିଏ ନାହିଁ । ସିଏ ସ୍ଵପ୍ନ ଦେଖେ, ଆପଣାର ହୃଦୟ ଭିତରେ ସିଏ ଅନାଗତ ଅନେକ କାଳ ଭିତରକୁ ଲମ୍ବି କରି ରହିଥାଏ । ତା’ ଆଗରେ ଗୋଟିଏ ଲକ୍ଷ୍ୟ ଥାଏ । ଏବଂ ସେହି ଲକ୍ଷ୍ୟ ପାଇଁ ହିଁ ସିଏ ଜୀବନ ବଞ୍ଚେ । ଆପଣାକୁ ଏକ ନିମିତ୍ତ ରୂପେ ତିଆରି କରେ । ତା'ର ବିଶ୍ଵାସ ଦିନକୁ ଦିନ ବଢ଼େ । ଏହି ଜୀବନ ପଛରେ, ଏହି ଜଗତ ପଛରେ ଯେ ଏକ ଅଭିପ୍ରାୟ ପ୍ରଚ୍ଛନ୍ନ ହୋଇ ରହିଛି, ସେହି କଥାଟିକୁ ସିଏ ସାନ ବଡ଼ ସବୁକିଛି କଥାରେ ଅନୁଭବ କରେ । ସିଏ ତାହାକୁ ଭଗବତ୍–ଅଭିପ୍ରାୟ ବୋଲି କହେ ।

 

ମୁଁ ଯେଉଁଠାରେ ଅଛି, ତା'ଠାରୁ ଆହୁରି ଆଗକୁ ଯିବି, ମୁଁ ଯେତିକି ଅଛି, ତା'ଠାରୁ ଆହୁରି ଅଧିକ ହେବି,–ତାହାହିଁ ଶିକ୍ଷା । ତାହାହିଁ ଅସଲ ଶିକ୍ଷା । ଆପଣାର ସାନ ପାଚେରୀଗୁଡ଼ିକୁ ଭାଙ୍ଗି ସଂସାରର ସବୁଟି ସହିତ ସଂଯୁକ୍ତ ହୋଇ ରହିବା,–ତାହାହିଁ ଅସଲ ଶିକ୍ଷା । ଆପଣାର ହୃଦୟ–ଗଭୀରରେ ଯେଉଁଠି ସମସ୍ତଙ୍କ ସହିତ ମୋର ଖିଅ ଲାଗିଛି, ନିଜ ଭିତରେ ସେଇଟିକୁ ସ୍ପର୍ଶ କରିପାରିବା ହେଉଛି ଅସଲ ଶିକ୍ଷା । ସେହି ଶିକ୍ଷା ଭୟକୁ ଦୂର କରିଦିଏ । ଏହି ଜଗତକୁ ଆପଣାର ଘର ବୋଲି ଅନୁଭବ କରାଇ ଶିଖାଏ । ଗୋଟାଏ ଘରକୁ ସାନସାନ ନାନା ସ୍ଵାର୍ଥଭେଦ ଓ ନାନା କାତରତା ଦ୍ଵାରା ଖଣ୍ଡ ଖଣ୍ଡ କରି ରଖି ଯିଏ ଏକୁଟିଆ ହୋଇ ରହିବାକୁହିଁ ନିରାପଦ ହୋଇ ରହିବା ବୋଲି ବିଚାରୁଥାଏ, ସିଏ ଆପଣାକୁ ପ୍ରକୃତରେ ଅନେକ ଆନନ୍ଦରୁ ବଞ୍ଚିତ କରି ରଖିଥାଏ ।

 

ବର୍ତ୍ତମାନ ଆମ ସମାଜଟା ଯେମିତି ଆମ ଇସ୍କୁଲଗୁଡ଼ାକ ବି ସେମିତି । ସମାଜଟା ଯେମିତି ଭାରି ନିର୍ମମ ଭାବରେ ନାନା ଖଣ୍ଡରେ ବିରକ୍ତ ହୋଇ ରହିଛି, ଆମ ଇସ୍କୁଲଗୁଡ଼ାକର ସଂସାରଟା ମଧ୍ୟ ସେହିପରି ଅତି ନିର୍ମମ ଭାବରେ ଖଣ୍ଡ ଖଣ୍ଡ ହୋଇ ରହିଛି । ସେଠି ମଣିଷକୁ ଯେତିକି ଅଧିକ ଚତୁର କରି ତିଆରି କରିବାକୁ ଚେଷ୍ଟା କରାଯାଉଛି, ସେତିକି ଉଦାସ ଅର୍ଥାତ୍ ହୃଦୟହୀନ କରି ଗଢ଼ିବାର ବି ସବୁପ୍ରକାର ଫିକର କରାଯାଉଛି । ମଣିଷ ଏକାବେଳେକେ ଚତୁର ଏବଂ ଉଦାସ ହୋଇ ତିଆରି ହେଲେ ଶ୍ରଦ୍ଧା ବିଦାୟ ନେଇ ଚାଲିଯିବାକୁ ବାଧ୍ୟ ହୁଏ । ଭୟ ବଢ଼ିଲେ ବିଶ୍ଵାସ ବି ବିଦାୟ ନେଇ ଚାଲିଯିବାକୁ ବାଧ୍ୟ ହୁଏ । ଭୟ ବଢ଼ିବାରେ ଲାଗିଥାଏ । ଅଭିନୟ ସାଙ୍ଗକୁ ଆଡ଼ମ୍ବରଗୁଡ଼ାକ ଏକାଠି ମିଶି ଭିତରେ ରହିଥିବା ଶୂନ୍ୟଗୁଡ଼ାକୁ ସତେ ଅବା ପୂରଣ କରି ଦେଖାଇବାକୁ ଭାରି ଚେଷ୍ଟା କରୁଥାନ୍ତି । ଭଗବାନଙ୍କର ସଂସାରଟା ସତେ ଅବା ଏକ ଶତ୍ରୁଦୁର୍ଗରେ ପରିଣତ ହୋଇ ରହିଥାଏ ।

ତେଣୁ ନୂଆ ଇସ୍କୁଲଗୁଡ଼ିକର ଜରିଆରେ ସମାଜରେ ଏକ ନୂତନ ଆକାଙ୍‍କ୍ଷା ଓ ନୂତନ ବିଶ୍ଵାସର ମୂଳଦୁଆ ପକାଇବା ଲାଗି ଏଇଟି ହେଉଛି ଆମର ଏକ କ୍ଷୁଦ୍ର ଉଦ୍ୟମ । ଏହି ଉଦ୍ୟମ ପଛରେ ଏକ ବୃହତ୍ ସଂକଳ୍ପ ନିହିତ ହୋଇରହିଛି । ସେହି ସଂକଳ୍ପର ଭୂମିଟି ମଧ୍ୟରେ ପିଲାଏ ଅଛନ୍ତି, ଶିକ୍ଷକମାନେ ଅଛନ୍ତି, ଅଭିଭାବକମାନେ ବି ଅଛନ୍ତି । ଅସଲ ଶିକ୍ଷାରେ ବୟସର କୌଣସି ବାରଣ ନଥାଏ । ଶ୍ରଦ୍ଧାର ଆଳୟରେ ସାନ ଆଉ ବଡ଼ ମଧ୍ୟରେ ଆଦୌ କୌଣସି ପ୍ରତିଦ୍ଵନ୍ଦ୍ଵିତା ନଥାଏ । ଏଠାରେ ସାନ ବଡ଼କୁ ଭୟ କରେ ନାହିଁ, ବଡ଼ ସାନକୁ ଈର୍ଷା ବି କରେ ନାହିଁ । ସ୍ଵୟଂଭଗବାନ ଯେ ସାନ ଶିଶୁଟିଏ ହୋଇ ଆମ ପ୍ରତ୍ୟେକଙ୍କ ଭିତରେ ରହିଛନ୍ତି, ଯଥାର୍ଥ ମନ ନେଇ ଇସ୍କୁଲଗୁଡ଼ିକ ଭିତରେ ପ୍ରବେଶ କରି ପାରିଲେ ଯାଇ ସେହି ସତ୍ୟର ଉପଲବ୍ଧି ହୋଇଥାଏ । ନିଜକୁ ସତେ ଅବା କୌଣସି ବଗିଚା ଭିତରେ ଫୁଟି ଆସୁଥିବା କଢ଼ଟିଏ ପରି ମନେ ହୁଏ । ବାର୍ଦ୍ଧକ୍ୟ ଉପରେ ବିଜୟ ଘୋଷଣା ହୁଏ, ପୁରାତନ ଉପରେ ବିଜୟ ଘୋଷଣା ହୁଏ, ନୈରାଶ୍ୟ ଉପରେ ବି ବିଜୟ ଘୋଷଣା ହୁଏ । ଭବିଷ୍ୟ ସହିତ ଏକାଠି ବାଟ ଚାଲୁଥିବା ପରି ଅନୁଭବ ହୁଏ । ପୁରୁଣା ଗୁଳାଗୁଡ଼ାକ ବଦଳି ବଦଳି ଯାଉଥାନ୍ତି । ଯାହା ଆଗାମୀ କାଲି ଅବଶ୍ୟ ଆସୁଛି, ଆଜି ଏହି ଅନ୍ଧାର ଏବଂ ଅବିଶ୍ଵାସ ଗୁଡ଼ାକ ଭିତରେ ମଧ୍ୟ ଯଦି ଆମେ ତାହାରି ପାଇଁ ଜୀବନ ବଞ୍ଚି ପାରିବା, ତେବେ ତାହା କ'ଣ ପ୍ରକୃତରେ କମ୍ ସୌଭାଗ୍ୟର କଥା ହେବ ?

 

ଡିସେମ୍ବର ୧୯୭୯

Image

 

ଗୋଟିଏ ଗାଆଁର ସ୍କୁଲ

 

ଏପାଖ ପର୍ବତରେ ସୂର୍ଯ୍ୟ ଉଦୟ ହେଲେ ସେପାଖରେ ପର୍ବତ ନାଲି ହୋଇ ଦିଶେ । ଉପରେ ଗୋଲ ହୋଇ ଘେରି ରହିଥିବା ଆକାଶ ତଳେ ବୁଦୁବୁଦୁକିଆ ହୋଇ ଦିଶୁଥିବା କେତୋଟି ସାହି ବା ପଡ଼ାକୁ ନେଇ ଏଠି ଏହି ଗାଆଁଟି ତିଆରି ହୋଇଛି । ଗାଆଁରେ ଏକାବେଳେକେ ଅନେକ ବନ୍ଧ । ସେହି ବନ୍ଧରେ ଗାଧୁଆପାଧୁଆ, ଧୂଆମଜା ସବୁ ହୁଏ । ମଣିଷଙ୍କର ହୁଏ ଓ ଗୃହପାଳିତ ପଶୁମାନଙ୍କର ବି ହୁଏ । ସେହି ବନ୍ଧରୁହିଁ ଫସଲଜମିକୁ ପାଣି ମଡ଼ାଯାଏ । ଗାଆଁର ସବୁ ପରିବାର ସେହି ବନ୍ଧରୁ ପାଣି ପିଅନ୍ତି ।

 

ଗାଆଁ ମୁଣ୍ଡରେ ସ୍କୁଲ । ଅନେକ ଦୂରରୁ ତାହାର ଧଳା କାନ୍ଥ ଓ ନାଲିଆ ଛାତ ଶାଗୁଆ ଗଛଗୁଡ଼ାକ ଭିତରେ ଭାରି ଚକ୍‍ଚକ୍ ଦେଖାଯାଏ । ଗାଆଁର ଯୁବକମାନେ ପାଠଚକ୍ର ତରଫରୁ ଏହି ଘରଟି ତିଆରି କରିଛନ୍ତି । ହତାର ଗୋଟାଏ କଣକୁ ଆଉ ଜଣକ ଜାଗାରେ ସ୍କୁଲର କୂଅ । ସର୍ତ୍ତ ହୋଇଛି ସ୍କୁଲ ସେହି କୂଅଟିକୁ ବ୍ୟବହାର କରିବ, ଜମିମାଲିକ ସେହି କୂଅରୁ ନିଜ ଜମିକୁ ପାଣି ମଡ଼ାଇ ପାରିବେ । କୂଅ ଯେଉଁଠାରେ ଅଛି, ସେଇଠି ଥିବ । ପାଞ୍ଚବଖରା ସାହାଲା ଟାଇଲଘର ଦେଖିବା ଲୋକର ଆଖିକୁ ନିଶ୍ଚୟ ଆକର୍ଷଣ କରିନେବ ।

 

ସ୍କୁଲର ଯେଉଁ ସାନସାନ ପିଲାମାନେ ପଢ଼ନ୍ତି, ସେମାନଙ୍କର ପିତାମାନେ ଅଧିକାଂଶ ଶିକ୍ଷକ । ସେମାନେ ଆଖପାଖ ଗାଆଁମାନଙ୍କର ସ୍କୁଲରେ ଶିକ୍ଷକତା କରନ୍ତି । ପଚାରିଲେ କହନ୍ତି, ପୁରୁଣା ସ୍କୁଲଗୁଡ଼ିକରେ ପାଠ ପଢ଼ାଇ ସେମାନେ ସେଗୁଡ଼ିକୁ ଖୁବ୍ ଭଲ ଭାବରେ ଚିହ୍ନିଛନ୍ତି । ସେମାନଙ୍କର ପିଲାମାନଙ୍କ ଲାଗି ସେମାନେ ଅନ୍ୟପ୍ରକାର ଶିକ୍ଷା ଚାହୁଥିବାରୁ ସମସ୍ତେ ଏକାଠି ମିଶି ଏହି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଟିକୁ ଗଢ଼ିଛନ୍ତି । ଏଇଠୁ ଅଞ୍ଚଳଟାଯାକକୁ ନୂତନ ସଂକ୍ରମଣ ହେବ ବୋଲି ସେମାନେ ବିଶ୍ଵାସ ରଖିଛନ୍ତି ।

 

ପ୍ରାୟ ମାଇଲକ ଦୂରରେ ହାଇସ୍କୁଲ । ହାଇସ୍କୁଲର ପ୍ରଧାନ ଶିକ୍ଷକ ପୂର୍ଣ୍ଣାଙ୍ଗ ବିଦ୍ୟାଳୟର ଅନ୍ୟତମ ସକ୍ରିୟ ସହଯୋଗୀ । ସେହି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସ୍ଵତଃପ୍ରବୃତ୍ତ ହୋଇ ପୂର୍ଣ୍ଣାଙ୍ଗ ସ୍କୁଲର ପିଲାମାନଙ୍କୁ ବିଜ୍ଞାନ ପଢ଼ାଇଦେବେ ବୋଲି କହିଛନ୍ତି । ସ୍କୁଲରେ ଦୁଇଜଣ ଶିକ୍ଷକ, ଚାରୋଟି କ୍ଳାସ । ବେଞ୍ଚ ନାହିଁ କି ଡେସ୍କ ନାହିଁ । ଶିକ୍ଷକ ବସିବା ପାଇଁ ଚେୟାର ମଧ୍ୟ ନାହିଁ । ତଥାପି କେଡ଼େ ଖୁସିରେ ସ୍କୁଲ ଚାଲିଛି ! ପିଲାଏ ଖରାବେଳଟା ଘରକୁ ଯାଉଛନ୍ତି, ଖାଇସାରି ପୁଣି ସ୍କୁଲକୁ ଚାଲି ଆସୁଛନ୍ତି । କାନ୍ଥଯାକ କେତେ ପ୍ରକାରର ଛବି ଝୁଲୁଛି । ସେଗୁଡ଼ିକୁ ସ୍କୁଲ ଶିକ୍ଷକ ନିଜେ ଆଙ୍କିଛନ୍ତି ।

 

ସ୍କୁଲ ସରକାରଙ୍କଠାରୁ ବର୍ତ୍ତମାନ କୌଣସି ସାହାଯ୍ୟ ପାଉନାହିଁ । ସ୍କୁଲ ପରିଚାଳନା ସମିତିର ମୁଖ୍ୟ ନିଜ ମାସିକ ବେତନରୁ ଚଉଠେ ସ୍କୁଲ ପାଇଁ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି । ସ୍କୁଲର ପ୍ରଧାନ ଶିକ୍ଷକ କହନ୍ତି, ମୁଁ ତ ଗାଆଁରେ ଅଛି, ଘରେ ଖାଉଛି । ତେଣୁ ମୋର ବେତନ ନେବାରେ କୌଣସି ପ୍ରୟୋଜନ ନାହିଁ । ପାଠଚକ୍ରର ଭୂତପୂର୍ବ ସମ୍ପାଦକ ଏବର୍ଷ ଗାଆଁ ବନ୍ଧରେ ମାଛ ଯାଆଁଳ ଛାଡ଼ିଛନ୍ତି । ବର୍ଷଶେଷରେ ଯାହା ଲାଭ ହେବ, ତାହାକୁ ସେ ସ୍କୁଲ ନାମରେ ଉତ୍ସର୍ଗ କରିଛନ୍ତି । ଗାଆଁର ଆଉ ଜଣେ ବନ୍ଧୁ କହନ୍ତି, ଘରର କରଜ ଗୁଡ଼ାକ ଶୁଝିଗଲେ ସିଏ ବି ଶିକ୍ଷକ ହିସାବରେ ସ୍କୁଲରେ ଆସି ଯୋଗ ଦେବେ ।

 

ଏମାନେ ସମସ୍ତେ ଅନୁଭବ କରନ୍ତି ଯେ ସ୍କୁଲଟି ଯାହାଙ୍କ ଇଚ୍ଛାରେ ଚାଲିବାର କଥା, ତାହା ତାଙ୍କରି ଇଚ୍ଛାରେ ହିଁ ଚାଲିଛି । ସବୁଦିନ ବି ସେହିପରି ଚାଲିବ । ଯେଉଁଠି ଗାଆଁରେ ଲୋକେ ସ୍କୁଲଟିକୁ ଆପଣାର କରି ନେଇଛନ୍ତି, ସ୍କୁଲଟିକୁ ଆପଣାର ତପସ୍ୟାର ଫଳ ବୋଲି ଭାବୁଛନ୍ତି, ସେଠି ସେହି ସ୍କୁଲର ଶିକ୍ଷା ଯେ କଦାପି ପୂର୍ବର ସେହି ଚିରାଚରିତ ମାର୍ଗରେ ଗତି କରିବ ନାହିଁ, ତାହା ବର୍ତ୍ତମାନଠାରୁ ମଧ୍ୟ ଜଣା ପଡ଼ିଗଲାଣି ।

 

ଯାହାକିଛି ଯଥାର୍ଥରେ ଆରମ୍ଭ ହୁଏ, ତାହା ଠିକ୍ ଏହିପରି ସାନ ହୋଇ ଆରମ୍ଭ ହୁଏ, ଆଦୌ କୌଣସି କୋଳାହଳ ନକରି ଆରମ୍ଭ ହୁଏ । ସମସ୍ତଙ୍କର ସହଯୋଗରେ ତାହାର ବଳ ବଢ଼େ । ତାହା ସମସ୍ତଙ୍କର ଆଦର ଓ ଯତ୍ନରେ ସୁନ୍ଦର ହୋଇ ବଢ଼େ । ତାହାହିଁ ସଂକ୍ରାମକ ରୂପେ କାର୍ଯ୍ୟ କରେ । ଭଗବାନଙ୍କର ଆଶୀର୍ବାଦ ତାହାରି ଲାଗି ସର୍ବଦା ମହଜୁଦ ହୋଇ ରହିଥାଏ ।

 

ଜାନୁଆରୀ, ୧୯୮୦

Image

 

ଯଂ ତମୋ ନ ବେଦ

 

ଉପନିଷଦରେ କୁହାଯାଇଛି ଯେ ଯିଏ ଅନ୍ଧାର ଭିତରେହିଁ ଅଛନ୍ତି, ସିଏ ଅନ୍ଧକାରର ଅନ୍ତର-ଗଭୀରରେ ପ୍ରତିଷ୍ଠିତ ହୋଇ ରହିଛନ୍ତି । କିନ୍ତୁ ଅନ୍ଧକାର ତାଙ୍କୁ ଜାଣି ପାରୁ ନାହିଁ । ସେଇଥିଲାଗି ଅନ୍ଧକାର ହୋଇ ରହିଛି । ଆଉ ଅନ୍ୟକୌଣସି ସକାଶେ ତାହା ଆଉ ସାହସ କରିପାରୁ ନାହିଁ ।

 

ଆମେ ଯେଉଁମାନେ ବର୍ତ୍ତମାନକୁ ଅନିଶ୍ଚିତ ପରି ଦେଖୁଛୁ, ପ୍ରାୟ ସେହିମାନେ ହିଁ ଭବିଷ୍ୟତକୁ ମଧ୍ୟ ଅନ୍ଧକାର ବୋଲି ଦେଖୁଛୁ । ଆମେ କେବଳ ଉପରଗୁଡ଼ାକୁ ଦେଖୁଛୁ, କେବଳ ଆସନଗୁଡ଼ାକୁ ଓ କେବଳ ଶାସନଗୁଡ଼ାକୁ ଦେଖୁଛୁ । ନିଜ ଭିତରକୁ ମଧ୍ୟ ଆମେ ବେଶୀ ଦୂରକୁ ଭେଦିବା ଲାଗି ସାହସ କରି ପାରୁନାହୁଁ । ବାହାରେ ଆମକୁ ଯେଉଁ ବାତାବରଣ ଘେରିକରି ରହିଛି, ଆମେ ତାକୁ ଭେଦିକରି ମୋଟେ ଦେଖିପାରୁ ନାହୁଁ । ହୁଏତ ଉପରେ ଉପରେ ରହିଯାଉଛୁ । ତେଣୁ କେବଳ ଡରିବାରେ ଲାଗିଛୁ । ଆମ ନିଜକୁ ଆମେ ଡରୁଛୁ, ବାତାବରଣଗୁଡ଼ାକୁ ଡରୁଛୁ, ମାର୍ଗ ଗୁଡ଼ାକୁ ଡରୁଛୁ । ତେଣୁ ଅଧିକାଂଶ ସମୟରେ କେବଳ ଅକୁଶଳ ଓ ଅସ୍ତବ୍ୟସ୍ତ ଭାବରେ କେତେଟା ଅଭିନୟ କରିବା ବ୍ୟତୀତ ଆମକୁ ହୁଏତ ଆଉ କୌଣସି ବାଟ ହିଁ ମିଳୁନାହିଁ ।

 

ଆମ ପାଖରେ ଯେଉଁ ପିଲାଟି ଆସି ବସିଛି, ତା ଭିତରକୁ ବି ଆମେ ମୋଟେ ଭେଦକରି ପାରୁନାହୁଁ । ତାର ଆଖି ଭିତରକୁ ଆମର କାତ ପାଉନାହିଁ । ଆମେ ସେଥିଲାଗି କେବଳ ଉପରେ ଉପରେ, ଅର୍ଥାତ୍ ଚିରାଚରିତ ବେଭାରର ସେହି ଉପରଠାଉରିଆ ଦେଖା ଓ ଉପରଠାଉରିଆ ଚିହ୍ନାରେ ଅଟକି ରହି ଯାଉଛୁ । ଆମେ ସମସ୍ୟାଗୁଡ଼ିକର ଜରିଆରେ ପିଲାଗୁଡ଼ାଙ୍କୁ ଦେଖୁଛୁ । ପିଲାମାନଙ୍କୁ କେନ୍ଦ୍ର କରି, ଆଗ ସେହିମାନଙ୍କୁ ହିଁ ମୂଳ କରି ଥାପି ସମସ୍ୟାଗୁଡ଼ାକୁ ଦେଖିବାର ସାହସହିଁ କରି ପାରୁନାହୁଁ । ଆମ ଭିତରେ ହୁଏତ ଅନେକେ ଅଛନ୍ତି, ଯେଉଁମାନେ ବଗିଚାଟିକୁ ଅନ୍ଦାଜ କଲାବେଳେ ଫୁଲଟିର ଆଦୌ ଅନ୍ଦାଜ କରି ପାରନ୍ତି ନାହିଁ କିମ୍ବା ଫୁଲଟିକୁ ଦେଖୁଥିଲା ବେଳେ ବି ମୋଟେ ବଗିଚାଟିର ଅନ୍ଦାଜ କରି ପାରନ୍ତି ନାହିଁ । ସେମାନେ ସେଥିଲାଗି ବଗିଚା ଅଥବା ଫୁଲ କୌଣସିଟିକୁ ଦେଖି ପାରନ୍ତି ନାହିଁ । କେବଳ ଅନ୍ଧକାରକୁ ଦେଖନ୍ତି, ଅନ୍ଧକାରକୁ ଦେଖି ଡରିଯାଆନ୍ତି । ଏବଂ ତେଣୁ ବାହାରେ ବାହାରେ ରହିଯାଆନ୍ତି । ଅନବଗାହିତ ରହିଯାଆନ୍ତି ।

 

'ଯସ୍ୟ ତମଃ ଶରୀରଂ’ ବୋଲି ଶାସ୍ତ୍ରରେ କୁହାଯାଇଛି । ଅନ୍ଧକାରଟା ହେଉଛି ତାଙ୍କର ଶରୀର । ସତେ ଅବା କେଉଁ ଅସଲ ସାଙ୍ଗ ପରି ସିଏ ବାହାରକୁ ଅନ୍ଧକାରର ଆବରଣଟାଏ ସୃଷ୍ଟି କରି ତାହାରି ଭିତରେ ଲୁଚି ରହିଥାନ୍ତି । ଆମ ସାହସର ଉଦ୍ଦୀପନ ଲାଗି ସିଏ ଏକ ଆହ୍ଵାନ ପରି ହୋଇ ଲୁଚି ରହିଥାନ୍ତି, ଏକ ଆକର୍ଷଣ ହୋଇ ଲୁଚି ରହିଥାନ୍ତି । ଆମେ ଅନ୍ଧକାରକୁ ଡରିବା ନାହିଁ । ଆମେ ଆବରଣଗୁଡ଼ାକ ପାଖରୁ ମୋଟେ ହଟିଯିବା ନାହିଁ । ଆମେ ଆହୁରି ପାଖକୁ ଯିବା; ଆହୁରି ଭିତରକୁ ଯିବା, ଅଳ୍ପ ଭିତରେ ଭୂମାକୁ ଦେଖିବା, ଖଣ୍ଡଗୁଡ଼ାକ ଭିତରେ ସମଗ୍ରଟିକୁ ଦେଖିବା । ତେବେ ଯାଇ ଅନ୍ଧକାରକୁ ଭେଦି ଅନ୍ଧକାର ଭିତରେ ସନ୍ନିବିଷ୍ଟ ହୋଇ ରହିଥିବା ଅସଲ ସମ୍ପଦଟିକୁ ଯାଇ ଭେଟି ପାରିବା ଏବଂ ‘ଏଷ ଆତ୍ମାଽନ୍ତର୍ଯ୍ୟାମ୍ୟମୃତଃ' ବୋଲି କହି ପାରିବା । ଆମେ ଏହି ଜବର କବାଟଗୁଡ଼ାକୁ ଭେଦି ଭଣ୍ଡାର ଭିତରେ ଯାଇ ପ୍ରବେଶ କରିପାରିବା ।

 

ଶିକ୍ଷା, ଯଥାର୍ଥ ଶିକ୍ଷା–ତାହା ହେଉଛି ଆତ୍ମୀୟତା ଅର୍ଜନ କରିବାର ଏକ ଅନ୍ୟ ନାମ । ଯିଏ ଆତ୍ମୀୟତା ଅର୍ଜନ କରିବାକୁ ମନ କରେ, ସିଏ ଅନ୍ଧାରର ଗବେଷଣା କରି ସେହି ଅନ୍ଧାରଗୁଡ଼ାକର ସ୍ତରରେ ହିଁ ଅଟକି ଯାଏ ନାହିଁ । ସିଏ ଅନ୍ଧାରକୁ ଭେଦ କରି ଆହୁରି ଭିତରକୁ ଯାଏ । ସମସ୍ୟାଗୁଡ଼ାକୁ ଭେଦ କରି ଅନ୍ତର ଭିତରକୁ ଯାଏ । ସିଏ ବନ୍ଧୁ ଦର୍ଶନର ସୌଭାଗ୍ୟ ଲାଭ କରେ । ଯେଉଁ ଶିକ୍ଷକ ଏହିପରି ଉପରର ପରସ୍ତଗୁଡ଼ାକୁ ଭେଦି ବନ୍ଧୁଦର୍ଶନ କରିବାର କଳାଟିକୁ ଆୟତ୍ତ କରି ପାରିଛି, ତାହାକୁ ଆପଣାର ଏକ ସ୍ଵଭାବ ବା ଧର୍ମରେ ପରିଣତ କରି ପାରିଛି, ସେଇ ପ୍ରକୃତ ଶିକ୍ଷକ । ସିଏ କେବେ ହାରିଯିବ ନାହିଁ, ସିଏ କେବେହେଲେ ବୁଢ଼ା ହେବ ନାହିଁ । କାଳ ଉପରେ ମଣିଷର ଜୟଲାଭରେ ସେଇ ଏକ ନିମିତ୍ତ ରୂପେ ବ୍ୟବହୃତ ହୋଇ ପାରିବ ।

 

ଆମ ସ୍କୁଲମାନଙ୍କରେ ଆମେ କଦାପି ଅନ୍ଧାରଗୁଡ଼ାକ ପାଖରେ ଅଟକି ରହି ଯିବା ନାହିଁ-। ଆମେ ଅନ୍ତଃପ୍ରବେଶ କରିବା, ଅନ୍ତର୍ଯ୍ୟାମୀ ଅମୃତ ପୁରୁଷକୁ ଭେଟିବା । ଆମେ ଖୋଜୁଥିବା ଅସଲ ବନ୍ଧୁଟିକୁ ଭେଟିବା । ଆମର ଆତ୍ମୀୟତା ଯେତିକି ବଢ଼ିବାରେ ଲାଗିଥିବ, ଆମର ଆଖିଗୁଡ଼ାକ ଓ ଆମ ବିଶ୍ଵାସଗୁଡ଼ାକ ମଧ୍ୟ ସେତିକି ସମଗ୍ର ହୋଇ ପାରୁଥିବ ।

 

ଫେବୃଆରୀ, ୧୯୮୦

Image

 

ମହେଶ

 

ମହେଶ ସ୍କୁଲକୁ ଆସିଲେ ସମସ୍ତଙ୍କ ଆଖି ଯାଇ ତା' ଉପରେ ପଡ଼େ । ସ୍କୁଲକୁ ପ୍ରତିଦିନ ଏତେ ଏତେ ପିଲା ଆସନ୍ତି, କିନ୍ତୁ ମହେଶ ଆସି ସ୍କୁଲରେ ପହଞ୍ଚିବା ମାତ୍ରକେ ସ୍କୁଲଯାକ ସମସ୍ତଙ୍କର ନଜର ତାହାରି ଉପରେ ଯାଇ ପଡ଼ିଯାଏ । ସମସ୍ତେ କହନ୍ତି, ମହେଶ ଆସିଲାଣି । ସ୍କୁଲଯାକର ପିଲାମାନେ ସେମାନଙ୍କୁ ଗୋଟାଏ ପ୍ରକାରର ଦିଶନ୍ତି, ମହେଶ ଆଉ ଗୋଟିଏ ପ୍ରକାରର ଦିଶେ । ସେମାନେ ହୁଏତ ଭାବନ୍ତି, ଆଉ ପିଲାମାନେ ସିନା ଗୋଟାଏ ଧାତୁରେ ତିଆରି ହୋଇଛନ୍ତି, କିନ୍ତୁ ମହେଶ ସତେ ଅବା ଏକାବେଳକେ ଆଉ ଗୋଟାଏ ଧାତୁରେ ତିଆରି ହୋଇଛି ।

 

ସମସ୍ତେ ମହେଶକୁ ଦୁଷ୍ଟ ପିଲା ବୋଲି କହନ୍ତି; ସେମାନେ ସଭିଏଁ ମହେଶକୁ ଭାରି ଦୁଷ୍ଟ ବୋଲି ଜାଣନ୍ତି । ସଂସାରରେ ତ ଦୁଷ୍ଟ ପିଲା ଅନେକ ଅଛନ୍ତି, କିନ୍ତୁ ମହେଶ ହେଉଛି ଭାରି ଦୁଷ୍ଟ । ମୋଟେ ସମ୍ଭାଳି ହୁଏ ନାହିଁ, ମୋଟେ କଥା ମାନେ ନାହିଁ । ସେ ସାଙ୍ଗମାନଙ୍କ ସହିତ ଗୋଳ ଲଗାଏ, ଯୁଦ୍ଧ କରେ, ଆଖିପିଛୁଳାକେ କ'ଣ ମନ କ'ଣ ଗୋଟାଏ କରିବସେ । ତାକୁ ଦଉଡ଼ିରେ ବାନ୍ଧି ଆକଟ କରି ରଖିବା ପୂର୍ବରୁ ସିଏ ଖସି ପଳାଏ । ଫାଶଗୁଡ଼ାକ ଭିତରେ ମୋଟେ ଧରା ଦିଏ ନାହିଁ । ବଡ଼ମାନଙ୍କ ମୁଣ୍ଡ ଯେତିକି କାମ କରେ, ମହେଶର ମୁଣ୍ଡ ନିଶ୍ଚୟ ତା'ଠାରୁ ଆହୁରି ଅଧିକ ବେଗରେ କାମ କରୁଥିବ । ତେଣୁ ମହେଶ ଚିତା କାଟି ବୁଲୁଥାଏ । ଏଇଠି ଥାଏ, ପାଖରେ ଥାଏ, ଆଖି ଆଗରେ ଥାଏ, ତଥାପି ଚିତା କାଟି ବୁଲୁଥାଏ । ସବୁ ପିଲାଏ କ୍ଳାସରେ ବସିଥାନ୍ତି, ମହେଶ ବି କ୍ଳାସରେ ଥାଏ । କିନ୍ତୁ ସିଏ ତଥାପି କ୍ଳାସ୍ ଭିତରେ ନଥାଏ । କ୍ଳାସରେ ଯେତେବେଳେ ଯେଉଁ ବିଷୟ ବା ଯେଉଁ ବହି ପଢ଼ାହୁଏ, ସେତେବେଳେ ସବୁ ପିଲା ଶିକ୍ଷକଙ୍କର ବୋଲ ଅନୁସାରେ ସେହି ବିଷୟ ବା ସେହି ବହିଟି ଭିତରେ ଆବଦ୍ଧ ହୋଇ ରହିଥାନ୍ତି; କିନ୍ତୁ ମହେଶ କୁଆଡ଼େ ମନ କୁଆଡ଼େ ଚିତା କାଟି ବୁଲୁଥାଏ । ସିଏ ବହି ଭିତରେ ଓ ବିଷୟଟି ଭିତରେ ରହିଥାଏ ସତ, ମାତ୍ର ତଥାପି ଆହୁରି କେତେ କୁଆଡ଼େ ବୁଲୁଥାଏ, ଏକାବେଳକେ ଚିତାକାଟି ବୁଲୁଥାଏ । ତେଣୁ କ୍ଲାସ୍ ଭିତରେ, ପାଠ ଭିତରେ ଓ ପଢ଼ା ବିଷୟଗୁଡ଼ିକର ବାଡ଼ ଭିତରେ ମହେଶକୁ ମୋଟେ ସମ୍ଭାଳି ରଖି ହୁଏ ନାହିଁ-

 

କ୍ଲାସ୍‍ରେ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ପଢ଼ା ହେଉଥାଏ, ସାହିତ୍ୟ ବହିରୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ପଢ଼ା ହେଉଥାଏ । କ୍ଳାସ୍ ଯାକ ସମସ୍ତେ କେଡ଼େ ସୁନ୍ଦର ଭାବରେ ସେହି ବହିଟି ଭିତରେ ବୁଡ଼ି ରହିଥାନ୍ତି । ଶବ୍ଦଗୁଡ଼ିକର ଅର୍ଥ ଶୁଣୁଥାନ୍ତି, ଧାଡ଼ି ଧାଡ଼ି କରି ଲେଖା ହୋଇଥିବା ବାକ୍ୟଗୁଡ଼ାକ ଭିତରେ ବନ୍ଧା ହୋଇ ରହିଥିବା ଯୀଶୁଖ୍ରୀଷ୍ଟଙ୍କୁ ସେମାନେ ଆୟତ୍ତ ଓ କଣ୍ଠସ୍ଥ କରି ରଖିବାରେ ଲାଗିଥାନ୍ତି । ଶିକ୍ଷକ ବି ସେମାନଙ୍କୁ ଏହି କାର୍ଯ୍ୟରେ କେଡ଼େ ସୁନ୍ଦର ଭାବରେ ସାହାଯ୍ୟ କରୁଥାନ୍ତି । ଏକା ମହେଶ କ୍ଲାସ୍‍ରେ ଶାନ୍ତି ଭଙ୍ଗ କରେ । ସେତେବେଳକୁ ମହେଶ ଯୀଶୁଖ୍ରୀଷ୍ଟଙ୍କ ଦେଶରେ ଯାଇ ବୁଲୁଥାଏ; ସେହି ଦେଶ କିପରି ଦେଶ, ଆମ ଦେଶଠାରୁ ସେହି ଦେଶ କେତେଦୂରରେ ଅବସ୍ଥିତ, ତାହାର ନାମ ଇସ୍ରାଏଲ୍ ହେଲା କାହିଁକି, ସିଏ ସେଇସବୁ ଭାବନା ଭିତରେ କେତେ କେତେ ଗହନ ଡେଇଁ ସତେଅବା ସେପାଖକୁ ଚାଲିଯାଇଥାଏ । ବହିରେ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ସବୁ କଥା ତ ଓଡ଼ିଆ ଭାଷାରେ ଲେଖା ହୋଇଛି । କିନ୍ତୁ ଯୀଶୁଖ୍ରୀଷ୍ଟଙ୍କ ସମୟରେ ତ ତାଙ୍କ ଦେଶରେ କେବେ ହେଲେ ଓଡ଼ିଆ ଭାଷା ନଥିବ । ତେବେ ଆଉ କେଉଁ ଭାଷା ଥିବ ? ସେହି ଭାଷାର ନାଆଁ କଣ ? ସେହି ଭାଷାର ଅକ୍ଷରଗୁଡ଼ାକ କିପରି ? ସାହିତ୍ୟ ବହିରେ ତ ଯୀଶୁଖ୍ରୀଷ୍ଟ କହିଥିବା ଗୋଟିଏ କେଡ଼ ସୁନ୍ଦର କାହାଣୀ ରହିଛି ! ମାତ୍ର ସିଏ କଣ ସେଇ ଗୋଟିଏ ମାତ୍ର କାହାଣୀ କହିଛନ୍ତି ? ମୋଟେ ନୁହେଁ, ସିଏ ନିଶ୍ଚୟ ଆହୁରି କେତେ କେତେ କାହାଣୀ କହିଥିବେ । ସିଏ ସେଗୁଡ଼ାକ ବି କାହା ପାଖରୁ ଶୁଣି ପାରନ୍ତା କି ! ମହେଶର ଅଣ୍ଟିକୁ ସଂସାର ଅଣ୍ଟେନାହିଁ । ଆଉ ସାନ କ୍ଲାସ୍‍ଘରଟା ବା କିପରି ଅଣ୍ଟିବ ? ଭାରି ଅଥୟ ଭାବରେ ମହେଶ କୁଆଡ଼େ କୁଆଡ଼େ ଖେପି ବୁଲୁଥାଏ, ଖେଦି ବୁଲୁଥାଏ । ଶିକ୍ଷକ ତାକୁ ମୋଟେ ଧରି ପାରନ୍ତି ନାହିଁ, ତାକୁ କେହି ହେଲେ ଧରି ପାରନ୍ତି ନାହିଁ । ମହେଶ ଭାରି ଦୁଷ୍ଟ ପିଲା । ସିଏ କାହାକୁ ମାନେ ନାହିଁ । ତା'ର ଆଖିଗୁଡ଼ାକ ବଡ଼ମାନଙ୍କର ଆଖିକୁ ସତେ ଅବା ମଇଁଷି ଶିଙ୍ଗ ପରି ଦେଖାଯାଏ । ତା'ର ପ୍ରଶ୍ନଗୁଡ଼ାକ କେବେହେଲେ ସରେ ନାହିଁ, ତା'ର ପାଟି କେବେହେଲେ ବି ବନ୍ଦ ହୁଏ ନାହିଁ । ତା' ହାତଗୋଡ଼ ସବୁବେଳେ କଥା କହୁଥାନ୍ତି । ତେଣୁ ସିଏ ଯେଉଁଠି ଥାଏ, ଯେଉଁଠାକୁ ଯାଏ, ସେଠାରେ ପ୍ରାୟ ଏକ ଉପଦ୍ରବ ସୃଷ୍ଟି ହୋଇଯାଏ । ବଡ଼ମାନଙ୍କଠାରୁ ଶିଖି ତା'ର ସାଙ୍ଗପିଲାମାନେ ମଧ୍ୟ ମହେଶକୁ ଦୁଷ୍ଟ ବୋଲି କହନ୍ତି । ସବୁ ଝଗଡ଼ା ଆଉ ଝିମିଟିରେ ସେଇ ଦୋଷୀ ବୋଲି ଅତି ସହଜରେ ସାବ୍ୟସ୍ତ ହୋଇଯାଏ । ତେଣୁ ମାର୍କାମରା ହୋଇ ରହିଯାଏ । ବାରି ହୋଇଯାଏ । ଅପବାଦଗୁଡ଼ାକ ପ୍ରାୟ ତାହାରି ମୁଣ୍ଡ ଉପରେ ପଡ଼େ ।

 

ଆମ ଦୁଷ୍ଟ ସଂସାରର କଦରଗୁଡ଼ାକ ମହେଶ କିପରି ବା ବୁଝି ପାରନ୍ତା ! ସିଏ ହୁଏତ ଭାବେ, ସଂସାରଟା ଯାକ ସବୁଠାରେ ତା’ ପାଇଁ ଦୁଆରଗୁଡ଼ାକ ସବୁବେଳେ ମେଲା ହୋଇ ରହିଥାନ୍ତା, ଏଠି ସମସ୍ତେ ସମସ୍ତଙ୍କୁ ଆଦର କରି ପାଖକୁ ଡାକୁଥାନ୍ତେ, ପଚାରିବା ମାତ୍ରକେ ତାକୁ ସମସ୍ତେ ସବୁ କଥାର ଉତ୍ତର ଦେଇ ପାରୁଥାନ୍ତେ । ସଂସାର ଭିତରେ ବଡ଼ ମଣିଷମାନେ ଯଦି ଜଣେ ଜଣେ ମାଳି ହୋଇ ରହିଥାନ୍ତେ, ବଗିଚା ଭିତରେ ଫୁଲଗଛରେ ଫୁଲ ଫୁଟାଇବା ବ୍ୟତୀତ ଯଦି ସେମାନଙ୍କର ଅନ୍ୟ କୌଣସି ଧନ୍ଦା ନଥାନ୍ତା, ତେବେ କେଡ଼େ ବଢ଼ିଆ ହୋଇନଥାନ୍ତା ! ଦୁଷ୍ଟ ବା ଶିଷ୍ଟ ବାରିବା ଆଗରୁ ଯଦି ସମସ୍ତେ ଖାଲି ପିଲାମାନଙ୍କୁହିଁ ଚିହ୍ନି ପାରୁଥାନ୍ତେ, ତେବେ ପ୍ରକୃତରେ କେଡ଼େ ବଢ଼ିଆ ହୋଇ ନଥାନ୍ତା !

 

ମହେଶ ଆମ ସମସ୍ତଙ୍କ ଭିତରେ ରହିଛି । ବାହାରକୁ ସୁନା ହୋଇ ଦିଶିବୁ ବୋଲି ଆମେ ପ୍ରାୟ ସମସ୍ତେ ତାକୁ କୁଆଡ଼େ ଦାବିଦୁବି କରି ରଖିଛୁ । ଝରକାଗୁଡ଼ାକ ଏକାବେଳକେ ବନ୍ଦ କରି ରଖିଛୁ । ସେଥିଲାଗି କୌଣସି ଗୋଟିଏ ପିଲାକୁ ଚିହ୍ନିବା ଆଗରୁ ଆମେ ତା'ର ଦୁଷ୍ଟାମିଗୁଡ଼ାକୁ ଆଗ ଚିହ୍ନି ନେଇ ପାରୁଛୁ । ଆମ ବିଦ୍ୟାର ସବୁକିଛି କରାମତି କେବଳ ସେଇଯାଏ ପହଞ୍ଚି ପାରୁଛି । ତଥାପି ଯେ ଏହି ସଂସାରରେ ମହେଶମାନେ ଜନ୍ମ ହେଉଛନ୍ତି, ତଥାପି ସେ ସେମାନେ ଧରା ପଡ଼ିଯିବାକୁ ମୋଟେ ଡରୁ ନାହାନ୍ତି, ହୁଏତ ତାହାହିଁ ଭବିଷ୍ୟ ଲାଗି ଏକ ଆଶାକୁ ବଞ୍ଚାଇ କରି ରଖିଛି ।

 

ମାର୍ଚ୍ଚ, ୧୯୮୦

Image

 

ଏହି ସ୍ଵୀକୃତି କିଏ ଦେଲା ?

 

ଓଡ଼ିଶାର ଆହୁରି ତେର ଗୋଟି ପୂର୍ଣ୍ଣଙ୍ଗ ଶିକ୍ଷାକେନ୍ଦ୍ର ସରକାରଙ୍କର ସ୍ଵୀକୃତି ପାଇଲେ । ଆମେ ଯେଉଁମାନେ ଏକ ଅନ୍ୟ ଅନୁରାଗରେ ଏହି ନୂତନ ଶିକ୍ଷାକେନ୍ଦ୍ର ଗୁଡ଼ିକୁ ଆରମ୍ଭ କରିଛୁ, ଆମ୍ଭମାନଙ୍କର ଚାଲିବା ବାଟରେ ଏହି ଘଟଣା ଯେ ଅଧିକ ବେଗ ଆଣିଦେବ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ ।

 

ଇଏ କିଛି କମ୍ କଥାନୁହେଁ । ଆମେ ଅନେକେ ବର୍ତ୍ତମାନ ଭିତରେ ଏପରି ଛନ୍ଦି ହୋଇ ରହିଥାଉ ଯେ, ଭବିଷ୍ୟ ବୋଲି ଗୋଟାଏ କିଛି ରହିଛି ବୋଲି ଆମର ଅନେକ ସମୟରେ ମନେ ବି ରହେ ନାହିଁ । ଆମେ ଅତୀତ ଭିତରେ ଏପରି ଲଟର ପଟର ହେଉଥାଉ ଓ ତାହାକୁ ହିଁ ଭାଗ୍ୟ ବୋଲି ବିଚାର କରିବାରେ ଲାଗିଥାଉ ଯେ, ଦୁଆରକୁ ଫିଟାଇ ଦେଇ ପାରିଲେ ଆହୁରି ଅନେକ ଦିଗ୍‍ବଳୟର ଦର୍ଶନ ବି ଯେ ହୋଇପାରେ, ସେକଥା ଆମ ପ୍ରତ୍ୟୟ ଭିତରକୁ ମୋଟେ ଆସିପାରେ ନାହିଁ । ମଣିଷ ଭିତରେ ଅସଲ ବିଶ୍ଵାସଟି ମରିଗଲେ ଏକଥା ହୁଏ । ନିଜ ଭିତରେ ଅସଲ ଥାନଟିରେ ଅଛୁଆଁ ହୋଇ ବସିଥିଲେ ଏହି କଥା ହୁଏ । ଭିତର ଦୁଆରଗୁଡ଼ିକ ବନ୍ଦ ହୋଇ ରହିଥିଲେ ବାହାରେ ସତେ ଅବା କ୍ଷତିପୂରଣ କରିବା ପରି ଆମେ ଯେଉଁ ନିଷ୍ଠାଗୁଡ଼ାକ ଦେଖାଇବା ଲାଗି ମନ କରୁଥାଉ, ସେଗୁଡ଼ାକ କେବଳ କେତେଟା ନିୟମ ମାନିବାର ଓ ଗୋଟାଏ ଯନ୍ତ୍ରକୁ ଚଳାଇବାର ଅର୍ଥାତ୍ ମଣିଷମାନଙ୍କ ଉପରେ ମଡ଼ାଇ ନେବାର ଅନୁରକ୍ତି ଭିତରେହିଁ ସୀମାବଦ୍ଧ ହୋଇ ରହିଥାଏ । ଆମ ସଂସାରର ଅନେକ ଯନ୍ତ୍ର ପ୍ରାୟ ଏହିଭଳି ଚାଲେ । ଅଧିକାଂଶ ସ୍ଥଳରେ ଏହି ଯନ୍ତ୍ରଗୁଡ଼ାକ ଚାଲିଲେ ଗୋଟାଏ ସରକାର ଚାଲିଲା ବୋଲି କୁହାଯାଏ, ଗୋଟାଏ ଦେଶ ବି ଚାଲିଲା ବୋଲି କୁହାଯାଏ ।

 

ଆମ ଦେଶରେ ଶିକ୍ଷାକ୍ଷେତ୍ରରେ ସେହିପରି କେତେଗୁଡ଼ାଏ ଯନ୍ତ୍ରର ଚାଲିବାକୁହିଁ ଅଧିକାଂଶ ସମୟରେ ସବୁ ଚାଲିବା ବୋଲି ମାନି ନିଆ ଯାଇଥାଏ । ଯେଉଁମାନେ ଏହିସବୁ ଯନ୍ତ୍ର ଚଳାଇବା ପାଇଁ ଯନ୍ତ୍ରପାଳ ହୋଇ ରହିଥାନ୍ତି, ସେମାନେ ମହାନନ୍ଦରେ ଆପଣାକୁ ଜଣେ ଜଣେ ମହୀପାଳ ବୋଲି ଭାବିବା ଲାଗି ଭାରି ଶରଧା ରଖିଥାନ୍ତି ସତ, ମାତ୍ର ସେମାନେ ତଥାପି ଯନ୍ତ୍ରୀ ହୋଇପାରନ୍ତି ନାହିଁ । ସେମାନେ ଯନ୍ତ୍ରକୁ ଚଳାନ୍ତି ନାହିଁ, ଅନେକ ସମୟରେ ଯନ୍ତ୍ରହିଁ ସେମାନଙ୍କୁ ଚଳାଏ । ଯୋଉ ମଣିଷ ଯନ୍ତ୍ରୀ ହୋଇ ଯନ୍ତ୍ରକୁ ଚଳାଇ ପାରୁଥାନ୍ତା, ସିଏ ନିଜେ ଯେତେବେଳେ ଗୋଟାଏ ଯନ୍ତ୍ରରେ ପରିଣତ ହୋଇଯାଇ ତଥାପି କୈବଲ୍ୟ ଭୋଗ କରିବା ପରି ଅନୁଭବ କରିବାକୁ ଲାଗେ, ସେତେବେଳେ ଘରୁ ପ୍ରକୃତରେ ଆଲୁଅଗୁଡ଼ାକ ଥପ୍ କରି ନିଭିଯାଆନ୍ତି ।

 

ନିଜକୁ ଯନ୍ତ୍ରରେ ପରିଣତ କରି ନେଇଥିବା ମଣିଷ ଭିତରେ ତଥାପି ମଣିଷ ରହିଥାଏ, ଯନ୍ତ୍ରୀ ରହିଥାଏ, ବଳୀ ରହିଥାଏ । ଅତୀତକୁ ଆବୋରି ଧରିଥିବା ଓ ବର୍ତ୍ତମାନ ଭିତରେ ଘାଣ୍ଟି ହେଉଥିବା ବ୍ୟକ୍ତିମାନଙ୍କ ଭିତରେ ଭବିଷ୍ୟତଟା ତଥାପି ରହିଥାଏ । ଭାରି ନିପୀଡ଼ିତ, ଅବଦମିତ ହୋଇ ରହିଥାଏ ସତ, ମାତ୍ର ତଥାପି ରହିଥାଏ; - ତାହା ଅପେକ୍ଷା କରି ରହିଥାଏ । ଅବିଶ୍ଵାସର ମହୁଡ଼ଗୁଡ଼ାକ ଭିତରେ ତଥାପି ବିଶ୍ଵାସ ଅପେକ୍ଷା କରି ବସିଥାଏ । କେବଳ ପୁନରାବୃତ୍ତି କରୁଥିବା ମଣିଷ ତଥାପି ସଂମ୍ପୂର୍ଣ୍ଣ ନୂଆ ଆଉ କିଛି ଲାଗି ଅପେକ୍ଷା କରି ବସିଥାଏ । ବାହାରେ ସେହିପରି ଆଉ କିଛି ଘଟିଲେ ସେହି ଅପେକ୍ଷମାଣ ଅସଲ ମଣିଷଟିହିଁ ତାକୁ ସ୍ଵୀକୃତି ଦେବା ଲାଗି ବାହାରି ଆସେ । ସିଏ ଅନ୍ତତଃ କ୍ଷଣକ ଲାଗି ଯନ୍ତ୍ର ଭିତରୁ ବାହାରି ଆସେ, ତା'ର ପୁରୁଣା ଅଭ୍ୟାସଗୁଡ଼ାକର ଜଞ୍ଜାଳ ଭିତରୁ ବାହାରି ଆସେ । ସିଏ ତା' ଭିତରେ ଖୋଜୁଥିବା ସାଥୀକୁ ସତେ ଅବା ବାହାରେ ପାଇଯାଏ ।

 

ଆମକୁ ସେହିପରି ଜଣେ ବନ୍ଧୁଠାରୁ ସ୍ଵୀକୃତି ମିଳିଗଲା । ମଣିଷ ଭିତରେ ଯିଏ ଭବିଷ୍ୟ ଗଢ଼ିବାର ସ୍ଵପ୍ନ ଦେଖୁଛି, ଭବିଷ୍ୟଟାଏ ଅଛି ବୋଲି ତଥାପି ଅନୁରାଗ ସହିତ ଭାବୁଛି, ବାହାରର ଯନ୍ତ୍ରାରୂଢ଼ତା ସତ୍ତ୍ୱେ ତଥାପି ମଣିଷ ଭିତରେ ଯେଉଁ ଯନ୍ତ୍ରୀ ଅପେକ୍ଷା କରି ରହିଛି, ଆମର ଏହି ସ୍ଵୀକୃତି ତାହାରିଠାରୁ ମଳିଲା । କରୁଣାର ସ୍ଵୀକୃତି ମିଳିଲା । ଯେଉଁ ଅସଲ ଆଶୀର୍ବାଦଟି ସହିତ ଖିଅ ଲାଗିଯାଇ ପାରିଲେ ମଣିଷର ବଳ ସହସ୍ରଗୁଣ ବଢ଼ିଯାଏ, ଆମକୁ ସେହି ଆଶୀର୍ବାଦର ସ୍ଵୀକୃତି ମିଳିଲା । ଆମେ ମଣିଷ ଭିତରେ, ଏହି ହାଉଆ ଗୁଡ଼ାକ ଭିତରେ, ଯନ୍ତ୍ରବହୁଳତାର ଏହି କର୍କଶ ନିଦ୍ରା ଭିତରେ ଯେଉଁ ନୂଆ ଦୁଆରଟିକୁ ଖୋଲିବାକୁ ଅନୁରାଗର ସହିତ ପରସ୍ପର ସାଙ୍ଗ ହୋଇ ବାହାରିଛୁ, ଆମକୁ ସେହି ଦୁଆରଟିରହିଁ ସ୍ଵୀକୃତି ମିଳିଗଲା । ଆମର ସକଳ ପ୍ରୟାସ ମଧ୍ୟରେ ସେହି ଦୁଆରଟିରହିଁ ଜୟ ହେଉ ।

Image

 

ଆଉ ଗୋଟିଏ ଫୁଲ ଫୁଟିଲା

 

କଳାହାଣ୍ଡି ଜିଲ୍ଲାର ସାନ ପଣ୍ଡକାମାଳ ଗାଆଁ – ସେଇଠି ଫୁଲଟିଏ ଫୁଟିବା ଲାଗି ସତେ ଅବା କୋଉ ଦିନରୁ ଅତ୍ୟନ୍ତ ଅଦୃଶ୍ୟ ଅଥଚ ନିଶ୍ଚିନ୍ତ ଭାବରେ ମାଟି ପ୍ରସ୍ତୁତ ହେବାରେ ଲାଗିଥିଲା । ଅତ୍ୟନ୍ତ ନୀରବ ଅଥଚ ନିର୍ଭରଯୋଗ୍ୟ ଭାବରେ ମଣିଷର ହୃଦୟ ପାଗ ହେବାରେ ଲାଗିଥିଲା, ଆଖିଗୁଡ଼ାକ ଆହୁରି ଅଧିକ ଲମ୍ବିବା ଲାଗି ସତେ ଅବା ଏକ ଆଶୀର୍ବାଦପ୍ରାପ୍ତ ଶିଶୁ ପରି ପ୍ରସ୍ତୁତ ହେବାରେ ଲାଗିଥିଲେ । ଯେଉଁ ଦିନ ଫୁଲଟି ଫୁଟିଲା, ସେଇ ଦିନ ଯାଇ ସବୁ କଥା ଜଣାପଡ଼ିଲା । ଆମ ସହିତ ସିଏ ସବୁବେଳେ ରହିଛନ୍ତି ବୋଲି ଆଉ ଥରେ ବିଶ୍ଵାସ ହୋଇଗଲା । ସତେ ଯେପରି ସେହି ବିଶ୍ଵାସଟିହିଁ ଫୁଲ ହୋଇ ଫୁଟି ଉଠିଲା ।

 

ଚାରି ପାଖରେ ପାହାଡ଼, ଜଙ୍ଗଲ ଆଉ ତୋଟା । ସେପାଖକୁ ଆହୁରି କେଉଁଠି ସଂସାର ଅଛି ବୋଲି ମୋଟେ ମନେ ହୁଏ ନାହିଁ । ମଝିରେ ଅରାଏ ଫରଚା ଜାଗା । ତାହାରି ଭିତରେ ସାନ ଗାଆଁଟିଏ । ପଛରେ ଆଉ ଯେଉଁମାନେ ବାହାରୁ ଆସି ଘର କରି ରହିଛନ୍ତି, ସେମାନେ ଆପଣା ସାହିକୁ ବସ୍ତି ବୋଲି କହନ୍ତି । ଚାଷଜମି ଖୁବ୍ ଅଳ୍ପ ପରିବାରଙ୍କର ଅଛି । ଜଙ୍ଗଲକୁ ଅନେକ ଲୋକ ସମ୍ବଳ କରି ରହିଛନ୍ତି । ଏବେ ବି ବଡ଼ି ସକାଳୁ ଉଠିଲେ ଆମେ ଦେଖିପାରିବା, ଗଛର ମୂଳି ଆଉ ବଣଆଳୁର ମୂଳ ତାଡ଼ି ଘରକୁ ଆଣିବା ପାଇଁ ମେଳ ମେଳ ସ୍ତ୍ରୀଲୋକ ଆଉ ପିଲା ଜଙ୍ଗଲଆଡ଼େ ବାହାରିଛନ୍ତି । ଯେତେବେଳେ ପାଖରେ ଥିବା ମଦନପୁର–ରାମପୁରର ହାଟଗାଆଁରୁ କିଛି ସଂସ୍ଥାନ ହୋଇପାରେ ନାହିଁ, ସେତେବେଳେ ଜନନୀ ପରି ଅଞ୍ଚଳ ବିସ୍ତାରି ରହିଥିବା ଜଙ୍ଗଲର ଅଣ୍ଟିଟା ଭିତରୁହିଁ ଅନ୍ନସଂଗ୍ରହ କରିବାକୁ ହୋଇଥାଏ ।

 

ଗତ ଏପ୍ରିଲ ଚବିଶି ତାରିଖ ଦିନ ଯେତେବେଳେ ସେହି ଗାଆଁରେ ନୂଆ ପୂର୍ଣ୍ଣାଙ୍ଗ ବିଦ୍ୟାଳୟଟିର ଉଦ୍‍ଘାଟନ ହେଲା, ସେତେବେଳେ ଅଞ୍ଚଳଯାକର ସଚେତନ ସବୁ ଲୋକ ସେଠାରେ ଉପସ୍ଥିତ ଥିଲେ । ଗାଆଁ–ସଣ୍ଠଣାରେ ସବୁ ହେଲା, ତେଣୁ ଭାରି ସ୍ଵାଭାବିକ ଲାଗିଲା । ନୂଆ ସ୍କୁଲଟିକୁ କାନ୍ଧରେ ବୋହିବା ସକାଶେ ପାଖରୁ ଦୁଇଜଣ ଯୁବକ ଶିକ୍ଷକ ହେବେ ବୋଲି ବାହାରିଛନ୍ତି । ଜଣେ ଆମ୍ଭଗାଁରୁ ଓ ଆଉ ଜଣେ ସାହୀଦଲଙ୍ଗାରୁ । ନିକଟରେ ଆଉ ଗୋଟିଏ ଗାଆଁରେ ମଧ୍ୟ ପାଠଚକ୍ର ଅଛି । ଏହିସବୁ ଅନ୍ୟ ଗାଆଁରୁ ମଧ୍ୟ ପିଲାଏ ନୂଆ ସ୍କୁଲଟିକୁ ଆସିବେ । ସେମାନଙ୍କର ଆବଶ୍ୟକତା ମେଣ୍ଟାଇବା ଲାଗି ଇତିମଧ୍ୟରେ ସ୍କୁଲକୁ କେନ୍ଦ୍ର କରି ଭବିଷ୍ୟତର ଛାତ୍ରାବାସ ଲାଗି ସମୂହପାକର ବ୍ୟବସ୍ଥାଟିଏ ଆରମ୍ଭ ହୋଇ ଗଲାଣି ।

 

ଦୁଇଟି ସୋପାନରେ ଆରମ୍ଭରୁ ପଚାଶ ପିଲା ହୋଇଗଲେଣି । ପାଠଚକ୍ରର ଲକ୍ଷ୍ମୀଘର ଦୁଇ ବଖରାରେ ବର୍ତ୍ତମାନ ପିଲାମାନଙ୍କର ଆନନ୍ଦ–ପାଠଶାଳା ବସିବ । ତେଣେ ଆଉ ଏକ ଜମିରେ ନୂଆ ସ୍କୁଲଘର ଲାଗି ଶୁଭ ଦିଆ ହେବାକୁ ଯାଉଛି । ମୁଁ ଭାବୁଥିଲି, ଏହି ଗାଆଁରେ ଯଦି ବାରମାସ ପାଣିର ସୁବିଧା ରହନ୍ତା, ତେବେ ଗ୍ରାମବାସୀ ନିଜର ଉପାର୍ଜନରେହିଁ ସେମାନଙ୍କର ଏହି ନୂଆ ସ୍କୁଲଟିକୁ ଅନାୟାସରେ ଚଳାଇ ନେଇ ପାରନ୍ତେ ।

 

ପଣ୍ଡକାମାଳରୁ ମହକ ଯାଇ ଏଥର ମଦନପୁର–ରାମପୁର ମଧ୍ୟ ସଂକ୍ରାମିତ ହେବ । ସେଠାରେ ମଧ୍ୟ ସମସ୍ତଙ୍କର ଶୁଭଇଚ୍ଛାକୁ ମୂର୍ତ୍ତମନ୍ତ କରି ପୁରୁଣା ଜାଗାରେ ନୂଆର ଆବାହନ ଲାଗି କ୍ରମଶଃ ଏକ ଶ୍ରଦ୍ଧାମୟ ଷଡ଼ଯନ୍ତ୍ର ଚାଲିବ । ଗାଆଁ ସହରକୁ ଟାଣିବ, ଆକୃଷ୍ଟ କରି ଆଣିବ । ଏକ ନୂଆ କଥା ଘଟିବ ।

 

ଏଠାରୁ ବାରମାଇଲ ଦୂରରେ ବନ୍ଧପଡ଼ା ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର । ଗୋଟିଏ ରାସ୍ତା ଏଠୁ ସେଯାଏ ପଡ଼ିଛି, ତେଣୁ ବାଟ ବାଉଳା ହେବାର କୌଣସି ଆଶଙ୍କା ନାହିଁ । ଯେଉଁମାନେ ଅନ୍ତରର ଏକ ଆକର୍ଷଣରେ ପରସ୍ପରର ସହାୟତା କରନ୍ତି, ସେମାନେ କେବେହେଲେ ବାଟବାଉଳା ହୁଅନ୍ତି ନାହିଁ । ସେଦିନ ପଣ୍ଡକାମାଳର ଉଦ୍‍ଘାଟନ ଉତ୍ସବରେ ବନ୍ଧପଡ଼ାର ବଳୁଆ ଭାଇମାନଙ୍କୁ ଠଉରାଉଥିବା ବେଳେ ଭିତରୁ ଠିକ୍ ସେହି ପ୍ରତ୍ୟୟଟି ମିଳି ଯାଉଥିଲା ଓ ନୟନ ଅଶ୍ରୁପୂର୍ଣ୍ଣ ହୋଇ ଆସୁଥିଲା । ଗୋଟିଏ ହାତ, ଗୋଟିଏ ଉତ୍ସ ଅର୍ଥାତ୍ ଗୋଟିଏ ସ୍ଵପ୍ନ ଯେତେବେଳେ ଆମ ସମସ୍ତଙ୍କୁ ଡାକି ଏଯାଏ ଆଣି ସାରିଲାଣି, ସେତେବେଳେ ଆମେ ପରସ୍ପରକୁ ଈର୍ଷା କରିବା କାହିଁକି ? ତେଣୁ, ‘ନ ବିଭୀତୋ ନ ରିଷ୍ୟତଃ’ ।

 

ମଇ, ୧୯୮୦

Image

 

ଏ ଘର ଭାଙ୍ଗି ଦେବାକୁ ହେବ

 

ଏହି ଘରକୁ ଭାଙ୍ଗି ଦେବାକୁ ପଡ଼ିବ, କାରଣ ଏହା ଦ୍ଵାରା ଆଉ ମୋଟେ କାମ ଚଳିବ ନାହିଁ । କାରଣ ଆମକୁ ନୂଆ ଘରଟିଏ ଗଢ଼ିବାକୁ ପଡ଼ିବ ।

 

ଆମେ ସଚେତନ ହେବା, ଜାଗ୍ରତ ହେବା । ଆମରିଭିତରେ ଏଠୁ ସେଯାଏ ଲାଗିଥିବା ଖିଅଟିକୁ ଆବିଷ୍କାର କରିବା । ଗଭୀରକୁ ଯାଇ ଊର୍ଦ୍ଧ୍ଵତାଗୁଡ଼ିକୁ ସ୍ପର୍ଶ କରିବା ଓ ଊର୍ଦ୍ଧ୍ଵକୁ ଗଲାବେଳେ ଗଭୀରତାଗୁଡ଼ିକୁ ମଧ୍ୟ ଚିହ୍ନି ନେଇ ପାରୁଥିବା ।

 

ପୁରୁଣା ନୀତିଗୁଡ଼ାକରେ ପ୍ରବୀଣତା ଅର୍ଜନ କରି ଆମେ ନୀତିବନ୍ତ ରାବଣ ହେବାକୁ ଆଦୌ କୌଣସି ଚେଷ୍ଟା କରିବା ନାହିଁ । ପୁରୁଣା ରୀତିଗୁଡ଼ିକୁ ମୁଣ୍ଡରେ ପଗଡ଼ି କରି ପିନ୍ଧି ଆମେ ଏହି ପୁରୁଣା ଭିତରେ କଦାପି ଭଲ ବୋଲି ଦିଶିବାରେ ଅପତପସ୍ୟା ଗୁଡ଼ାକୁ କରିବା ନାହିଁ । ସବୁକିଛି ବଦଳିବା ଆଗରୁ ଆମର ଆଖିଗୁଡ଼ାକ ବଦଳିଯିବ । ନୂଆ ବନ୍ଧୁର ଦର୍ଶନ ପାଇଲେ ଯେମିତି ସବୁ ବଦଳି ଯାଏ, ଠିକ୍ ସେମିତି ।

 

ସେହି ପୁରୁଣା ଆଖିରେ ଆମେ ଆମ ପିଲାମାନଙ୍କୁ ମୋଟେ ଦେଖିବା ନାହିଁ । ସେମାନଙ୍କୁ ଆମରି ଛାଞ୍ଚରେ ଗଢ଼ିବା ଲାଗି କୌଣସି ଦୁଷ୍ଟ ଚେଷ୍ଟା କରିବା ନାହିଁ । ସେମାନେ ଯେଉଁ ସଂସାରରେ ମଣିଷ ହୋଇ ଠିଆ ହେବେ, ସେହି ସଂସାର ଲାଗିହିଁ ଆମେ ସେମାନଙ୍କୁ ଆକାଙ୍‍କ୍ଷୀ ବୀର କରି ଗଢ଼ିବା । ସେମାନଙ୍କ ଆଖିର ମେରୁଦଣ୍ଡଗୁଡ଼ାକୁ ଆମେ ସିଧା ହୋଇ ଗଢ଼ିହେବାରେ ସାହାଯ୍ୟ କରିବା । ସେମାନଙ୍କୁ ଆମେ ସହସ୍ର ଆଖି ହୋଇ ପାରିବାର ପ୍ରେରଣାଗୁଡ଼ିକ ସହିତ ସଂଯୁକ୍ତ କରି ରଖିବା । ସେମାନେ ଆମରି ପିଠି ଉପରଦେଇ ଯେତେବେଳେ ଆଗକୁ ବାଟ ଚାଲିଯାଇ ପାରିବେ, ସେତିକି ବେଳେ ଯାଇ ଜଣେ ଜଣେ ଶିକ୍ଷକ ହିସାବରେ ଆମର ଜୀବନାନୁରାଗ ତାର ଅସଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିବ ।

 

ତେଣୁ ଆମର ପିଲା ଲାଗି ସାନ ନୁହନ୍ତି । ସେମାନେ ଆମର ସୁହୃଦ । ମହେଶ, ହରିନାରାୟଣ, ପ୍ରଦୀପ, ପର୍ଶୁ, କ୍ଷୀରୋଦ ଆଉ ଶ୍ରବଣକୁମାର,–ଏମାନେ ସମସ୍ତେ ଆମର ସୁହୃଦ୍ । ଯେଉଁ ଜନନୀ ହୃଦୟଟି ଆମକୁ ଏକ ବିଦ୍ୟାଳୟର ଆନନ୍ଦଭବନରେ ଏକାଠି କରି କରି ରଖିଛି, ଯିଏ ଆମ ଲାଗି ଏକ ବାଟର ପ୍ରେରଣା ଦେଇ ଯାଇଛି, ଗୋଟିଏ ନୂଆ ଘରର ସ୍ଵପ୍ନ ଦେଖିବାକୁ ସାହସୀ କରିଛି ଓ ଯାବତୀୟ ଅସୁନ୍ଦର ଓ ବିଷମତା ଭିତରେ ସୌନ୍ଦର୍ଯ୍ୟ ଏବଂ ସୌଷମ୍ୟର ସମ୍ଭାବନାଟିକୁ ସତ୍ୟ ରୂପେ ଅନୁଭବ କରିବାକୁ ଆମକୁ ଆଖି ଦେଇଯାଇଛି, ଆମେ ତାହାରି ପାଖରେ କୃତଜ୍ଞ ହୋଇ ରହିବା । ତାହାରି ପାଖରେ ବନ୍ଧାହୋଇ ରହିବା ।

 

ଜୁନ, ୧୯୮୦

Image

 

ସ୍ଵୀକୃତି କାହାକୁ ମିଳିଲା ?

 

ଯେଉଁମାନେ ଅତୀତକୁ ଧରି ପଡ଼ି ରହିଥାନ୍ତି, ଅତୀତଟାକୁ ସତେ ଅବା ଠାକୁର ବୋଲି ମନେ କରି ଜାବୁଡ଼ି ଧରିଥାନ୍ତି ଅଥବା ଅଳଙ୍କାର ପରି ଦିହରେ ଲଦିଥାନ୍ତି, ସେମାନେ ଭବିଷ୍ୟ ଭିତରକୁ ସାହସ କରି ପାରନ୍ତି ନାହିଁ । ସେମାନେ ଯେକୌଣସି ପ୍ରକାରେ ଖାପ ଖାଇ ଯାଆନ୍ତି, ଯେକୌଣସି ପ୍ରକାରେ ଚଳିଯାଆନ୍ତି । ସେହି ଖାପ ଖାଇ ଯିବାକୁ ହିଁ ସେମାନେ ସଫଳତା ବୋଲି କହନ୍ତି, ଅନେକ ସମୟରେ ସଂସ୍କୃତିର ଅସଲ ଭୂଷଣ ବୋଲି ଭ୍ରମ କରୁଥାନ୍ତି ।

ଆମ ଭିତରେ କବାଟଗୁଡ଼ାକ ପ୍ରକୃତରେ ଖୋଲି ନାହିଁକି ? ଆମର ଅସଲ ଗୋଡ଼ଗୁଡ଼ାକ ପ୍ରକୃତରେ ପ୍ରସ୍ତୁତ ହୋଇ ନାହାନ୍ତି କି ? ଆମେ ଯେଉଁଠି ଅଛୁ ସେଇଠି ରହି ତଥାପି ଭବିଷ୍ୟ ଲାଗି ଅନୁରୂପ ଭାବରେ ବଦଳିଯିବାକୁ ମନ କରୁଛୁ କି ? ଆମ ଭିତରେ ଯେଉଁମାନେ ଚତୁର, ସେମାନେ ହୁଏତ ସ୍ଵୀକୃତି କହିଲେ ସେହିପରି ଏକ ଅଧାଅଧି ହରକତକୁ ବୁଝନ୍ତି । ଆମର ବାହାରଟା ବଦଳିଯିବ, ଆମର ବାହାରଟା ସୁନ୍ଦର ଦେଖାଯାଉଥିବ,–ମାତ୍ର ଭିତରଟା ତଥାପି ରାଜି ହୋଇ ନଥିବ; ବାଦ, ଛିଦ୍ର, ସ୍ଵାର୍ଥ ଏବଂ ତଜ୍ଜନିତ ଯାବତୀୟ ସଫଳତା ସଂସାରରେ ଆମେ ତଥାପି ଚହଟି କରି ରହିଥିବା ଆମ ଦୁଆରଗୁଡ଼ାକ ବନ୍ଦ ହୋଇ ରହିଥିବ, ଆମର ଯାବତୀୟ ଧ୍ୟାନ ସଶଙ୍କ ହୋଇ ରହିଥିବ,–ଏହିପରି ଏକ ଅସ୍ଵାଭାବିକ ସହାବସ୍ଥାନକୁ ଆମେ ସ୍ଵୀକୃତି ବୋଲି ମନେ କରୁଛୁ କି ?

ଏହି ସ୍ଵୀକୃତି ଆମକୁ ମିଳିଲାନାହିଁ । ଆମେ ଯେଉଁମାନେ ପୁରୁଣାଟା ଭିତରେ ଅଣ୍ଟାଯାଏ ପୋତିହୋଇ ରହି ତଥାପି ନୂଆ ଲାଗି ଏକ ଅଧାପନ୍ତରିଆ ସରାଗ ଦେଖାଉଛୁ, ସେମାନଙ୍କୁ ଅସଲ ସ୍ଵୀକୃତିଟି କେବେହେଲେ ମିଳି ପାରିବ ନାହିଁ । ତେଣୁ ଏହି ସ୍ଵୀକୃତି ଆମ ବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କୁ ମିଳିଲା । ସେମାନେ ଖୁସୀ ହୋଇ ପାଠ ପଢ଼ିବେ, ଖୁସି ହୋଇ ଆପଣାର ପରିପୂର୍ଣ୍ଣ ରୂପଟିକୁ ଆବିଷ୍କାର କରିବେ, ଖୁସିହୋଇ ଆପଣାର କାନ୍ଥଗୁଡ଼ାକୁ ଭାଙ୍ଗି ଦେବେ ଓ ସମଗ୍ର ବିଶ୍ଵ ସହିତ ଡୋର ଲଗାଇ ପାରିବେ,–ସେମାନେ ଖୁସୀ ହୋଇ ବାଟ ଚାଲି ପାରିବେ, ଏହି ସ୍ଵୀକୃତି ସେମାନଙ୍କୁ ମିଳିଲା ।

ଆମ ବିଦ୍ୟାଳୟଗୁଡ଼ିକୁ ଏହି ସ୍ଵୀକୃତି ମିଳିଲା । ଏହି ବିଦ୍ୟାଳୟଗୁଡ଼ିକ ଗୋଟିଏ ଗୋଟିଏ ଦୀପ ହୋଇ ଜଳିବେ ଓ ତାହାରି ଦ୍ଵାରାହିଁ ଅନ୍ଧକାର ସହିତ ଲଢ଼ିବେ,–ସେମାନଙ୍କୁ ତାହାରି ସ୍ଵୀକୃତି ମିଳିଲା । ଆପଣା ପାଖରେ ଏକ ପ୍ରତିଶ୍ରୁତି ମିଳିଗଲା । ବର୍ତ୍ତମାନ ମଧ୍ୟରେ ଯେଉଁ ଭବିଷ୍ୟ ଆମ ସମସ୍ତଙ୍କ ଲାଗି ଅପେକ୍ଷା କରି ରହିଛି ଓ ଆମର ନୂତନ ବିଦ୍ୟାଳୟଗୁଡ଼ିକ ଯାହାରି ସନ୍ତକ ଓ ପ୍ରତୀକରୂପେ ଗୋଟି ଗୋଟି ହୋଇ ଫୁଟିଉଠିବାରେ ଲାଗିଛନ୍ତି, ତାହାରି ଲାଗି ସ୍ଵୀକୃତି ମିଳିଲା ।

ଏହି ସ୍ଵୀକୃତି ଏକ ସ୍ଵପ୍ନକୁ ମିଳିଲା । ଆମ ସମସ୍ତଙ୍କ ଭିତରେ ସେହି ସ୍ଵପ୍ନ ରହିଛି । ସତେ ଅବା ଶିଶୁଟିଏ ପରି ରହିଛି । ସେହି ସ୍ଵପ୍ନ ଏକ ନୂତନ ସତ୍ୟର ସ୍ଵପ୍ନ, ଏକ ନୂତନ ସମ୍ବନ୍ଧର ସ୍ଵପ୍ନ । ସେହି ସ୍ଵପ୍ନକୁ ସଚେତନ ଭାବରେ ସ୍ପର୍ଶ କରିବାକୁ ହେବ । ସେଇଟିକୁ ନେଇ ଜୀବନ ବଞ୍ଚିବାକୁ ହେବ । ଜୀବନକୁ ବଦଳାଇ ଦେବାକୁ ହେବ । ଆମେ ଯେଉଁମାନେ ଏହିପରି ଏକ ବିଶ୍ଵାସ ନେଇ ଆମ ନୂତନ ବିଦ୍ୟାଳୟଗୁଡ଼ିକରେ ଏକାଠି ହୋଇଛୁ, ଏକ ଉନ୍ମୋଚନକାରୀ ଅସନ୍ତୋଷହିଁ ସେମାନଙ୍କର ପରିଚୟ ହୋଇ ରହିଛି । ଏହି ସ୍ଵୀକୃତି ସେହି ଅସନ୍ତୋଷକୁ ମିଳିଲା ।

ଜୁଲାଇ, ୧୯୮୦

Image

 

ସଖ୍ୟ ଏବଂ ସଂକଳ୍ପର ଶିବିର

 

ଜୁନ୍ ମାସରେ କଟକ ମାତୃଭବନଠାରେ ପୂର୍ଣ୍ଣାଙ୍ଗ ବିଦ୍ୟାଳୟଗୁଡ଼ିକର ଶିକ୍ଷକମାନଙ୍କର ଯେଉଁ ତିନି ସପ୍ତାହବ୍ୟାପୀ ଶିବିରଟି ଅନୁଷ୍ଠିତ ହେଲା, ତାହା ଆମକୁ ଏକ ଅଦୃଶ୍ୟ ସ୍ନେହର ସୂତ୍ର ପରି ମନେ ହେଉଥିଲା । ଏହିଭଳି ଗୋଟିଏ ସୂତ୍ର ଯେ ରହିଛି, ଆମର ସାନବଡ଼ ଯାବତୀୟ କାର୍ଯ୍ୟ ଓ କାର୍ଯ୍ୟକ୍ରମରେ ଶିବିର ଭିତରେ ଅତ୍ୟନ୍ତ ବାସ୍ତବ ଭାବରେ ଆମକୁ ସେହି ଅନୁଭବଟିହିଁ ମିଳିଯାଉଥିଲା । ସେହି ସୂତ୍ରଟି ଆମର ଆଖି ଆଗରେ ଦିଶି ଯାଉଥିବା ପର୍ଯ୍ୟନ୍ତ ମଣିଷ କଦାପି କାହାକୁ ହେଲେ ବଡ଼ ବା ସାନ ବୋଲି ଭାବିବ ନାହିଁ । କାହାକୁ ବଡ଼ ବୋଲି ଭାବି ତା'ଠାରୁ ଦୂରକୁ ଚାଲିଯିବ ନାହିଁ କିମ୍ବା ଆଉ କାହାକୁ ସାନ ବୋଲି ଭାବି ତାକୁ ଗିଳି ପକାଇବାକୁ ବି କଦାପି ଯିବ ନାହିଁ । ସିଏ ନିଜକୁ ମଧ୍ୟ କେବେହେଲେ ଛୋଟ ମନେ କରିବ ନାହିଁ । ସିଏ ନିଜକୁ ଛୋଟ ବୋଲି ଭାବିବା, ନଗଣ୍ୟ ଓ ଅସହାୟ ବୋଲି ଭାବିବା, ସେଇଠାରୁ ହିଁ ଏହି ସଂସାରର ପ୍ରାୟ ସବୁଯାକ ବର୍ବରତା ଆରମ୍ଭ ହୋଇଥାଏ ।

 

ମଣିଷ ପରସ୍ପରକୁ ସଖା ବୋଲି ଚିହ୍ନିବ, କାରଣ ସିଏ ଆପଣାକୁ ମୂଳତଃ ସନ୍ତାନ ବୋଲି ଚିହ୍ନିବ । ସନ୍ତାନ ବୋଲି ଚିହ୍ନିବା ଅର୍ଥାତ୍ ଆପଣାକୁ ଜଣେ ସୈନିକ ବୋଲି ଚିହ୍ନିବା, ଅଭିପ୍ରେତ ହୋଇ ଆସିଥିବା ପରି ଅନୁଭବ କରିବା । ଶିବିରଟି ଭିତରେ ଯେ ଆମେ ସମସ୍ତେ ଏତେଗୁଡ଼ିଏ ଦିନ ରହିଲୁ, ଏଡ଼େ ନିର୍ମଳ ଭାବରେ ପରସ୍ପର ପାଖରେ ଦେଇ ଦେଇ ପାରିଲୁ, ସେଥିରୁହିଁ ଆମ ଭିତରେ ରହିଥିବା ଅନେକ ବିଶ୍ଵାସ ଆମକୁ ଜଳ ଜଳ ହୋଇ ଦିଶିଗଲା । ଏହି ବିଶ୍ଵାସର ଅନ୍ୟ ନାମ ଅନୁରାଗ, ଏକ ମହତ୍ତର ଆବିଷ୍କାର ଲାଗି ଅନୁରାଗ । ଆମେ ସବୁ ସେହି ଆବିଷ୍କାରର ଅନୁରାଗ ନେଇ ଶିବିରକୁ ଆସିଥିଲୁ । ପରସ୍ପର ଭିତରେ ଆମେ ଆପଣାକୁ ଚିହ୍ନିଲୁ । ଆମ ଭିତରେ ରହିଥିବା ଶକ୍ତିଟିକୁ ଶିଖିଲୁ ଏବଂ ଏକ ସଂକଳ୍ପ ନେଇ ସେଠାରୁ ଫେରିଲୁ ।

 

ଏକୁଟିଆ ହୋଇ ରହିଥିଲେ ଆମେ ଅନେକ ସମୟରେ ନିଜକୁ କେଡ଼େ ଅକିଞ୍ଚନ ଓ ଅଳ୍ପବଳ ବୋଲି ମନେ କରିଥାଉ । ଆମକୁ ପରସ୍ପରଠାରୁ ଏକୁଟିଆ କରି ରଖିବାକୁ ନାନାପ୍ରକାର ବରାଦ କରି ରଖିଥିବା ଆମର ଧର୍ମ, ଆମର ସମାଜ ଓ ଆମର ନୈତିକତାଗୁଡ଼ାକ ଆମକୁ ପ୍ରକୃତରେ ଭାରି ଅସହାୟ କରି ରଖିଥାଏ, ଭାରି କୃତ୍ରିମ କରି ରଖିଥାଏ । ବାହାରେ କେତେ କରିବାପଣର ମୁଖା ପିନ୍ଧିଥିଲି ମଧ୍ୟ ଭିତରେ ଆମେ କେଡ଼େ ଭୀରୁ ହୋଇ ବସିଥାଉ ।

 

ଏହି ଶିବିର ଆମର ଅନେକ ଭୀରୁତାକୁ କେଡ଼େ ସହଜ ଭାବରେ ହରଣ କରି ନେଇ ପାରିଲା ! ଭୀରୁତାଗୁଡ଼ାକ ଚାଲିଗଲେ ମଣିଷ ନିଜର ଜୀବନକୁ ମୂଳତଃ ଏକ ସଂକଳ୍ପ ବୋଲି ଆବିଷ୍କାର କରିଥାଏ, ଏକ ଉତ୍ସର୍ଗ ବୋଲି ଆବିଷ୍କାର କରିଥାଏ । ଆମ ବିଦ୍ୟାଳୟରେ ଯେଉଁ ପିଲାମାନେ ଆମ ଉପରେ ଏତେ ବିଶ୍ଵାସ ରଖି ଆମକୁ ଘେରି କରି ରହିଛନ୍ତି, ସେହିମାନଙ୍କର ବିଶ୍ଵାସର ଯୋଗ୍ୟ ହେବା ଲାଗି ଆମେ ଏଥର ସଂକଳ୍ପ କରିବା । ଆମେ ସେମାନଙ୍କର ବିଶ୍ଵାସଯୋଗ୍ୟ ହେବା । ସେମାନେ ଯେ ଏଡ଼େ ନିର୍ଭୟ ହୋଇ ଆମ ପାଖକୁ ଆସି ପାରିଛନ୍ତି ଓ ଆମକୁ ଏକ ଅନ୍ୟ ପ୍ରକାର ସ୍ଵପ୍ନ ଦେଖିବା ଲାଗି ଉଦ୍‍ବୁଦ୍ଧ କରି ଦେଇଛନ୍ତି, ଆମେ ସେଥିଲାଗି ସେମାନଙ୍କ ପାଖରେ କୃତଜ୍ଞ ରହିବା ଏବଂ, ସେହି ପିଲାମାନଙ୍କୁ ଆଣି ଯିଏ ଆମ ପାଖରେ ହାବୁଡ଼େଇ ଦେଇଛନ୍ତି, ଆମର ସକଳ ଜଡ଼ତା ଓ ସକଳ ବୁଢ଼ାପଣକୁ ହରଣକରି ନେଇଛନ୍ତି, ଅସଲ ଆସନଟିରେ ତାଙ୍କୁହିଁ ବସାଇ ଆମେ ଆମ ବିଦ୍ୟାଳୟରେ ସେହି କୃତଜ୍ଞତାର ପ୍ରମାଣ ଦେବା । ବର୍ତ୍ତମାନଙ୍କୁ ସାର୍ଥକ କରି ଫୁଲ ଫୁଟି ଉଠିବାରେ ଲାଗିଥିବ ଓ ଭବିଷ୍ୟ ମୁକୁଳି ଉଠିବାରେ ଲାଗିଥିବ-

 

ଅଗଷ୍ଟ, ୧୯୮୦

Image

 

ଯୁଦ୍ଧ ଅବଶ୍ୟମ୍ଭାବୀ

 

ଚୀନ ଦେଶର ଜଣେ ବଡ଼ ନେତା ଆସନ୍ତା ଦଶ ବର୍ଷ ଭିତରେ ପୃଥିବୀରେ ଯୁଦ୍ଧ ଅବଶ୍ୟମ୍ଭାବୀ ବୋଲି ଘୋଷଣା କରି କହିଛନ୍ତି । ପ୍ରକୃତରେ ଯୁଦ୍ଧ ଯେ କେବଳ ଅବଶ୍ୟମ୍ଭାବୀ ତା' ନୁହେଁ, ଏହି ଯୁଦ୍ଧ ମଣିଷର ମନ ଭିତରେ କୋଉ କାଳୁ ଲାଗି ସାରିଲାଣି । ଏହି ଯୁଦ୍ଧ ହେଉଛି ନୂଆ ଆଉ ପୁରୁଣା ଭିତରେ ଯୁଦ୍ଧ । ପୁରୁଣା କୁଣ୍ଠା ଏବଂ ନୂତନ ସାହସ ଭିତରେ ଯୁଦ୍ଧ । ଭବିଷ୍ୟତକୁ ଡରି ଅତ୍ୟନ୍ତ ଉଗ୍ର ଏବଂ ଉତ୍ତେଜିତ ଭାବରେ ନିଜକୁ ଏକାବେଳକେ ଅନେକ ଭାଗ କରି ରଖିଥିବା ଓ ତେଣୁ ବୃହତ୍ତର ଜଗତରେ ମଧ୍ୟ ଅନେକ ବିଭାଜନକୁ ସ୍ଥାୟୀ କରି ରଖିଥିବା ଭୀରୁ ଓ ଆପଣା ଭିତରେ ଭଗବତ୍ – ସତ୍ତାକୁ ଅନୁଭବ କରୁଥିବା ଏବଂ ତେଣୁ ଯାବତୀୟ ବିଭାଜନକାରୀ ପ୍ରାଚୀରର ବିଲୋପସାଧନ କରି ବାହାରିଥିବା ସାହସୀ ଭିତରେ ଯୁଦ୍ଧ ।

 

ଆମକୁ ଏହି ଯୁଦ୍ଧରେ ଏକ ପକ୍ଷ ବାଛି ନେବାକୁ ପଡ଼ିବ । ଆମ ନୂଆ ସ୍କୁଲଗୁଡ଼ିକର ଜରିଆରେ ଆମେ ସେହି ନିର୍ବାଚନଟିକୁ କରି ସାରିଲୁଣି ବୋଲି ଘୋଷଣା କରିଛୁ ଓ ଭୟମୁକ୍ତ ହୋଇ ଆଗକୁ ଚାଲିଛୁ । ବର୍ତ୍ତମାନର ବାଡ଼ଗୁଡ଼ାକ ଯଥାସମ୍ଭବ ସ୍ଥାୟୀ କରି ରଖି ତାହାରି ଭିତରେ ନିରାପଦ, ସଦାଶଙ୍କିତ ଏବଂ କ୍ଷୁଦ୍ର ହୋଇ ବସିବାକୁ ହିଁ ଯେଉଁମାନେ ଜୀବନର ସର୍ବମୂଳ ଧର୍ମ ବୋଲି ମାନ ନେଇଛନ୍ତି, ଆମେ ସେମାନଙ୍କର ଦଳଟିକୁ ଜାଣିଶୁଣି ଛାଡ଼ିଦେଇ ଚାଲିଆସିଛୁ । ଆମର ବର୍ତ୍ତମାନ ଭବିଷ୍ୟ ପାଇଁ ଉତ୍ସ ର୍ଗୀକୃତ ହୋଇ ରହିଛି । ଆପଣାକୁ କେତେଟା ପାଚେରୀ ଭିତରେ ଆବଦ୍ଧ କରି ରଖିବାର ମତଲବରେ ଯେଉଁ ଚତୁର ଅବିଜ୍ଞାନୀମାନେ ଏକ ଅଶିକ୍ଷାର ବ୍ୟବସ୍ଥା କରି ଆସିଛନ୍ତି ଓ ତାହାହିଁ ପରମ ପ୍ରସାଦ ବୋଲି ଗ୍ରହଣ କରି ଏକ ଆତ୍ମପ୍ରବଞ୍ଚନାମୟ ଆତ୍ମ–ପ୍ରସାଦ ଲାଭ କରିବାରେ ଲାଗିଛନ୍ତି, ଆମେ ମୋଟେ ସେମାନଙ୍କ ଦଳରେ ନୋହୁ । ସେମାନେ କାନ୍ଧରେ ଯେତେ ସରି ପଇତା ପକାଇଥିଲେ ମଧ୍ୟ ଆମେ ତାଙ୍କୁ ବ୍ରାହ୍ମଣ ବୋଲି କହିବୁ ନାହିଁ ବୋଲି ସଂକଳ୍ପ କରିଛୁ ।

 

ତେଣୁ, ଆମ ନୂଆ ସ୍କୁଲମାନଙ୍କରେ ପିଲାମାନେ ମୋଟେ ଚତୁର ହେବାକୁ ପାଠ ପଢ଼ିବେ ନାହିଁ, ବର୍ତ୍ତମାନର ଗୁରୁଜନମାନଙ୍କ ପରି ସେମାନେ କଦାପି ଚତୁର ହେବେ ନାହିଁ । ସେମାନେ କଦାପି ନିର୍ମମ ହେବେ ନାହିଁ । ମଣିଷ ଭିତରେ ଯେଉଁ ଦରଜାଟି ଖୋଲିଗଲେ ମଣିଷ ସମସ୍ତଙ୍କର ହୋଇଯାଏ, ମୋଟେ ଭୟ କରେ ନାହିଁ, ସମସ୍ତଙ୍କୁ ଦେଖିଲେ ଏକ ସ୍ଵାଭାବିକ ଆତ୍ମୀୟତା ଅନୁଭବ କରେ, ଆମ ବିଦ୍ୟାଳୟର ଶିକ୍ଷା ସେମାନଙ୍କୁ ସେହି ଦରଜା ପାଖରେ ନେଇ ପହଞ୍ଚାଇ ଦେବାକୁ ପଣ କରି ବାହାରିଛି । ଏହି ଯାତ୍ରାରେ ପିଲାଙ୍କ ସାଙ୍ଗରେ ଶିକ୍ଷକମାନେ ରହିବେ-। ଏକ ଅନ୍ୟ ପ୍ରକାର ମଣିଷ ହୋଇ ଅନ୍ୟ ପ୍ରକାର ସମାଜ ଗଢ଼ିବାରେ ମନାସ ରଖିଥିବା ସମସ୍ତେ ରହିବେ । ସମସ୍ତଙ୍କୁ ନେଇ ଘୋଷଯାତ୍ରା ଆଗକୁ ଚାଲିବ । ମଣିଷର ଏକ ନୂତନ ସଂଜ୍ଞାର ପ୍ରତିଷ୍ଠା ଲାଗି ଅର୍ଥାତ୍ ମଣିଷକୁ ତା’ର ପରବର୍ତ୍ତୀ ସମ୍ଭାବନାଟି ମଧ୍ୟକୁ ପରିଚାଳିତ କରିନେବା ଲାଗି ଯୁଦ୍ଧ ଚାଲିବ । ସେହି ଯୁଦ୍ଧରେ କରୁଣାରହିଁ ବିଜୟ ହେବ ।

 

ସେପ୍‍ଟେମ୍ବର, ୧୯୮୦

Image

 

ବାଟ ଅନେକ, ମନ ଗୋଟିଏ

 

ଓଡ଼ିଶାରେ କ୍ରମଶଃ ଯେତେଗୁଡ଼ିଏ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଖୋଲୁଛି, ସେଗୁଡ଼ିକ କଦାପି ଗୋଟିଏ ପରି ହେବେ ନାହିଁ, କଦାପି ଗୋଟିଏ ପ୍ରକାରେ ଓ ଗୋଟିଏ ବାଟରେ ବିକାଶ ଲାଭ କରିବେ ନାହିଁ । ସେମାନେ ବିଭିନ୍ନ ପ୍ରକାରର ହେବେ; ସେମାନଙ୍କର ବେଗ ବି ବାହାରକୁ ଭିନ୍ନ ଭିନ୍ନ ଦେଖାଯିବ । ଏହି ବିଷୟରେ ଆମ୍ଭମାନଙ୍କୁ ଏହି ଦିନୁହିଁ ଅତ୍ୟନ୍ତ ସ୍ପଷ୍ଟ ହୋଇଯିବାକୁ ପଡ଼ିବ ।

 

ଆମର ଶିକ୍ଷାକେନ୍ଦ୍ରଗୁଡ଼ିକ ପ୍ରଥମେ ପ୍ରଧାନତଃ ସହରମାନଙ୍କରେ ଆରମ୍ଭ ହେଲା । ସହରର ପରିବେଶ ଏକ ସ୍ଵତନ୍ତ୍ର ପରିବେଶ । ସେଠି ଯାବତୀୟ ବିସ୍ତାର ହେଉଛି ପ୍ରାୟ ଅନୁପ୍ରସ୍ଥ ବିସ୍ତାର । ତା’ପରେ ଗାଆଁମାନଙ୍କରେ ସ୍କୁଲ ଖୋଲିଲା । ଗାଆଁ ପାଠଚକ୍ରର ବନ୍ଧୁମାନେ ନିଜେ ଶ୍ରମ ଦେଇ ସ୍କୁଲ ଘର ତିଆରି କଲେ । ସେଠି ପିଲାଏ ତଳେ ବସିଲେ । ଧୂଳିମାଟିରେ ଅସନା ହେଲେ, ପୋଖରୀରେ ଗାଧୋଇଲେ ଓ ଗୋଚର ପଡ଼ିଆରେ ଯାଇ ଖେଳିଲେ । ସହରର ଶିକ୍ଷାକେନ୍ଦ୍ରମାନଙ୍କରେ ଗୃହୀତ ନିୟମଗୁଡ଼ାକ ସେଠାରେ ମୋଟେ ଚାଲିପାରିଲା ନାହିଁ । ଆମେ ସେଗୁଡ଼ାକ ଚଳାଇବା ସକାଶେ ଯେତେ ମନ କଲେ ମଧ୍ୟ ତଥାପି ଚାଲି ପାରିଲା ନାହିଁ । ଆମେ ଭାବିଲୁ, ଗାଆଁ ପାଇଁ ଏହି ଶିକ୍ଷା ମୋଟେ ସମ୍ଭବ ହେବ ନାହିଁ । ପ୍ରଥମ କରି ଗ୍ରାମାଞ୍ଚଳରେ ଆରମ୍ଭ ହୋଇଥିବା ସ୍କୁଲ ଗୁଡ଼ିକ ହୁଏତ ସହରସ୍କୁଲର ଚଳଣିଗୁଡ଼ାକୁ ଅନୁକରଣ କରିବାକୁ ଭାରି ଚେଷ୍ଟା କଲେ । ଶାଗୁଆ ପ୍ୟାଣ୍ଟ୍ ଓ ଧଳା ଅଙ୍ଗୀର ବରାଦ ବି କେତେ କେତେ ଜାଗାରେ ହେଲା । ଗାଆଁପିଲାଙ୍କର ସ୍ଵାଭାବିକ ଖେଳସଂସାରକୁ ଭାଙ୍ଗି ସେମାନଙ୍କୁ ସହର ପରି ଧାଡ଼ିରେ ଚାଲିବାକୁ କୁହାଗଲା । ତଥାପି ଆମ ମୁଣ୍ଡର କାରଖାନା ପରାସ୍ତ ହୋଇଗଲା । ଆଉ ଅନୁକରଣ ଭଲ ଲାଗିଲା ନାହିଁ । ସଭ୍ୟତା, ସ୍ଵଚ୍ଛତା ଓ ଶୃଙ୍ଖଳା କହିଲେ ଆମେ କ୍ରମେ ଏକ ଅନ୍ୟ କଥାକୁ ବୁଝିଲୁ । ମାପିବାର, ତୁଳନା କରି ବଡ଼ସାନ ଓ ଭଲ ମନ୍ଦ ନିରୂପଣ କରିବାର ଦମ୍ଭଗୁଡ଼ାକ କ୍ରମେ ଦାମ୍ଭିକତା ଛାଡ଼ି ସାଥୀ ହେବାକୁ ମନେ କଲେ । ଏକାଠି ସଭାରେ ବସିଲା ବେଳକୁ ଗାଆଁକୁ ସହର ଗାଆଁ ବୋଲି ସ୍ଵୀକାର ବି କଲା । ପାରସ୍ପରିକ କଳନା ଓ ବୁଝିବାଗୁଡ଼ାକ ଏକ ଅନ୍ୟ ଗଭୀରତାକୁ ସ୍ପର୍ଶ କଲା । ଆମ ସମସ୍ତଙ୍କୁ ଏକାଠି ବାନ୍ଧି ରଖିଥିବା ସୂତାଟିକୁ ଆମେ ଅସଲ ବୋଲି ଜାଣିଲୁ ।

 

ଆମ ସ୍କୁଲଗୁଡ଼ିକର ବିକାଶ ଭିନ୍ନ ଭିନ୍ନ ହେବ ଏବଂ ଆମେ ସେହି ଧାରାଟିକୁ କୌଣସି ଗୋଟିଏ ଗୁଳାରେ ଆଣି ପକେଇବାକୁ ମୋଟେ ଚେଷ୍ଟା କରିବା ନାହିଁ । ଆମେ ପରସ୍ପରକୁ ମୋଟେ ଈର୍ଷା କରିବା ନାହିଁ । ପ୍ରତ୍ୟେକେ ନିଜ ବାଟରେ ଯିବେ, ନିଜ ବାଟରେ ପ୍ରସ୍ଫୁଟିତ ହେବେ, – ସେଥିଲାଗି ଆମେ ପରସ୍ପରକୁ ସାହାଯ୍ୟ କରିବା; କାରଣ, ଆମର ଏହି ନୂତନ ବିଦ୍ୟାଳୟଗୁଡ଼ିକର ଜରିଆରେ ଆମେ ଯେଉଁ ନୂତନ ଅନ୍ୟ ସଂସ୍କାରଟି ପ୍ରତିଷ୍ଠା କରିବାକୁ ଯାଉଛୁ, ତାହା ସହରର ସଂସ୍କାର ହେବ ନାହିଁ ଅଥବା ଗ୍ରାମର ସଂସ୍କାର ହେବ ନାହିଁ, ତାହା ଜୀବନର ସଂସ୍କାର ହେବ । ହୃଦୟର ଭୂମି ଉପରେ ତାହା ସହର ସହିତ ଗାଆଁକୁ ଯୋଡ଼ିବ, ବଡ଼ଙ୍କ ସହିତ ସାନମାନଙ୍କୁ ଯୋଡ଼ିବ, ସ୍ଥାନୀୟ ସହିତ ସର୍ବସ୍ଥାନୀୟକୁ ଯୋଡ଼ିବ । କାରଣ ଆମର ଶିକ୍ଷାଗତ ଯାବତୀୟ ଆକାଙ୍‍କ୍ଷା ଓ ଉଦ୍ୟମ ଜୀବନର ଯେଉଁ ସ୍ତରକୁ ଛୁଇଁବା ଲାଗି କାର୍ଯ୍ୟ କରୁଛି, ସେଠାରେ ଏସବୁ କୌଣସି ବ୍ୟବଧାନ ନାହିଁ । ଏହି ବ୍ୟବଧାନଗୁଡ଼ାକୁ ଦୀର୍ଘସ୍ଥାୟୀ କରି ରଖିବା ଲାଗି ଆମେ ଆଦୌ କୌଣସି ଚେଷ୍ଟା କରିବା ନାହିଁ । କଲେ ତାହାର ଆଘାତ ଆମେ ନିଜେହିଁ ପାଇବା; ଆମର ନିଜ ପାଚେରୀଗୁଡ଼ାକ ଭିତରେ ଆବଦ୍ଧ ହୋଇ ରହିଯିବା ।

 

ଆମର ବାଟ ଅନେକ, ନିଷ୍ଠା ଗୋଟିଏ । ଏହି ନିଷ୍ଠା ଅନ୍ତଃକ୍ଷେର ନିଷ୍ଠା, ଅନ୍ତଃପ୍ରବେଶର ନିଷ୍ଠା । କୃତଜ୍ଞ ହୋଇ ରହିବାର ନିଷ୍ଠା । ଯଥାର୍ଥରେ କୃତଜ୍ଞ ହୋଇ ବାଟ ଚାଲୁଥିବା ବ୍ୟକ୍ତି ଯେଉଁ ନିର୍ଭୟତା ଏବଂ ଯେଉଁ ଆତ୍ମୀୟତାର ଅଧିକାର ଲାଭ କରେ, ପ୍ରକୃତରେ ସେହି ନିର୍ଭୟତା ଏବଂ ସେହି ଆତ୍ମୀୟତାର ନିଷ୍ଠା । ତେଣୁ ଆମେ ଆମଠାରୁ ଅଲଗା ହୋଇ ବିକାଶ ଲାଭ କରୁଥିବା ଆଉ କାହାକୁ ହେଲେ ଗିଳି ପକାଇବା ଲାଗି ଆଦୌ କୌଣସି ଚେଷ୍ଟା କରିବା ନାହିଁ । ନୀତିବାଦୀ କ୍ଷୁଦ୍ର ମଣିଷ ପରି ଆପଣାର ନିକିତିଟାରେ ଆଉ କାହାକୁ ମୋଟେ ମାପିବାକୁ ଯିବା ନାହିଁ । ଆମ ପରି ଏଡ଼େ ବଡ଼ ନଦିଶିଲା ବୋଲି ଆମେ ଆଦୌ କାହାରି ଅବଜ୍ଞା କରିବା ନାହିଁ । ଆମେ ପ୍ରତ୍ୟେକକୁ ତା'ର ନିଜ ବାଟରେ ଅଧିକ ସୌଷ୍ଠବ ଲାଭ କରିବା ଲାଗି ସାହାଯ୍ୟ କରିବା, ସହଚାରୀର ମନ ନେଇ ସାହାଯ୍ୟ କରିବା ।

 

ଆମର ଅନୁରାଗଗୁଡ଼ିକ ଗାଆଁ ଆଉ ସହର ଭିତରେ ଆଦୌ କୌଣସି ବ୍ୟବଧାନ ମାନିବ ନାହିଁ । ଆମେ ଦିଲ୍ଲୀକୁ ଦୌଲତାବାଦ ନେବାକୁ କୌଣସି ଚେଷ୍ଟା କରିବା ନାହିଁ କିମ୍ବା ଦୌଲତାବାଦର ଦୌଲତଗୁଡ଼ାକୁ ସାରି ଉଚ୍ଚ ଉଚ୍ଚ ଭାଡ଼ି ତିଆରି କରି ତାହାରି ଉପରେ ଯାଇ ବସିବାକୁ ବି ମୋଟେ ମନ କରିବା ନାହିଁ । ଅନେକ ବାଟକୁ ଏକାବେଳକେ ଦେଖି ପାରିଲେ ଯାଇ ଆମେ ହୁଏତ ଆମର ବାଟଟିକୁ ତାହାର ଅସଲ ପ୍ରସ୍ଥ ଦେଇ ଦେଖିବାକୁ ସମର୍ଥ ହେବା ।

 

କରୁଣାର ଅନେକ ଆଖି । ସ୍ନେହ ହେଉଛି ଏକ ଆକାଶ, ଯେଉଁଠାରେ ସବୁ ଜାତିର ଚଢ଼େଇଙ୍କ ଲାଗି ଯଥେଷ୍ଟ ସ୍ଥାନ ରହିଛି । ଆମେ ସେହି କରୁଣାର ଓ ସେହି ଆକାଶର ଯୋଗ୍ୟ ହେବା ଲାଗି ଆଦୌ କୌଣସି କୃପଣତା କରିବା ନାହିଁ ।

 

ଅକ୍ଟୋବର, ୧୯୮୦

Image

 

‘ଶିକ୍ଷାପତ୍ର’ର ବର୍ଷେ ପୂରିଗଲା

 

ଏହି ଡିସେମ୍ବରଠାରୁ ଆମ 'ଶିକ୍ଷାପତ୍ର'ର ବର୍ଷେ ପୂରିଗଲା । ଏହି ଗୋଟିଏ ବର୍ଷ ଭିତରେ ଆମ ଉଦ୍ୟମଟିରେ ଆମେ ଯଥାର୍ଥ ଭାବରେ ଯଥେଷ୍ଟ ପରିମାଣରେ ଆଗେଇ ପାରିଲୁ କି ନାହିଁ, ଦ୍ଵିତୀୟ ବର୍ଷଟି ଆରମ୍ଭ କଲା ବେଳକୁ ସେହି ବିଷୟରେ ଆମେ ନିଶ୍ଚୟ ଚିନ୍ତା କରିବା ।

 

ଆମର ବିଦ୍ୟାଳୟ ହେଉଛି ଏକ ଉପଲକ୍ଷ୍ୟ । ଅସଲ ଲକ୍ଷ୍ୟ ହେଉଛି ପରିବର୍ତ୍ତନ : ଜଣେ ଜଣେ ମଣିଷ ହିସାବରେ ଆମ ନିଜର ପରିବର୍ତ୍ତନ, ଆମକୁ ନିମିତ୍ତ ରୂପେ ବ୍ୟବହାର କରି ଆମର ସାମୂହିକ ଜୀବନଟିର ତଥା ବୃହତ୍ତର ସମାଜର ପରିବର୍ତ୍ତନ ଏବଂ ସର୍ବୋପରି, ଆମ ଉପରେ ବିଶ୍ଵାସ କରି ଯେଉଁ ଅଭିଭାବକମାନେ ପିଲାମାନଙ୍କୁ ଆମପାଖରେ ଛାଡ଼ୁଛନ୍ତି, ସେମାନଙ୍କ ଦୃଷ୍ଟିରେ ପରିବର୍ତ୍ତନ । ଏହି ତିନୋଟି ସ୍ତରର ପରିବର୍ତ୍ତନ ଯଦି ଉଚିତ ଧାରାରେ ହେଉଥିବ, ତେବେ ଆମେ ଯେଉଁ ପିଲାମାନଙ୍କୁ ଆଖି ଆଗରେ ରଖି ଆମର ଏହି ସ୍ଵନିର୍ବାଚିତ ଯାତ୍ରାପଥରେ ଅଗ୍ରସର ହେବାକୁ ମନସ୍ଥ କରିଛୁ, ସେମାନଙ୍କ ପ୍ରତି ଯେ ଆମେ ଆମର ଯଥାର୍ଥ କର୍ତ୍ତବ୍ୟ କରି ପାରିବା, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ ।

 

ଆମର ବ୍ୟକ୍ତିଗତ ଜୀବନରେ ଆମେ ତଥାପି ସେହି ପୁରୁଣାଟା ଭିତରେ ବେକେ ପର୍ଯ୍ୟନ୍ତ ବୁଡ଼ିକରି ରହିଛୁ, ସତେ ଅବା ଗୋଟିଏ ଦ୍ଵିଚର ଜୀବ ପରି ଆମର ଆସ୍ପୃହା ଆମର ବାସ୍ତବ ବିଚରଣ-କ୍ଷେତ୍ରଟିଠାରୁ ଏକାବେଳକେ ଏକ ଭିନ୍ନ ସ୍ଥାନରେ ରହିଛି । ଆମ ଭିତରେ ସେହି ପୁରାତନ ଚତୁରତାଗୁଡ଼ାକ ରହିଛି, ସେହି ପୁରୁଣା କୃତ୍ରିମତାଗୁଡ଼ାକ ରହିଛି, ସେହି ପୁରୁଣା ଭୟ ଓ ଘୃଣାଗୁଡ଼ାକ ରହିଛି ଏବଂ ସବା ମୂଳରେ ଏକ ଅବିଶ୍ଵାସ ରହିଛି । ବର୍ଷ ପରେ ବର୍ଷ ଅତିକ୍ରମ କରି ଯାଉଥିବା ସଙ୍ଗେ ସଙ୍ଗେ ଆମେ ଯେତିକି ଅଧିକ ସାହସର ସହିତ ସେଗୁଡ଼ାକୁ ଛାଡ଼ି ଆସିପାରିବା, ଜଣେ ଜଣେ ବ୍ୟକ୍ତି ହିସାବରେ ଆମେ ସେତିକି ଉପଯୁକ୍ତ ହୋଇ ତିଆରି ହୋଇ ପାରିବା ।

 

ନିଜକୁ ମାଧ୍ୟମ ଓ ନିମିତ୍ତ କରି ସମାଜର ପରିବର୍ତ୍ତନ, ତାହା ଆହୁରି ଅଧିକ କଷ୍ଟକର । ଆମେ ଅଧିକାଂଶ ମଣିଷ ଏହି ଦେଶରେ ସମାଜ ଓ ପରିବେଶକୁ ମାଧ୍ୟମ କରି ନିଜର ଭାଗ୍ୟ ବଦଳାଇବାରେ ଅର୍ଥାତ୍ ଅଧିକ ସିଦ୍ଧି ଓ ସଫଳତା ଲାଭ କରିବାରେ ହୁଏତ ଅଧିକ ଅଭ୍ୟସ୍ତ ହୋଇ ରହିଆସିଛୁ । ଭାରତବର୍ଷରେ ସମ୍ଭବତଃ ଅଧିକାଂଶ ମଣିଷ ଭଗବାନଙ୍କୁ ନିମିତ୍ତ ରୂପେ ବ୍ୟବହାର କରି ନିଜର ଉନ୍ନତି ବିଧାନ କରିବାକୁ ଇଚ୍ଛା କରି ଆସିଛନ୍ତି । ଏହିପରି ଏକ ସିଦ୍ଧିଲୋଭୀ ବାଟରେ ଯାଇ ଆମ ଯୋଗୀମାନେ ମଧ୍ୟ ସମାଜକୁ ଛାଡ଼ି ଚାଲିଯାଇଛନ୍ତି । ଅସଲ ସମର୍ପଣର ପରୀକ୍ଷା ଆମକୁ ପ୍ରକୃତରେ ଏହି କ୍ଷେତ୍ରରେହିଁ ଦେବାକୁ ପଡ଼ିବ । ଆମେ ଆମ ନିଜ ଜୀବନରେ ପରସ୍ପରକୁ ଯଥେଷ୍ଟ ସ୍ଥାନ ଦେବା ଲାଗି ସର୍ବଦା ପ୍ରସ୍ତୁତ ରହିଥିବା । ସ୍ଵାଭାବିକ ଭାବରେ ଆପଣାକୁ ଖୋଲା ରଖି ପାରିଲେ ଯାଇ ଆମେ ଏଦିଗରେ ଉଚିତ ଦୃଷ୍ଟିଟିକୁ ରଖି ପାରିବା ଏବଂ ଉଚିତ ପଦକ୍ଷେପଟିକୁ ଗ୍ରହଣ କରିପାରିବା । ଅର୍ଥାତ୍, ଆମେ ପରସ୍ପରକୁ ଅଧିକ ସହି ପାରିବା, ପରସ୍ପର ଉପରେ ଅଧିକ ବିଶ୍ଵାସ ରଖିବା, ଏବଂ ଆମ ଭିତରେ ରହିଥିବା ସକଳ ଅପୂର୍ଣ୍ଣତା ସତ୍ତ୍ୱେ ପରସ୍ପରକୁ ସାଙ୍ଗରେ ନେବା ଲାଗି ସଂକଳ୍ପବଦ୍ଧ ହୋଇପାରିବା ।

 

ଯେଉଁ ଅଭିଭାବକମାନେ ଏତେ ବିଶ୍ଵାସରେ ନିଜ ପିଲାମାନଙ୍କୁ ଆମ ବିଦ୍ୟାଳୟମାନଙ୍କରେ ଆଣି ଛାଡ଼ିଛନ୍ତି, ସେମାନଙ୍କୁ ଆମେ ଆମର ସାଥୀ ବୋଲି ଗ୍ରହଣ କରିନେବା-। ଆମେ ସେମାନଙ୍କ ପାଖରେ କୃତଜ୍ଞ ହୋଇ ରହିବା । ସେମାନଙ୍କ ପାଖରେ ବସିଥିବା ସମୟରେ ଆମେ ମୋଟେ ପଇତା ବାରିବା ନାହିଁ । ଆଗାମୀ ଯେଉଁ ଯୁଗରେ ମଣିଷ ମଣିଷ ଭିତରେ କୌଣସି ଦୂରତା ରହିବ ନାହିଁ, ସେହି ଯୁଗଟି ଯେପରି ଆମ ଅଭିଭାବକମାନଙ୍କ ସହିତ ଆମର ଯାବତୀୟ ବ୍ୟବହାରରେ ପ୍ରତିଫଳିତ ହୋଇପାରିବ, ଆମ ଆଗରେ ତାହାହିଁ ଲକ୍ଷ୍ୟ ହୋଇ ରହିବ-। ଆମେ ସେମାନଙ୍କ ଘରକୁ ଯିବା, ଆମେ ଚାଖିଥିବା ଫଳଟିକୁ ସେମାନଙ୍କୁ ବି ଚଖାଇବା, ଆମେ ଦେଖି ପାରୁଥିବା ଐଶ୍ଵର୍ଯ୍ୟଟିକୁ ସେମାନେ ବି ଯେପରି ଦେଖିପାରିବେ, ଆପଣାର ପିଲାଙ୍କ ଜୀବନ ଭିତରେ ଯେପରି ସେମାନେ ତାହାକୁ ଦେଖିପାରିବେ, ସେଥିଲାଗି ଆମର ସର୍ବଦା ଆନ୍ତରିକତା ରହିବ ।

 

ଆମ ପିଲାଏ ମୋଟେ ପିଲା ନୁହନ୍ତି, ସେମାନେ ତୁଚ୍ଛ ନୁହନ୍ତି କି ଅକିଞ୍ଚନ ନୁହନ୍ତି । ଯିଏ ମଣିଷ ଭିତରେ ଭଗବାନଙ୍କୁ ଦେଖେ, ଏହି ଭୁବନଟାଯାକ ଗୋଟାଏ ଅବର୍ଣ୍ଣନୀୟ ପ୍ରତିଶ୍ରୁତିରେ ଭରି ରହିଥିବାରୁହିଁ ସବୁକିଛି ଏଡ଼େ ସୁନ୍ଦର ଦିଶୁଛି ବୋଲି ଯିଏ ଅନୁଭବ କରେ, ସିଏ ମଣିଷକୁ କଦାପି ତୁଚ୍ଛ ବୋଲି ଦେଖିବ ନାହିଁ । ସିଏ ମଣିଷ ପାଖରେ ଆପଣା ଛାଏଁ ନଇଁ ଆସିବ । ତା ଲାଗି ଗୋଡ଼ିମାଟିଗୁଡ଼ାକ ମଧ୍ୟ ପ୍ରାଣବନ୍ତ ହୋଇ ରହିଥିବା ପରି ମନେ ହେଉଥିବ ।

 

ଏସବୁ ହେବ, ଯଦି ଆମେ ଆପଣା ଜୀବନରେ ପବ ପବ କରି ଅଗ୍ରସର ହୋଇ ପାରୁଥିବା, ପାହାଚ ଉଠି ପାରୁଥିବା, ନମନୀୟ ହୋଇ ପାରୁଥିବା । ଆମକୁ ପ୍ରତିଦିନର ସକାଳ ଏକ ନୂଆ ସକାଳ ପରି ଲାଗୁଥିବ । ଭିତରକୁ ଅନାଇଲେ ପରମ ବନ୍ଧୁର ଦର୍ଶନ ମିଳି ଯାଉଥିବ । ଭବିଷ୍ୟ ଆଡ଼କୁ ଅନାଇବା ମାତ୍ରକେ ପରବର୍ତ୍ତୀ ଅନାଗତଟି ମଧ୍ୟ ଦିଶି ଦିଶି ଯାଉଥିବ । ଆମର ଜୀବନ ଆଚାରପ୍ରଧାନ ନ ହୋଇ ବିଶ୍ଵାସପ୍ରଧାନ ହୋଇପାରୁଥିବ, ସ୍ଵୀକାରପ୍ରଧାନ ହୋଇପାରୁଥିବ-। କିନ୍ତୁ, ଏସବୁ କ'ଣ ସହଜରେ ହୋଇପାରିବ?

 

ବାଟ ଅନେକ ବାକୀ, ତଥାପି ବାଟ ଚାଲିବାକୁ ହେବ । ବାଟ ହୁଏତ ଆଦୌ କେତେବେଳେ ହେଲେ ସରିବ ନାହିଁ, ତଥାପି ବାଟ ଚାଲିବାକୁ ହେବ । ପରସ୍ପରକୁ ସ୍ଵୀକାର କରିନେବାକୁ ହେବ, ଫିଟିବାକୁ ଅପେକ୍ଷା କରି ରହିଥିବା ଦ୍ଵାରଗୁଡ଼ିକୁ ସ୍ଵୀକାର କରିନେବାକୁ ହେବ । ତେବେ ଯାଇ କୁଣ୍ଠା ଯିବ, ତେବେଯାଇ ଗଣ୍ଠିଗୁଡ଼ାକ ଫିଠିଯାଇ ପାରିବ । ଆମେ ଏକ ନୂତନ ସଂସାରର ଅଧିକାରୀ ହେବା, ଏକ ନୂତନ ଉତ୍ତରାଧିକାରର ଯୋଗ୍ୟ ହୋଇପାରିବା ।

 

ନଭେମ୍ବର-ଡିସେମ୍ବର, ୧୯୮୦

Image

 

ଶିକ୍ଷକ ସମାବେଶ – ୧୯୮୦

 

ଶ୍ରୀ ଅରବିନ୍ଦ ଧାମ, ପୁରୀ

୨୬, ୨୭,୨୮ ଡିସେମ୍ବର

 

ଗତ କେତେ ବର୍ଷ ଧରି ଆମେ ବର୍ଷକୁ ବର୍ଷ ଏହିପରି ଏକାଠି ଗୋଟିଏ ଜାଗାରେ ତିନିଦିନ ଲାଗି ଏକତ୍ର ହୋଇ ଆସିଛୁ । ବର୍ଷକୁ ବର୍ଷ ଆମର ସଂସ୍କାର ଅଧିକ ଅଧିକ ଖରାପ ହେବାରେ ଲାଗିଛି ବୋଲି ଆମର ଗୁରୁଜନମାନେ ନାନା ପ୍ରସଙ୍ଗରେ କହି ବୁଲୁଛନ୍ତି । ବିଶେଷ କରି ଆମର ନିଜ ଦେଶରେ ଅବସ୍ଥାଗୁଡ଼ାକ ପ୍ରାୟ ଗୋଟିଏ ଗୋଟିଏ ସଂକଟର ସ୍ତରକୁ ଖସି ଆସିଲାଣି । ଏହି ଯୁଗ, ଏହି ସମାଜ, ଏହି ବିଧି ଓ ବ୍ୟବସ୍ଥାର ପାରମ୍ପରିକ ଗଣ୍ଠିଗୁଡ଼ାକ ଏଥର ଆଉ ମୋଟେ ରହିପାରିବ ନାହିଁ ବୋଲି ଅନେକ ବ୍ୟକ୍ତି ପ୍ରମାଦ ବି ଗଣିବାକୁ ଆରମ୍ଭ କଲେଣି । ଆମ ଦେଶର ରାଜନୀତିକୁ ଆଉ କାହାରି କଳ ପାଉ ନାହିଁ । ଆମ ଦେଶର ଦାରିଦ୍ର୍ୟ, ଅଶିକ୍ଷା ଏବଂ ସେହିପରି ଆହୁରି କେତେ କେତେ ବ୍ୟାଧିର ହୁଏତ ଆଉ କୌଣସି ସ୍ଥାୟୀ ସମାଧାନ ମିଳିବ ନାହିଁ ବୋଲି ଉପରେ ବିଚାର କରୁଥିବା ବଡ଼ମାନେ ସନ୍ଦେହ କରିବାକୁ ବି ଆରମ୍ଭ କଲେଣି । ପୁଣି, ଶିକ୍ଷା ନାମରେ ଆମ ଦେଶରେ ଯାହାକିଛି ଚଳୁଛି ବା ରହିଛି, ତାହା କ୍ରମଶଃ ଏହି ଅରାଜକତାରେ ପରିଣତ ହୋଇ ଆସିବା ପରି ମନେ ହେଉଛି । ଆମ ସ୍କୁଲ ଓ କଲେଜମାନଙ୍କରେ ଆଉ କେହି କାହାରି ହେବାକୁ ରାଜି ନୁହନ୍ତି । ସେମାନେ ପରସ୍ପରକୁ ବିଶ୍ଵାସ କରିବାକୁ ଓ ପରସ୍ପରକୁ ସାଙ୍ଗରେ ନେବାକୁ ବି ରାଜି ନୁହନ୍ତି । ଶିକ୍ଷିତମାନେ ଯେଉଁଠି ସବୁଠାରୁ ବଡ଼ ବୋଝ ଓ ସବୁଠାରୁ ବଡ଼ ସମସ୍ୟା ହୋଇ ବାହାରିଲେଣି, ସେଠି ଆଉ ଶିକ୍ଷାର ବି ପ୍ରକୃତରେ କି ମୂଲ୍ୟ କେଉଁଠି ରହିଛି ବୋଲି ଧୀର ସ୍ଥିର ମଣିଷମାନଙ୍କ ଭିତରୁ ମଧ୍ୟ ପ୍ରଶ୍ନ ଉଠିବାକୁ ଆରମ୍ଭ କଲାଣି ।

ଆମେ ଏଠାରେ ଉପସ୍ଥିତ ଥିବା ଶିକ୍ଷକମାନେ ଯେଉଁସବୁ ଜାଗାରୁ ଆସିଛୁ, ସେଠାରେ ଆମର ସ୍କୁଲଗୁଡ଼ିକୁ ଆମେ ନିଜେ ଗଢ଼ିଛୁ । ଆମେ ମୂଳଦୁଆ ପକାଇଛୁ, କାନ୍ଥ ଉଠାଇଛୁ, ଲିପି ପୋଛି ପାଠଶାଳାକୁ ଗୋଟିଏ ଘର ପରି କରି ରଖିଛୁ, ଆଉ ପିଲାଙ୍କ ସହିତ ସମ୍ପର୍କରେ ଆସି ଆମେ ନିଜ ଭିତରେ ରହିଥିବା ପିଲାଟିକୁ ଆବିଷ୍କାର କରି ପାରିଛୁ । ଆମ ସ୍କୁଲଗୁଡ଼ିକର ପାଠ ହେଉଛି ପରସ୍ପର ଉପରେ ବିଶ୍ଵାସ ରଖିବାର ପାଠ, ପରସ୍ପର ଉପରେ ଭରସା କରିପାରିବାର ପାଠ-। ଏହି ପାଠ ଦ୍ଵାରଉନ୍ମୋଚନର ପାଠ, ଅନ୍ତଃପରିଚୟର ପାଠ, ଏବଂ ତେଣୁ ପରସ୍ପରର ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସିବାର ପାଠ । ଶିକ୍ଷାଳୟରେ ଅସଲ ଦ୍ଵାରଗୁଡ଼ିକର ଉନ୍ମୋଚନ ଘଟିଲେ ବୟସ ହାର ମାନିଯାଏ, ଶାସନ ହାର ମାନିଯାଏ, ଗଣ୍ଠିଗୁଡ଼ାକ କୁଆଡ଼େ ଛିଣ୍ଡିଯାଏ; ଆମେ ଆମ ଭିତରେ ଓ ପରସ୍ପର ଭିତରେ ପ୍ରକୃତରେ ଯାହା, ତାହାରି ଅନୁଭବ ମିଳେ । ଆପଣାର ଯାବତୀୟ କାର୍ଯ୍ୟ ଭିତରେ ଆମ ସମସ୍ତଙ୍କୁ ଏକାଠି ଆବୋରି ରହିଥିବା ଏକ ଆତ୍ମୀୟତାର ସୁନିଶ୍ଚିତ ସ୍ପର୍ଶ ମିଳିଗଲା ପରି ମନେ ହୁଏ । ଆମ ସ୍କୁଲରେ ପିଲା ଆଉ ଶିକ୍ଷକ, ଆମେ ମୋଟେ ଦୁଇ ପକ୍ଷ ନୋହୁ; ଆମେ ଗୋଟିଏ ପକ୍ଷ । ବାଟ ଚାଲୁଥିବା ପର୍ଯ୍ୟନ୍ତ ପକ୍ଷ ବାରିବାକୁ ଆଉ ବେଳ କାହିଁ, ବୟସ ବାରି ସେହି ଅନୁସାରେ ସତର୍କ ଓ ଅଲଗା ହୋଇ ରହିବାକୁ ବି ବେଳ କାହିଁ ?

ଆମେ ଏହି ସଂସାରରେ ପ୍ରକୃତରେ କି କାମରେ ଆସିବା ? ଆମର ଚାରି ପାଖରେ ଯେତେବେଳେ ସମସ୍ତେ ଖାଲି ନାହିଁ ନାହିଁ ବୋଲି କହୁଛନ୍ତି, ସେତେବେଳେ ଆମେ ହିଁ ହଁ ବୋଲି କହୁଥିଲେ ସେକଥା କିଏ ଶୁଣିବାକୁ ଆସିବ ? ଆମ ଚାରି ପାଖରେ ଏଠି ହଜାର ହଜାର କାରଖାନା; ସରକାରୀ ସିପାହୀ ଓ ଦାରୋଗାମାନେ କେବେହେଲେ କୌଣସି ଅନ୍ୟ ପବନକୁ ଭିତରକୁ ବାଟ ଛାଡ଼ି ଦେବେ ନାହିଁ ବୋଲି କେତେ ଦୃଢ଼ ସଂକଳ୍ପ କରି ଜଗି ରହିଥିବା କାରଖାନା, କେଡ଼େ କଡ଼ା ନିୟମ ଓ ଦାସତ୍ଵ ଏବଂ ଶାସନ ଦ୍ଵାରା ମହୁଡ଼ମରା ହୋଇଥିବା କାରଖାନା, ମଣିଷଠାରୁ ଯନ୍ତ୍ରଗୁଡ଼ାକୁ ଅଧିକ ବଳବାନ୍ କରି ରଖିଥିବା କାରଖାନା,–ଏଠି ଆମ ବଗିଚାଟିକୁ ଦେଖି ଆସିବା ଲାଗି, ବଗିଚାଗୁଡ଼ାକର ଆଦୌ କୌଣସି ଭବିଷ୍ୟତ ଅଛି ବୋଲି ବିଶ୍ଵାସ କରିବା ଲାଗି ପ୍ରକୃତରେ କିଏ ମନ କରିବ ?

ବାହାରୁ ଦେଖିଲେ ଏହି ବଗିଚାର ହୁଏତ କିଛି ବି ଆମ ଆଖିକୁ ଦେଖାଯିବ ନାହିଁ । ଆମର କୋଠାଘର ନାହିଁ, ଶିକ୍ଷକମାନେ ସନ୍ତୁଷ୍ଟ ହେଲା ଭଳି ଗଣ୍ଡାଏ ଦରମା ବି ପାଇ ପାରୁ ନାହାନ୍ତି । ଓଡ଼ିଶାର କୋଉ କୋଉ ଦୂର ଗାଁରେ ଆମେ ସବୁ ପ୍ରାୟ ଅନାମଧେୟ ହୋଇ ରହିଛୁ । କିନ୍ତୁ ଆମର ଯାହା ଅଛି, ତାହା କେବଳ ବାହାରୁ ଦେଖି ପାରୁଥିବା ଆଖିକୁ ମୋଟେ ଦେଖାଯିବ ନାହିଁ । ଆମ ପିଲାଏ ଯୋଉ ଖୁସିରେ ଆମ ସ୍କୁଲକୁ ଆସନ୍ତି, ଯେଉଁ ସ୍ଵତଃପ୍ରେରିତ ସ୍ଫୁର୍ତ୍ତି ସହିତ ସେମାନେ ଆମର ଆସବାବହୀନ ସ୍କୁଲ ଘରଗୁଡ଼ିକୁ ଖୁସୀରେ ଓ ସହଜ ଭୟଶୂନ୍ୟତାରେ ପୂର୍ଣ୍ଣ କରି ରଖିଥାନ୍ତି, ଶିକ୍ଷକ ହିସାବରେ ଆମକୁ ଏହି ପିଲାମାନଙ୍କର ସମ୍ପର୍କରେ ଆସିଲେ ଆମକୁ ଯେପରି ଉଶ୍ଵାସ ଲାଗେ ଓ ଏକ ଅଦୃଶ୍ୟ ସଂପୂର୍ଣ୍ଣ ନିର୍ଭର ଦ୍ଵାରା ଆମ ଭିତରେ ଓ ବାହାରେ ରହିଥିବା ସମସ୍ୟାଗୁଡ଼ାକ ସମାହିତ ହୋଇ ଯାଉଥାଏ, ବାହାରୁ ଏଗୁଡ଼ାକୁ କେହି ମାପି ପାରିବ ନାହିଁ । ସର୍ବୋପରି, ଯାହାର ଆଶୀର୍ବାଦ ଆମକୁ ଏଡ଼େ ଖୁସୀ ହୋଇ କର୍ମରତ କରି ରଖିଛି, ଆମ ଭିତରେ ରହିଥିବା ସକଳ ଅପୂର୍ଣ୍ଣତା ସତ୍ତ୍ୱେ ଯାହାର କରୁଣା ଭବିଷ୍ୟ ମଧ୍ୟକୁ ଏକ ସେତୁ ପକାଇ ପାରିବା ଲାଗି ଆମକୁ ଏକାଠି କରି ଏହି ସ୍କୁଲଗୁଡ଼ିକୁ ବାହାର କରି ଆଣିଛି, ଆମେ କିପରି ଭାବରେ କାହାକୁ ତାହାର କି ପ୍ରମାଣ ଦେବୁ ? ଖାଲି ଏତିକି କହିବୁ, ତୁମେ ଆମରି ପରି ଖୁସୀ ହୁଅ, ଉଶ୍ଵାସ ହୋଇଯାଅ,–ତେବେ ତୁମେ ମଧ୍ୟ ଆମରି ସହିତ ସେହି ସୁନିଶ୍ଚିତତାଟିକୁ ଅନୁଭବ କରି ପାରିବ, ତୁମ ଆଗରେ ବି ସବୁ କ୍ରମେ ହଁ ହଁ ହୋଇ ଦେଖାଯିବାକୁ ଆରମ୍ଭ କରିବ ।

ଆଜି ବାହାରେ ଯେତେ ଜାଗାରେ ଯେତେ ପ୍ରକାରେ ନାହିଁ ନାହିଁ ବୋଲି ପ୍ରଚାର କରାଯାଉଛି, ଆମେ ସେଠାରେ ହଁ ହଁ ବୋଲି କହି ପାରିବାକୁ ସମର୍ଥ ହେବା । ଏହି ପୃଥିବୀରେ ଆଉ ଭବିଷ୍ୟ ବୋଲି କିଛି ନାହିଁ ବୋଲି କୁହାଯିବାରେ ଲାଗିଛି, ଆମେ କେବଳ ଭବିଷ୍ୟହିଁ ରହିଛି ବୋଲି କହିବା ! ହଁ, କେବଳ ଭବିଷ୍ୟହିଁ ରହିଛି । ଆମର ଅତୀତ ହେଉଛି ସେହି ଭବିଷ୍ୟକୁ ସ୍ମରଣ କରାଇ ଦେବାର ଏକ ଗନ୍ତାଘର, ଆମର ବର୍ତ୍ତମାନ ସେହି ଭବିଷ୍ୟର ଗଠନ କରିବା ଲାଗି ଏକ ଦୁର୍ବାର ଆହ୍ଵାନ । ଏହି ଜଗତରେ ବିଶ୍ଵାସ ବୋଲି ଆଉ କେଉଁଠି କିଛି ନାହିଁ ବୋଲି ସମସ୍ତେ କେଡ଼େ ଉତ୍ସାହରେ କହିବାରେ ଲାଗିଛନ୍ତି । ଆମେ କହିବା ଏହି ସଂସାରର ଅନ୍ତଃସ୍ଥଳରେ କେବଳ ବିଶ୍ଵାସହିଁ ରହିଛି । ତେନେଦଂ ବର୍ତ୍ତତେ ଜଗତ୍ । ଅବିଶ୍ଵାସ ହେଉଛି ଏକ ଅସମର୍ଥତା, ନିଜ ବିରୁଦ୍ଧରେ ଏକ ବିଦ୍ରୋହ–ଘୋଷଣା, ନିଜର ଖେଳନାଟିକୁ ନିଜେ ଭାଙ୍ଗି ଦେବା ଲାଗି ଏକ ଅମାନିଆ ଜିଦ୍ । ମଣିଷଗୁଡ଼ାକ ସମସ୍ତେ ଭାରି ଖରାପ ହୋଇଗଲେଣି ବୋଲି ସମସ୍ତେ ରାସ୍ତା ଉପରେ ବି ଏଡ଼େ ବଡ଼ ପାଟି କରି କହିବାକୁ ଲାଗିଲେଣି । ଆମେ କହିବା, ନାହିଁ, ମଣିଷ ମର୍ମତଃ ଯାହା ଥିଲା, ତାତାହିଁ ରହିଛି । ଅସଲ ମଣିଷଟି, ଅସଲ ସଙ୍ଗୀଟି ଆମରି ଭିତରେ ଅପେକ୍ଷା କରି ରହିଛି । ଆମେ ନୂତନ ଶିକ୍ଷା ଦ୍ଵାରା ନିଜ ଭିତରର ତଥା ଅନ୍ୟ ସମସ୍ତଙ୍କ ଭିତରେ ସେହି ଅସଲ ମଣିଷଟି ପାଖକୁ ବାଟ ଫିଟାଇ ଦେବା । ତେଣୁ ଶାସନ ବଦଳରେ ଆମେ ଶ୍ରଦ୍ଧା ଉପରେ ଅଧିକ ନିର୍ଭର କରି ଶିଖିବା, କର୍ତ୍ତୃତ୍ଵ ବଦଳରେ ନେତୃତ୍ଵ ଉପରେ, ଦୃଷ୍ଟାନ୍ତ ଉପରେ ଅଧିକ ଭରସା ରଖି ଶିଖିବା ।

କର୍ତ୍ତୃତ୍ଵର ସଂସାର ଏକ କୃତ୍ରିମ ସଂସାର । ଏହି ସଂସାର ଯେଉଁପରି ଅଛି ଓ ଆମ ସମସ୍ତଙ୍କ ଭିତରେ ଥିବା ଅସଲ ମଣିଷଟି ଯେଉଁ ଅନ୍ୟ ସଂସାରଟିର ସ୍ଵପ୍ନ ଦେଖୁଛି, ମାଆଙ୍କ ଭାଷାରେ କହିଲେ, ଦୁଇଟି ମଧ୍ୟରେ ଏହି ସର୍ବପ୍ରଥମ ପାର୍ଥକ୍ୟଟି ରହିଛି ଯେ, ବର୍ତ୍ତମାନର ସଂସାରଟା ଅତିମାତ୍ରାରେ କୃତ୍ରିମ, ଭାରି ବାହ୍ୟ । ଆମର ସମ୍ବନ୍ଧଗୁଡ଼ାକ ଭାରି କୃତ୍ରିମ, ଭାରି ବାହ୍ୟ-। ଆମର ଆଚରଣଗୁଡ଼ାକ ଭାରି କୃତ୍ରିମ, ଭାରି ବାହ୍ୟ । ଆମର ତଥାକଥିତ ନୀତି ଓ ନିୟମଗୁଡ଼ାକ ଭାରି କୃତ୍ରିମ, ଭାରି ବାହ୍ୟ । ସକଳ କୃତ୍ରିମତାର ଏହି ମୁଖାଗୁଡ଼ାକ ତଳେ ଆମ ଭିତରେ ଦ୍ରୋହୀ ହୋଇ ଅସୁମାରି ଅସହିଷ୍ଣୁତା ରହିଛି, ଅସୁମାରି ଅହଙ୍କାରିତା ରହିଛି । ତାହା ଆମ ନିଜକୁ ମଧ୍ୟ ଆମ ନିଜ ଭିତରକୁ ବାଟ ଛାଡ଼ି ଦେଉ ନାହିଁ । କୃତ୍ରିମତା ଛାଡ଼ିବାକୁ ହେଲେ ପ୍ରକୃତରେ ଅନେକ ସାହସ ଦରକାର; ଆମ ସ୍କୁଲମାନଙ୍କରେ ଆମ ଆଗରେ ଡେଇଁ ବୁଲୁଥିବା ପିଲାମାନଙ୍କ ଭିତରେ ଯେତିକି ସାହସ ରହିଛି, ପ୍ରାୟ ସେତିକି ସାହସ ଦରକାର । ଆଜିକାଲି ସାଧାରଣ ହାଟମାନଙ୍କରେ ପିଲାମାନଙ୍କୁ ଯେଉଁ ଶିକ୍ଷା ଦିଆଯାଉଛି, ତଦ୍ଦ୍ଵାରା ବୟସ୍କମାନେ ପାଣ୍ଡିତ୍ୟ ଖଟାଇ ପିଲାମାନଙ୍କୁ ଅଙ୍କ, ସାହିତ୍ୟ, ବିଜ୍ଞାନ, ଆଉ ଭୂଗୋଳରେ ପଣ୍ଡିତ ଆଉ ପ୍ରବୀଣ କରି ତିଆରି କରୁଛନ୍ତି ସତ, ମାତ୍ର ବୟସ ବଢ଼ିବା ସଂଗେ ସଂଗେ ଅର୍ଥାତ୍ ଶ୍ରେଣୀ ଉଠି ଉପରକୁ ଉପରକୁ ଯିବା ସଂଗେ ସଂଗେ ସେହି ପିଲାମାନେ ଅଧିକରୁ ଅଧିକ ଭୀରୁ ହୋଇ ଯାଉଛନ୍ତି । ସେମାନଙ୍କର ସାହସ କମି କମି ଯାଉଛି, ସହଜତା କମି କମି ଯାଉଛି । ଭୀରୁତା ନାନାପ୍ରକାର ଉଗ୍ରତାକୁ ଭାରି ସହଜରେ ବାଟ ଛାଡ଼ି ଦେଉଛି-। ଜୀବନ ଅନେକମୁଖୀ ଅର୍ଥାତ୍ ଅନେକଗ୍ରାହୀ ହେବା ପରିବର୍ତ୍ତେ ଅଧିକରୁ ଅଧକ ଜଟିଳ ହୋଇପଡ଼ୂଛି, ଅଧିକ କୃପଣ ଏବଂ କୁଣ୍ଠାଗ୍ରସ୍ତ ହେବାରେ ଲାଗିଛି ଏବଂ ତା’ ପରେ ଏକ ବିକାରମୟ ଚତୁରତାହିଁ ଧର୍ମ ପରି ହୋଇ ରହୁଛି, ଜୀବନର ଅସଲ କୁଶଳତାଗୁଡ଼ାକ ପାସୋରି ହୋଇଯାଉଛି । ଚତୁରତାରୁ କୃତ୍ରିମତା ଯାଏ ଆସିବାକୁ ମୋଟେ ବେଶୀ ବେଳ ଲାଗୁନାହିଁ ।

ଆମେ ଆମ ନୂତନ ଶିକ୍ଷାଳୟଗୁଡ଼ିକରେ ଏହି ସୁଅଟି ମୁହଁରେ ଠିଆ ହୋଇ ତାର ମୋଡ଼ ବଦଳାଇ ଦେବା । ଆମେ ପିଲାକୁ ଆମରି ପରି ଗୋଟିଏ ଗୋଟିଏ ବୟସ୍କ ହୋଇ ଜୀବନରେ କ୍ରମେ କର୍କଶ ଓ ଅନମନୀୟ ହୋଇଯିବାର ଚକ୍ରାନ୍ତ କଦାପି କରିବା ନାହିଁ । ପିଲାଙ୍କ ପାଖରେ ପିଲାଙ୍କ ପରି ସାହସଯୁକ୍ତ, ଉନ୍ମୁକ୍ତ ଏବଂ ସହଜ ହୋଇ ରହିପାରିଲେ ଯାଇ ତାହା ସମ୍ଭବ ହେବ । ଆମ ଶିକ୍ଷାରେ ପିଲାର ଦେହ, ପ୍ରାଣ, ମନ ସମସ୍ତେ ସହଯୋଗ କରିବେ । ତେବେ ଯାଇ ସେମାନେ ସେମାନଙ୍କର ଅସଲ ମୂଳ ଗଣ୍ଠିଟିକୁ ଯାଇ ଛୁଇଁ ପାରିବେ । ସେହି ମୂଳଗଣ୍ଠିଟି ହେଉଛି ପିଲାର ଆତ୍ମା, ଚୈତ୍ୟସତ୍ତା । ଅସଲ ଶିକ୍ଷାର ଡୋର ସେହି ଚୈତ୍ୟସତ୍ତାକୁହିଁ ଛୁଇଁ ପାରୁଥିବା ଦରକାର । ସେହି ଛୁଇଁ ପାରିବାର ପ୍ରକ୍ରିୟାଟି ହେଉଛି ଅସଲ ପ୍ରଗତି । କେବଳ ଆମ ପିଲାମାନେହିଁ ଯେ ଏହି ପ୍ରଗତିଟିକୁ କରିବେ ଓ ଆମେ ସେମାନଙ୍କୁ ଏଥିରେ କେବଳ ସାହାଯ୍ୟ କରୁଥିବା, ସେକଥା ଆଦୌ ନୁହେଁ । ଶିକ୍ଷକ ହିସାବରେ ଆମର ମଧ୍ୟ ଏହି ପ୍ରଗତି ଅନବରତ ଲାଗି ରହିଥିବା ଦରକାର । ଏହି ଦୃଷ୍ଟିରୁ ଶିକ୍ଷକ ମଧ୍ୟ ଜଣେ ଛାତ୍ର । ତା'ର ପ୍ରଗତିକୁ ଯିଏ ନିଜେ ମାପି ପାରୁଥିବା ଉଚିତ । ତା' ନହେଲେ, ଛାତ୍ରମାନେ ଯେକୌଣସି ଉପାୟରେହିଁ ତାକୁ ପରୀକ୍ଷା କରିବେ, ତା’ର ପ୍ରଗତି ମାପିବେ, ତା’ଠାରୁ ତା’ର ପ୍ରତ୍ୟୟପତ୍ରଟିକୁ ମାଗିବାକୁ ଆସିବେ । ବର୍ତ୍ତମାନ ଚାରିଆଡ଼େ ଛାତ୍ରମାନେ ଯେପରି ଆପଣା ଶିକ୍ଷକ ଏବଂ ଶିକ୍ଷାୟତନଗୁଡ଼ିକର ସାର ଓ ଅସାରଗୁଡ଼ାକୁ ଜଳି ସେଗୁଡ଼ାକୁ ବର୍ଜନ କରୁଛନ୍ତି ଓ ପ୍ରତ୍ୟାଖ୍ୟାନ କରୁଛନ୍ତି, ଠିକ୍ ସେହିପରି ଏବଂ ଯେଉଁଠି ପିଲାମାନଙ୍କ ଆଖିରେ ଶିକ୍ଷକମାନେ ଫେଲ ମାରି ସାରିଲେଣି, ସେଠି ସାଆନ୍ତମାନଙ୍କର ସରସ୍ତାରୁ ବାହାରୁଥିବା ଗଦା ନିୟମ, ମୁଠା ମୁଠା ଟଙ୍କା ଓ ଥାକ ଥାକ ବହି ଆଦୌ କିଛି ହେଲେ କରି ପାରିବ ନାହିଁ ।

ନୂତନ ଶିକ୍ଷାକୁ ନେଇ ଆମର ଏହି ପ୍ରୟୋଗଟି ବିଗତ ଦଶ ବର୍ଷ ହେଲା ଚାଲିଆସିଲାଣି । ସେହି ପ୍ରଥମବର୍ଷର ଗୋଟିଏ ସ୍କୁଲ ବର୍ତ୍ତମାନ ତିରିଶିକୁ ଆସି ଛୁଇଁଲାଣି; ଆଉମାନେ ବି ଆମ ପଛେ ପଛେ ଆସୁଛନ୍ତି । ଏହି ଗତିକୁ କେହି ରୋଧି କରି ରଖି ପାରିବେ ନାହିଁ-। କାରଣ ବର୍ତ୍ତମାନ ତାହାରି ମୁହୂର୍ତ୍ତଟି ଆସି ପହଞ୍ଚିଛି ବୋଲି ଆମେ ପରିବର୍ତ୍ତନକୁହିଁ ଅନାଗତ ଅଥଚ ନିର୍ଦ୍ଦିଷ୍ଟ ଭାବରେ ପ୍ରତିଶ୍ରୁତି ହୋଇ ରହିଥିବା ପରବର୍ତ୍ତୀ ଭବିଷ୍ୟଟିର ଅତ୍ୟାବଶ୍ୟକ ସୋପାନ ରୂପେ ଗ୍ରହଣ କରିଛୁ । ଆମେ ପରିବର୍ତ୍ତନକୁ ଡରିବା ନାହିଁ । ପରିବର୍ତ୍ତନ ସକାଶେ ଆପଣାକୁ ଏକ ଯନ୍ତ୍ର ରୂପେ ତିଆରି କରିବାକୁ ଆମେ ମୋଟେ ଡରିବା ନାହିଁ । ଏହି ପରିବର୍ତ୍ତନ ହେଉଛି ମର୍ମତଃ ଚେତନାର ପରିବର୍ତ୍ତନ ! ଶିକ୍ଷା ଦ୍ଵାରା ଚେତନାର ପରିବର୍ତ୍ତନ ହୋଇପାରିବ ବୋଲି ଆମେ ବିଶ୍ଵାସ କରୁଛୁ, ତେଣୁ ଏହି ଫୁଲବଗିଚାଗୁଡ଼ିକରେ ଆସି ଏକତ୍ର ହୋଇଛୁ । ମଣିଷ ଭିତରେ ଯେଉଁ ଅସଲ ସତ୍ୟଟି ଲୁକ୍କାୟିତ ହୋଇ ରହିଛି ଓ ଯାହାକୁ ଆମର ଏହି ଭୀରୁ ଯୁଗଟା ନାନା ଫିସାଦରେ ବାହାରକୁ ପ୍ରକଟ ହୋଇ ଆସିବାକୁ ଦେଉ ନାହିଁ, ସେହି ସତ୍ୟଟିକୁ ସ୍ପର୍ଶ କରି ପାରିଲେ ଆମର ଚେତନାରେ ଏକ ପରିବର୍ତ୍ତନ ଘଟିବ । ନୂଆ ଲାଗି ବାଟ ଫିଟିଯିବ ।

ଗତ ଦଶବର୍ଷର ଇତିହାସ ନାନା ବନ୍ଧୁର ପଥ ଦେଇଆସିବାର ଇତିହାସ, ଅବିଶ୍ଵାସଗୁଡ଼ାକୁ ବିଶ୍ଵାସରେ ପରିଣତ କରିଥିବାର ଇତିହାସ । ପୁରୁଣା ସହିତ ଅନବରତ ଏକ ସଂଗ୍ରାମରେ ଅବତୀର୍ଣ୍ଣ ହୋଇଥିବାର ଇତିହାସ । ଏହି ପୁରୁଣା ଆମ ଭିତରେ ରହିଛି, ଆମ ବାହାରେ ବି ରହିଛି । ଅନେକ ମଣିଷ ସତେ ଅବା ଭିତରଟାକୁ ଲୁଚାଇ ରଖିବା ପାଇଁ ବାହାରର ସଂଗ୍ରାମଟାକୁହିଁ ଏକମାତ୍ର ସଂଗ୍ରାମ ବୋଲି କହିଥାନ୍ତି । ଆମେ ଶିକ୍ଷା ଦ୍ଵାରା ଏହି ସଂଗ୍ରାମଟି ଅଧିକ ଫଳଦାୟକ ଭାବରେ ଚାଲିବ ବୋଲି ବିଶ୍ଵାସ କରୁ, ତେଣୁ ଭିତର ଆଉ ବାହାର ଭିତରେ ଆମେ ଏପରି କୌଣସି ତାରତମ୍ୟ ମୋଟେ ଦେଖୁନାହିଁ । ଆମର ଏହି ଲଢ଼େଇ ସ୍ଵଭାବର ସ୍ତରରେ ଏକ ଲଢ଼ାଇ । ସେହି ସ୍ଵଭାବକୁ ସାର୍ଥକ ଭାବରେ ସ୍ଵୀକୃତ ଏବଂ ପ୍ରସ୍ଫୁଟିତ କରି ଆଣିବାକୁହିଁ ଯଥାର୍ଥ ଅଧ୍ୟାତ୍ମ ବୋଲି କୁହାଯାଇ ପାରିବ ।। ଏହି ଦୃଷ୍ଟିରୁ ବିଚାର କଲେ ଆମର ଶିକ୍ଷା ଏକ ଆଧ୍ୟାତ୍ମିକ ଶିକ୍ଷା, ଆମର ସଂକଳ୍ପ ଏକ ଆଧ୍ୟାତ୍ମିକ ସଂକଳ୍ପ । ତେଣୁ ଅସଲ ଯାବତୀୟ ପରିବର୍ତ୍ତନକୁ ଆମେ ଆଧ୍ୟାତ୍ମିକ ପରିବର୍ତ୍ତନ ବୋଲି କହୁ । ସମଗ୍ର ପୃଥିବୀରେ ଆଜି ଏହିପରି ଗୋଟିଏ ପରିବର୍ତ୍ତନ ଲାଗି ଅନୁକୂଳ ହାୱା ବହୁଛି । କ୍ଷେତ୍ର ପ୍ରସ୍ତୁତ ହେବାରେ ଲାଗିଛି । ମଣିଗୁଡ଼ିକ ଗୋଟି ଗୋଟି କରି ଅସଲ ସୂତାଟିରେ ଗୁନ୍ଥା ହେବା ଲାଗି ଆଗ୍ରହୀ ହୋଇ ଆସୁଛନ୍ତି । ଆମର ପ୍ରକୃତରେ ମହାଭାଗ୍ୟ ଯେ, ଆମେ ଆପଣାକୁ ଏହି ବିଶ୍ଵସ୍ରୋତଟି ସହିତ ସଂଯୁକ୍ତ କରି ରଖିପାରିଛୁ, ଏହି ବିଶ୍ଵଇଚ୍ଛାଟି ଅନୁସାରେ ଆପଣାର ଜୀବନକୁ ଜୁଆଇ ରଖିବା ପାଇଁ ଆମେ ସ୍ଵୀକୃତି ଦେଇଛୁ । ତେଣୁ ଆମ ସଂଗ୍ରାମର ଜାଗାଟି ବାହାରକୁ ଦେଖିବା ପାଇଁ ଯେଡ଼େ ସାନ ଓ ସ୍ଥାନୀୟ ହୋଇ ଦେଖାଯାଉ ପଛକେ, ଆମର ଶ୍ରଦ୍ଧାଟି ବିଶ୍ଵର ଶ୍ରଦ୍ଧାସୂତ୍ରଟି ସହିତ ଗାଆଁଠେଇ ହୋଇ ରହିଛି ।

ବିଗତ ବର୍ଷଗୁଡ଼ିକ ଉପରେ ସିଂହାବଲୋକନ କରୁଥିବା ସମୟରେ ଆମର ଆଜି କେତେ ନା କେତେ କଥା ମନେ ନିଶ୍ଚୟ ପଡ଼ୁଥିବ । ଦୁର୍ଦ୍ଦିନର କେତେ ପରୀକ୍ଷା ସମୟରେ ସମ୍ମୁଖଟାଯାକ ଆମକୁ ସତେ ଅବା ଖାଲି ଅନ୍ଧାର ପରି ଦିଶିଛି, ଅଳ୍ପ– ସମ୍ବଳ ହୋଇ ବାଟ ଚାଲୁଥିବା ସମୟରେ ପରସ୍ପରକୁ କେତେ ସନ୍ଦେହର ଚକ୍ଷୁରେ ଦେଖିବା ଲାଗି ମନ ହୋଇଛି । ଦୀର୍ଘ ବାଟକୁ ଅଳ୍ପ କରିଦେବାର ଲୋଭରେ ଆମେ ହୁଏତ କେତେଥର ନାନା ସାଲିଶ ଭିତରେ ପଶିଯାଇ ତାତ୍କାଳିକ ଲାଭର ଆଶାରେ ବଣା ହେବାକୁ ମନ କରିଛୁ; ସବା ଆଗ ଯାଇ ପହଞ୍ଚି ପାରିବାର ଅଧୀରତାରେ ସାଙ୍ଗମାନଙ୍କୁ ହୁଏତ ପଛରେ ପକାଇ ଦେଇ ଚାଲିଯିବାକୁ କେତେ ପାଞ୍ଚ କରିଛୁ । ତଥାପି ଏହି କାମଟି ପ୍ରକୃତରେ ଯାହାର, ସେଇ ଆମକୁ ବାଟରେ କେଉଁଠି ହେଲେ ଅଟକି ଯିବାକୁ ଦେଇ ନାହିଁ । ତାହାହିଁ କରୁଣା, ଜଣେ ମାର୍ଗଚାରୀ ପାଇଁ ତାହାହିଁ ସର୍ବୋତ୍ତମ ଫଳଶ୍ରୁତି ।

ଆମର ଏହି ସ୍ଵତନ୍ତ୍ର ଯାତ୍ରାଟାକୁ ସମସ୍ତେ ସ୍ଵୀକୃତି ଦେବେ ତ ? ଆମର ଏହି ସ୍ଵତନ୍ତ୍ର ବାଟଟି ପ୍ରକୃତରେ ଭାରି କଷ୍ଟ, କେତେକ ଦୁର୍ବଳ ମୁହୂର୍ତ୍ତରେ ସେହିପରି ଚିନ୍ତାକୁ ମନରେ ସ୍ଥାନ ଦେଉଥିବା ସମୟରେ ଆମ ଭିତରେ ଏହିପରି ଏକ ପ୍ରଶ୍ନ ଉତ୍‍ଥାପିତ ହୋଇ ଆସିଥାଏ । ସମ୍ଭବତଃ ସେତିକିବେଳେ ଦାଣ୍ଡରେ ଚାଲିଯାଉଥିବା ଅନ୍ୟମାନଙ୍କର ଗୁଳା ଭିତରେ ଆସି ମିଶିଯିବାକୁ ମନ ହୁଏ । ମନଟା ଭାରି ବାବାଜୀ ହୋଇଯାଏ, ନିଜର କାନ୍ଧ ଉପରୁ ସବୁଯାକ ବୋଝ ଉତାରି ଦେଇ ଏକାବେଳକେ ହାଲୁକା ହୋଇଯିବା ପାଇଁ ମନ ହୁଏ । ସେଇଟା ମଧ୍ୟ ଆମର ପରୀକ୍ଷା; ଆମ ଧୈର୍ଯ୍ୟର ପରୀକ୍ଷା, ଆମ ବିଶ୍ଵାସର ପରୀକ୍ଷା । ଆମ ଦେଶରେ ଆଗରୁ ଏହିପରି ଏକାଧିକ ଶିକ୍ଷାର ପ୍ରୟୋଗ ହୋଇଛି, ମାତ୍ର କାଳକ୍ରମେ ସମସ୍ତେ ଆସି ରାଜଦାଣ୍ଡରେ ମିଶି ଯାଇଛନ୍ତି । ଆମେ ବିଶ୍ଵାସ ରଖିବା । କେବଳ ନିଜ ଉପରେ ନୁହେଁ; ଆମେ ଯାହାକିଛି କରୁଛୁ, ସେଇଟି ଯେ ପରବର୍ତ୍ତୀ ଭବିଷ୍ୟଟିର କାର୍ଯ୍ୟକ୍ରମରେ ଏକ ପ୍ରଥମ ସୋପାନ, ଏହି କଥାଟି ଉପରେ ଆମେ ବିଶ୍ଵାସ ରଖିବା । ସେହି ବିଶ୍ଵାସଟିହିଁ ଆମକୁ ଯଥାର୍ଥ ଭାବରେ ମୁକ୍ତ ଓ ସ୍ଵଚ୍ଛନ୍ଦ କରି ରଖିପାରିବ । ଯେତେବେଳେ ଅସଲ ତୋରଣଟି ଖୋଲିଯିବାର ବେଳ ଆସିବ, ସେତେବେଳେ ଆମର ସକଳ ସଂଶୟର ମୋଚନ ହୋଇଯିବ, ଆମର ସକଳ କଣ୍ଟାକୁ ଧନ୍ୟ କରି ଈସ୍ପିତ ଫୁଲଟି ଫୁଟି ଉଠିବ ।

ତେଣୁ ଆମେ ଅଟକି ଯିବା ନାହିଁ । ସ୍ଵୀକୃତି ସମୟ ଜାଣି ଆସିବ । ଅନ୍ଧାର ଭିତରେ ଆଲୁଅ ଲୁକ୍କାୟିତ ହୋଇ ରହିଥିବା ପରି ପୁରାତନ ଭିତରେହିଁ ନୂତନର ଆସ୍ପୃହାଟି ଲୁକ୍କାୟିତ ହୋଇ ରହିଛି । ସମାଜ ଓ ମନୁଷ୍ୟର ବିବର୍ତ୍ତନକ୍ରମରେ ପରବର୍ତ୍ତୀ ଉଚ୍ଚତର ଶିଖରଟି ଆମ ସମସ୍ତଙ୍କ ଲାଗି ଅପେକ୍ଷା କରି ରହିଛି । ସେହି ଶିଖରଟି ଲାଗି ଯୋଗ୍ୟ ହୋଇ ପାରିବା ସକାଶେ ଆମେ ପରସ୍ପର ସହିତ ଆହୁରି ଅଧିକ ସମ୍ମିଳିତ ହେବା । ପରସ୍ପରର ଅଭିଜ୍ଞତା ପରସ୍ପରକୁ କହିବା । ପରସ୍ପରର ସମସ୍ୟାଗୁଡ଼ିକୁ ନିଜ ଅନୁଭବର ଦର୍ପଣ ଉପରେ ଥୋଇ ବିଚାର କରିବାକୁ ଚେଷ୍ଟା କରିବା । ଆମ ଭିତରେ ଆହୁରି ଆଦାନପ୍ରଦାନ ହେବ, ଏବଂ ଏହି ଆଦାନ– ପ୍ରଦାନଗୁଡ଼ିକୁ ଆହୁରି ଅଧିକ ସ୍ଵାଭାବିକ ହେବ । ଆମମାନଙ୍କ ଭିତରୁ ଯେଉଁମାନଙ୍କର ଅଭିଜ୍ଞତା ଅପେକ୍ଷାକୃତ ଅଧିକ, ସେମାନେ ଅପେକ୍ଷାକୃତ କମ୍ ଅଭିଜ୍ଞତା ରହିଥିବା ଅନ୍ୟମାନଙ୍କୁ ସବୁପ୍ରକାର ସାହାଯ୍ୟ କରିବା ନିମନ୍ତେ ଉପଯୁକ୍ତ ବିନୟ ସହିତ ସର୍ବଦା ପ୍ରସ୍ତୁତ ହୋଇ ରହିଥିବେ । ଖାଲି ସାରା ଓଡ଼ିଶା ବାର୍ଷିକ ସମ୍ମିଳନୀ ନୁହେଁ, ଆଞ୍ଚଳିକ ବିଶେଷ ସମ୍ମିଳନୀଗୁଡ଼ିକର ମଧ୍ୟ କ୍ରମଶଃ ଅଧିକ ଆୟୋଜନ କରାଯିବ । ଏହି ସମାଜ ଯଦି ସବା ଆଗ ପାଠର ପରୀକ୍ଷା ଚାହେ, ତେବେ ଆମର ପିଲାମାନେ ସେଥିରେ ମଧ୍ୟ କଦାପି ହଟିଯିବେ ନାହିଁ ଏବଂ ଆମେ ଶିକ୍ଷକମାନେ ସେମାନଙ୍କୁ ସେଥିଲାଗି ପୂର୍ଣ୍ଣ ପ୍ରସ୍ତୁତ କରି ରଖିବା । ମାତ୍ର ତଦୁପରି ଆମେ ସେମାନଙ୍କୁ ଗୋଟିଏ ଗୋଟିଏ ଜୀବନ୍ତ ଆତ୍ମା ରୂପେ ବିକଶିତ ହୋଇ ଉଠିବା ଲାଗି ମଧ୍ୟ ଅବସର ଯୋଗାଇ ଦେବା । ଜୀବନର ଯାବତୀୟ ଯଜ୍ଞରେ ଆମର ବିଦ୍ୟାଳୟମାନଙ୍କରେ ଆମେ ଜ୍ୟେଷ୍ଠ ଓ କନିଷ୍ଠ ଏକାଠି ହୋଇ ରହିବା । ସେହି ବଳିଷ୍ଠ ଓ ଜାଗ୍ରତ ଆତ୍ମାମାନେହିଁ ସମାଜରେ ନୂତନ ଭୂମିର ମୂଳଦୁଆ ପକାଇବେ । ଜୀବନରେ ଯେ ଶ୍ରେଷ୍ଠତର ଅନ୍ୟ ମୂଲ୍ୟଗୁଡ଼ିକ ରହିଛି, ସେମାନେ ତାହାରି ବାର୍ତ୍ତାବହ ହୋଇ ରହିବେ ।

କେବଳ ଆମ ପିଲାମାନଙ୍କୁ ନୁହେଁ, ଆମ ଶିକ୍ଷକମାନଙ୍କୁ ମଧ୍ୟ ମାଆ ବୀର ଯୋଦ୍ଧାପରି ଗଢ଼ି ହେବାକୁ କହିଛନ୍ତି । କେବଳ ଜଣେ ଯୋଦ୍ଧାହିଁ ଆଉଜଣକୁ ଯୋଦ୍ଧା କରି ତିଆରି କରି ପାରିବ-। ଜଣେ ଯୋଦ୍ଧା ହେଉଛି ଜଣେ ଯଥାର୍ଥ ଭାବରେ ସମର୍ପିତ ମଣିଷ । ସମର୍ପିତ ମଣିଷ ଆପଣାକୁ ଅବିରାମ ଭାବରେ ଦେଇ ଦେବାରେହିଁ ଆନନ୍ଦ ପାଇବ, କିନ୍ତୁ ଆପଣା ଜୀବନରେ ସିଏ ଆଦୌ କୌଣସି କ୍ଷୟ ମାନିବ ନାହିଁ, କୌଣସି ଅବସାଦ ବି ମାନିବ ନାହିଁ । ଯିଏ ଯେତିକି ଦେଉଥିବ, ସେତିକି ପୂର୍ଣ୍ଣ ହେବାରେ ଲାଗିଥିବ । ତା'ର ଏହି ସମର୍ପଣ ମଧ୍ୟରେ ଆଦୌ କୌଣସି କ୍ଷୁଦ୍ରତା ରହିବ ନାହିଁ । ସିଏ ଯଥାସମ୍ଭବ ଅଧିକ ଗ୍ରହଣଶୀଳ ହୋଇ ରହିଥିବ, କେଉଁଠି ହେଲେ ଶଙ୍କି ଯିବ ନାହିଁ କିମ୍ବା ଅଭିମାନ କରି କୌଣସି ସ୍ଥାନରୁ ଫେରି ଆସିବ ନାହିଁସିଏ ସତତ ବାଟ ଚାଲୁଥିବ, ବାଟ ଚାଲିବାକୁହିଁ ସତ୍ୟଯୁଗ ବୋଲି ମାନୁଥିବ ଏବଂ ଋକ୍ ବେଦର ଭାଷାରେ 'ପଶ୍ୟେମାନୁ ସୂର୍ଯ୍ୟମ୍ ଉଚ୍ଚରନ୍ତମ୍'–ଆମେ ସର୍ବଦା ଉଦିତ ହୋଇ ଆସୁଥିବା ସୂର୍ଯ୍ୟଙ୍କରହିଁ ପ୍ରତ୍ୟକ୍ଷ କରିବା– ବୋଲି ପ୍ରାର୍ଥନା କରି ପାରୁଥିବା ।

ବନ୍ଧୁଗଣ, ଆମେ ଏଠାରେ ତିନିଦିନ ରହିବା; ସମ୍ମୁଖସ୍ଥ ଏହି ଅନିଦ୍ର ସାଗରକୁ ଅନାଉ ଅନାଉ ଆମେ ଏଠାରେ ପରସ୍ପର ସହିତ କେତେ କ'ଣ ଆଲୋଚନା କରିବା । ତାହା ଆମକୁ ନୂତନତର ଓ ନିର୍ମଳତର ଭାବରେ ଆପଣାର ସମ୍ମୁଖୀନ ହେବା ଲାଗି ମଧ୍ୟ ଅନେକ ବଳ ଦେବ । ଏଠାରେ ଆମେ ପରସ୍ପରର ଅଧିକ ନିକଟବର୍ତ୍ତୀ ହୋଇ ଆସିବା ଏବଂ ଆମକୁ ଏକାଠି କରି ଏଠାକୁ ଆଣିଥିବା ଅସଲ ସୂତ୍ରଟିକୁ ଅଧିକ ସତ୍ୟ ରୂପରେ ଅନୁଭବ କରିପାରିବା । ଆମର ଏହି କଳଙ୍କିଲଗା ଯୁଗଟାର ଗୁରୁଜନମାନେ ଆମକୁ ଶୀତଳ ହୋଇଯିବା ପାଇଁ, ବସିଯିବା ପାଇଁ ଅଥବା ନଗରଯାକର ଚିହ୍ନା କୀର୍ତ୍ତନଗୁଡ଼ାକରେ ମିଶିଯିବା ପାଇଁ ଯେତେ ପରାମର୍ଶ ଦେବେ, ଆମେ ସେଥିରେ ମୋଟେ ଭୁଲିଯିବା ନାହିଁ । ମାଆଙ୍କ ଭାଷାରେ, ‘‘ଭବିଷ୍ୟତର ନୂତନ ଜୀବନ ଲାଗି ପ୍ରସ୍ତୁତ ହେବାକୁ ଏବଂ ତାହାରି ଉପଲବ୍ଧିର କ୍ଷେତ୍ରରେ ସକ୍ରିୟ ଓ ସାର୍ଥକ ଭାବରେ ଅଂଶ ଗ୍ରହଣ କରିବାକୁ ଯଦି ଆମେ ପ୍ରକୃତରେ ଇଚ୍ଛା କରୁଥିବା, ତେବେ, ଜୀବନ ବର୍ତ୍ତମାନ ଯେପରି ରହିଛି, ତାହାରି ସହିତ ଖାପ ଖାଇଯିବା ଲାଗି ଓ ତଦ୍ଦ୍ୱାରା ଏକ ସଫଳତା ଲାଭ କରିବା ଲାଗି ଆମେ କଦାପି ନିଜର ସମ୍ମତି ଦେବା ନାହିଁ ।’’ ତେବେ ଯାଇ ଏହି ପର୍ବତ–ଆରୋହଣ ସଫଳ ହେବ ।

ଆପଣମାନଙ୍କୁ ସମସ୍ତଙ୍କୁ ମୋର ସ୍ଵାଗତ – ନମସ୍କାର ।

ପୁରୀ ୨୬.୧୨.୮୦

ଜାନୁଆରୀ, ୧୯୮୧

Image

 

ସିଂହାବଲୋକନ–ସମ୍ମୁଖାବଲୋକନ

 

ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରୟୋଗ ଆଉ ପ୍ରୟୋଗର ଅବସ୍ଥାରେ ନାହିଁ । ଏହା ଏକ ବାସ୍ତବ ଧାରାରେ ପରିଣତ ହୋଇଛି । ତଥାପି ପ୍ରୟୋଗ ଚାଲିଛି, କିନ୍ତୁ ତେବେ ବି ଏହାକୁ ଆଉ କେବଳ ଏକ ପ୍ରୟୋଗ ବୋଲି କୁହାଯାଇ ପାରିବ ନାହିଁ ।

 

ଆମ ଚାରିଆଡ଼େ ସମସ୍ତେ ଅବିଶ୍ଵାସର କଥା କହୁଛନ୍ତି, ତଥାପି ଆମେ ବିଶ୍ଵାସ ଉପରେହିଁ ଭରସା ରଖିଛୁ । ଏହି ବିଶ୍ଵାସ ଆମକୁ ନାନା ଅବର୍ଜିଆ ନିର୍ଭରଶୀଳତାରୁ କ୍ରମଶଃ ମୁକ୍ତ ନେଇ ଆସୁଛି । ଆମ ବିଶ୍ଵାସ ଆମକୁ ବଳ ଦେଉଛି । ଯେଉଁ ବଳ ଯାବତୀୟ ଦମ୍ଭକୁ ଚୂର୍ଣ୍ଣ କରେ ଓ ଯାବତୀୟ ସଂଶୟକୁ ଦୂର କରେ, ଠିକ୍ ସେହି ବଳ । ଆମ ଚାରିଆଡ଼େ ସମସ୍ତେ ଏହି ପୃଥିବୀରେ ସବୁକିଛି କେବଳ ନିମ୍ନଗାମୀ ହେବାକୁ ଆରମ୍ଭ କଲାଣି ବୋଲି ଉଦାହରଣ ପରେ ଉଦାହରଣ ଦେଇ ହାହାକାର କରିବାରେ ଲାଗିଛନ୍ତି । ଆମର ଅସଲ ଗଭୀରଟିରେ ସେହି ଇପ୍‍ସିତ ଊର୍ଦ୍ଧ୍ଵର ଯାବତୀୟ ପ୍ରତିଶ୍ରୁତି ଆମ ଲାଗି ଅପେକ୍ଷା କରି ରହିଛି ବୋଲି ଆମେ ଅନୁଭବ କରୁଛୁ । ଉଦାହରଣ ଖୋଜିବାକୁ ଆମେ ଆଗ ବାହାରକୁ ଯାଉନାହୁଁ । ଆମ ନିଜକୁ ସତେ ଅବା ଏକ ସମ୍ଭାବ୍ୟ ଉଦାହରଣ ଭାବି ଆମେ ଭୂମିକର୍ଷଣ କରୁଛୁ ଓ ତାହାରି ଉପରେ ଭବିଷ୍ୟ ସଂକ୍ରମଣର ଯାବତୀୟ ଫଳକୁ ଫଳାଇବୁ ବୋଲି ଶରଧା ରଖିଛୁ ।

 

ଆମେ ପରସ୍ପର ଉପରେ ବିଶ୍ଵାସ ରଖିଛୁ । ଏହି ପାରିସ୍ପରିକତାର ପଥ ଦେଇ ସବୁରି ହୃଦୟ ଭିତରେ ବିରାଜି ରହିଥିବା ପରମ ଦିବ୍ୟତା ଆଡ଼କୁ ବାଟ ପଡ଼ିଛି ବୋଲି ଆମର ଗଣିତଶାସ୍ତ୍ର ଆମକୁ କୋଉଦିନୁଁ କହି ସାରିଲାଣି । ଆମ ଭିତରୁ ସମସ୍ତେ ଏକା କାମ କରୁ ନାହାନ୍ତି । କିଏ ପାଠ ପଢ଼ାଉଛି, କିଏ ବିଦ୍ୟାଳୟର ହତା ଭିତରେ ଗଛଟିଏ ଆଣି ଲଗାଉଛି, କିଏ ଗୀତ ଶିଖାଉଛି, କିଏ ଛବି ଆଙ୍କି ପିଲାଙ୍କର ନୂତନ ସମ୍ଭାବନା ଗୁଡ଼ିକୁ କଳିବାର ଚେଷ୍ଟା କରୁଛି, କିଏ ବାହାରକୁ ଦେଖିଲା ଭଳି ମୋଟେ କିଛି ନକଲେ ମଧ୍ୟ ଆମ ସହିତ କେଡ଼େ ଉନ୍ମୁକ୍ତ ହୋଇ ଘଡ଼ିଏ ଚୁପ୍ ହୋଇ ବସିବାକୁ ଆସୁଛି । ଆମେ ସମସ୍ତେ ଗୋଟିଏ ସୂତ୍ରରେ ବନ୍ଧା ହୋଇ ରହିଛୁ । ଭବିଷ୍ୟର ଏକ ସମାଜ, ଯେଉଁଠି ଉଚ୍ଚ ନୀଚ ରହିବେ ନାହିଁ, ଭିନ୍ନ ଭିନ୍ନ ଜାତି ଓ ପାହାଚ ରହିବ ନାହିଁ । ଗୋଟିଏ ମଣିଷ ଆଉ ଗୋଟିଏ ମଣିଷକୁ ଗିଳି ପକାଇବା ଲାଗି ମୋଟେ ମନ କରିବ ନାହିଁ,– ସେହି ସମାଜର ଏକ ସପ୍ନ ଆମକୁ ବର୍ତ୍ତମାନର ଭୂମି ଉପରେ ଆଣି ଏକତ୍ର କରାଇଛି । ଆମକୁ ପରସ୍ପରର ସହଚାରୀ କରିଛି । ଆମର ନୂଆ ବିଦ୍ୟାଳୟଗୁଡ଼ିକ ସେହି ସହଚାରିତା ଓ ସହଭାଗିତାର ପ୍ରତୀକ ହୋଇ ରହିଛି, ଏକ ଦୃଶ୍ୟମାନ ସନ୍ତକ ହୋଇ ରହିବାକୁ ଚେଷ୍ଟା କରୁଛି । ସେଇଥିଲାଗି ଏଗୁଡ଼ିକ ଆମକୁ ଏତେ ଭଲ ଲାଗୁଛି । ଶ୍ରୀ ଅରବିନ୍ଦ ମନୁଷ୍ୟକୁ ଏକ ପ୍ରତୀକ ବୋଲି କହିଛନ୍ତି । ବର୍ତ୍ତମାନ ଭିତରେ ଯେଉଁ ଭବିଷ୍ୟର ବୀଜଟି ନିହିତ ହୋଇ ରହିଛି, ଉପରିଭାଗର ଏହି ଅନ୍ଧକାର ଏବଂ ଅସଂପୂର୍ଣ୍ଣତା ଭିତରେ ଯେଉଁ ପୂର୍ଣ୍ଣ ପ୍ରତିଶ୍ରୁତିଟି ପ୍ରଚ୍ଛନ୍ନ ହୋଇ ରହିଛି, ଆମେ ଜଣେ ଜଣେ ମଣିଷ ହିସାବରେ ତାହାରି ପ୍ରତୀକ ଓ ତାହାରି ସନ୍ତକ । ଆମର ଯାବତୀୟ ସାମାଜିକ ଉଦ୍ୟମ ଭିତରେ ବି ସେହି ପ୍ରତୀକ ଆମକୁ ପ୍ରେରଣା ଦେଉଛି, ଆମକୁ ପରସ୍ପରର ଅଧିକ ନିକଟବର୍ତ୍ତୀ କରାଉଛି, ସତ୍ୟର ଅଧିକ ନିକଟବର୍ତ୍ତୀ କରାଉଛି । ଆମ ବିଦ୍ୟାଳୟ ସେହି ପ୍ରତୀକଟିର ପ୍ରକାଶ ଲାଗିହିଁ କ୍ଷେତ୍ର ପ୍ରସ୍ତୁତ କରୁଛି, ଉପାଦାନକୁ ତିଆରି କରୁଛି, ଦୃଷ୍ଟିଗୁଡ଼ିକ ସଜାଡ଼ି ରଖୁଛି ।

 

ଆଗକୁ ଆହୁରି ଅନେକ ବାଟ ବାକୀ ରହିଛି । ନିଜ ଭିତରେ ଆହୁରି ଅଧିକ ସହଜ ହେବା ବାକୀ ରହିଛି, ନିଜ ନିଜ ଭିତରେ ଆହୁରି ଅଧିକ ଅକୃତ୍ରିମ ହେବା ବାକୀ ରହିଛି । ଏପର୍ଯ୍ୟନ୍ତ ପୁରୁଣା ସଂସାରଟା ଭିତରେ ସୁରୁଖୁରୁରେ ଚଳିବା ପାଇଁ ଆମେ ପରସ୍ପର ଭିତରେ କେତେ କେତେ ଦୂରତାର ଭିଆଣ କରି ରଖିଛୁ, କପଟତାଗୁଡ଼ାକୁ ଚତୁରତା ବୋଲି କହିବାକୁ ଚେଷ୍ଟା କରୁଛୁ, ବଙ୍କା ହେବାକୁ ଆଧୁନିକତା ବୋଲି କହି ନିଜ ପାଖରେ ଆମେ କେତେ ବୁଝାଇ ହୋଇଛୁ । ଆମ ବିଦ୍ୟାଳୟର ପିଲାଏ ଆମକୁ ବାଟ ଦେଖାଇବେ, ଆମ ଭିତରେ ରହିଥିବା ପୁରୁଣାଗୁଡ଼ାକୁ ସେମାନେ ପଦାରେ ପକାଇବେ ଓ ଆମକୁ ଅଧିକରୁ ଅଧିକ ଯୋଗ୍ୟ, ଅର୍ଥାତ୍ ଅଧିକରୁ ଅଧିକ ସ୍ଵଚ୍ଛନ୍ଦ, ସହଜ ଏବଂ ଆତ୍ମୀୟତାପୂର୍ଣ୍ଣ ହେବାକୁ ଶିଖାଇବେ । ସେମାନଙ୍କୁ ପାଠ ପଢ଼ାଇବାର, ନିର୍ଭୟ କରି ରଖିବାର କାର୍ଯ୍ୟକ୍ରମଗୁଡ଼ିକ ଭିତରେ ଆମ ଭିତରେ ବି ଏକ ପରିବର୍ତ୍ତନ ଘଟିବାରେ ଲାଗିଥିବ-

 

ଯେଉଁମାନେ ଅବିଶ୍ଵାସ ଭିତରେ ଥାଇ ମଧ୍ୟ ବିଶ୍ଵାସର କଥା କହୁଛନ୍ତି, ନାନାବିଧ ପଳାୟନ ଏବଂ ପୌତ୍ତଳିକତାର ଏହି ପୁରୁଣା ଗହନଟା ଭିତରେ ବାସ କରୁ ଥିଲେ ମଧ୍ୟ ଯେଉଁମାନେ ତଥାପି ଭିତର ସହିତ ବାହାରର ଏକ ସେତୁ ପକାଇ ପାରୁଛନ୍ତି ଓ ସେହି ସେତୁ ଉପରେହିଁ ସତ୍ୟର ଠାବ କରୁଛନ୍ତି, ସେମାନେ ସଂଖ୍ୟାରେ ଅତି ଅଳ୍ପ ସତ, ମାତ୍ର ସେହିମାନଙ୍କର ଦିନହିଁ ଆସୁଛି । କାରଣ, ସେମାନେ ଯେଉଁ ପ୍ରୟାସଟି ଲାଗି ଆପଣାକୁ ସମର୍ପିତ କରି ରଖିଛନ୍ତି, ଆଗାମୀ ପୃଥିବୀରେ ତାହାରି ପ୍ରତିଷ୍ଠା ହେବାକୁ ଯାଉଛି । ଏହି ସଂକଳ୍ପବଦ୍ଧ ମଣିଷ କ୍ଷମତା ଚାହୁ ନାହିଁ, ଦେବତା ପାଖରୁ ସିଏ କିଛି ହେଲେ ମାଗୁନାହିଁ । ଦେବତା ପାଖରେ ଦେବା ଲାଗି ଅଧିକରୁ ଅଧିକ ସମ୍ମତ ହେବାକୁହିଁ ପ୍ରକୃତ ଦ୍ଵାରୋଦ୍‍ଘାଟନ ବୋଲି ସିଏ ବିଶ୍ଵାସ ରଖିଛି ।

 

ଆମେ ଆମ ନୂଆ ବିଦ୍ୟାଳୟଗୁଡ଼ିକର ମାଧ୍ୟମରେହିଁ ପୁରୁଣା ସଂଶୟଗୁଡ଼ାକ ଭେଦିବା, ପୁରୁଣା ଅଳ୍ପତାଗୁଡ଼ାକର ସମ୍ମୁଖୀନ ହେବା । ଆମ ବିଦ୍ୟାଳୟକୁ ଦେଖିଲା ବେଳକୁ ସତେଅବା ଆଗାମୀ କାଲିକୁ ଦେଖିଲା ଭଳି ଲାଗୁଥିବ । ଆମ ବାହାରେ ନାଗରା ବାଜିଲା ପରି ଆଦୌ କିଛି ଘଟୁନଥିବ, ତଥାପି ଆମେ ଭିତରେ ବଦଳି ବଦଳି ଯାଉଥିବା, ଅସମ୍ମତିଗୁଡ଼ାକୁ ସମ୍ମତିରେ ପରିଣତ କରିବାରେ ଲାଗିଥିବା । ଆମେ ଦିନୁଁ ଦିନ ଅଧିକ ହାଲୁକା ହୋଇ ପାରୁଥିବା, ଅଧିକ ଖୁସୀ ହୋଇ ପାରୁଥିବା, ଅଧିକ ଖୁସୀ ଦେଇ ପାରୁଥିବା । ଆମ ଶରୀରଟା ବି ଏଗୁଡ଼ାକୁ ସ୍ମରଣ ରଖିବାର ଯୋଗ୍ୟ ହେବାରେ ଲାଗିଥିବ । ଆ୩ମ ପ୍ରାଣିକ ଭାଗଟିର ସକଳ ଉଦ୍ଦୀପନା ଏକ ସାର୍ଥକ ପ୍ରାର୍ଥନାସଂଗୀତ ହୋଇ ଫୁଟି ଉଠିବାର ଅଭିଳାଷ ରଖିଥିବ ଓ ଆମର ମନ ଆପଣାର ଭିତରେ ଅନୁଭବ କରିବାକୁ ସମର୍ଥ ହେଉଥିବ । ତା'ପରେ ଅସଲ ଅନ୍ତଃସୂତ୍ରଟି ଆମ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେହିଁ ଅନୁଭୂତ ହେବାକୁ ଲାଗିବ ।

 

ମଇ-ଜୁନ୍, ୧୯୮୧

Image

 

ତଳି ଛାଡ଼ିଯିବାର ବିପତ୍ତି

 

ଓଡ଼ିଶାରେ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକ ସର୍ବପ୍ରଥମେ ସହରରେ ଆରମ୍ଭ ହୋଇଥିଲା । ସହରରୁ ତାହା ଗାଆଁକୁ ବ୍ୟାପିଲା । ଓଡ଼ିଶାରେ ସହର ସଂଖ୍ୟା ବା କେତେ ଥିଲା ଯେ ଏଡ଼େ ବଡ଼ ଗୋଟାଏ ଆହ୍ଵାନକୁ ଖାଲି ସହରଗୁଡ଼ାକ ଯାବୁଡ଼ି କରି ଧରିଥାନ୍ତେ ଓ ତାହାକୁ ଗାଆଁ ଆଡ଼କୁ ପ୍ରସାରିତ ହେବାକୁ ଦେଇ ନଥାନ୍ତେ ? ସହରରୁ ଗାଆଁକୁ ପ୍ରସାରିତ ହୋଇ ପ୍ରଥମରେ ପ୍ରଧାନତଃ ଏକ ଅନିଶ୍ଚୟତାପୂର୍ଣ୍ଣ ଉଦ୍ୟମ ହୋଇ ରହିଥିବା ପ୍ରେରଣାଟି ପ୍ରାୟ ଏକ ଆନ୍ଦୋଳନର ବୃହତ୍ତା ଧାରଣ କଲା । ପୂର୍ଣ୍ଣାଙ୍ଗ ବିଦ୍ୟାଳୟଗୁଡ଼ିକୁ ଆରମ୍ଭ କରିଥିବା ପାଠଚକ୍ରଗୁଡ଼ିକ ମଧ୍ୟ ପ୍ରଥମେ ସହରରେ ଗଢ଼ା ହୋଇଥିଲେ । ସହରବାସୀ ପ୍ରଥମେ ଶ୍ରୀଅରବିନ୍ଦ ସାହିତ୍ୟ ପଢ଼ିଲେ, ପ୍ରଥମେ ଆଶ୍ରମ ବି ଗଲେ । କିନ୍ତୁ ସଂପୂର୍ଣ୍ଣତଃ ବିଧିନିର୍ଦ୍ଦିଷ୍ଟ ଭାବରେ ଏହି ପାଠଚକ୍ର ଆନ୍ଦୋଳନଟା ବି ସହରରେ ସୀମାବନ୍ଧ ହୋଇ ରହିଲା ନାହିଁ । ତାହା ଗାଆଁକୁ ବ୍ୟାପିଲା । ଗାଆଁ ଓ ସହର ଉଭୟଙ୍କୁ ଆଲୋଡ଼ିତ କରି ଆଗକୁ ଗତି କଲା ।

 

ସହରରେ ଗହଳଚହଳ ଥାଏ । କୋଳାହଳ ବି କମ୍ ନଥାଏ । ସରକାରୀ କୋଠାଗୁଡ଼ାକ ସେହି ସହର ଭିତରେ ଥାଏ । ସବୁକଥା ସହଜରେ ସାଧ୍ୟ ହୋଇଯିବ ବୋଲି ମନେ ହୁଏ । ସିଦ୍ଧିଗୁଡ଼ାକ ହାତପାଆନ୍ତକୁ ନଇଁ ଆସିବାପରି ମନେ ହେଉଥାନ୍ତି । ସହରରେ ପଇସା ବି ଥାଏ । ପଇସା ହେଲେ ସବୁ ହୋଇଯିବ ବୋଲି ଏକ ସହଜ ଭ୍ରମ ବି ଅନେକ ସମୟରେ ହୁଏ । କିନ୍ତୁ ସହରରେ ଚେର ନଥାଏ । ସାରା ପୃଥିବୀରେ ସହରଜୀବନ ସହ ସହରିଆ ଦୃଷ୍ଟି ଯେ ଏମିତି ସବୁଠାରେ ଚେରହୀନ ହୋଇ ରହି ଆସିଛି, ସମୀକ୍ଷକମାନେ ସେକଥା ସବୁବେଳେ କହି ଆସିଛନ୍ତି-। ଚେରଗୁଡ଼ାକ ଗାଆଁରେ ଥାଏ, ଭୂଇଁର ଅନେକ ତଳକୁ ଯାଇଥାଏ । ଉପରୁ ଦେଖିବାକୁ ସେଠି ହୁଏତ କୌଣସି ଚହଳଚମକ ନଥାଏ, ଶାଖାଗୁଡ଼ାକ ଫୁଲ ଆଉ କଷିର ଶୋଭାରେ ହୁଏତ ମୋଟେ ଭାଙ୍ଗିପଡ଼ୁନଥାନ୍ତି । ତଥାପି ଗାଆଁରେ ଯାହାକିଛି ହୁଏ, ତାହାର ଚେର ଅନେକ ତଳକୁ ଭେଦି କରି ରହିଥାଏ । ଉଦ୍ୟମଗୁଡ଼ାକ ବାହାରକୁ ଯେଡ଼େ ଅସମର୍ଥ ହୋଇ ଦେଖାଯାଉଥିଲେ ମଧ୍ୟ ତଥାପି ଭିତରର ମୂଳଦୁଆଗୁଡ଼ାକ ସୁଦୃଢ଼ କେତେ ନା କେତେ ପ୍ରତିଶ୍ରୁତିରେ ଭରି ରହିଥାଆନ୍ତି ।

 

ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସହରରେ ଅଛି, ଗାଆଁରେ ଅଛି । ସହର ଅପେକ୍ଷା ଗାଆଁରେ ଅଧିକତର ସଂଖ୍ୟାରେ ରହିଛି । ସଂଯୋଜକ, ସଂସ୍ଥାପକ ଓ ସମର୍ଥକମାନେ ସହରରେ ଅଧିକତର ସଂଖ୍ୟାରେ ଅଛନ୍ତି । ସହରର ସ୍କୁଲଗୁଡ଼ାକରୁହିଁ ସରକାର ପାଖ ଦେଖା ଯାଉଛନ୍ତି । ସଫଳତାଗୁଡ଼ାକ ମଧ୍ୟ ଦାଣ୍ଡରେ ଆସି ପହଞ୍ଚି ଗଲେଣି ବୋଲି ସହରରେ ଅଧିକ ମନେ ହେଉଛି । ସହରରେ ବେଗ ରହିଛି, ବେଗସୂଚକ ଯାନମାନ ରହିଛି । ସହରରେ ମସ୍ତିଷ୍କଗୁଡ଼ାକ ଅଛନ୍ତି । ଖାତାପତ୍ର ଆଉ ହିସାବ କିତାବରେ ସବୁ ଦୋରସ୍ତ ହୋଇ ରହିଛି । ଦପ୍ତର ଅଛି, ଦପ୍ତରୀ ଅଛନ୍ତି । ପୋଷାକ ଅଛି, ପରିପାଟୀ ଅଛି । ସବୁକିଛି କେଡ଼େ ପରିଛନ୍ନ ଦେଖାଯାଉଛି । କିନ୍ତୁ ଗାଆଁରେ କ'ଣ ଅଛି ? ଗାଆଁର ସ୍କୁଲଗୁଡ଼ାକୁ ଚାହିଁଦେଲା ମାତ୍ରକେ ଆମ ସମସ୍ତଙ୍କୁ ଯେ ଆହୁରି ଅନେକ ବାଟ ଯିବାକୁ ବାକୀ ରହିଛି, ସେହି କଥାଟି ଭାରି ସ୍ପଷ୍ଟ ହୋଇ ଯାଉଛି । ଆମର ଅନେକ ଗଭୀରରେ, ଯେଉଁଠି ଯଥାର୍ଥ ବିଶ୍ଵାତ୍ମୀୟତାଟି ଆମ ଲାଗି ଅପେକ୍ଷା କରି ରହିଛି, ସେଇଟିକୁ ସ୍ପର୍ଶ କରି ପାରିବାକୁ ହେଲେ ଆମକୁ ଯେ ଆହୁରି ଅନେକ ଅଧିକ ପରିମାଣରେ ଗଭୀରକୁ ଯିବାକୁ ପଡ଼ିବ, ଆହୁରି ଅନେକ ଅଧିକ ସମର୍ପଣର ଯୋଗ୍ୟ ହେବାକୁ ପଡ଼ିବ ଓ ଆହୁରି ଅନେକ ଅଧିକ ପରିମାଣରେ ସ୍ଵୀକାର କରିନେବାକୁ ପଡ଼ିବ, ସେହି କଥାଟି ପ୍ରାୟ ଜଳଜଳ ହୋଇ ଦିଶିଯାଉଛି । ଚତୁର ମସ୍ତିଷ୍କ ଆମକୁ ଯେଡ଼େ ଅନ୍ୟମନା କରି ରଖିବାକୁ ଫୁସୁଲାଉ ଥିଲେ ମଧ୍ୟ ତଥାପି ଜଳଜଳ ହୋଇ ଦିଶିଯାଉଛି । ଗାଆଁରେ ହୃଦୟ ରହିଛି; ହୃଦୟଭରା ଆନ୍ତରିକତା ରହିଛି, ଅକୃତ୍ରିମ ଖୁସୀ ରହିଛି ।

 

ଖାଲି ମସ୍ତିଷ୍କରେ ମୋଟେ କାମ ଚଳିବ ନାହିଁ । ଖାଲି ହୃଦୟରେ ବି ମୋଟେ କାମ ଚଳିବ ନାହିଁ । ମସ୍ତିଷ୍କ ହୃଦୟର ଅନୁଚାରୀ ହେବ; ତେବେଯାଇ ନୂତନ ଭବିଷ୍ୟଟି ସମ୍ଭବ ହେବ । ହୃଦୟର ସହଯୋଗୀ ହୋଇ ପାରିଲେ ଯାଇ ମସ୍ତିଷ୍କର ଅହଂକାରଗୁଡ଼ାକ ଆତ୍ମଶକ୍ତିରେ ପରିଣତ ହୋଇ ପାରିବ । ଚତୁରତାଗୁଡ଼ାକ ଅସଲ କର୍ମରେ ନିୟୋଜିତ ହୋଇ ପାରିବ । ଯେଉଁମାନେ ପୂର୍ଣ୍ଣାଙ୍ଗ ଶିକ୍ଷାକୁ କେବଳ ଏକ ସଫଳତାକାମୀ ଶିକ୍ଷାକ୍ରମ ବୋଲି ନଦେଖି ସମୂଳ ଓ ସମଗ୍ର ଉତ୍ତରଣର ଏକ ଉନ୍ମୋଚନକାରୀ ଆନ୍ଦୋଳନ ରୂପେ ଦେଖୁଛନ୍ତି, ଯେଉଁମାନେ ଏହି ଶିକ୍ଷାର ପ୍ରୟାସଟି ଭିତରେ ଏକ ସଂପୂର୍ଣ୍ଣ ପରିବର୍ତ୍ତନ ଏବଂ ନବୀକରଣର ଚିତ୍ରଟିକୁ ଦେଖି ପାରୁଛନ୍ତି, ସେମାନେ ସମାନ ଶ୍ରଦ୍ଧାର ସହିତ ହୃଦୟ ଓ ମସ୍ତିଷ୍କ ଉଭୟର ଅଧିକାରୀ ହୁଅନ୍ତୁ, ଉଭୟର ଯୋଗ୍ୟ ହୁଅନ୍ତୁ, ଉଭୟ ତପସ୍ୟା କରନ୍ତୁ । ମଣିଷର ଶରୀର ଭିତରେ ହୃଦୟ କୁଆଡ଼େ ତଳେ ଥାଏ, ମସ୍ତିଷ୍କ ଉପରେ ଥାଏ । ଆମର ଅନୁରକ୍ତିଗୁଡ଼ାକ ତଳ ଛାଡ଼ି ନ ଯାଉ । ମସ୍ତିଷ୍କ ଓ ହୃଦୟ ଏକାଠି ହୋଇ ସମାନ ଆକୂତି ସହିତ ପରସ୍ପରକୁ ଲୋଡ଼ନ୍ତୁ, ପରସ୍ପରକୁ ଅଧିକ ପ୍ରସ୍ତୁତ ଓ ମହିମାନ୍ଵିତ କରନ୍ତୁ ।

 

ଜୁଲାଇ-ଅଗଷ୍ଟ, ୧୯୮୧

Image

 

ଆମ ସମସ୍ତଙ୍କର ମନ୍ଦିର

 

ପାହାଡ଼ ଢାଲୁ ହୋଇ ଯେଉଁଠି ଏକାବେଳକେ ସମତଳ ଭୂଇଁରେ ପରିଣତ ହୋଇ ରାସ୍ତା ଆଡ଼କୁ ପ୍ରସାରିତ ହୋଇ ଆସିଛି, ବିଦ୍ୟାମନ୍ଦିର ସେହିଠାରେ ଅବସ୍ଥିତ । ସ୍ଥାନୀୟ ଲୋକମାନେ କହନ୍ତି, ଆଗେ ଏଠି ଖାଲି ଅରମା ଭର୍ତ୍ତି ହୋଇ ରହିଥିଲା । କେତେ ଢିପ ଆଉ କେତେ ଖମାରେ ସ୍ଥାନଟି ଏକାବେଳକେ ପରିତ୍ୟକ୍ତ ପରି ଦେଖା ଯାଉଥିଲା । ଭୁଲରେ ମଧ୍ୟ କୌଣସି ମଣିଷ ଏଣେ ଆସିବାକୁ ମନ କରୁନଥିଲେ । ଗୋରୁ ବଳଦ ମଲେ ସେହି ଅରମା ଭିତରେ ମଢ଼କୁ ପକାଇ ଦେଇ ଆସୁଥିଲେ ।

 

ବିଦ୍ୟାମନ୍ଦିର ଯେଉଁଠି, ଆଶ୍ରମ ମଧ୍ୟ ସେଇଠି । ପ୍ରଥମେ ଆଶ୍ରମ ହେଲା; ଖାଲଗୁଡ଼ାକ ପୋତା ହେଲା, ଢିପଗୁଡ଼ାକୁ ସମତଳ କରାଗଲା । ଜାଗାଟି କ୍ରମେ ଜାଗାଟିଏ ଭଳିଆ ଦେଖାଗଲା-। ଆଶ୍ରମର ଗୋଟିଏ ପାଖରେ ପିଜୁଳି ବଗିଚା, ପ୍ରାୟ ଦୁଇ ପୁରୁଷ ତଳେ ଗଛଗୁଡ଼ିକ ଲଗା ହୋଇଥିଲା । ସେତେବେଳେ ଏଠି ରାଜ୍ୟରେ ରାଜା ଥିଲେ । ରାଜାଙ୍କର ଦେବାନ ଥିଲେ । ଦେବାନ ବାହାଦୁର ରାଜାଙ୍କଠାରୁ ଏହି ପାହାଡ଼ତଳିଟାକୁ ନିଜ ନାମରେ ଲେଖିଆଣି ଅରାକରେ ପିଜୁଳି ଲଗାଇ ଥିଲେ । ଆଉ ଅରାଏ ଅରମା ହୋଇ ପଡ଼ିଥିଲା; ସେଥିରେ କେବେହେଲେ ମଣିଷର ହାତ ବାଜି ନଥିଲା । ମଣିଷର ହାତ ଲାଗି ସେହି ଅରମା ଆଶ୍ରମ ହେଲା । ଯେଉଁ ହାତ ବାଜିଲେ ଅସୁନ୍ଦର ସୁନ୍ଦର ହୁଏ,ଅରଣ୍ୟ ଘର ପରି ଦେଖାଯାଏ, ସେହି ହାତକୁ ସାଧକର ହାତ ବୋଲିହିଁ କୁହାଯିବ ।

 

ଆଶ୍ରମରେ ସାଗୁଆନ୍ ଗଛ ଲାଗିଛି; କଦଳୀ ଲାଗିଛି । କେତେ ପ୍ରକାରର ଫୁଲଗଛ ଲାଗିଛି । ସବୁ ମିଶି ପ୍ରାକୃତିକ ଉପବନଟିଏ ପରି ଦେଖା ଯାଉଛି । ମଣିଷ ଯେ ମନକଲେ ସବୁଜ ବନଟି ଭିତରେ ଏକ ସାଧନାଳୟର ପରିପାଟୀକୁ ଆଣି ଯୋଡ଼ି ଦେଇ ପାରିବ, ଚତୁର୍ଦ୍ଦିଗର ଗଛଗୁଡ଼ିକ ଆଡ଼କୁ ନିଶ୍ଚଳ ଓ ଅନ୍ତରଙ୍ଗ ଭାବରେ ଅନାଇ ଦେବା ମାତ୍ରକେ ମନ ଭିତରେ ସେହି ପ୍ରତ୍ୟୟଟିକୁ ସତେଅବା ଅତ୍ୟନ୍ତ ମୂର୍ତ୍ତ ଭାବରେ ଅନୁଭବ କରି ହେଉଛି । ଆଶ୍ରମ ଅତ୍ୟନ୍ତ ସ୍ଵାଭାବିକ ଭାବରେ ବିଦ୍ୟାମନ୍ଦିରକୁ ଜନ୍ମ ଦେଇଛି । ବିଦ୍ୟାମନ୍ଦିର ଅର୍ଥାତ୍ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର । ଆଗେ ଗଡ଼ଜାତମାନଙ୍କରେ ସ୍କୁଲ ସପନ ହୋଇ ରହିଥିଲା । ଏବେ ମଧ୍ୟ ଏହି ଅଞ୍ଚଳରେ ସ୍କୁଲ ବିଷୟରେ ଯାବତୀୟ ଧାରଣା ପ୍ରଧାନତଃ ସେହି ଗଡ଼ଜାତିଆ ଢଙ୍ଗର ହୋଇ ରହିଛି । ତଥାପି ସକଳ ଅତୀତକୁ ପ୍ରାୟ ସ୍ଵଭାବଟିକୁ ବଞ୍ଚାଇ ରଖିବାର ଉଦ୍ୟମ କରୁଛି । ଏତିକି କରିବା ବି କମ୍ ଦୁଃସାହସର କଥା ନୁହେଁ ।

 

ଯିଏ ଆଶ୍ରମରେ ସର୍ବପ୍ରଥମ ସାଧକ ହୋଇ ଆସିଥିଲେ, ବିଦ୍ୟାଳୟଟି ଆରମ୍ଭ ହେବା ପରେ ସେଇ ବିଦ୍ୟାଳୟଟିର ସର୍ବପ୍ରଥମ ଶିକ୍ଷକ ହେଲେ । ନିଜ ସମୟକୁ ଭାଗ କରି ସିଏ କିୟଦଂଶ ବିଦ୍ୟାଳୟ ସକାଶେ ବି ଦେଲେ । ତାହା ହୁଏତ ଆଶ୍ରମକୁ ପାଇଲା ନାହିଁ କିମ୍ବା ବିଦ୍ୟାଳୟକୁ ପାଇଲା ନାହିଁ ସତ, ତଥାପି ଆଶ୍ରମ ଓ ବିଦ୍ୟାଳୟ ଦୁହେଁ ପରସ୍ପରର ଅନୁପୂରକ ହୋଇ ରହିଲେ, ପରସ୍ପରର ଦୁଃଖରେ ଭାଗୀ ହୋଇ ବାଟ ଚାଲିଲେ । ଯେଉଁ ଗାଆଁର ନକ୍ସାରେ ଆଶ୍ରମର ଜମି ଖଣ୍ଡକ ଥିଲା, ସେଇ ଗାଆଁର ଅସଲ ବସତି ଟିକିଏ ଦୂରରେ । ପାଖରେ ଯେଉଁମାନେ ଘର କରି ରହିଛନ୍ତି, ସେମାନେ ହୁଏତ କୌଣସି ଅସରଣରେ ପଡ଼ିହିଁ ଏଣେ ଆସିଛନ୍ତି-। ଏମାନେ ନୀରସ ଜାତିର ଲୋକ, ଦରିଦ୍ର ଶ୍ରେଣୀର ଲୋକ । ଗାଆଁରେ ଥିବା ଅସଲ ଘରଗୁଡ଼ିକର ପିଲା ଗାଆଁରେ ଥିବା ସରକାରୀ ସ୍କୁଲକୁ ପାଠପଢ଼ି ଯାଆନ୍ତି । ସେଠାରେ ସରକାରଙ୍କ ଦ୍ଵାରା ନିଯୁକ୍ତ ଶିକ୍ଷକମାନେ ସେମାନଙ୍କୁ ପାଠ ପଢ଼ାନ୍ତି । ତେଣୁ, ସେଠାରେ ଗୋଟିଏ ସ୍କୁଲ ଚାଲୁଛି ବୋଲି ଗ୍ରାମବାସୀମାନଙ୍କର ବିଶ୍ଵାସ ହୁଏ । ଯେଉଁ ପିଲାମାନେ ସେହି ସ୍କୁଲକୁ ଯାଇ ନପାରନ୍ତି, ଯେଉଁମାନଙ୍କର ବାପ ମାଆ ପିଲାମାନଙ୍କର ସ୍କୁଲ ଯିବାଟାକୁ ହୁଏତ ସେମାନଙ୍କର ସଂସାର–ଯୋଜନାରେ ମୋଟେ ଅତ୍ୟାବଶ୍ୟକ ବୋଲି ଗ୍ରହଣ କରିନଥାନ୍ତି, ମୁଖ୍ୟତଃ ସେହି ପିଲାମାନେ ବିଦ୍ୟାମନ୍ଦିରକୁ ଆସନ୍ତି । ଅଧିକାଂଶ ଦିନ ସେମାନଙ୍କୁ ତାଙ୍କ ଘରକୁ ଯାଇ ଡାକି ଆଣିବାକୁ ପଡ଼େ । ଅଧିକାଂଶ ଦିନ ସେମାନେ ସକାଳୁ ଘରେ କିଛି ନ ଖାଇ ସ୍କୁଲକୁ ଆସନ୍ତି । ସ୍କୁଲରେ ପ୍ରତିଦିନ ଖେଳଛୁଟି ସମୟକୁ ଆମେରିକାରୁ ମାଗଣା ମିଳିଥିବା ପୁଷ୍ଟିଯୁକ୍ତ ଗହମ ପିଲାମାନଙ୍କୁ ରାନ୍ଧି ଖାଇବାକୁ ଦିଆଯାଏ । ହୁଏତ ତାହାରି ଆକର୍ଷଣରେ କେତେ ପିଲା ଉପାସରେ ଘରେ ନରହି ସ୍କୁଲକୁ ପାଠପଢ଼ି ଆସୁଥିବେ ।

 

ତଥାପି ବିଦ୍ୟାମନ୍ଦିରର ପିଲାଙ୍କ ଭିତରେ ଖୁସୀର ପରିମାଣ କୌଣସି ଗୁଣରେ ମୋଟେ କମ୍ ନଥାଏ । ସେମାନେ ମଇଳା ପିନ୍ଧନ୍ତି, ଛିଣ୍ଡା ଜାମା ତଳୁ ଉଚ୍ଚ ଉଚ୍ଚ ପେଟଟିମାନ ସତେ ଅବା ସାନ ସାନ କୁଦଟି ପରି ବାହାରକୁ ଫୁଟି ଦିଶୁଥାଏ ଗୋଡ଼ଗୁଡ଼ିକ ବଙ୍କା ବଙ୍କା ହୋଇ ପଡ଼ୂଥାଏ । ତଥାପି ଖୁସୀ ଥାଆନ୍ତି । ସ୍କୁଲ ବୋଲି ବଖରାଏ ଘର । ସିଲଟ ଥିଲେ ଖଡ଼ି ନଥାଏ, ଖାତା ଥିଲେ କଲମ ନଥାଏ, ବହି ଥିବାଟାକୁ ହୁଏତ ଭାଗ୍ୟ ବୋଲି ଧରାଯାଏ । ତଥାପି ସେମାନେ ଖୁସୀ ଥାଆନ୍ତି । ଶିକ୍ଷକଙ୍କୁ ଭାଇ ବୋଲି ଡାକନ୍ତି । ଭାଇଙ୍କ ସହିତ ଏକାଠି ବଗିଚାରେ ଖେଳିବାକୁ ଯାଆନ୍ତି, ଓଦା ମାଟିରେ ଭଳି ଭଳି କୋକୀ ଗାତ କରନ୍ତି । ଗୀତ ଗାଆନ୍ତି, ପ୍ରାର୍ଥନା କରନ୍ତି, ସେହି ଭାଇଙ୍କ ସହିତ ଏକାଠି ନୀରବ ହୋଇ ବସି ପାରନ୍ତି । ବାହାରର ଯାବତୀୟ ମଳିନତା ଏବଂ ଅସମ୍ପନ୍ନତା ସତ୍ତ୍ୱେ ସେହି ମୁହୂର୍ତ୍ତଗୁଡ଼ିକ ସତେ ଅବା କେତେ ସମ୍ଭାବନାମୟତାରେ ପଲ୍ଲବି ଉଠୁଥାଏ-

 

ଓଡ଼ିଶାରେ ଏପର୍ଯ୍ୟନ୍ତ ପ୍ରତିଷ୍ଠିତ ହୋଇ ସାରିଥିବା ମୋଟ ତିରିଶିଟି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମଧ୍ୟରୁ ବିଦ୍ୟାମନ୍ଦିର ବି ଗୋଟିଏ । ତାହାକୁ ମଧ୍ୟ ସାଙ୍ଗରେ ନେବାକୁ ହେବ । ଅନ୍ୟ ବିଦ୍ୟାଳୟଗୁଡ଼ିକର ସମସ୍ୟା ଓ ସଂଗ୍ରାମ ତୁଳନାରେ ତାହାର ସମସ୍ୟା ଓ ସଂଗ୍ରାମ ଭିନ୍ନ ପ୍ରକାରର ହୋଇଥିଲେ ମଧ୍ୟ ଆମେ ତଥାପି ଅଧିକ ସହାନୁଭୂତି ସହିତ ତାହାରି କଥାଟିକୁ ଭାବିବା । ଯେଉଁ ପିଲାମାନଙ୍କୁ ଆମେ ଆଗାମୀ ଭବିଷ୍ୟର ପ୍ରତୀକ ବୋଲି ସ୍ଵୀକାର କରି ନେଇଛୁ, ବିଦ୍ୟାମନ୍ଦିରର ପିଲାମାନେ ସେମାନଙ୍କଠାରୁ ଆଦୌ ବାହାରେ ନୁହନ୍ତି । ସେମାନେ ମଧ୍ୟ ଆମ କଳ୍ପିତ ଭବିଷ୍ୟତଟିର ଅନ୍ତର୍ଗତ ହୋଇ ରହିବେ । ଆମ ସାଙ୍ଗରେ ପର୍ବତ ଲଂଘିବେ । ବିଦ୍ୟାମନ୍ଦିରରେ ଠିଆ ହୋଇ ସମ୍ମୁଖସ୍ଥ ପାହାଡ଼ ଚୂଡ଼ାକୁ ଆଖି ଲମ୍ବାଇ ଦେଖିଲେ ଠିକ୍ ସେହିପରି ଏକ ଭରସା ମିଳିଯାଉଥିବା ପରି ମନେହୁଏ । ଓଡ଼ିଶାର ସବୁ ପୂର୍ଣ୍ଣାଙ୍ଗ ବିଦ୍ୟାଳୟର ପିଲାଙ୍କ ସହିତ ବିଦ୍ୟାମନ୍ଦିରର ପିଲାମାନେ ମଧ୍ୟ ହାତ ଧରାଧରି ହୋଇ ଏକାଠି ପାହାଡ଼ ଉପରକୁ ଉଠୁଥିବା ପରି ମନେ ହୁଏ ।

 

ସେପ୍‍ଟେମ୍ବର-ଅକ୍ଟୋବର, ୧୯୮୧

Image

 

ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଓଡ଼ିଶା

(ଦ୍ଵିତୀୟ ଅଖିଳ ଭାରତୀୟ ପୂର୍ଣ୍ଣାଙ୍ଗ ଶିକ୍ଷା ସମ୍ମିଳନୀ ଉଦ୍ଦେଶ୍ୟରେ)

 

ଯେଉଁଠି ଶିକ୍ଷକ ଦେବାକୁ ଇଚ୍ଛା କରୁଥାଏ ଓ ଛାତ୍ର ଗ୍ରହଣ କରିବାକୁ ଇଚ୍ଛା କରୁଥାଏ, ଅସଲ ଶିକ୍ଷା ସେହିଠାରେହିଁ ସମ୍ଭବ ହୁଏ । ଅର୍ଥାତ୍ ଯଥାର୍ଥ ଆଗ୍ରହରୁହିଁ ଯଥାର୍ଥ ଶିକ୍ଷା ସମ୍ଭବ ହୁଏ । ଆମର ଛାତ୍ରମାନେ ଅର୍ଥାତ୍ ପିଲାମାନେ ଯେପରି ଶିକ୍ଷା ଗ୍ରହଣ କରିବା ଲାଗି ସ୍ଵତଃ ଏକ ଆଗ୍ରହ ପ୍ରକାଶ କରିବେ, ସେଥିଲାଗି ସ୍କୁଲରେ ଏକ ଉପଯୁକ୍ତ ପରିବେଶଟିଏ ସୃଷ୍ଟି ହୋଇପାରିବା ଦରକାର-। ସେହି ପରିବେଶରେ ଭୟର କୌଣସି ସ୍ଥାନ ରହିବା ଉଚିତ ନୁହେଁ । ଶିକ୍ଷକ ଓ ଶିକ୍ଷାର୍ଥୀ ପରସ୍ପରକୁ ବିଶ୍ଵାସ କରିପାରୁଥିବା ଉଚିତ । ପିଲାମାନେ ବିଦ୍ୟାଳୟକୁ ଆପଣାର ଘର ପରି ଅନୁଭବ କରି ପାରୁଥିବା ଉଚିତ । ନାନା କାରଣରୁ ଆମର ଅଧିକାଂଶ ସ୍କୁଲ ସେଭଳି ଗୋଟିଏ ସ୍ଥାନ ରୂପେ ତିଆରି ହୋଇ ପାରିନାହିଁ । ସେଠି ପିଲାଙ୍କର ମନ ଲାଗୁନାହିଁ ବା ଶିକ୍ଷକଙ୍କର ମନ ଲାଗୁନାହିଁ । ପିଲାମାନେ ଖୁଣ୍ଟରେ ବନ୍ଧାହୋଇ ରହିଥିବା ପରି ଅନୁଭବ କରୁଛନ୍ତି । ଶିକ୍ଷକମାନେ ପ୍ରାୟ ବାଧ୍ୟ ହୋଇ ଶିକ୍ଷକର କାର୍ଯ୍ୟ କରୁଛନ୍ତି, ଚାକିରିଆଙ୍କ ପରି କାମ କରୁଛନ୍ତି ।

 

ଓଡ଼ିଶାରେ ଗତ ପ୍ରାୟ ଦଶବର୍ଷ ହେଲା ଏକ ଭିନ୍ନ ପ୍ରକାରର ଶିକ୍ଷାପ୍ରୟୋଗ ଆରମ୍ଭ ହୋଇଛି । ଶ୍ରୀଅରବିନ୍ଦଙ୍କର ଶିକ୍ଷାଦୃଷ୍ଟିକୁ ମୂଳ ପ୍ରେରଣା ରୂପେ ଗ୍ରହଣ କରି ଏହି ପ୍ରୟୋଗ ଆରମ୍ଭ ହୋଇଛି । ପଣ୍ଡିଚେରୀର ଶ୍ରୀଅରବିନ୍ଦ ଆଶ୍ରମରେ ଗତ ପ୍ରାୟ ତିରିଶି ବର୍ଷ ହେଲା ଯେଉଁ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରର ସ୍ଥାପନା ହୋଇ ଏକ ନୂତନ ଶିକ୍ଷା ଯୋଜନାରେ ପ୍ରୟୋଗ ଓ ବିକାଶ ହୋଇ ଆସିଛି, ଓଡ଼ିଶାର ପୂର୍ଣ୍ଣାଙ୍ଗ ଶିକ୍ଷା ତାହାକୁ ହିଁ ଆଖି ଆଗରେ ଧରି ଆପଣାକୁ ବିକଶିତ କରି ଆଣିଛି । ବର୍ତ୍ତମାନ ଆମ ଓଡ଼ିଶାରେ ଏହି ପୂର୍ଣ୍ଣାଙ୍ଗ ବିଦ୍ୟାଳୟଗୁଡ଼ିକର ସଂଖ୍ୟା ପଇଁତିରିଶି ହେଲାଣି । ଏଗୁଡ଼ିକର ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । କେବଳ ସହରରେ ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ଏହି ବିଦ୍ୟାଳୟମାନ ରହିଛି । ରାଜ୍ୟର ତେରଗୋଟି ଜିଲ୍ଲାରୁ ବାରଗୋଟି ଜିଲ୍ଲାରେ ରହିଛି । କେତେକ ବିଦ୍ୟାଳୟରେ ଆବାସିକ ଶିକ୍ଷାର ମଧ୍ୟ ପ୍ରୟୋଗ କରାଯାଉଛି । ଅନେକ ସ୍ଥାନରେ ଆଦିବାସୀ ପିଲାମାନେ ବି ଏହିସବୁ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି ।

 

ପୂର୍ଣ୍ଣାଙ୍ଗ ଶିକ୍ଷା ଅର୍ଥାତ୍ ମନୁଷ୍ୟ-ଜୀବନର ପୂର୍ଣ୍ଣାଙ୍ଗ ବିକାଶ ଲାଗି ଶିକ୍ଷା । ମସ୍ତିସ୍କ ବ୍ୟତୀତ ମଣିଷର ଶରୀର ରହିଛି, ହୃଦୟ ରହିଛି, ଆତ୍ମା ବି ରହିଛି । ଆତ୍ମାରେ ଭଗବାନଙ୍କର ଅଧିଷ୍ଠାନ ରହିଛି । ଏବେ ପାଠ ନାଆଁରେ ମସ୍ତିସ୍କରେ ଯେଉଁ ନୃଶଂସ ଅତିକର୍ଷଣମାନ କରାଯାଉଛି, ତାହା ଫଳରେ ମଣିଷ କିଞ୍ଚିତ ପରିମାଣରେ ହୁଏତ ଅଧିକ ଚତୁର ହୋଇପାରୁଛି ସତ, ମାତ୍ର ସମଗ୍ର ଜୀବନର ସ୍ତରରେ ଭାରି ସଙ୍କୁଚିତ, କ୍ଷୁଦ୍ର ଓ ରୁଗ୍‍ଣ ହୋଇ ରହିଯାଉଛି । ଆପଣାକୁ ଏକ ବୃହତ୍ତର ସମାଜ ଏବଂ ବୃହତ୍ତର ସତ୍ୟ ଲାଗି ପ୍ରସ୍ତୁତ କରିବା ପରିବର୍ତ୍ତେ ସିଏ ପାଠପଢ଼ି ଅଧିକ ସ୍ଵାର୍ଥପର ହୋଇଯାଉଛି । ଏହି ସବୁର ପରିଣାମ ଆମ ସାମାଜିକ ଜୀବନରେ ପଡ଼ୁଛି । ବିଦ୍ୟାଳୟର ପାରସ୍ପରିକ ସମ୍ପର୍କ ମଧ୍ୟରେ ସହାନୁଭୂତି ଲାଗି କୌଣସି ସ୍ଥାନ ନାହିଁ; ମଣିଷର ଅନ୍ତରଟାକୁ ମୋଟେ ପଚରା ହେଉ ନାହିଁ ।

 

ପୂର୍ଣ୍ଣାଙ୍ଗ ଶିକ୍ଷା ପିଲାକୁ ହିଁ ସକଳ ଶିକ୍ଷଣର ଅସଲ କେନ୍ଦ୍ର ରୂପେ ଗ୍ରହଣ କରିଥାଏ । ସହାନୁଭୂତିକୁ ହିଁ ଶିକ୍ଷାର ସର୍ବ ପ୍ରଧାନ ପଦ୍ଧତି ରୂପେ ଗ୍ରହଣ କରେ । ପିଲାକୁ ଯଥାସମ୍ଭବ ସମଗ୍ର ଭାବରେ ବୁଝି ତା'ର ଅନ୍ତର୍ନିହିତ ଗୁଣ, ଦକ୍ଷତା ଓ ପ୍ରତିଭାଗୁଡ଼ିକ ଯେପରି ନିଃଶଙ୍କ ଭାବରେ ବିକଶିତ ହୋଇ ଆସିବ, ସେଥିରେ ସହଯୋଗୀ ଓ ଜଣେ ସହାନୁଭୂତିଶୀଳ ସଙ୍ଗୀ ହୋଇ କାର୍ଯ୍ୟ କରିବା ହେଉଛି ଶିକ୍ଷକର କର୍ତ୍ତବ୍ୟ । ସିଏ ପିଲାମାନଙ୍କୁ ଗୋଡ଼ିମାଟି ପରି ମଣିବ ନାହିଁ । ସିଏ ପିଲାକୁ ସମ୍ମାନର ଦୃଷ୍ଟିରେ ଦେଖିବ । ପିଲାକୁ ଅଧିକ ଅନ୍ତରଙ୍ଗ ଭାବରେ ବୁଝିବା ଲାଗି ସିଏ ପିଲାର ବାପାମାଆଙ୍କ ସାଙ୍ଗରେ ମଧ୍ୟ ସତତ ସମ୍ପର୍କ ରଖିଥିବ । ଶିକ୍ଷକ ଆପଣାକୁ କୌଣସି ବଗିଚାର ମାଳୀଟିଏ ପରି ଅନୁଭବ କରିପାରୁଥିବ । ବ୍ୟକ୍ତି ସୁନ୍ଦର ହୋଇ ତିଆରି ହୋଇ ପାରିଲେ ସମାଜ ମଧ୍ୟ ଯେ ସୁନ୍ଦର ହୋଇ ପାରିବ, ଶିକ୍ଷକ ଭିତରେ ଏହି ବିଶ୍ଵାସଟି ପ୍ରାୟ ଏକ ବ୍ୟାବହାରିକ ସତ୍ୟ ରୂପେ ଅବସ୍ଥିତ ରହି କାର୍ଯ୍ୟ କରୁଥିବ ।

 

ସର୍ବୋପରି ଜଣେ ଶିକ୍ଷକ ହେବାକୁ ତାକୁ ଭଲ ଲାଗୁଛି ବୋଲି ସେ ଶିକ୍ଷକ ହୋଇଥିବ । ଓଡ଼ିଶାର ପୂର୍ଣ୍ଣାଙ୍ଗ ବିଦ୍ୟାଳୟମାନଙ୍କରେ ଅଧିକାଂଶ ଶିକ୍ଷକ ନିଜ ଭିତରୁହିଁ ଏକ ଆକର୍ଷଣ ଓ ଆକାଙ୍‍କ୍ଷାକୁ ଅନୁଭବ କରି ଶିକ୍ଷକ ହେବାକୁ ଆସିଛନ୍ତି ! ଆପଣା ଭିତରେ ଏବେ ମଧ୍ୟ ଜଣେ ଛାତ୍ର ହୋଇ ରହିଛନ୍ତି ବୋଲି ସେମାନେ ଶିକ୍ଷାକୁ ଧର୍ମ ବୋଲି ଗ୍ରହଣ କରିଛନ୍ତି । ପାରିଶ୍ରମିକ ହିସାବରେ ହୁଏତ ପ୍ରାୟ କିଛି ପାଉନାହାନ୍ତି, ତଥାପି ଆପଣା ମନକୁ ଦଶଗୁଣ ଅଧିକ କାମ କରିବାକୁ ବଳେ ତିଆରି ହୋଇଯାଉଛନ୍ତି । ଆମ ଏ ଯୁଗରେ ଯେ ତଥାପି ଏପରି କେତେ ମଣିଷ ସମାଜରେ ରହିଛନ୍ତି, ବୁଢ଼ା ହୋଇ ବସି ଯେତିକି ଜ୍ଞାନ ଅଛି ତାହାକୁ ହିଁ ଶଠ ସଂସାରର ଏକମାତ୍ର ସତ୍ୟ ବୋଲି ମାନି ନେବାକୁ ଚାରିଆଡ଼ୁ ଯାବତୀୟ ପ୍ରରୋଚନା ମିଳୁଥିଲେ ମଧ୍ୟ, ତଥାପି ଯେ ଏମାନେ ତରୁଣ ହୋଇ ରହିଛନ୍ତି ଓ ଆମ ସଂସାର ଅନ୍ୟ ପ୍ରକାରେ ଚଳିପାରିବ ବୋଲି ଦୃଢ଼ ବିଶ୍ଵାସ ରଖିଛନ୍ତି–ପୂର୍ଣ୍ଣାଙ୍ଗ ଶିକ୍ଷାର ଆନ୍ଦୋଳନରେ ତାହାହିଁ ଏକ ବୃହତ୍ ଆଶାଦାୟକ ସହାୟକ ରୂପେ କାର୍ଯ୍ୟ କରୁଛି-

 

ପୂର୍ଣ୍ଣାଙ୍ଗ ବିଦ୍ୟାଳୟରେ ପିଲାମାନେ ପାଠ ଓ ଖେଳ ଉଭୟ ଭିତରେ ବଢ଼ନ୍ତି । ସେମାନେ ଛବି ଆଙ୍କନ୍ତି, ଶିକ୍ଷକମାନଙ୍କ ସହିତ ଏକାଠି ଗୀତ ଗାଆନ୍ତି ଏବଂ ଏକ ଭୟଶୂନ୍ୟ ଆତ୍ମୀୟତାର ପରିବେଶ ଭିତରେ ଏହିସବୁ ଯାବତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥାଏ । ଯାହା କିଛି ହୁଏ, ତାହା ପଛରେ ଏକ ଆଧ୍ୟାତ୍ମିକ ପାରସ୍ପରିକତା ସର୍ବମୂଳ ଭୂମି ରୂପେ ରହିଥାଏ । ଭାରତୀୟ ଆଧ୍ୟାତ୍ମିକ ସଂସ୍କୃତିରେ ଯାହାକିଛିର ଏକ ସ୍ଥାୟୀ ମାନବିକ ମୂଲ୍ୟ ରହିଛି, ସେହିଗୁଡ଼ିକୁ ଏଠାରେ ଏକ ଅନ୍ତଃସ୍ତରୀୟ ସଂପଦ ରୂପେ ଗ୍ରହଣ କରି ନିଆଯାଏ । ବିଦ୍ୟାଳୟର ପାଠ୍ୟକ୍ରମ ଓ ଶିକ୍ଷାଦାନ ପଦ୍ଧତିକୁ ମଧ୍ୟ ସେହି ଦୃଷ୍ଟିରୁ ଏକ ଅନ୍ୟ ରଙ୍ଗ ଓ ମର୍ମ ଦେଇ ପ୍ରସ୍ତୁତ କରାଯାଇଥାଏ ।

 

ପଣ୍ଡିଚେରୀ ଆଶ୍ରମ ଓ ଓଡ଼ିଶା ବାହାରେ ଭାରତବର୍ଷର ଅନ୍ୟାନ୍ୟ କେତେକ ରାଜ୍ୟରେ ମଧ୍ୟ ପୂର୍ଣ୍ଣାଙ୍ଗ ଶିକ୍ଷାର କାର୍ଯ୍ୟକ୍ରମ ଚାଲିଛି । ଏଗୁଡ଼ିକ ସର୍ବତ ପରସ୍ପରଠାରୁ ସ୍ଵତନ୍ତ୍ର ଭାବରେ ଚାଲିଛି ସତ, ମାତ୍ର ସେମାନେ ପରସ୍ପର ସହିତ ସେହି ଗୋଟିଏ ପ୍ରେରଣା–ସୂତ୍ରରେ ବାନ୍ଧି ହୋଇ ରହିଛନ୍ତି । ସେହି ଗୋଟିଏ ବିଶ୍ଵାସ ଓ ଗୋଟିଏ ସଂକଳ୍ପ ସେମାନଙ୍କୁ ଅଗ୍ରସର କରାଇ ନେଉଥିବା ସଙ୍ଗେ ସଙ୍ଗେ ପରସ୍ପରକୁ କ୍ରମଶଃ ଅଧିକରୁ ଅଧିକ ନିକଟବର୍ତ୍ତୀ ବି କରାଇ ଆଣୁଛି । ୧୯୮୦ ମସିହାରେ ଠିକ୍ ଏହି ସମୟରେ ଏହି ବିଦ୍ୟାଳୟଗୁଡ଼ିକର ଶିକ୍ଷକ ଓ ସଙ୍ଗଠକମାନେ ଦିଲ୍ଲୀରେ ଥିବା ଶିକ୍ଷାକେନ୍ଦ୍ରରେ ଏକତ୍ର ସମ୍ମିଳିତ ହୋଇଥିଲେ । ଏଥର ଦ୍ଵିତୀୟ ବର୍ଷରେ ସେମାନେ ଭୁବନେଶ୍ଵରଠାରେ ସମ୍ମିଳିତ ହେଉଛନ୍ତି – ଏହି ସମ୍ମିଳନୀ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଚାଲିଛି । ଅଭିଜ୍ଞତା ଓ ଅନୁଭୂତିର ଆଦାନ ପ୍ରଦାନ ହେବ, ଶକ୍ତି ବଢ଼ିବ, ନାନା ସଂଶୟର ସମାଧାନ ହେବ । ଶିକ୍ଷା ଦ୍ୱାରା ନୂତନ କରି କିଛି ସମ୍ଭବ କରିବାରେ କେହି ଯେ ମୋଟେ ଏକୁଟିଆ ନୁହନ୍ତି, ସମ୍ମିଳନୀ ଭିତରେ ଅସଲ ସୂତ୍ରଟିକୁ ଖୋଜୁ ଖୋଜୁ ସମସ୍ତଙ୍କୁ ଏହି ପ୍ରତ୍ୟୟଟି ବି ଅବଶ୍ୟ ମିଳିଯିବ ।

 

ସେପ୍‍ଟେମ୍ବର-ଅକ୍ଟୋବର, ୧୯୮୧

Image

 

ପାଠଚକ୍ର ଓ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ

 

ପ୍ରଥମେ ପାଠଚକ୍ର, ତା'ପରେ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ । ଗୋଟିଏ ପୂର୍ଣ୍ଣାଙ୍ଗ ବିଦ୍ୟାଳୟକୁ ମଝିରେ ରଖି ବାଟ ଚାଲିବାକୁ ହେଲେ ଆମର ଗୋଡ଼ଗୁଡ଼ାକ ପାଠଚକ୍ର ନାମକ ଏକ ଆସ୍ପୃହା ଭିତରେ ଅତ୍ୟନ୍ତ ଦୃଢ଼ ହୋଇ ରହିଥିବା ଉଚିତ । ଆମର ଅଭିଜ୍ଞତାରୁ ପ୍ରମାଣ ମିଳିଯାଉଛି ଯେ ଯେଉଁଠାରେ ପୂର୍ଣ୍ଣାଙ୍ଗ ବିଦ୍ୟାଳୟଟିଏ ଆରମ୍ଭ ହେବ, ପୂର୍ବରୁ ପାଠଚକ୍ରକୁ ପ୍ରେରଣା ରୂପେ ଗ୍ରହଣ କରି ଯଥାର୍ଥ ଭିତ୍ତିଟିଏ ତିଆରି ହୋଇଥିଲା, ସେଠାରେ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ, ଆରମ୍ଭ ହେବା ପରେ ଆମକୁ ଅପେକ୍ଷାକୃତ କମ୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଲା । ଅଧିକ ସ୍ଵାଭାବିକ ଭାବରେ ସମ୍ମୁଖସ୍ଥ ପଥଟି ଦିଶିଯାଇପାରିଲା । ଗଣ୍ଠିଗୁଡ଼ାକ ଅଧିକ ସହଜରେ ଫିଟିଯାଇ ପାରିଲା ଏବଂ ଆମ ବିଦ୍ୟାଳୟଟିର ମାଧ୍ୟମରେ ଆମେ ସମସ୍ତେ ଖୁସୀ ହୋଇ, ଅର୍ଥାତ୍ ପୂର୍ଣ୍ଣରୁ ପୂର୍ଣ୍ଣତର ହୋଇ ଆଗକୁ ଯାଇପାରିଲୁ ।

 

ପାଠଚକ୍ରରେ ଭବିଷ୍ୟ କଥା ପଡ଼େ । ଆମ ପ୍ରତ୍ୟେକଙ୍କ ଭିତରେ ଯେଉଁସବୁ ଅମିତ ଶକ୍ତି ଏବଂ ସମ୍ଭାବନା ଗୁପ୍ତ ହୋଇ ରହିଛି, ଅସଲ ଶକ୍ତି ଓ ଅସଲ ସତ୍ୟର ପରଶ ପାଇ ତାହାର ଏକ ଦର୍ଶନ ମିଳିଯାଏ । ପାଠଚକ୍ରରେ ବସି ଆମେ କେବଳ ନିଜକୁ ନୁହେଁ, ପରସ୍ପରକୁ ମଧ୍ୟ ଆବିଷ୍କାର କରିବାରେ ସମର୍ଥହେଉ । ଦୂରତା ଅର୍ଥାତ୍ ବୁଦ୍ଧିବାଦୀ ଚତୁରତାଗୁଡ଼ାକ କ୍ରମେ ମିଳାଇ ମିଳାଇ ଯାଉଥାଏ । ଆମ ପ୍ରତ୍ୟେକଙ୍କ ଭିତରେ ଯାହା ପ୍ରକୃତରେ ନମନୀୟ, ପ୍ରକୃତରେ କୋମଳ ଓ ପ୍ରକୃତରେ ସମ୍ମତ, ତାହା ଏକ ଅଭୁତ ପ୍ରକାରେ ସହଯୋଗୀ ହୋଇ ବାହାରିଆସେ । ଭଲ ଦେଖେ, ଭଲକୁ ଚିହ୍ନେ ଏବଂ ଭଲର ଆକାଙ୍‍କ୍ଷା ରଖେ । ସିଏ ଅନ୍ୟମାନଙ୍କୁ ବନ୍ଧୁ ରୂପେ ଦେଖି ଶିଖେ । ନିଜକୁ ବି ବନ୍ଧୁ ରୂପେ ଗ୍ରହଣ କରେ । ତେଣୁ ଆପଣାକୁ ଈର୍ଷା କରେ ନାହିଁ କି ଅନ୍ୟମାନଙ୍କୁ ମଧ୍ୟ ଈର୍ଷା କରେ ନାହିଁ । ସିଏ ଆପଣାଠାରୁ ମୋଟେ ଲୁଚି ବୁଲିବାକୁ ମନେ କରେ ନାହିଁ ଏବଂ ତେଣୁ ଅନ୍ୟମାନଙ୍କୁ ସବୁଯାକ ଦୋଷ ଦେଇ ଜଣେ ସାଧୁ ହୋଇ ଦେଖାଇ ହେବାକୁ ମୋଟେ କୌଣସି ଚେଷ୍ଟା କରେ ନାହିଁ । ସିଏ ମୋଟେ କୌଣସି ଅଭିଯୋଗ କରେ ନାହିଁ । ନିଜକୁ ଆଗେଇ ନିଏ, ଆପଣା ଭିତରେ ରହିଥିବା ଅନିଚ୍ଛୁକଗୁଡ଼ାକୁ କ୍ରମଶଃ ଆପଣାର ସାଙ୍ଗରେ ଆଣିବାକୁ ଚେଷ୍ଟା କରୁଥାଏ । ତେଣୁ ଅନ୍ୟମାନଙ୍କୁ ମଧ୍ୟ ସାଙ୍ଗରେ ନିଏ । ଅନ୍ୟମାନଙ୍କର ବିଚାର କରି ବସେ ନାହିଁ; ସିଏ ଅନ୍ୟମାନଙ୍କୁ ବୁଝେ, ସହଯାତ୍ରୀ ଓ ତେଣୁ ସହଧର୍ମୀ ବୋଲି ଗ୍ରହଣ କରିନିଏ । ବଡ଼, ସାନର ଭେଦ ମାନେ ନାହିଁ, ସମର୍ଥ ଓ ଅସମର୍ଥର ଭେଦ ମାନେ ନାହିଁ ।

 

ଆଗେ ସାଧୁମାନେ ଥିଲେ । ସାଧୁମାନଙ୍କର ଆଶ୍ରମ ଥିଲା । ସେଇମାନେ ଶୁଦ୍ଧ ଥିଲେ ଏବଂ ଆଗନ୍ତୁକ ଅନ୍ୟମାନେ ତାଙ୍କର ବୋଲ ମାନୁଥିଲେ, ତାଙ୍କର ଚେଲା ହେଉ ଥିଲେ । ଏଇଥିରୁ ସମ୍ପ୍ରଦାୟମାନ ଗଢ଼ା ହେଉଥିଲା, ଠାକୁରମାନଙ୍କୁ ବାନାରେ ପରିଣତ କରି ଦିଆଯାଉଥିଲା । ସମସ୍ତେ ନିଜ ନିଜର ମୋକ୍ଷ କାମନା କରୁଥିଲେ । ମୋକ୍ଷ ଦେଉଥିବା ବ୍ୟକ୍ତିମାନେ ମାମଲତକାର ହୋଇ ରହିଥିଲେ । ପାଠଚକ୍ରରେ କେହି ମାମଲତକାର ନାହାନ୍ତି । ଆମରି ଭିତରେ ଦିବ୍ୟତା ଲାଗି ଏକ ଆକାଙ୍‍କ୍ଷା ରୂପେ ଜନ୍ମଲାଭ କରି ଯାହା ଭବିଷ୍ୟର ଯଥାର୍ଥ ବିବେକ ରୂପେ ଆମର ଏହି ପୃଥିବୀରେ ପ୍ରତିଷ୍ଠିତ ହେବାକୁ ଯାଉଛି, ପାଠଚକ୍ରରେ ସେଇ ଆମକୁ ପରିଚାଳିତ କରେ । ଆମକୁ ବଡ଼ କରି ରଖେ ନାହିଁ, ସାନ କରି ବି ରଖେ ନାହିଁ । ଆମର ଅନୁରାଗ ବଢ଼ାଏ । ଆମେ ଯାହା ପ୍ରକୃତରେ ଇଚ୍ଛା କରି ପାଠଚକ୍ରକୁ ଆସିଛୁ, ତାହାରି ପ୍ରତି ଆମର ଅନୁରାଗ ବୃଦ୍ଧି ପାଇବାରେ ଲାଗିଥାଏ । ଏକ ନିମିତ୍ତ ହେବାରେ ଯେଉଁ ଆନନ୍ଦଟି ନିହିତ ହୋଇ ରହିଛି, ତାହାହିଁ ଆମକୁ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଅନେକ ଲଜ୍ଜାରୁ ବଞ୍ଚାଇ ରଖେ । ପାଠଚକ୍ର ଭିତରେ ପରସ୍ପର ସହିତ ଏକାଠି ବସି ଆମେ ଯେଉଁ ଭବିଷ୍ୟଟିକୁ ଲୋଡ଼ୁ ଓ ଆମର ଯାବତୀୟ ସମ୍ପର୍କର ଭୂମି ଉପରେ ସେହି ଭବିଷ୍ୟତଟିକୁ ଗଢ଼ୁ, ତାହାହିଁ ଆମକୁ ପରସ୍ପରର ନିକଟ କରିଆଣେ, ପରସ୍ପରର ଭାରି ଅନ୍ତରଙ୍ଗ କରି ଆଣେ ।

 

ପାଠଚକ୍ର କହିଲେ ମୋଟେ କୌଣସି ରୁଟିନ୍‍କୁ ବୁଝାଏ ନାହିଁ । ଯେଉଁଠି ବସି ଆମେ ପ୍ରକୃତରେ ସହଜ ହୋଇଯାଇ ପାରିବା, ପରସ୍ପରକୁ ଆପଣା ଭିତରକୁ ଆମନ୍ତ୍ରଣ କରି ଆଣିପାରିବା, ପରସ୍ପର ଲାଗି ବାଟ ଛାଡ଼ିଦେଇ ପାରିବା, ପାଠଚକ୍ର କହିଲେ ସେହିଭଳି ଗୋଟିଏ ଆସ୍ଥାନକୁ ବୁଝାଏ । ପାଠଚକ୍ର କହିଲେ ଗାଆଁ ମଝିରେ କିମ୍ବା ଗାଆଁ ମୁଣ୍ଡରେ ତିଆରି ହୋଇଥିବା ଖଣ୍ଡେ ଘରକୁ ବୁଝାଏ ନାହିଁ, କୌଣସି ଗାଦୀକୁ ବୁଝାଏ ନାହିଁ କି କୌଣସି ଖଟୁଲିକୁ ବୁଝାଏ ନାହିଁ । ପାଠଚକ୍ର କହିଲେ ଇଚ୍ଛୁକ ହୋଇ ପରସ୍ପର ପାଖକୁ ଆସିଥିବା ବନ୍ଧୁମାନଙ୍କର ଏକ ସମାବେଶକୁ ବୁଝାଏ । ଏକାଠି ହୋଇ ବାଟ ଚାଲିବାର ଏକ ସଂକଳ୍ପକୁ ବୁଝାଏ, ପୁରୁଣାଗୁଡ଼ାକୁ ବଦଳାଇ ଏକ ନୂଆ ସୂତ୍ର ଓ ସ୍ଵାଧୀନତାରେ ଏକ ନୂତନ ସଂଘକୁ ସମ୍ଭବ କରିବା ବୁଝାଏ । ଆମ ପାଠଚକ୍ର ଆମ ପ୍ରତ୍ୟେକଙ୍କର ଶକ୍ତି ବଢ଼ାଏ, ଆମର ସ୍ଵାର୍ଥସଚେତ ଯାବତୀୟ ମଳିନତାକୁ ଦୂର କରେ, ଆମକୁ ନାନା ପ୍ରକାର କ୍ଷୁଦ୍ରତା ଓ ନିଃସ୍ଵତାବୋଧରୁ ମୁକ୍ତ କରି ଆଣେ । ଆମକୁ ଯଥାର୍ଥ ଭାବରେ ମୁକ୍ତ କରେ, ବିଚ୍ଛିନ୍ନ ହୋଇ ବଡ଼ ହେବାର ଅଥବା ଉତ୍ତେଜିତ ହୋଇ ରହିବାର କେତେ କେତେ ପ୍ରମାଦରୁ ରକ୍ଷା କରେ । ପାଠଚକ୍ର ଭିତରେ ପରସ୍ପର ସହିତ ମିଳିତ ହୋଇ ଆମେ ଭବିଷ୍ୟତକୁହିଁ ବଞ୍ଚୁ । ଯେଉଁ ଭବିଷ୍ୟ ସମଗ୍ର ମାନବଜାତି ଲାଗି ଅପେକ୍ଷା କରି ରହିଛି, ଆମେ ପାଠଚକ୍ରରେ ସେହି ଭବିଷ୍ୟଟିକୁ ଆଜିଠାରୁ ବଞ୍ଚିବା ଲାଗି ପ୍ରସ୍ତୁତ ହେଉ । ପ୍ରସ୍ତୁତ ହେବାର ସେହି ଇଚ୍ଛା ଆମର ଏକ ପରବର୍ତ୍ତୀ କାର୍ଯ୍ୟକ୍ରମ ରୂପେ ପୂର୍ଣ୍ଣାଙ୍ଗ ବିଦ୍ୟାଳୟକୁ ଜନ୍ମ ଦିଏ ।

 

ଏହି ଦୃଷ୍ଟିରୁ ବିଚାର କଲେ ଆମ ବିଦ୍ୟାଳୟ ହେଉଛି ଆମ ପାଠଚକ୍ରରହିଁ ଏକ ସଂପ୍ରସାରିତ ରୂପ । ଏହି ବିଦ୍ୟାଳୟରେ କେବଳ ସାନ ପିଲାମାନଙ୍କର ପାଠପଢ଼ା ହୁଏ ନାହିଁ, କେବଳ ସେହିମାନଙ୍କୁ ହିଁ ଏକ କଳ୍ପିତ ଭବିଷ୍ୟ ଲାଗି ତିଆରି କରାଯାଏ ନାହିଁ । ଆମ ବୟସ୍କମାନଙ୍କୁ ମଧ୍ୟ ତାହା ପିଲାଟିଏ ହୋଇ ରହିବାକୁ ଅର୍ଥାତ୍ ସବୁଜ ତରୁଣ ଏବଂ ସମ୍ମତ ହୋଇ ରହିବାରେ ସାହାଯ୍ୟ କରେ । ଆମକୁ ବହୁ ମାମଲତକାରୀର ଗ୍ରନ୍ଥିଳତାଗୁଡ଼ାକରୁ ରକ୍ଷା କରେ । ଏକ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ପାଇଁ କାର୍ଯ୍ୟ କରି ଆମେ ଆପଣାକୁ ମୂଳତଃ ଜଣେ ଜଣେ ସନ୍ତାନ ରୂପେ ଆବିଷ୍କାର କରିବାର ଉଦ୍‍ବୋଧନ ପାଉ । ନିଜକୁ ସନ୍ତାନ ରୂପେ ଆବିଷ୍କାର କରି ଆମେ ପରସ୍ପର ମଧ୍ୟରେ ରହିଥିବା ଯେଉଁ ସୂତ୍ରଟିକୁ ଅନୁଭବ କରିବାକୁ ଆରମ୍ଭ କରୁ, ତାହା ଆମକୁ ନାନା କୃତ୍ରିମତା ଓ କର୍ତ୍ତୃତ୍ଵପଣିଆର ଜ୍ଵର ଭିତରୁ ରକ୍ଷା କରେ, ଆମକୁ ଆହୁରି ବାଟ ଚାଲିବାର ଅର୍ଥାତ୍ ଆହୁରି ଅଧିକ କାମରେ ଲାଗିବାର ଯୋଗ୍ୟ କରେ । ଆମକୁ ମୋଟେ ବୁଢ଼ା ହେବାକୁ ଦିଏ ନାହିଁ ଏବଂ ଯିଏ ବୁଢ଼ା ହୁଏ ନାହିଁ, କର୍ତ୍ତୃତ୍ଵର ହାଡ଼ମାଳଗୁଡ଼ାକୁ ପିନ୍ଧି ଏଡ଼େ ବଡ଼ ହୋଇ ଦେଖାଯିବାକୁ ଯାହାକୁ ମୋଟେ ଭଲ ଲାଗେ ନାହିଁ, କେବଳ ସେଇ ଏକ ପୂର୍ଣ୍ଣାଙ୍ଗ ବିଦ୍ୟାଳୟରେ ଯଥାର୍ଥ ନେତୃତ୍ଵ ଦେଇ ପାରେ । ତାକୁ ମଣିଷମାନେ ଭଲ ଲାଗନ୍ତି, ଶାସ୍ତ୍ରଗୁଡ଼ାକ ତା' ଲାଗି ପ୍ରତ୍ୟକ୍ଷ ମନ୍ତ୍ରରୂପେ ଅନୁଭୂତ ହୁଅନ୍ତି । ପୁରୁଣାର ଗହନ ଭିତରେ ଯିଏ ନୂଆଗୁଡ଼ାକୁ ଆଘ୍ରଣ କରି ନେଇପାରେ, ଆଗାମୀ ନୂତନ ରଚନା ଲାଗି ସେଇ ବିହନ ହୋଇ ତିଆରି ହୁଏ, ଯଥାର୍ଥ ଭକ୍ତ ହୋଇ ତିଆରି ହୁଏ । ଯଥାର୍ଥ ସନ୍ତାନ ହୁଏ, ଜନନୀର ପ୍ରିୟ ହୁଏ, ତା'ହାତରେ ଯାହାକିଛି ଲାଗେ, ତାହା ନିଆଁ ହୋଇଯାଏ, ସୁନା ହୋଇଯାଏ ।

 

ନଭେମ୍ବର-ଡିସେମ୍ବର, ୧୯୮୧

Image

 

ପାଠଚକ୍ରରୁ ପୂର୍ଣ୍ଣାଙ୍ଗ ଶିକ୍ଷା

 

ପାଠଚକ୍ରରୁ ପୂର୍ଣ୍ଣାଙ୍ଗ ଶିକ୍ଷା ହେଉଛି ଏକ ଅତ୍ୟନ୍ତ ସ୍ଵାଭାବିକ ପରବର୍ତ୍ତୀ ସୋପାନ । ଆମର ପାଠଚକ୍ରଟି ଯଦି ଯଥାର୍ଥ ଉତ୍ସାହ ଏବଂ ଯଥାର୍ଥ ପ୍ରେରଣାଟି ସହିତ କ୍ରମଶଃ ଏକ ସ୍ଵାଭାବିକ ପରିପକ୍ଵତା ଏବଂ ପରିପୂର୍ଣ୍ଣତା ଲାଭ କରି ଆସିଥାଏ, ତେବେ ପାଠଚକ୍ରରୁ ପୂର୍ଣ୍ଣାଙ୍ଗ ଶିକ୍ଷା ଏକ ଅତ୍ୟନ୍ତ ସହଜ ସୋପାନ । ଏହି ରାସ୍ତା ଏକ ସଳଖ ରାସ୍ତା । ଆମେ ନିଜ ପାଇଁ ଓ ଆମେ ଏକାଠି ମିଶି ପାଠଚକ୍ରର ମାଧ୍ୟମରେ ଯେଉଁ ଅସଲ କାମଟି କରି ଆସୁଛୁ, ସେହି କାର୍ଯ୍ୟଟି ପାଇଁ ମଧ୍ୟ ଏକ ସଳଖ ରାସ୍ତା ।

ମାତ୍ର ପାଠଚକ୍ର ଏବଂ ପୂର୍ଣ୍ଣାଙ୍ଗ ଶିକ୍ଷା ଆଦୌ ଗୋଟିଏ ଭୂମି ନୁହେଁ । ଓଡ଼ିଶାରେ ଦୀର୍ଘ ଅନେକ ବର୍ଷ ହେଲା ସହସ୍ରାଧିକ ପାଠଚକ୍ର ସ୍ଥାପିତ ହୋଇ ଆସିଛି । ପାଠଚକ୍ର ହେଉଛି ଏକ ଉପନୟନ, ଏକ ଆଜ୍ଞାର ସ୍ପର୍ଶ ପାଇ ତାହାରି ବାହନ ରୂପେ ଆପଣାକୁ ଓ ଆପଣାର ମଧ୍ୟ ଦେଇ ପାଠଚକ୍ରର ଅନ୍ୟ ସମସ୍ତଙ୍କୁ ସେହି ଆଜ୍ଞାଟି ଲାଗି ପ୍ରସ୍ତୁତ କରିବାର ଏକ ସୋପାନ । ପାଠଚକ୍ର ଆରମ୍ଭ ହେଲାବେଳେ ଆମ ଅନେକଙ୍କ ଭିତରେ କେଡ଼େ ଉତ୍ସାହ ଥାଏ, ସେତେବେଳେ ନିଜକୁ ଅନ୍ୟମାନଙ୍କ ସହିତ ମିଳାଇ ଆମେ କେତେ ସ୍ଵପ୍ନ ଦେଖୁଥାଉ, କେତେ ନା କେତେ ଅଭିଳାଷ ରଖିଥାଉ । ଏକ ସମ୍ମତ ଓ ପବିତ୍ର ମନ ନେଇ ପାଠଚକ୍ର ଭିତରକୁ ଆସୁ । ମା ଓ ଶ୍ରୀଅରବିନ୍ଦଙ୍କ ବହି ପଢ଼ୁ, ସେମାନଙ୍କର ବିଚାରଗୁଡ଼ିକ ଭିତରେ ମଜ୍ଜୁ ଓ ସେଗୁଡ଼ିକୁ ଆମ ନିଜ ଜୀବନର ମୁହୂର୍ତ୍ତଗୁଡ଼ିକ ଭିତରକୁ ଯଥାସମ୍ଭବ ଅଧିକ ଗଭୀର ଭାବରେ ଭେଦାଇ ଆଣିବାକୁ ଚେଷ୍ଟାକରୁ । ଅଧିକାଂଶ ପାଠଚକ୍ର ସପ୍ତାହକୁ ଥରେ ବସେ । କୌଣସି ଏକ ନିର୍ଦ୍ଦିଷ୍ଟ ବାର ଅନୁସାରେ ଏକ ନିର୍ଦ୍ଦିଷ୍ଟ ସମୟରେ ବସେ । ହୁଏତ କେତେ କେତେ ପାଠଚକ୍ରରେ ନିର୍ଦ୍ଦିଷ୍ଟ ପୋଥିମାନ ପଢ଼ାଯାଏ, ଏକ ନିର୍ଦ୍ଦିଷ୍ଟ ବିଧିରେ ପଢ଼ାଯାଏ । ନିର୍ଦ୍ଦିଷ୍ଟ କ୍ରମରେ ଗ୍ରନ୍ଥପାଠ ହୁଏ । ଧ୍ୟାନ ହୁଏ । ଏମିତି ଆସୁ ଆସୁ ଓ ଏମିତି ବସୁ ବସୁ ପାଠଚକ୍ରର ସମ୍ପୂର୍ଣ୍ଣ ଆୟୋଜନଟି ଆମକୁ କ୍ରମେ ସତେଅବା ଗୋଟିଏ ରୁଟିନ୍ ପରି ମନେହୁଏ । ଏହି ସବୁଯାକ ମିଶି ସତେଅବା କେବଳ ଏକ ନିୟମପାଳନ କରାଯାଏ । ସେଦିନ ନଈରେ ନୂଆ ପାଣି ଆସିଥିବା ପରି ବୋଧ ହେଉଥାଏ । ବାହାରୁ ଅତିଥିମାନେ ଆସି ଆମ ପାଠଚକ୍ର ଘରର କବାଟ ଉପରେ ମଡ଼ା ହୋଇଥିବା ଜରି କାଗଜ ପରି ଦିଶନ୍ତି । ଆମର ହୃଦୟ କେଡ଼େ ଆନନ୍ଦରେ ଫୁଲି ଉଠେ । କେଡ଼େ ଉଶ୍ଵାସ ଲାଗେ । ଆମେ ସବୁକିଛି ସକାଶେ ପ୍ରସ୍ତୁତ ହୋଇଗଲୁଣି ବୋଲି ମନେ ହୁଏ । ଦିନଟି ଉଦ୍‍ଯାପିତ ହୋଇଗଲା ପରେ ଆମେ ପୁଣି ଆମ ପୁରୁଣା ଘରଟିକୁ ଫେରିଆସୁ, ଦୈନନ୍ଦିନତା ଭିତରକୁ ଫେରିଆସୁ, ରୁଟିନ୍ ଭିତରକୁ ଫେରିଆସୁ ।

ଏପରି ହେବାର ଗୋଟିଏ ବଡ଼ କାରଣ ହେଉଛି ଯେ, ଆମେ ଆମ ଭିତରେ ପ୍ରକୃତରେ ଯେଉଁଠି ଥାଉ, ନାନା କାରଣରୁ ଠିକ୍ ସେହିଠାରେହିଁ ରହିଥାଉ । ଦିନ ପରେ ଦିନ ଓ ବର୍ଷ ପରେ ବର୍ଷ ଆମ ଭିତରକୁ ଏଡ଼େ ଏଡ଼େ ଗୋଡ଼ ପକାଇ ଆମର ବୟସ ବତାଇବାରେ ଲାଗିଥିଲେ ମଧ୍ୟ ଆମେ ତଥାପି ଯେଉଁଠି ସେଇଠି ଖୁଣ୍ଟଗୁଡ଼ାକୁ ଧରି ଅର୍ଥାତ୍ ପୁରୁଣା ସଂସ୍କାରଗୁଡ଼ାକୁ ଆବୋରି ପଡ଼ି ରହିଥାଉ । ଆମ ସଙ୍ଗେ ସଙ୍ଗେ ଆମ ପାଠଚକ୍ରର ବି ବୟସ ବଢ଼ୁଥାଏ, ତଥାପି ପାଠଚକ୍ରଟା ଯେଉଁଠି ଥିଲା ସେଇଠି ପଡ଼ି ରହିଥାଏ । ଘର ବଢ଼ୁଥାଏ, ବାହାର ବଢ଼ୁଥାଏ, ଚାଷ ବଢ଼ୁଥାଏ ଏବଂ ବଳଦ ବଢ଼ୁଥାନ୍ତି ସତ, ମାତ୍ର ଅସଲ ଘରଟି ଅଘର ହୋଇଥାଏ । ଆମେ ପ୍ରତ୍ୟେକେ ଆର୍ତ୍ତ ଅବସ୍ଥାରେ ଜଣେ ଜଣେ ଭକ୍ତ ହୋଇ ରହିଥାଉ ଏବଂ ସନ୍ତାନ ହେବା ତଥାପି ବହୁଦୂର ରହିଥାଏ । ଆମ ଲାଗି ଅସଲ ଅନୁଭବଗୁଡ଼ିକ ଅନ୍ତରାଳ ହୋଇ ରହିଥାଏ । ସେଇଥିରୁ ବୈରାଗ୍ୟ ଆସେ, ବିରକ୍ତି ଆସେ, ଏବଂ ଆମେ ନିଜେ ଫାନ୍ଦି ନିଜେ ଚଳାଇଥିବା ବିଧାନଗୁଡ଼ାକ ତୁଚ୍ଛା ରୁଟିନ୍ ପରି ମନେ ହେଉଥାଏ ।

ପାଠଚକ୍ରରୁ ପୂର୍ଣ୍ଣାଙ୍ଗ ଶିକ୍ଷା ଏକ ସହଜ ବାଟ, ଏକ ସଳଖ ଓ ସ୍ଵାଭାବିକ ବାଟ ମାତ୍ର ଏହା ଏକ ନିର୍ଦ୍ଦିଷ୍ଟ ବାଟ । ପାଠଚକ୍ରରେ ଆମେ ଆପଣାକୁହିଁ ସବା ଆଗରେ ରଖି ବସୁ । ତେଣୁ ଅନେକ ସମୟରେ ପରସ୍ପରକୁ ପଛ କରି ବି ବସିଥାଉ । ଆମେ ସେଠି ଅନେକ ସମୟରେ ଆଖି ବୁଜି ବସିଥିବା ବେଳେ ସବା ଆଗ ନିଜକୁହିଁ ଦେଖୁ, ହୁଏତ କେବଳ ନିଜକୁହିଁ ଦେଖିବାରେ ଲାଗିଥାଉ । ହୁଏତ ଯାହାକୁ ଦେଖୁଛୁ ବୋଲି ମନକୁ ବୁଝାଇବାରେ ଲାଗିଥାଉ, ସିଏ ବି ପଛ ହୋଇ ରହିଥାନ୍ତି, ଅନ୍ତରାଳ ହୋଇ ରହିଥାନ୍ତି । ପାଠଚକ୍ରରେ ଆମେ ନିଜ ପାଇଁ କେତେ କ'ଣ ମାଗୁ;– ନିଶ୍ଚିନ୍ତ ହେବାକୁ ବର ମାଗୁ, ଆମ ଜୀବନର ଯାବତୀୟ ବିରକ୍ତି ଓ ଯାବତୀୟ ଦହନରୁ ମୁକ୍ତି ପାଇବା ଲାଗି ବର ମାଗୁ, ତରିଯିବାକୁ ବର ମାଗୁ ଏବଂ ଅନେକ ସମୟରେ ଆହୁରି ଚତୁର ହୋଇ କେବଳ ନିଜ ପାଇଁ ଏସବୁ ମାଗୁଥିଲାବେଳେ ଅନ୍ୟମାନଙ୍କ ଅପେକ୍ଷା ଅଧିକ କୃତିତ୍ଵର ସହିତ ତାହା କରି ପାରିଛୁ ବୋଲି ଆପଣାକୁ କେତେ ବାହାଦୂରୀ ବି ଦେବାରେ ଲାଗିଥାଉ । କେବଳ ପାଠଚକ୍ରଟି ଭିତରେ ଏସବୁ ବେଶ୍ ସମ୍ଭବ ହୋଇପାରେ । ଆମର ନିଜ ପାଇଁ ମାଗିବା, ନିଜର ମୁକ୍ତି ଓ ଶାନ୍ତି ଲାଗି ମନ କରିବା, ଆପଣାର ତରିଯିବା ସକାଶେହିଁ ଯାବତୀୟ ଉପଚାରର ଆୟୋଜନ କରିବା ଯେତିକି ଯେତିକି ଊଣା ହୋଇ ଆସେ, ଆମେ ଆଖି ମେଲାଇ ଦେବା ମାତ୍ରକେ ଯେତେବେଳେ ଏହି ସବୁଟିହିଁ ସବାଆଗ ଓ ସର୍ବପୁରୋଭାଗରେ ଦୃଷ୍ଟିଗୋଚର ହୁଏ, ଯେତେବେଳେ ଆମେ ପରସ୍ପରକୁ ଲୋଡ଼ି ବାହାରୁ, ସମଧର୍ମୀମାନଙ୍କୁ ଆପଣା ପଥର ଅନ୍ତରଙ୍ଗ ମୁହୂର୍ତ୍ତଗୁଡ଼ିକରେ ସବାଆଗ ମନେକରୁ,– ଯେଉଁଦିନ ଆପଣାର ହୃଦୟ ମଧ୍ୟରେ ଅସଲ ସଂଘଟିର ଅନୁଭବ ମିଳିଯାଏ, ଆମ ପାଠଚକ୍ର ସେହିଦିନଠାରୁ ପୂର୍ଣ୍ଣାଙ୍ଗ ଶିକ୍ଷାର ପରବର୍ତ୍ତୀ ସୋପାନଟି ଲାଗି ପ୍ରସ୍ତୁତ ହୋଇଗଲା ବୋଲି ପ୍ରକୃତ ପ୍ରମାଣ ଓ ପ୍ରକୃତ ପ୍ରତ୍ୟୟଟି ମିଳିଯାଏ । ଆମେ ଆଉ ପାଦେ ଅଧିକ ଯୋଗ୍ୟ ହୋଇଯାଉ ।

ପାଠଚକ୍ର ଯେତେବେଳେ ଭବିଷ୍ୟତକୁ ଲୋଡ଼େ, ସେହି ଭବିଷ୍ୟତଟିର ଅନୁରୂପ ହେବା ଲାଗି ଏକ ପରିବର୍ତ୍ତନକୁହିଁ ଅତ୍ୟାବଶ୍ୟକ ବୋଲି ଅନୁଭବ କରେ, ତାହା ସେତିକି ବେଳେ ପୂର୍ଣ୍ଣାଙ୍ଗ ଶିକ୍ଷା ଲାଗି ସମର୍ଥ ହୁଏ । ଆମ ନିଜ ଭିତରେ ଏହି ପରିବର୍ତ୍ତିତ ହୋଇଯିବାର ଅର୍ଥାତ୍ ପରିବର୍ତ୍ତନ ଲାଗି ଯୋଗ୍ୟ ହେବାର ଇଚ୍ଛାଟି ଯେତେବେଳେ ଆମର ସର୍ବପ୍ରଧାନ ଇଚ୍ଛାରୂପେ ଅନୁଭୂତ ହୁଏ, ସେତିକିବେଳେ ପାଠଚକ୍ରର ଦ୍ଵିତୀୟ କବାଟଟି ଖୋଲେ, ଆମକୁ ବିଧାତାଙ୍କର ଯାବତୀୟ ବିଧାନ ସତେ ଅବା ପ୍ରସ୍ତୁତିର ଏକ ବିଦ୍ୟାଳୟ ପରିହିଁ ଦେଖାଯାଏ । କବାଟଟି ଖୋଲିଗଲେ ଆମର ସଂକଳ୍ପଗୁଡ଼ାକ ମଧ୍ୟ ଏକ ନୂତନ ପ୍ରସ୍ଥକୁ ସ୍ପର୍ଶ କରେ, ଏକ ନୂତନ ସ୍ଵପ୍ନୋଦ୍ୟମରେ ଗତିଶୀଳ ହୋଇ ଉଠେ । ପାଠଚକ୍ର ସତତ ଗତିଶୀଳ ହେଲେ ସେଇଥିରୁହିଁ ପୂର୍ଣ୍ଣାଙ୍ଗ ଶିକ୍ଷାର ପରବର୍ତ୍ତୀ ସୋପାନଟି ଜନ୍ମଲାଭ କରେ । ତା'ପରେ ଆମେ ଆଉ ନିଜର ମୁକ୍ତି ଲୋଡ଼ୁନାହିଁ, ନିଜକୁହିଁ ସବାଆଗରେ ରହି ପ୍ରସାଦଗୁଡ଼ାକୁ ସବା ଆଗ ଖାଇବାର କୌଣସି ବ୍ୟଗ୍ରତା ଭିତରେ ଅତ୍ୟନ୍ତ ଚତୁର ଭାବରେ ବାନ୍ଧି ରଖୁନାହିଁ । ଏ ମଣିଷ ବଦଳିବ, ଏହି ସମାଜ ବଦଳିଯିବ, ଏହି ସମାଜ ଦିବ୍ୟ ସତ୍ୟର ମୂର୍ତ୍ତ ଉପଲବ୍ଧି ଲାଗି ଏକ ପ୍ରୟୋଗଶାଳା ହୋଇ ରହିବ ଏବଂ ଆମେ ସମସ୍ତେ ସେହି ପ୍ରୟୋଗଶାଳାରେ ଜଣେ ଜଣେ ଇଚ୍ଛୁକ ନିମିତ୍ତ ହୋଇ ରହିବା,–ଏହିପରି ଏକ ବିଶ୍ଵାସକୁ ଯେତେବେଳେ ପାଠଚକ୍ରର ସମସ୍ତେ ସହଚାରୀ ଭାବରେ କାର୍ଯ୍ୟକାରୀ କରିବାକୁ ବାହାରନ୍ତି, ସେତେବେଳେ ସେମାନେ ଏକ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ଲାଗି ପ୍ରକୃତରେ ପ୍ରସ୍ତୁତ ହୋଇଯାଆନ୍ତି ।

ତୁଚ୍ଛା ବୈରାଗୀମାନେ ବୈରାଗ୍ୟର ପ୍ରତିଯୋଗିତା କରନ୍ତି, ତୁଚ୍ଛା ଆପଣାର ମୁକ୍ତି ଲୋଡ଼ୁଥିବା ଆର୍ତ୍ତଜନମାନେ ପରସ୍ପରର ଛାଇକୁ ଦେଖି ଡରନ୍ତି । ସେମାନେ ଭଗବାନଙ୍କୁ ଧରି ଆପଣା ଆପଣାର ଗହ୍ଵର ଭିତରକୁ ପଳାନ୍ତି ଓ ତାହାକୁହିଁ ମୁକ୍ତି ବୋଲି କହନ୍ତି । ଏହି ଗହ୍ୱର ହିମାଳୟରେ ଥାଏ ତ ଆଉ କେତେବେଳେ ମଠରେ ବି ରହିଥାଏ । ଗହ୍ଵରଗୁଡ଼ାକ ଜନନୀ ପରି ହୋଇ ସମ୍ପ୍ରଦାୟକୁ ଜନ୍ମ ଦିଅନ୍ତି, ତତ୍ତ୍ୱଭେଦ ଓ ଭେକଭେଦକୁ ଜନ୍ମ ଦିଅନ୍ତି । ଆମ ଦେଶରେ ବିଗତ ଅନେକ ଶତାବ୍ଦୀ ଧରି ଏହି ସବୁର ପୁନରାବୃତ୍ତି ହୋଇ ଆସିଛି । ପୁରାଣକୁ ମାନି ନିଆଯାଇଛି, ମଣିଷର ପ୍ରକୃତି କଦାପି ବଦଳିବ ନାହିଁ ବୋଲି ଘୋଷଣା କରି ପଳୟନତତ୍ତ୍ୱ ଓ ଆତ୍ମମୁକ୍ତିମାର୍ଗର ଆଲୋଚନା କରୁଥିବା ଈଶ୍ଵରବୈରାଗୀ ଏକକ ସନ୍ନ୍ୟାସୀ ଓ ପଣ୍ଡିତମାନେ ସଂସାରଠାରୁ ଦୂରରେ ରହି ସଂସାରକୁ କେତେ ଦୟା କରିବା ଲାଗି ମନ ବଳାଇଛନ୍ତି । ଏମାନେ ଆଦୌ କୌଣସି ମାର୍ଗ ଚାଲି ନାହାନ୍ତି, କୌଣସି ପ୍ରକାର ଉନ୍ମୋଚନର ଅନୁଭୂତି ପାଇ ନାହାନ୍ତି । ଏମାନେ ଗୁମ୍ଫା ଭିତରେ ଯାଇ ପଶିଛନ୍ତି । ଆମେ ଗୁମ୍ଫା ଭିତରେ ମୋଟେ ପଶିବା ନାହିଁ । ଏହି ସବୁକିଛି ବଦଳିବାକୁ ଅଭିପ୍ରେତ ହୋଇ ରହିଛି ବୋଲି ବିଶ୍ଵାସ ରଖିବା, ଆପଣାକୁ ଓ ପରସ୍ପରକୁ ସେହି ବିଶ୍ଵାସ ଦ୍ଵାରାହିଁ ଗଢ଼ିବା । ଆମେ ପରସ୍ପରକୁ ଆପଣା ଭିତରକୁ ସ୍ଵୀକାର କରିନେବା । ଆମ ଭିତରେ ତଥା ଆମ ବାହାରେ ପୁରୁଣାଗୁଡ଼ାକୁ ସଂପୂର୍ଣ୍ଣ ଭାବରେ ଅସ୍ଵୀକାର କରି ପାରିଲେ ଯାଇ ସେକଥା ହେବ । ସେହି ସ୍ଵୀକାର ହେଉଛି ମଣିଷ ଭିତରେ ରହିଥିବା ଦିବ୍ୟତାର ସ୍ଵୀକାର, ଅନ୍ଧାର ଭିତରେ ରହିଥିବା ଆଲୋକର ସ୍ଵୀକାର ଏବଂ ବର୍ତ୍ତମାନର ଯାବତୀୟ ଅସହାୟତା ଏବଂ ଅଳିଆ ଭିତରେ ଅପେକ୍ଷା କରି ରହିଥିବା ଭବିଷ୍ୟର ସ୍ଵୀକାର । ଏହି ସ୍ଵୀକାରର ଯୋଗ୍ୟ ହୋଇ ପରସ୍ପରକୁ ସତୀର୍ଥ ଓ ସହଯାତ୍ରୀ ରୂପେ ଗ୍ରହଣ କରିପାରିଲେ ଯାଇ ଆମେ ପୂର୍ଣ୍ଣାଙ୍ଗ ଶିକ୍ଷାର ଯୋଗ୍ୟ ହେବା, ପରବର୍ତ୍ତୀ ସୋପାନଟି ଲାଗି ବି ଯୋଗ୍ୟ ହୋଇ ପାରିବା ।

ଜାନୁଆରୀ-ଫେବୃଆରି, ୧୯୮୨

Image

 

ଆଉ କେଉଁଠାକୁ ଗଲେ ଭଲ ଲାଗିବ ?

 

ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରୟୋଗ ଏକ ନୂଆ ପ୍ରୟୋଗ । ମଣିଷ ମଣିଷ ଭିତରେ ଯେଉଁଭଳି ସମ୍ବନ୍ଧ ରହିଲେ ଏହି ପ୍ରୟୋଗଟି ଯଥାର୍ଥ ଓ ସମଞ୍ଜସ ଭାବରେ ଚାଲିପାରନ୍ତା, ଆମ ସମାଜରେ ସେଭଳି ସମ୍ବନ୍ଧ ଏପର୍ଯ୍ୟନ୍ତ ପ୍ରତିଷ୍ଠିତ ହୋଇପାରି ନାହିଁ । ଆମେ ଯେଉଁମାନେ ଏକ ନୂତନ ଉତ୍ସାହରେ ପୂର୍ଣ୍ଣାଙ୍ଗ ଶିକ୍ଷା ଭିତରକୁ ଆସିଛୁ, ସେମାନେ ଆମେ ପ୍ରତ୍ୟେକେ ସେହି ପୁରୁଣା ସମାଜରେ ରହିଛୁ । ପୁରୁଣା ସମାଜରେ ଖଟୁଛୁ ଓ ପୁରୁଣା ସମାଜରେ ଖାଉଛୁ । ଆମ ଭିତରୁ ପ୍ରାୟ ସମସ୍ତଙ୍କର ଜୀବନ ନାକଦଣ୍ଡା ପର୍ଯ୍ୟନ୍ତ ସେହି ପୁରୁଣା ଭିତରେ ବୁଡ଼ିକରି ରହିଛି । ତଥାପି ଯେ ଆମେ ନୂଆକୁ ମନ କରି ପାରୁଛୁ ଓ ନୂଆକୁ ମନ କରି ସେହି ଅନୁସାରେ କିଛି କରିବୁ ବୋଲି ସରାଗ ବାନ୍ଧି ଆସିଛୁ, ତାହାହିଁ ଆମର କେଡ଼େ ବଡ଼ ଗୌରବ ।

 

ପୂର୍ଣ୍ଣାଙ୍ଗ ବିଦ୍ୟାଳୟର ଯଥାର୍ଥ ସୋପାନଟିକୁ ଉଠି ଉଠି ଯିବାର ପାହାଚଗୁଡ଼ାକରେ ସେଥିଲାଗି କେଡ଼େ ବହଳରେ ସେଇ ପୁରୁଣା ଶିଉଳିଗୁଡ଼ାକ ଲାଗି କରି ରହିଛି । ପ୍ରଧାନତଃ ସେଇଥିଲାଗି ପାହାଚ ଉଠୁ ଉଠୁ ଆମର ଗୋଡ଼ ବାରବାର ଖସିଯାଉଛି,–ଆମେ ଗଡ଼ଗଡ଼ ହୋଇ ଗଡ଼ି ପଡ଼ୁଥିବା ବେଳେ ପରସ୍ପର ସହିତ କେତେ ଧକ୍କା ବି ବଜାଉଛୁ । ପରସ୍ପରକୁ ଦୋଷ ଦେଉଛୁ, ପରସ୍ପରକୁ ଅଯୋଗ୍ୟ ବୋଲି କହୁଛୁ; ଏବଂ ସତେ ଯେପରି ଅନ୍ୟମାନଙ୍କ ଅପେକ୍ଷା ଅଧିକ ଯୋଗ୍ୟ ହୋଇଥିବା ପରି ପୂର୍ଣ୍ଣାଙ୍ଗ ଶିକ୍ଷାର କ୍ଷେତ୍ରଟିକୁ ଛାଡ଼ି ଅନ୍ୟ କୁଆଡ଼େ ପଳାଇଯିବାକୁ ମନ କରୁଛୁ । ପଳାଇଯିବାର ରୋଗଟା ଭାରତବର୍ଷରେ ମୋଟେ ନୂଆ ନୁହେଁ । ଏହି ପଳାଇଯିବାର ଖୋଇଗୁଡ଼ାକୁ ଆମ ଶାସ୍ତ୍ରପୁରାଣରେ କେତେ ପ୍ରଶଂସା କରି କୁହାଯାଇଛି । ପଳାଇ ଯାଉଥିବା ଲୋକମାନଙ୍କୁ ଏକାବେଳକେ କେତେ କେତେ କଳ୍ପିତ ଠାକୁରଙ୍କ ପାଖରେ ନେଇ ବସାଇ ଦିଆଯାଇଛି । ସେମାନଙ୍କର ଚରଣସେବା ହୋଇଛି । ସେହିମାନଙ୍କର ଜନମକୁହିଁ ସାର୍ଥକ ବୋଲି କୁହାଯାଇଛି ।

 

ବେଳେବେଳେ ଆମକୁ ମୋଟେ ଭଲ ଲାଗେନାହିଁ । କେତେ ମଣିଷଙ୍କୁ ନାନା କାରଣରୁ ଯେମିତି ସଂସାର ଭଲ ଲାଗେନାହିଁ, ଠିକ୍ ସେମିତି । ସଂସାର ଭଲ ନଲାଗୁଥିବା ମଣିଷମାନେ ସଂସାର ଛାଡ଼ି ପଳାନ୍ତି । ସଂସାର ଉପରେ ବିରକ୍ତ ହୁଅନ୍ତି । ଆପଣା ଲାଗି କୌଣସି ଏକ ଉଚ୍ଚ ସ୍ଥାନ ଯୋଗାଡ଼ କରିନେଇ ସେଇଠି ଯାଇ ବସନ୍ତି । ସେମାନେ ସଂସାରର କାନ୍ଧ ଉପରେ ବସନ୍ତି, ସଂସାରରୂପୀ ଘର ଭିତରେ ସଙ୍ଗା ଉପରେ ଯାଇ ବସନ୍ତି । ଆମ ଯେଉଁମାନଙ୍କୁ ପୂର୍ଣ୍ଣାଙ୍ଗ ବିଦ୍ୟାଳୟରେ କୌଣସି କାରଣରୁ ଭଲ ଲାଗୁନାହିଁ, ଆମେ ତେବେ କୁଆଡ଼କୁ ପଳାଇବା ? ଆଉ କୁଆଡ଼କୁ ଗଲେ ଯାଇ ଆମକୁ ଭଲ ଲାଗିବ ? ପୂର୍ଣ୍ଣାଙ୍ଗ ବିଦ୍ୟାଳୟରେ କାମ କରିବେ ବୋଲି କେତେ ସାଥୀ ଆସୁଛନ୍ତି, ସହଯୋଗୀ ଆସୁଛନ୍ତି । ସେମାନେ ଛ’ମାସ ବରଷେ ରହୁଛନ୍ତି । ତା'ପରେ କ'ଣ କୋଉଠି ବିଗିଡ଼ି ଯାଉଛି । ସେମାନେ ଯେଉଁଠାକୁ ଆସିଥିଲେ, ସେଠାଟା ଆଉ ସେମାନଙ୍କୁ ମୋଟେ ଭଲ ଲାଗୁନାହିଁ । ସେମାନେ ପୁଣି ସେହି ପୁରୁଣାଟା ଭିତରକୁ ପଳାଉଛନ୍ତି । ହୁଏତ ଅନେକ ସମୟରେ ପୁରୁଣା ଭିତରେ ହଠାତ୍ କୌଣସି ଆକର୍ଷଣ ଦେଖି ତାହାରି ଭିତରକୁ ପଳାଉଛନ୍ତି । ପୁରୁଣା ଭିତରେ ପଇସା ଅଛି, ପୁରୁଣା ଭିତରେ ଅଳପ ଦେଇ ଅଥବା ଆଦୌ କିଛି ନଦେଇ ସମ୍ଭବ ହେଲେ ସବୁକିଛି ମାରିନେବାର ସହଜ କୌଶଳଗୁଡ଼ାକ ରହିଛି, ସହଜ ସଫଳତା ରହିଛି, ଆସନଗୁଡ଼ାକ କେଡ଼େ ଚକ ଚକ ହୋଇ ସଜାହୋଇ ରହିଛି ଓ ତାହାକୁ ମାଡ଼ି ବସିବା ଲାଗି ସେଠି ସାଧୁ ଏବଂ ଅସାଧୁ ଭିତରେ ଆଦୌ କୌଣସି ବାରଣ ରହୁନାହିଁ । ଯେଉଁମାନେ ପୁରୁଣାକୁ ବଦଳାଇବେ ବୋଲି ନୂଆକୁ ମନ କରି ଏଣେ ଆସିଥିଲେ, ସେମାନଙ୍କ ଭିତରେ ତଥାପି ସେହି ପୁରୁଣା ଦଉଡ଼ିଗୁଡ଼ାକ କୋଉଠି ଲୁଚି ରହିଥିଲା କେଜାଣି, ସେମାନେ ସେହି ଦଉଡ଼ିଗୁଡ଼ାକ ଦ୍ଵାରା ଘୋଷରା ହୋଇ ଏଠା ଛାଡ଼ି ସେଠାକୁ ଚାଲି ଯାଉଛନ୍ତି ।

 

ଏଠୁ ବିରକ୍ତ ହୋଇ ସେମାନେ ସେଠି ଯାଇ ରହିବେ,–ଟଙ୍କା ପାଇବେ, ପଦ ପାଇବେ, ବଡ଼ ଲୋକ ହେବେ, ବାବୁଙ୍କ ପରି ଦିଶିବେ, ବାବୁମାନଙ୍କ ପରି କପଟ କରିବେ, ବାବୁମାନଙ୍କ ପରି ସାଲିଶ କରିବେ, ନିର୍ମମ ହେବେ ଏବଂ, ଯଦି ନୂଆ ଲାଗି–ନୂଆ ସମାଜ ଓ ନୂଆ ସମ୍ବନ୍ଧ ଲାଗି ସେମାନଙ୍କ ଭିତରେ ତଥାପି କେଉଁଠି କିଛି ସାଧୁ ଆଗ୍ରହ ରହିଥିବ, ସେମାନେ ସେଠି ଯେଡ଼େ ନଅର ଭିତରେ ବୁଡ଼ି ରହିଲେ ମଧ୍ୟ ସେମାନଙ୍କୁ ସେଠାରେ ମୋଟେ ଭଲ ଲାଗିବ ନାହିଁ । ହଁ, ଆପଣା ଭିତରେ ରହିଥିବା ଅସଲ ନିଆଁଟିକୁ ଯଦି ସେମାନେ ସେହି ପୁରୁଣା ନିତ୍ୟନୈମିତ୍ତିକତାର ନିର୍ଲଜ୍ଜ ପାଉଁଶ ଭିତରେ ଘୋଡ଼ାଇ ରଖିବେ, ତେବେ ସେମାନେ ବାହାରକୁ କେଡ଼େ ଖୁସୀ ହୋଇ ରହିଥିବା ପରି ଦେଖାଯାଉଥିବେ ସତ, ତଥାପି ନିଜ ଘରଟି ଭିତରେ କବାଟ କିଳି ନିଜର ବିବେକ ପାଖରେ କାନ୍ଦିବାରେ ଲାଗିଥିବେ । ସେମାନେ ଛାଡ଼ି ଆସିଥିବା ବିଦ୍ୟାଳୟକୁ ଝୁରୁଥିବେ, ବିଦ୍ୟାଳୟର ଦୁଷ୍ଟ ପିଲାମାନଙ୍କୁ ଝୁରୁଥିବେ । ସେମାନେ ମୁହଁରେ ପିନ୍ଧିଥିବା ମୁଖାଟି ତଳେ ସେମାନଙ୍କ ଭିତରେ ରହିଥିବା ଅବୋଧ ପିଲାଟିକୁ ମଧ୍ୟ ଝୁରୁଥିବେ । ଯାହାକୁ ଏଠି ଦିନେ ମଧ୍ୟ ପ୍ରକୃତରେ ଭଲ ଲାଗିଥିଲା, ତାକୁ ସେଠାରେ କଦାପି ଭଲ ଲାଗିବ ନାହିଁ । ଯିଏ ଦିନେ ଏକ ନୂଆ ନିଷ୍କପଟ ସମ୍ବନ୍ଧ ଭିତରେ ଗୋଟିଏ ଥର ପାଇଁ ହେଲେ ବି ଖୁସୀ ହୋଇ ଆପଣାର କବାଟକୁ ଖୋଲି ଦେଇ ପାରିଥିଲା, ତାକୁ ସେଠି କଦାପି ଭଲ ଲାଗିବ ନାହିଁ । ବିବେକରେ ଗଣ୍ଠି ପକାଇ ନିଜର ହୃଦୟଟାକୁ ଯେତେ ତଣ୍ଟି ଚିପି ମାରି ଦେବାକୁ ଓ ତା'ପରେ ନିଜ ପାଖରେ ହୃଦୟ ବୋଲି କେବେ କୌଣସି ବସ୍ତୁ ରହିଥିଲା ବୋଲି ଅସ୍ଵୀକାର କରିବାକୁ ଚେଷ୍ଟା କଲେ ମଧ୍ୟ ତଥାପି ଭଲ ଲାଗିବ ନାହିଁ ।

 

ତେଣୁ ପଳାଇଗଲେ ମୋଟେ କାମ ହେବ ନାହିଁ ବା ସମସ୍ୟାଗୁଡ଼ିକର ସମାଧାନ ହୋଇଯିବ ନାହିଁ । ଆମେ ଏଇଠି ରହିବା, ଏଇଟିକୁହିଁ ବଦଳାଇ ଦେବା । ଆପଣାକୁ ଦେଇ ପାରିବା ଲାଗି ଅଧିକରୁ ଅଧିକ ପ୍ରସ୍ତୁତ କରିବା, ଅଧିକରୁ ଅଧିକ ଯୋଗ୍ୟ କରିବା । ଆମ ସହିତ ଏକାଠି ଆସି ଜୁଟିଥିବା ସାଥୀମାନଙ୍କୁ ବି ଆମେ କଦାପି ଅବଜ୍ଞା କରିବା ନାହିଁ । ଆମେ ସେମାନଙ୍କୁ ବି ସାଙ୍ଗରେ ନେବା । ସେମାନଙ୍କୁ ମଣିଷର ସମ୍ମାନ ଦେବା, ଅର୍ଥାତ୍ ମଣିଷ ଭିତରେ ରହିଥିବା ବୃହତ୍ତମ, ଉଦାରତମ ଓ ଉଦାତ୍ତତମକୁ ସବାଆଗ ଦେଖିବା । ଆମ ପୁରୁଣା ସମାଜ ଆମକୁ ଅନ୍ୟ ମଣିଷଙ୍କର କଳାଗୁଡ଼ାକହିଁ ସବାଆଗ ଦେଖିବା ଲାଗି କୁମନ୍ତ୍ରଣା ଦେଇଛି, ଆମ ବୃତ୍ତିଗୁଡ଼ିକୁ ତାହା ଏହିପରି ଭାବରେ ମନ୍ଦବୃତ୍ତିରେ ପରିଣତ କରି ପକାଇଛି । ଆମେ ସମସ୍ତେ ଆପଣା ଭିତରେ ସେହି ଜାଲରୁ ମୁକ୍ତ ହୋଇ ଆସିବାକୁ ଚେଷ୍ଟା କରିବା ଓ ପରସ୍ପରକୁ ମଧ୍ୟ ସେହି ମୁକ୍ତିଟିକୁ ଲାଭ କରିବାରେ ସାହାଯ୍ୟ କରିବା । ତେବେ ଯାଇ ହେବ । ଯାହା ଆଜି ଭଲ ନ ଲାଗୁଛି, ତାହା କାଲିକୁ ନିଶ୍ଚୟ ଭଲ ଲାଗିବ ।

 

ପୂର୍ଣ୍ଣାଙ୍ଗ ବିଦ୍ୟାଳୟ କେବଳ ସେଥିରେ ପାଠ ପଢ଼ୁଥିବା ପିଲାମାନଙ୍କ ପାଇଁ ଏକ ବିଦ୍ୟାଳୟ ନୁହେଁ, ତାହା ଆମଲାଗି ମଧ୍ୟ ଏକ ବିଦ୍ୟାଳୟ । ଆମ ଭିତରେ ପୁରୁଣା ସଂସ୍କାର ଓ ପୁରୁଣା ସ୍ଵଭାବଗୁଡ଼ାକ ଭର୍ତ୍ତି ହୋଇ ରହିଥିଲେ ମଧ୍ୟ ତଥାପି ଯେ ଆମେ ଏକ ନୂଆ ସମ୍ବନ୍ଧରେ ଯୋଗ୍ୟ ହେବା ସଙ୍ଗେ ସଙ୍ଗେ ସେଗୁଡ଼ାକୁ କାଢ଼ି ଫିଙ୍ଗିଦେଇ ପାରିବା, ଏହା ସେହି ବିଶ୍ଵାସ ଓ ସେହି ସାଧନାର ଏକ ବିଦ୍ୟାଳୟ । ଏହି ବିଦ୍ୟାଳୟରେ ଆମେ ନାନାପ୍ରକାରରେ ହାରିଯାଇ ଓ ଉତ୍ତେଜିତ ଭାବରେ ଏକ ଆରେକକୁ ଦୋଷ ଦେଇ ଯଦି ଭୀରୁ ପରି ଆଉ କୁଆଡ଼େ ପଳାଇଯିବାକୁ ମନ କରୁଥିବା ଅଥବା ସାଲିଶ୍ କରି ସନ୍ତୁଷ୍ଟ ରହିଯିବାକୁ ବିଚାର କରୁଥିବା, ତେବେ ଆମ ପିଲାଏ ସବୁଠାରୁ ବଢ଼ିଆ ସିଲାବସ୍ ଅନୁସାରେ ପାଠ ପଢ଼ିଲେ ଅଥବା ସବୁଠାରୁ ଅଧିକ ଧୋବ କପଡ଼ା ପିନ୍ଧି ଉଜ୍ଜ୍ଵଳ ଦେଖାଗଲେ ମଧ୍ୟ ଆମେ ଏ ପୁରୁଣାଗୁଡ଼ାକର ଗ୍ରାସରେ ତଥାପି ପଡ଼ିଯିବା । ତେଣୁ ଆମେ ହାରିବା ନାହିଁ, ଆମେ ସାଲିଶ କରିବା ନାହିଁ । କାଳର ଭବିଷ୍ୟବରାଦଟି ଅନୁସାରେ ଆମ ଉପରେ ଯେଉଁ ଦାୟିତ୍ୱଟି ନ୍ୟସ୍ତ ହୋଇ ରହିଛି, ଯାହା ଆମକୁ ଗୋଟିଏ ପୀଠରେ ଆଣି ଏକାଠି କରାଇଛି, ଆମେ ଭିତରେ ଓ ବାହାରେ ତାହାହିଁ ଅଧିକରୁ ଅଧିକ ପରିମାଣରେ ଯୋଗ୍ୟ ହେବା । ତେବେଯାଇ ଜିତିବା ଓ ତେବେ ଯାଇ ଆମକୁ ଭଲ ଲାଗିବ । କାଳ ହଟିଯିବ; ମଣିଷ ଜିତିବ । ଈଶ୍ଵର ଜିତିବେ ।

 

ଜୁଲାଇ-ଅଗଷ୍ଟ, ୧୯୮୨

Image

 

Unknown

ସୁଅରେ ମିଶିଯିବା କେଡ଼େ ସହଜ !

 

ସୁଅ ନିରବଧି ଚାଲିଛି । ସେହି ସୁଅରେ ମିଶିଯିବା ହେଉଛି ଜୀବନ । ଧର୍ମମାନେ ଚିରକାଳ ସେହି କଥା କହି ଆସିଛନ୍ତି । ସମାଜର ଧର୍ମ ସେହି କଥା କହିଛି, ଆପଣାକୁ ଧର୍ମସ୍ଥ ବୋଲି ମାନୁଥିବା ଶାସକମାନେ ମଧ୍ୟ ସେହି କଥା କହିଛନ୍ତି । ସେମାନେ ଆବଶ୍ୟକ ପଡ଼ିଲେ ବାଡ଼ି ଧରି ବି ମଣିଷମାନଙ୍କୁ ସେହି କଥାଟାକୁ ସ୍ଵୀକାର କରିନେବା ଲାଗି ବାଧ୍ୟ କରିଛନ୍ତି, ସୁଅରେ ମିଶିଯିବା ଲାଗି ବାଧ୍ୟ କରିଛନ୍ତି । ସୁଅରେ ମିଶିଯିବା ଦ୍ଵାରାହିଁ ସଂସାର ନିରାପଦ ଭାବରେ ଚାଲିବ ବୋଲି ସେମାନେ କେଡ଼େ ବଡ଼ ପାଟିରେ ଘୋଷଣା କରିଛନ୍ତି । ନିରାପଦ ଭାବରେ ଚାଲିବାଟାକୁ ହିଁ ସେମାନେ ଶାନ୍ତି ବୋଲି କହିଛନ୍ତି ।

 

ଆମ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକ ମଧ୍ୟରୁ ଯେଉଁଗୁଡ଼ିକ ପ୍ରଥମେ ଆରମ୍ଭ ହୋଇ ଥିଲେ, ସେଗୁଡ଼ିକ କ୍ରମେ ପୁରୁଣା ହୋଇ ଆସୁଛନ୍ତି । ପୁରୁଣା ହେଲେ ଡିହଟାର ମୋହ ସତେଅବା ଏକ ଉତ୍କଟ ଓ ଉଗ୍ର ଲାଳସାରେ ପରିଣତ ହୋଇ ମଣିଷକୁ କାମୁଡ଼ି ଧରିବାକୁ ମନକରେ । ଡିହ କାମୁଡ଼ି ଧରିବାକୁ ଆରମ୍ଭ କଲେ ଅନେକ ସମୟରେ ଆଗକୁ ମଧ୍ୟ ବାଟ ଦିଶେ ନାହିଁ, ଉର୍ଦ୍ଧ୍ୱକୁ ବାଟ ଦିଶିବା ତ ଆହୁରି ଦୂରକଥା ! ପ୍ରଥମ ପର୍ଯ୍ୟାୟରେ ଆମେ ହୁଏତ ସତ୍ୟକୁ ମନ କରୁଥାଉ, ସତ୍ୟ ଲାଗି ପ୍ରସ୍ତୁତ ହେବାକୁହିଁ ଆପଣାର ଯଥାର୍ଥ ଧର୍ମ ବୋଲି ମାନୁଥାଉ । ମାତ୍ର, ଡିହ ସହିତ ଆମର ମୋହଗୁଡ଼ାକ ଅଧିକରୁ ଅଧିକ ପରିମାଣରେ ବହଳ ହୋଇ ଆସୁଥିବା ସଂଗେ ସଂଗେ ଆମର ଆଖିଗୁଡ଼ାକ ସତେଅବା ବଦଳି ଯିବାକୁ ଆରମ୍ଭ କରେ, ଆମ ହୃଦୟ ଭିତରେ ବସିଥିବା ବନ୍ଧୁଟି ସହିତ ଲାଗିଥିବା ଆମର ଡୋରଟି କ୍ରମେ ପାସୋରି ହୋଇଯାଏ । ତା' ପରେ ଆମେ ଭାବୁ ଯେ, ଆମେ ଯାହା କରୁଛୁ, ତାହାହିଁ ସତ୍ୟ । ତା' ପରେ ଆମ ଗୋଡ଼ଗୁଡ଼ାକରେ ପଥର ବାନ୍ଧି ହୋଇଯାଏ । ସେହି ପଥର ଗୁଡ଼ାକୁହିଁ ଅନିଚ୍ଛୁକ ଏବଂ ଅସମ୍ମତମାନେ ପ୍ରତିଷ୍ଠା ବୋଲି କହିଥାନ୍ତି । ସୁଅରେ ମିଶିଗଲେ କେବଳ ସେହି ପ୍ରତିଷ୍ଠାଟାହିଁ ସବୁଠାରୁ ବଡ଼ ହୋଇ ଦିଶିବାକୁ ଆରମ୍ଭ କରେ, ପ୍ରତିଷ୍ଠା ବଢ଼ୁଥିଲେ ସୁଅଟାହିଁ ସବୁଠାରୁ ବଡ଼ ସତ୍ୟ ବୋଲି ଅନୁଭୂତ ହୁଏ । ପୁରୁଣାଟା ସେତେବେଳେ ଭାରି ସୁଆଦ ଲାଗେ । ପୁରୁଣା ସୁଅଟା ଭିତରେ ନୂଆ ଜରିରେ ବନ୍ଧା ହୋଇତିବା ପର୍ଚୁଲାଟାଏ ପିନ୍ଧି ଯଦି ଅଧିକ ପ୍ରତିଷ୍ଠା ମିଳିପାରିଲା,ତେବେ ସୁଅରେ ମିଶିଗଲେ ଆଉ କ୍ଷତି କ'ଣ-? ସେତେବେଳେ ନିଜକୁ ଏହିସବୁ କଥା କହି ଆଶ୍ଵାସନା ଦେବାକୁ ଓ ଗୌରବ ନେବାକୁ ମନ ହୁଏ-

 

ପୂର୍ଣ୍ଣାଙ୍ଗ ଶିକ୍ଷାର ଏକ ସ୍ଵତନ୍ତ୍ର ବିବେକ ରହିଛି । ସୁଅରେ ମିଶିଯିବାକୁହିଁ ସତ୍ୟ ବୋଲି ସ୍ଵୀକାର କରି ନେଉଥିବା ପୁରୁଣା ବିବେକଗୁଡ଼ାକରୁ ତାହା ଏକାବେଳକେ ଭିନ୍ନ, ଏକାବେଳକେ ସ୍ଵତନ୍ତ୍ର । ପୁରୁଣା ବିବେକରେ କେବଳ ଅନୁଜ୍ଞାଗୁଡ଼ାକ ରହିଛି, ମଣିଷ ମୋଟେ ନାହିଁ; କେବଳ ବାହାରଗୁଡ଼ାକ ରହିଛି, ଅନ୍ତର ନାହିଁ । ସେଠି ସୂତ୍ରଗୁଡ଼ାକ ହାକିମ ହୋଇ ମଣିଷ ଆଉ ମଣିଷ ମଧ୍ୟରେ ପାଚେରୀ ହୋଇ ଠିଆ ହୋଇଛନ୍ତି । ଦେଉଳ ଅଛି, ଦିଅଁ ନାହାନ୍ତି । କୃତ୍ରିମତାଗୁଡ଼ାକ ଆତ୍ମୀୟତାଗୁଡ଼ାକ ଉପରେ ଘୋଡ଼ା ଚଢ଼ିବାକୁ ମନ କରୁଛନ୍ତି । ସେଠାରେ ବାବୁବେଶରେ ଗୋଟାସୁଦ୍ଧା ଲାବଣ୍ୟଯୁକ୍ତ ହୋଇ ଦିଶୁଥିବା ଚତୁର ଅନିଚ୍ଛୁକମାନେ କେଡ଼େ ସନ୍ତର୍ପଣରେ ଗଦା ମାରି ବସିଛନ୍ତି । ବିଦ୍ୟାଳୟ ଭିତରେ ପିଲାମାନଙ୍କୁ ବାଦ ଦେଇ ଆଉ ସବୁକିଛି ହେଉଛି; ଖଣ୍ଡେ ଖଣ୍ଡେ ଶୁଖିଲା କାଗଜକୁ ସାର୍ଟିଫିକେଟ୍ ବୋଲି କହି ସେଠି ପିଲାଙ୍କର ମୂଲ୍ୟକଳନା ହେଉଛି, ଯୋଗ୍ୟ ଓ ଅଯୋଗ୍ୟର ବିଚାର ହେଉଛି । ଆମର ରକ୍ତ ଭିତରେ ଏହି ମନୁଷ୍ୟବିରୋଧୀ ରୀତିଗୁଡ଼ାକ ଲାଗି ଏକ ପ୍ରୀତି କେଉଁଠି ଘର କରି ରହିଛି କେଜାଣି, ଆମ ବିଦ୍ୟାଳୟ ଅଧିକ ପୁରୁଣା ହେବା ସଂଗେ ସଂଗେ ଆମେ ପୁନର୍ବାର ସେହି ଗୁଳାଗୁଡ଼ାକୁ ଭାରି ମନ କରୁଥିବା ପରି ବୋଧ ହେଉଛି ।

 

ଫଳରେ, ସତେଅବା ମନ କଲା ମାତ୍ରକେ ଆମ ବିଦ୍ୟାଳୟଗୁଡ଼ାକରେ ଶୃଙ୍ଖଳା ନାମରେ ପୁନର୍ବାର ଦୂରତା ଆସି ପଶିଯାଉଛି । ଆମ ପିଲାମାନଙ୍କ ଭିତରେ ଯେଉଁ ଅକଳୁଷ ଆତ୍ମାଟି ପ୍ରଚ୍ଛନ୍ନ ହୋଇ ରହିଛି, ସେଇଟି ଲାଗି ଦ୍ଵାରୋନ୍ମୋଚନ କରି ଦେବା ପରିବର୍ତ୍ତେ ଆମେ ବାହାରର କେତେଟା ଛାଞ୍ଚ ଓ ପ୍ରଶାସନକୁ ଲଦି ଦେଇ ପ୍ରତିଯୋଗିତାର ବଜାରରେ ସେମାନଙ୍କୁ ସଫଳ ହେବାର ପାଠ ପଢ଼ାଇବାରେହିଁ ଏଣିକି ଅଧିକ ମନ ଦେଉଛୁ । ସେମାନଙ୍କୁ ଏମିତି ଅଥବା ସେମିତି ବାଗରେ ତିଆରି କରିଦେବା ଲାଗି ମନ କରୁଛୁ । ସେମାନଙ୍କର ଅସଲ ସମ୍ଭାବନାଗୁଡ଼ିକ ଯେ ଭିତରେ ଅସଲ ଦ୍ଵାରଗୁଡ଼ାକ ଖୋଲିବା ଲାଗି ଅପେକ୍ଷା କରି ରହିଛନ୍ତି, ସେହି କଥାଟିକୁ ମନେ ପକାଇବା ଲାଗି ଆମକୁ ଫୁରୁସତ ମିଳୁନାହିଁ । ବିଦ୍ୟାଳୟର ଚାଳକମାନେ ଶିକ୍ଷକମାନଙ୍କୁ ବତାଇବାରେ ଲାଗିଛନ୍ତି । ଶିକ୍ଷକମାନେ ଆଦୌ ସାଙ୍ଗରେ ଅଛନ୍ତି କି ନାହିଁ, ସେକଥା ଭାବିବା ପାଇଁ ଆଉ ମୋଟେ ଫୁରୁସତ୍ ନାହିଁ । ଏବଂ, ଶିକ୍ଷକମାନେ ଯାହାର କୁଣ୍ଡା ଖାଉଛନ୍ତି, ସତେଅବା ସେହିମାନଙ୍କର ବୋଲ ଅନୁସାରେ ବାଟ ଚାଲିବାକୁହିଁ କ୍ରମେ ପରମ କର୍ତ୍ତବ୍ୟ ବୋଲି ମାନି ନେଉଥିବା ଶିକ୍ଷକମାନେ ବି ପିଲାମାନଙ୍କୁ ବତାଇବାରେହିଁ ଲାଗିଛନ୍ତି । ପିଲାମାନେ ଆଦୌ ସାଙ୍ଗରେ ଅଛନ୍ତି କି ନାହିଁ, ସେକଥା ଭାବିବା ପାଇଁ ଆଉ ବେଳ ନାହିଁ । ଶିକ୍ଷକମାନଙ୍କର ସର୍ବପ୍ରଥମ କର୍ତ୍ତବ୍ୟ ଯେ ପିଲାମାନଙ୍କ ଲାଗି ଓ ପରିଚାଳକମାନଙ୍କର ସର୍ବପ୍ରଥମ କର୍ତ୍ତବ୍ୟ ଯେ ଶିକ୍ଷକମାନଙ୍କ ଲାଗି ,– ଏବଂ, ସର୍ବୋପରି ଉଭୟଙ୍କର ସର୍ବପ୍ରଥମ କର୍ତ୍ତବ୍ୟ ଯେ ଆମର ଚକ୍ଷୁ ସମକ୍ଷରେ ସୂର୍ଯ୍ୟ ହୋଇ ଜଳୁଥିବା ଓ ଆମକୁ ଜନନୀ ପରି ସେହି ଆଡ଼କୁ ପରିଚାଳିତ ହୋଇଯିବାକୁ ସତତ ଆହ୍ଵାନ ଦେଉଥିବା ଏକ ଅନ୍ୟ ଭବିଷ୍ୟ ଲାଗି, ସେକଥା ସତେଅବା କାହାରି ହେଲେ ମନେ ରହୁନାହିଁ । ଡିହଗୁଡ଼ାକୁ କାମୁଡ଼ି ରହିବାର ଉଗ୍ରତାରେ ଉଭୟେ ପରସ୍ପର ପ୍ରତି କ୍ରୁଦ୍ଧ ହୋଇ ସତେଅବା କେବଳ ଅଧିକରୁ ଅଧିକ ପରିମାଣରେ ଗୋଟାଏ ଗୋଟାଏ ଯନ୍ତ୍ର ହେବାରେ ଲାଗିଛନ୍ତି; ଯନ୍ତ୍ର ହୋଇ ଯାଉଥିବାର ଲାଜଗୁଡ଼ାକୁ ଘୋଡ଼ାଇ ରଖିବା ଲାଗି ସେମାନେ ବାହାରେ କେତେ କେତେ ପଦ ଓ ପଦବୀର ନିଶଦାଢ଼ିମାନ ଲଗାଇ ଆପଣାକୁ ବଳୁଆ ବୋଲି ପ୍ରମାଣ କରିବାକୁ ମନ କରୁଛନ୍ତି । ଭିତରେ ଯେ ବଳଗୁଡ଼ାକ ସରିଯିବାକୁ ଆରମ୍ଭ କଲେଣି, ତାହାରି ପ୍ରମାଣ ଦେଉଛନ୍ତି ।

 

ଯାନ୍ତ୍ରିକତାର ଏହି ଅଶେଷ ନିପୁଣତାଯୁକ୍ତ ଷଡ଼ଯନ୍ତ୍ର ଦ୍ଵାରା ଆମ ବିଦ୍ୟାଳୟର ପିଲାମାନେ ସବୁଠାରୁ ଅଧିକ ପରିମାଣରେ କ୍ଷତିଗ୍ରସ୍ତ ହେଉ ନାହାନ୍ତି କି ? ଆମର ଉଗ୍ରତା, ଆମର ଅଳ୍ପତା ଏବଂ ଆମର କ୍ଷୁଦ୍ର ପରସ୍ପରହିଂସୁକ ଭୟଗୁଡ଼ାକ କ୍ରମେ ସେମାନଙ୍କର ଚତୁର୍ଦ୍ଦିଗସ୍ଥ ପରିବେଶଟି ମଧ୍ୟକୁ ବି କ୍ରମଶଃ ଅଧିକରୁ ଅଧିକ ପରିମାଣରେ ସଂକ୍ରମିତ ହୋଇଆସୁନାହିଁ କି ? ଆମେ ବେଳ ଥାଉଁ ଏହି କଥାଟିର ବିଚାର କରିବା । ଆମର ରକ୍ତଗୁଡ଼ାକ ସଂପୂର୍ଣ୍ଣ ଭାବରେ ପାଣି ଫାଟିଯିବା ପୂର୍ବରୁ ଆମେ ପରସ୍ପର ସହିତ ଏକତ୍ର ବସି ତାହାର ବିଚାର କରିବା । ଆଜିର ବିପ୍ଳବୀ ଯେତେବେଳେ କାଲିକୁ ପ୍ରତିକ୍ରିୟାଶୀଳ ହୋଇଯାଏ, ସେତେବେଳେ ସିଏ ଭୀରୁ ହେବାକୁ ଆରମ୍ଭ କରେ । ଆମ ଭିତରେ ସେହି ଭୀରୁତାଗୁଡ଼ାକ ପଶି ଆମକୁ ଗୋଟାସୁଦ୍ଧା କଠିନ କରି ପକାଇବା ପୂର୍ବରୁ ଆମେ ଏହି କଥାଟିର ବିଚାର କରିବା ! ଆମର ନୂତନ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନର ଅବସ୍ଥାକୁ ବଦଳାଇବାରେ ନା ଫଳରସିକ ଓ ଫଳକାମୀ ହୋଇ କ୍ରମଶଃ ତାହାରି ଭିତରେ ମିଶିଯିବେ ଓ କେବଳ ଏକ ନୂଆ ଜର୍ସି ପିନ୍ଧି ସେହି ପୁରୁଣାଟା ଭିତରେହିଁ ଫୁଲେଇ ହେବେ ? ଆମ ଭିତରର ନୂଆ ଆମ ଭିତରର ପୁରୁଣାକୁ ଏହି ପ୍ରଶ୍ନଟିକୁ ପଚାରୁ । ଆମର ଅଭୀସ୍ପା ଆମର ଅହଙ୍କାରଗୁଡ଼ାକୁ ଏହି ପ୍ରଶ୍ନଟିକୁ ପଚାରୁ । ଆମ ପିଲାମାନଙ୍କର ଦର୍ପଣ ଉପରେହିଁ ଆମେ ନିଜକୁ ଅର୍ଥାତ୍ ଆମ ବିଦ୍ୟାଳୟସ୍ଥ ଯାବତୀୟ ଉଦ୍ୟମକୁ କଳନା କରି ଦେଖିବାକୁ ସମର୍ଥ ହେଲେ ଯାଇ ଆମେ ଏକାଠି ବସି ସେହି ପ୍ରଶ୍ନଟିକୁ ପଚାରିବାର ଯୋଗ୍ୟ ହୋଇ ପାରିବା ।

 

ପୁରୁଣାମାନେ ସାବଧାନ ହୁଅନ୍ତୁ । ସେମାନେ ଆହୁରି ସ୍ଥିର ହୋଇ ଆପଣାର ଚତୁର୍ଦ୍ଦିଗକୁ ଦେଖନ୍ତୁ, ପୂର୍ଣ୍ଣାଙ୍ଗ ଶିକ୍ଷାର ସମଗ୍ର ବୃତ୍ତଟିକୁ ଦେଖନ୍ତୁ । ଶ୍ରୀଅରବିନ୍ଦଙ୍କର ବିଚାରକୁ ନେଇ ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକର ମାଧ୍ୟମରେ ଗଢ଼ିଉଠିଥିବା ଏବଂ ଏକ ଅନ୍ୟ ଉଦ୍‍ବେଳନ ତଥା ଆନ୍ତର ଅନ୍ୱେଷଣର ସନ୍ଧାନ ଦେଉଥିବା ଏକ ବୃହତ୍ ଆନ୍ଦୋଳନରେ ସେମାନେ ଇଚ୍ଛା କଲେ ଏକ ଯଥାର୍ଥ ନେତୃତ୍ଵ ଦେଇ ପାରିବେ । ଯିଏ ସମସ୍ତଙ୍କର ଆଗରେ ଥାଏ, ସମସ୍ତଙ୍କୁ ସାଙ୍ଗରେ ନେବା ଲାଗି ଆବଶ୍ୟକ ବଳଟି ମଧ୍ୟ ତାହାରି ଭିତରେ ପ୍ରଚ୍ଛନ୍ନ ହୋଇ ରହିଥାଏ । ଆପଣାକୁ ସମସ୍ତଙ୍କର ଦର୍ପଣ ଉପରେ ଦେଖିପାରିଲେ ଯାଇ ସିଏ ସେହି ବଳଟିକୁ ଆବିଷ୍କାର କରିବାକୁ ସମର୍ଥ ହୁଏ । ଆତ୍ମୀୟତାକୁହିଁ ଅସଲ ମାର୍ଗ ବୋଲି ଗ୍ରହଣ କଲେ ଯାଇ ସମସ୍ତଙ୍କର ଭିତରେ ନିଜକୁ ଦେଖିବା ଲାଗି ବଳ ପାଏ । ଆମ ଡିହଗୁଡ଼ାକର ବାଲି ଆମ ଆତ୍ମୀୟତାର ପଥଗୁଡ଼ିକୁ ମୋଟେ ପୋତି ପକାଇବାକୁ ମନ ନକରୁ ! ପୂର୍ଣ୍ଣାଙ୍ଗ ଶିକ୍ଷା ଏକ ବିକଳ୍ପ । ଅଭିଳଷିତ ପୂର୍ଣ୍ଣାଙ୍ଗ ଜୀବନ ଲାଗି ଏହା ଏକ ସଂପୂର୍ଣ୍ଣ ଅନ୍ୟ ସାହସର ସହିତ କରାଯାଉଥିବା ଏକ ଅଭିକ୍ରମ ! ଏହାର ଅସଲ ଯୁଦ୍ଧ ପୁରୁଣା ବିରୁଦ୍ଧରେ । ଆମେ ପୁରୁଣା ସୁଅଗୁଡ଼ାକ ସହିତ ମିଶିଯିବାର ସହଜ ବାଟଟିକୁ ଆଦରିନେଇ ବଡ଼ ହୋଇ, ଉଜ୍ଜ୍ଵଳ ହୋଇ ଓ ଅଧିକ ହୋଇ ଦିଶିବାକୁ ମନକଲେ ଆମଦ୍ଵାରା କୌଣସି ବିକଳ୍ପ କଦାପି ସମ୍ଭବ ହେବନାହିଁ । ଆମର ଅସଲ ମନ୍ତ୍ରଗୁଡ଼ାକ ବହିର ବାକ୍ୟରେ ପରିଣତ ହୋଇ ରହିବ-। ଅସଲ ପ୍ରେରଣାଗୁଡ଼ାକ ତୁଚ୍ଛା ପଣ୍ୟରେ ପରିଣତ ହୋଇ ରହିବ । ଆମକୁ ପ୍ରତ୍ୟାଖ୍ୟାନ କରି ଆମ କାନ୍ଧ ଉପରେ ଗୋଡ଼ ରଖି କାଳ ଆଗକୁ ବାହାରିଯିବ । ଆମେ ବଞ୍ଚିତ ହୋଇ ରହିଯିବା-

 

ସେପ୍‍ଟେମ୍ବର-ଅକ୍ଟୋବର, ୧୯୮୨

Image

 

ଡାଳିଯୋଡ଼ାର ଅନେକ ଡାଳ

 

ଏଥର ଶ୍ରୀଅରବିନ୍ଦ ଶ୍ରୀକ୍ଷେତ୍ରରେ ଚାରିଦିନ କଟାଇ ଆସିଲି । ଯେଉଁଠି ନୀରବତା କଥା କହେ, ଡାଳିଯୋଡ଼ା ସେହିପରି ଗୋଟିଏ ଜାଗା । ଏଠି ଅରଣ୍ୟ ମଣିଷ ସହିତ କଥା କହେ, ଆକାଶ ସତେଅବା କେତେ ମନ କେତେ କଥା କହିବା ଲାଗି ଭୂଇଁ ଉପରକୁ ଲାଗି ଆସେ । ବର୍ତ୍ତମାନ ଭବିଷ୍ୟ ସହିତ କଥା କହେ, ଭବିଷ୍ୟହିଁ ବର୍ତ୍ତମାନରେ ପରିଣତ ହୋଇ ଆସୁଥିବା ପରି ଅନୁଭବ ହୁଏ । ମଣିଷ ମଣିଷର କେତେ ଯେ ନିକଟବର୍ତ୍ତୀ ହୋଇ ରହିଛି, ସେହି ଅନୁଭବ ହୁଏ । ମଣିଷ ମଣିଷ ଭିତରେ ଅସଲ ସୂତ୍ରଟି ଲାଗି ରହିଥିଲେ ଯେ ମଣିଷ ସର୍ବଦା ଅନ୍ୟ ସବୁ ମଣିଷଙ୍କର ନିକଟବର୍ତ୍ତୀ ହୋଇ ରହିପାରିବ, ସେହି ପ୍ରତ୍ୟକ୍ଷ ଅନୁଭବଟି ହୋଇଥାଏ ।

 

ଡାଳିଯୋଡ଼ାରେ ଗୋଟିଏ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମଧ୍ୟ ରହିଛି । ଅଧିକାଂଶ ସମୟ ମୋର ଏଥର ସେହି ଶିକ୍ଷାକେନ୍ଦ୍ରରେହିଁ କଟିଲା । ଏପାଖରେ ଧାଡ଼ିଏ ଘର, ସେଇଟି ବିଦ୍ୟାଳୟ; ସେ ପାଖରେ ଯେଉଁ ଦୁଇ ବଖରା ଘର, ସେଥିରେ ଶିକ୍ଷକମାନେ ରହନ୍ତି । ମଝିରେ ପ୍ରଶସ୍ତ ଦୁଆର । ସମସ୍ତ ଖାଲି ଜାଗାକୁ ଭରିରହିଥିବା ପରି କେତୋଟି ଫୁଲଗଛ । କେତୋଟି କିଆରୀ । ଫାଟକ ପାଖକୁ କୂଅଟିଏ । କେଉଁଠି ହେଲେ ମୋଟେ କୌଣସି ପ୍ରକାରର ବ୍ୟବଧାନ ଅନୁଭୂତ ହୁଏ ନାହିଁ । ଲୁଚାଇବା ଭଳି ମୋଟେ କିଛି ନଥାଏ । ପିଲାମାନେ ଆଖପାଖ ପ୍ରାୟ ଚାରିପାଞ୍ଚୋଟି ଗାଆଁରୁ ଇସ୍କୁଲକୁ ଆସନ୍ତି । ନିଜ ଘର ହେଉଛି ସେମାନଙ୍କ ଲାଗି ବିଦେଶ ପରି, କାରଣ ଦିନର ଅଧିକାଂଶ ସମୟ ସେମାନେ ସ୍କୁଲରେହିଁ ରହନ୍ତି । କେବଳ ଖାଇବା ଓ ଗାଧୋଇବା ପାଇଁ ଯାହା ଘରକୁ ଯାଆନ୍ତି । ଅଧିକାଂଶ ପିଲା ତାହାହିଁ କରନ୍ତି । ସ୍କୁଲରେ ପାଠପଢ଼ା ସମୟ ହେଉଛି ସକାଳ ସାଢ଼େ ସାତଟାରୁ ସାଢ଼େ ବାରଟା । ତାହାରି ଭିତରେ ଖେଳ ପାଇଁ ବି କିଛି ସମୟ ରହିଥାଏ । ତା ପରେ ପିଲାଏ ଘରକୁ ଯାଆନ୍ତି । ଖାଇ ଦେଇ ପୁଣି ସ୍କୁଲକୁ ବାହାରି ଆସନ୍ତି । ଝିଅମାନେ ଅବଶ୍ୟ ଆସନ୍ତି-। ସେମାନେ ଉପର ଓଳିଟା ଶିକ୍ଷକମାନଙ୍କ ପାଖରୁ ପାଠଗତ ଯାବତୀୟ ସାହାଯ୍ୟ ପାଆନ୍ତି-। ଚାରିଟା ବେଳକୁ ସବୁ ପିଲାଙ୍କର ଭିଡ଼ ଲାଗିଥାଏ । ସମସ୍ତେ ଏକାଠି ମିଶି ଖେଳ ପଡ଼ିଆକୁ ଖେଳି ଯାଆନ୍ତି । ଖେଳ ସରିଲେ ଝିଅମାନେ ଘରକୁ ଯାଆନ୍ତି, ପୁଅମାନେ ସ୍କୁଲରେ ରହନ୍ତି । ଘରୁ ଆସିବା ସମୟରେ ସେମାନେ ରାତି ଖାଇବାକୁ ସାଙ୍ଗରେ ଧରି ଆସିଥାନ୍ତି । କିଏ ପଖାଳ ଆଣିଥାଏ ତ ଆଉ କିଏ ପିଠା ବା ରୁଟି ଆଣିଥାଏ । ଲଗାଇ ଖାଇବାକୁ ଆଳୁସିଝା ବା ସେହିପରି ଆଉକିଛି ଆଣିଥାନ୍ତି-। ରାତିରେ ପିଲାମାନେ ବାଣ୍ଟି ହୋଇ ଶିକ୍ଷକମାନଙ୍କ ପାଖରେ ପଢ଼ନ୍ତି । ପାଠ ସରିଲେ ସେଇ ଇସ୍କୁଲ ଘରେ ଶୁଅନ୍ତି । ସିନ୍ଦୁରା ଫାଟିବା ବେଳକୁ ତରବର ହୋଇ ଘରକୁ ଯାଆନ୍ତି ଓ ପ୍ରାୟ ଘଣ୍ଟାକ ଭିତରେ ଗାଧୋଇ ଖାଇ ପୁଣି ବିଦ୍ୟାଳୟକୁ ଆସନ୍ତି ।

 

ବିଦ୍ୟାଳୟରେ ସାତୋଟି ଶ୍ରେଣୀରେ ଶହେରୁ ଅଧିକ ପିଲା । ସେମାନଙ୍କ ଲାଗି ଛଅଜଣ ଶିକ୍ଷକ । ସମସ୍ତେ ଯୁବକ । ଜୀବନର ଉତ୍ସାହ-ପର୍ବରେହିଁ ରହିଛନ୍ତି । ଯେଉଁ ମନଟା ଆକ୍ରମଣ କଲେ ମଣିଷ ଯୁବା ଅବସ୍ଥାରେ ବି ବୁଢ଼ାଙ୍କ ପରି ସିଆଣିଆ ଓ ସ୍ଵାର୍ଥପର ହୋଇଯାଏ, ସେହି ମନ ସେମାନଙ୍କୁ ଏପର୍ଯ୍ୟନ୍ତ ଗ୍ରାସ କରି ନାହିଁ । ଚତୁର୍ଦ୍ଦିଗର ଅରଣ୍ୟ ଏକ ଅଦ୍‍ଭୂତ ମମତାରେ ସେମାନଙ୍କୁ ଭିତରେ ଅନେକ ସମ୍ମତ କରି ରଖିଛି । ଗତ ବାତ୍ୟାରେ କେତେ ବଖରା ଘର ଭାଙ୍ଗି ଯାଇଥିଲେ ମଧ୍ୟ ଶିକ୍ଷକମାନେ ରହୁଥିବା ବାରଣ୍ଡାରେ ଦୁଇଟି ଶ୍ରେଣୀ ଲାଗି ସ୍ଥାନ କରି ଦିଆ ହୋଇଛି । ପାଖରେ ଜଙ୍ଗଲ ଭିତରେ ବି ଏପରି ଗୋଟିଏ ଦୁଇଟି ସ୍ଥାନର ଆବିଷ୍କାର ସରିଲାଣି, ଯେଉଁଠି ମନ ଖୁସି ହେଲେ କ୍ଲାସ ବସିପାରୁଛି ଓ ପାଠପଢ଼ା ହୋଇ ପାରୁଛି । ବାହାରୁ ଦେଖିଲେ ନିଶ୍ଚିତ ଭାବରେ କେତେ ନା କେତେ ଅଭାବ ରହିଛି, ହୁଏତ ଏଇଟା ନାହିଁ କି ସେଇଟା ବି ନାହିଁ । ମାତ୍ର ହୃଦୟ ଭିତରେ ସତେ ଯେପରି କିଛି ହେଲେ ନିଅଣ୍ଟ ହୋଇ ରହିଥିବା ପରି ଅନୁଭୂତ ହେଉ ନାହିଁ ।

 

ମଝିରେ ଦିନେ ଅଭିଭାବକ ବୈଠକ ବି ହୋଇଥିଲା । ବୈଠକ ଟାଣ ଖରା ବେଳେ ଡକା ହୋଇଥିଲେ ମଧ୍ୟ ତଥାପି ଅନେକ ଅଭିଭାବକ ଏଥିରେ ଯୋଗ ଦେଇ ଥିଲେ । ଅଭିଭାବକମାନଙ୍କ ମଧ୍ୟରୁ ଅଧିକାଂଶ ମୂଲ ଲାଗି ଖାଆନ୍ତି । ହୁଏତ ପ୍ରତିଦିନ ମୂଲଲାଗି ପ୍ରତିଦିନ ଖାଆନ୍ତି । ବୈଠକ ଖାତାରେ ସେମାନଙ୍କ ମଧ୍ୟରୁ ଅଧିକାଂଶ କେବଳ ଟିପ ଚିହ୍ନ ଦେଇ ଆପଣାର ଉପସ୍ଥାନର ସୂଚନା ଦେଲେ । ତଥାପି ସ୍କୁଲ ପ୍ରତି ସେମାନଙ୍କର ଅତ୍ୟନ୍ତ ଶ୍ରଦ୍ଧା । ସ୍କୁଲକୁ ସେମାନେ ନିଜ ପିଲାଙ୍କର ଭବିଷ୍ୟତର ପ୍ରତୀକ ବୋଲି ବିଚାରୁଛନ୍ତି । ତଥାପି ଯେତେ ବିଚାରୁଥିଲେ ମଧ୍ୟ,–କେତେ ଅଭିଭାବକ ସେମାନଙ୍କର ପିଲାଙ୍କୁ ସ୍କୁଲକୁ ପଠାଇ ପାରୁନାହାନ୍ତି । ପିଲାଏ ସକାଳୁ ଗଣ୍ଡାଏ କିଛି ଖାଇଲେ ତ ସ୍କୁଲକୁ ଆସିବେ ! ଦେହ ଲୁଚିବା ଭଳି ଖଣ୍ଡେ ପରିଚ୍ଛଦ ହେଲେ ସିନା ସେମାନେ ଅନ୍ୟମାନଙ୍କ ସହିତ ଏକାଠି କ୍ଲାସରେ ବସିପାରିବେ । ଜଣେ ବାପା କେଡ଼େ ଆକୁଳ ଅଥଚ କେଡ଼େ ଧୀର ଭାବରେ କହିଲେ ଯେ ସେହି ଲାଜରେ ସିଏ ପୁଅକୁ ନୀତି ସ୍କୁଲକୁ ପଠାଇ ପାରୁନାହାନ୍ତି । ପାରିବାରିକ ଭରଣପୋଷଣରେ କିଞ୍ଚିତ ସାହାଯ୍ୟ କରି ପାରିବାକୁ ଚଉଦ ବର୍ଷର ପୁଅ ଓଲଟି ଦିନେ ଦିନେ ମାଟି କାମ କରିବାକୁ ଯାଉଛି । ଦିନେ ଆଉ ଜଣେ ପିଲାକୁ ସିଏ ରାତିରେ ପାଠ ପଢ଼ିବାକୁ କାହିଁକି ସ୍କୁଲକୁ ଆସୁନାହିଁ ବୋଲି ମୁଁ ପଚାରିଥିଲି । ସେ ଉତ୍ତର ଦେଇ କହିଲା, ମାଆ ଅନ୍ୟମାନଙ୍କର ବିଲରେ ଧାନ କାଟିବାକୁ ମୂଲ ଲାଗି ଯାଉଛନ୍ତି, ଫେରୁଫେରୁ ରାତି ହୋଇଯାଉଛି । ଘରକୁ ଫେରିବା ପରେ ରୋଷେଇ କରି ପିଲାଙ୍କୁ ଖାଇବାକୁ ଦେବା ବେଳକୁ ବହୁତ ରାତି ହୋଇଯାଉଛି ଏବଂ ତେଣୁ ସ୍କୁଲକୁ ଆସିବା ଆଉ ସମ୍ଭବ ହେଉନାହିଁ । ସ୍କୁଲରୁ ଫେରି ଉପାସରେ ରାତିପହରକଯାଏ ଅପେକ୍ଷା କରି ରହୁଥିବା ପିଲାଙ୍କୁ ମୁଁ ତା'ପରେ କଣ କହିଥାନ୍ତି ? ବ୍ଲକ୍ ତରଫରୁ ସ୍କୁଲକୁ ଯେଉଁ ପୁଷ୍ଟିସାର ଆମେରିକା ଗହମ ମିଳିଛି, ପ୍ରତିଦିନ ସ୍କୁଲ ସରିବା ବେଳକୁ ତାହାକୁ ଯାଉ କରି ରାନ୍ଧି ପିଲାମାନଙ୍କୁ ଖାଇବାକୁ ଦିଆଯାଏ । ପିଲାଏ ପାଳି କରି ଯାଉ ରାନ୍ଧନ୍ତି । ଛୁଟି ହେବା ମାତ୍ରକେ ପିଲାମାନେ ଜଙ୍ଗଲକୁ ଦଉଡ଼ି ଯାଆନ୍ତି, ଶାଳ ଗଛରୁ ପତର ଭାଙ୍ଗି ଆଣି ଦନା ତିଆରି କରନ୍ତି ଓ ସେଥିରେ ଯାଉ ଆଣି ଖାଇ ଖାଇ ଘରକୁ ଯାଆନ୍ତି । ଅନେକ ପିଲାଙ୍କ ଲାଗି ତାହାହିଁ ଦିନର ପ୍ରଥମ ଭୋଜନ ହୋଇଥାଏ । ନିଜ ହାତ ରନ୍ଧା ଲୁଣିଆ ଯାଉକୁ ସେମାନେ କେଡ଼େ ଆନନ୍ଦରେ ଖାଉଥାନ୍ତି !

 

ପୂର୍ଣ୍ଣାଙ୍ଗ ଶିକ୍ଷା ପୂର୍ଣ୍ଣ ମଣିଷର ଶିକ୍ଷା । ଏହି ଶିକ୍ଷାରେ ପଳାଇଯିବା ଲାଗି ଆଦୌ କୌଣସି ଅବକାଶ ନାହିଁ । ବାହାର ଆଉ ଭିତର ସବୁକିଛି ବଦଳିବ, ପ୍ରତ୍ୟେକ ମଣିଷ ତାର ସ୍ଵକୀୟ ଜୀବନସ୍ଵପ୍ନର ସାମନାସାମନି ହୋଇ ଠିଆହେବ, ନିର୍ଭୀକ ହୋଇ ଠିଆ ହେବ, ବିଶ୍ଵାସର ସହିତ ପ୍ରତିକାର ଲୋଡ଼ିବ, ଶିକ୍ଷାରୂପୀ ସମଗ୍ର ଶ୍ରଦ୍ଧାର ଏସବୁ ହେଉଛି ଗୋଟିଏ ଗୋଟିଏ ଡାଳ । ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସହରରେ ଅଛି, ଗ୍ରାମାଞ୍ଚଳରେ ବି ଅଛି, ଡାଳିଯୋଡ଼ା ପରି ଅରଣ୍ୟରେ ବି ରହିଛି । ଏହି ସମସ୍ତଙ୍କୁ ନେଇ ଗୋଟିଏ ନାବରେ ନୂତନ ଶିକ୍ଷାର ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରାରେ କେହି କାହାକୁ ପଛରେ ପକାଇ ଆଗକୁ ଚାଲିଯିବେ ନାହିଁ । ଏମାନେ ସମସ୍ତେ ପରସ୍ପରକୁ ସାଙ୍ଗରେ ନେବେ । ପରସ୍ପର ପାଇଁ ଦାୟୀ ହୋଇ ରହିବେ । ତେବେ ଯାଇ ଅନେକ ଉଦ୍ୟମ ସତକୁ ସତ ଗୋଟିଏ ଉଦ୍ୟମ ପରି ଲାଗିବ । ଅନେକ ଡାଳ ସତ୍ତ୍ୱେ ତଥାପି ଗଛର ଅସଲ ମୂଳଟିକୁ ସ୍ପର୍ଶ କରି ହେବ । ଆମର ଉଦ୍ୟମ ପୂର୍ଣ୍ଣାଙ୍ଗ ହେବ ।

 

ଜାନୁଆରୀ-ଫେବୃଆରୀ, ୧୯୮୩

Image

 

ଭଗବାନଙ୍କ କାମ ଆମ ମାର୍ଗରେ

 

ଇତିହାସରେ ଯେଉଁମାନେ ଆପଣାକୁ ଭଗବାନଙ୍କର ଭକ୍ତ ବୋଲି ଘୋଷଣା କରିଛନ୍ତି, ସେମାନେ ଏହି ସଂସାରରେ କେବଳ ସେହି ଭଗବାନଙ୍କର କାମ କରିବେ ବୋଲି କେଡ଼େ ଉତ୍ସାହରେ ଓ କେଡ଼େ ଆଡ଼ମ୍ବରରେ ବାହାରିଛନ୍ତି । କିନ୍ତୁ ଅଧିକାଂଶ କ୍ଷେତ୍ରରେ ସେମାନେ ଭଗବାନଙ୍କର କାମ କରି ନାହାନ୍ତି, ନିଜର କାମଗୁଡ଼ାକହିଁ କରିଛନ୍ତି । ଭଗବାନଙ୍କ ନାମରେ ନିଜର କାମଗୁଡ଼ାକୁ କରିଛନ୍ତି । ଭାରି ପ୍ରତାପର ସହିତ ସେହି କାମଗୁଡ଼ାକ କରିଛନ୍ତି ଏବଂ ଭାରି ପ୍ରତାପୀ ହୋଇଛନ୍ତି । ସେମାନଙ୍କର ସଂସାର-ଚମତ୍କୃତକାରୀ ପ୍ରତାପରେ ଭଗବାନ ଆଡ଼େଇ ଯାଇଛନ୍ତି, ସେହି ପ୍ରତାପୀମାନଙ୍କ ଦ୍ଵାରାହିଁ ସତେଅବା ଅନ୍ତରାଳକୁ ଠେଲି ହୋଇ ଯାଇଛନ୍ତି । ତାଙ୍କରି ନାମରେ ଅନ୍ୟ ବାନାମାନ ଉଡ଼ିଛି ।

 

ପୃଥିବୀରେ ଅଧିକାଂଶ ଧର୍ମର ଇତିହାସ ଏହିପରି ନାନା ଅଧର୍ମ ଭିତରେ ପଶି ଦୂଷିତ ହୋଇଯାଇଛି । ଆତ୍ମନିବେଦନ ଉପରେ ଅହଙ୍କାରଗୁଡ଼ାକହିଁ ଜୟଲାଭ କରିଛନ୍ତି, ଅହଙ୍କାରଗୁଡ଼ାକ ରାଜ୍ୟ ବଢ଼ାଇଛନ୍ତି, ମଣିଷର ସାର ଶୋଷି ନେଇଛନ୍ତି, ଆଦର୍ଶଗୁଡ଼ାକୁ ବିକୃତ କରିଛନ୍ତି । ଆପେ ଯାହାଙ୍କର କାମ କରିବେ ବୋଲି ସେମାନେ ପ୍ରଥମେ ପ୍ରତିଜ୍ଞାବଦ୍ଧ ହୋଇ ବାହାରିଥିଲେ, ସେମାନେ ଆପଣାକୁହିଁ ସତେଅବା ସେହି ଭଗବାନଙ୍କ ଆଗରେ ନେଇ ରଖିଛନ୍ତି ଓ ତେଣିକି ଅତି ସହଜରେ ମୁଗ୍ଧ ହୋଇ ଅନ୍ଧ ହୋଇ ଆପଣାର କାମଗୁଡ଼ାକୁହିଁ ଭଗବାନଙ୍କର କାମ ବୋଲି ଭ୍ରମ କରିଛନ୍ତି । ଭଗବାନଙ୍କ କାମକୁ ଆପଣା ମାର୍ଗରେ କରି ବାହାରିଛନ୍ତି । ସଂସାର ଲାଗି ସମସ୍ୟା ହୋଇଛନ୍ତି, ପୃଥିବୀର ଅନେକ ଭବିଷ୍ୟକୁ ଅଟକାଇ ରଖିଛନ୍ତି, – ହୁଏତ ସ୍ଵୟଂ ଭଗବାନଙ୍କ ଲାଗି ମଧ୍ୟ ଏକ ସମସ୍ୟା ହୋଇ ଠିଆ ହୋଇଛନ୍ତି ।

 

ଆମର ପାଠଚକ୍ର କାମ, ଆମର ବିଦ୍ୟାଳୟ କାମ, – ଏସବୁ ଭଗବାନଙ୍କର କାମ; ଅର୍ଥାତ୍, ଆମେ ଯାହାଙ୍କୁ ଆମ ଆଖିରେ ସବୁଠାରୁ ବଡ଼ ଓ ସବୁଠାରୁ ମହନୀୟ ବୋଲି ମାନୁଛୁ, ଏସବୁ ତାଙ୍କରି କାମ । ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ । ଆମର ଯାବତୀୟ ସାଧନା କେବଳ ସେଇ ଭଗବାନଙ୍କର ସାଧନା । ମାତ୍ର ଆମେ ଭାବୁଛୁ ଏହିସବୁ ସାଧନା ଭଗବାନଙ୍କ ମାର୍ଗରେ ହେବ ନାହିଁ, ଆମ ମାର୍ଗରେ ହେବ । ଆମ ପାଠଚକ୍ର ଓ ଆମର ବିଦ୍ୟାଳୟ, – ଏସବୁ ଭଗବାନଙ୍କର ମାର୍ଗରେ ଚାଲିବ ନାହିଁ, ଆମ ମାର୍ଗରେ ଚାଲିବ । ଆଗେ ଭଗବାନଙ୍କର ହୋଇ ତାଙ୍କରି କାମକୁ ଆମ ମାର୍ଗରେ କରିଯିବା । ଭଗବାନଙ୍କର କ'ଣ ପ୍ରକୃତରେ କୌଣସି ମାର୍ଗ ଅଛି, ସେକଥା ଆମେ କେବେହେଲେ ହୁଏତ ଚିନ୍ତାହିଁ କରି ନଥିବା । ଭଗବାନ ମୁଣ୍ଡଉପରେ ରହିଛନ୍ତି,–ସିଏ ପ୍ରେରଣା ଦେବେ, ଆଶୀର୍ବାଦ ଦେବେ, ସଫଳତା ଦେବେ, ବାସନା ପୂରଣ କରିବେ । ମାତ୍ର ସେହି ଭଗବାନ କଦାପି ଚାଲାଖ ହୋଇ ନଥିବେ । ଚାଲାଖ ହୋଇଥିଲେ ମଧ୍ୟ କଦାପି ଆମମାନଙ୍କ ଭଳି ଚାଲାଖ ହୋଇ ନଥିବେ । ଆମର ଏହି ସଂସାର ବିଷୟରେ କେତେ ଅଭିଜ୍ଞତା ଅଛି । ଏହି ସଂସାରର ମାମଲାଗୁଡ଼ାକୁ ଭଗବାନଙ୍କ ଅପେକ୍ଷା ଆମେ ନିଶ୍ଚୟ ଅଧିକ ପରିମାଣରେ ତୁଲାଇ ପାରିବୁ ଓ ମୁଣ୍ଡାଇ ପାରିବୁ । ଅଧିକ କୁଶଳତା ସହିତ ନେଇ ଆଣି ଥୋଇ ପାରିବୁ । ତେବେ ଯାଇ ଭଗବାନଙ୍କ ନାମରେ ତୋଳା ହୋଇଥିବା ଏହି ଘରଗୁଡ଼ାକ ଅଧିକ ସହଳରେ ବନିଯାଇ ପାରିବ, ତେବେ ଯାଇ ତାଙ୍କରି ନାମ ପ୍ରଚାର କରିବାକୁ ଗଢ଼ା ହୋଇଥିବା ଏହି ସଂଗଠନଗୁଡ଼ାକ ମଜ୍‍ବୁତ ହୋଇପାରିବ, ଜନଆଖିକୁ ଝଲସାଇ ଦେଇ ପାରିବ । ଆପଣାକୁ ବିଶେଷ ଭାବରେ ପାରିବାର ମଣିଷ ବୋଲି ଭାବୁଥିବା ଆମେ ପ୍ରାୟ ଏହିପରି ଭାବୁଛୁ । ଯୁଗେ ଯୁଗେ ଆମରି କାଟର ମଣିଷମାନେ ଯେମିତି ଭାବି ଆସିଛନ୍ତି, ଆମେ ହୁଏତ ପ୍ରାୟ ସେହିପରି ଭାବୁଛୁ । ଠିକ୍ ମାର୍ଗରେ ଅଛୁ ବୋଲି ଭାବୁଛୁ । ଆମ ମାର୍ଗରେ ସବୁ ଚାଲୁଥିବା ପର୍ଯ୍ୟନ୍ତ ଅବଶ୍ୟ ଠିକ୍ ଭାବରେ ଚାଲିବ ବୋଲି ଆମ ଭିତରେ ଏକ ଉଗ୍ର ପ୍ରତ୍ୟୟ ମଧ୍ୟ ରହିଛି ।

 

ଏହି କାମ ଭଗବାନଙ୍କର କାମ । ଏହି କାମ ଭଗବାନଙ୍କର ମାର୍ଗରେହିଁ ଚାଲିବ । କାମ ଯାହାର, ମାର୍ଗ ମଧ୍ୟ ତାହାର । କାମ ତାଙ୍କର ଆଉ ମାର୍ଗ ଆମର, – ଏକଥା ମୋଟେ ହୋଇପାରିବ ନାହିଁ । ଆମ ମାର୍ଗରେ ଏକଆଖିଆ ଭାବରେ ଏଠି ଯାହାକିଛି ହେଉଥିବ, ତାହା ପରିଶେଷରେ କେବଳ ଆମରି କାମ ବୋଲି ସାବ୍ୟସ୍ତ ହେବ । ଭଗବାନଙ୍କ କାମ ମାଡ଼ ଖାଇଯିବ । ଅର୍ଥାତ୍ ଆମେ ତାଙ୍କର ଯୋଗ୍ୟ ହୋଇ ପାରିବା ନାହିଁ । ଆମ ପାଠଚକ୍ର ଭଗବାନଙ୍କର କାମ; ଏହା ଆମ ମାର୍ଗରେ ନୁହେଁ, ସେହି ଭଗବାନଙ୍କ ମାର୍ଗରେହିଁ ଚାଲିବ । ଭଗବାନଙ୍କୁ ବାଦ ଦେଇ ଆମେ ପୁରୁଣା ପାରାମାନେ ଯଦି ଏହିସବୁ ନୂଆ ଘରେ ଆମର ମାମଲତକାରୀଗୁଡ଼ାକୁ ଆରମ୍ଭ କରିଦେବା, ତେବେ ତଦ୍ଦ୍ଵାରା ଭଗବାନଙ୍କର ଆଦୌ କୌଣସି ଲୋକସାନ ହେବ ନାହିଁ । ଭଗବାନ ତାଙ୍କର ନିମିତ୍ତମାନଙ୍କୁ ଅନ୍ୟତ୍ର ବାଛି ନେବେ, – ଆମକୁ ଡେଇଁ ଆଗକୁ ଚାଲିଯିବେ । ଆମର ପକ୍କାଘର ଆଉ ପଖାଚୂଲୀଗୁଡ଼ାକ ନେଇ ଆମେ ଯେଉଁଠି ଅଛୁ ସେଇଠି ରହିଯିବା । ତେଣୁ ଲୋକସାନ ଆମରହିଁ ହେବ । ଆମେ ଭଗବଦ୍‍ବର୍ଜ୍ଜିତ ହୋଇ ରହିବା, ଆମର ଯାବତୀୟ ମୁଖଶାଳା ସତ୍ତ୍ୱେ ତଥାପି ଶୂନ୍ୟବେଦୀ ହୋଇ ରହିଯିବା ।

 

ଆମେ ଯେଉଁ ଭଗବାନଙ୍କର କାମ କରିବୁ ବୋଲି ଏଡ଼େ ଖୁସି ହୋଇ ବାହାରିଛୁ, ସିଏ ପ୍ରକୃତରେ କେଉଁଠି ଅଛନ୍ତି ? ସିଏ ଆମ ସମସ୍ତଙ୍କ ଭିତରେ ଅଛନ୍ତି । ଅର୍ଥାତ୍ ପ୍ରତ୍ୟେକଙ୍କ ଭିତରେ ଅଛନ୍ତି । ସେଇଠି ତାଙ୍କରି ମନୋମତ ହୋଇ ଫୁଲଟିଏ ଫୁଟିବ ବୋଲି ସିଏ ଜନନୀର ଆଶୀର୍ବାଦ ହୋଇ ଆପଣାକୁ ଢାଳିଦେବାରେ ଲାଗିଛନ୍ତି । ଆମ ପାଠଚକ୍ରରେ ଯେତେ ବନ୍ଧୁ, ଭଗବାନ ସେହି ସମସ୍ତଙ୍କ ଭିତରେ ଅଛନ୍ତି । ଆମ ବିଦ୍ୟାଳୟରେ ଯେତେ ପିଲା, ସିଏ ସେହି ପ୍ରତ୍ୟେକ ପିଲାଙ୍କ ଭିତରେ ରହିଛନ୍ତି । ସେହି ସୂତ୍ରଟିକୁହିଁ ଯଥାର୍ଥରେ ଆପଣାର ବୋଲି ଅନୁଭବ କରି ପାରିଲେ ଆମକୁ ଭଗବାନଙ୍କର ମାର୍ଗଟି ମଧ୍ୟ କ୍ରମଶଃ ଅଧିକରୁ ଅଧିକ ସ୍ପଷ୍ଟ ହୋଇ ଦିଶିଯିବାକୁ ଆରମ୍ଭ କରିବ । ଆମର ଅଲଗା ହୋଇ କୌଣସି ଅନ୍ୟ ମାର୍ଗ ରହିଛି ବୋଲି ଭାବିବାଟାହିଁ ଆମକୁ ତା'ପରେ ଭଗବାନଙ୍କ ବିରୁଦ୍ଧରେ ସବୁଠାରୁ ବଡ଼ ଦ୍ରୋହ ବୋଲି ମନେହେବ । ତା'ପରେ ଆମେ କଦାପି ଆଉ କେହି କାହାକୁ ଗିଳି ପକାଇବା ସକାଶେ ମନ କରିବା ନାହିଁ, କେହି କାହାରି ଉପରେ ଛାଇ ହୋଇ ମାଡ଼ିଯିବାକୁ ବି ମୋଟେ କୌଣସି ଉତ୍ସାହ ଦେଖାଇବା ନାହିଁ । ଭଗବାନଙ୍କର ମାର୍ଗ ଯେ ଯଥାର୍ଥରେ ଆମର ମାର୍ଗ, ତା'ପରେ ଏହି ବିଶ୍ଵାସଟିହିଁ ଆମର ଜୀବନ– ବିଶ୍ଵାସ ଏବଂ ଭବିଷ୍ୟବିଶ୍ଵାସରେ ପରିଣତ ହୋଇ ରହିବାକୁ ଆରମ୍ଭ କରିବ । ଆମ ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଥିବା ସେହି ପରମସୂତ୍ରଟି ଯେ ଆମ ପ୍ରତ୍ୟେକଙ୍କ ଜୀବନର ଅସଲ ସୂତ୍ର, ଆମକୁ ସେହି ସତ୍ୟଟି କ୍ରମେ ଜଳ ଜଳ ହୋଇ ଦିଶିଯିବ । ସେହି ସତ୍ୟହିଁ ଆମକୁ ଉପଯୁକ୍ତ କରି ରଖିବ, ଯାବତୀୟ କ୍ଷୁଦ୍ରତା ଏବଂ ଯାବତୀୟ ଅପଚୟରୁ ବଞ୍ଚାଇବ । ସେହି ସତ୍ୟ ଆମ ଭିତରେ ଥିବା ସବୁ ଗଣ୍ଠିକୁ ଖୋଲିଦେବ, ଆମକୁ ପରସ୍ପର ସହିତ ନେଇ ବାନ୍ଧି ରଖିବ, ଆମ ଉଦ୍ୟମରେ ପୁଷ୍ପ ବରଷାଇବ । ଆମ ସମସ୍ତଙ୍କୁ ସନ୍ତାନ ହେବାର ଯୋଗ୍ୟ କରିପାରିବ ।

 

ମାର୍ଚ୍ଚ-ଏପ୍ରିଲ, ୧୯୮୩

Image

 

ଏକ ସାମୂହିକ ପରିକ୍ରମାର କାହାଣୀ

 

ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷାରେ ଆନ୍ଦୋଳନ, – ଏହା କ୍ରମଶଃ ଏକ ସାମୂହିକ ଅଭିକ୍ରମର କାହାଣୀରେ ପରିଣତ ହେବାକୁ ଆରମ୍ଭ କଲାଣି । ଏହି ଆନ୍ଦୋଳନ ଭିତରେ ଆମେ କେତେ ନା କେତେ କିସମର ମଣିଷ,–ମତ କେତେ ପ୍ରକାରେ ଭିନ୍ନ, ମାତ୍ର ତଥାପି ଅନୁରାଗ ସେହି ଗୋଟିଏ । ଯେଉଁଠି ଶିକ୍ଷାକ୍ଷେତ୍ରର ଗଛଟାକୁ ସୁଧୀମାନେ ତୁଚ୍ଛା ଗୋଟାଏ ଥୁଣ୍ଟାଗଛ ବୋଲି ଖୋଲାଖୋଲି ଘୋଷଣା କରି ସାରିଲେଣି, ସେଠି ଆମେ ସେହି ଗଛରେ ପତ୍ର କଅଁଳେଇବୁ ବୋଲି ବାହାରିଛୁ, ଏକାଠି ହୋଇ ବାହାରିଛୁ । ଗୋଟାଏ ବିକଳ୍ପ ଅଛି ବୋଲି ବିଶ୍ଵାସ କରି ଆମେ ସମସ୍ତେ ବାହାରିଛୁ । ଆମେ ସମସ୍ତେ ଗୋଟିଏ ଅନୁରାଗରେ ବାହାରିଛୁ, ତେଣୁ ଆମେ ପରସ୍ପରକୁ ଛାଡ଼ିବୁ ନାହିଁ ବୋଲି ପଣ କରି ବାହାରିଛୁ ।

 

ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକର ସଂଖ୍ୟା ଏବର୍ଷ ଚାଳିଶିକୁ ଟପିଯିବି । ଏହି ଶିକ୍ଷାକେନ୍ଦ୍ରଗୁଡ଼ିକ ପଛରେ ଗୋଟିଏ ଗୋଟିଏ ପାଠଚକ୍ର ରହିଛି, ସେହି ପାଠଚକ୍ରଗୁଡ଼ିକର ଚେର ଏକାଧିକ ବର୍ଷ ତଳକୁ ଭେଦି କରି ରହିଛି । ଶିକ୍ଷାକେନ୍ଦ୍ରମାନଙ୍କରେ ଶିକ୍ଷକ ହିସାବରେ ଅପାମାନେ ରହିଛନ୍ତି, ଭାଇମାନେ ରହିଛନ୍ତି । ସର୍ବୋପରି ଏଗୁଡ଼ିକରେ ପାଠ ପଢ଼ିବାକୁ ଆସୁଥିବା ଓ ଏଗୁଡ଼ିକୁ ଐଶ୍ଵର୍ଯ୍ୟରେ ଭରାଇ ରଖିଥିବା ପିଲାମାନେ ରହିଛନ୍ତି, ସେମାନଙ୍କର ବାପାମାଆ ଓ ଅଭିଭାବକମାନେ ବି ରହିଛନ୍ତି । ସମସ୍ତେ ମିଶି ପ୍ରାୟ ଅଜାଣତରେ ଅଥଚ ଅତ୍ୟନ୍ତ ସଚେତନ ଭାବରେ ଏହିପରି ଗୋଟିଏ ନୂତନ ପରିବାରକୁ ଜନ୍ମ ଦେଇଛନ୍ତି । ସେହି ପରିବାରଟିର ଦର୍ପଣ ଉପରେ ଦେଖିଲେ ସତେଅବା ଏକ ଅନ୍ୟ ଭବିଷ୍ୟର ଦର୍ଶନ ମିଳିଯାଏ । ଆମେ ସମସ୍ତେ ସତେଅବା ଏହି ଗୋଟିଏ କାର୍ଯ୍ୟ ଲାଗି ଅଭିପ୍ରେତ ହୋଇ ଜଗତକୁ ଆସିଥିବା ପରି ମନେହୁଏ । ଆପଣା ଭିତରେ ଠିକ୍ ଏହି ପ୍ରତ୍ୟୟଟିକୁ ଜାଗ୍ରତ କରି ରଖିବା ସକାଶେ ମଝିରେ ମଝିରେ ପରସ୍ପରକୁ ଯାଇ ସଙ୍ଖୋଳି ଆସିବାକୁ ପଡ଼େ । ପରସ୍ପରକୁ ଆଗେଇ ନେବା ପାଇଁ ଏହି ସଙ୍ଖୋଳି ଆସିବାର ଏକାନ୍ତ ଆବଶ୍ୟକତା ରହିଥାଏ ।

 

ଏହି ଏପ୍ରିଲ ମାସରେ ମୋତେ ସେହିପରି ଏକ ପରିକ୍ରମାରେ ବାହାରିବାର ସୌଭାଗ୍ୟ ମିଳିଥିଲା । ପ୍ରପତ୍ତି ନିଜେ ପ୍ରାୟ ତିନି ସପ୍ତାହର ଗୋଟିଏ କାର୍ଯ୍ୟକ୍ରମ କରି ଦେଇଥିଲେ ଓ ସଂପୃକ୍ତ ବନ୍ଧୁମାନଙ୍କୁ ପତ୍ର ଦ୍ଵାରା ଜଣାଇ ଦେଇଥିଲେ । ଏପ୍ରିଲ ଆଠ ତାରିଖ ପାହାନ୍ତାରେ କଟକରୁ ବାହାରି ପଲାସାଠାରେ ରେଲରୁ ଓହ୍ଲାଇ ମୁଁ ପ୍ରାୟ ଦିନ ବାରଟା ବେଳେ ପାରଳାଖେମୁଣ୍ଡିରେ ପହଞ୍ଚିଲି । ଠିକ୍ ତିନିବର୍ଷ ତଳେ ଆରମ୍ଭ ହୋଇଥିବା ପାରଳାଖେମୁଣ୍ଡି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବର୍ତ୍ତମାନ ତିନୋଟି ଶ୍ରେଣୀ । ବିଦ୍ୟାଳୟଟିର ପରିସର ଆକାରରେ ସାନ ହୋଇଥିଲେ ମଧ୍ୟ ସବୁଆଡ଼ ଭାରି ଲକ୍ଷ୍ମୀମନ୍ତ ଦେଖାଯାଉଛି । ପ୍ରଥମ ଦିନ ଖରାବେଳେ ଆଗ ଆମେ ଶିକ୍ଷକମାନେ ଏକାଠି ବସି ପିଲାଙ୍କ ବିଷୟରେ ଦୁଃଖସୁଖ ହୋଇଥିଲୁ । ସନ୍ଧ୍ୟାରେ ପରିଚାଳକ ଓ ଅଭିଭାବକମାନେ ମଧ୍ୟ ଆସି ଆମ ସହିତ ମିଶିଲେ । ତହିଁଆରଦିନ ମୁଁ ଶ୍ରେଣୀକୁ ଯାଇଥିଲି ଓ ପିଲାମାନଙ୍କର ସମଗ୍ର ଅଗ୍ରଗତି ବିଷୟରେ କିଞ୍ଚିତ୍ ଅନୁଭୂତି ଲାଭ କରିଥିଲି । ସେଦିନ ରାତିରେ ଏକ ସାନ ସାଧାରଣ ସଭା ହୋଇଥିଲା । କିଛି ପାରସ୍ପରିକ ଆଲୋଚନା ମଧ୍ୟ ହେଲା ।

 

ଏଗାର ତାରିଖ ଦିନ ପ୍ରାୟ ଦଶଟା ବେଳେ ବନ୍ଧୁ ଅଧ୍ୟାପକ କୁମାର ମିଶ୍ରଙ୍କ ସହିତ ମୁଁ ଗୁଣୁପୁର ବାହାରିଲି । ଗୁଣୁପୁରଠାରେ ଶ୍ରୀଯୁକ୍ତ ପ୍ରକାଶଚନ୍ଦ୍ର ସାହୁଙ୍କ ଘରେ ମଧ୍ୟାହ୍ନ ଭୋଜନ ହେଲା-। ସମୟ ଅଭାବରୁ ମୁଁ ଅନ୍ୟ ବନ୍ଧୁମାନଙ୍କ ସହିତ ଦେଖା କରି ପାରିଲି ନାହିଁ । ୧୯୮୪ ଜୁଲାଇ ମଧ୍ୟରେ ଗୁଣୁପୁରଠାରେ ଏକ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଆରମ୍ଭ କରିବାର ସଂକଳ୍ପ ନିଆଯାଇଛି ବୋଲି ପ୍ରକାଶ ବାବୁଙ୍କଠାରୁ ଜାଣିଲି । ଦୁଇଟା ବେଳେ ମୁଁ ଏକୁଟିଆ ବସ୍ ଧରିଲି, କୁମାର ବାବୁ ପାରଳା ଫେରିଗଲେ । ରାୟଗଡ଼ାରେ ପହଞ୍ଚିବା ବେଳକୁ ସନ୍ଧ୍ୟା ହୋଇ ଆସୁଥିଲା । ମୁଁ ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇ ନିକଟରେ ଥିବା ଜେ.କେ. ପୁରମ୍ ପାଠଚକ୍ରର ଆନୁକୂଲ୍ୟରେ ଆହୂତ ଏକ ଆଲୋଚନାରେ ଯୋଗ ଦେବାକୁ ଯାଇଥିଲି । କାଗଜକଳର ବହୁ ଉଚ୍ଚପଦସ୍ଥ ବ୍ୟକ୍ତି ଏହି ବୈଠକକୁ ଆସିଥିଲେ । ମୋତେ ପିଲାମାନଙ୍କର ଶିକ୍ଷା ଏବଂ ପିତାମାତାଙ୍କର କର୍ତ୍ତବ୍ୟ ବିଷୟରେ କହିବା ଲାଗି କୁହାଯାଇଥିଲା । ମୋ'ର କହିବା ପରେ କିଛି ପ୍ରଶ୍ନୋତ୍ତର ମଧ୍ୟ ହୋଇଥିଲା । ସଭା ପରେ ଆମେ ଅଳ୍ପ କେତେଜଣ କାଗଜକଳର ଅତିଥିଶାଳାରେ ପୁଣି କିଛି ସମୟ ଏକାଠି ବସି କଥାବାର୍ତ୍ତା ହୋଇଥିଲୁ । ସେଠାରେ ସ୍ଥାନୀୟ ହାଇସ୍କୁଲର କେତେକ ଶିକ୍ଷକ ମଧ୍ୟ ଉପସ୍ଥିତ ଥିଲେ ।

 

ବାର ତାରିଖ ସକାଳେ ଜିପ୍ ଯୋଗେ ମୁଁ ରାୟଗଡ଼ାରୁ ବାହାରି ପ୍ରାୟ ସାଢ଼େ ବାରଟାବେଳେ କୋଲାବନଗରରେ ଯାଇ ପହଞ୍ଚିଲି । ନିର୍ମିତ ହେଉଥିବା ଏକ ନଦୀବନ୍ଧକୁ କେନ୍ଦ୍ର କରି କୋଲାବନଗର ନାମରେ ଗୋଟିଏ ସାନ ମଣିଷଗଢ଼ା ସହର ଏଠି ଭାରି ସୁଦୃଶ୍ୟ ଓ ସୁଯୋଜିତ ଭାବରେ ଗଢ଼ିଉଠିଛି । ଏଠି ଦିନରେ ଗରମ, ରାତିକୁ ଥଣ୍ଡା । ଏଠି ଭାରତବର୍ଷର ପ୍ରାୟ ସବୁ ରାଜ୍ୟରୁ ପରିବାରମାନେ ଅଛନ୍ତି । ସେହି କାରଣରୁ ଆମ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ମଧ୍ୟ ଭାରତର କେତେ ରାଜ୍ୟରୁ ପିଲା ଏକାଠି ହୋଇ ପାଠ ପଢ଼ୁଛନ୍ତି । ସମସ୍ତେ ଓଡ଼ିଆ ମାଧ୍ୟମରେ ପଢ଼ୁଛନ୍ତି । ଗୁଲୁରୁ ଗୁଲୁରୁ ହୋଇ ଓଡ଼ିଆ କହୁଛନ୍ତି । କେରଳର ସନ୍ତୋଷ, ଉତ୍ତରପ୍ରଦେଶର ହିମାଳୟ ଅଞ୍ଚଳରୁ ଚନ୍ଦ୍ରକଳା, କର୍ଣ୍ଣାଟକର କନକଲକ୍ଷ୍ମୀ ଓ ଆନ୍ଧ୍ରର ପ୍ରେମଚରଣ ସମସ୍ତେ ସମସ୍ତଙ୍କ ସହିତ କୁଆଡ଼େ ଯେ ସାମିଲ ହୋଇଯାଇଛନ୍ତି, ବାହାରକୁ କିଛି ଜଣା ପଡ଼ୁନାହିଁ । ସେଦିନ ସଂଧ୍ୟାବେଳେ ଅଭିଭାବକମାନଙ୍କର ଏକ ବୈଠକରେ ଆମେ ପିଲାମାନଙ୍କ ବିଷୟରେ ଆଲୋଚନା କରିଥିଲୁ ।

 

ତହିଁ ଆରଦିନ ଶ୍ରେଣୀକୁ ଗଲି, ପିଲାମାନଙ୍କ ସହିତ ମିଶିଲି । ଉପରଓଳି ଆମେ କେତେଜଣ ନିକଟରେ ଥିବା ବାଗ୍ରା ଜଳପ୍ରପାତ ଦେଖିଯାଇଥିଲୁ । ଫେରିବା ବାଟରେ ତିନିଚାରିଜଣ ପିଲାଙ୍କ ଘରକୁ ମଧ୍ୟ ଯାଇଥିଲୁ । ପିଲାମାନେ ଆମେ ଯିବୁ ବୋଲି ଆଗରୁ ବାପାମାଆଙ୍କୁ ତିଆର ରଖିଥିଲେ । ଏମାନେ ସମସ୍ତେ ଓଡ଼ିଶା ବାହାରୁ ଦକ୍ଷିଣରୁ ଓ ଉତ୍ତରରୁ ଆସିଥିଲେ ମଧ୍ୟ ଯେପରି ସ୍ଵାଭାବିକ ଭାବରେ ଓଡ଼ିଆ କହିଲେ, ଶୁଣି ପ୍ରକୃତରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଲାଗିଲା । ରାତିରେ ସ୍ଥାନୀୟ ସଭାଗୃହରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଆଲୋଚନାର ବିଷୟ ଥିଲା ଯୋଗ ଓ ଜୀବନ । ମୋର କହିସାରିବା ପରେ କିଛି ସମୟ ଲାଗି ପ୍ରଶ୍ନୋତ୍ତର ମଧ୍ୟ ହୋଇଥିଲା ।

 

ଚଉଦ ତାରିଖ ସକାଳେ କୋଲାବନଗରରୁ ଆମେ ପଲେ ହୋଇ ଜୟପୁରରେ ଯାଇ ପହଞ୍ଚିଲୁ । ସେଦିନ ପଣାସଂକ୍ରାନ୍ତି, ଛୁଟି ଦିନ । ତେଣୁ ସକାଳ ସାଢ଼େନଅଟା ବେଳେ ସ୍ଥାନୀୟ ଶ୍ରୀଅରବିନ୍ଦ ଭବନରେ ଏକ ଆଲୋଚନାଚକ୍ରର ଆୟୋଜନ ହୋଇଥିଲା । ଏହା ପ୍ରାୟ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିଲା । ସେହିପରି ଅପରାହ୍ନ ପାଞ୍ଚଟା ସମୟରେ ମଧ୍ୟ ଦୁଇଘଣ୍ଟା ପାଇଁ ଏକ ଦ୍ଵିତୀୟ ଆଲୋଚନା ଚକ୍ରରେ ଆମ୍ଭେମାନେ ପୁନର୍ବାର ମିଳିତ ହୋଇଥିଲୁ । ଏଥିରେ ସ୍ଥାନୀୟ କଲେଜର କେତେକ ତରୁଣ ଅଧ୍ୟାପକ ବନ୍ଧୁ ଓ ଛାତ୍ର ଯୋଗ ଦେଇଥିଲେ । ପୂର୍ଣ୍ଣାଙ୍ଗ ଶିକ୍ଷାର ଆନ୍ଦୋଳନ ଭିତରେ ଯହୁଁ ଯହୁଁ ଅଧିକ ପ୍ରବେଶ ଘଟୁଛି, ମୋର ସେତିକି ଅଧିକ ପରିମାଣରେ ଏହି ବିଶ୍ଵାସଟି ଦୃଢ଼ ହୋଇଯାଉଛି ଯେ, ଶ୍ରୀଅରବିନ୍ଦଙ୍କର ବିଚାର ଏବଂ ସମଗ୍ର କର୍ମପ୍ରେରଣା ବିଶେଷ ଭାବରେ ତରୁଣମାନଙ୍କ ପାଇଁ । ତରୁଣମାନେହିଁ ଯାବତୀୟ ବିଷୟକୁ ଅପେକ୍ଷାକୃତ ଅଧିକ ସମଗ୍ର ଭାବରେ ଦେଖିବାକୁ ଓ ତଦନୁରୂପ ସମଗ୍ର ଭାବରେ ଉପସ୍ଥିତ ଆହ୍ୱାନଗୁଡ଼ିକର ସମ୍ମୁଖୀନ ହେବାକୁ ସାହସ ରଖିଥାନ୍ତି । ବୃଦ୍ଧମାନେ ଯେତେ ନିଷ୍ଠାପର ଓ ସତର୍କ ରହିଲେ ମଧ୍ୟ ପୂରାଗୁଡ଼ାକୁ ଭାରି ଖଣ୍ଡିଆ କରି ଦେଖନ୍ତି ଓ ତେଣୁ ନୂଆଗୁଡ଼ାକୁ ଭାରି ସୂତରରେ ପୁରୁଣା କରିଦିଅନ୍ତି, ଛାଞ୍ଚ ଭିତରେ ପକାଇ ଅସଲ ପ୍ରେରଣାଗୁଡ଼ାକୁ ମାରା କରିଦିଅନ୍ତି ।

 

ପନ୍ଦର ତାରିଖ ସକାଳେ ଇନ୍ଦ୍ରାବତୀରୁ ଜଣେ ବନ୍ଧୁ ଆସି ପହଞ୍ଚିଲେ । ମୁଁ ତାଙ୍କରି ସହିତ ପ୍ରାୟ ତିନିଘଣ୍ଟାର ରାସ୍ତା ଅତିକ୍ରମ କରି ଖାତିଗୁଡ଼ା ବା ଇନ୍ଦ୍ରାବତୀରେ ଯାଇ ପହଞ୍ଚିଲି । ଗାଆଁ ଦୁଆରବନ୍ଧରେ ଆମର ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର । ନଦୀବନ୍ଧ ପ୍ରକଳ୍ପ ତରଫରୁ ଜାଗା ଦିଆଯାଇଛି, ଅପାତତଃ କାମ ଚଳିଲା ପରି ଘର ତିଆରି କରି ଦିଆଯାଇଛି । ଏଠାରେ ତିନୋଟି ଶ୍ରେଣୀର ଦାୟିତ୍ଵରେ ଚାରିଜଣ ଅପା ଅଛନ୍ତି । ପିଲାମାନଙ୍କର ଭାଷା ଅଲଗା ଅଲଗା, ବୟସ ମଧ୍ୟ ଅଲଗା ଅଲଗା । ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଆରମ୍ଭ ହେବା ପରେ କେତେକ ଅଭିଭାବକ ଖୁସିରେ ନିଜର ପିଲାଙ୍କୁ ଅନ୍ୟ ସ୍କୁଲରୁ ଉପର ଶ୍ରେଣୀରୁ ଉଠାଇ ଆଣି ଏଠାରେ ତଳ ଶ୍ରେଣୀରେ ଭର୍ତ୍ତି କରାଇଛନ୍ତି । କୋଲାବନଗର ପରି ଏଠାରେ ମଧ୍ୟ କେରଳ ଓ ତାମିଲନାଡ଼ୁର ପିଲା କେତେ ସୁନ୍ଦର ଓଡ଼ିଆ ପଢ଼ୁଛନ୍ତି, କହୁଛନ୍ତି ଓ ଲେଖୁଛନ୍ତି ।

 

ଏଠାରେ ଅତିବାହିତ ହୋଇଥିବା ଦୁଇଦିନଯାକ ଖରାବେଳେ ଆମେ ଶିକ୍ଷକମାନେ ମିଶି ପିଲାଙ୍କ ବିଷୟରେ ନାନା କଥାବାର୍ତ୍ତା ହୋଇଥିଲୁ । ସକାଳ ଓଳି ପିଲାମାନଙ୍କ ସହିତ ଶ୍ରେଣୀଗୃହରେହିଁ କଟୁଥିଲା ଏବଂ ସନ୍ଧ୍ୟାରେ ସାଧାରଣ ବୈଠକମାନ ହେଉଥିଲା । ଏଠାରେ ଅଭିଭାବକଗୋଷ୍ଠୀ ଅତ୍ୟନ୍ତ ସଚେତନ । ନୂତନ କଥା ଲାଗି ଆବଶ୍ୟକ ଗ୍ରହଣଶୀଳତା ରହିଛି । ପାଠଚକ୍ରର ବନ୍ଧୁମାନେ ମଧ୍ୟ ବିଦ୍ୟାଳୟ ବିଷୟରେ ଯଥେଷ୍ଟ ସଚେଷ୍ଟ ଏବଂ ସକ୍ରିୟ ରହିଛନ୍ତି । ଆଗାମୀ ବର୍ଷଗୁଡ଼ିକର ନାନାବିଧ ନୂତନ ଆବଶ୍ୟକତାକୁ ପରିପ୍ରେକ୍ଷୀରେ ରଖି ସେମାନେ ଏଇ ଦିନୁ ଚିନ୍ତା କରିବାକୁ ଆରମ୍ଭ କଲେଣି । ଏଠାରେ ଯଦି କେବେ ଶ୍ରୀଅରବିନ୍ଦ ଦର୍ଶନ ଏବଂ ସମାଜନିର୍ମାଣ ବିଷୟରେ ଦୁଇ ବା ତିନିଦିନିଆ ସେମିନାରଟିଏ ହୁଅନ୍ତା, ତେବେ ପୂର୍ଣ୍ଣାଙ୍ଗ ଶିକ୍ଷା ଲାଗି ଏକ ଚମତ୍କାର ଅନୁକୂଳତା ସୃଷ୍ଟି ହୋଇ ପାରନ୍ତା । ବାହ୍ୟ ଏକାଧିକ ଆବଶ୍ୟକତା ଏଠାରେ ପ୍ରକଳ୍ପ ତରଫରୁ ଅତ୍ୟନ୍ତ ସହାନୁଭୂତିପୂର୍ଣ୍ଣ ଭାବରେ ପୂର୍ଣ୍ଣ ହୋଇଯାଇ ପାରୁଛି । ତେଣୁ ଉଦ୍ୟମଗୁଡ଼ିକୁ ଅଧିକରୁ ଅଧିକ ଅନ୍ତଃପ୍ରସାର ଦେବାଲାଗି ଏଠାରେ ବନ୍ଧୁମାନଙ୍କର ବିଶେଷ ଦାୟିତ୍ଵ ରହିଛି ।

 

ତହିଁ ଆରଦିନ ପ୍ରାୟ ଶହେ ପଚିଶ କିଲୋମିଟର ଅତିକ୍ରମ କରି ଆମେ କୋରାପୁଟରୁ କଳାହାଣ୍ଡି ଆସିଲୁ । ସେଦିନ ରବିବାର ଥିବାରୁ ଇନ୍ଦ୍ରାବତୀର ଅପାମାନେ ଓ ଆହୁରି ଅନେକ ବନ୍ଧୁ ମୋ ସହିତ କଳାହାଣ୍ଡି ଆସିଥିଲେ । କୋରାପୁଟରୁ ଘାଟି ଉତୁରିଗଲେ କଳାହାଣ୍ଡି ଜିଲ୍ଲା । ଆଗେ ଏହି ଅଞ୍ଚଳକୁ ମହାକାନ୍ତାର ବୋଲି କୁହାଯାଉଥିଲା । କାନ୍ତାର ହେଲେ ମଧ୍ୟ କୋରାପୁଟଠାରୁ କଳାହାଣ୍ଡି ଅଧିକ ଆକର୍ଷକ ଏବଂ ଅଧିକ ଆଗ୍ରହୋଦ୍ଦୀପକ । ଆମେ ସମାନ ବାରଘଣ୍ଟାକୁ ଜୁନାଗଡ଼ରେ ଆସି ପହଞ୍ଚିଲୁ ଓ ସଂଗେସଂଗେ ଧର୍ମଗଡ଼ ଗଲୁ । ସେଠାରେ ଶୀତଳ ପଡ଼ିବାପରେ ପୂର୍ଣ୍ଣାଙ୍ଗ ବିଦ୍ୟାଳୟକୁ ଯାଇ ପିଲାମାନଙ୍କ ସହିତ କିଛିସମୟ ଏକାଠି କଟାଇଲୁ । ଧର୍ମଗଡ଼ରେ ଶୁକ୍ରବାରକୁ ଏକ ହାଟ ବସେ । ତେଣୁ ଏଠାରେ ସ୍କୁଲ ରବିବାର ଦିନ ଖୋଲା ରହେ ଓ ଶୁକ୍ରବାରକୁ ବନ୍ଦ ରହେ । ପିଲାଏ ଆମକୁ ଗୀତ ଶୁଣାଇଲେ । ସ୍କୁଲର ସ୍ଵତନ୍ତ୍ର ଜାଗାଟିଏ ଏପର୍ଯ୍ୟନ୍ତ ଉପଲବ୍ଧ ହୋଇନଥିବାରୁ ପାଠଚକ୍ର ଗୃହରେହିଁ ଗତ ପ୍ରାୟ ତିନିବଷଁ ହେଲା ସ୍କୁଲ ବସୁଛି । ଏତେ ନିଅଣ୍ଟିଆ ଥିଲେ ମଧ୍ୟ ତଥାପି ପିଲାମାନଙ୍କର ଖୁସି କୌଣସି ପ୍ରକାରେ ଉଣା ହୋଇ ଯାଇନାହିଁ । ପୂର୍ଣ୍ଣାଙ୍ଗ ବିଦ୍ୟାଳୟଟିଏ ପୂର୍ଣ୍ଣାଙ୍ଗ ହୋଇପାରିବା ଲାଗି ଅନେକ ସମୟରେ କେତେ ନା କେତେ ଯୋଜନ ବାଟ ବାକି ରହିଥାଏ ସତ, ତଥାପି ବିଦ୍ୟାଳୟ ଯେ ଠିକ୍ ବାଟରେ ଯାଉଛି ଅର୍ଥାତ୍ ପିଲାଙ୍କ ପକ୍ଷରେହିଁ ରହିଛି, ପିଲାଙ୍କର ସହଜ ଖୁସୀରୁ ତାହାର ପ୍ରମାଣ ମିଳିଯାଇଥାଏ । ଏକଥା ସବୁଠି ହୁଏ-। ତେଣୁ ବାହାରକୁ ଯେତେ ଦରିଦ୍ର ଦେଖାଗଲେ ମଧ୍ୟ ତଥାପି ମୋଟେ ଦରିଦ୍ର ପରି ଲାଗେ ନାହିଁ । ମୋଟେ ମୁଣ୍ଡ ନୁଆଁଇବାକୁ ଇଚ୍ଛା ହୁଏ ନାହିଁ ।

 

ଧର୍ମଗଡ଼ରୁ ଆମେ ନିର୍ଦ୍ଦିଷ୍ଟ ସମୟରେ ବାହାରି ଠିକ୍ ବେଳ ବୁଡ଼ିଲା ବେଳକୁ ଜୁନାଗଡ଼ରେ ପହଞ୍ଚିଲୁ । ବନ୍ଧୁମାନେ ଟାକି ରହିଥିଲେ । ଇନ୍ଦ୍ରାବତୀରୁ ପାଛୋଟି ଦେବାକୁ ଆସିଥିବା ସମସ୍ତେ ବିଦାୟ ନେଇ ଇନ୍ଦ୍ରାବତୀ ଗଲେ । ପାଠଚକ୍ର ଅଗଣାରେ ସନ୍ଧ୍ୟାକୁ ସାଧାରଣ ସଭା ଆରମ୍ଭ ହେଲା । ସଭାପରେ କିଛି ପ୍ରଶ୍ନୋତ୍ତର ବି ହେଲା ଏବଂ ସାଧାରଣ କାର୍ଯ୍ୟକ୍ରମଟି ସରିବା ପରେ ପାଠଚକର ସଦସ୍ୟ, ଅଭିଭାବକ ଓ ଶିକ୍ଷକ ସମସ୍ତେ ଏକାଠି ସାନ ଗୋଷ୍ଠୀରେ ବସି ଆମେ ସ୍କୁଲ ବିଷୟରେ ନାନା ଆଲୋଚନା କରିଥିଲୁ । ଇତିମଧ୍ୟରେ ସ୍କୁଲର ନୂଆ ଘରେ ସ୍କୁଲ ହେଲାଣି । ପିଲାମାନଙ୍କର ସଂଖ୍ୟା ଆଗ ଅପେକ୍ଷା ଅନେକ ବେଶୀ । ତହିଁଆରଦିନ ସକାଳେ ମୁଁ ପ୍ରାୟ ଦୁଇଘଣ୍ଟା ସମୟ ଶ୍ରେଣୀଗୁଡ଼ିକରେ କଟାଇଥିଲି । ଏପର୍ଯ୍ୟନ୍ତ ପାଞ୍ଚୋଟି ଶ୍ରେଣୀ ଖୋଲିଛି । ସ୍ଥାନ ଅଭାବରୁ ଦୁଇଟି ଶ୍ରେଣୀ ବାରଣ୍ଡାରେ କ୍ଲାସ କରୁଛନ୍ତି । ଆସନ୍ତା ଜୁଲାଇ ବେଳକୁ ନୂଆ ଶ୍ରେଣୀଗୃହ ପ୍ରସ୍ତୁତ ହୋଇଯିବାର ଉଦ୍ୟମ ହେଉଛି । ଚତୁର୍ଦ୍ଦିଗର ଗନ୍ଧ ବାରି ମନେ ହେଲା, ଏହି ବିଦ୍ୟାଳୟଟି ଆପଣାର ପ୍ରାରମ୍ଭିକ ବାଧାଗୁଡ଼ିକୁ ଅତିକ୍ରମ କରି ଅଧିକ ଆତ୍ମପ୍ରତ୍ୟୟ ସହିତ ଆଗକୁ ଯିବାଲାଗି ଏକ ଅନୁକୂଳ ଅବସ୍ଥା ଆସି ପହଞ୍ଚିଗଲାଣି ।

 

ଦଶଟାବେଳେ ବସ୍ ଧରି ଭବାନୀପାଟଣା ଗଲି । ଏଠାରେ ପାଠଚକ୍ର ବେଶ୍ ପୁରୁଣା, ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଅନେକ ପଛରେ ହୋଇଛି । ବିଶ୍ୱାସର ଚେରଗୁଡ଼ାକ ଏବେ ମଧ୍ୟ ଯଥେଷ୍ଟ ପରିମାଣରେ ଦୃଢ଼ ହୋଇପାରି ନାହିଁ କି କଣ କେଜାଣି ବିଦ୍ୟାଳୟଟାକୁ ଏଡ଼େ ଶୀଘ୍ର ଆରମ୍ଭ କରିଦେବାଟା କେତେଦୂର ଉଚିତ ହେଲା କି ନାହିଁ, ଏଠାରେ କେତେକ ବନ୍ଧୁ ଏବେ ମଧ୍ୟ ମନେ ମନେ ହୁଏତ ସେହି ପ୍ରଶ୍ନ କରୁଛନ୍ତି । ବାହାରକୁ ପ୍ରକଟ କରୁନାହାନ୍ତି ସତ ତଥାପି ମନେ ମନେ ପ୍ରଶ୍ନ କରୁଛନ୍ତି । ସଂଶୟ ବଢ଼ାଉଛନ୍ତି । ଆପଣାର ବଳଗୁଡ଼ାକୁ ବୁଦ୍ଧିରେ କଳୁଛନ୍ତି । ଏଣେ ପିଲାମାନଙ୍କର କୃପାରୁ ବିଦ୍ୟାଳୟ ବର୍ଷକୁ ଗୋଟିଏ ଗୋଟିଏ ଶ୍ରେଣୀ ଆଗକୁ ବଢ଼ିବାରେ ଲାଗିଛି । ପିଲାଙ୍କ ଉତ୍ସାହକୁ ସ୍ଥାନ ଦେବାକୁ ଘର ଅଣ୍ଟୁନାହିଁ । ପାଠଚକ୍ର ଘରର ଧାଉଡ଼ୀ ବଢ଼ାଇ କ୍ଲାସଘର ତିଆରି ହୋଇଛି । ଆରବର୍ଷ ଚତୁର୍ଥ ଶ୍ରେଣୀ ଖୋଲିବା ପାଇଁ ବଗିଚା ଭିତରୁ ପୁଳାଏ ଗ୍ରାସ କରିବା ବ୍ୟତୀତ ଆଉ ଅନ୍ୟ ଉପାୟ ନାହିଁ ବୋଲି ଏଦିନୁଁ ବିଚାର ଆରମ୍ଭ ହୋଇଗଲାଣି । ମୁଁ ଭାବୁଛି, ଏକ ପୂର୍ଣ୍ଣାବୟବ ବିଦ୍ୟାଳୟ ସକାଶେ ସହରରେ ଜାଗାଖଣ୍ଡିଏ ସ୍ଥାୟୀ ଭାବରେ ମିଳିଗଲେ ଏଠି ଅନେକ ସମସ୍ୟାର ସମାଧାନ ହୋଇଯାଇ ପାରନ୍ତା । ସବୁଯାକ ଉତ୍ସାହ ସେହିଠାରେ ଆସି ଅଟକି ଯାଇଛି ବୋଲି ଏବେ ଅନେକ ବନ୍ଧୁ ଯାହା ଅନୁଭବ କରୁଛନ୍ତି, ଏହା ଫଳରେ ସେଥିରେ ଏକ ପରିବର୍ତ୍ତନ ଘଟନ୍ତା । ବାହାରର ବାଧାଟା ତୁଟିଗଲେ ସମ୍ଭବତଃ ଭିତରର ଅନେକ କୁଣ୍ଠା ବି ତୁଟିଯାଇ ପାରନ୍ତା ଓ ସଂପୃକ୍ତ ସମସ୍ତଙ୍କୁ ପରସ୍ପରର ଆହୁରି ନିକଟବର୍ତ୍ତୀ କରିଆଣନ୍ତା ।

 

ଉଣେଇଶି ତାରିଖ ଉପର ଓଳି ବସ୍ ଯୋଗେ ବନ୍ଧପଡ଼ା ବାହାରିଲି । ସେଠାରୁ ଦୁଇଜଣ ଶିକ୍ଷକ ବନ୍ଧୁ ସକାଳୁ ଆସି ପହଞ୍ଚି ଯାଇଥିଲେ । ପ୍ରାୟ ପାଞ୍ଚଟା ବେଳକୁ ଆମେ ଟୁଣ୍ଡୁଳାରେ ଓହ୍ଲାଇ ଅଧଘଣ୍ଟାକ ପରେ ଯାଇ ବନ୍ଧପଡ଼ା ଗାଆଁରେ ପହଞ୍ଚିଲୁ । ଗାଆଁ ମୁଣ୍ଡରେ ସ୍କୁଲଘର । ତିନିବର୍ଷ ମଧ୍ୟରେ ଏଠାରେ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିଲାଣି । ଶିକ୍ଷକମାନେ ସମସ୍ତେ ଏଇ ଗାଆଁର । ବନ୍ଧପଡ଼ା ଗାଆଁରେ ସମସ୍ତେ ଚାଷୀ । କାଁ ଭାଁ କେହି ଚାକିରିକୁ ମନ କରନ୍ତି । ଚାକିରି କଲେ ମଧ୍ୟ କୃଷିକୁହିଁ ପ୍ରଧାନ ଅବଲମ୍ବନ ବୋଲି ବିଚାରିଥାନ୍ତି । ସେହି ସଂସ୍କାରର ଛାପ ଆମ ପୂର୍ଣ୍ଣାଙ୍ଗ ସ୍କୁଲ ଉପରେ ସଂପୂର୍ଣ୍ଣ ଭାବରେ ପଡ଼ିଛି । ସ୍କୁଲଘର ଦିନବେଳେ ସ୍କୁଲ, ରାତିକୁ ଘର, ଅର୍ଥାତ୍ ଛାତ୍ରାବାସ-। ଏଠାରେ ଦଶଜଣ ପିଲା ରହନ୍ତି । ପିଲାମାନେ ବି କେତେବେଳେ ଖାଇବା ଲାଗି ଘରକୁ ଚାଲି ଯାଆନ୍ତି ତ କେତେବେଳେ ଛାତ୍ରାବାସରେ ଖାଆନ୍ତି । ମଝିରେ କେତେ ବର୍ଷ ସ୍କୁଲକୁ କେତେକ ଅନ୍ତର୍ଦ୍ଵନ୍ଦ୍ଵ ମଧ୍ୟଦେଇ ଗତି କରିବାକୁ ପଡ଼ିଥିଲା । ତାହାର ଖଣ୍ଡିଆଦାଗ ଏବେ ମଧ୍ୟ ସ୍କୁଲ ଉପରେ ରହିଛି । ତଥାପି ସଂପୃକ୍ତ ସମସ୍ତେ ନୂତନ ଉତ୍ସାହରେ ଲାଗି ପଡ଼ିଛନ୍ତି ।

 

ଏହି ଉତ୍ସାହରେ ଯିଏ ପ୍ରାୟ ସବାମୂଳରୁହିଁ ନେତା ହୋଇ ମଙ୍ଗଧରି ସର୍ବଦା ସାଙ୍ଗରେ ରହିଛନ୍ତି, ସିଏ ହେଉଛନ୍ତି ଶ୍ରୀ ଧନେଶ୍ଵର ମାଝି, ସ୍ଥାନୀୟ ରାଜ୍ୟସଭା ସଦସ୍ୟ । ନୈରାଶ୍ୟ ସମୟରେ ତାଙ୍କରି ବଳହିଁ ସମସ୍ତଙ୍କୁ ଏକାଠି ରଖି ଆସିଛି । ଏଥର ମଧ୍ୟ ସିଏ ଚାରିଦିନଯାକ ଅଧିକାଂଶ ସମୟରେ ଆମ ସାଙ୍ଗରେ ରହିଥିଲେ । ଦିନରେ ମୋର ସ୍କୁଲ ଦେଖା ହୁଏ, ଖରାବେଳକୁ ପିଲାମାନେ ଗୀତ ଗାଆନ୍ତି, ଗୀତ ଶିଖନ୍ତି । ଶୀତଳ ପଡ଼ି ଆସିଲେ ଆମେ ପଲ ବାନ୍ଧି ଏଠିକୁ ସେଠିକୁ ବୁଲିଯାଉ ଏବଂ ରାତିକୁ ଆଲୋଚନା ସଭା ବସେ । ପାଖରେ ଥିବା ହାଇସ୍କୁଲର ଶିକ୍ଷକ ଭାଇମାନେ ଆସନ୍ତି, ସରକାରୀ କର୍ମଚାରୀମାନେ ଆସନ୍ତି, ଗ୍ରାମବାସୀ ବି ଆସନ୍ତି । ଆଲୋଚନା ହୁଏ, ପ୍ରଶ୍ନୋତ୍ତର ମଧ୍ୟ ହୁଏ । ମଝିରେ ମଝିରେ ମୁଁ ନିଜେ ବି ଗୋଟାଏ ଶ୍ରେଣୀରେ ପାଠ ପଢ଼ାଏ । ମୋ ବୟସ୍କ ମନର କଠିନ ସମସ୍ୟାଗୁଡ଼ିକ ସହଜ ହୋଇଯିବା ପରି ମନେ ହୁଏ । ଅଭାବଗୁଡ଼ାକ ମୋଟେ ଅଟକାଇ ରଖନ୍ତି ନାହିଁ । ଏବେ ଯେତେ ଅଭାବ ରହିଥିଲେ ମଧ୍ୟ ଏହି ପିଲାମାନେ ଅବଶ୍ୟ ପାରିବେ ବୋଲି ବିଶ୍ଵାସ ହୁଏ ।

 

ଖାଇବାବେଳକୁ କୌଣସି ନା କୌଣସି ଘରୁ ନିମନ୍ତ୍ରଣ ଆସିଥାଏ । ଆଜି ଜଣକ ଘରୁ ତ କାଲି ଆଉଜଣକ ଘରୁ । ସକାଳେ ଏଠି ତ ଖରାବେଳେ ସେଠି । ମାତ୍ର କେବଳ କୁଣିଆଙ୍କୁ ଡକରା ହୁଏନାହିଁ, ଆମେ ଦଳଟା ଯାଇ ମଣୋହିରେ ବସୁ । କୋଉଠିକୁ ଡାକରା ନଥିଲେ ଛାତ୍ରାବାସରେ ପଙ୍ଗତ ପଡ଼େ । ଖଲିପତର କେଡ଼େ ଯତ୍ନରେ ଖୁରି ପରି ସିଲେଇ କରାଯାଇଥାଏ । ଗୋଟାଏ ପତର ଖୁରି ଚାରିପାଖକୁ ତିନିଟା ଦନା । ବଡ଼ମାନଙ୍କର ଯାହା, ପିଲାମାନଙ୍କର ବି ସେଇଆ । ସତେଅବା ଗୋଟାଏ ପୁରୁଣା ଘରର ସଂସ୍କୃତି ଆମର ସଂଗେସଂଗେ ରହିଥାଏ, ଚେରଗୁଡ଼ାକ ଭାରି ମଜବୁତ୍ ହୋଇ ରହିଥାନ୍ତି । ଏହି ଏକାଠି ଯିବା, ଏକାଠି ଖାଇବା, ବଡ଼ସାନ ନବାରିବା,– ବନ୍ଧପଡ଼ା ଆସିଲେ ଏଗୁଡ଼ାକ ଭାରି ବାରି ହୋଇପଡ଼େ । ଗାଆଁରେ ଏକ ମହିଳା ପାଠଚକ୍ର ମଧ୍ୟ ରହିଛି । ଦିନେ ଖରାବେଳେ ଖାଇବା ପରେ ଆମେ ସିଧା ଯାଇ ପାଠଚକ୍ରରେ ବସିଲୁ ଓ 'ମାଆ' ବହିର ଆଲୋଚନା କଲୁ । ଆଉଦିନେ ପ୍ରାୟ ପାଞ୍ଚକିଲୋମିଟର ଦୂରରେ ଥିବା ସିର୍ଝାପାଲି ଗାଆଁକୁ ଯାଇଥିଲୁ । ସେଠାରେ ଗାଆଁଦାଣ୍ଡରେ ସମସ୍ତଙ୍କ ମେଳରେ ଏକ ପ୍ରଶ୍ନୋତ୍ତର ବୈଠକ ମଧ୍ୟ ହୋଇଥିଲା । ଧନେଶ୍ଵର ବାବୁ ଆମ ସାଙ୍ଗରେ ଯାଇଥିଲେ । ସିଏ କହୁଛନ୍ତି ଯେ ଏବର୍ଷ ବନ୍ଧପଡ଼ା ପୂର୍ଣ୍ଣାଙ୍ଗ ବିଦ୍ୟାଳୟରେ ଛାତ୍ରାବାସ ପାଇଁ ଗୋଟିଏ ଧାଡ଼ିର ସ୍ଵତନ୍ତ୍ର ଘର ନିଶ୍ଚୟ ହେବ । ଅନ୍ୟ ବନ୍ଧୁମାନେ କହୁଛନ୍ତି, ଏବର୍ଷ ସେମାନେ ସ୍କୁଲ ହତାରେ ଅନେକ ଗଛ ଲଗାଇବେ । ଛାତ୍ରାବାସ ଲାଗି ଆହୁରି ଅନେକ ପିଲାଙ୍କୁ ସାଉଁଟି ଆଣିବେ ।

 

ତେଇଶି ତାରିଖ ଦିନ ଖରା ନଇଁ ଆସିବା ବେଳକୁ ଆମେ ବନ୍ଧପଡ଼ାରୁ ପଣ୍ଡକାମାଲ ବାହାରିଲୁ । ମଝିରେ ଏକୋଇଶି କିଲୋମିଟର ରାସ୍ତା । ମାଝିବାବୁ ମୋତେ ଅଧବାଟ ଯାଏ ତାଙ୍କ ସ୍କୁଟର ପଛରେ ବସାଇ ନେଇଗଲେ । ଉତେଇ ନଦୀ ପାର ହେବା ପରେ ମଦନପୁର–ରାମପୁରର ଅତିରିକ୍ତ ତହସିଲଦାର ମୋତେ ଆଉ ବାକୀ ରାସ୍ତା ସ୍କୁଟରରେ ବୋହି ପ୍ରାୟ ଛଅଟା ବେଳକୁ ପଣ୍ଡକାମାଳ ଗାଆଁରେ ପହଞ୍ଚାଇ ଦେଲେ । ବନ୍ଧପଡ଼ାର ଆଠଟିଯାକ ସାଇକେଲ ଆଉ ଅଧଘଣ୍ଟାକ ପରେ ଆସି ପହଞ୍ଚିଲା । ପାହାଡ଼ ତଳକୁ ସାନ ସାନ କେତୋଟି ପଡ଼ାକୁ ନେଇ ପଣ୍ଡକାମାଳ । ଜହ୍ନରାତିରେ ଆକାଶକାନ୍ଥକୁ ଅନାଇ ଦେବା ବେଳକୁ ଗାଆଁଟି ସତେଅବା ଗୋଟିଏ ଚିତ୍ରପଟ ପରି ଦେଖାଯାଉଥାଏ । ଆରଦିନ ସକାଳେ ସ୍କୁଲର ଜନ୍ମଦିନ, ଏପ୍ରିଲ ଚବିଶି ତାରିଖ । ସମସ୍ତେ ତାହାରି ପ୍ରସ୍ତୁତିରେ ଲାଗିଥାନ୍ତି । ସକାଳେ ସ୍କୁଲଗୃହର ଅଗଣାରେ ଆଧ୍ୟାତ୍ମିକ ପତାକା ତଳେ ଆମେ ସମସ୍ତେ ସମବେତ ପ୍ରାର୍ଥନା କରିଥିଲୁ । ତାପରେ ସ୍କୁଲ ବାରଣ୍ଡାରେ ବାର୍ଷିକ ପୁରସ୍କାର ବିତରଣର ଅନୁଷ୍ଠାନ ପରେ ଏକ ସଭା ମଧ୍ୟ ହୋଇଥିଲା । କେବଳ ଆନ୍ତରିକତା ଯେ କେଡ଼େ ସୁନିଶ୍ଚିତ ଭାବରେ ବୁଦ୍ଧି ଓ ବୁଦ୍ଧିର ବିଶ୍ଵସ୍ତ ସହଚର ରୂପେ ରହିଥିବା ସଂଶୟଗୁଡ଼ାକୁ କାଟି ମଣିଷକୁ କେଡ଼େ ବେଗି ପ୍ରସ୍ତୁତ କରାଇ ନେଇପାରେ, ତାହାର ଚାକ୍ଷୁଷ ପ୍ରମାଣ ପାଇବାକୁ ହେଲେ ପଣ୍ଡକାମାଳ ଆସିବାକୁ ହୁଏ । ରାତିରେ ସାଧାରଣ ସଭାଟିଏ ହେଲା । ତା'ପରେ ସ୍କୁଲର ପିଲାମାନେ କବି ବୈଷ୍ଣବ ପାଣିଙ୍କ ଦ୍ଵାରା ଲିଖିତ ‘ମହିଷମର୍ଦ୍ଦିନୀ’ ନାଟକ ଅଭିନୟ କରିଥିଲେ । ସାଙ୍ଗକୁ ସ୍କୁଲର ଶିକ୍ଷକମାନେ ମଧ୍ୟ ଆଉ ଏକ ନୀରବ ଅଭିନୟ ମୂଳକ ନାଟକ ଦେଖାଇଥିଲେ । ସେଦିନ ସବୁ ଭାଙ୍ଗି ଆମେ ଶୋଇବା ବେଳକୁ ରାତି ଦୁଇଟା ହୋଇଯାଇଥିଲା ।

 

ପରଦିନ ସନ୍ଧ୍ୟାରେ ଆମେ ଶିକ୍ଷକ ଓ ପରିଚାଳକମାନେ ମିଶି ପୂର୍ଣ୍ଣାଙ୍ଗ ସ୍କୁଲ, ପୂର୍ଣ୍ଣାଙ୍ଗ ଶିକ୍ଷା ଏବଂ ଆନୁଷଙ୍ଗିକ ନାନା ବିଷୟରେ ଆଲୋଚନା କରିଥିଲୁ । ତହିଁ ଆରଦିନ ମୁଁ ନିଜେ ଯାଇ ଶ୍ରେଣୀଗୁଡ଼ିକୁ ଦେଖିଥିଲି । ପାଞ୍ଚବଖରା କଚ୍ଚାଘରେ ବର୍ତ୍ତମାନ ମୋଟେ ପାଞ୍ଚଟି ଶ୍ରେଣୀ ହେଉଛି । ଝରକା ଓ କବାଟ ଲାଗିବ ବୋଲି କାଠପଟା ସଜ ହୋଇ ରହିଛି । ପିଲାମାନେ ମାଟି ଉପରେ ବସନ୍ତି, ଶିକ୍ଷକମାନଙ୍କ ଲାଗି ବଖରା ପିଛା ଗୋଟିଏ ଲେଖାଏଁ ଚଉକି ପଡ଼ିଛି । ପିଲାଏ ଆଖପାଖ ତିନି ଚାରୋଟି ଗାଆଁରୁ ଆସନ୍ତି । ଅଧିକ ପିଲା ଅଧିକାଂଶ ଦିନ ଆଦୌ କିଛି ନଖାଇ ସ୍କୁଲକୁ ଆସନ୍ତି । ଇସ୍କୁଲ ଛୁଟି ହେଲେ ଯାଇ ବଣମଝିରେ ତତଲା ବାଟ ପାରିହୋଇ ସେମାନେ ବାରଟା ପରେ ନିଜ ଘରେ ପହଞ୍ଚନ୍ତି ଏବଂ ଦିନଟିର ସର୍ବପ୍ରଥମ ଆହାର ଗ୍ରହଣ କରନ୍ତି । ପିଲାମାନଙ୍କୁ ଯେପରି ବ୍ଲକରୁ ଗହମ ଆଣି ସ୍କୁଲରେ ରାନ୍ଧି ସକାଳେ ବକ୍ତେ ଖାଇବାକୁ ଦିଆଯାଇ ପାରିବ, ସେଥିଲାଗି ପରିଚାଳକମାନେ ଉଦ୍ୟମ କରୁଛନ୍ତି । ବନ୍ଧପଡ଼ା ସ୍କୁଲରେ ଗାଆଁରୁ ଆସୁଥିବା ପିଲାମାନଙ୍କୁ ଏହି ଖାଦ୍ୟ ଦିଆଯାଏ । ପଣ୍ଡକାମାଳ ପାଠଚକ୍ର ଏବେ କେତେ ଏକର ଜମି ପାଇଛି ବୋଲି ଶୁଣିଲି, ଯେଉଁଠାରେ କି ଆଗାମୀ ବର୍ଷାଋତୁଠାରୁ ଫସଲ ହେବ ଓ ସେଇଥିରୁ ପିଲାମାନଙ୍କ ଲାଗି ଭୋଜନର ବ୍ୟବସ୍ଥା କରାଯାଇ ପାରିବ ।

 

ସେଦିନ ଉପରଓଳି ଆମେ ସାଇକେଲରେ ନିକଟବର୍ତ୍ତୀ ଅଏଁଲାପାଲି ଗ୍ରାମକୁ ଯାଇଥିଲୁ-। ସେଠାରେ ଗୋଟିଏ ପାଠଚକ୍ର ଗତ କେତେ ବର୍ଷ ହେଲା ସକ୍ରିୟ ହୋଇଛି । ପାଠଚକ୍ରର ସ୍ଵତନ୍ତ୍ର ଘରଟିଏ ଲାଗି ଜାଗାର ବି ବରାଦ ହୋଇ ସାରିଲାଣି । ରାତିରେ ପୁଣି ସ୍କୁଲ ବିଷୟରେ ଆଲୋଚନା ହେଲା । କେବଳ ଜଣେ ଶିକ୍ଷକ ସ୍ଥାୟୀ ଭାବରେ ସ୍କୁଲରେ ରହନ୍ତି । ଅନ୍ୟମାନେ ପାଖ ଗାଆଁରୁ ଓ ମଦନପୁର–ରାମପୁରରୁ ଯାଆସ କରନ୍ତି । ସମସ୍ତେ ଗୋଟିଏ ଥାନରେ ରହୁଥିଲେ ସମ୍ଭବତଃ ସ୍କୁଲର ପ୍ରାଣପିଣ୍ଡଟି ଅଧିକ ଦୃଶ୍ୟମାନ ଭାବରେ ଅନୁଭୂତ ହୋଇ ପାରନ୍ତା । ଏଠାରେ ମଧ୍ୟ ଛାତ୍ରାବାସ ଆରମ୍ଭ କରିବାର ଭବିଷ୍ୟ-ଯୋଜନା ରହିଛି । ଜଣେ ଗ୍ରାମବାସୀ ସ୍କୁଲ ପାଖକୁ ଲାଗି ଖଣ୍ଡେ ଜମିକୁ ପିଲାଙ୍କର ଖେଳପଡ଼ିଆ ଲାଗି ଦେବେ ବୋଲି ବିଚାର କରି ସାରିଲେଣି । ଆଉଜଣେ ପ୍ରାୟ ଏକ ଏକରର ଗୋଟିଏ ଚକକୁ ପଣ୍ଡକାମାଳରେ ଶ୍ରୀଅରବିନ୍ଦଙ୍କ ପବିତ୍ର ଦେହାବଶେଷ ସ୍ଥାପନ ଲାଗି ଦେବା ପାଇଁ ମନେ ମନେ ସଂକଳ୍ପ କରିଛନ୍ତି । ଶିକ୍ଷକମାନଙ୍କଠାରେ ଉତ୍ସାହ ଓ ଆନ୍ତରିକତାର କୌଣସି ଅଭାବ ନାହିଁ । ପ୍ରଧାନ ଅଭାବ ସମ୍ବଳର । ଏହି ଅଭାବ ସକାଶେ କାହାରି ମନରେ ପରବା ମଧ୍ୟ ନାହିଁ । ସମ୍ବଳ ମିଳିବା ସମୟରେ ଅବଶ୍ୟ ମିଳିବ । ମାତ୍ର ସେଥିଲାଗି କୌଣସି ଅପେକ୍ଷା ନକରି ପ୍ରଧାନତଃ ସଂଘବଳରେହିଁ ଏଠି ସମସ୍ତେ ପାହାଚ ପାହାଚ ଅଗ୍ରସର ହୋଇଯାଉଛନ୍ତି । ସମସ୍ତଙ୍କର ଇଚ୍ଛା, ଏହି ସ୍କୁଲଟି ଆଖ ପାଖର ଅନ୍ୟସବୁ ସ୍କୁଲରୁ ଭାରି ସହଜରେ ବାରି ହୋଇ ପଡ଼ିବା ଉଚିତ । ମୁଁ ଶୁଣିଲି, ପାଖ ଗାଆଁମାନଙ୍କର ସ୍କୁଲମାନଙ୍କରୁ ପିଲା ଉଠିଆସି ପୂର୍ଣ୍ଣାଙ୍ଗ ସ୍କୁଲରେ ଭର୍ତ୍ତି ହେଉଛନ୍ତି ବୋଲି ସରକାରଙ୍କ ଶିକ୍ଷକମାନେ ସେମାନଙ୍କ ଉପର କଚେରୀରେ ଆପତ୍ତି ମଧ୍ୟ କଲେଣି ।

 

ସତେଇଶି ତାରିଖ ବଡ଼ି ସକାଳୁ ମୁଁ ପଣ୍ଡକାମାଳ ଛାଡ଼ିଲି ଓ ରାମପୁରରୁ ବସ୍ ଧରି ପ୍ରାୟ ଦଶଟା ବେଳକୁ ବାଲିଗୁଡ଼ାରେ ପହଞ୍ଚିଲି । ଖରାବେଳଟା ସେହିଠାରେ କଟିଲା । ତିନିଟାବେଳେ ବନ୍ଧୁ ଶ୍ରୀ ଚିତ୍ତରଞ୍ଜନ ଚୌଧୁରୀଙ୍କ ସହିତ ସେଠାରୁ ବାହାରି ମୋତେ ପ୍ରାୟ ସାଢ଼େ ପାଞ୍ଚଟାକୁ ଫୁଲବାଣୀରେ ପହଞ୍ଚିବାକୁ ହେଲା । ସେଠି ପାଠଚକ୍ର ଗୃହରେ ସଭା ହେଲା । ସଭାପରେ ଏକ କ୍ଷୁଦ୍ରତର ଗୋଷ୍ଠୀରେ ଆମେ ଫୁଲବାଣୀରେ ଗୋଟିଏ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ଆରମ୍ଭ କରିବା ବିଷୟରେ ଆଲୋଚନା କରିଥିଲୁ । ତହିଁ ଆରଦିନ ସକାଳେ ପୁଣି ବସ୍‍ଚଢ଼ି ନୂଆଗାଆଁ ଓ ନୂଆଗାଁରୁ ଉଦୟପୁର । ସେଠାରେ ଓଡ଼ିଶାର ପତ୍ରିକାପୀଠ ଶ୍ରୀଅରବିନ୍ଦ ସଂଗ୍ରହାଳୟରେ ମୁଁ ଗୋଟିଏ ଦିନ ରହିଥିଲି । ଜଣେ ମଣିଷର ନିଷ୍ଠାରେ ଗତ ପନ୍ଦର ବର୍ଷ ଭିତରେ ଏହି ସଂଗ୍ରହାଳୟ ଓଡ଼ିଶାର ଏକ ବିଶେଷ ସ୍ଥାନରେ ପରିଣତ ହୋଇଛି । ସେହି ଜଣେ ମଣିଷ ହେଉଛନ୍ତି ଶ୍ରୀଯୁକ୍ତ ଦାଶରଥି ପଟ୍ଟନାୟକ । ଦାଶରଥି ବାବୁ ଘରେ ନଥିଲେ । ତଥାପି ଚିହ୍ନା ଘରେ ମୋର କୌଣସି ଅସୁବିଧା ହେଲାନାହିଁ । ଏଠାରେ ମୋର କେତୋଟି ପୁରୁଣା ତାଳପତ୍ର ପୋଥି ଦେଖିବାର ଥିଲା । ସେହି କାମଟିକୁ ସାରି ମୁଁ ଅଣତିରିଶି ତାରିଖ ସକାଳେ ଉଦୟପୁରରୁ ବାହାରି ନୂଆଗାଁରୁ ବସ୍ ଧରି ବାରଟା ବେଳକୁ କଟକରେ ପହଞ୍ଚିଲି । ଏହିପରି ଭାବରେ ମୋର ଦୀର୍ଘ ତିନି ସପ୍ତାହର ପରିକ୍ରମା ସମ୍ପୂର୍ଣ୍ଣ ହୋଇଥିଲା ।

 

ମଇ-ଜୁନ୍, ୧୯୮୩

Image

 

ଆମ ଲଢ଼େଇ କାହା ବିରୁଦ୍ଧରେ ?

 

ଆଗେ ଓଡ଼ିଶାରେ କୋଉଠି ଷଣ୍ଢକୁଦ ବୋଲି ଖଣ୍ଡେ ଜମିଦାରୀ ଥିଲା । ସେହି ଜମିଦାରୀର କାହିଁକି ଯେ ଏପରି ନାମକରଣ ହୋଇଥିଲା, ସେକଥା ମୋତେ ଜଣାନାହିଁ । ବସ୍ତୁତଃ ସବୁ ଜମିଦାରୀକୁ ଗୋଟିଏ ବିଶେଷ ଅର୍ଥରେ ଷଣ୍ଢକୁଦ ବୋଲି କୁହାଯାଇପାରିବ । ଜମିଦାରୀ ହେଉଛି ସଂସାର ଭିତରେ ଖଣ୍ଡେ କୁଦପରି, ଯାହାଉପରେ ରାଜତ୍ଵ କରୁଥିବା ଜମିଦାର ନିଜକୁ ସତେଅବା ଗୋଟିଏ ଷଣ୍ଢପରି ଭାବୁଥାନ୍ତି ଏବଂ ପ୍ରତାପ କାଢ଼ିବାରେ ଲାଗିଥାନ୍ତି । ଏବେ ଷଣ୍ଢକୁଦ ଜମିଦାରୀ ଲୋପ ହୋଇଗଲାଣି, ସେହି ଜମିଦାର ମଧ୍ୟ କୁଆଡ଼େ ଗଲେଣି । ତଥାପି ସଂସାରରେ ଷଣ୍ଢମାନେ ରହିଛନ୍ତି ଓ କୁଦଗୁଡ଼ାକ ମଧ୍ୟ ରହିଛି । ଆମେ ଅନେକେ ନିଜ ନିଜ ଆସ୍ଥାନଟିକୁ ଆପଣାର ଷଣ୍ଢକୁଦ ବୋଲି ମଣି ତାହାରି ଉପରେ ପ୍ରତାପ କାଢ଼ିବାରେ ଲାଗିଛୁ । ସାଧନାର ଷଣ୍ଢକୁଦମାନଙ୍କରେ ଆମେ କାହାକୁ ହେଲେ ମୋଟେ ଥାନ ଦେବାକୁ ଇଚ୍ଛା କରୁନାହୁଁ । ପୁରୁଣା ବିରୁଦ୍ଧରେ ଘୋଷିତ ହେଉଥିବା ଆମର ସଂଗ୍ରାମ କ୍ରମଶଃ ପରସ୍ପର ବିରୁଦ୍ଧରେ ଏକ ସଂଗ୍ରାମରେ ପରିଣତ ହୋଇଯାଉଛି । ଏହି ରୀତିରେ ପଡ଼ି ବିପ୍ଳବୀମାନେ ପ୍ରତିକ୍ରିୟାଶୀଳ ହୋଇ ଯାଉଛନ୍ତି । ସତ୍ୟଗୁଡ଼ାକ ଜରିଦିଆ ବହି ହୋଇ ଗାଦୀରେ ପୂଜା ପାଉଛନ୍ତି ଏବଂ, ଯେପର୍ଯ୍ୟନ୍ତ ସେହି ଗାଦୀଗୁଡ଼ାକ ଆମରି କୁଦ ଉପରେ ଥାପନା ହୋଇ ରହିଛି ସେପର୍ଯ୍ୟନ୍ତ ଆମେ ପୂର୍ଣ୍ଣ ପ୍ରତ୍ୟୟରେ ଏହି ଯୁଗଟାକୁହିଁ ସତେଅବା ସତ୍ୟଯୁଗ ପରି ଅନୁଭବ କରୁଛୁ ଓ ଆମ ପ୍ରତାପଗୁଡ଼ାକୁ ପୂଣ୍ୟ ପରି ଭୋଗ କରୁଛୁ ।

 

ଆମର ପାଠଚକ୍ର, ଆମର ବିଦ୍ୟାଳୟ ଓ ଆମର ଅନ୍ୟ ଯାବତୀୟ କର୍ମଶାଳାଗୁଡ଼ାକୁ ଆମେ ଭୋଳ ହୋଇ କ୍ରମଶଃ ଖାସ୍ ଆମରି ଲାଗି ଏକ କୁଦରେ ପରିଣତ କରିଦେଉ ନାହୁଁ ତ ? କେଡ଼େ ଉତ୍ସାହରେ ଆମେ ପାଠଚକ୍ରଟିଏ ଆରମ୍ଭ କରୁଛୁ, କେଡ଼େ ଶରଧାରେ ପରସ୍ପରକୁ ଏକତ୍ର କରି ଡାକି ଆଣୁଛୁ, ନିଜେ କେଡ଼େ ଖୁସୀରେ ସମସ୍ତଙ୍କ ସହିତ ମିଶି ପାଠଚକ୍ର ଲାଗି ଘରଟିଏ ତିଆରି କରି ଦେଉଛୁ । ନିଜ ଜୀବନରେ ବାଟ ଦିଶିଗଲା ପରି ମନେ ହେଉଛି । ଆପଣାକୁ କେଡ଼େ ପବିତ୍ର ମନେ ହେଉଛି । ଭିତରେ ସବୁ ଗଣ୍ଠି ଫିଟିଗଲେ ଯେତିକି ହାଲୁକା ଲାଗେ, ଆମକୁ ପ୍ରାୟ ସେତିକି ହାଲୁକା ଲାଗୁଛି । ପାଠଚକ୍ରରେ ବସୁଥିବା ସମସ୍ତେ କେଡ଼େ ଆପଣାର ପରି ଦିଶୁଛନ୍ତି, ସମସ୍ତେ ସାଥୀପରି ଲାଗୁଛନ୍ତି । ପାଠଚକ୍ରରୁ ବିଦ୍ୟାଳୟଟିଏ ଆରମ୍ଭ କରିବାର ସଂକଳ୍ପ ବାହାରୁଛି । ଆମେ ନିଜେ ପରସ୍ପର ପାଖରେ ସଂକଳ୍ପ କରି ବିଦ୍ୟାଳୟଟି ଆରମ୍ଭ କରୁଛୁ । କେଡ଼େ ଖୁସୀରେ ବିଦ୍ୟାଳୟ ଲାଗି ଶିକ୍ଷକ ଡାକି ଆଣୁଛୁ । ଆମ ଇସ୍କୁଲ ପିଲାଙ୍କର ଖୁସୀରେ ଭାଙ୍ଗିପଡ଼ିଲା ପରି ମନେ ହେଉଛି । ଆଉ କୋଉଠି ହେଲେ ମୋଟେ ଝୁଣ୍ଟିବାକୁ ପଡ଼ିବ ନାହିଁ ବୋଲି କେଡ଼େ ଦମ୍ଭରେ ନିଜ ମନକୁମନ କହି ହେବାରେ ଲାଗିଯାଉଛୁ । ମାତ୍ର, ଏମିତି କେତେଦିନ ବିତିଯିବା ପରେ ମଳମାସ ପଡ଼ୁଛି ।

 

ଆମକୁ ସତେଅବା ଆଗରୁ କୌଣସି ନୋଟିସ୍ ନ ଦେଇ ଏହି ମଳମାସ ଆସି ପହଞ୍ଚି ଯାଉଛି । ଭଲ ମାସଗୁଡ଼ାକ ମଳ ମାସରେ ପରିଣତ ହୋଇଯାଉଛି । ମଳମାସ ପଡ଼ିବା ମାତ୍ରକେ ସତେଅବା ଶନି ବି ଆସି ପହଞ୍ଚି ଯାଉଛି । ଆମର ମତିଭ୍ରମ ଘଟାଇ ଏହି ଶନି ଆମର ଭିତରୁହିଁ ଜନ୍ମଲାଭ କରୁଛି । ଏହି ଶନି ବକଟେ ଛୁଆ ପରି ଆମରି ଭିତରେ କୋଉଠି ଯେ ଭ୍ରୂଣ ହୋଇ ବଢ଼ୁଥିଲା ଓ ମଳମାସରେ ଜନ୍ମ ହେବ ବୋଲି ଅପେକ୍ଷା କରି ବସିଥିଲା, ଶନି ଜନ୍ମଲାଭ କରିସାରିବା ପରେ ଯାଇ ଆମେ ସେହି କଥାକୁ ହୃଦୟଙ୍ଗମ କରୁଛୁ । ଆମ ବିବେକକୁ ଶନି ଖାଇଯାଉଛି । ତାପରେ ଆମେ ପ୍ରତ୍ୟେକେ ଭାବୁଛୁ, ଏହି ବିଦ୍ୟାଳୟ ଏହି ଗାଆଁରେ ମୋରି ସକାଶେ ସମ୍ଭବ ହେଲା । ବିଦ୍ୟାଳୟ ସକାଶେ ମୁଇଁ ଜାଗା ଛାଡ଼ିଦେଲି, ମୁଇଁ ବାର ଜାଗା ବୁଲି ଶିକ୍ଷକ ଖୋଜି ଆଣିଲି । ନଡ଼ା ବାଉଁଶ ଚାନ୍ଦା କଲି, କାନ୍ଥ ଉଠାଇଲି, ହତା ଚାରିପାଖରେ ବାଡ଼ ଦେଲି । ଏସବୁ ମୁଇଁ କଲି, ତେଣୁ ଏହି ବିଦ୍ୟାଳୟ ମୋର । ତାପରେ ଶନିଙ୍କର ଅନୁଗ୍ରହରୁ ବିଦ୍ୟାଳୟଟି ମୋତେ ସତେଅବା ମୋର ହାତରେ ଗଢ଼ା କୁଦଟିଏ ପରି ଦିଶୁଛି । ସେହି କୁଦଉପରେ ମୁଁ ମୋ ବ୍ୟତୀତ ଆଉକାହାକୁ ହେଲେ ଦେଖି ପାରୁନାହିଁ । ଅନ୍ତତଃ ମୋର ସମକକ୍ଷରୂପେ ମୋଟେ କାହାକୁ ଦେଖି ପାରୁନାହିଁ । ଯାହାକୁ ଦେଖୁଛି, ସିଏ ମୋତେ ଅଧସ୍ତନ ପରି ଦିଶୁଛି । ଯାହାକୁ କାଳିସୀ ଲାଗେ, ସିଏ ନିଜକୁ ଛାଡ଼ି, ଆଉ କାହାକୁ ହେଲେ ନିଜର ସମକକ୍ଷରୂପେ ଦେଖିପାରେ ନାହିଁ । କାଳିସୀ ଲାଗିଲା ସମୟରେ ମଣିଷ ସଂସାରଯାକକୁ ସତେଅବା କେବଳ ଗୋଟିଏ କୁଦ ପରି ଦେଖିବାକୁ ଆରମ୍ଭ କରେ ଓ ସେହି କୁଦ ଉପରେ କେବଳ ଆପଣାକୁହିଁ ମାଲିକ ବୋଲାଏ । ମୋତେ ମଳ ମାସ ଆସି ଘୋଟିଲେ ମୁଁ ଭାବେ, ଯେହେତୁ ମୁଁ ଏତେ କରିଛି, ଏତେ ଦେଇଛି, ଆପଣା ଘରୁ ଆଣି ଏହି ବିଦ୍ୟାଳୟକୁ ଭର୍ତ୍ତି କରିଛି, ତେଣୁ ମୋ କଥାଟାହିଁ ଏହି ବିଦ୍ୟାଳୟରେ ସର୍ବମାନ୍ୟ ହୋଇପାରିବା ଉଚିତ । ତା ପରେ ମୁଁ ଆଉ କାହାରିକୁ ମାନେ ନାହିଁ; ଯାହାକୁ ଦେଖେ, ତା ଉପରକୁ ମାଡ଼ିଯାଏ । କେହି ମୋ କଥା ନ ମାନିଲେ ମୁଁ ତା ବିରୁଦ୍ଧରେ ଯୁଦ୍ଧ ଘୋଷଣା କରେ । ଏହିପରି ଭାବରେ ଆମେ ପ୍ରତ୍ୟେକେ ପରସ୍ପର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରୁ, ଆପଣାକୁହିଁ କୁଦର ଏକମାତ୍ର ମାଲିକ ବୋଲି ଗଣାକରୁ । ଏହିପରି ଭାବରେ ସୂତ୍ରଗୁଡ଼ିକ ଛିଡ଼ିଯାଏ, କ୍ଷେତ୍ରଟି ଛିନ୍‍ଛତ୍ର ହୋଇଯାଏ ।

 

ଆମର ଯୁଦ୍ଧ ପ୍ରକୃତରେ କାହା ବିରୁଦ୍ଧରେ ? ଶ୍ରୀଅରବିନ୍ଦ କୌଣସି ଏକ ପ୍ରସଙ୍ଗରେ ଏହି ଯୁଦ୍ଧର କଥା ଆଲୋଚନା କରିଛନ୍ତି । ସିଏ କହିଛନ୍ତି, ପୁରୁଣା ସମାଜ ଓ ସେହି ସମାଜର ଅନୁଷ୍ଠାନଗୁଡ଼ିକ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାକୁ ହେବ । ମାତ୍ର ଅସଲ କଥା ହେଉଛି, ଏହି ଅନୁଷ୍ଠାନଗୁଡ଼ିକ କେବଳ ଆମ ବାହାରେ ନାହାନ୍ତି, ସେଗୁଡ଼ିକ ଆମ ଭିତରେ ମଧ୍ୟ ଅଛନ୍ତି । ଶନିପରି ଆମକୁ ଗିଳି କରି ରହିଛନ୍ତି । ଆମେ ନାକ ପର୍ଯ୍ୟନ୍ତ ସେହି ପୁରୁଣାଗୁଡ଼ାକ ଭିତରେ ବୁଡ଼ିକରି ରହିଛୁ ଓ ତଥାପି ପୁରୁଣା ବିରୁଦ୍ଧରେ ଯୁଦ୍ଧ କରି ବାହାରିଛୁ । ପୁରୁଣାଟାକୁ ଅନ୍ୟ ଆଉଜଣକ ଭିତରେ ଠାବ କରିଦେବା ମାତ୍ରକେ ଆମେ ଏପରି ଏକ ବର୍ବର ବଡ଼ିମାର ଶିକାର ହୋଇଯାଉଛୁ ଯେ, ଆମେ ତା ପରେ ଭାବୁଛୁ, ସେହି ଅନ୍ୟ ଅଶୁଦ୍ଧ ଜଣକ ଏଠାରୁ ବିଦା ହୋଇଗଲେ ଘର ଶୁଚୀ ହୋଇଯିବ । ତାପରେ ଅସଲ ଯୁଦ୍ଧର ବିକଳ୍ପ ରୂପେ ଆମେ ଏହି ଅନ୍ୟ ଯୁଦ୍ଧଟିକୁ ଆରମ୍ଭ କରି ଦେଉଛୁ । ବିଡ଼ମ୍ବିତ ହେବାରେ ଲାଗିଛୁ । ଆଉ ଜଣକୁ କୁଦ ଉପରୁ ନିକାଲି ଦେବାରେ ସିଦ୍ଧି ଲାଭ କଲେ ସତେ ଅବା ତାହାକୁହିଁ ଭଗବତ୍‍ପ୍ରାପ୍ତିର ସମାନ ବୋଲି ଭାବୁଛୁ ।

 

ଆମକୁ ଏହି ଭ୍ରମଟିକୁ ମଧ୍ୟ ପରିହାର କରି ବାହାରି ଆସିବାକୁ ପଡ଼ିବ । ତେବେ ଯାଇ ଆମର ଏହି ବିଦ୍ୟାଳୟଗୁଡ଼ିକ ଭଗବାନଙ୍କର ଘର ପରି ବିକଶିତ ହୋଇ ଉଠିବ । ବିଦ୍ୟାଳୟରେ ଆମେ ସବାଆଗ ନିଜକୁ ନଦେଖି ପିଲାମାନଙ୍କୁ ଦେଖିଲେ ତାହା ହୋଇପାରିବ । ଆମ ବିଦ୍ୟାଳୟରେ ଆଗ ପିଲା, ତାପରେ ଯାଇ ଆମେ । ସେହି ପିଲାମାନେ ଫୁଲ ପରି ବଢ଼ିବେ, ସେମାନେ ବଡ଼ ହୋଇ ସୂର୍ଯ୍ୟାଲୋକକୁ ବାଛିବେ, ନୂତନକୁ ବାଛିନେବେ । ଆମେ ଆମ, କୁଣ୍ଢରେ ମାପିବାକୁ ଯେତେ ବଡ଼ ଜ୍ଞାନୀ, ଯେତେବଡ଼ ଭକ୍ତ ଅଥବା ଯେତେବଡ଼ ସାଧକ ହୋଇଥାଉ ପଛକେ, ଏହି ପିଲାମାନେ ଆମ କାନ୍ଧ ଉପରେ ଗୋଡ଼ଦେଇ ଆହୁରି ଆଗକୁ ଚାଲିଯାଇ ପାରୁଥିବେ । ତେବେ ଯାଇ ଆମର ଜ୍ଞାନ, ଆମର ଭକ୍ତି ଓ ଆମର ଯାବତୀୟ ସାମର୍ଥ୍ୟପଣ ତାହାର ଅସଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଯାଇ ପାରିବ । ତେବେଯାଇ ଶନି ଆମକୁ ଡରିବ, ଆମର ପାଖ ମାଡ଼ିବ ନାହିଁ । ଯେଉଁ ବିଦ୍ୟାଳୟକୁ ଆମେ ଏକ ସମଗ୍ର ବିଦ୍ୟାଳୟ ବୋଲି କହୁଛୁ, ତାହା ଆମଠାରୁ ଏହିପରି ଏକ ସମଗ୍ର ଅନୁରାଗର ଦାବି କରୁଛି । ତାହା ଆମଠାରୁ ଆମର ଅହଂକୁ ଗୋଟାସୁଦ୍ଧା ପାଇବ ବୋଲି ହାତ ପତାଇଛି । ତେଣୁ ଆମେ ଏହି ଡିହଗୁଡ଼ାକୁ ଭାଙ୍ଗିଦେବା, କୁଦଗୁଡ଼ାକୁ ଭାଙ୍ଗି ସମାନ କରିଦେବା । ତା ଉପରେ ଘାସପଡ଼ିଆଟିଏ ରୋପିବା, ଫୁଲବଗିଚାଟିଏ ରୋପିବା । ଆମ ପିଲାମାନେ ତା ଉପରେ ଖେଳିବେ । ତେବେଯାଇ ହେବ । ତେବେଯାଇ ଗଣ୍ଠି ଫିଟିବ, ଯୁଦ୍ଧରେ ଜୟ ହେବ । ଆମେ ବି ଧନ୍ୟ ହୋଇଯିବା ।

 

ଜୁଲାଇ-ଅଗଷ୍ଟ, ୧୯୮୩

Image

 

ଆମର ଅସଲ ପ୍ରମାଣପତ୍ର

 

ଆମର ନୂତନ ଶିକ୍ଷାକେନ୍ଦ୍ରଗୁଡ଼ିକରେ ଆମ ପିଲାମାନଙ୍କୁ ଦେଖି ଆମେ ସମସ୍ତେ କେତେ କ'ଣ ଭାବୁଛୁ, କେତେ କ'ଣ ସ୍ଵପ୍ନ ଦେଖୁଛୁ । ଆମେ ସେମାନଙ୍କୁ କେତେ ଭଳି ଖେଳ ଖେଳାଉଛୁ, ନଚାଉଛୁ, ହସାଉଛୁ, – ଅପାମାନେ କେଡ଼ ଗର୍ବରେ ସେମାନଙ୍କ ନାକରୁ ସିଙ୍ଘାଣି ପୋଛି ପକାଉଛନ୍ତି, ସେମାନେ କାନ୍ଦିଲେ ଦଉଡ଼ିଯାଇ ସେମାନଙ୍କୁ ଭୁଷ୍‌ କରି କାଖେଇ ପକାଉଛନ୍ତି, ଇତ୍ୟାଦି, ଇତ୍ୟାଦି । ଆମ ପିଲାମାନେ ଆମ ଶିକ୍ଷାକେନ୍ଦ୍ରଗୁଡ଼ିକର ସଂସାରକୁ ପୂର୍ଣ୍ଣ କରି ରଖିଛନ୍ତି । ଆମକୁ କେତେ ଆନନ୍ଦ ଦେଉଛନ୍ତି, ସଂସାରଯାକର ତୋଟା ଉଜୁଡ଼ି ଯାଉଥିବା ବେଳେ ଆମକୁ ଆମ ଉପବନଗୁଡ଼ିକ ଭିତରେ ଅନ୍ୟ ପ୍ରକାରେ ବଞ୍ଚିବା ଲାଗି ଏବଂ ଅନ୍ୟ ପ୍ରକାରେ ସ୍ଵପ୍ନ ଦେଖିବା ଲାଗି ପ୍ରେରଣା ଦେଉଛନ୍ତି । ଅବିଶ୍ଵାସମାନେ ପ୍ରାୟ ସବୁଠାରେ ମଣିଷମାନଙ୍କର କାନ ଧରି ସେମାନଙ୍କୁ ବସଉଠ କରୁଥିବା ବେଳେ ଆମକୁ ବିଶ୍ଵାସ ଭିତରେ ଜୀଆଇ ରଖିଛନ୍ତି । ମାତ୍ର କେବଳ ଆତ କାମରେ ଲାଗିବା ପାଇଁ କଣ ଏହି ପିଲାମାନେ ଆମ ପାଖକୁ ଆସିଛନ୍ତି ? ଆମେ ସେମାନଙ୍କର ପ୍ରକୃତରେ କେଉଁ କାମରେ ଲାଗୁଛୁ ? ଆମେ ତ କେଡ଼େ ଖୁସିରେ କହି ବୁଲୁଛୁ ଯେ ଆମେ ଆମ ଶିକ୍ଷାଳୟମାନଙ୍କରେ ଏକ ନୂତନ ଶିକ୍ଷାର ପ୍ରୟୋଗ କରୁଛୁ, ପୁରାତନ ଶିକ୍ଷାର ସ୍ଥାନରେ ଏକ ନୂତନ ବିକଳ୍ପ ଖୋଜୁଛୁ । ମାତ୍ର ଆମ ପିଲାମାନଙ୍କୁ ଆମେ କେଉଁଥିପାଇଁ ତିଆରି କରୁଛୁ ? ସେମାନଙ୍କ ଲାଗି ଆମେ ପ୍ରକୃତରେ କେଉଁସବୁ ଛାଞ୍ଚର କଳ୍ପନା କରୁଛୁ ?

 

ଆଜିକାଲି ଆମ ଦେଶରେ ପାଠ ବୋଲି ଯେଉଁ କାରଖାନା ଚାଲିଛି, ସେଥିରେ ମଣିଷପିଲାଙ୍କୁ ମଣ କରାଇ ପୋଷା ମନାଇ ନେବାକୁ କେତେ ପ୍ରକାରର ଯନ୍ତାର ବରାଦ ହୋଇ ରହିଛି । ଯୋଉ ଯନ୍ତାରେ ପଡ଼ିଲେ ତୁମେ ଯେତେ ଅଧିକ ପଇସା ରୋଜଗାର କରିବ, ସେହି ଅନୁସାରେ ଏହି ଯନ୍ତାଗୁଡ଼ିକ ଲୁହା, ପିତଳ, ରୂପା ଅଥବା ସୁନାରେ ତିଆରି ହୋଇ ରହିଛି । ସରକାରୀ ଯନ୍ତା ରହିଛି, ବେସରକାରୀ ଯନ୍ତା ରହିଛି; ସହରୀ ଯନ୍ତା ଅଛି, ମଫସଲୀ ଯନ୍ତା ଅଛି; ସେହି ଅନୁସାରେ ଯନ୍ତାଗୁଡ଼ାକର ଯନ୍ତ୍ରୀମାନଙ୍କୁ କେଉଁଠି ମାଷ୍ଟର ବୋଲି କୁହାଯାଉଛି, ଆଉ କେଉଁଠି ଶିକ୍ଷକ ବୋଲି କୁହାଯାଉଛି, ସବା ଉପରେ ଅଧ୍ୟାପକ ବୋଲି କୁହାଯାଉଛି । ସଭାରେ ସେମାନଙ୍କ ଦେହରେ ହଳଦୀ ଲଗାଇ ସୁନ୍ଦର କରି ବସାଇ ପାରିତୋଷିକ ଦେଲାବେଳେ ଶିକ୍ଷାଘରର ବ୍ରହ୍ମାମାନେ ସେମାନଙ୍କୁ କେଡ଼େ ଠାଣିରେ ଆଚାର୍ଯ୍ୟ ବୋଲି କହୁଛନ୍ତି । ଏହି ସବୁଯାକ ଧନସମ୍ପତ୍ତିକୁ ଏକାଠି ଗୋଟିଏ ଯନ୍ତାର ରୂପ ଦେଇ ଏକ ଆଶ୍ଚର୍ଯ୍ୟ ଚର୍ଯ୍ୟାରେ ଦେଶର ବିଦ୍ୟାଳୟମାନେ ଚାଲିଛନ୍ତି ।

 

ଆମ ଚାରିପାଖରେ ଏହି ଯନ୍ତାଗୁଡ଼ାକର ପ୍ରବଳ ଭିଡ଼ ଲାଗି ରହିଛି । ହାଟର କାଗଜପତ୍ରଗୁଡ଼ାକରେ ସମସ୍ତେ ଭାରି ସହଜରେ ସେହିମାନଙ୍କୁହିଁ ଚିହ୍ନି ପାରୁଛନ୍ତି । ଏହି ଅନେକ ଭିତରେ ଆମର ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତ୍ର କେତୋଟି । ଆମର ଆଶାବାଦୀ ଆଖିକୁ ଏଗୁଡ଼ିକର ସଂଖ୍ୟା ବର୍ଷକୁ ବର୍ଷ ଅଧିକ ହେଉଥିଲେ ମଧ୍ୟ ପାଳଗଦା ଉପରେ ‌ରଜା ହୋଇ ବସିଥିବା କାଳର କଳକୁ ତାହା କଳେ ବୋଲି ହେବ ନାହିଁ । ଯନ୍ତାଗୁଡ଼ାକରେ ପିଲାଙ୍କର ସଂଖ୍ୟାଗୁଡ଼ିକୁ କେବଳ ହଜାରରେ ଗଣି ହୋଇ ପାରିବ । ଗୋଟାଏ ବରଷରେ ସେମାନେ ଦୁଇଲକ୍ଷ ଅଢ଼େଇ ଲକ୍ଷ ସୁମାରିରେ ପରୀକ୍ଷା ଦେଉଛନ୍ତି । ସେମାନଙ୍କୁ ପାସ୍‌ ଅଥବା ଫେଲ୍‌ କରାଇବାକୁ କେତେ ମୁଣ୍ଡ ଲାଗିଛନ୍ତି । ଏସବୁ ଦେଖି ଆମର ନିଜ ମୁଣ୍ଡଟି ବେଳେ ବେଳେ ଆମକୁ ହୁଏତ କେଡ଼େ ଛୋଟ ବୋଲି ଲାଗୁଥିବ । ଆମ ପାଖରେ ପିଲା ବା କେତେଟା ଯେ ଆମେ ସେମାନଙ୍କୁ ନେଇ ଆମ ନିଜର ବୋଲି କହିପାରିବା ଭଳି ଗୋଟାଏ ଅଲଗା ହାଟ ବସାଇ ପାରିବା, ହୁଏତ ଗୋଟାଏ ଅଲଗା ବାଟ ଦେଖାଇ ପାରିବା ?

 

ବେଳେବେଳେ ଏମିତି ବୁଦ୍ଧି ହଜିଗଲା ପରି ମନେ ହେଉଥିବା ସମୟରେ ଆମ ପିଲାମାନଙ୍କ ଆଡ଼କୁ ଅନାଇବାକୁ ମନ ହୁଏ । ସେମାନେ ଆମର ଏହି ଅଭିନବ ପ୍ରୟୋଗ ପାଇଁ ତିଆରି ହୋଇଛନ୍ତି ଓ ଆମର କାମରେ ଲାଗୁଛନ୍ତି ବୋଲି ବିଚାର କରୁଥିବା ପର୍ଯ୍ୟନ୍ତ ଆମେ ହୁଏତ ସେମାନଙ୍କୁ କ'ଣ ନା କ'ଣ କରି ଦେଖୁ, ଆମ ଅମାରରେ ରହିଥିବା ଏତେ ଭରଣ ଧାନ ପରି ଦେଖୁ ଅଥବା ଆମେ କଳ୍ପନା କରୁଥିବା ସଫଳତା ଗୁଡ଼ାକୁ ଭର୍ତ୍ତିକରି ରଖିବାକୁ ଗଢ଼ା ହେଉଥିବା ଏତେ କୋଡ଼ି ବା ଏତେ ଶହ ଘଡ଼ି ମାଠିଆ ପରି ବି ଦେଖୁ । ମାତ୍ର, ଏହି ପିଲାମାନଙ୍କ ସକାଶେହିଁ ଆମର ଯାବତୀୟ ପ୍ରୟୋଗର ଭିଆଣ ହୋଇଛି ଓ ସେହିମାନଙ୍କର କାମରେ ଲାଗି ପାରିବା ଲାଗି ଯେ ଆମେ ସମସ୍ତେ ଗୋଟିଏ ଗୋଟିଏ ଶିକ୍ଷାକେନ୍ଦ୍ରରେ ଆସି ଏକତ୍ର ହୋଇଛୁ, ଏପରି ଅନୁଭବ କରି ସେହି ପିଲାମାନଙ୍କ ଆଡ଼କୁ ଅନାଇ ପାରିଲେ ସେମାନେ ପ୍ରକୃତରେ ଭାରି ଅନ୍ୟପ୍ରକାରର ହୋଇ ଦିଶନ୍ତି ।

 

ସେମାନେ ଆମଠାରୁ ମୋଟେ ସାନ ହୋଇ ଦିଶନ୍ତି ନାହିଁ, ବୟସରେ ଓ ଚାତୁର୍ଯ୍ୟଗୁଡ଼ାକରେ ଆମଠାରୁ ଯେତେ ସାନ ହୋଇଥିଲେ ମଧ୍ୟ ତଥାପି ଆମର ପଥପ୍ରଦର୍ଶକ ସାଙ୍ଗ ପରି ଦିଶନ୍ତି । ସେମାନେ ଆମର ଆଖିପରି ଦିଶନ୍ତି, ଆମର ଦର୍ପଣ ପରି ଦିଶନ୍ତି । ଚାରିଆଡ଼େ ଗୋଡ଼ତଳୁ ଯେତେ ମାଟି ଖସି ଖସି ଯାଉଥିଲେ ମଧ୍ୟ ପ୍ରକୃତରେ ଏହିମାନଙ୍କ ଉପରେ ଯେ ନିର୍ଭର କରି ହେବ, ଆମଭିତରୁ ଏହିପରି ଏକ ଅକାଟ୍ୟ ପ୍ରତ୍ୟୟ ଆସି ମିଳିଯାଏ । ଆମର ଇଜ୍ଜତ ରହିଗଲାପରି ମନେହୁଏ ଏବଂ ଯାହାର ଇଜ୍ଜତ ରହେ, କେବଳ ସେଇ ଏହି ସଂସାରରେ ଜୟୀ ହୁଏ-। ଅନ୍ୟମାନେ ଯେଡ଼େ ବଡ଼ ଦିଶୁଥିଲେ ମଧ୍ୟ ତଥାପି ହାରି କରି ରହିଥାନ୍ତି ।

 

ଓଡ଼ିଶାର ଗୋଟିଏ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ନିକଟରେ ଘଟଣାଟିଏ ଘଟିଲା । ଗାଆଁ ହେଲେ ମଧ୍ୟ ତଥାପି ରାସ୍ତା କଡ଼ର ଗାଆଁ । ଅଭିଭାବକମାନେ ଅପେକ୍ଷାକୃତ ଅଧିକ ସାବଧାନ । ସେମାନଙ୍କୁ କେହି ଯେପରି କ୍ଷତିରେ ନପକାଇବ, ସେ ବିଷୟରେ ସେମାନେ ସବୁଠାରୁ ଆଗ ସତର୍କ । ଯେଉଁ ସ୍କୁଲରେ ସେମାନଙ୍କର ପିଲା ପାଠ ପଢ଼ିବେ; ସେହି ସ୍କୁଲ ସରକାରଙ୍କଠାରୁ ସ୍ଵୀକୃତି ପାଇଥିବା ଦରକାର । ସ୍ଵୀକୃତି ପାଇବାର ଅର୍ଥ, ଗୁଳାରେ ରହିଛି ବୋଲି ପ୍ରମାଣିତ ହେବା । ସେହି ଗାଆଁରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଟିଏ ଆରମ୍ଭ ହେବା ଦୁଇ ବର୍ଷ ପୂରିଗଲା । ଶିକ୍ଷାକେନ୍ଦ୍ର ଆରମ୍ଭ ହେବା ସମୟରେ ଏହା ଅନ୍ୟ ଏକ ପ୍ରକାରର ସ୍କୁଲ ହେବାକୁ ଯାଉଛି ବୋଲି ଅଭିଭାବକମାନେ ଭଲକରି ଜାଣିଥିଲେ । ତଥାପି ପିଲାମାନଙ୍କୁ ଏହି ନୂଆ ଇସ୍କୁଲକୁ ପଠାଇଥିଲେ । ସେମାନେ ଭାବିଥିଲେ ପୁରୀ, ଭୁବନେଶ୍ଵର, କଟକ, ସବୁଠାରେ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସରକାରୀ ସ୍ଵୀକୃତି ଲାଭ କରି ସାରିଲେ‌ଣି, ତେଣୁ ସେଗୁଡ଼ିକ ସହିତ ତାଙ୍କ ଗାଆଁର ଏହି ନୂଆ ସ୍କୁଲଟି ମଧ୍ୟ ଦିନେ ନା ଦିନେ ସ୍ଵୀକୃତି ପାଇଯିବ ।

 

ସେମାନେ ବର୍ଷେ ଅପେକ୍ଷା କଲେ, ବରଷେ ପୂରି ଆଉ ଗୋଟିଏ ବରଷ ଗଲା-। ତଥାପି ସ୍ଵୀକୃତି ଆସିଲା ନାହିଁ । ପ୍ରମାଦ ଗଣି ଦ୍ଵିତୀୟ ଶିକ୍ଷାବର୍ଷଟି ପୂରିବା ଆଗରୁ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବନ୍ଧୁମାନେ ଅଭିଭାବକମାନଙ୍କୁ ସବୁ ହାଲ କହିଥିଲେ ଓ ସେମାନଙ୍କର ମତ ଲୋଡ଼ିଥିଲେ । ଅଭିଭାବକମାନେ ସେତେବେଳେ ମଧ୍ୟ ଆଶାବାଦୀ ଥିଲେ, ସେମାନେ ଭାବିଥିଲେ ଖରା ଛୁଟିରେ ଗୋଟିଏ କ'ଣ ନିଶ୍ଚୟ ଘଟିବ । ତେଣୁ ସେମାନେ ଇସ୍କୁଲରୁ ପିଲାଙ୍କୁ କଦାପି ଉଠାଇ ନେବେ ନାହିଁ ବୋଲି ନିର୍ଭର ଦେଲେ । ଏଡ଼େବଡ଼ ଗ୍ରୀଷ୍ମଛୁଟିରେ ମଧ୍ୟ କିଛି ଘଟିଲା ନାହିଁ । ତେଣୁ ଛୁଟି ଶେଷ ହୋଇ ସ୍କୁଲ ଖୋଲିବା ମାତ୍ରକେ ସେମାନେ ପିଲାଙ୍କୁ ଅନ୍ୟ ସ୍କୁଲକୁ ଉଠାଇ ନେଲେ । ପିଲାଙ୍କ ସଂଖ୍ୟା ଚାଳିଶ ପଚାଶରୁ ପ୍ରାୟ ଚାରି ପାଞ୍ଚରେ ଆସି ରହିଲା । ବନ୍ଧୁମାନେ ଭାବିନେଲେ ଯେ ଗତ ଦୁଇ ବର୍ଷର ସ୍ଵପ୍ନଦେଖା ଏହିପରି ଭାବରେ ସମାପ୍ତି ଲାଭ କରିବ ।

 

ତା'ପରେ ଯାହା ନଘଟିବାର ତାହାହିଁ ଘଟିଲା । ବରଂ ଏପରି କହିହେବ ଯେ, ଯାହା ଘଟିବାର କଥା, ପ୍ରକୃତରେ ତାହାହିଁ ଘଟିଲା । ପିଲାଏ ଘରେ ଅଡ଼ି ବସିଲେ ଯେ ସେମାନେ ମୋଟେ କେଉଁଠି ହେଲେ ପାଠ ନପଢ଼ିବେ ପଛକେ, ସେମାନଙ୍କର ନିଜ ସ୍କୁଲ ଛାଡ଼ି ଅନ୍ୟତ୍ର ଯିବେ ନାହିଁ । ଆଉ କେତୋଟି ପିଲା ସେମାନଙ୍କ ଶିକ୍ଷକମାନଙ୍କୁ କହିଲେ, ସେମାନେ ଯେତେ ଅଳପ ହେଲେ ମଧ୍ୟ ଏହିଠାରେହିଁ ପାଠ ପଢ଼ିବେ । ବନ୍ଧୁମାନଙ୍କର ଦକା ଭାଙ୍ଗିଗଲା । ସେମାନେ ବି ପାଠଚକ୍ରରେ ବସି ସଂକଳ୍ପ କରି ନେଲେ ଯେ ମାତ୍ର ଦୁଇଜଣ ପିଲା ଆସିଲେ ମଧ୍ୟ ସେମାନେ ଏଠୁ ଏହି ସ୍କୁଲଟିକୁ କେବେ ହେଲେ ଭାଙ୍ଗିଦେବେ ନାହିଁ । ଏହିପରି ଭାବରେ ସ୍କୁଲ ରହିଲା । ଅସଲ ସ୍ଵୀକୃତି ପାଇଲା । ଯେଉଁ ସ୍ଵୀକୃତି କାଗଜ ପତ୍ରରେ ମିଳେ, ସେଇଟି ହୁଏତ ସମୟକ୍ରମେ ମିଳିଯିବ ।

 

ଆମର ଅସଲ ପ୍ରମାଣପତ୍ର ଆମ ପିଲାଏ । ଆମେ ସେମାନଙ୍କର ବିଶ୍ଵାସର ଯୋଗ୍ୟ ହେବା । ଓଡ଼ିଶାର ଯେକୌଣସି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ହେଉନା କାହିଁକି, ସେମାନଙ୍କ ବିଶ୍ଵାସର ଆମେ ଯେତିକି ଯୋଗ୍ୟ ହେବା, ଆମେ ସେତିକି ଅଧିକ ବଳିଷ୍ଠ ଭାବରେ ବଞ୍ଚିରହି ପାରିବା । ଆମର ନୂଆ ସ୍କୁଲଗୁଡ଼ିକରେ ଆମେ ଆମ ପିଲାମାନଙ୍କର ସ୍ଵୀକୃତି ପାଇଛୁ । ତାହାହିଁ ଅନ୍ୟ ଯେକୌଣସି ବଦାନ୍ୟତା ଅଥବା ଅନୁଗ୍ରହ ଅପେକ୍ଷା ଆମକୁ ବଞ୍ଚି ରହିବାରେ ଓ ଅଗ୍ରଗତି କରିବାରେ ସବୁଠାରୁ ଅଧିକ ସାହାଯ୍ୟ କରିଛି । ଆମେ ବୟସ୍କମାନେ ଯେତେବେଳେ ସତେଅବା ଗୋଟାଏ ରାତିରେ କଣ ଗୋଟାଏ ନୂଆକରି ଗଢ଼ି ଥୋଇଦେବୁ ବୋଲି ବିଚାରି କେତେ ଭଳି ପୁରୁଣା ଉତ୍ତେଜନା ସହିତ ପରସ୍ପରକୁ ଅପାରଗ ବୋଲି କହି ଥୋରପାହାର ଟେକି ବାହାରୁଛୁ, ସେତିକିବେଳେ ଆମେ ଆମ ପିଲାମାନଙ୍କ ଆଡ଼କୁ ଅନାଇବାକୁ ମନେ ରଖିଥିବା । ଆମର ସମାଧାନଗୁଡ଼ିକ ପିଲାମାନଙ୍କଠାରୁ ମିଳିବ । ସେଇମାନେ ସାଥିରେ ରହିଥିଲେ ଆମକୁ ଆଗକୁ ଆଗକୁ ଅବଶ୍ୟ ବାଟ ଦିଶି ଯାଉଥିବ ।

 

ନଭେମ୍ବର‌-ଡିସେମ୍ବର, ୧୯୮୩

Image

 

ଆମ ପରୀକ୍ଷା ଆମ ନିଜ ଦ୍ଵାରା

 

ସେଦିନ ହେମନ୍ତର ଏକ ଉଜ୍ଜ୍ୱଳ ସକାଳ ସମୟରେ ଆମେ ଗନେଇଲୋ ସ୍କୁଲରୁ ବାହାରିଲୁ । ଆମେ ମଣିଷ ନଅଜଣ, ସାଇକେଲ ପାଞ୍ଚୋଟି । ମୋତେ ଛାଡ଼ି, ଆଉ ପ୍ରତ୍ୟେକ ସାଇକେଲରେ ଦୁଇଜଣ କରି ମଣିଷ । ଅପାମାନେ ପଛରେ ବସିଲେ, ଭାଇମାନେ ଟାଣିଲେ । ଆମର ରାସ୍ତା ଛନ ଛନ ଧାନବିଲ ଭିତରେ ସରୁଆ ସାପଟି ପରି ବଙ୍କେଇ ବଙ୍କେଇ କେତେ କୁଆଡ଼େ ଚାଲିଯାଇଛି । ଆଗକୁ ଅନାଇଲେ ରାସ୍ତାରେ ଆଦୌ ବେଶି ବାଟଯାଏ ଦେଖା ଯାଉନାହିଁ-। ତଥାପି ଆଗକୁ ଆଗକୁ ଯାଇଛି । କୋଉଠି ହେଲେ ଛିଣ୍ତି ଯାଇ ନାହିଁ । ଏମିତି ଅଠର କିଲୋମିଟର ବାଟ ସରିଲେ ବାଲିକୁଦା ପାଖରେ ଆମର ନାଗପୁର ସ୍କୁଲ । ବାଟରେ ଅମଣିଆପାଟଣା ପଡ଼ିଲା । ଆମେ ସେଠାରେ ପହଞ୍ଚିଲା ବେଳକୁ ସେଠାର ଅପା ଓ ଭାଇମାନେ ସ୍କୁଲ ବନ୍ଦ କରି ଅଡ଼ିଆଅଡ଼ି ହୋଇ ବାଲିକୁଦା ବାହାରିଥାଆନ୍ତି । ସମସ୍ତେ ଯାଇ ସାଢ଼େ ନଅଟା ବେଳକୁ ନାଗପୁର ସ୍କୁଲରେ ପହଞ୍ଚିଲୁ ।

 

ଆଜି ତିନୋଟିଯାକ ସ୍କୁଲର ମାସିକ ବୈଠକ,–ଅର୍ଥାତ୍‌ ମାସିକ ମୂଲ୍ୟାୟନ । ଆତ୍ମମୂଲ୍ୟାୟନ ତଥା ପାରସ୍ପରିକ ମୂଲ୍ୟାୟନ । ଏହି ରୀତିଟି ସେମାନେ ମନକୁ ବାହାର କରିଛନ୍ତି-। ଆପେ ଆପେ ବାହାର କରିଛନ୍ତି; ଅର୍ଥାତ୍‌ ଅଙ୍ଗେ ନିଭାଉଥିବା ଆବଶ୍ୟକତା ଦ୍ଵାରା ପ୍ରେରିତ ହୋଇ ସେମାନେ ଏହିପରି ଏକ ନିଷ୍ପତ୍ତି କରିଛନ୍ତି । ପ୍ରତ୍ୟେକ ମାସରେ ସ୍ଥିରୀକୃତ ଗୋଟିଏ ଦିନରେ ତିନି ସ୍କୁଲର ଅପା ଓ ଭାଇମାନେ ଦିନଓଳିଟା ଏକତ୍ର ହେବେ । ଏକତ୍ର ହେବାର ସ୍ଥାନ ମାସକୁ ମାସ ବଦଳୁଥିବ । ଏ ମାସରେ ଏଠାରେ ତ ସେ ମାସରେ ସେଠାରେ । ସ୍କୁଲରେ ପିଲାମାନଙ୍କୁ ପଢ଼ା ଯାଉଥିବା କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟର ଅଧ୍ୟାପନା ବିଷୟରେ ସମସ୍ତଙ୍କ ଭିତରେ କଥା ପଡ଼ିବ; ଆଲୋଚନା ହେବ, ସମାଧାନ ବାହାରିବ । ଖାଲି ଭାଷଣଭିତ୍ତିକ ଆଲୋଚନା ନୁହେଁ । ଜଣେ ତଦ୍‌ବିତ୍‌ ବିଶେଷଜ୍ଞ ଉପରେ ବସି ଭାଷଣ ଛଳରେ ଜ୍ଞାନର ଉଦ୍‌ଗାର କରିବେ । ବାହାରୁ କୁଆଡ଼ୁ ଡକାହୋଇ ଆସିଥିବେ ଏବଂ ସମସ୍ତେ ତଳୁ ଥାଇ ସେଗୁଡ଼ିକୁ ଶୁଣିବେ, ଜ୍ଞାନମକରନ୍ଦକୁ ପାନ କରିବେ, ଟକଳାଙ୍କ ପରି ଖାତାରେ ଟିପି ପକାଉଥିବେ ଓ ତାପରେ ହୁରୁମାଙ୍କ ଭଳି ସବୁ ପାଶୋରି ପକାଉଥିବେ, ଏମିତି ବି ନୁହେଁ । ଏଗୁଡ଼ାକ ହେଉଛି ପୁରାତନ ପଦ୍ଧତି, ଆଦୌ କୌଣସି ଫଳ ଫଳୁ ନଥିବା ଗୋଟିଏ ଗୋଟିଏ ଅପଦ୍ଧତି । ସେଦିନ ବାଲିକୁଦାରେ ଯେଉଁ ପଦ୍ଧତିର ଅନୁସରଣ କରାଗଲା, ତାହା ଏକ ଅନ୍ୟ ପ୍ରକାରର ପଦ୍ଧତି ।

 

ସେଦିନ ସ୍କୁଲରେ ଗୋଟିଏ ଶ୍ରେଣୀର ପିଲାମାନଙ୍କୁ ଡକା ଯାଇଥାଏ । ସେମାନେ ବସିଲେ । ଠିକ୍‌ ଯେମିତି କ୍ଲାସରେ ବସନ୍ତି । ବିଭିନ୍ନ ସ୍କୁଲର ଅପା ଓ ଭାଇମାନେ ସେମାନଙ୍କୁ ପାଠ ପଢ଼ାଇଲେ । ସେଥରକ ସକାଶେ ଗଣିତ ଓ ବିଜ୍ଞାନ ଏହି ଦୁଇଟି ବିଷୟ ସ୍ଥିର ହୋଇ ରହିଥିଲା । ପ୍ରତ୍ୟେକ ଶିକ୍ଷାକେନ୍ଦ୍ରରୁ ଜଣେ ଗଣିତ ଓ ଆଉଜଣେ ବିଜ୍ଞାନ ପଢ଼ାଇଲେ । ଏହି ଭାବରେ ତିନୋଟି ଶିକ୍ଷାକେନ୍ଦ୍ରରୁ ଛଅଜଣ ଅପା ଓ ଭାଇ କ୍ଲାସ ନେଲେ । ସେମାନେ କିଏ କେଉଁ ବିଷୟଟି ପଢ଼ାଇବେ, ସେ କଥା ସେମାନେ ନିଜେ ବାଛି କରି ପ୍ରସ୍ତୁତ ହୋଇ ଆସିଥିଲେ । ଅନ୍ୟ ସମସ୍ତେ ଗୋଟାଏ ପାଖକୁ ବସିଲେ । ଶିକ୍ଷାଦାନଟିକୁ ଦେଖିଲେ । ତାପରେ ସମସ୍ତେ, ପିଲା ଓ ବଡ଼–ଏକାଠି ଖାଇବାକୁ ଗଲେ । ଖାଇବା ପରେ ପିଲାମାନଙ୍କର ଛୁଟି ହୋଇଗଲା । ବଡ଼ମାନଙ୍କର ଦ୍ଵିତୀୟ ଅଧିବେଶନ ଆରମ୍ଭ ହେଲା ।

 

ଶିକ୍ଷାଦାନଗୁଡ଼ିକ ଉପରେ ସମୀକ୍ଷା ହେଲା । ପ୍ରଥମେ ଟିପା ହୋଇ ରହିଥିବା ପ୍ରଶ୍ନଗୁଡ଼ିକ ପଚରାଗଲା । ପାଠ ପଢ଼ାଇଥିବା ଭାଇ ଓ ଭଉଣୀ ଛଅ ଜଣ ସେହିସବୁ ପ୍ରଶ୍ନର ଉତ୍ତର ଦେଲେ । କେତେବେଳେ ଉତ୍ତର ଦେଲେ, କେତେବେଳେ ଥଙ୍ଗେଇ ମଙ୍ଗେଇ ବି ହେଲେ । ଆଉ କେତେବେଳେ ନିଜର ଅସୁବିଧାଟାକୁ ଭଲ ଭାବରେ ସମଝି ପାରୁଥିଲେ ମଧ୍ୟ, ଯାହା ଆମେ ବଡ଼ମାନେ ସଚରାଚର କରୁ, କେବଳ କୈଫିୟତ୍‍ମା ଦେଲେ । ସମୀକ୍ଷାଗୁଡ଼ିକ ବେଳେବେଳେ ସମାଲୋଚନାରେ ବି ପରିଣତ ହୋଇଯାଉଥିଲା । ସମାଲୋଚନା କର୍କଶ ଲାଗିବା କଥା । ମାତ୍ର ସମସ୍ତଙ୍କୁ ଏକାଠି କରି ଗୋଟିଏ ଗଣ୍ଠି ସମସ୍ତଙ୍କୁ ବାନ୍ଧି ରଖିଥିବାରୁ ହୁଏତ କର୍କଶ ଲାଗିଲେ ମଧ୍ୟ ଆଘାତ ଦେଉ ନଥିଲା, ମୋଟେ ହତୋତ୍ସାହ କରି ପକାଉ ନଥିଲା । ଆମେ ସମସ୍ତେ ଯେ ପରସ୍ପର ପାଖରେ ଏଡ଼େ ସିଧା ହୋଇ ପହଞ୍ଚିପାରୁଛୁ, ମୁଁ ସେହି କଥା ଭାବୁଥିଲି । ଏକ ନିର୍ଭରଯୋଗ୍ୟ ଅଭୟ ନପାଉଥିଲେ ମଣିଷ କଦାପି ଏତେ ସିଧା ହୋଇ ପାରିବ ନାହିଁ । ଦ୍ଵିତୀୟ ମୁଥରେ ଗଣିତ ଓ ବିଜ୍ଞାନର ଶିକ୍ଷାଦାନ ଉପରେ ସାଧାରଣ ଆଲୋଚନାଟିଏ ହେଲା । ସେଥିରେ ସମସ୍ତେ ଅଂଶଗ୍ରହଣ କଲେ । ନିଜ ନିଜର ଅଭିଜ୍ଞତାରୁ ନଜିରମାନ ଦେଲେ । ନୂଆ କଥାମାନ ଶୁଣି ନିଜର ଅଭିଜ୍ଞତା ସହିତ ସେଗୁଡ଼ିକୁ ଯୋଡ଼ିବାକୁ ଚେଷ୍ଟା କଲେ । ପରବର୍ତ୍ତୀ ମାସର ବୈଠକରେ ସାମାଜିକ ପାଠ ବିଷୟରେ ଶିକ୍ଷାଦାନ ଓ ଆଲୋଚନା ହେବ ବୋଲି ଠିକ୍‌ ହେଲା । ବୈଠକଟିକୁ ଆଉ ଗୋଟିଏ ସ୍କୁଲକୁ ନିମନ୍ତ୍ରଣ କରାଗଲା । ବେଳ ବୁଡ଼ିଲାବେଳକୁ ସମସ୍ତେ ବିଦା ହୋଇଗଲେ ।

 

ଶିକ୍ଷକ ଶିକ୍ଷାର୍ଥୀ ହେବାକୁ ମୋଟେ ଲଜ୍ଜା ଅନୁଭବ କରୁ ନଥିଲେ ଯାଇ ଏହିଭଳି ଏକ ବୈଠକ ସମ୍ଭବ ହୁଏ, ପରସ୍ପର ଦ୍ଵାରା ଉପକୃତ ହେବା ସମ୍ଭବ ହୁଏ । ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରମାନଙ୍କରେ କେହି କାହାରି ଉପରକୁ ମାଡ଼ି ପଡ଼ିବେ ନାହିଁ ବୋଲି ମୂଳରୁ ଏକ ସଂକଳ୍ପ ନିଆଯାଇଛି । ଏହି ସଂକଳ୍ପଟି ଆମ ଭିତରେ ଜାଗରୂକ ହୋଇ ରହିଥିବା ପର୍ଯ୍ୟନ୍ତ ଆମେ ଏହିପରି ଭାବରେ ସିଧା ପରସ୍ପରର ସମ୍ମୁଖୀନ ହୋଇପାରୁଥିବା, ଅଥଚ କେହି କାହାରି ଉପରକୁ ମାଡ଼ି ପଡ଼ୁନଥିବା । ନିଜର ପରୀକ୍ଷା ନିଜ ଦ୍ଵାରା କରାଇ ପାରୁଥିବା, ବ୍ୟକ୍ତିଗତ ଓ ସାମୁହିକ ଉଭୟ ରୀତିରେ କରି ପାରୁଥିବା । ଆମର ଆନନ୍ଦ-ନିକେତନଗୁଡ଼ିକରେ ପରସ୍ପରର ସମ୍ମୁଖୀନ ହେବାଲାଗି ଆମ କାହାରିକୁ ଆଦୌ କୌଣସି ଲାଜ ଲାଗୁନଥିବ । ଏବଂ ଖାଲି ସାନମାନଙ୍କର ପରୀକ୍ଷା ବଡ଼ମାନେ କରିବେ ନାହିଁ; ବଡ଼ମାନେ ପ୍ରକୃତ ପରିପକ୍ଵତା ହାସଲ କରିପାରିଲେ, ଅର୍ଥାତ୍‌ ଯଥାର୍ଥ ନମ୍ରତା ସହିତ ଉନ୍ମୋଚିତ ହୋଇ ରହିପାରିଲେ ସାନମାନଙ୍କ ଦ୍ଵାରା ପରୀକ୍ଷିତ ହେବାଲାଗି ସେମାନଙ୍କୁ ଆଦୌ କୌଣସି ଲାଜ ମାଡ଼ିବ ନାହିଁ ।

 

ପରୀକ୍ଷିତ ହେବାଲାଗି ସମ୍ମତି, ଅର୍ଥାତ୍‌ ଆହୁରି ଆହୁରି ଆଗକୁ ଯିବାର ସମ୍ମତି । ଆଦୌ କୌଣସି ପ୍ରକାର ମୁଖାତଳେ, ବୟସର, କ୍ଷମତାର, ପାଣ୍ଡିତ୍ୟର ଅଥବା ତୁଚ୍ଛା ଆତ୍ମମ୍ଭରିତାର ମୁଖା ତଳେ ମଧ୍ୟ ଅଟକି ନରହିବା ଲାଗି ଭିତରେ ଏକ ସ୍ଵାଭାବିକ ଉତ୍ସାହ ରହିଥିଲେ ଆମେ କଦାପି ପରୀକ୍ଷିତ ହେବାକୁ ପଶ୍ଚାତ୍‍ପଦ ହେବାନାହିଁ । ଆମର ଏହି ପରୀକ୍ଷାରେ କେହି ଫେଲ୍‌ ହେବେ ନାହିଁ, କେହି କାହାରିକୁ ଫେଲ୍‌ କରାଇବାକୁ ଏତେ ଟିକିଏ ମଧ୍ୟ ସରାଗ ରଖିବେ ନାହିଁ । ପରସ୍ପରକୁ ସାହଚର୍ଯ୍ୟ ଦେଇ, ଉତ୍ସାହ ଦେଇ, ସାତତ୍ୟର ସ୍ପର୍ଶ ଦେଇ ଆଗକୁ ନେଇଯିବା ପାଇଁ ଆମର ଏହିସବୁ ପରୀକ୍ଷା । ଯେଉଁଠି ପରୀକ୍ଷା କହିଲେ ପ୍ରତିଦ୍ଵନ୍ଦ୍ୱିତାକୁ ବୁଝାଏ, ସେଠି କାହାରିକୁ ଉତ୍ସାହ ବୋଲି ଦେଖାଯାଉଥିବା ଯାବତୀୟ ବାସନାରେ ଗୁଡ଼ାଏ ମଳି ବସିକରି ରହିଥାଏ । ଯୋଗ୍ୟତା ନାମରେ ଗୁଡ଼ାଏ ଅହଂ ପରସ୍ପରକୁ ଆବୋରି ଧରି ଲଟରପଟର ହେଉଥାନ୍ତି । ସେଠି ଆଉ କାହା ଉପର‌କୁ ମାଡ଼ିଯିବାକୁହିଁ ସବୁଠାରୁ ଅଧିକ ଉଷତ ଲାଗେ । ଆମ ବାଟ ଏକ ଅନ୍ୟ ବାଟ ।

 

ଯିଏ ପରୀକ୍ଷିତ ହେବାଲାଗି ବାଟ ଛାଡ଼ି ଦେଇଥାଏ, ସେଇ ଯୋଗ୍ୟତମ ଭାବରେ ଅନ୍ୟମାନଙ୍କର ପରୀକ୍ଷା କରିପାରେ । ଆମ ଶିକ୍ଷାକେନ୍ଦ୍ରଗୁଡ଼ିକରେ ଆମ ପିଲାଏ ବି ବେଳେବେଳେ ଆମର ଶିକ୍ଷକ ହେବେ, ବୟସ୍କମାନଙ୍କୁ ବାଟ ବତାଇବେ, ଦିଗ ବତାଇବେ । ପିଲାଙ୍କ ଲାଗି ଆପଣାକୁ ଉନ୍ମୋଚିତ କରି ରଖିଥିଲେ ଆମେ ବୟସ୍କମାନେ ହୁଏତ ଅନେକ ପ୍ରକାର ବାର୍ଦ୍ଧକ୍ୟରୁ ରକ୍ଷା ପାଇପାରିବୁ; ସତତ ବାଟ ଚାଲିପାରିବୁ, ଅତି ସହଜରେ ପୁରୁଣା ଖୋଳଗୁଡ଼ାକୁ ଛାଡ଼ି, ଆହୁରି ଓ ଆହୁରି ଅଧିକର ଭାଜନ ହୋଇପାରିବୁ,–ପରୀକ୍ଷା ପରେ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇପାରିବୁ ।

 

ଜାନୁଆରୀ, ୧୯୮୪

Image

 

ମନୁଷ୍ୟର ପ୍ରକୃତି

 

ମନୁଷ୍ୟର ପ୍ରକୃତି କୁଆଡ଼େ ତାର ସ୍ଵଭାବସ୍ତରରୁହିଁ ବଙ୍କା । ତୁମେ ତାକୁ ସିଧା କରିବାଲାଗି ଯେତେ ଯାହା ଚେଷ୍ଟାକର ପଛକେ, ତାହା ସେହିପରି ବଙ୍କା ହୋଇ ରହିବ ହିଁ ରହିବ-। ସ୍ଵାମୀ ବିବେକାନନ୍ଦଙ୍କର ଉକ୍ତିର ଉଦ୍ଧାର କରି ଅନେକ ସମୟରେ କୁହା ଯାଇଥାଏ ଯେ, ତୁମେ ଯଦି ଗୋଟିଏ କୁକୁରର ଲାଙ୍ଗୁଡ଼କୁ କୌଣସି ସିଧା ନଳୀ ଭିତରେ ପୂରାଇ ରଖିବ, ଏହିପରି ଭାବରେ ବର୍ଷ ବର୍ଷ କାଳ ରଖିବ, ତଥାପି ନଳୀ ଭିତରୁ କାଢ଼ିନେବା ମାତ୍ରକେ ତାହା ପୁନର୍ବାର ସେହି ଆଗପରି ବଙ୍କା ହିଁ ହୋଇଯିବ, ମୋଟେ ସିଧା ହେବନାହିଁ ।

 

କୁକୁର ଲାଙ୍ଗୁଡ଼ର ଉପମାଟିକୁ ମନୁଷ୍ୟ-ପ୍ରକୃତିର କ୍ଷେତ୍ରରେ ଲଗାଇ କହୁଥିବା ସମୟରେ ଆମ ସମାଜରେ ଅନେକ ଲୋକ ଗୋଟିଏ ପ୍ରକାରର ଉଲ୍ଲାସ ଅନୁଭବ କରି କହୁଥିଲେ ମଧ୍ୟ ତାହା ଏକ ବିପଜ୍ଜନକ ଭାବନା, ହୁଏତ ଏକ ଖଳ ଭାବନା । ଭାରତବର୍ଷରେ ସାଧୁସନ୍ୟାସୀମାନେ ସଂସାରର ସାଧାରଣ ମଣିଷମାନଙ୍କୁ ଏକ ନୀତିବାଦୀ holier than thou ଶୈଳୀରେ ଭର୍ତ୍ସନା କରି କହିବାବେଳେ ସେହି କଥା କହିଆସିଛନ୍ତି । ଯେଉଁମାନେ ଆପଣାର ପ୍ରକୃତି ପାଖରେ ଯୁଝି ହାର ମାନିଛନ୍ତି, ଆପଣାର ପ୍ରକୃତି ଉପରେ ହୁଏତ ସକଳ ବିଶ୍ଵାସ ହରାଇ ଯେଉଁମାନେ ବିରକ୍ତ ହୋଇ ତଥାକଥିତ ନୀତିବାଦର ଉଚ୍ଚପିଣ୍ଡା ଉପରେ ଯାଇ ବସି ଯାଇଛନ୍ତି ଓ ସେଇଠୁ ଥାଇ ପ୍ରକୃତିଜାଲ ଭିତରେ ଘାଣ୍ଟି ହୋଇ ରହିଥିବା ଆମ ସାଧାରଣ ମଣିଷମାନଙ୍କୁ ଭର୍ତ୍ସନାମୂଳକପରାମର୍ଶ ଦେବାକୁ ହିଁ ଆପଣାର ପରମ କର୍ତ୍ତବ୍ୟ ବୋଲି ଗ୍ରହଣ କରି ନେଇଛନ୍ତି, ସେଇମାନେ ହିଁ ମନୁଷ୍ୟର ଏହି ତଥାକଥିତ ଅସାଧ୍ୟ ପ୍ରକୃତିଟା ବିଷୟରେ ସତର୍କ କରିଦେଇ ମନୁଷ୍ୟକୁ ଅଳପକୁ ଆଦରି ପଡ଼ିରହିବାରେ ଭାରି ସାହାଯ୍ୟ କରିଛନ୍ତି ।

 

ଉପରେ ଥାଇ ପରାମର୍ଶ ଦେଉଥିବା ମଣିଷ ପାଇଁ ଏହି ରୀତିଟି ଯେଡ଼େ ଉପକାରୀ ହୋଇଥାଉ ପଛକେ, ଜଣେ ଶିକ୍ଷକ ସେହି ରୀତି ପାଖରୁ ସର୍ବଦା ଦୂରରେ ହିଁ ରହି ପାରୁଥିବା ଉଚିତ-। ଶିକ୍ଷକ ଖଳ ହୋଇଥିଲେ ତାହା ଅବଶ୍ୟ ସଂପୂର୍ଣ୍ଣ ଭାବରେ ଏକ ଅନ୍ୟ କଥା ହେବ । ଆମ ପିଲାମାନଙ୍କର ପ୍ରକୃତି ହେଉଛି କୁକୁରର ଲାଙ୍ଗୁଳ ପରି, ତାହା ସ୍ଵଭାବତଃ ବଙ୍କା ଓ କଦାପି ସିଧା ହେବନାହିଁ, ଯେଉଁ ଅବିଶ୍ଵାସୀ ଶିକ୍ଷକ ପ୍ରକୃତରେ ନିଜ ଭିତରେ ଏହିପରି ଗୋଟାଏ ମନୋଦୃଷ୍ଟିର କବଳରେ ପଡ଼ି ଯାଇଥିବ, ସିଏ ହୁଏତ ବିଦ୍ୟାଳୟରେ ଅନେକ ଅନିଷ୍ଟ ଏବଂ ଅନେକ ଅନର୍ଥର କାରଣ ହୋଇ ରହିଥିବ । ଭିତରେ ଅଶ୍ରଦ୍ଧ ହୋଇ ରହୁଥିବ, ବାହାରେ ନାନା ତଥାକଥିତ ଶୃଙ୍ଖଳାର ନଳୀ ଭିତରେ ପିଲାମାନଙ୍କର ପ୍ରକୃତିରୂପକ ଲାଙ୍ଗୁଡ଼ଗୁଡ଼ିକୁ ନେଇ ଭର୍ତ୍ତି କରୁଥିବାର ଅଭିନୟ ଦ୍ଵାରା ପିଲାମାନଙ୍କର ଜୀବନରେ ସେ ପ୍ରଧାନତଃ ନାନା ଉପଦ୍ରବ ହିଁ ସୃଷ୍ଟି କରୁଥିବ । ଆପଣାର ନିଜ ପ୍ରକୃତି ସହିତ ଏହିପରି ଉପଦ୍ରବୀ ଭାବରେ ଲଢ଼ିଲଢ଼ି ଯେଉଁମାନେ ପରାସ୍ତ ହେଲେ ବୋଲି ମାନି ନେଇଥାନ୍ତି ଏବଂ ସେହି ମାନିନେବାର ଲଜ୍ଜା ସେମାନଙ୍କୁ ଅନ୍ୟମାନଙ୍କୁ ସାଧ୍ୟ କରିବାର ନାନା ଆଡ଼ମ୍ବରମୟ କ୍ରୋଧୀ ଅଭିଯାନରେ ବାହାରିବା ଲାଗି ଉତ୍ତେଜିତ କରି ରଖିଥାଏ, ସେହିମାନେ ହିଁ ଖଳ ଶିକ୍ଷକ ହୁଅନ୍ତି । ବିଦ୍ୟାଳୟର ମତ୍ତନାୟକ ହିସାବରେ ବିଦ୍ୟାଳୟକୁ ଉପଦ୍ରୁତ କରି ରଖିଥାନ୍ତି, ବିଦ୍ୟାଳୟରୂପୀ ଉଦ୍ୟାନଟିକୁ ନାନା ପ୍ରକାରରେ ବିକ୍ଷୁବ୍ଧ କରି ରଖିଥାଆନ୍ତି । ଏହି ଶିକ୍ଷକମାନେ, ଗୁରୁମାନେ ଓ ସାଧୁମାନେ ଶ୍ରଦ୍ଧା ଦେଇପାରନ୍ତି ନାହିଁ, ଶ୍ରଦ୍ଧାର ଭାଜନ ହୋଇପାରନ୍ତି ନାହିଁ,–ଆପଣାକୁ ନାନା ପ୍ରକାରର ଦୂରତା ଦ୍ଵାରା ପ୍ରକୁପିତ କରି ରଖିଥାଆନ୍ତି । ସେମାନେ ପୁରୁଣା ବାଟଗୁଡ଼ାକୁ ପକାଇ ନୂଆର ବାଟକୁ ଓଗାଳି ରଖିଥାନ୍ତି ।

 

ଅନେକ ସମୟରେ ଏହିପରି ହୋଇଥାଏ ଯେ, ଆପଣାର ପ୍ରକୃତି କହିଲେ ଆମେ ନିଜ ଜୀବନର ଆୟତନକୁ ଅନାଇ ଯେତିକି ଦେଖୁ, ଅନ୍ୟର ବିଚାର କରି ବସିଲାବେଳେ ଅନ୍ୟ ଭିତରେ ମଧ୍ୟ ଠିକ୍‌ ସେତିକି ଦେଖୁ । ଯେତେ ଧରା ନପଡ଼ିବା ପାଇଁ ଇଚ୍ଛା କରୁଥିଲେ ମଧ୍ୟ ଆମେ ଏହିପରି ଭାବରେ‌ ଧରା ଗଡ଼ି ଯାଇଥାଉ । ବିଶେଷ କରି, ଆମେ ଯେଉଁମାନେ ଆପଣାକୁ ତଥା ଅପରକୁ ସ୍ନେହ ଦେଇ, ଶ୍ରଦ୍ଧା ଦେଇ ଅର୍ଥାତ୍‌ ଏକ ଅନ୍ତରଙ୍ଗ ପ୍ରତ୍ୟୟପୂର୍ଣ୍ଣ ସ୍ଵୀକୃତି ଦେଇ ଦେଖିବାକୁ ଅସମର୍ଥ ହୋଇ ରହିଥାଉ ବୋଲି କର୍ତ୍ତୃତ୍ଵକୁହିଁ ଅମୋଘ ବର୍ମ ପରି ଗ୍ରହଣ କରି ପରିଧାନ କରିଥାଉ, ଆମେ ମଣିଷର ପ୍ରକୃତିର ପ୍ରସଙ୍ଗଟିକୁ ପକାଇଥିବା ସମୟରେ ସବା ଆଗ କୁକୁରର ଲାଙ୍ଗୁଡ଼ଟି କଥା ମନେ ପକାଇଥାଉ । ଆମେ ଯଥାର୍ଥରେ ଭେଦ କରି ପାରୁନାହିଁ ବୋଲି ବାହାରେ

 

ବାହାରେ ବାଡ଼ି ବୁଲାଇବାରେ ଲାଗିଥାଉ । ମାତ୍ର ଅସଲ କଥା ହେଉଛି, ଆମେ ନିଜ ଭିତରେ ପ୍ରବେଶ କରି ପାରୁଥିଲେ ଅନ୍ୟ ଭିତରେ ମଧ୍ୟ ପ୍ରବେଶ କରିବାର ସୁରାଖଟିକୁ ପାଇଯାଉ-। ସେତେବେଳେ ବିଶ୍ଵାସ ହରାଇ କୁକୁର ଲାଙ୍ଗୁଳର ଦର୍ଶନ ଭିତରେ ସାନ୍ତ୍ଵନା ଖୋଜି ଯିବା ଲାଗି ଆଦୌ କୌଣସି ପ୍ରୟୋଜନ ହୁଏନାହିଁ ।

 

ମାଆ ପ୍ରାୟ ତିରିଶବର୍ଷ ତଳେ ଗୋଟିଏ ସ୍ଥାନରେ କହିଛନ୍ତି – Do not react just like that with what is most cmmonplace in you. Enter within yourself, try to find the best in yourself and with this you must react. It is very important, it is very important.

 

[ମାତୃରଚନାବଳୀ, ଇଂରାଜୀ ସଂସ୍କରଣ, ଷଷ୍ଠ ଖଣ୍ଡ, ୧୯୭୯, ପୃଷ୍ଠା–୪୪୪-୪୪୫] ମୋର ଅର୍ଥାତ୍‌ ଆମ ପ୍ରତ୍ୟେକଙ୍କର ପ୍ରକୃତିରେ ଯାହା ସବୁଠାରୁ ଅଧିକ ପରିମାଣରେ ସମ୍ଭାବନାପୂର୍ଣ୍ଣ, ନାନା ଅନିଚ୍ଛା ଅର୍ଥାତ୍‌ ଅହେତୁକ ତ୍ରାସ ହେତୁ ଆମେ ତାହାକୁ ଲୁଚାଇ ରଖିବା ସକାଶେ ବାହାରେ ଆଉ କଣ ଗୋଟାଏ ପରି ହେବାକୁ ଅର୍ଥାତ୍ ଦିଶିବାକୁ ଚେଷ୍ଟା କରୁଥାଉ । ତେଣୁ ଅନ୍ୟମାନଙ୍କର ସଂସର୍ଗରେ ଆସୁଥିବା ସମୟରେ ମଧ୍ୟ ଆମ ପ୍ରତିକ୍ରିୟାଗୁଡ଼ାକ ସାଧାରଣତଃ ସେହି ସ୍ତରର ହୋଇ ରହିଥାଏ । ତେଣେ ଆମ ନିଜ ଭିତରେ ତଥା ଅନ୍ୟମାନଙ୍କ ଭିତରେ ଯଥାର୍ଥରେ ସର୍ବୋତ୍ତମଗୁଡ଼ିକ ପରସ୍ପର ସହିତ ଭେଟ ହେବେ ବୋଲି ଅପେକ୍ଷା କରି ରହିଥାନ୍ତି । ଆମେ ସେହି ସମ୍ମିଳନଗୁଡ଼ିକୁ ଟାଳି ଦେବାରେ ଲାଗିଥାଉ ।

 

ପରସ୍ପର ମଧ୍ୟରେ ସର୍ବୋତ୍ତମ ପ୍ରକୃତିଟିକୁ ଦେଖିବା, ସେହି ସ୍ତରକୁ ଭେଦିବାକୁ ସମର୍ଥ ହୋଇ ପରସ୍ପର ମଧ୍ୟରେ ସେହି ସର୍ବୋତ୍ତମଟିକୁ ସ୍ପର୍ଶ କରିବା,–ତାହାହିଁ ଅସଲ ଭେଟାଭେଟି ହେବାକୁ ବୁଝାଇବ । ତଦ୍ଦ୍ୱାରା ଆମେ ପାହାଚଗୁଡ଼ିକୁ ଉଠିବାରେ ଅର୍ଥାତ୍‌ ପାଖୁଡ଼ାଗୁଡ଼ିକୁ ଉନ୍ମୋଚିତ କରିଦେବାରେ ପରସ୍ପରର ସାହାଯ୍ୟ କରିପାରିବା । କୁକୁର ଲାଙ୍ଗୁଳକୁ ନେଇ ତିଆରି ହୋଇଥିବା ଯାବତୀୟ ଦର୍ଶନ କୁକୁରମାନଙ୍କ ପାଖରେହିଁ ରହିଥିବ, ଆମକୁ ମୋଟେ ସ୍ପର୍ଶ କରି ପାରିବ ନାହିଁ । ଆମ ବିଦ୍ୟାଳୟଗୁଡ଼ିକରେ ପିଲାମାନଙ୍କର ତୀର୍ଥରେ ଆପଣାକୁ ଆବିଷ୍କାର କଲାବେଳେ ପ୍ରତ୍ୟେକ ଶିକ୍ଷକ ନିଜ ଭିତରେ ତଥା ପିଲାମାନଙ୍କ ଭିତରେ ସେହି ସର୍ବୋତ୍ତମଟିକୁ ଆଘ୍ରାଣ କରିବାକୁ ସମର୍ଥ ହେବ । ଏହି ଦୃଷ୍ଟିରୁ ସିଏ ନିଜର ବନ୍ଧୁ ହୋଇ ରହିବ, ସିଏ ପିଲାମାନଙ୍କର ବି ବନ୍ଧୁ ହୋଇ ରହିବ । ତା'ର ପ୍ରତିକ୍ରିୟାଗୁଡ଼ିକ ତାକୁ ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ପିଲାମାନଙ୍କର ନିକଟବର୍ତ୍ତୀ କରି ନେଉଥିବେ । ଆପଣା ଭିତରେ ହୁଏତ ଅନେକ ସରାଗରେ ସାଇତା ହୋଇ ରହିଥିବା ଆଦୌ କୌଣସି ପ୍ରକାର ବଙ୍କା ଲାଙ୍ଗୁଡ଼ଗୁଡ଼ାକୁ ଲୁଚାଇ ରଖିବା ଲାଗି ସେତେବେଳେ ଅନ୍ୟର ବଙ୍କା ଲାଙ୍ଗୁଡ଼ଗୁଡ଼ାକୁ ଆବିଷ୍କାର କରି ବାହାରିବା ପାଇଁ ଆଉ କୌଣସି ପ୍ରୟୋଜନ ରହିବ ନାହିଁ ।

 

ଫେବୃଆରୀ, ୧୯୮୪

Image

 

ମୁଣ୍ଡି ସାହାଡ଼ାର କୋଳି

 

ଆଧୁନିକ ଇସ୍ରାଏଲ୍‌ର ଭାଷାରେ “ସାବ୍ରା” (Sabre) ବୋଲି ଶବ୍ଦଟିଏ ଅଛି । ଇସ୍ରାଏଲ୍‌ ଦେଶର ଭାଷା ହିବ୍ରୁ । ହିବ୍ରୁ ଭାଷାରେ ଏହି ଶବ୍ଦଟିର ଅର୍ଥ ହେଉଛି ନାଗଫେଣି ଗଛର ଫୁଲ । ଇହୁଦୀମାନେ ଯେତେବେଳେ ଆପଣା ଲାଗି ଘରଟିଏ କରି ରହିବାକୁ ଭୂମିଟିଏ ପାଇଲେ, ସେତେବେଳେ ଇସ୍ରାଏଲ୍‌ କେବଳ ପଥରଗୋଡ଼ି ଓ ଲଣ୍ଡା ପାହାଡ଼ରେ ପୂର୍ଣ୍ଣ ହୋଇ ରହିଥିଲା । ପଥରମୟ ମରୁଭୂମିରେ ଗୋଟିଏ କିସମର ଗଛ, କଣ୍ଟାଗଛ । ନାଗଫେଣି ଗଛରେ ଗହୀର-ଗୁଡ଼ାକ ଭର୍ତ୍ତିହୋଇ ରହିଥାଏ । ମାତ୍ର, ସେହି କଣ୍ଟାଝଣ୍ଟା ନାଗଫେଣି ଗଛରେ ଫୁଲ ବି ଫୁଟେ । କୋଉ ଗଛରେ ନାଲି ରଙ୍ଗର ଫୁଲ, ଆଉ କୋଉ ଗଛରେ ହଳଦିଆ ରଙ୍ଗର । ଏହି ଫୁଲଗୁଡ଼ିକରୁ କୋଉଠି ଗୋଟିଏ ଫୁଟିଲେ କଣ୍ଟାବଣ ଉଜ୍ଜ୍ୱଳ ହୋଇ ଉଠେ । ଫୁଲଟି ଏପରି ଦିଗ ପୂରାଇ ଦେଖା ଯାଉଥାଏ ଯେ କଣ୍ଟାଗଛଗୁଡ଼ାକ ସତେଅବା ମୋଟେ ଆଖିରେ ପଡ଼ନ୍ତି ନାହିଁ ।

 

ନୂଆ ଇସ୍ରାଏଲ୍‌ ଦେଶରେ ଏହି “ସାବ୍ରା” ଶବ୍ଦଟିକୁ କ୍ରମେ ଏକ ନୂଆଁ ଅର୍ଥରେ ବ୍ୟବହାର କରାଗଲା । ବାହାରୁ ପୃଥିବୀର ପ୍ରାୟ ପଞ୍ଚସ୍ତରୀଟି ଦେଶରୁ ଯେଉଁ ଇହୁଦୀ ପରିବାରବର୍ଗ ନିଜଲାଗି ଦେଶଟିଏ ପାଇ ସେଠାରେ ବସତି ସ୍ଥାପନ କରିବାଲାଗି ଆସିଲେ, ପରିବାରବର୍ଗ ନିଜଲାଗି ଦେଶଟିଏ ପାଇ ସେଠାରେ ବସତି ସ୍ଥାପନ କରିବା ଲାଗି ଆସିଲେ, ଇସ୍ରାଏଲ୍‌ର ନୂଆ ଭୂଇଁରେ ସେମାନଙ୍କଠାରୁ ଯେଉଁ ପିଲାମାନେ ଜନ୍ମହେଲେ, ଏବେ ଇସ୍ରାଏଲ୍‌ରେ ସେହିମାନଙ୍କୁ ସାବ୍ରା ବୋଲି କୁହାଯାଉଛି । ସାବ୍ରା, ଅର୍ଥାତ୍‌ କଣ୍ଟାଗଛର ଫୁଲ‌, କଣ୍ଟାବଣକୁ ଉଜ୍ଜ୍ୱଳ କରି ଫୁଟି ଉଠିଥିବା ଫୁଲ, ପୁରୁଣା ଭୂଇଁରେ ନୂତନର ସ୍ଵପ୍ନପ୍ରତୀକରୂପେ ଆପଣାର ଜନ୍ମକୁ ଘୋଷଣା କରିଥବା ଫୁଲ ବା ସନ୍ତାନ । ସେହି ଭୂଇଁରେ ଜନ୍ମ ହୋଇଥିବା ଏହି ସାବ୍ରାର ଆନନ୍ଦବୋଧ ଏବଂ ଉଦ୍ୟମସଚଳତା,–ଇସ୍ରାଏଲ୍‌ରେ ଜଣେ ସାବ୍ରାର ପରିଚୟରେ ଆସିଲେ ଯାଇ ସେହିକଥାର ମର୍ମ ହୃଦୟଙ୍ଗମ କରିହୁଏ-

 

ସେଦିନ ଆମର କୌଣସି ଏକ ପୂର୍ଣ୍ଣାଙ୍ଗ ବିଦ୍ୟାଳୟରେ ଦିନମାନର କାର୍ଯ୍ୟ ସରିବାପରେ ତ୍ରିଲୋଚନ, ଜୟଦେବ ଓ ଅରୁଣ ମୋତେ ବୁଲିବାକୁ ଡାକି ନେଇଗଲେ । ଏମାନେ ସମସ୍ତେ ଏହି ବିଦ୍ୟାଳୟର ଛାତ୍ର, ଛାତ୍ରାବାସରେ ରହନ୍ତି । ନଈର କାଠପୋଲ ଡେଇଁ ଆମେ ସେପାଖକୁ ଗଲୁ । ସମତଳ ବିଲମାଳର ସେପାଖରେ ଅସ୍ତରତ ଦିନଟି ହସିହସି ବିଦାୟ ନେବାକୁ ବସିଥାଏ । ନାଲିଆ ଖରାରେ ଚାରିଆଡ଼ ଜକଜକ ଦେଖାଯାଉଥାଏ । ନିଜ ଦେହଟାକୁ ଅନାଇଲେ ବି କେବଳ ନିଜର ଦେହ ବୋଲି ମୋଟେ ମନେ ହେଉ ନଥାଏ । ସେମାନଙ୍କ ସାଙ୍ଗରେ ଯାଇ ମୁଁ ଗୋଟିଏ ବଡ଼ ଘାସ ପଡ଼ିଆରେ ପହଞ୍ଚିଲି । ଏଇଟି ହେଉଛି ଗାଆଁର ଗୋଚର । ମଝିରେ ମଝିରେ ଅସୁମାରୀ ସାନବଡ଼ ସବୁଜବର୍ଣ୍ଣର ହୁଙ୍କା ପରି ମୁଣ୍ଡି ସାହାଡ଼ଗଛମାନ ପଡ଼ିଆଟିକୁ ପୂର୍ଣ୍ଣ କରି ରଖିଛି-। ଅନାଇଲା ବେଳକୁ ଆଖି ପାଉନାହିଁ । ମୋ' ସାଙ୍ଗ ତିନିଜଣ ସତେଅବା ଯୋଜନା କରି ମୋତେ ଏଇଠାକୁ ଆଣିଥିଲେ । ସେମାନେ ମୋତେ କୋଳି ଖୁଆଇବାକୁ ଆଣିଥିଲେ । ବଢ଼ିବାର ଆଦୌ କୌଣସି ଅନୁକୂଳ ପରିବେଶ ନପାଇ ସାହାଡ଼ା ଗଛଗୁଡ଼ିକ ମୋଡ଼ିମୋଡ଼ି ଛନ୍ଦିଛାନ୍ଦି ହୋଇ ଜଟପରି ବଢ଼ିଛନ୍ତି, ବର୍ଷବର୍ଷର କୃଚ୍ଛ୍ର କରି କେବଳ ଗୋଟିଏ ଗୋଟିଏ ଗୁଳ୍ମ ହୋଇ ପାରିଛନ୍ତି । ପିଲାଏ ସେହିସବୁ ଗଛରୁ କୋଳି ତୋଳିବାରେ ଲାଗିଗଲେ । ଉଜ୍ଜ୍ୱଳ ହଳଦିଆ ରଙ୍ଗର କୋଳିଗୁଡ଼ିକ, ଗୁଳ୍ମଗୁଡ଼ିକର ଟାଣ ଚଟାଣ ଉପରେ ସତେଅବା ଲେଶିହୋଇ ରହି ଥାଆନ୍ତି । ମୁଁ ପାଦ ପଛକୁ ପାଦ ପକାଇ ଧୀରେଧୀରେ ଆଗକୁ ଚାଲିଥାଏ ଓ ମୋ' ସାଥିରେ ଥିବା ସେମାନେ ହୁଙ୍କାରୁ ହୁଙ୍କା ହୋଇ କୋଳି ତୋଳିବାରେ ଲାଗି ଥାଆନ୍ତି । ମଝିରେ ମଝିରେ ଜଣେ ଜଣେ ମୋ ପାଖକୁ ଦଉଡ଼ି ଆସୁଥାନ୍ତି ଓ ମୋ ହାତରେ ପୋଷେ ଅଧ ପୋଷେ ଅଜାଡ଼ି ଦେଇ ଯାଉଥାନ୍ତି । ସେମାନଙ୍କର ଅନୁକରଣ କରି ମୁଁ ମଧ୍ୟ କୋଳି ଖାଇବାରେ ଲାଗିଲି । ସାହାଡ଼ା ଗଛର ମଞ୍ଚିପିତା, ପତର ପିତା, ତେଣୁ କୋଳିଗୁଡ଼ିକ ମଧ୍ୟ ପିତା । କିନ୍ତୁ, ପିତା ହେଲେ ବି ମିଠା । ସେଦିନ କୋଳିଖାଇ ବିଦ୍ୟାଳୟକୁ ଫେରିବା ବେଳକୁ ମୁହଁସଞ୍ଜ ହୋଇ ସାରିଥାଏ ।

 

ଆମ ପିଲାଙ୍କ ସହିତ ଏକାଠି ମିଶି ଆତ୍ମହରା ହୋଇ ମୁଣ୍ଡି ସାହାଡ଼ାଗଛର ମଧୁର କୋଳି ଖାଉଥିବା ସମୟରେ ସେଦିନ ମୋର ଇସ୍ରାଏଲ୍‌ର ସାବ୍ରାମାନଙ୍କ କଥା ଭାରି ମନେ ପଡ଼ି ଯାଉଥିଲା । ଯେଉଁ ଇହୁଦୀମାନେ କେତେକେତେ ଦେଶରୁ ଇସ୍ରାଏଲ୍‌କୁ ନିଜର ଭୂମିରୂପେ ଆବିଷ୍କାର କରିବାକୁ ଆସିଥିଲେ, ସେମାନେ ସଂଗ୍ରାମ କଲେ, ଅର୍ଥାତ୍‌ ପ୍ରତିକୂଳ ପରିସ୍ଥିତି ସହିତ ଲଢ଼ିଲେ । ତଥାପି ମୂଳଦୂଆଟିଏ ପକାଇଲେ, ପ୍ରଥମ ଖୁଣ୍ଟଗୁଡ଼ିକୁ ପୋତିଲେ । ନୂଆ ଘରଟି ସକାଶେ ସେମାନେ ପ୍ରଥମ ଖୁଣ୍ଟ ହେଲେ । ସାବ୍ରାମାନେ ସେହି ଦେଶକୁ ତିଆରି କଲେ–ଅସମ୍ଭବକୁ ସମ୍ଭବ କଲେ: ବନ୍ଧ୍ୟା ଭୂଇଁକୁ ଶ୍ୟାମଳ କଲେ, ସଂକଳ୍ପ, ଏବଂ ସ୍ଵପ୍ନଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ମୂର୍ତ୍ତ ରୂପ ଦେଲେ । ଓଡ଼ିଶାରେ ଆମେ ଯେଉଁମାନେ ଗତାନୁଗତିକ ପୁରୁଣା ଭୂଇଁ ଉପରେ ନୂଆ ବିଦ୍ୟାଳୟଗୁଡ଼ିକୁ ତିଆରି କରୁଛୁ, ସେମାନେ ଆମେ ସମସ୍ତେ ସେହି ପୁରୁଣାଗୁଡ଼ାକୁହିଁ ପେଟେ ପେଟେ ଗିଳିଛୁ: ପୁରୁଣା ସମାଜକୁ ଓ ପୁରୁଣା ସଂସ୍କାରଗୁଡ଼ାକୁ ଆମ ଅନ୍ତ୍ର ଭିତରେ କେତେ ନା କେତେ ସରାଗରେ ଗୁଡ଼ାଇ କରି ରଖିଛୁ । ଖୁବ୍‌ ବେଶୀ ହେଲେ ଗୋଚର ଅନାବାଦୀ ଭୂଇଁରେ ଅତ୍ୟନ୍ତ କଷ୍ଟ ଏବଂ କୃଚ୍ଛ୍ରକାଷ୍ଠା କରି ଛନ୍ଦିଛାନ୍ଦି ଓ ମୋଡ଼ିମାଡ଼ି ହୋଇ ନାନା ଜଟର ଜଟିଳତାକୁ ମୁଣ୍ଡ ଉପରେ ଗୁଡ଼ାଇ ଆମେ ଗୋଟିଏ ଗୋଟିଏ ମୁଣ୍ଡି ସାହାଡ଼ାର ସୋପାନ ପର୍ଯ୍ୟନ୍ତ ଆସି ପାରିଛୁ । ନୂତନକୁ ମନ କରୁଥିଲେ ମଧ୍ୟ ତଥାପି ଛୁଇଁବାକୁ ଭୟ କରୁଛୁ । ଆମରି ଭିତରେ ଆମକୁ ଆକ୍ରାନ୍ତ କରି ରଖିଥିବା ପୁରୁଣା ଏବଂ ଆମେ ମନ କରୁଥିବା ନୂଆ ଭିତରେ ଯେଉଁ‌ ଦ୍ୱନ୍ଦ୍ୱ ପ୍ରାୟ ନିରନ୍ତର ଲାଗି ରହିଛି, ଆମର ବାସ୍ତବ ହୃଦୟଟିର ମୀମାଂସା ଅନୁସାରେ ସେଥିରେ ସେହି ପୁରୁଣାଟାହିଁ ଜିତି ଜିତି ଚାଲିଛି । ତଥାପି, ଏହି ପିଲାମାନେହିଁ ଆଗାମୀ କାଲିକୁ ଆମର ସାବ୍ରା ହୋଇ ବାହାରିବେ, ପିତା ସାହାଡ଼ାର ମିଠା କୋଳି ହୋଇ ସେମାନେ ଦିଗ ଚହଟାଇବେ,– ଆମର ଏହି ସକଳ ଅଧାପନ୍ତରିଆ ନସରପସରରେ ସେହିମାନେହିଁ ଅସଲ ମୁଣ୍ଡି ମାରିବେ । ଆମର ସବୁ ସାଧନା ସେହି ମୁଣ୍ଡି ସାହାଡ଼ାର ସୀମା ଭିତରେ ରହିଥାଉ ପଛକେ, ଆଗାମୀ ଭୂଇଁର ସାବ୍ରାମାନଙ୍କୁ ତିଆରି କରିବାରେହିଁ ତାହା ଆପଣାର ଯାବତୀୟ ପୁଞ୍ଜିକୁ ନିୟୋଜିତ କରି ପାରିବାର ଯୋଗ୍ୟ ହେଉ ।

 

ଏମାନେ ସମସ୍ତେ ବଡ଼ ହେବେ; ଆମ କାନ୍ଧ ଉପରେ ଚଢ଼ି ପୃଥିବୀକୁ ନୂଆ ଆଖିରେ ଦେଖିବେ ଏବଂ ନୂଆ ଦାୟିତ୍ଵରେ ଗ୍ରହଣ କରିବେ । ଆମକୁ ଅତିକ୍ରମ କରି ଯିବେ । କେବଳ କଦାପି ଭୂଇଁ କାମୁଡ଼ି ମୁଣ୍ଡି ସାହାଡ଼ା ହୋଇ ରହି ଯିବେ ନାହିଁ । ଫୁଲ ହୋଇ ମହକିବେ, ଫଳ ହୋଇ ଦିଗ ଚହଟାଇବେ । ଆମେ ସେହି ମହାସମ୍ଭବର ଦିନକୁ ଅଯେକ୍ଷା କରି ରହିଥିବା ।

 

ଜୁଲାଇ-ଅଗଷ୍ଟ, ୧୯୮୪

Image

 

ଶାନ୍ତିନିକେତନ

 

ଶାନ୍ତିନିକେତନ ଦିନେ ଏକ ପ୍ରୟୋଗର ପ୍ରତୀକ ଥିଲା, ଏକ ତପସ୍ୟାର ପ୍ରତୀକ ଥିଲା, ଏବଂ ଏକ କବିତାର ପ୍ରତୀକ ହୋଇ ରହିଥିଲା । ଜୀବନକୁ ପୂର୍ଣ୍ଣ ଆତ୍ମୀୟତା ସହିତ ବଞ୍ଚିଲେ ଜୀବନ ପ୍ରତ୍ୟେକ ମୁହୂର୍ତ୍ତରେ ଏକ ପ୍ରୟୋଗ ପରି ଲାଗେ, ଏକ ତପସ୍ୟା ପରି ଲାଗେ, ସତେଅବା ଏକ କବିତା ପରି ବି ଲାଗେ । ଶାନ୍ତିନିକେତନ ସମ୍ଭବତଃ ସେହିପରି ଏକ ପ୍ରୟୋଗ, ଏକ ତପସ୍ୟା ଏବଂ ଏକ କବିତାର ପ୍ରତୀକ ହୋଇ ରହିଥିଲା ।

 

ଏଥର ପୁନର୍ବାର ତିନିଦିନ ଲାଗି ଶାନ୍ତିନିକେତନରେ‌ ରହିବାର ଏକ ସୁଯୋଗ ମିଳିଥିଲା-। ଠିକ୍‌ ନଅବର୍ଷ ପରେ । ବହୁବର୍ଷ ପୂର୍ବେ ମୁଁ ସେହି ଶାନ୍ତିନିକେତନରେ ପାଞ୍ଚବର୍ଷ କଟାଇଛି । ଜୀବନରେ ନିତ୍ୟ ପୁଞ୍ଜି କରି ରଖିବା ପାଇଁ ସେଠାରୁ କେତେ କ'ଣ ସାଙ୍ଗରେ ନେଇ ସଂସାର ଭିତରକୁ ଆସିଛି । ମୋ ବେଳେ ଶାନ୍ତିନିକେତନ ଯେପରି ଥିଲା, ବର୍ତ୍ତମାନ ମଧ୍ୟ ମୁଁ ତାକୁ ଠିକ୍‌ ସେହି ଚେହେରାରେ ଦେଖିବି, ଏପରି ଆଶା କରି ମୁଁ କେବେହେଲେ ସେଠାକୁ ଯାଇନାହିଁ । ମାତ୍ର ଏକ ଅନୁଷ୍ଠାନ ହିସାବରେ, ବିଶେଷତଃଏକ ଶିକ୍ଷା-ଅନୁଷ୍ଠାନ ହିସାବରେ ଶାନ୍ତିନିକେତନର ଯେଉଁ ନିର୍ଦ୍ଦିଷ୍ଟ ପ୍ରାଣପରିଚୟଟି ରହିଛି, ସେଇଟି ସବାମଝିର ବିନ୍ଦୁଟି ହୋଇ ରହିଥିବା ପର୍ଯ୍ୟନ୍ତ ଚେହେରାରେ ଯେତେ ଯାହା ପରିବର୍ତ୍ତନ ହେଲେ ମଧ୍ୟ କିଛି ଯାଏ ଆସେ ନାହିଁ । ସେହି ବିନ୍ଦୁଟିକୁ ପୁନର୍ବାର ଆବିଷ୍କାର କରି ପାରିବାକୁ ମୁଁ ଶାନ୍ତିନିକେତନ ଯାଏ । ମୋର ସେହି ଅତିପରିଚିତ ଆଖିଟି, ଯେଉଁଟି ସବା ମଝିରେ ଥାଇ ସେହି ପୁରୁଣା ଆତ୍ମୀୟତାଟି ଦେଇ ମୋତେ ତା' ନିଜ ଭିତରକୁ ପାଛୋଟି ନିଏ,– ସେହି ଆଖିଟିକୁ ଆବିଷ୍କାର କରିବା ଲାଗି ମୁଁ ସେଠାକୁ ଯାଏ ଏବଂ ବାହାରେ ଥିବାବେଳେ ଯେତେ ଯେଉଁଠି ଯାହାକିଛି ଦେଖେ, ସେଗୁଡ଼ିକୁ ଦେଖିବାରେ ମଧ୍ୟ ଶାନ୍ତିନିକେତନର ସେହି ମୂଳ ଆଖିଟି ମୋତେ ଭାରି ସାହାଯ୍ୟ କରିଥାଏ ।

 

ଶାନ୍ତିନିକେତନର ମୂଳ ବିନ୍ଦୁଟି ଆଜି ଅନେକ ବିନ୍ଦୁରେ ବିଭକ୍ତ ହୋଇ ପଡ଼ିଛି । ବିଭକ୍ତ ବିନ୍ଦୁଗୁଡ଼ିକ ପ୍ରତ୍ୟେକେ ସତେଅବା ଆପଣାକୁହିଁ ସମଗ୍ର ବିନ୍ଦୁ ବୋଲି ଅନୁଭବ କରୁଛନ୍ତି । ଏଗୁଡ଼ିକ ଭାଗ ଭାଗ ହୋଇ ନାନା ବିଭାଗରେ ପରିଣତ ହୋଇ ରହିଛନ୍ତି । ପାରମ୍ପରିକ ସୂତ୍ରରେ ସେଗୁଡ଼ିକୁ ଭବନ ବୋଲି କୁହାଯାଉଛି । ସେହି ଭବନମାନଙ୍କରେ ଚଉକୀଗୁଡ଼ିକ ଖଞ୍ଜା ହୋଇ ରହିଥାନ୍ତି, ଅବିକଳ ସେହିପରି ସବା ଉପରେ ସବାବଡ଼ ଚଉକୀ, ତା'ପରେ ତା'ଠାରୁ କିଞ୍ଚିତ୍‌ ସାନ, –ସବାତଳକୁ ସବାସାନ । ଏହି ଚଉକୀଗୁଡ଼ିକ ଉପରେ ଯେଉଁମାନେ ବସିଛନ୍ତି, ସେମାନଙ୍କୁ ବି ଚଉକୀଗୁଡ଼ିକ ଅନୁସାରେ ଧାଡ଼ିମାନ ଠିକ୍‌ କରି ଦିଆଯାଇଛି । ଧାଡ଼ି ଅନୁସାରେ ସମ୍ମାନ ଓ ସ୍ଵୀକୃତି-। କବି ରବୀନ୍ଦ୍ରନାଥ ପ୍ରାୟ ଅଶୀବର୍ଷ ତଳେ ଯେତେବେଳେ ବିଶ୍ଵଭାରତୀର ପ୍ରତିଷ୍ଠା କରିଥିଲେ, ସେତେବେଳେ ଭାରତବର୍ଷରେ ପୁରୁଣା ବିଶ୍ଵବିଦ୍ୟାଳୟ ଏକାଧିକ ଥିଲା । ବିଶ୍ଵଭାରତୀ ସେଗୁଡ଼ିକର ଛାଞ୍ଚରେ ମୋଟେ ତିଆରି ହୋଇ ନଥିଲା । ହୁଏତ ସେଗୁଡ଼ିକ ସତ୍ତ୍ୱେ ଏକ ବିକଳ୍ପରୂପେ ତିଆରି ହୋଇଥିଲା । ସ୍ଵାଧୀନତା ପରେ ଯେତେବେଳେ ଦେଶର ନୂଆ ଶାସକମାନେ ବିଶ୍ଵଭାରତୀର ପୃଷ୍ଠପୋଷକତା କରିବାକୁ ଇଚ୍ଛା କଲେ, ସେତେବେଳେ ସେମାନେ ତାହାକୁ ସେହି ବିକଳ୍ପ ଭାବରେ ସିନା ସମୃଦ୍ଧିଲାଭ କରିବାକୁ ଦେଇଥାନ୍ତେ ,–ମାତ୍ର ନାନା କାରଣରୁ ତାହା ସମ୍ଭବ ହେଲା ନାହିଁ । ଅର୍ଥାତ୍‌, ଅଧିକ ପଇସା ଖରଚ ହୋଇ ଏବଂ ଅଧିକ ମଣିଷ ଖଟା ହୋଇ ଶାନ୍ତିନିକେତନକୁ ଅନ୍ୟାନ୍ୟ ଯେକୌଣସି ବିଶ୍ଵବିଦ୍ୟାଳୟ ପରି ଗଢ଼ିବା ଲାଗି ଚେଷ୍ଟା କରାଗଲା । ପ୍ରୟୋଗ, ତପସ୍ୟା ଏବଂ କବିତା,–ଏମାନେ କେବେହେଲେ ଅନୁକରଣ ସହ୍ୟ କରି ପାରନ୍ତି ନାହିଁ । ଭାରତୀୟ ଶିକ୍ଷାଜଙ୍ଗଲରୁ ଅଧିକରୁ ଅଧିକ ଡିଗ୍ରୀ ହାସଲ କରିଥିବା ବଡ଼ ବଡ଼ ହାତୀ ଧରାହୋଇ ଯହୁଁ ଯହୁଁ ଶାନ୍ତିନିକେତନକୁ ଆସିଲେ, ତସସ୍ଵୀମାନେ ବିଦା ହୋଇଗଲେ । କେତେଜଣ ସାଲିଶ୍ ମଧ୍ୟ କଲେ; ଅର୍ଥାତ୍‌ ନିଜ ଭିତରେ ତପସ୍ଵୀଟିକୁ ଲୁଚାଇ ରଖି ବାହାରେ ନୂଆ ଖେଳରେ ଖେଳୁଆଡ଼ ହୋଇ ଖାପ ଖାଇଯିବାକୁ ଲାଗିଲେ । ସେମାନେ ଆତ୍ମହତ୍ୟା କଲେ ।

 

ଶାନ୍ତିନିକେତନର ବିଦ୍ୟାଧ୍ୟାୟୀ ଜୀବନ ବଡ଼ିସକାଳୁ ଏକ ସମବେତ ପ୍ରାର୍ଥନାରୁ ଆରମ୍ଭ ହେଉଥିଲା । ସବୁ ବିଭାଗର ଛାତ୍ର ଓ ଅଧ୍ୟାପକ ସେଠାରେ ସମବେତ ହେଉଥିଲେ । ପ୍ରଥମେ ବେଦରୁ ଗୋଟିଏ ମନ୍ତ୍ର, ତା'ପରେ ଏକ ରବୀନ୍ଦ୍ର ସଙ୍ଗୀତ । ପ୍ରାର୍ଥନା ସେଇଠି ସରୁଥିଲା ଏବଂ ସମସ୍ତେ ପରସ୍ପରକୁ ପ୍ରଣାମ କରି ନିଜ ନିଜର ବିଭାଗକୁ ଯାଉଥିଲେ । ବର୍ତ୍ତମାନ ମଧ୍ୟ ପ୍ରାର୍ଥନା ହେଉଛି, ମାତ୍ର ସ୍କୁଲର ପିଲାମାନଙ୍କ ବ୍ୟତୀତ ସେଥିରେ ଆଉ କେହି ଯୋଗ ଦେବାକୁ ଆସୁନାହାନ୍ତି-। ସ୍କୁଲର ପିଲାଏ ସବୁଠାରେ ଯେମିତି ବାଧ୍ୟ ହୋଇ ଆସନ୍ତି, ହୁଏତ ଏଠାରେ ମଧ୍ୟ ସେହିପରି ଆସୁଛନ୍ତି । ଧାଡ଼ି ବାଛି ଆସୁଛନ୍ତି । କଥା ପଡ଼ୁପଡ଼ୁ ଜଣେ ଅଧ୍ୟାପକ ମୋତେ କହିଲେ, ସିଏ ଗତ ତେରବର୍ଷ ହେଲା ବିଶ୍ଵଭାରତୀରେ ଅଧ୍ୟାପନା କଲେଣି, ମାତ୍ର ଥରେହେଲେ ସକାଳର ପ୍ରାର୍ଥନାକୁ ଯାଇନାହାନ୍ତି । ମାତ୍ର, ପ୍ରାର୍ଥନା ହୁଏ ବୋଲି ସେ ଜାଣିଛନ୍ତି; କାରଣ ତାଙ୍କର ପିଲାମାନେ ଯାଉଛନ୍ତି । ଶାନ୍ତିନିକେତନରେ ସାପ୍ତାହିକ ଛୁଟିଦିନ ହେଉଛି ବୁଧବାର । ସେଦିନ ଏକ ଦୀର୍ଘତର ପ୍ରାର୍ଥନାର କାର୍ଯ୍ୟକ୍ରମ ରହିଥାଏ: ସେଥିରେ ସମସ୍ତେ ଯୋଗ ଦେଉଥିଲେ । ଏବେ କେବଳ ସ୍କୁଲପିଲାଏ ଯୋଗ ଦେଉଛନ୍ତି । ହୁଏତ କେବଳ ରୁଟିନ୍‌ ମାନି ଯୋଗ ଦେଉଛନ୍ତି । ଅନ୍ୟମାନଙ୍କର ସେଥିରୁ ମଧ୍ୟ ଛୁଟି ।

 

ମଣିଷ ଭିତରେ ସବାମଝିରେ ଗୋଟିଏ ପିଲା ରହିଛି–ତାହାକୁ ଚିରନ୍ତନ କରି ରଖିବା ହେଉଛି ମଣିଷ ଲାଭ କରୁଥିବା ଯାବତୀୟ ଶିକ୍ଷାର ସର୍ବମୂଳ ଧ୍ୟେୟ । ଶାନ୍ତିନିକେତନକୁ ଆଜି ବୁଢ଼ାମାନେ ଖାଇଯିବାରେ ଲାଗିଛନ୍ତି । କବି ରବୀନ୍ଦ୍ରନାଥ ମଣିଷଭିତରର ପିଲାକୁହିଁ ତା'ର ସୃଜନଶୀଳ ଓ ଯଥାର୍ଥରେ ସାହସୀ ଅଂଶ ବୋଲି ସ୍ଵୀକାର କରିଥିଲେ । ବାର୍ଦ୍ଧକ୍ୟ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିଲେ । ଶାନ୍ତିନିକେତନରେ ଆଜି ପଣ୍ଡିତ ଯେତେ ମନ ସେତେ ସଂଖ୍ୟାରେ ଅଛନ୍ତି, ଜୀବନକୁ ଜଞ୍ଜାଳହୀନ କରିବା ସକାଶେ ସୁଖାନ୍ୱେଷଣର ସାଧନାଗୁଡ଼ାକ ମଧ୍ୟ ସେଠି କେତେ ପ୍ରକାରେ ଖଞ୍ଜା ହୋଇ ରହିଛି । ମାତ୍ର ପିଲାମାନେ କାହାନ୍ତି ? ଏକ ସୁଯୋଜିତ ଷଡ଼ଯନ୍ତ୍ରକୁ ଶିକ୍ଷା ବୋଲି କହି ପିଲାମାନଙ୍କୁ ଯଥାସମ୍ଭବ ଅଧିକ ସହଜରେ ଏକ ବୃଦ୍ଧଶାସିତ ସମାଜ ପାଇଁ ମଣ କରି ତିଆରି କରିବା ଲାଗି ନିଷ୍ପ୍ରାଣ କୋଠାମାନଙ୍କରେ ଆଜି ଯାହାସବୁ ଚାଲିଛି, ଭାରତବର୍ଷରେ ବିଶ୍ଵବିଦ୍ୟାଳୟ କହିଲେ ସରକାରୀ ଅଭିଧାନ ଅନୁସାରେ ତାହାକୁହିଁ ବୁଝାଉଛି । ଶାନ୍ତିନିକେତନ ମଧ୍ୟ ଏବେ କ୍ରମଶଃ ସେହିପରି ଗୋଟିଏ ବିଶ୍ଵବିଦ୍ୟାଳୟରେ ପରିଣତ ହେବାକୁ ନିରାପଦ ପଥ ବୋଲି ଗ୍ରହଣ କରି ନେବାରେ ଲାଗିଛି । ବୁଢ଼ାମାନେ ସଫଳ ହେବାରେ ଲାଗିଛନ୍ତି, କୋଠା ତୋଳାଉଛନ୍ତି, ଶିକ୍ଷା ହାରି ହାରି ଯାଉଛି । ଆପଣାକୁ ଖାପ ଖୁଆଇବାକୁ ଚେଷ୍ଟା କରୁ କରୁ ଶାନ୍ତିତିକେତନର ଉଦ୍ୟମଟି ଯେ କେତେବେଳେ ବୁଢ଼ା ହୋଇଗଲା, ସେକଥା ସେହି ଦ୍ଵୀପଟିର କର୍ତ୍ତାମାନେ ମଧ୍ୟ ଜାଣି ପାରିଲେ ନାହିଁ । ବୁଢ଼ାମାନଙ୍କର ସଂସାରରେ ଯେଉଁମାନେ ତଥାପି ବିକଳ୍ପ ହୋଇ ରହିବାକୁ ଚେଷ୍ଟା କରୁଛନ୍ତି, ଏଥିରୁ ସେମାନଙ୍କର ବହୁତ କିଛି ଶିଖିବାକୁ ରହିଛି ।

 

ସେପ୍‍ଟେମ୍ବର, ୧୯୮୪

Image

 

ମନୁଷ୍ୟର ପ୍ରକୃତି-୨

 

To say, ''Oh, human nature is like this, Oh, we are in the inconscience. Oh we are in the ignorance.''–all this is laziness and weakness. And behind this laziness and weakness, there is a huge bad will.

 

(Vol. 10, Collected Works of the

Mother Centenary Edition, 1977, P-34)

 

ଆମେ ଯେତିକି, ଆମର ଆଖି ମଧ୍ୟ ସାଧାରଣତଃ ସେତିକି ଦେଖିବାକୁ ସୁଖ ପାଉଥାଏ, ପ୍ରାୟ ସେତିକି ବାଟ ଯିବାପାଇଁ ହିଁ ଇଚ୍ଛା କରୁଥାଏ । ଆଉ ଜଣେ ମଣିଷର ବିଚାର କରୁଥିବା ସମୟରେ ଆମେ ସାଧାରଣତଃ ଆମରି ନିଜ ସୀମାଟି ମଧ୍ୟରେ ଆବଦ୍ଧ ରହି ଯାହାକିଛି ବିଚାର ଅଥବା ମନ୍ତବ୍ୟ କରୁ । ସେହି ଆଉଜଣକ ଯେ ପ୍ରକୃତରେ କ'ଣ ହୋଇଥିବ, ସେହି ଅନୁସାରେ ତାହାର ବିଚାର କରିବାକୁ ଆମର ଆଉ କଳ ପାଏ ନାହିଁ । ଏବଂ, ଆଉଜଣେ ମଣିଷ ଭିତରେ କ'ଣ ସବୁ ସମ୍ଭାବନା ରହିଛି ଅର୍ଥାତ୍‌ ଆପଣାର ଗଭୀରତମ ବାସନାଗୁଡ଼ିକର କ୍ଷେତ୍ରରେ ସିଏ ପ୍ରକୃତରେ ତାର କେଉଁ ନିଜସ୍ଵ ରୀତିରେ ଫୁଟି ଉଠିବାକୁ ଯେ ଇଚ୍ଛା କରୁଛି, ଆମ ନିଜର ଗାରଗୁଡ଼ିକୁହିଁ ସବୁଯାକ ଗାର ବୋଲି ମାନିନେଇ ଥିବାରୁ ଆମେ ସେପର୍ଯ୍ୟନ୍ତ ଯାଇ ଆଉଜଣେ ମଣିଷକୁ ଭେଟିବା ଲାଗି ମୋଟେ ମନ କରୁ ନାହିଁ । ମନୁଷ୍ୟର ପ୍ରକୃତିକୁ ଆପଣାର ପ୍ରକୃତି ଦେଇ ଚିହ୍ନୁ । ଆଉ ଆଗକୁ ଯିବାକୁ ଅନିଚ୍ଛା ପ୍ରକାଶ କରୁ । ସେହି ଅନିଚ୍ଛାକୁ ମାଆ ଆଳସ୍ୟ ବୋଲି କହିଛନ୍ତି । ଆଗ ଆଳସ୍ୟ ଥିଲେ ତା'ପରେ ଯାଇ ଦୁର୍ବଳତା ଆସେ ନା ଦୁର୍ବଳତା ଗୁଡ଼ାକହିଁ ଆମକୁ ନାନାବିଧ ଆଳସ୍ୟ ଭିତରେ ବାନ୍ଧି ରଖିଥାନ୍ତି, କେବଳ ଆପଣା ଭିତରକୁ ଅନାଇ ଓ ନିଜକୁ ଅଧିକରୁ ଅଧିକ ନିବିଡ଼ ଭାବରେ ଚିହ୍ନିହିଁ ଆମେ ନିଜ ପାଇଁ ସେହି ପ୍ରଶ୍ନଟିର ଉତ୍ତର ପାଇପାରିବା ।

 

ମାଆ କହିଛନ୍ତି, ଏହି ଆଳସ୍ୟ ଏବଂ ଏହି ଦୌର୍ବଲ୍ୟ ପଛରେ ଏକ ଅସତ୍‌ ଇଚ୍ଛାହିଁ କାରଣରୂପେ ନିହିତ ହୋଇ ରହିଥାଏ । ଅସତ୍‌ ଇଚ୍ଛା ଆଉ ଅନିଚ୍ଛା ମଧ୍ୟରେ କ'ଣ ଫରକ ରହିଛି, ସେକଥା ପଣ୍ଡିତମାନେ ବିଚାର କରି ହୁଏତ କହି ପାରିବେ । ଗାର ସେପାଖରେ ଆହୁରି ଗାର ରହିଛି; ଆମେ ଯେତିକି ଦେଖିପାରୁଛୁ, ତା ସେପାଖରେ ଆହୁରି ଅଧିକ ସମ୍ଭା‌ବନା ଆମ ଲାଗି ଅପେକ୍ଷା କରି ରହିଛନ୍ତି,–ଇଏ ହେଉଛି ନିଜର ଜୀବନଟିକୁ ବଞ୍ଚିବାର ଅନ୍ୟ ଏକ ଧାରା, ହୁଏତ ଅନ୍ୟ ଏକ ଭୂମିର ଧାରା । ଏହି ଧାରାଟି ବିଷୟରେ ଆମେ ବହିରେ ପଢ଼ୁ, ଉପଦେଶ ଆକାରରେ ଶ୍ରବଣ କରୁ; ମାତ୍ର ଯେଉଁଠି ଥାଉ, ସେଇଠି ଅଣ୍ଟା ପର୍ଯ୍ୟନ୍ତ ପୋତି ହୋଇ ରହିବାକୁ ସତେଅବା ଜିଦ୍‌ କରି ବସିଥାଉ । ସଂସାର ବଦଳିବ ବୋଲି କହୁ, ତଥାପି ନିଜ ଭିତରର ନିର୍ଦ୍ଦିଷ୍ଟ ଗାରଗୁଡ଼ିକୁ ଡେଇଁବାକୁ ଅସ୍ଵୀକାର କରିବାରେ ଲାଗିଥାଉ । ଯେଉଁମାନେ ଗାର ସେପାଖରେ କଥାମାନ କହନ୍ତି, ସେମାନଙ୍କୁ ଆମେ ସତେଅବା ଆମ ନିଜ ଗୋଠରୁ ଅଲଗା ରଖିବାକୁ ଇଚ୍ଛା କରୁଥିଲା ପରି ଆଦର୍ଶବାଦୀ ବୋଲି କହୁ; ବାଡ଼ ଭିତରର ଆମ କ୍ଷୁଦ୍ର ବିଚରଣଗୁଡ଼ିକୁ ବାସ୍ତବବାଦ ବୋଲି କହୁ । ଆଦର୍ଶବାଦୀମାନଙ୍କର ପୂଜା କରୁ, ପ୍ରଶଂସା କରୁ; ଏଣେ ନିଜର ସେହି ବାସ୍ତବବାଦୀ ଗଡ଼ିଆଗୁଡ଼ିକ ଭିତରେ ପଡ଼ି ରହିଥାଉ । ଭାରି ଖୁସିରେ ତାହାରି ଭିତରେ ଥାଇ ମଣିଷର ପ୍ରକୃତିକୁ ଅଳପ ବୋଲି କହୁ, ଅଚେତନ ବୋଲି କହୁ-ଭାରି ଚତୁର ମଣିଷଙ୍କ ପରି ଏସବୁ କହୁଥାଉ । ଏସବୁ କରିବା ପଛରେ ଅନିଚ୍ଛା ଅଥବା ଆଳସ୍ୟ କେଉଁଟା ସବାଆଗ ରହିଥାଏ କେକାଣି ? ହୁଏତ ଭିତରର ଆଳସ୍ୟମାନେ ବାହାରେ ଅନିଚ୍ଛା ହୋଇ ଆପଣାକୁ ବ୍ୟକ୍ତ କରିବାରେ ଲାଗିଥାନ୍ତି ।

 

ଆଳସ୍ୟକୁ ନାନାବିଧ ଚତୁରତାରେ ଲୁଚାଇ ରଖି ବାହାରେ ନିଜର ଅନିଚ୍ଛାଗୁଡ଼ିକ ସକାଶେ ମଣିଷର ପ୍ରକୃତିକୁ ଅଳପ ବା ଅଜ୍ଞାନ ବୋଲି କହି ବୁଲିବା,–ଏଇଟି ହେଉଛି ଆମର ଏହି ସଂସାରରେ ବୟସ୍କମାନଙ୍କର ରୀତି । ସୋପାନ ପରେ ସୋପାନ ଅତିକ୍ରମ କରିବାରୁ ଯେଉଁ ବୟସ୍କତା ଅର୍ଥାତ୍‌ ପରିପକ୍ଵତା ଆସେ, ଏଠାରେ ସେଗୁଡ଼ିକ ଲାଗି ଆଦୌ କୌଣସି ଅବକାଶ ନଥାଏ । ପରିପକ୍ଵତା ବଢ଼ିଲେ ଅନୁରାଗ ବଢ଼େ, ଆତ୍ମୀୟତା ବଢ଼େ, ଚାହିଁଦେଲା ମାତ୍ରକେ ଦିଶିଯାଏ ଏବଂ ତେଣୁ ଯଥାର୍ଥ ଭାବରେ ଆଉ କାହାର କାମରେ ଲାଗିହୁଏ । ଅନ୍ୟପକ୍ଷରେ, ଯେଉଁମାନେ ବୟସ ବଢ଼ିବା ସଂଗେସଂଗେ ଆପଣାର ଗାରଗୁଡ଼ିକୁହିଁ ସର୍ବସ୍ଵ କରି କାମୁଡ଼ି ଧରିଥାନ୍ତି, ଆପଣା ଭିତରେ ଅଥବା ଅନ୍ୟମାନଙ୍କ ଭିତରେ ଆଉ ଅଧିକ କିଛି ରହିଛି ବୋଲି କଳ୍ପନା କରି ପାରନ୍ତି ନାହିଁ, ସେମାନେ ମଧ୍ୟ ବୟସ୍କ ବୋଲାନ୍ତି; ଏହିମାନେହିଁ ସମାଜରେ ଗୁରୁଜନ ବୋଲି ପ୍ରଖ୍ୟାତ ହୁଅନ୍ତି । ମଣିଷର ପ୍ରକୃତିକୁ ପ୍ରାୟ ପ୍ରୟୋଜନରେ ପଡ଼ି ଅଳପ ବୋଲି କହନ୍ତି । ଆପେ ଅଟକି ଯାଇଥାନ୍ତି ବୋଲି ଅନ୍ୟ ସଭିଙ୍କୁ ମଧ୍ୟ ଅଟକାଇ ରଖନ୍ତି । ଅଟକାଇ ରଖିବାର ଏହି ଦୁର୍ଦ୍ଦଶା ନିଶାରେ ସମ୍ପ୍ରଦାୟମାନ ଗଢ଼ାଯାଏ । ମଣିଷ କ'ଣ ହେବ ନହେବ, ତାହାର ଚଉହଦୀମାନ ନିର୍ଦ୍ଧାରଣ କରି ଦିଆଯାଏ ଏବଂ ଉଦ୍ଭାବିତ ମୂର୍ତ୍ତିଗୁଡ଼ିକୁ ଚଉହଦୀଗୁଡ଼ିକ ଉପରେ ପହରାଦାର କରି ରଖି ଦିଆଯାଏ-

 

ଶିକ୍ଷକ ଗୁରୁଜନ ହେବ ନାହିଁ ! ଶିକ୍ଷକ ବୟସ୍କ ପରି ଦିଶିବ ନାହିଁ । ଶିକ୍ଷକ ଅଟକାଇ ରଖିବ ନାହିଁ । ତେଣୁ ମନୁଷ୍ୟର ପ୍ରକୃତି ଏହିପରି ବା ଏହିପରି ନୁହେଁ ବୋଲି କହି ସିଏ ନିଜର ଗାରଗୁଡ଼ିକୁ ପିଲାମାନଙ୍କ ଉପରେ ମଡ଼ାଇ ଦେବା ଲାଗି ମୋଟେ କୌଣସି ପାଞ୍ଚ କରିବ ନାହିଁ । ଅପା ଭିତରର ପିଲାଟିକୁ ସିଏ କଦାପି ଆପଣାର ଗାରଗୁଡ଼ିକ ପାଖରେ ନିରସ୍ତ୍ର ଓ ପରାଜିତ ହୋଇ ରହିବାକୁ ଦେବେ ନାହିଁ । ସେମାନେ ତେବେ ଯାଇ ଯାବତୀୟ ଆଳସ୍ୟକୁ ଜିତି ପାରୁଥିବେ ଏବଂ ପିଲାମାନଙ୍କୁ ମଧ୍ୟ ଗାର ଡେଇଁବାର ପ୍ରକ୍ରିୟାରେ ସର୍ବୋତ୍ତମ ଭାବରେ ସାହାଯ୍ୟ କରିବାକୁ ସମର୍ଥ ହେବେ । ଗାର ଡେଇଁବାର ଅର୍ଥ ହୁଡ଼ିବା ନୁହେଁ; ଗାର ଡେଇଁବାର ଅର୍ଥ ଆରୋହଣ କରିବା, ଉତ୍ତରୋତ୍ତର ଆରୋହଣ କରିବା । ଆପଣା ଭିତରେ ଆପଣା ପ୍ରକୃତିର ଗାରଗୁଡ଼ିକୁ ଡେଇଁ ଆହୁରି ଅଧିକ ନିବିଡ଼, ଅଧିକ ଅନ୍ତରଙ୍ଗ ଏବଂ ଅଧିକ ସଂପ୍ରସାରିତ ହୋଇ ପାରୁଥିବାର ଜୀବନ, – ତାହାହିଁ ଯଥାର୍ଥ ଶିକ୍ଷାମୟ ଜୀବନ । କେବଳ ଛାତ୍ରମାନଙ୍କ ଲାଗି ନୁହେଁ, ଶିକ୍ଷକମାନଙ୍କ ଲାଗି ମଧ୍ୟ ଯଥାର୍ଥ ଶିକ୍ଷାମୟ ଜୀବନ । ଏହିପରି ଏକ ଜୀବନ ଆମ ବିଦ୍ୟାଳୟଗୁଡ଼ିକର ଯାବତୀୟ ଅନ୍ୱେଷଣର ସାର ହୋଇ ରହିଥିବା ପର୍ଯ୍ୟନ୍ତ ଶିକ୍ଷକ ଏବଂ ଛାତ୍ରମାନଙ୍କ ମଧ୍ୟରେ ଆରୋହଣର କ୍ଷେତ୍ରରେ ଏକ ପାରସ୍ପରିକ ଅନୁରାଗମୟ ସତୀର୍ଥତାର ଅନୁଭବ ସମ୍ଭବ ହୋଇ ପାରିବ । ସେତେବେଳେ ଆଉ ଗୋଟିଏ ପକ୍ଷ ଅନ୍ୟକୁ ଗୁରୁଜନ ଅଥବା ଲଘୁଜନ ବୋଲି ଦେଖି ଗାର ଜଗି ରହିବାର ଆଚାରଗୁଡ଼ାକୁ ମୋଟେ ଦୋରସ୍ତ କରି ରଖିବାକୁ ଉତ୍ତମ ପଥରୂପେ ଆଦରି ନେବେନାହିଁ । ଏତିକି ସମ୍ଭବ କରି ତା'ପରେ ଦେଖନ୍ତୁ, ମଣିଷର ପ୍ରକୃତି ଆପଣଙ୍କୁ କ'ଣ ପରି ଦେଖାଯିବ ! ତାହା ଆଦୌ ଏପରି ଅଥବା ସେପରି ବୋଲି ଦେଖାଯିବ ନାହିଁ । ସେତେବେଳେ ଆପାତ ଅଚେତନାମାନେ ଚେତନା ଆଡ଼କୁ ବାଟ କଢ଼ାଇ ନେବେ । ଆପାତ ଅଜ୍ଞାନଟାକୁ ସତେଅବା ବିଧିନିର୍ଦ୍ଦେଶିତ ଗୋଟାଏ ଗାର ବୋଲି ମାନିନେବାକୁ ମୋଟେ ମନ ହେବ ନାହିଁ; ଆପଣା ଭିତରେ ନୁହେଁ କିଂବା ଅନ୍ୟ କାହାରି ଭିତରେ ବି ନୁହେଁ ।

 

ଅକ୍ଟୋବର, ୧୯୮୪

Image

 

ଶିଷ୍ୟବିତ୍ତାପହାରକାଃ

 

ସେଦିନ କୌଣସି ଏକ ବିଦ୍ୟାଳୟରେ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ତଥା ଅନୁଷ୍ଠାନର ଏକ ଚାକ୍ଷୁଷ ସୂଚନା ଦେଇ କାନ୍ଥରେ ପ୍ରଦର୍ଶିତ ହୋଇଥିବା ଅନେକ ଫଟୋ ମଧ୍ୟରେ ଗୋଟିଏ ବିଚିତ୍ର ଫଟୋ ଦେଖି ହଠାତ୍‌ ବଡ଼ ଡର ଲାଗିଲା । ଏଡ଼େ ବକଟେ ଫଟୋଟିଏ, ମାତ୍ର ତଥାପି ଅନ୍ୟ ଫଟୋଗୁଡ଼ିକର ମଝିରେ ରହି ତାହା ସତେଅବା ଅନ୍ୟ ସବୁଗୁଡ଼ିକୁ ଗିଳି ପକାଇଲା ପରି ମନେ ହେଉଥାଏ । ଏହାକୁ ଫଟୋ ନେବାବାଲାର ବାହାଦୁରୀ ବୋଲି କହିବାକୁ ହେବ । ଫଟୋର ପୁରୋଭାଗରେ ପିଲାଏ ଅଛନ୍ତି,–ଅନେକ ସଂଖ୍ୟାରେ ରହିଛନ୍ତି । ସେମାନଙ୍କର ସାନ ସାନ ମୁଣ୍ଡଗୁଡ଼ିକ ଗୋଟିଏ ଗୋଟିଏ କୁକୁଡ଼ାଛୁଆ ପରି ଦେଖା ଯାଉଛନ୍ତି । ଏବଂ ସେମାନଙ୍କ ଉପରେ ଉଗାରି ହୋଇ ରହିଥିବା ପରି ଜଣେ ବୟସ୍କର ଫଟୋ ବୃହଦାକୃତି ହୋଇ ଚିତ୍ରଟିର ପୃଷ୍ଠବଳୟଟିକୁ ଏକାବେଳକେ ମାଡ଼ି ବସିଛି । ଏଡ଼େ ଏଡ଼େ ଆଖି ଓ ଏଡ଼େ ଏଡ଼େ ହନୁ ବିସ୍ତାର କରି ପିଲାମାନଙ୍କ ଉପରେ ଶ୍ୟେନପକ୍ଷୀ ପରି ଆବୋରି ରହିଛି । ଆଖି ଦୁଇଟି ଅତିମାତ୍ରାରେ ଲୋଲୁପ ଦିଶୁଛି, ଅଧିକାରପ୍ରମତ୍ତ ଦେଖାଯାଉଛି; ଆମେ ବୟସ୍କମାନେ ଦୟା କରୁନଥିଲେ ଏହି ପିଲାଗୁଡ଼ିକ କଦାପି ମଣିଷ ହୋଇ ପାରୁନଥାନ୍ତେ, ଫୁଲାଫୁଲା ବୟସ୍କ ନାସିକାଟି ସତେଅବା ଅତ୍ୟନ୍ତ ଅହଂକାର ସହିତ ସେହି ଦୁଷ୍ଟ କଥାଟିର ଘୋଷଣା କରିବାକୁ ଇଚ୍ଛା କରୁଛି ।

 

ଆମେ କର୍ତ୍ତାମାନେ ପରସ୍ପରର କାନ୍ଧ ଉପରେ ଠିଆହୋଇ ଯୁଗଯୁଗ ଧରି ପିଲାମାନଙ୍କୁ ମଣିଷ କରିବାର ପ୍ରୟାସ କରି ଆସିଛୁ । ଆମେ କର୍ତ୍ତାମାନେ ପ୍ରତ୍ୟେକେ ପ୍ରାୟ ନିୟମିତ ଅନ୍ୟ ସମସ୍ତଙ୍କଠାରୁ ଅଧିକ ବଡ଼ ହୋଇ ଦେଖାଯିବାକୁ ଚେଷ୍ଟାକରି ଆସିଛୁ । ଭିତରେ ଏକାବେଳକେ ସମସ୍ତଙ୍କଠାରୁ ବଡ଼ହୋଇ ରହିବାର ଏକ ଅତର୍ପଣୀୟ, ଲାଳସା ରହିଥାଏ ବୋଲି କର୍ତ୍ତାମାନେ ସଚରାଚର ପରସ୍ପରର ଆଦୌ ସତୀର୍ଥ ହୋଇପାରନ୍ତି ନାହିଁ, ପରସ୍ପରର ସମଧର୍ମୀ ହୋଇ ପାରିବା ତ ଆହୁରି ଦୂରର କଥା । ସାମ୍ରାଜ୍ୟ କହିଲେ ବିଦ୍ୟାଳୟରେ ପିଲାମାନଙ୍କୁ ବୁଝାଏ । ପିଲାମାନଙ୍କର ମଙ୍ଗଳକାମନା କରି ପିଲାମାନଙ୍କ ଉପରେ ଶାସନ କରାଯାଏ । ପିଲା ଏହିପରି ବସିବ, ଏହିପରି କଥା କହିବ, ଏହିପରି ସମ୍ମାନ ପ୍ରଦର୍ଶନ କରିବ, ଭ୍ରମ ଭିତରେ ରହିବାକୁହିଁ ସମ୍ଭ୍ରମ ବୋଲି କହିବାକୁ ଶିଖିବ, ଧାଡ଼ିହୋଇ ଭିତରକୁ ଆସିବ ଓ ଧାଡ଼ିହୋଇ ବାହାରକୁ ଯିବ, ଶୃଙ୍ଖଳା ମାନି ଖେଳିବ, – ଆମେ ବାନ୍ଧି ଦେଇଥିବା ଗାରଗୁଡ଼ାକ ଭିତରେ ଗେହ୍ଲା ହେବ, ଫୁଲେଇ ହେବ, ତୋଷାମଦ କରିବ ଏବଂ ଅଭିନୟ କରିବ ପଛକେ, ମାତ୍ର ଗାର ଡେଇଁ ବାହାରକୁ ଆସିବାଲାଗି କଦାପି ସାହସ କରିବ ନାହିଁ, – ବିଦ୍ୟାଳୟର ବୟସ୍କ ଶିଶୁବତ୍ସଳ ମାନେ ପିଲାମାନଙ୍କ ପାଇଁ ଏହିପରି ଭଲ ହେବାର ଅର୍ଥାତ୍‌ ଭଲ ବୋଲି ପ୍ରମାଣିତ ହେବାର କେତେ ଅନୁଜ୍ଞା ବାନ୍ଧି କରି ରଖିଥାନ୍ତି । ଆବହମାନ କାଳରୁ ଏହି ରୀତିରେ ବୟସ୍କମାନେ ଯେତେ ଅଧିକ ଅନମନୀୟ ଭାବରେ ପିଲାମାନଙ୍କୁ ମଣିଷ ଓ ଏପରିକି ଭଲ ମଣିଷ କରି ଗଢ଼ିବାର ଅନୁଶାସନମାନ ବାଢ଼ି ଆସିଛନ୍ତି, ଏହି ପୃଥିବୀରୁ ଯଥାର୍ଥ ଜିଜ୍ଞାସୁ, ଉନ୍ମୋଚନକାମୀ ସରଳ ସରସ ପିଲାମନଟି ହୁଏତ ସେତିକି ଅଧିକ ପରିମାଣରେ ବିଦା ହୋଇ ଚାଲିଯାଇଛି । ରାଜଚକ୍ରବର୍ତ୍ତୀମାନଙ୍କର ଶିକ୍ଷାସାମ୍ରାଜ୍ୟ ଅଧିକରୁ ଅଧିକ ଶୋଭା ଧାରଣ କରିଛି ସତ, ମାତ୍ର ବିତ୍ତ–ଅପହରଣହିଁ ଶିକ୍ଷାଗୁଡ଼ାକର ସର୍ବପ୍ରଧାନ କାର୍ଯ୍ୟ ହୋଇ ରହିଛି । ପୃଥିବୀରେ କ୍ରୁରତା ବଢ଼ିଛି, ଉଦାସୀନତା ବଢ଼ିଛି, ନିଃସ୍ଵତା ବଢ଼ିଛି, ଭଲ ପାଇବା ପାସୋର ହୋଇଯାଇଛି, ତେଣିକି ଭଲ ପାଇବା କହିଲେ ପ୍ରମତ୍ତ ହୋଇ ଅଧିକାର ବିସ୍ତାର କରିବାକୁହିଁ ବୁଝାଇଛି । ବିତ୍ତ–ଅପହରଣକାରୀ ବିତ୍ତଗୁଡ଼ାକୁ ଯେଉଁପରି ଭାବରେ ଭଲ ପାଉଥାଏ, ଆମର ଶିକ୍ଷାଳୟମାନଙ୍କରେ ସେହି ଭଲ ପାଇବା ସତେଅବା ବେତ ହୋଇ ମନୁଷ୍ୟ ଗଢ଼ିବାର ଅପବ୍ରତଟିକୁ ଗ୍ରହଣ କରି ନେଇଛି ।

 

ଆମ ବିଦ୍ୟାଳୟଗୁଡ଼ିକ ଏପରି ହୁଅନ୍ତା, ଯେଉଁଠାରେ କି ଆମେ ବୟସ୍କମାନେ ମୋଟେ ଦିଶନ୍ତେ ନାହିଁ, କେବଳ ପିଲାମାନେହିଁ ଦିଶୁଥାନ୍ତେ । ଶୃଙ୍ଖଳା ଦେଖା ଯାଆନ୍ତା ନାହିଁ, ଖୁସି ହିଁ ଦିଶୁଥାନ୍ତା । ବାହାରେ ଓ ଭିତରେ ସର୍ବତ୍ର ଖୁସି ହିଁ ଚକ୍ରବର୍ତ୍ତୀ ହୋଇ ରହିଥାନ୍ତା । ଆମେ ପୃଷ୍ଠଭାଗରେ ରହିଥାଆନ୍ତେ, ପିଲାମାନେ ପୁରୋଭାଗରେ ଥାଆନ୍ତେ । ବୟସ୍କମାନେ କୌଣସି ପ୍ରକାର କୋଳାହଳ କରି ପିଲାମାନଙ୍କର ଶାନ୍ତିଭଙ୍ଗ କରନ୍ତେ ନାହିଁ । ବିଦ୍ୟାଳୟର ଯାବତୀୟ ଚିତ୍ରରେ ପିଲାମାନେହିଁ ସବୁଠାରୁ ବଡ଼ ହୋଇ ସବାଆଗ ଦିଶିଯାଇ ପାରୁଥାନ୍ତେ । ବୟସ୍କମାନେ ଅନ୍ତରାଳରେ ରହି ସେହିଥିରୁହିଁ ଆନନ୍ଦଲାଭ କରୁଥାନ୍ତେ, ବିଦ୍ୟାଳୟରୂପୀ ଯାବତୀୟ ଉଦ୍ୟମର ସଫଳତାକୁ ସେମାନେ ତାହାରିଦ୍ଵାରା ମାପିବାକୁ ଚେଷ୍ଟା କରୁଥାନ୍ତେ । ପିଲାମାନଙ୍କର ଅଭିନବ ସଂସ୍ପର୍ଶରେ ବୟସ୍କମାନେ ଆପଣାଭିତରେ ପ୍ରାୟ ଅବହେଳିତ ଓ ଅବମାନିତ ହୋଇ ରହିଥିବା ପିଲାଟିକୁ ପୁନର୍ବାର ସ୍ପର୍ଶ ପରି ପକାଉଥିବା ପରି ଅନୁଭବ କରି ପାରୁଥାନ୍ତେ । ପିଲାମାନେହିଁ ଗବାକ୍ଷ ପରି ହୋଇ ଆମ ବୟସ୍କପଣିଆର ଦମ୍ଭଗୁଡ଼ାକ ଭିତରେ ନୂତନ ଆଲୋକ ଓ ନୂତନ ପବନର ସଞ୍ଚାର କରାଇ ଆଣୁଥାନ୍ତେ ଏବଂ ଆମର ଦମ୍ଭକୁ ବାରମ୍ବାର ହରାଇ ଦେଉଥାନ୍ତେ । ଆମ ବିଦ୍ୟାଳୟମାନଙ୍କରେ ବୟସ୍କମାନେହିଁ ପରାସ୍ତ ହେଉଥାନ୍ତେ, ବାଟ ଛାଡ଼ି ଦେଉଥାନ୍ତେ, ତେବେ ଯାଇ ନୂତନ ଶିକ୍ଷା ଓ ନୂତନ ସମ୍ଭାବନା ଲାଗି ଅଧିକତର ପରିସର ସମ୍ଭବ ହୋଇ ପାରନ୍ତା ।

 

We should help our children to grow beyond ourselves,–ଇଏ ହେଉଛି ସଂପୂର୍ଣ୍ଣ ଭାବରେ ଏକ ନୂତନ ଦିଗ୍‍ବଳୟର କଥା, ଅଧିକତର କ୍ଷେତ୍ରରେ ଅନାବିଷ୍କୃତ ହୋଇ ରହିଥିବା ଏକ ଅନ୍ୟ ଭୂମିର ଓ ଅନ୍ୟ ପ୍ରସ୍ଥର କଥା । ସେହି ପ୍ରସ୍ଥର ଆବେଦନଟିକୁ ଛୁଇଁ ପାରିଲେ ଯାଇ 'ଶିଷ୍ୟବିତ୍ତାପହାରକାଃ' ‘ଶିଷ୍ୟସନ୍ତାପହାରକାଃ'ରେ ପରିଣତ ହୋଇପାରିବେ । ମାତ୍ର, ସାନ ସାନ ପିଲାମାନଙ୍କୁ ଯଥାସମ୍ଭବ ଅଧିକ ସାନ ସାନ କରି ଦେଖାଇ ଆପେ ଅତିକାୟ ଓ ବୃହଦ୍‍ବପୁ ହୋଇ ଦିଶିବାକୁ ମନ କରୁଥିବା ବୟସ୍କ ଏବଂ ତାହାର ଯାବତୀୟ ଅତିଚାରଣା ସେହି ଆବେଦନଟିକୁ କଦାପି ଛୁଇଁ ପାରିବ ନାହିଁ । ବର୍ତ୍ତମାନ ଆମ ସମୟର ଅଧିକାଂଶ ବିଦ୍ୟାଳୟକୁ ବୃହଦ୍‌ବପୁ ଅସୁରମାନେହିଁ ଶାସନ କରୁଛନ୍ତି । ସେମାନେ ବାହାରେ ହୁଏତ ବିନୟର ଛଳ କରୁଛନ୍ତି, ଭିତରେ ବୃହଦନ୍ତ ଓ ବୃହନ୍ନଖ ହୋଇ ବସିଛନ୍ତି, ଭବିଷ୍ୟତଟାକୁ ସେହିମାନଙ୍କୁ ସୁହାଉଥିବା ବର୍ତ୍ତମାନ ମଧ୍ୟରେହିଁ ଦୋରସ୍ତ କରି ଚାପି ରଖିବାକୁ ଚେଷ୍ଟା କରୁଛନ୍ତି । ସକଳ ଉନ୍ମୋଚନକୁ ବାଟ ଉଗାଳି ଛିଡ଼ା ହୋଇଛନ୍ତି । ପ୍ରେରଣାଗୁଡ଼ାକୁ ମନ୍ଦିର ଭିତରର ପୂଜାପଥର ଭିତରେ ଫାଶ ପକାଇ ରଖି ଦେଉଛନ୍ତି । ଏବଂ, ଆଜିକାର ପିଲାମାନେ କାଲି ବଡ଼ ହୋଇ ଯେ ଅବିକଳ ସେହିମାନଙ୍କ ପରି ପାଷଣ୍ଡ ହେବେ, ସେହି ବିଷୟରେ ପ୍ରାୟ ନିଶ୍ଚିତ ହୋଇ ରହିଛନ୍ତି ।

 

ନୂତନ ବିଦ୍ୟାଳୟଗୁଡ଼ିକରେ ରୀତି ଅନ୍ୟ ପ୍ରକାରର ହେବ । ବୃହଦ୍‌ ବପୁମାନେ ହଟିଯିବେ, ପୁରାତନକାମୀ ଯାବତୀୟ ଆଚାର ଓ ଆଚରଣ ମଧ୍ୟ ହଟିଯିବ । ଶ୍ରୀଅରବିନ୍ଦ କୌଣସି ସ୍ଥାନରେ ଈଶ୍ଵରଙ୍କୁ infinite possibility ବୋଲି କହିଛନ୍ତି । ଯେଉଁ ବିଦ୍ୟାଳୟ ନୂତନ ହେବାକୁ ମନ କରୁଥିବ, ସେଠାରେ ଏହି 'ଅନନ୍ତ ସମ୍ଭାବନା’ର ପ୍ରତୀକଟିହିଁ ବିଦ୍ୟାଳୟସ୍ଥ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଓ ପ୍ରତ୍ୟେକ ସମ୍ବନ୍ଧକ୍ଷେତ୍ରରେ ଠୁଳ ଆଚରଣବସ୍ତୁ ହୋଇ ରହିବ । ଇଏ ଏକ ଅନ୍ୟ ବିଦ୍ୟାର କଥା, ଏକ ଅନ୍ୟ ସମ୍ବନ୍ଧର କଥା, ଅନ୍ୟ ସମଗ୍ରତାର କଥା । ସେହି ସମଗ୍ରତା ମଧ୍ୟରେ ପିଲାମାନଙ୍କୁ ସାନ ଓ ବାଧ୍ୟ କରି ରଖି ବୟସ୍କମାନେ ଆପେ ବଡ଼ ହୋଇ ଦିଶିବାର ଆଦୌ କୌଣସି ଅବକାଶ ରହିବ ନାହିଁ । ସେଠାରେ ପ୍ରବୀଣ ନବୀନକୁ କୌଣସି ପ୍ରକାର ଗିଳି ପକାଇବାକୁ ମନ କରିବ ନାହିଁ ଅଥବା ତାକୁ ଅର୍ବାଚୀନ ବୋଲି କହି ତା’ ଉପରେ ଅଜାଡ଼ି ହୋଇ ପଡ଼ିବାରେ ମଧ୍ୟ ଆଦୌ କୌଣସି ଆନନ୍ଦ ଅନୁଭବ କରିବ ନାହିଁ । ନୂଆ ବିଦ୍ୟାଳୟରେ ସମସ୍ତେ ବାଟ ଚାଲିବେ, ସମସ୍ତେ ହାଲୁକା ହେବେ, ଉତ୍ସାହ ସର୍ବପ୍ରଧାନ ସନ୍ତକ ହୋଇ ରହିବ । ଅବଜ୍ଞାକୁହିଁ ଆପଣାର ପରମ ଭୂଷଣ ବୋଲି ଗ୍ରହଣ କରି ହିଁ ବଯସ୍କମାନେ କାଳେକାଳେ ପିଲାମାନକୁ ଉତ୍ସାହ ଦେବାର ବିଶେଷ କର୍ମଟିକୁ କରି ଆସିଛନ୍ତି । ପିଲାମାନଙ୍କର ବଗିଚା ଭିତରେ ସତେଅବା ଗୟଳ ପରି ଏକାବେଳେ ଏତେଗୁଡ଼ାଏ ଥାନ ମାଡ଼ିକରି ବୁଲିବାର ପରାକ୍ରମ ଦେଖାଉଛନ୍ତି । ନୂତନ ହେବାକୁ ମନ କରୁଥିବା ଓ ତାହାରି ଦ୍ଵାରା ହିଁ ନୂତନର ଆଗମନରେ ସହଯୋଗ କରିବାକୁ ମନସ୍ଥ କରିଥିବା ମଣିଷ ସେହି ପରାକ୍ରମକୁ ପ୍ରକୃତରେ ପାଷଣ୍ଡତା ବୋଲି ଘୋଷଣା କରିବ । ଫୁଲର ତପସ୍ୟା,–ତାହାହିଁ ବିଦ୍ୟାଳୟର ତପସ୍ୟା । ଉନ୍ମୋଚିତ ହୋଇ ପାରିଲେ ହିଁ ସନ୍ତାପ ଯାଏ,– ତାହାହିଁ ନୂତନ ବିଦ୍ୟାଳୟରେ ସର୍ବପ୍ରଥମ ସତ୍ୟବାକ୍ୟ ହୋଇ ରହିବ ।

 

ନଭେମ୍ବର-ଡିସେମ୍ବର, ୧୯୮୪

Image

 

Unknown

ସମ୍ମିଳନୀ ଓ ସମୀକ୍ଷଣର ଗୋଟିଏ ସପ୍ତାହ

 

କମର୍ଦ୍ଦାରେ ବାନରବସ୍‍ରୁ ଓହ୍ଲାଇ ଲମ୍ବୋଦରଙ୍କୁ ଭେଟିଲି । ଲମ୍ବୋଦର ଖରିଦଚକ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସହଭାଗୀ ପରିଚାଳକମାନଙ୍କ ମଧ୍ୟରୁ ଜଣେ । ଭୋଗରାଇ ହାଇ ସ୍କୁଲରେ ହିନ୍ଦୀ ଶିକ୍ଷକ । ଏଠାରୁ ଆମକୁ ଦହମୁଣ୍ଡା ଯିବାକୁ ହେବ । ଦହମୁଣ୍ଡା ଛଅ କିଲୋମିଟର ବାଟ । ଲମ୍ବୋଦର ରିକ୍ସା କରିବାକୁ ପରାମର୍ଶ ଦେଲେ । ଗୋଟିଏ ସାଇକେଲ୍,– ସେଥିରେ ସିଏ ଯିବେ, ମୁଁ ରିକ୍ସାରେ । ଆମର ଏଣେ ଯାହାକୁ ଟ୍ରଲିରିକ୍ସା କହନ୍ତି, ଭୋଗରାଇରେ ତାହାହିଁ ରିକ୍ସା, ମଣିଷ ଏବଂ ମାଲପତ୍ର ଉଭୟ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ । କଅଁଳ ଗାଧୁଆବେଳର ଶୀତଦିନିଆ ଉଷୁମ ଖରା, ଆଗରୁ ନିର୍ଘାତିଆ ଶୀତଳ ପବନ ମୁହଁ ଉପରେ ଆସି ପିଟି ହୋଇ ଯାଉଥାଏ । ମୁଁ ଲମ୍ବୋଦରଙ୍କୁ ଆଗରେ ବସାଇଲି । ଉଜାଣି ପବନ ସହିତ ବନ୍ଧୁ ବାନ୍ଧି ଦହମୁଣ୍ଡ ଯାଏ ଯିବାଲାଗି ଆମକୁ ଏଇ କେତେ ହାତ ବାଟକୁ ପ୍ରାୟ ଘଣ୍ଟାଏ ସମୟ ଲାଗିଲା । ତଥାପି ପହଞ୍ଚିଗଲୁ ।

 

ଦହମୁଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜୟନାରାୟଣ ପାଣିଗ୍ରାହୀ । ଗତ କୋଡ଼ିଏ ବର୍ଷ ହେଲା ସିଏ କାର୍ଯ୍ୟ କଲେଣି । ଏବେ ମଧ୍ୟ କରୁଛନ୍ତି । ବାନପ୍ରସ୍ଥ କଲାପରି କରୁଛନ୍ତି-। ଗତ ତିନିବର୍ଷ ହେଲା ପ୍ରଧାନତଃ ଆପଣା ଉପରେ ନିର୍ଭର କରି ଅର୍ଥାତ୍ ଆପଣାକୁ ପୂର୍ଣ୍ଣ ଭାବରେ ସମ୍ମତ ଓ ସମର୍ପିତ କରି ରଖି ସିଏ ଆପଣାର ଅସଲ ଘରଟିକୁ ତିଆରି କରିଛନ୍ତି । ତାଙ୍କର କଥା, କାର୍ଯ୍ୟ ଓ ମୁଖମଣ୍ଡଳ ଆଡ଼କୁ ଦୃଷ୍ଟିପାତ କଲା ବେଳକୁ ମନେ ହେଉଛି, ସତେ ଯେପରି ଏହି ଘରଟିକୁ ଆସିହିଁ ସିଏ ଆପଣା ଲାଗି ଅସଲ ଶରଣଟିକୁ ପାଇ ପାରିଛନ୍ତି । ଦହମୁଣ୍ଡା ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପ୍ରାୟ ଶହେ ଜଣ ପିଲା । ଦୁଇ ଓଳି ସ୍କୁଲ ହୁଏ । ମଝିରେ ପିଲାମାନେ ଖାଇବା ସକାଶେ ଘରକୁ ଯାଆନ୍ତି । ଏହି ଜାଗାଟି ଆଗେ ଗାଆଁର ଅନାବାଦୀ ଜମି ହୋଇ ରହିଥିଲା-। ଏବେ ସେଠାରେ ଫୁଲ ଫୁଟିଲାଣି, ଚାଷ ହେଲାଣି । ପ୍ରଥମେ ଧାଡ଼ିଏ ଘର ତିଆରି ହୋଇଥିଲା । ଏ ବର୍ଷ ବାତ୍ୟାରେ ତାହାର ଛପର ଉଡ଼ି ଗଲାପରେ ପୁନର୍ବାର ନୂଆଛପର ଉଠିଲା-। ସ୍ଥାୟୀ ଘର ସକାଶେ ଖୁଣ୍ଟସବୁ ପୋତାଗଲାଣି । ଶିକ୍ଷକମାନେ ସମସ୍ତେ ସ୍କୁଲରେ ରହନ୍ତି । ଅଭାବ ଅନେକ । ତଥାପି ସମସ୍ତ ପରିବେଶଟିରେ ଭାବମୟତା ପୂରି ରହିଛି । ଖଣ୍ଟିଆସବୁ ପୂରିପୂରି ଆସୁଛି । ନୂଆ ନୂଆ ଗଛ ଲାଗୁଛି ।

 

ଉପରଓଳି ଦହମୁଣ୍ଡାର ଅପା ଓ ଭାଇମାନଙ୍କ ସହିତ ମୁଁ ଆରୁହାବୃତ୍ତି ଆସିଲି । ମାତ୍ର କେଇ ମିନିଟ୍‍ର ଚଲାବାଟ । ଡାହାଣ ପଟକୁ ସୁବର୍ଣ୍ଣରେଖା ନଦୀ । ନଦୀକଣ୍ଡିଆରେ ଶୀତଦିନର ନାନା ଫସଲ ଆଖିକୁ ପ୍ରସନ୍ନ କରି ଦେଉଥାଏ । ଆରୁହାବୃତ୍ତି ହେଉଛି ଖରିଦଚକ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସଂପ୍ରସାରିତ ଦ୍ଵିତୀୟ ବିଦ୍ୟାଳୟ । ଖରିଦଚକ ଗାଆଁରେ ୧୯୭୮ରେ ଶ୍ରୀଅରବିନ୍ଦଙ୍କର ପବିତ୍ର ଦେହାବଶେଷ ପ୍ରସ୍ଥାପିତ ହେବା ପରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଆରମ୍ଭ ହୋଇଥିଲା । ପାଖରେ ଥିବା ଆରୁହାବୃତ୍ତି ଗାଆଁରେ ବିଦ୍ୟାଳୟ ନିମନ୍ତେ ଏକ ସ୍ଥାୟୀ ସ୍ଥାନ ଠାବ ହୋଇ ସାରିବା ପରେ ଏହି ଦ୍ଵିତୀୟ ପର୍ଯ୍ୟାୟରେ କେନ୍ଦ୍ରଟି ଗଢ଼ିଉଠିବା ପର୍ଯ୍ୟନ୍ତ କେତେ କ’ଣ ଘଟିଯାଇଛି । କଚେରୀକୁ ଯିବାକୁ ପଡ଼ିଛି, ମାଡ଼ ଖାଇବାକୁ ପଡ଼ିଛି,– ଏବେ ମଧ୍ୟ ସଂଘାତର ସଂପୂର୍ଣ୍ଣ ବୃତ୍ତଟି ଶେଷ ହୋଇନାହିଁ । ତଥାପି ବନ୍ଧୁମାନଙ୍କ ବିଶ୍ଵାସ ଏବଂ ସଂକଳ୍ପହିଁ ଜୟଲାଭ କରିଛି-। ସେମାନେ ନିଜ ହାତରେ ମାଟି ଭାଙ୍ଗି ହୃଦୟକୁ ପ୍ରସାର ଆଣି ଦେବା ଭଳି ଉଦ୍ୟାନଘରଟିଏ ତିଆରି କରି ପାରିଛନ୍ତି । ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରାଥମିକ କ୍ଲାସଗୁଡ଼ିକ ଖରିଦଚକରେ ହୁଏ ଏବଂ ଉପରର କେତୋଟି ଶ୍ରେଣୀ ଏଠି ଆରୁହାବୃତ୍ତିରେ ହୁଏ । କ୍ରମଶଃ ଛାତ୍ରାବାସ ମଧ୍ୟ ହେବ, ପୋଖରୀଟିଏ ଖୋଳାଯିବ । ଯେଉଁଠି କୌଣସି ଅନୁଷ୍ଠାନରେ ସ୍ଵୟଂ ମଣିଷମାନେହିଁ ଖୁଣ୍ଟ ହୋଇ ରହିଥାନ୍ତି, ସେଠି ଅନୁଷ୍ଠାନର ସବଳ ହୃଦୟଟି ମଧ୍ୟ ଆଖିକୁ ଜଳଜଳ ହୋଇ ଦିଶି ଯାଉଥାଏ । ଖରିଦଚକରେ ସମସ୍ତେ ସାଧକ, ସମସ୍ତେ ଶିକ୍ଷକ,– ତେଣୁ ସମସ୍ତେ ନିମିତ୍ତ । ସେମାନେ ପରସ୍ପରର ବନ୍ଧୁ, ଏକ ଅନ୍ୟ ଭବିଷ୍ୟ ଲାଗି ସତେଅବା ଏକ ଅପ୍ରତିହତ ଜିଦ୍ ଧରି ଏକାଠି ହୋଇଛନ୍ତି । ଯାହାକିଛି ଗଢ଼ିବେ, ତାହାକୁ ପବପବ କରି ଏକାବେଳକେ ତଳୁ ଗଢ଼ି ଠିଆ କରାଇବେ ବୋଲି ସଂକଳ୍ପ କରିଛନ୍ତି । କଷ୍ଟ ଅନେକ ରହିଛି, ମାତ୍ର ଲକ୍ଷ୍ୟଗୁଡ଼ିକ ଅନ୍ତରର ନିଷ୍ଠା ଲାଗି ଅତ୍ୟନ୍ତ ସ୍ପଷ୍ଟ ହୋଇ ରହିଥିବାରୁ ସତେଅବା ଇଷ୍ଟସାଧନର ପ୍ରେରଣା ଦେଉଛି ।

 

ଏହି ଆରୁହାବୃତ୍ତିରେ ଆମର ଅଢ଼େଇଦିନିଆ ଶିକ୍ଷକ-ଶିବିର ହେଲା । ଦହମୁଣ୍ଡା, ଖରିଦଚକ ଏବଂ ଗୋପୀନାଥପୁରର ଶିକ୍ଷକମାନେ ଏଥିରେ ଯୋଗ ଦେଇଥିଲେ । ଆଗରୁ କାର୍ଯ୍ୟକ୍ରମଟିଏ ତିଆରି ହୋଇଥିଲା; ସେହି ଅନୁସାରେ ତିନୋଟିଯାକ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ସମ୍ମୁଖୀନ ହେବାକୁ ପଡ଼ୁଥିବା ଶିକ୍ଷାଗତ ପ୍ରକୃତ ସମସ୍ୟାଗୁଡ଼ିକର ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଓଡ଼ିଆ, ଇଂରାଜୀ, ଗଣିତ, ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନ,– ଏହି ପ୍ରତ୍ୟେକଟି ବିଷୟକୁ କିଏ କିପରି ଭାବରେ ଶିକ୍ଷା ଦେଉଛନ୍ତି, ତଦ୍ଦ୍ୱାରା ପ୍ରଧାନତଃ କେଉଁସବୁ ପ୍ରତିକୂଳତା ରହିଯାଉଥିବା ପରି ଅନୁଭୂତ ହେଉଛି, ପିଲାମାନେ ପଠିତ ବିଷୟଗୁଡ଼ିକୁ କିପରି ଭାବରେ ଗ୍ରହଣ କରି ପାରୁଛନ୍ତି କି ନାହିଁ ଏବଂ ସର୍ବୋପରି, ଆମର ଆଚରିତ ନୂତନ ପଦ୍ଧତିଗୁଡ଼ାକ ସଂପୃକ୍ତ ସମସ୍ତଙ୍କ ମଧ୍ୟରେ ଏକ ନୂତନ ଜୀବନାନୁରାଗ ଲାଗି ଅନୁକୂଳ ଆଭିମୁଖ୍ୟଗୁଡ଼ିକୁ ସୃଷ୍ଟି କରି ପାରୁଛନ୍ତି କି ନାହିଁ, ଏହିସବୁ ବିଷୟରେ ମତର ଆଦାନ ପ୍ରଦାନ ହୋଇଥିଲା । ପୂର୍ଣ୍ଣାଙ୍ଗ ଶିକ୍ଷାର ଯାବତୀୟ ପ୍ରସ୍ଥ ବିଷୟରେ ଏହି ଆଲୋଚନାଗୁଡ଼ିକର ମାଧ୍ୟମରେ ଆମକୁ କେତେ ଭଳି ସ୍ପର୍ଶ ମିଳି ଯାଉଥିବା ପରି ମନେ ହେଉଥିଲା ଏବଂ ସେହି ସ୍ପର୍ଶଗୁଡ଼ିକୁ ପାଉଥିବା ସଂଗେସଂଗେ ଆମେ ପରସ୍ପରର ଅଧିକ ନିକଟବର୍ତ୍ତୀ ହୋଇ ଆସୁଥିବା ପରି ଅନୁଭବ କରୁଥିଲୁ । ପୂର୍ଣ୍ଣାଙ୍ଗ ଶିକ୍ଷା ଭିତରେ ସକ୍ରିୟ ଭାବରେ ରହିଥିବା ଆମେ ସମସ୍ତେ ଯେ ଗୋଟିଏ ଅନୁରାଗରେ ବାନ୍ଧିହୋଇ ରହିଛୁ, ସେହିପରି ଏକ ପ୍ରେରଣାଗତ ବୋଧହିଁ ଆମକୁ ପରସ୍ପରର ଅଧିକ ନିକଟବର୍ତ୍ତୀ କରି ଆଣୁଥିଲା ।

 

ତିନିଦିନ ପରେ ମୁଁ ଆରୁହାବୃତ୍ତିରୁ ଗୋପୀନାଥପୁର ବାହାରିଲି । ପୂର୍ବ ଦିଗରେ ସୂର୍ଯ୍ୟ ଉଠି ଆସୁଥାନ୍ତି । ଗୋପୀନାଥପୁର ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଅଧ୍ୟକ୍ଷ ଶ୍ରୀ ଭଗବାନ ପାତ୍ର ଓ ମୁଁ ଦୁଇଖଣ୍ଡି ସାଇକେଲରେ ଆଗ ନଦୀବନ୍ଧ ଦେଇ ତା’ପରେ ଭୋଗରାଇର ପ୍ରସିଦ୍ଧ ଭୂଆବନ୍ଧକୁ ଆସିଲୁ ଓ ସର୍ବମୋଟ ପ୍ରାୟ ବାର ତେର କିଲୋମିଟର ବାଟ ପାର ହୋଇ ଗୋପୀନାଥପୁରରେ ପହଞ୍ଚିଲୁ ।

 

ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷା–ଆନ୍ଦୋଳନରେ ଇତିହାସରେ ଖରିଦଚକ ପରି ଗୋପୀନାଥପୁର ମଧ୍ୟ ଏକ ବିଶେଷତା ରହିଛି । ପ୍ରାୟ ଛଅ ବର୍ଷ ତଳେ ସ୍ଥାନୀୟ ମାଇନର ସ୍କୁଲରେ ସମୟକୁ ଦୁଇବାଣ୍ଟ କରି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଟିଏ ଆରମ୍ଭ ହୋଇଥିଲା । ସକାଳେ ପୂର୍ଣ୍ଣାଙ୍ଗ ଶିକ୍ଷାର ଚାଟଶାଳୀ ବସୁଥିଲା, ଓ ତା’ପରେ ଦିନ ଦଶଟାରୁ ମାଇନର ସ୍କୁଲର ଅନ୍ୟ ସମାଗମଟି ଆରମ୍ଭ ହେଉଥିଲା । ବର୍ତ୍ତମାନ ମାଇନର ସ୍କୁଲ ବଡ଼ ହୋଇ ଗୋଟିଏ ହାଇସ୍କୁଲରେ ପରିଣତ ହେଲାଣି । ମୂଳ ହତାଟିରୁ ପ୍ରାୟ ଏକ–ତୃତୀୟାଂଶକୁ ଅଲଗା କରି ସେହିଠାରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଚାଲିଛି । ଏବର୍ଷ ସ୍କୁଲ ପ୍ରଥମକରି ପିଲାମାନଙ୍କୁ ସପ୍ତମଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ପଠାଇବ । ସେହି ବିଦ୍ୟାଳୟର ଦୁଇଦିନ ରହି ମୋର ମନେହେଲା, ସ୍ଥାନୀୟ ଅଭିଭାବକମାନେ ସତେ ଯେପରି ଏହି ବର୍ଷର ସେହି ପରୀକ୍ଷାଟିକୁ ଅନାଇ ରହିଛନ୍ତି । ସେହି ଘାଟିଟିକୁ ପାରି ହେବା ସକାଶେ ବିଦ୍ୟାଳୟର ଶିକ୍ଷକମାନେ ଆବଶ୍ୟକ ପ୍ରଚେଷ୍ଟା ଆରମ୍ଭ କରି ଦେଲେଣି । ସେଠାରେ ଦୁଇଦିନଯାକ ମୁଁ ପିଲାଙ୍କର କ୍ଲାସ ନେଲି, ଶିକ୍ଷକମାନଙ୍କ ସହିତ ଏକାଠି ବସି ପିଲାମାନଙ୍କ ବିଷୟରେ ଆଲୋଚନା ହେଲା । ଗୋପୀନାଥପୁର ଗାଆଁରେ ମଧ୍ୟ ଶ୍ରୀଅରବିନ୍ଦଙ୍କର ପବିତ୍ର ଦେହାବଶେଷ ସ୍ଥାପିତ ହୋଇଛି-। ସେହି ଉପସ୍ଥିତିର ପ୍ରେରଣା ପ୍ରତିକୂଳ ପବନଗୁଡ଼ାକୁ କାଟି କାଟି ଚାଲିଛି, ବିଦ୍ୟାଳୟ ସହିତ ସଂପୃକ୍ତ ବନ୍ଧୁମାନଙ୍କୁ ଅଧିକ ବଳ ଦେଉଛି, ଅଧିକ ନମନୀୟ ଅର୍ଥାତ୍ ପରସ୍ପରର–ନିର୍ଭରଶୀଳ କରି ଶିଖାଉଛି ।

 

ଭୋଗରାଇରେ ମୋର କଟାଇଥିବା ସବା ଶେଷଦିନ ଗୋପୀନାଥପୁରରୁ କାନ୍ଥିଭଉଁରୀ ଯାତ୍ରା । ଭଗବାନ ଓ ମୁଁ ସକାଳୁ ଦୁଇଟି ସାଇକେଲରେ ପୂର୍ବଦିଗକୁ କାକରମଡ଼ା ହୋଇ ବାହାରିଲୁ-। କାନ୍ଥିଭଉଁରୀ ଭଗବାନର ନିଜ ଗାଆଁ । ତେଣୁ ତାଙ୍କରି ଘରେ କୁଣିଆ ହେଲି । ଅଞ୍ଚଳଟାଯାକ ବାଲିବନ୍ତରେ ପୂରିଛି । ବେଳେବେଳେ ମନେ ହେଉଛି, ସତେ ଯେପରି ଏହି ଅଞ୍ଚଳରେ ସବାଆଗ ପାନବରଜମାନେହିଁ ରହିଥିଲେ ଓ ସେଇଥିରେ କାମ କରିବା ଲାଗି ପରେ ମଣିଷମାନେ ଆସି ଏଠାରେ ପହଞ୍ଚିଲେ । ଦୂରରୁ ହଠାତ୍ ଅନାଇଦେବା ବେଳକୁ ପାନବରଜମାନେ ସତେଅବା ଅତୀତର କେଉଁ ପ୍ରାଗୈତିହାସିକ କାଳର ଧୂସର ଓ ବାହୁହୀନ ଭଗ୍ନାବଶେଷ ପରି ମନେ ହୁଅନ୍ତି । ଗାଧୁଆବେଳେ ଆମେ ବାଲିଗୁଡ଼ାକୁ ଅତିକ୍ରମ କରି ସମୁଦ୍ରମଡ଼ା ହେବାକୁ ମଧ୍ୟ ଯାଇଥିଲୁ । ଉପରଓଳି ସ୍ଥାନୀୟ ମାଇନର ସ୍କୁଲରେ ଅଭିଭାବକ ତଥା ଅନ୍ୟମାନଙ୍କର ଏକ ସଭା ଡକା ଯାଇଥିଲା । ସଭା ପରେ ଆଖପାଖ ଗାଆଁର ମୁଖ୍ୟ କେତେଜଣ ବ୍ୟକ୍ତି ଏହିଠାରେ ଯଥାଶୀଘ୍ର ଗୋଟିଏ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଆରମ୍ଭ କରିବା ବିଷୟରେ ମଧ୍ୟ ପ୍ରାରମ୍ଭିକ ଚର୍ଚ୍ଚା କରିଥିଲେ । ଏଥିଲାଗି ଗାଆଁ ମୁଣ୍ଡରେ ଉପଯୁକ୍ତ ସ୍ଥାନଟିଏ ଚିହ୍ନିଟ ହୋଇସାରିଛି । ଉତ୍ସାହୀ ତରୁଣମାନେ ପ୍ରସ୍ତୁତିମୂଳକ ପଦକ୍ଷେପମାନ ଗ୍ରହଣକଲେ, ଅର୍ଥର କଦାପି ଅଭାବ ହେବନାହିଁ ବୋଲି ଗୁରୁଜନମାନେ ମତ ଦେଲେ । କାନ୍ଥିଭଉଁରୀ ପାଠଚକ୍ର ୧୯୭୨ ମସିହାରୁ ଗଠିତ ହୋଇଥିବା ଏକ ପୁରାତନ ସଂସ୍ଥା । ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଦାୟିତ୍ଵ ଗ୍ରହଣ କରି ଏଥର ତାହା ପୁନରୁଜ୍ଜୀବନ ଲାଭ କରିବ । ତା’ ଆରଦିନ ସକାଳେ ଫେରନ୍ତା ପଥରେ ଚନ୍ଦନେଶ୍ଵର ଆସୁ ଆସୁ ଶଙ୍ଖାରି ଗାଆଁ ପଡ଼ିଲା-। ଶଙ୍ଖାରି ବନ୍ଧୁ ଶ୍ରୀ ମନୋଜ ଦାସଙ୍କର ଗାଆଁ । ତାଙ୍କ ଘରକୁ ଗଲି । ସେଠାରେ ତାଙ୍କର ଆତ୍ମୀୟମାନଙ୍କ ସହିତ ସକଳ କଥାବାର୍ତ୍ତାରେ ଆମେ ସମସ୍ତେ ସତେଅବା ମନୋଜ ବାବୁହିଁ ଅତ୍ୟନ୍ତ ଜଳଜଳ ହୋଇ ଦିଶି ଯାଉଥିବାର ଅନୁଭବ କରୁଥିଲୁ । ପଣ୍ଡିଚେରୀରେ ଶ୍ରୀଅରବିନ୍ଦ ଆଶ୍ରମ ଶଙ୍ଖାରି ଗାଆଁଠାରୁ ଆଦୌ ଦୂର ନୁହେଁ ବୋଲି ଅନ୍ତର ଭିତରେ ଲାଗି ରହିଥିବା ଖିଅଗୁଡ଼ିକ କେଡ଼େ ନିର୍ଭରର ସହିତ କହିଦେଇ ଯାଉଥିଲେ ।

 

ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସଂଖ୍ୟା ଏବେ ପଚାଶକୁ ଟପିଲାଣି । ବାହାରକୁ ରାଜ୍ୟର ନାନା ଅଞ୍ଚଳରେ ବିକ୍ଷିପ୍ତ ହୋଇ ରହିଥିଲେ ମଧ୍ୟ ଏହି କେନ୍ଦ୍ରଗୁଡ଼ିକ ଗୋଟିଏ ନିୟତିରେ ଛନ୍ଦାହୋଇ ରହିଛନ୍ତି । ସେହି ଛନ୍ଦାହୋଇ ରହିଥିବାର ସତ୍ୟଟିହିଁ ଆମ ସମସ୍ତଙ୍କୁ ଅସଲ ବଳ ଆଣି ଦେଉଛି । ଆମକୁ ପରସ୍ପରର କେତେ ନିକଟବର୍ତ୍ତୀ କରି ରଖିଛି, ପରସ୍ପର ପାଖରେ କେଡ଼େ ହାଲୁକା କରି ବି ରଖିଛି ।

 

ଜାନୁଆରୀ, ୧୯୮୫

Image

 

ବିଧି ଓ ବିଜ୍ଞାନ

 

ମଣିଷ ସମ୍ଭବତଃ ସବାଆଗ ବିଧିଗୁଡ଼ାକୁ ମାନୁଥିଲା । ସେତେବେଳେ ମଣିଷମାନେ ସାନ ସାନ ଗୋଷ୍ଠୀରେ ପରସ୍ପରଠାରୁ ପ୍ରାୟ ଅଲଗାହୋଇ ରହୁଥିଲେ । ଗୋଷ୍ଠୀ ଭିତରେ ଚଳପ୍ରଚଳ ହେବା ସକାଶେ ବିଧିଗୁଡ଼ିକର ଭିଆଣ କରା ଯାଇଥିଲା । କାଳକ୍ରମେ ସେହି ବିଧିଗୁଡ଼ିକ ମାନିବାକୁହିଁ ଧର୍ମ ବୋଲି କୁହାଗଲା । ଧର୍ମପାଳନ ନକଲେ ଅର୍ଥାତ୍‌ ବିଧିଗୁଡ଼ିକୁ ନମାନିଲେ ଦେବତାମାନଙ୍କର କୋପ ସହିବାକୁ ପଡ଼ିବ ବୋଲି ସତର୍କ ବାଣୀ ଶୁଣାଇ ନୀତିଶାସ୍ତ୍ରମାନ ଲେଖାଗଲା । ଆମ ଭାରତରେ ପ୍ରାଚୀନ କାଳରେ ଏହିପରି ନୀତିଶାସ୍ତ୍ର ଲେଖିଥିବା ପୁରୁଷମାନଙ୍କୁ ଋଷି ବୋଲି କୁହାଯାଇଛି । ତା'ପରେ ସେହି ନୀତିଶାସ୍ତ୍ରର ନିୟମଗୁଡ଼ାକୁ ମାନିବାକୁହିଁ ସଂସ୍କାର ବୋଲି କୁହାଗଲା । ସଂସ୍କାରଗୁଡ଼ାକୁ ଅତିରଞ୍ଜିତ କରି ବିଧିବାଦୀ ମଣିଷ କାଳକ୍ରମେ ତାହାକୁହିଁ ସଂସ୍କୃତି ବୋଲି କହିଲା । ଆପଣା ସଂସ୍କୃତି ସହିତ ଅଭ୍ୟସ୍ତ ହୋଇ ରହିଥିବା ମଣିଷ ମମତାରେ ପଡ଼ି କେବଳ ତାକୁ ହିଁ କ୍ରମେ ଏକମାତ୍ର ସଂସ୍କୃତି ବୋଲି କହିବାକୁ ପ୍ରଲୁବ୍ଧ ହେଲା । ତେଣୁ ଅନ୍ୟମାନଙ୍କର ଅର୍ଥାତ୍‌ ଅନ୍ୟଗୋଷ୍ଠୀଗୁଡ଼ିକର ସଂସ୍କୃତିକୁ ଅପସଂସ୍କୃତି ଅଥବା ଅସୁର ସଂସ୍କୃତି ବୋଲି ସେ କହିଲା । ସୁର ଓ ଅସୁରଙ୍କ ମଧ୍ୟରେ ହୋଇଥିବା ପୁରାଣବର୍ଣିତ ଯୁଦ୍ଧଗୁଡ଼ାକ ହୁଏତ ଭଲ ଓ ମନ୍ଦ ଭିତରେ ଯୁଦ୍ଧ; ଦୁଇ ଗୋଷ୍ଠୀ ବିଧିବାଦୀମାନଙ୍କ ଭିତରେ ରହିଥିବା ପାରସ୍ପରିକ ନିନ୍ଦୁକତାର ପ୍ରତିଫଳିତ ଏକ କାହାଣୀ ।

 

ବିଧିବାଦୀମାନେ ବିଧିଗୁଡ଼ିକର ଗାମ୍ଭୀର୍ଯ୍ୟ ବୃଦ୍ଧି କରିବା ପାଇଁ କ୍ରମେ ପାପ ଓ ପୁଣ୍ୟର କଳ୍ପନାକୁ ଆଣିଲେ । ବିଧିଗୁଡ଼ିକ ମାନିବା ପୁଣ୍ୟ, ନମାନିବା ପାପ; ପୂଣ୍ୟରୁ ପୁରସ୍କାର, ପାପରୁ ଦଣ୍ଡଭୋଗ । ପୁରସ୍କାରର ଚରମ କଳ୍ପ‌ନା ହେଉଛି ସ୍ଵର୍ଗରେ ଅଖଣ୍ଡ ସୁଖ ଲାଭ କରିବାର କଳ୍ପନା ଏବଂ ନରକ ହେଉଛି ତା'ର ଏକ ବିପରୀତ ପରିଣତି । ସ୍ଵର୍ଗ ଓ ନରକର ଭୟବିଧାନ ଇହସଂସାରରେ ମଣିଷକୁ ବିଧିବଶ ଅର୍ଥାତ୍‌ ବାଧ୍ୟ କରି ରଖିବାରେ ହୁଏତ ଭାରି ସାହାଯ୍ୟ କରିଛି । ବିଧିଗୁଡ଼ାକ ପ୍ରବଳ ହେବାପରେ କେତେକ ମଣିଷଙ୍କର ଅନ୍ତରାତ୍ମା ସେଗୁଡ଼ାକ ବିରୁଦ୍ଧରେ ବିଦ୍ରୋହ କରିଛନ୍ତି । ହୁଏତ ସେଇଥିରୁ ବିଜ୍ଞାନ-ଦୃଷ୍ଟିର ଉନ୍ମେଷ ହୋଇଛି । ମଣିଷ କେବଳ ମାନିବାକୁ ଚାହେନାହିଁ, ସିଏ କିଛି ହେବାକୁ ଚାହେଁ । କିଛି ହେବାକୁ ଚାହିବାର ବ୍ୟାକୁଳତା ଯେତେବେଳେ ତା' ଜୀବନର ସର୍ବପ୍ରଧାନ ବ୍ୟାକୁଳତାରେ ପରିଣତ ହେବାକୁ ଆରମ୍ଭ କରେ, ସେତେବେଳେ ସିଏ ଆପଣା ଲାଗି ଆପଣା ଭିତରୁ କେତେକ ବିଧି ବା ସଂସ୍କାରର ଉଦ୍ଭବ ଘଟାଏ । ତାହାକୁ ସିଏ ଶୃଙ୍ଖଳାବୋଲି କହେ । ବିଧିସର୍ବସ୍ଵ ତଥାକଥିତ ଶୃଙ୍ଖଳାମାନ ସଂସାରରେ ଅଧିକାଂଶ କ୍ଷେତ୍ରରେ ମଣିଷକୁ ନାନାବିଧି ଶୃଙ୍ଖଳରେ ବାନ୍ଧି ରଖିଛି । ମାତ୍ର ମଣିଷ ଭିତରେ ଏପରି ଏକ ଉପାଦାନ ମଧ୍ୟ ରହିଛି, ଯାହାକି ତାକୁ ବାହାରର କୌଣସି ପ୍ରକାରର ପ୍ରକ୍ଷେପଣ-ସଂସ୍କାରକୁ ନମାନି ଆପଣାର ଅନୁଭବକୁ ସାଙ୍ଗକରି କ୍ରମଶଃ ଉନ୍ମୋଚିତ ହେବାଲାଗି ପ୍ରେରଣା ଦେଇଛି । ହୁଏତ ଏହି ପ୍ରେରଣାହିଁ ମନୁଷ୍ୟକୁ ଏକ ବିଜ୍ଞାନ-ଚକ୍ଷୁ ଯୋଗାଇ ଦେଇଛି । ମଣିଷ ଆପଣା ଭିତରୁ ଆପଣାର ଅସ୍ତିତ୍ଵଧର୍ମର ଅସଲ ସତ୍ୟଗୁଡ଼ିକୁ ଆବିଷ୍କାର କରିଛି । ବାହାର ତଥା ଭିତର ମଧ୍ୟରେ ଏକ ସଂଯୋଜନ ସମ୍ଭବ କରି ପାରିଛି ଏହି ଅନ୍ତରନ୍ଵେଷଣକାରୀ ମଣିଷ । ଏହି କ୍ରମୋଦୟକାହାଣୀର କ୍ରମରେ ସେ ଏହି ରହସ୍ୟୋଦ୍‍ଘାଟନର ସୋପାନକୁ ଆସି ଉପନିଷଦର ଭାଷାରେ ଏକାଧାରରେ ସେହି ଏକ ପରମ ପୁରୁଷସତ୍ୟକୁ (ତେଜୋମୟଃ ଅମୃତମୟଃ ପୁରୁଷଃ ସର୍ବାନୁଭୂଃ) ଆକାଶରେ (ଅସ୍ମିନ ଆକାଶେ) ତଥା ଆପଣାର ଆତ୍ମାରେ (ଅସ୍ମିନ ଆତ୍ମନି) ଅନୁଭବ-ପ୍ରତ୍ୟକ୍ଷ କରିଥିବାର ଉଚ୍ଚାରଣ ମଧ୍ୟ କରିଛି । ସେହି ଉପନିଷଦରେ ସିଏ ଅନ୍ନକୁ ପ୍ରାଣ, ମନ ତଥା ବିଜ୍ଞାନର ଖିଅ ଦେଇ ଆନନ୍ଦ ସହିତ ଯୋଡ଼ିଛି-। ଅନ୍ନଠାରୁ ପ୍ରାଣ, ମନ ଓ ବିଜ୍ଞାନ ଦେଇ ଆନନ୍ଦ ସମେତ ଏକତ୍ର କରି ଅର୍ଥାତ୍‌ ସମଗ୍ର କରି ଦେଖିବାକୁ ହିଁ ସିଏ ବ୍ରହ୍ମଦର୍ଶନ ଅର୍ଥାତ୍‌ ସତ୍ୟଦର୍ଶନ ବୋଲି ଘୋଷଣା କରିଛି ।

 

ଶିକ୍ଷା ଦ୍ଵାରଗୁଡ଼ାକୁ ଖୋଲେ, ପାଚେରୀ ଗୁଡ଼ାକୁ ଘେରାଇ ଆଣି ମଣିଷକୁ ମୁହଁମଡ଼ା କରି ରଖିବାକୁ ବାଧ୍ୟ ବା ବୋଲକରା କରି ରଖିବାକୁ କୌଣସି ଚେଷ୍ଟା କରେ ନାହିଁ । ବିଜ୍ଞାନର ମଧ୍ୟ ଅନେକ ବିଧି ରହିଥାଏ, ମାତ୍ର ସେହି ବିଧି ଅନୁଭବକୁ ମୂଳ କରି ଧରିଥାଏ । ଅନୁଭବର ଗନ୍ତାଘର ଗୁଡ଼ାକୁ ଅଧିକରୁ ଅଧିକ ସକାରାତ୍ମକ ଭାବରେ ଉଖାରି ଦେବା,– ତାହାହିଁ ଯାବତୀୟ ବିଜ୍ଞାନ ଶିକ୍ଷାର ମୂଳ ସୂତ୍ର ଓ ମୂଳ ଆଭିମୁଖ୍ୟ ହୋଇ ରହିପାରିବା ଉଚିତ । ବୟସ୍କମାନଙ୍କର ଅଧିକାଂଶ ଶାସ୍ତ୍ର ଓ ଅଧିକାଂଶ ବାକ୍ୟ ସାଧାରଣତଃ ପିଲାମାନଙ୍କୁ ବିଧି ପାଖରେହିଁ ଅଟକାଇ ରଖିବାର ଫନ୍ଦି କରୁଥାଏ-। ବିଧି ମାନୁ ମାନୁ ବିଧିଗୁଡ଼ାକ ଯେ ଅତିକ୍ରମ କରି ହୋଇଯାଏ ଏବଂ ବିଧିକୁ ଅତିକ୍ରମ କଲେ ମନୁଷ୍ୟ ବିଜ୍ଞାନର ଏକ ଅନ୍ୟ ଉର୍ଦ୍ଧ୍ଵରେ ଅଥବା ଅନ୍ୟ ଗଭୀରରେ ଯାଇ ପ୍ରବେଶ କରେ, ଜୀବନ ଲାଗି ଏକ ସ୍ଥାୟୀ ଔଚିତ୍ୟର ଆବିଷ୍କାର କରେ, ବିଧିବାଦୀମାନେ ହୁଏତ ସେକଥା ଭାବିବାକୁ ମଧ୍ୟ ଭୟ କରିଥାନ୍ତି । ବିଜ୍ଞାନର ବୃତ୍ତ ଭିତରକୁ ପଶିଲେ ବିଧିର ଗାର ଗୁଡ଼ାକ କାଳେ ପରିତ୍ୟକ୍ତ ହୋଇ ରହିଯିବ ଓ ତେଣୁ ମଣିଷକୁ ବାଧ୍ୟ ଏବଂ ଅନୁଗତ କରି ବାନ୍ଧି ରଖିଥିବା ବ୍ୟବସ୍ଥା ଗୁଡ଼ାକ ଭଣ୍ଡୁର ହୋଇଯିବ, ବିଧିବାଦୀ ଏହିପରି ଏକ ଭୟ ମଧ୍ୟରେହିଁ ବିଚରଣ କରିବାକୁ ବାଧ୍ୟ ହୋଇଥାଏ ।

 

ଆମର ନୂତନ ବିଦ୍ୟାଳୟମାନଙ୍କରେ ଆମ ପିଲାଏ ବିଧିଗୁଡ଼ାକୁ ମାନିବେ ନା ବିଜ୍ଞାନର ଆକାଂକ୍ଷା ରଖିବେ ? ବିଦ୍ୟାଳୟରେ ରହିଥିବା ଆମେ ବୟସ୍କମାନେ ପିଲାମାନଙ୍କର ଆଖିକୁ ନାନା ବିଧିର ସତେଅବା ଗୋଟାଏ ଗୋଟାଏ ବିଣ୍ଡୁଳା ପରି ଦିଶୁଥିବା ନା ବିଜ୍ଞାନକୁ ଅର୍ଥାତ୍‌ ଅନୁଭବକୁ ଆଖିକରି ବାଟ ଚାଲୁଥିବା ଜଣେ ଜଣେ ଶ୍ରଦ୍ଧାବାନ୍‌ ମଣିଷପରି ଦିଶୁଥିବା ? କଥାଗୁଡ଼ିକୁ ଗୋଟିଏ ସୂତାରେ ଏକାଠି ବଳିଆଣି କହିଲେ, ଆମର ଶିକ୍ଷା ଧର୍ମତଃ ବିଧିମୂଳ ହେବ ନା ଅନୁଭବମୂଳ ହେବାର ଆକାଙ୍‍କ୍ଷା ରଖିବ ? ଉଦ୍‌ଘାଟନ ଏବଂ ଉନ୍ମୋଚନ, ଅନୁଭବ ଏବଂ ଅଭିବୃଦ୍ଧି ଯଦି ଆମର ଶିକ୍ଷାପ୍ରୟାସର ମୂଳ ଆକାଂକ୍ଷା ହୋଇଥାଏ, ତେବେ ଆମର ଯାବତୀୟ କାର୍ଯ୍ୟକ୍ରମରେ ବିଧି ପଛରେ ରହିବ, ବିଜ୍ଞାନ ସବା ଆଗରେ ରହିବ, ବାଧ୍ୟ କରିବା ପଛରେ ରହିବ, ସଖ୍ୟ ଦେବାହିଁ ସବା ଆଗ ରହିଥିବ । ଉଦାହରଣସ୍ଵରୂପ, ଦାନ୍ତକୁ ଚିପି ଧରି ଝାଡ଼ା ବସିଲେ ଦାନ୍ତଗୁଡ଼ାକ ମଜଭୁତ ରହିବ, ସକାଳୁ କୁଳୁକୁଞ୍ଚା ପାଣିକୁ ପାଟି ଭିତରେ ରଖି ଆଖିକୁ ଏତେଥର ପାଣି ଛାଟିଲେ ଦୃଷ୍ଟିଶକ୍ତି ସବଳ ରହିବ, ପିଲାମାନଙ୍କୁ କେବଳ ଏତିକି କହି କାମ ସାରିଦେଲେ ତଦ୍ଦ୍ୱାରା ସେମାନଙ୍କର କିଛି ଉପକାର ଅବଶ୍ୟ ହେବ ସତ, ମାତ୍ର ଆମର ଶିକ୍ଷା ବିଧିସର୍ବସ୍ଵ ହୋଇ ରହିଯିବ । ଏତିକି ଭିତରେ ରହିଗଲେ ଆମେ ବିଜ୍ଞାନର ଗାରଟିକୁ ମୋଟେ ସ୍ପର୍ଶ କରିପାରିବା ନାହିଁ । ଯଦି ଏହା ହେବ, ତାହା କାହିଁକି ହେବ ? ଦାନ୍ତ ଚିପିଧରିବା ସହିତ ଝାଡ଼ା ବସିବାର କି ଶରୀରତତ୍ତ୍ଵଗତ ସମ୍ପର୍କ ରହିଛି ? ମୁହଁ ଭିତରେ ପାଣି କୁଳୁକୁଳୁ କରିବା ଏବଂ ଆଖିରେ ପାଣି ଛାଟିବା ମଧ୍ୟରେ କେଉଁ ସମ୍ବନ୍ଧଗତ ପ୍ରକ୍ରିୟା‌ଟି କାର୍ଯ୍ୟ କରୁଛି, ଯାହା ଫଳରେ କି ତାହା ଦୃଷ୍ଟିଶକ୍ତିକୁ ସବଳ ରଖିବାରେ ସହାୟକ ହୋଇ ପାରୁଛି ? ଆମକୁ ସେହି କଥା ଗୁଡ଼ିକୁ ମଧ୍ୟ ପିଲାମାନଙ୍କ ଆଗରେ କହିବାକୁ ହେବ । ଯଦି ଆମକୁ ଏତେ କଥା ମାଲୁମ ନଥାଏ, ତେବେ ଖୋଜିବାକୁ ପଡ଼ିବ । ଏହି ଖୋଜାଗୁଡ଼ାକ କୌଣସି କାରଣରୁ ବନ୍ଦ ହୋଇଗଲା ବୋଲି ଭାରତୀୟ ଆୟୁର୍ବେଦ ସପ୍ତମ ଅଷ୍ଟମ ଶତାବ୍ଦୀରେ ଯେତିକି ଥିଲା, ବିଂଶ ଶତାବ୍ଦୀରେ ମଧ୍ୟ ପ୍ରାୟ ସେତିକି ହୋଇ ରହିଲା । ଆୟୁର୍ବେଦମାନେ ବିଧିବିଶାରଦ ହେଲେ, ମାତ୍ର ବିଜ୍ଞାନୀ ହେବାକୁ ସାହସ କଲେ ନାହିଁ । ସେକାଳର ବିଜ୍ଞାନୀମାନଙ୍କୁ ଋଷି ବୋଲି କହି ବସ୍ତାନିଗୁଡ଼ାକରେ ଗଣ୍ଠି ପକାଇ ରଖିଲେ । ସେହି ବସ୍ତାନିଗୁଡ଼ିକ ଏବେ ଖୋଲୁ । ବେଳେବେଳେ ସଂଶୟୀ ମନ ପଚାରିବସେ, ଭାରତୀୟ ଆୟୁର୍ବେଦ ଚରକ ଓ ସୁଶ୍ରୂତଙ୍କ ପାଖରେ ଅଟକି ନରହି ମଧ୍ୟବର୍ତ୍ତୀ ଶତାବ୍ଦୀମାନଙ୍କରେ ଯଦି ପ୍ରଧାନତଃ ବିଜ୍ଞାନର ଆଖିନେଇ ଆପଣାକୁ ପରଖି ଥାଆନ୍ତା ଓ ନୂତନ ଅନୁଭବ ଦ୍ଵାରା ପୁଷ୍ଟ ହୋଇ ଆଗକୁ ଆଗକୁ ଗୋଡ଼ ପକାଇ ପାରିଥାଆନ୍ତା, ତେବେ ଆମେ ଇଉରୋପରୁ ଆମଦାନୀ ହୋଇ ଆସିଥିବା ଔଷଧ-ବିଜ୍ଞାନକୁ ଏପରି ଗ୍ଳାନିକର ଭାବରେ ଯାଇ କାମୁଡ଼ି ଧରିଥାନ୍ତୁ କି ? ଆଧୁନିକ ଭାରତବର୍ଷରେ ଯାବତୀୟ ବିଜ୍ଞାନ ଏଭଳି ଦୟନୀୟ ଭାବରେ ଭୂଇଁଛଡ଼ା ହୋଇ ରହିଥାଆନ୍ତା କି ?

 

ତେଣୁ ବିଜ୍ଞାନହିଁ ଅବଲମ୍ବନ ହେଉ । ଅନୁଭବକୁ ଭୂମିରୂପେ ସ୍ଵୀକାର କରାଯାଉ । ବିଧିମାନେ ବିଜ୍ଞାନର ଅନୁସରଣ କରନ୍ତୁ । ସମ୍ମୁଖକୁ ବାଟ ଖୋଲୁ । ଗଭୀରକୁ ବାଟ ଖୋଲୁ ।

 

ଫେବୃଆରୀ ୧୯୮୫

Image

 

ଅବସରକାଳର ବିନୋଦନ

 

ଆମ ପାରମ୍ପରିକ ସମାଜରେ ସାମନ୍ତମାନେ ଆପଣାଲାଗି ପର୍ଯ୍ୟାୟକ୍ରମେ ଚତୁର୍ବିଧ ଆଶ୍ରମର ବ୍ୟବସ୍ଥା ରଖିଥିଲେ । ପ୍ରଥମ ତିନି ଆଶ୍ରମରେ ଇହ-ସଂସାର ଅର୍ଥାତ୍‌ ଇହସଫଳତାକୁ ରାକସ୍ଥାନ ଦିଆ ଯାଇଥିଲା । ଗାର୍ହସ୍ଥ୍ୟାଶ୍ରମକୁ ଭୋଗ କରି ସାରିବା ପରେ ଯାଇ ବାନପ୍ରସ୍ଥ ବୋଲି ଏକ ଆଶ୍ରମର ପରାମର୍ଶ ନିର୍ଦ୍ଦେଶିତ ହୋଇ ରହିଥିଲା । ବୟସ ଗଡ଼ିସାରିଲେ ଯାଇ ବାନପ୍ରସ୍ଥର ବେଳ ଆସୁଥିଲା । ସେତେବେଳେ ଦୁଇଟାଯାକ ଗୋଡ଼ ଏହି ସଂସାର ସହିତ ଲାଗିଥିଲେ ମଧ୍ୟ ତଥାପି ଏକ ତୃତୀୟ ଗୋଡ଼ର ଭିଆଣ କରାଇ ସେପାଖ ତଥା ଅନ୍ତିମ ବେଳର ଚିନ୍ତା କରିବାଲାଗି କୁହାଯାଉଥିଲା । ଇହକାଳ ପରେ ଏକ ପରକାଳ ରହିଛି ବୋଲି ସଚେତନ ହେବାଲାଗି କୁହାଯାଇଥିଲା । ସ୍କୁଲ ପିଲାଙ୍କର କ୍ରମାନ୍ଵୟରେ ରହିଥିବା ତିନି ପିରିଅଡ଼୍ ପରି ଜୀବନର ବାଲ୍ୟ, ଯୌବନ ଓ ବାନପ୍ରସ୍ଥ ଲାଗି କବି ଓ ଯତି ଭର୍ତ୍ତୃହରି ଯଥାକ୍ରମେ ନୀତିଶତକ, ଶୃଙ୍ଗାର-ଶତକ ଏବଂ ବୈରାଗ୍ୟ-ଶତକ ନାମରେ ସତେଅବା ତିନିଖଣ୍ଡ ପାଠ୍ୟପୁସ୍ତକ ଲେଖି ଯାଇଥିଲେ । ତିନୋଟିଯାକ ଶତକର ପରସ୍ପର ପରସ୍ପର ସହିତ ହୁଏତ ଆଦୌ କୌଣସି ସମ୍ବନ୍ଧ ନଥିଲା । ତିନୋଟିଯାକ ଶତକର ପରସ୍ପର ପରସ୍ପର ସହିତ ସତେଅବା କୌଣସି ସମ୍ପର୍କ ନାହିଁ ବୋଲି ତତ୍କାଳୀନ ଯାବତୀୟ ନୈତିକତାରେ ସାଧାରଣତଃ ଗ୍ରହଣ କରି ନିଆଯାଉ ଥିବାରୁ ହିଁ ଏହି ତିନି ବର୍ଣ୍ଣର ତିନୋଟି ଜୀବନ ସକାଶେ ମୁନିମାନେ ତିନି ପ୍ରକାରର ଶତକ ବା ସୂତ୍ର ପ୍ରଣୟନ କରି ରଖିଥିଲେ ।

 

ଭଗବାନ ତୁମକୁ ସଂସାରକୁ ପଠାଇଛନ୍ତି;–ତୁମେ ଏହି ସଂସାରରେ ଚନ୍ଦ୍ରକଳା ପରି ବଢ଼ିବ, ବିଦ୍ୟା ପଢ଼ିବ, ଭଲକୁ ମନ୍ଦଠାରୁ ବାରି ଶିଖିବ, ଗୁଣ ଅର୍ଜନ କରିବ, ବୋଲ ମାନିବ, ସଂସାରରେ ପ୍ରବେଶ କରିବା ଲାଗି ଆବଶ୍ୟକ ଯାବତୀୟ, ଯୋଗ୍ୟତାକୁ ଅର୍ଜନ କରିବ । ସେତେବେଳେ ନୀତିଶତକହିଁ ତୁମର ସବୁଠାରୁ ଅଧିକ ଉପକାର ସାଧନ କରିବ । ତା'ପରେ କ୍ରମେ ବାଲ୍ୟ ଯିବ, ଯୌବନ ଆସିବ; ଶୃଙ୍ଗାର ଲାଗି ପଲଙ୍କ ପଡ଼ିବ,–ତୁମେ ଏହି ସଂସାରକୁ ପୂର୍ଣ୍ଣ-ବଳୀୟାର ଓ ପରିପୂର୍ଣ୍ଣ ଲକ୍ଷଣଯୁକ୍ତ ଭାବରେ ଭୋଗ କରିବ । ସେତେବେଳେ ତୁମର ସେହି ଜୀବନରମଣ-କାଳରେ ଶୃଙ୍ଗାର-ଶତକହିଁ ତୁମକୁ ଆବଶ୍ୟକ ଉତ୍ସାହ ଏବଂ ଉତ୍‌ପ୍ରେରଣାକୁ ଆଣି ଯୋଗାଇ ଦେବ । ତତ୍କାଳୀନ ସମାଜର ମୂଲ୍ୟକଳ୍ପନା ଅନୁସାରେ ଯେ ଭର୍ତ୍ତୃହରି ଭୋଗର ପର୍ଯ୍ୟାୟଟି ନିମନ୍ତେ ଶୃଙ୍ଗାର-ଶତକ ଲେଖିଥିଲେ ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ଯୌବନର ଫୁଲରେ ଗାର୍ହସ୍ଥ୍ୟର ଫଳମାନ କାନ୍ଦି କାନ୍ଦି ହୋଇ ଫଳି ସାରିବା ପରେ‌ ଯେତେବେଳେ ବୃକ୍ଷର ଶେଷ ଅବଧିଟି ଆସି ପହଞ୍ଚୁଥିଲା, ସେତେବେଳେ ଅତ୍ୟନ୍ତ ଯୁକ୍ତିସଙ୍ଗତ ଭାବରେ ମଣିଷରୂପକ ମଳୁକୁ ବୈରାଗ୍ୟର ପଥ୍ୟପାତ୍ରଟିକୁ ଆଣି ଧରାଇ ଦିଆଯାଉଥିଲା । ଏଣିକି ସେପାରିର କଥା ଚିନ୍ତା କରିବା ଲାଗି କୁହାଯାଉଥିଲା, ତରିଯିବାର ଉପାୟମାନ ବତାଇ ଦିଆ ଯାଉଥିଲା । ସେହିପରି ଏକ ବେଳରେ ବୈରାଗ୍ୟ-ଶତକଠାରୁ ବଳି ଉପାଦେୟ ଭେଷଜ ଆଉ କ'ଣ ଥାଇପାରେ ? ଜୀବନକୁ ଏହିପରି ଗୋଟିଗୋଟି କରି ତିନି ଖଞ୍ଜାରେ ବାଣ୍ଟି ମଝିରେ ସତେଅବା ଗୋଟିଏ ଗୋଟିଏ ଖୁଣ୍ଟ ବସାଇ ଯେଉଁ ମହାମନା କବି ସମାନ କାରିଗରି ସହିତ ତିନୋଟି ସମାନ ଭାବରେ ଉପାଦେୟ ତଥା ଅତ୍ୟନ୍ତ ଉପଯୋଗୀ ଶତକ ଲେଖି ଥୋଇଦେଇ ଗଲେ, ତାଙ୍କୁ ଅବଶ୍ୟ ଜଣେ ଯୁଗୋପଯୋଗୀ କବି ବୋଲି ସ୍ଵୀକାର କରିବାକୁ ପଡ଼ିବ ।

 

ତେଣୁ ଆମ ଭିତରୁ ଯେଉଁମାନେ ବେଳ ଆସିବା ମାତ୍ରକେ ସଂସାରକୁ ଯଥାସମ୍ଭବ ଅଧିକ ଭୁଞ୍ଜି ପାରିବା ଲାଗି ଯଥାସମ୍ଭବ ଅଧିକ ମନ୍ଥି ଅଧିକ ଜୁର କରିବାକୁ ଇଚ୍ଛା କରୁଛନ୍ତି ଓ ବେଳ ଗଡ଼ିଆସିବାର ସୂଚନା ମିଳିବାକୁ ଆରମ୍ଭ କରିବା ମାତ୍ରକେ ବୈରାଗ୍ୟ ଗ୍ରହଣ କରି, କିଛି ଭୁଲ କାମ କରି, ସଂସାରରେ ବାକୀ ରହିଥିବା ଦିନଗୁଡ଼ିକୁ ଗଡ଼ାଇ ଦେଇ, ସଂସାରରୁ ତରି ଯିବାଲାଗି ମନସ୍ଥ କରିଛନ୍ତି, ଭର୍ତ୍ତୃହରିଙ୍କର ଭେଷଜବୁଦ୍ଧି ସେମାନଙ୍କର ଅବଶ୍ୟ ଅନେକ କାମରେ ଲାଗିବ । ମାତ୍ର, ଅନ୍ୟପକ୍ଷରେ, ଯେଉଁମାନେ ସଂସାରରୁ ତରିଯିବାକୁ ଚାହୁନାହାନ୍ତି, ଯେଉଁମାନେ ସଂସାରକୁ ବଦଳାଇବାକୁ ପଣ କରିଛନ୍ତି, ସେମାନଙ୍କର ଜୀବନାବସ୍ଥାକୁ ଭର୍ତ୍ତୃହରିଙ୍କର ରୀତିରେ କଦାପି ତିନୋଟି ଖୁମ୍ବ ପକାଇ ତିନୋଟି ଭାଗରେ ବିଭକ୍ତ କରାଯାଇ ପାରିବ ନାହିଁ । ସେମାନଙ୍କର ଚେତନାକ୍ରମରେ ହୁଏତ କେବଳ ଗୋଟିଏ ଧର୍ମ ବା ଗୋଟିଏ ଆଶ୍ରମ ରହିଛି ବୋଲି କୁହାଯାଇ ପାରିବ ଏବଂ ସେହି ଆଶ୍ରମକୁ ସତତ କେବଳ ଗୋଟିଏ ସନ୍ତକ ଦ୍ଵାରା ଚିହ୍ନି ହେବ । କେବଳ ଉତ୍ସାହ ଦ୍ଵାରା ଚିହ୍ନି ହେବ । ସେହି ଉତ୍ସାହ ହେଉଛି, ଆପଣାର ସୂତାଗୁଡ଼ିକୁ ଏକାଠି ଗୋଟିଏ ସରି କରି ତାଙ୍କରି ହାତରେ ଧରାଇ ଦେବାର ଉତ୍ସାହ, ଖାଲି ଅଧିକରୁ ଅଧିକ ପରିମାଣରେ କାମରେ ଲାଗି ପାରିବାର ଓ କେବଳ ତାହାରି ମାଧ୍ୟମରେ ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇଆସୁଥିବା ପରି ଅନୁଭବ କରୁଥିବାର ଏକ ଉତ୍ସାହ । ଭିତରେ ଏକାବେଳକେ ବାଳକଟିଏ ରହିଛି, ଯୁବକଟିଏ ରହିଛି, ବାନପ୍ରସ୍ଥୀଟିଏ ରହିଛି, ସନ୍ୟାସୀଟିଏ ବି ରହିଛି । ଏହି ଉତ୍ସାହଟି ଦ୍ଵାରା ହୃଦୟକୁ ଭରିନେଇ ତାଙ୍କ ଆଡ଼କୁ ଅନାଇ ଦେଲାବେଳକୁ ସିଏ ଏକାବେଳେକେ ଜନନୀ ହୋଇ ଦିଶୁଛନ୍ତି, ସଖାହୋଇ ଦିଶୁଛନ୍ତି, ପ୍ରଭୁ ହୋଇ ଦିଶୁଛନ୍ତି, ଜ୍ୟୋତି ହୋଇ ଆମର ଏହି ଘରଟିକୁ ଆଲୋକିତ କରି ରଖିଥିବା ପରି ଅନୁଭୂତ ହେଉଛନ୍ତି । ଜନନୀ ହୋଇ ଦେହରୁ ଧୂଳିଝାଡ଼ି ଦେଉଛନ୍ତି, ବନ୍ଧୁ ହୋଇ ବାଟ କଢ଼ାଇ ନେଉଛନ୍ତି, ଶରଣ ଦେଇ ବଳୀଆର କରି ରଖିଛନ୍ତି ଏବଂ ଆଖି ଭିତରର ସୂର୍ଯ୍ୟ ହୋଇ ମୃତ୍ୟୁକୁ ବାଟ ଓଗାଳି ରହିଛନ୍ତି । ଏପାଖରୁ ସମ୍ମତି ଓ ସେ ପାଖରୁ କରୁଣା,–ଦୁହେଁ ମିଶି ସତେ ଅବା ସବୁଯାକ ଆଶ୍ରମକୁ ଏକତ୍ର ଗୋଟିଏ ପ୍ରଣତି ମଧ୍ୟରେହିଁ ଅଙ୍ଗେ ନିଭାଇବାକୁ ଆମକୁ ଉପାୟ ବତାଇ ଦେଇଯାଉଛନ୍ତି ।

 

ପୂର୍ଣ୍ଣାଙ୍ଗ ଶିକ୍ଷା ହେଉଛି ଠିକ୍‌ ସେହିପରି ଗୋଟିଏ ଭୂମି, ସେହିପରି ଗୋଟିଏ ଆହ୍ଵାନ । ଆମେ ଏହାକୁ କେବଳ ଆମ ଅବସର-ଆଶ୍ରମର କୌଣସି ଏକ ବାନପ୍ରସ୍ଥଧର୍ମୀ ବିନୋଦନରେ ପରିଣତ କରି ରଖିବାର ପାଞ୍ଚ କରିଥିଲେ ଏହାଦ୍ଵାରା ଶେଷରେ ଆମେ ନିଜେହିଁ ବିଡ଼ମ୍ବିତ ହୋଇ ପଛରେ ରହିଯିବା । ରଥର ସାରଥି ରଥକୁ ବାହି ନେଇଯିବ ଏବଂ ଆମେ ଏଇଠି ପଛରେ ପଡ଼ି ରହିଯିବା । ତା'ପରେ‌ ଆମେ ପୂର୍ଣ୍ଣାଙ୍ଗ ଶିକ୍ଷା ନାମରେ ଯାହାକିଛି କରିବା, ତାହା ଆମର ଏଠି ପରୀକ୍ଷିତ ହୋଇ ପୁରୁଣା ବୋଲି ଘୋଷିତ ହୋଇଥିବା ଛାଞ୍ଚଗୁଡ଼ାକର ଯେତେ ଯାହା ପ୍ରକୃଷ୍ଟୀକରଣ ହୋଇଥାଉ ପଛକେ ଓ ଆମ ଆଖିକୁ ଯେତେ ଡଉଲଡ଼ାଉଲ, ମାଂସାଳ ଏବଂ ଆଡ଼ମ୍ବରମୟ ଦେଖାଯାଉଥାଉ ପଛକେ, ତାହା ତଥାପି ଅସଲ ଆହ୍ଵାନଗୁଡ଼ିକର ଜବାବ ଦେଇ ପାରିବ ନାହିଁ । ଆମେ ହୁଏତ କେବଳ ଏତିକି କରି ବେଶ୍‌ ତରି ଯାଉଥିବା ପରି ଅନୁଭବ କରୁଥିବା ସତ, ମାତ୍ର ଆମେ ତଥାପି ଯଥାର୍ଥ ପରିବର୍ତ୍ତନରେ ଆଦୌ କୌଣସି ଭାଗ ନେଇ ପାରିବା ନାହିଁ । ଆମର ଯାବତୀୟ ତତ୍ପରତା କେବଳ ଏକ ବାନପ୍ରସ୍ଥୀ ମୁଗ୍ଧତାରେହିଁ ପରିଣତ ହୋଇ ରହିବ ।

 

ଅନେକ ସମୟରେ ଆମେ ନିଜକୁ ସଂପୂର୍ଣ୍ଣଭାବରେ ଦେଇ ପାରୁନାହିଁ ବୋଲି କେଡ଼େ ସରାଗରେ ସତେ ଅବା ଅଧାଅଧାରେ ସଉଦା ଛିଣ୍ଡାଇବାକୁ ବାହାରି ଥାଉ । ଗୋଟାଏ ଗୋଡ଼କୁ ପୂରାପୂରି ପୁରୁଣାଟା ଭିତରେ ରଖିଥାଉ ଏବଂ ସେହି ଗୋଡ଼ଟି ଟାଣ ହୋଇ ସେଠାରେ ରହିଛି ଓ ତେଣୁ ସେଠାରୁ ଆଦୌ ଖସିଯିବାର ଆଦୌ କୌଣସି ଆଶଙ୍କା ନାହିଁ ବୋଲି ପ୍ରମାଣଗୁଡ଼ାକୁ ପାଇସାରିବା ପରେ ଆର ଗୋଡ଼ଟିକୁ ତାଙ୍କ କାମ କରିବୁ ବୋଲି ସମାନ ସରାଗରେ ଅଥଚ ଅତ୍ୟନ୍ତ ଗ୍ଳାନିକର ଭାବରେ ତେଣେ ବଢ଼ାଇବାକୁ ଚେଷ୍ଟା କରୁଥାଉ । ଏହିପରି କ୍ଷେତ୍ରରେ ଆମେ ଏପାଖରେ ହାବିଲଦାର ହୋଇଥାଉ ତ ସେପାଖରେ ମଧ୍ୟ ସେହି ହାବିଲଦାର ହୋଇ ପାରିବାଲାଗି ମନ ବଳାଇଥାଉ । ଆମ ସାଲିଶ୍‍ର ଗଣ୍ଠିଗୁଡ଼ାକରେ କାଳଟାକୁ ଗୋଟାସୁଦ୍ଧା ବାଛି ରଖିବାକୁ ଚେଷ୍ଟା କରୁଥାଉ । ଏହାଦ୍ୱାରା ଆମେ ନିଜ ହାତରେହିଁ ଜୀବନକୁ ଭଣ୍ଡୁର କରିପକାଉ । ତଦ୍ଦ୍ୱାରା ଏକ ବିନୋଦନର ସ୍ଵାଦ ଲାଭ କରିବା ହୁଏତ ବେଶ୍ ସମ୍ଭବ ସତ, ମାତ୍ର ଆମର ଗୋଡ଼ଗୁଡ଼ାକ ସେହି ପୁରୁଣା ଗାତ ଭିତରେହିଁ ଯାଇ ରହିଥାନ୍ତି ।

 

ସମାଜର ଓ କାଳର ଚେତନାରେ ଏକ ପରିବର୍ତ୍ତନ ଆଣିବାଲାଗି ଯେଉଁ ଶିକ୍ଷା ଆପଣାର ଉଦ୍ଦେଶ୍ୟ ବୋଲି ଗ୍ରହଣ କରିଛି, ଆମେ ତାହାକୁ ଯେପରି ଆମ ଅବସରକାଳୀନ ଏକ ଧର୍ମ-ବିନୋଦନରେ ପରିଣତ କରି ନ ଦେଉ ! ଏହା ଆମର ଚତୁରତା ମାଗୁନାହିଁ, ଆମର ବୁଦ୍ଧିମତ୍ତା ମାଗୁନାହିଁ,–ଆମର ସମ୍ମତିକୁହିଁ ମାଗୁଛି ଏବଂ ଖାସ୍ ସେଇଥିଲାଗି ଅପେକ୍ଷା କରି ରହିଛି-। ସମ୍ମତି ଅର୍ଥାତ୍‌ ଏକ ସମଗ୍ର ନିଷ୍ପତ୍ତି । ସେହି ନିଷ୍ପତ୍ତିଟିକୁ ଗ୍ରହଣ କରି ସାରିବା ପରେ ସବୁ ସହଜ ହୋଇଯାଏ, ସବୁ ସ୍ଵାଭାବିକ ହୋଇଯାଏ । ସେତେବେଳେ ଆଦୌ ଠେଲିପେଲି ହେବାକୁ ପଡ଼େନାହିଁ, ଏପାଖ ଓ ସେପାଖ ହୋଇ ଆଦୌ ଦୁଇଖଣ୍ତ ସରି ଦୁଇଟା ଜୀବନ ଯାପନ କରିବାକୁ ପଡ଼େନାହିଁ । ସେତେବେଳେ ସ୍ଵୟଂ ବଳରାମହିଁ ଦୁର୍ବଳକୁ ବଳ ଦେବାକୁ ଆସନ୍ତି । ଗୋଡ଼ମାନେ ଚାଲିବାକୁହିଁ ଆପଣାର ଧର୍ମ ରୂପେ ଗ୍ରହଣ କରି ନିଅନ୍ତି । ଆପେ ଆପଣାର ଚାରିପାଖରେ‌ ଠିଆକରି ରଖିଥିବା ବାଡ଼ଗୁଡ଼ାକ କେଡ଼େ ସହଜରେ ଉତ୍ପାଟିତ ହେବାକୁ ଆରମ୍ଭ କରନ୍ତି, ଗଣ୍ଠିଗୁଡ଼ିକ କେଡ଼େ ସହକରେ ଫିଟିଫିଟି ଯିବାରେ ଲାଗିଥାନ୍ତି । ସେତେବେଳେ ବାହାରକୁ ଅନାଇଲେ ଭିତରଟା ଯାକ ଦିଶି ଯାଉଥାଏ । ଆପଣାର ସର୍ବୋତ୍ତମ ବନ୍ଧୁଟିର ହାତ ଧରି ବାଟ ଚାଲି ଯାଉଥିବା ପରି ଅନୁଭବ ହେଉଥାଏ ।

ଏପ୍ରିଲ, ୧୯୮୫

Image

 

ଅବସର-ସମୟର କାର୍ଯ୍ୟ

 

ସଂସାରର ଅଧିକାଂଶ ମଣିଷ ଆପଣା ପାଇଁ ହିଁ ଜୀବନର ସବୁଠାରୁ ଅଧିକ ସମୟ ଦିଅନ୍ତି । ଆପଣାର ଚାଖଣ୍ଡେକୁ ହାତେ କରିବାରେ ଲାଗିଥାନ୍ତି ବା ମାଣକୁ ଚାରିମାଣ କରିବାରେ ଲାଗିଥାନ୍ତି । ଏକ ପ୍ରକାର ବିଜ୍ଞାନ ମଧ୍ୟ ଅଛି, ଯାହାକି ମଣିଷର ଏହି ଧନ୍ଦାଟାକୁ ତାର, ଏକ ସର୍ବମୂଳ ଓ ସହଜାତ ପ୍ରବୃତ୍ତିଗତ ଧନ୍ଦା ବୋଲି କହିଥାଏ । ଏହାକୁ ସେଥିରେ Instinct of Self-Preservation ବୋଲି ଘୋଷଣା କରାଯାଏ । ମଣିଷ ସବାଆଗ ନିଜେ ବଞ୍ଚି ରହିବାକୁ ଚାହେ,–ସେଇଥିପାଇଁ ସେ ପରିବେଶ ସହିତ ଯୁଝିବାରେ ଲାଗିଥାଏ; ପରସ୍ପର ସହିତ ମଧ୍ୟ ସଂଘର୍ଷରତ ହୋଇ ରହିଥାଏ । ସବାଆଗ ନିଜେ ବଞ୍ଚି ରହିବ ବୋଲି ଯଥାସମ୍ଭବ ସବୁ କିଛିକୁ କାମରେ ଲଗାଏ । କେବଳ ଆଗେ ବଞ୍ଚି ରହିବାର ଏହି ବେଢ଼ଟିକୁ ଅଧିକାଂଶ ମଣିଷ ବଢ଼ାଇ ବଢ଼ାଇ ନିଜ ପରିବାରର ଚଉବାଡ଼ ପର୍ଯ୍ୟନ୍ତ ହୁଏତ ଆସି ପାରିଛନ୍ତି । ସେହି ବାଡ଼ଟି ଭିତରେ ହିଁ ଜୀବନର ଯାବତୀୟ ପରିଚର୍ଯ୍ୟା କରୁଛନ୍ତି; ଆଗ ସେଗୁଡ଼ିକର ନିର୍ବାହ କରି ସାରିବା ପରେ ଆଉ ଅନ୍ୟ ଯାହାସବୁ ରହିଲା, ସେଗୁଡ଼ିକ ଲାଗି ମନ ଦେଉଛନ୍ତି । କେତେବେଳେ ଦେଇ ପାରୁଛନ୍ତି, କେତେବେଳେ ମୋଟେ ବି ଦେଇ ପାରୁନାହାନ୍ତି । ଅଲଗା କରି ଚିହ୍ନଟ କରି ଦେବାକୁ ତାହାକୁ ସେମାନେ ଅବସର-ସମୟର କାର୍ଯ୍ୟ ବୋଲି କହୁଛନ୍ତି, କିଞ୍ଚିତ୍ ଅଧିକ ସଣ୍ଠଣା କରି ଅବସର-ବିନୋଦନ ବୋଲି ମଧ୍ୟ କହୁଛନ୍ତି । ବିନୋଦନ ବିନୋଦନ ହୋଇ ରହିଛି, ଜୀବନ ବାହାରେ ବଳକା ସରି ହୋଇ ରହିଛି ।

 

ମଣିଷ ଜୀବନ ପାଇଁ ଅର୍ଥ ଉପାର୍ଜନ କରୁଛି । ଚାକିରି କରୁଛି, ଜମିବାଡ଼ି କଥା ବୁଝୁଛି । ସେଗୁଡ଼ିକ ହେଉଛନ୍ତି ତାର ସବାଆଗ କଥା । ଭବିଷ୍ୟତକୁ ସୁନିଶ୍ଚିତ କରି ରଖିବାପାଇଁ ସିଏ ଯଥାସମ୍ଭବ ଅଧିକରୁ ଅଧିକ ମିହନ୍ତ କରି ଓ ସମୟ ଦେଇ ଉଦ୍‍ବୃତ୍ତ ଆଉ କେତେ ପୋଷର ଉପାୟ କରି ଆପଣାର ପାହିଲିଟିକୁ ଯଥାସମ୍ଭବ ଅଧିକ ନିର୍ଭରଯୋଗ୍ୟ କରି ରଖିଛି । ତା' ଚେତନାର ଅନେଶ୍ଵତ ଭାଗ ଏତିକି ଭିତରେ ରହିଛି; ଆମ ସଂସାରଶାସ୍ତ୍ରର ନିର୍ମାଣକାରୀମାନେ ଆମ ଲାଗି ଯେଉଁ କେତୋଟି କଥାକୁ ପ୍ରାଣୀର ସର୍ବପ୍ରଧାନ ଧର୍ମ ବୋଲି କହିଛନ୍ତି, ମଣିଷ ଯଥାସମ୍ଭବ ଅଧିକ ଭରସା ସହିତ ସେତିକି ଭିତରେ ରହିଛି ! ଏହାପରେ ଯାହାକିଛି ରହିଲା, ସିଏ ତାକୁ ଅବସର-ସମୟ ସକାଶେ ଅଲଗା କରି ରଖିଛି । ତାର ସାହିତ୍ୟ, ତାର ସଂସ୍କୃତି, ତାର ଆତ୍ମକର୍ଷଣ ଓ ତା'ର ଧର୍ମ,–ଏଗୁଡ଼ିକ ସତେଅବା ଅବସରରୂପୀ ଅଧିକା ସମୟର ଗୋଟିଏ ଗୋଟିଏ ଧନ୍ଦା ହୋଇ ରହିଛନ୍ତି । ବେଳେବେଳେ ଆପଣା ସ୍ୱଳ୍ପତାବୋଧ ଏବଂ ଭୟର ଭାବନା ଦ୍ଵାରା ପ୍ରକୁପିତ ହୋଇ ସିଏ ଏଗୁଡ଼ିକୁ ମଧ୍ୟ ତା ନିଜ କାମରେ ଲଗାଇବାକୁ ଯତ୍‍ପରୋନାସ୍ତି ଚେଷ୍ଟା କରୁଛି । ଆପଣାର ସ୍ଫୀତି ଲାଗି ସାହିତ୍ୟ କରୁଛି, ଆପଣାର ଯଶଘରଟିକୁ ଅଧିକ ଶୋଭାବନ୍ତ କରି ଦେଖାଇବା ଉଦ୍ଦେଶ୍ୟରେ ସଂସ୍କୃତିର ଦାଣ୍ଡରେ ନାନା ଲୋଭନୀୟ କଥାର ବେଶ ପିନ୍ଧି ବାହାରୁଛି । ସିଏ ଆପଣାର ଠାକୁରମାନଙ୍କୁ ମଧ୍ୟ ପ୍ରଧାନତଃ ଆପଣା ସକାଶେହିଁ ବ୍ୟବହାର କରୁଛି । ଅଧିକାଂଶ ସ୍ଥଳରେ ଆପଣାର ଠାକୁରମାନଙ୍କୁ ସିଏ ଆପଣାର ଆବଶ୍ୟକତା ଅନୁସାରେହିଁ ତିଆରି କରିଛି, ସେମାନଙ୍କୁ ଚତୁର୍ଭୁଜ ଅଥବା ପଞ୍ଚାନନ କରି ରଖିଛି । ଅବସରର ଆନନ୍ଦ ମଧ୍ୟରେ ସେମାନଙ୍କୁ ସତେଅବା ଅଧିକା ପଣ୍ୟରୂପେ ବ୍ୟବହାର କରୁଛି ।

 

ଆମେ ଯେଉଁମାନେ ଆମ ନୂଆ ଶିକ୍ଷାଳୟଗୁଡ଼ିକୁ ଭିତ୍ତି କରି ପରସ୍ପର ପାଖରେ ଆସି ହାବୁଡ଼ି ଯାଉଛୁ, ଆମେ ହୁଏତ ଅନେକ କାରଣର ବଶବର୍ତ୍ତୀ ହୋଇ ସେହି କାର୍ଯ୍ୟଟିକୁ ଆମ ଅବସର-ସମୟରେହିଁ ଏକ ଅନ୍ୟତମ କାର୍ଯ୍ୟ କରି ରଖିଛୁ । ଅବସର-ସମୟରେ ହୁଏତ ଆଉ କେତେ କ'ଣ କରନ୍ତୁ, ସଂଯୋଗବଶତଃ ଏହି କାର୍ଯ୍ୟଟିକୁ କରୁଛୁ । ଆମେ କେଡ଼େ ଖୁସୀ ହୋଇ ଏହାକୁ ଭଗବାନଙ୍କର କାର୍ଯ୍ୟ ବୋଲି କହୁଛୁ, ଏହା ଏକ ନୂତନ ଶିକ୍ଷାର ଆନ୍ଦୋଳନ ବୋଲି ପରସ୍ପର ପାଖରେ ପ୍ରତ୍ୟୟ ଦେବାକୁ କେଡ଼େ ଖୁସୀ ହୋଇ କହୁଛୁ ସତ, ମାତ ପ୍ରକୃତରେ ଯେତିକି ଖୁସୀ ହେଲେ ଭଗବାନଙ୍କର ଯେକୌଣସି କାର୍ଯ୍ୟକୁ କରିହୁଏ, ଆମେ ଆପଣା ଭିତରେ ରହିଥିବା ନାନା କାରଣରୁ ନିଜକୁ ସେତିକି ଖୁସୀ ଲାଗି ପ୍ରସ୍ତୁତ କରି ପାରୁନାହୁଁ । ଆମେ ସେତିକି ଦୂର ପ୍ରସ୍ତୁତ ହୋଇପାରିନାହୁଁ । ଆମ ସମସ୍ତଙ୍କର ଆଖିକୁ ଆମର ଏହି ବେଢ଼ାଟି ଭିତରୁ ବାହାର କରିନେଇ ଅଭିପ୍ରେତ ନୂତନ ଭବିଷ୍ୟର ଯେଉଁ ଆଖିଟି ଆମକୁ ସଂଯୋଗକ୍ରମେ ଟାଣିହୋଇ ପରସ୍ପର ସହିତ ସମ୍ମିଳିତ କରିଛି, ଆମେ ନାନା କାରଣରୁ ତାହାରି ହୋଇଗଲୁ ବୋଲି ନିଜ ପାଖରେ ଘୋଷଣା କରି ପାରି ନାହୁଁ । ଆମେ ଆମର ସେହି ପୁରୁଣା ଖୁଣ୍ଟଗୁଡ଼ାକରେ ଏପରି ବାନ୍ଧିହୋଇ ରହିଛୁ ଯେ, ଆଗ ସେହି ପୁରୁଣା ଦାଣ୍ଡିଗୁଡ଼ାକ ମଧ୍ୟରେ ଅଧିକରୁ ଅଧିକ ନିରାପଦ ହୋଇ ରହିବାକୁହିଁ ସବୁଠାରୁ ଅଧିକ ଲୋଡ଼ୁଛୁ ଓ ତେଣୁ ଯାହାର ପତାକା ଧରିଛୁ, ତାହାଲାଗି ରାଜୀ ହୋଇ ପାରୁନାହୁଁ । ଆମ ଆଗ୍ରହର ଗୋଟିଏ ଗୋଡ଼ ହୁଏତ ବେଳେ ବେଳେ ଆମେ ଆହୁରି ଆଗକୁ ଯାହା ଚାହୁଛୁ, ତାହାରି ଆଡ଼କୁ ମୁହଁ କରି ରହିଛି, ମାତ୍ର ଆମ ଆସକ୍ତିର ପ୍ରାୟ ସବୁଯାକ ଆଙ୍ଗୁଠି ଆମେ ଯେଉଁଠି ଅଛୁ ଏବଂ ଯେଉଁଠାରେ ଆପଣାକୁ ଆତଯାତ କରାଇବାରେ ଲାଗିଛୁ, ତାହାରି ଭିତରେ ତିନିବହଳ ମାଟି ପର୍ଯ୍ୟନ୍ତ ପୋତିହୋଇ ରହିଛି । ଆମ ନୂତନ ବିଦ୍ୟାଳୟକୁ ଏକ ବୃତ୍ତ କରି ଆରମ୍ଭ କରାଯାଇଥିବା ଉଦ୍ୟମଟିକୁ ଆମେ ହୁଏତ କେଡ଼େ ଉତ୍ସାହରେ ଏକ ବୃହତ୍‌ ଆନ୍ଦୋଳନ ବୋଲି କହୁଛୁ,– ମାତ୍ର ଏହି ଆନ୍ଦୋଳନ ଯେ କଦାପି କେବଳ ଏକ ଅବସର ସମୟର କାର୍ଯ୍ୟ ନୁହେଁ, ସମ୍ଭବତଃ ସେହି କଥାଟିର ସମ୍ମୁଖୀନ ହେବାକୁ ଆଦୌ ରାଜି ହେଉ ନାହୁଁ ।

 

ଏହି ଶିକ୍ଷା-ଉଦ୍ୟମଟିକୁ ଆମେ କାହିଁକି ଏକ ଆନ୍ଦୋଳନ ବୋଲି କରୁଛୁ ? କାରଣ ଏଥିରେ ଆମ ବ୍ୟକ୍ତିଗତ ଏବଂ ସାମୂହିକ ସମ୍ବନ୍ଧର ପୂର୍ବସ୍ଵୀକୃତ ଭିତ୍ତିଗୁଡ଼ିକୁ ଏକାବେଳକେ ବଦଳାଇ ଦେବାର ଏକ କଳ୍ପନା ସବାଆଗରେ ରହିଛି । ଏହା ଦ୍ଵାରା ଆମ ଅନୁରାଗର ଭୂମିଗୁଡ଼ିକ ବଦଳିଯିବ, ଆପଣାକୁ ତଥା ପରସ୍ପରକୁ ଆମେ ଏକ ଅନ୍ୟପ୍ରକାର ସମ୍ବନ୍ଧର ସୂତ୍ର ଦେଇ ଦେଖିବା, ସ୍ଵୀକାର କରିବା ଏବଂ ଅନୁଭବ କରିବା । ଅନ୍ନଠାରୁ ଆନନ୍ଦ ପର୍ଯ୍ୟନ୍ତ ଆମ ଜୀବନ-ବିଚରଣର ଯେତେ ପ୍ରସ୍ଥ ରହିଛି, ସେହି ସବୁଯାକ ପ୍ରସ୍ଥରେ ଆମ ଅଭିପ୍ରାୟଗୁଡ଼ିକର କ୍ଷେତ୍ରରେ ଏକ ନୂତନ ସଂପ୍ରସାରଣ ଘଟିବ । ସେହି ସଂପ୍ରସାରଣ ଏହି ପୃଥିବୀରେହିଁ ହେବ ଓ ତେଣୁ ପୃଥିବୀରେ ରହିଥିବା ଏହି ପୁରୁଣାଗୁଡ଼ିକର ମୁକାବିଲା କରିବ ଓ ସେଗୁଡ଼ିକ ମଧ୍ୟରେ ଏକ ଅନ୍ୟ ବିମୋଚନ ତଥା ଏକ ଅନ୍ୟ ଉତ୍ତୋଳନ ଆଣି ଦେଇଯିବ । ଏହି ଯାବତୀୟ କାର୍ଯ୍ୟର ସମଗ୍ର ପ୍ରକଳ୍ପଟି ମଧ୍ୟରେ ଏକ ସତକୁ ସତ ଆଗ୍ରହ ନେଇ ପ୍ରବେଶ କରିବାକୁ ମନ କଲେ ଆମେ କଦାପି ତାହାକୁ ଆଦୌ ଏକ ଅବସର-ସମୟର ଅଧିକା କାର୍ଯ୍ୟ ପରି କରି ରଖିପାରିବା କି ? ଯେଉଁ ପୁରୁଣାଟା ହଟିଯାଉ ବୋଲି ଆମେ ଇଚ୍ଛା କରୁଛୁ, ଆମେ ତଥାପି ତାହାରି ଭିତରେ ଆପଣା ନିମନ୍ତେ ନିର୍ଭରଯୋଗ୍ୟ ଆଶ୍ରୟ-ଘରଟିଏ କରି ରହିବା ପାଇଁ ଆଦୌ ମନ କରିବା କି ? ଆମକୁ ସବାଆଗ ଆପଣାର ଜୀବନ ମଧ୍ୟରେ ସେହି ଦ୍ଵନ୍ଦ୍ୱଟିର ଏକ ସଂଗତିଯୁକ୍ତ ସମାଧାନ ଖୋଜି ବାହାର କରିବାକୁ ପଡ଼ିବ । ତା ନହେଲେ ଆମ ଦ୍ଵାରା ପ୍ରକୃତରେ କୌଣସି ଆନ୍ଦୋଳନ ହୋଇ ପାରିବ ନାହିଁ । ବିଧାତା ଆମ କାନ୍ଧ ଉପରେ ଗୋଡ଼ରଖି ଆଗକୁ ବାହାରିଯିବେ,–ଆମକୁ ପ୍ରତ୍ୟାଖ୍ୟାନ କରି ଚାଲିଯିବେ । ବାହାରେ ନୂଆ ଏବଂ ଆହୁରି ଅଧିକ ନୂଆ କରି ଆମେ ଯେତେ ଯେତେ ନୂଆ ହୁଙ୍କାମାନ ତିଆରି କରିବାରେ ଲାଗିଥିଲେ ମଧ୍ୟ ଭିତରେ ସେଇ ପୁରୁଣାଟାରେ ହିଁ ଉଚ୍ଚ ହୋଇ ରହିଥିବା ।

 

ପୂର୍ଣ୍ଣାଙ୍ଗ ଶିକ୍ଷାର ଆନ୍ଦୋଳନ ଆଦୌ ଏକ ଅବସର-ସମୟର କାର୍ଯ୍ୟ ନୁହେଁ, ଅବସର ଗ୍ରହଣ କରିଥିବା ଲୋକମାନଙ୍କର ଏକ ପୂଣ୍ୟକାର୍ଯ୍ୟ ଆଦୌ ନୁହେଁ । ପୁରୁଣା ତମ୍ବୁଗୁଡ଼ାକ ଭିତରେ ଆପଣାର ଅସଲ ଖୁଣ୍ଟଗୁଡ଼ିକୁ ପୋତି, ଅବଲମ୍ବନର ଅସଲ ପ୍ରତ୍ୟୟଗୁଡ଼ିକୁ ସେହି ଖୁଣ୍ଟଗୁଡ଼ିକରେ ବାନ୍ଧିରଖି ଏକାବେଳେକେ ଦୁଇଟାଯାକ ବିଶ୍ଵକୁ ବିଜୟ କରିଥିବା ପରି ଅନୁଭବ କରୁଥିବା ଓ ହାତରେ ତରବାରୀ ଧରି ଯୁଦ୍ଧକୁ ବାହାରିଥିବା ଭଳି କଥା କହୁଥିବା ମଣିଷ କଦାପି ସେହି ଆନ୍ଦୋଳନର ଭାଜନ ହୋଇ ପାରିବ ନାହିଁ । ଆନ୍ଦୋଳନଟିକୁ ସତକୁସତ ଏକ ଆନ୍ଦୋଳନ ବୋଲି ସ୍ଵୀକାର କରିବାକୁ ମନ କଲେ କାମୁଡ଼ି ରହିଥିବା ସେହି ପୁରୁଣା ତାଟିଆଗୁଡ଼ାକର ମୋହ ସବା ଆଗ ଭାଙ୍ଗିଯିବ । ଏହିପରି ଭାବରେ ସବାଆଗ ଆପଣାର ଏକ ଉପନୟନ ହୋଇଯିବ ଏବଂ ତା ପରେ ଯାଇ ଆମେ ନିଜକୁ ଅସଲ ତାଲିକାମାନଙ୍କରେ ଅନ୍ତର୍ଭୁକ୍ତ କରି ରଖିପାରିବା ।

 

ଥରେ ଉପନୟନ ହୋଇଗଲେ ଆଉ ମୋଟେ ଏହି ପୁରୁଣା ଖାଇଗୁଡ଼ାକ ଭିତରକୁ ଫେରି ଆସିବାକୁ ମନ ହେବ ନାହିଁ । ପୁରୁଣା ବିପୁଳତାଗୁଡ଼ାକର ମାୟାମାନେ ଆମକୁ ଆଉ ମୋଟେ ଦଉଡ଼ି ଭିତରେ ଛନ୍ଦି ରଖି ପାରିବେ ନାହିଁ । ଆମ ଜୀବନକୁ ନିଜ କାମ ଓ ଧର୍ମ କାମ–ଏହିପରି ଦୁଇ ଭାଗରେ ବିଭକ୍ତ କରି ରଖିଥିବା ପୁରୁଣା ଦାରିଦ୍ର୍ୟଟି ଆମକୁ ବଳେ ବଳେ ଛାଡ଼ି ପଳାଇଯିବ । ତେଣିକି ଆମେ ଯାହା ପ୍ରକୃତରେ ଚାହୁଛୁ, ଠିକ୍‌ ତାହାରି ଛାଞ୍ଚରେ ତିଆରି ହେବାକୁହିଁ ଆମ ଜୀବନର ଅତ୍ୟାବଶ୍ୟକତା ବୋଲି ଗ୍ରହଣ କରିନେଇ ପାରୁଥିବା । ଯେତେବେଳେ ମଣିଷ କୌଣସି ପ୍ରକାରେ ବାଧ୍ୟ ହୁଏ ନାହିଁ, ଆଉ ଗୋଟିଏ ଭେକ ପିନ୍ଧିବ ବୋଲି ଏହି ଭେକଟିକୁ ମୋଟେ ଓହ୍ଲାଇ ଦେବାକୁ ପଡ଼େ ନାହିଁ,–ଯେତେବେଳେ ବର୍ତ୍ତମାନ ମଧ୍ୟରେ ପଡ଼ୁଥିବା ଆମର ପାଦଗୁଡ଼ିକ ସତକୁ ସତ ଭବିଷ୍ୟଟି ଲାଗି ରହିଥିବା ଆମର ସମ୍ମତି ବୋଲି ଅନୁଭୂତ ହେବାକୁ ଆରମ୍ଭ କରେ, – ସେତେବେଳେ ଆମ ଜୀବନରେ ଅବସର ବୋଲି ଆଉ ମୋଟେ କିଛି ରହେନାହିଁ । ସେତେବେଳେ ଆମ ଚାରିପାଖର ଆକାଶ ଓ ଚାରିପାଖର ଆଲୁଅ ଆମ ଭିତରେ ସତେଅବା, ଆମେ ଯାହାର କାମ କରିବୁ ବୋଲି ବାହାରିଛୁ, କେବଳ ତାଙ୍କରି ଆଶୀର୍ବାଦ ହୋଇ ଉକୁଟି ଉଠନ୍ତି, ଏହିପରି ଭାବରେ ଆମେ ଆମ ଜୀବନର ଅସଲ ନିଷ୍ପତ୍ତିର ଭାଜନ ହୋଇ ପାଖୁଡ଼ାକୁ ପାଖୁଡ଼ା ଫୁଟି ଉଠିବାକୁ ଆରମ୍ଭ କରୁ ।

 

ମେ, ୧୯୮୫

Image

 

ଯଦି ସତକୁ ସତ

 

ସଂସାର ପ୍ରକୃତରେ ଦୁଇଟା ନୁହେଁ, ଗୋଟିଏ । ଅବଶ୍ୟ ଏ କଥା ମଧ୍ୟ ସତ ଯେ, ଅନେକ ମଣିଷ ଏହି ସଂସାରଟାକୁ ଦୁଇଫାଳ କରି ରଖିଥାନ୍ତି, ଦୁଇଫାଳ ହୋଇ ଜୀବନ ବଞ୍ଚୁଥାଆନ୍ତି । ସେମାନଙ୍କ ଭିତରେ ସେମାନଙ୍କର ଜୀବନ-ସଂବେଦନାର ଘରଟି ହୁଏତ କୌଣସି ଅନ୍ୟ ଅଭିପ୍ରାୟ ଦ୍ଵାରା ପରିଚାଳିତ ହୋଇ ଦୁଇଭାଗ ହୋଇ ରହିଥାଏ ବୋଲି ସେମାନେ ବାହାରଟାକୁ ମଧ୍ୟ ଦୁଇଭାଗ କରି ବଞ୍ଚୁଥାଆନ୍ତି । ଏହି ଦ୍ଵୈତ ନ୍ୟାୟର ପାଲରେ ପଡ଼ି ସେମାନେ ଗୋଟାକୁ ଆଦର୍ଶ ବୋଲି କହନ୍ତି ଓ ଆଉଗୋଟାକୁ ବାସ୍ତବ ବୋଲି କହନ୍ତି । ଦୁଇଟା ମଧ୍ୟରେ ନିୟତ ଟଣା ଘୋଷରା ହେବାରେ ଲାଗିଥାନ୍ତି । ଯେତିକି ଉଲ୍ଲାସ ଏବଂ ଭାବାତୁରତା ସହିତ ସେମାନେ ଏ ମୁହଁରେ ଆଦର୍ଶର କଥା କହୁଥା’ନ୍ତି ଓ ଆଦର୍ଶ ନାମରେ ପାଦୋଦକ ପାନ କରୁଥାନ୍ତି, ସେ ମୁହଁରେ ପ୍ରାୟ ସେତିକି କାତରତା ଏବଂ ଅନମନୀୟତା ସହିତ ପଙ୍କ ଭିତରେ ଲୋଟିବାରେ‌ ଲାଗିଥାନ୍ତି ଓ ସେହିପରି ଲୋଟିବାକୁହିଁ ବାସ୍ତବ ବୋଲି କହନ୍ତି । ଏକାବେଳକେ ଦୁଇଟା ଯାକ ଭୂମିଟାକୁ ଏଡ଼େ କୁଶଳତା ସହିତ ନିର୍ବାହ କରି ପାରୁଛନ୍ତି ବୋଲି ନିଜକୁ କେତେ ନା କେତେ ସାବାସ ଦେଉଥାଆନ୍ତି-

 

ଆମ ଶାସ୍ତ୍ରମାନଙ୍କରେ ଯାହାସବୁ ଲେଖା ହୋଇ ରହିଛି, ଯଦି ସତକୁ ସତ ଆମେ ସେସବୁ ସହିତ ଆମ ଜୀବନ-ଜଳାଶୟଗୁଡ଼ିକର ସ୍ପର୍ଶ ଘଟାଇବାକୁ ମନ କରି ପାରୁଥାଆନ୍ତୁ, ତେବେ ଶାସ୍ତ୍ରର ସତ୍ୟଗୁଡ଼ିକ ପ୍ରକୃତରେ ଆମ ଜୀବନର ନିକଟବର୍ତ୍ତୀ ହୋଇ ଆସୁଥାଆନ୍ତା, ସେସବୁ କ୍ରମଶଃ ଆମ ଲାଗି ଜୀବନସତ୍ୟରେ ମଧ୍ୟ ପରିଣତ ହୋଇ ପାରୁଥାଆନ୍ତା । ଯୁଗେ ଯୁଗେ ଆମରି ପରି ଅନିଚ୍ଛୁକ ମଣିଷମାନେ ଶାସ୍ତ୍ରକୁ ଗାଦୀରେ ନେଇ ରଖି ଦେଇଛନ୍ତି ଓ ସେହି ଗାଦୀକୁ ପୂଜା କରି ସେମାନଙ୍କଠାରୁ ଅଭିପ୍ରେତ ଯୋଗ୍ୟତାଗୁଡ଼ିକୁ ହାସଲ କରି ପାରିଲେ ବୋଲି ବିଶ୍ଵାସ କରି ଆସିଛନ୍ତି-। ସେହିମାନଙ୍କର ପ୍ରକୋପରେ ପଡ଼ି ଗାଦୀକୁ ଗାଦୀବ୍ରହ୍ମ ବୋଲି କୁହାଯାଇଛି । ଆମେ ପ୍ରକୃତରେ ଯେମିତି, ଆମକୁ ଠିକ୍‌ ତଦନୁରୂପ ଗୁରୁ ମଧ୍ୟ ମିଳି ଯାଇଛନ୍ତି । ସେମାନେ ଆମକୁ ଗାଦୀର ମହାତ୍ମ୍ୟ ବିଷୟରେ ଶଗଡ଼ ଶଗଡ଼ ଶାସ୍ତ୍ର ବଖାଣିଛନ୍ତି, ଆମକୁ ସେହି ଗାଦୀ ପାଖରେହିଁ ଅଟକି ଯିବାକୁ ଉପଦେଶ ଦେଇଛନ୍ତି । ହୁଏତ ଏହାରି ଫଳରେ ସଂସାରରେ କାଳେ କାଳେ ଗାଦୀର ଭିଡ଼ ଲାଗି ରହିଛି; ଗାଦୀ ଗାଦୀ ଭିତରେ କଳହ ଲାଗିରହିଛି । ଗାଦୀଗୁଡ଼ାକୁ ପରସ୍ପରଠାରୁ ଅଲଗା ଏବଂ ଆବଶ୍ୟକ ହେଲେ ଉଚ୍ଚ-ନୀଚ କରି ଚିହ୍ନଟ କରିଦେଇ ପାରିବା ସକାଶେ କିସମ କିସମର ଭେକ ଓ ବାନାର ଭିଆଣ ହୋଇଛି । ମାତ୍ର ଯେଉଁ ଅସଲ ସ୍ପର୍ଶଟି ଆମ ଜୀବନରେ ସକଳ ପାବନର କାରଣ ହୋଇ ପାରୁଥାଆନ୍ତା, ସେଇଟି ଉଢ଼ୁଆଳ ହୋଇ ରହିଯାଉଛି-

 

ଏହି ସଂସାର ସତକୁ ସତ ବଦଳିବ ବୋଲି ଯଦି ଆମେ ସତକୁ ସତ ବିଶ୍ଵାସ କରନ୍ତୁ, ସେହି ଅସଲ ପରିବର୍ତ୍ତନଟି ଆଗରୁ ଅଭିପ୍ରେତ ହୋଇ ରହିଛି ଏବଂ ତାହାର ମୀମାଂସାକାରୀ ବୀଜଟି ଆମରି ଭିତରେ ପ୍ରଚ୍ଛନ୍ନ ହୋଇ ରହିଛି ଅର୍ଥାତ୍‌ ଅପେକ୍ଷା କରି ରହିଛି ବୋଲି ଯଦି ଆମେ ସତକୁ ସତ ଅନୁଭବ କରି ପାରୁଥାଆନ୍ତୁ, ତେବେ ଆମ ଜୀବନର ଅନେକ ସମସ୍ୟାର ତତ୍‌କ୍ଷଣାତ୍‌ ସମାଧାନ ହୋଇଯାଆନ୍ତା । ଆମେ ଆଉ ମିଛଟାରେ ଅର୍ଥାତ୍‌ ଜାଣିସିଆଣିଆ ହୋଇ ବାଡ଼ି ବୁଲାଇବାକୁ ମୋଟେ ମନ କରନ୍ତୁ ନାହିଁ । ଚତୁର୍ଦ୍ଦିଗ ଅନ୍ଧାର ଦିଶୁଛି ଓ ବାଟଗୁଡ଼ାକ ମୋଟେ ଦିଶୁନାହିଁ ବୋଲି କଦାପି କହନ୍ତୁ ନାହିଁ । ଯାହା ଆସୁଛି ତାହା ଆମକୁ ତେଣିକି ଜଳ ଜଳ ହୋଇ ଦେଖାଯାଇ ପାରନ୍ତା; ଆମ ନିଜ ଭିତରକୁ ଅନାଇ ଦେବା ମାତ୍ରକେ ଆମେ ସେହି ଅତ୍ୟାସନ୍ନ ଓ ଅବଶ୍ୟମ୍ଭାବୀକୁହିଁ ସବା ଆଗ ଦେଖିବାକୁ ପାଆନ୍ତୁ । ପରସ୍ପରର ମୁହଁକୁ ଅନାଇ ଦେଲା ବେଳକୁ ଆମେ କେବଳ ଆମ ସହଯୋଗୀ ଏବଂ ସହଗାମୀମାନଙ୍କୁ ହିଁ ଦେଖିବାକୁ ପାଆନ୍ତୁ । ତା'ପରେ, ଆମେ ସ୍ଵୟଂ ପଛରେ ରହିଯିବାକୁ ମନ କରୁଛୁ ବୋଲି ଅନ୍ୟମାନଙ୍କୁ ମଧ୍ୟ ପଛକୁ ଟାଣି ଧରିବା ଲାଗି ଆମର ମୋଟେ ଇଚ୍ଛା ହୁଅନ୍ତା ନାହିଁ । ପୁରୁଣାଟାକୁ ଭଲ ପାଇ ପୁରୁଣାଗୁଡ଼ାକୁ କାମୁଡ଼ି ଧରି ମୁଖରେ ନୂଆ ଜଗତର ହରିନାମ ଅଥବା କୃଷ୍ଣନାମ ଜପିବାକୁ ଆମକୁ ଆଉ ତେଣିକି ମୋଟେ ଭଲ ଲାଗନ୍ତା ନାହିଁ । "One must-renounce being adapted to life as it is and succeeding in it if one wants to prepare for life as it will be and to become an active and efficient part of it ." (Mother's Cent Vol. –XII, 1978; Page-55) ସେତେବେଳେ ମାଆଙ୍କର ଏହି ଉକ୍ତିଟିର ମର୍ମକୁ ନିଜର କରି ନେବାଭଳି ବୁଝିବାଲାଗି ଆମକୁ ଆଉ କଦାପି ପଣ୍ଡିତମାନଙ୍କ ପାଖକୁ ଯିବାକୁ ପଡ଼ନ୍ତା ନାହିଁ । ତାହେଲେ ଆମେ ଆମ ଜୀବନର କେତେ କଲବଲରୁ ପ୍ରକୃତରେ ରକ୍ଷାହିଁ ପାଇଯାଆନ୍ତୁ । କେତେ ଅଭିନୟ, କେତେ ମୁଖା ପିନ୍ଧା ଓ କେତେ କୃତ୍ରିମତା ଆମ ପାଖରୁ ବଡ଼ ଲାଜରା ହୋଇ ପଳାଇ ଯାଆନ୍ତେ । ତା'ପରେ ଆଉ ବାନା ଗୁଡ଼ାକର ଉଢ଼ୁଆଳରେ ମୁହଁ ଲୁଚାଇ ରହିବା ଲାଗି ଆଦୌ ମନ ହୁଅନ୍ତା ନାହିଁ, ଆମେ ସ୍ଵୟଂବାନା ହୋଇ ବାହାରି ପଡ଼ନ୍ତେ ।

 

ସଂସାରଟାକୁ ସେଇ ତିଆରି କରିଛନ୍ତି, ସେ ଏହି ସଂସାରଟାକୁ ବାଟ ଦେଖାଇ ଆଗକୁ ଆଗକୁ ବାଟ କଢ଼ାଇ ନେଉଛନ୍ତି ଓ ସଂସାରର ସକଳ ଆକାଂକ୍ଷା ତଥା ବାସନାକୁ ପୂର୍ଣ୍ଣ କରି ସେଇ ଏଠାରେ ଅନୁକ୍ଷଣ ବିରାଜମାନ ରହିଛନ୍ତି ବୋଲି ଯଦି ଆମେ ସତକୁ ସତ ବିଶ୍ଵାସ କରୁଥା'ନ୍ତେ, ତେବେ ଆପଣାର ପ୍ରକୋପଗୁଡ଼ାକ ଦ୍ଵାରା ଆମେ ଏହି ସଂସାରକୁ କଦାପି ଏଭଳି ଅସ୍ତବ୍ୟସ୍ତ କରି ପକାଉନଥାନ୍ତେ । ତେବେ ଏଠି ସତକୁ ସତ ତାଙ୍କରି ଇଚ୍ଛାରେ ଫୁଲମାନେ ଫୁଟୁଥାଆନ୍ତେ, ହୃଦୟମାନେ ପରିଚାଳିତ ହେଉଥାନ୍ତେ ଓ ବୃକ୍ଷମାନେ ମଧ୍ୟ ପଲ୍ଲବିତ ହୋଇ ପାରୁଥାନ୍ତେ । ଆମେ ତାଙ୍କୁ ସତକୁ ସତ ସ୍ଵୀକାର କରି ନେଇ ପାରୁଥିଲେ ଆମେ ସଂସାରରେ ସତେଅବା ଗୋଟିଏ ଗୋଟିଏ ପାବଚ୍ଛ ପରି ହୋଇ ରହିଥାନ୍ତୁ ଓ ସିଏ ତାହାରି ଉପର ଦେଇ ଚାଲିଯାଇ ପାରୁଥାନ୍ତେ । ଆମେ ନିମିତ୍ତ ହୋଇଥାନ୍ତୁ ଓ ସିଏ ଅନୁମନ୍ତା ହୋଇଥାନ୍ତେ । ଅଥବା, ମାଆଙ୍କ ଭାଷା ଦେଇ କହିଲେ ଆମେ ତାଙ୍କର collaborateurs ହୋଇ ରହିଥାନ୍ତୁ । ତାଙ୍କରି ସଂସାରରେ ତାଙ୍କୁ ଭୁରୁଡ଼ାଇ ଏପରି ଆପଣା ତୁରୀଗୁଡ଼ାକୁ ଆପେ ବଜାଇବାକୁ ମନ କରୁନଥାନ୍ତୁ । ସେପିରି ହେଉଥିଲେ ସଂସାର ତାଙ୍କ ବାଟରେ ଚାଲିଥାଆନ୍ତା,–ଏଠି ଆମେ ଏପରି ଭାବରେ‌ ପରସ୍ପରକୁ ବଳିଯାଇ ବା ଆବଶ୍ୟକ ହେଲେ ପରସ୍ପରକୁ ଗିଳି ପକାଇ ସବା ବଡ଼ ହୋଇ ଦିଶିବାକୁ ମୋଟେ ମନ କରୁ ନଥାନ୍ତୁ । ଆମର ଘରଗୁଡ଼ିକ ତାଙ୍କରି ଘରରେ ପରିଣତ ହୋଇ ରହିଥାନ୍ତା,–ଆମ ପିଣ୍ଡରେ ସେଇ ନିୟାମକ ହୋଇ ରହି ଥାଆନ୍ତେ ।

 

ଆପଣାର କରୁଣା ଦେଇ ସିଏ ଅନୁକ୍ଷଣ ଏହି ସବୁକିଛିକୁ ତାଙ୍କର ଇଚ୍ଛା ସହିତ ଯୋଡ଼ି କରି ରଖିଛନ୍ତି ବୋଲି ଯଦି ମୁଁ ସତକୁ ସତ ଅନୁଭବ କରୁଥାନ୍ତି, ତେବେ ତାଙ୍କର ଆଖିଗୁଡ଼ାକୁ ଏଡ଼ିଦେଇ ପାରୁଥିବାର ଦମ୍ଭ କରି ମୁଁ ନିଜେ କଦାପି ତାଙ୍କ ସଂସାରରେ ସତେଅବା ଏକ ବଳୀୟାର ବଳିବର୍ଦ୍ଦ ହୋଇ ବାହାରିବାକୁ ମୋଟେ ଇଚ୍ଛା କରୁନଥାନ୍ତି । ତେବେ ମୁଁ କରୁଣାର ଭାଜନ ହୁଅନ୍ତି । ପାଦ ଦୁଇଟିକୁ ଅନୁସରଣ କରି ବାଟ ଚାଲିପାରନ୍ତି, ତାଙ୍କର ଯୋଜନାଗୁଡ଼ିକୁ ବୁଝିପାରନ୍ତି, ତାଙ୍କର ଡାକଟିକୁ ଶୁଣିପାରନ୍ତି । ଯାହାଙ୍କୁ ମୁଁ କରୁଣାର ଅକୃପଣ ଭଣ୍ଡାର ବୋଲି କହୁଛି, ତାଙ୍କ ପାଖରେ ମୁଁ ଅଲଗା କରି ଅର୍ଥାତ୍‌ କେବଳ ମୋ' ସକାଶେ ଆଦୌ କିଛିହେଲେ ମାଗିବାକୁ ମନ କରନ୍ତି ନାହିଁ । ଆପଣାର ରଜ୍ଜୁଗୁଡ଼ିକୁ ନେଇ ତାଙ୍କରି ହାତରେ ଧରାଇ ଦିଅନ୍ତି । ସେହି କରୁଣା ମୋ ଜବନକୁ ସ୍ପର୍ଶ କରି ସତତ ରହିଥାଉ ବୋଲି ଯଦି ମୁଁ ସତକୁ ସତ ବାଟ ଛାଡ଼ିଦେଇ ପାରନ୍ତି, ତେବେ ଏ ଅହଂକାରଗୁଡ଼ାକ ନିମନ୍ତେ ମୋର ଆଉ ଆଦୌ କୌଣସି ଲୋଭ ରହନ୍ତା ନାହିଁ । ଜାଲ ଭିତରେ ସବୁଠାରୁ ବଡ଼ ମାଛଟାପରି ତୁଚ୍ଛା କୋଳାହଳ କରିବାଲାଗି ମୋତେ ଆଉ ମୋଟେ ଭଲ ଲାଗନ୍ତା ନାହିଁ । ଏବଂ, କରୁଣାକୁହିଁ ଜୀବନ ଉନ୍ମୋଚନର ସବୁଠାରୁ ଅଧିକ ନିର୍ଭରଯୋଗ୍ୟ କାରଣ ବୋଲି ଗ୍ରହଣ କରି ନେଇ ପାରିଲେ, ଏଠି ଅନ୍ୟମାନଙ୍କ ସହିତ ମୋର ରହିଥିବା ସମ୍ବନ୍ଧଗୁଡ଼ାକ କେଡ଼େ ସ୍ଵାଭାବିକ ଭାବରେ ବଦଳି ଯାଇପାରନ୍ତା ! ଯେଉଁମାନେ କରୁଣା ଉପରେ ମୂଳତଃ ଏକ ଅବିଶ୍ଵାସ ରଖିଥାନ୍ତି, ସେହିମାନେହିଁ କ୍ଷମତାକୁ ଆଶ୍ରାକରି ରହିଥାନ୍ତି । କ୍ଷମତାକେନ୍ଦ୍ରିକ ନାନା କୋଳାହଳରେ ସେଇମାନେ ନାୟକ ଓ ମହାନାୟକ ହୋଇ ରହିବାକୁ ଛିଦ୍ରଗୁଡ଼ିକ ଖୋଜୁଥାନ୍ତି । ଯଦି ମଣିଷ ସତକୁ ସତ କରୁଣାର ଭାଜନ ହୋଇଯାଏ, ତେବେ ସିଏ ଏକ ଅନ୍ୟ ଚେତନାରେ ସଂସାର ଭିତରେ ବନ୍ଧୁ ବାନ୍ଧି ବାହାରେ । ଏକ ଆତ୍ମୀୟତାହିଁ ତେଣିକି ତା ଜୀବନର ଯାବତୀୟ ଗଣିତକୁ ନିରୂପିତ କରିନିଏ ।

 

ସିଏ ଏଇଠି ମୋରି ଭିତରେ ରହିଛନ୍ତି ବୋଲି ଯଦି ମୁଁ ସତକୁ ସତ ଅନୁଭବ କରିବାକୁ ଆରମ୍ଭ କରି ପାରିବି, ତେବେ ବାହାରର ଉପଚାର-ବହୁଳତା ଲାଗି ମୋର ଆଉ ଆଦୌ କୌଣସି ଆକର୍ଷଣ ରହିବ ନାହିଁ । ବେଳେବେଳେ ମନେହୁଏ, ମଣିଷ ନାନା କାରଣରୁ ତାଙ୍କୁ ଆପଣା ଭିତରେ ବହନ କରି ବାଟ ଚାଲିବାକୁ ଭୟକଲା ବୋଲି କ'ଣ ବାହାରେ ଏହିସବୁ ଉପଚାର ଓ ଆଡ଼ମ୍ବରଗୁଡ଼ାକୁ ଏତେ ମନ କଲା କି ? ବାହାରର ବିଧିଗୁଡ଼ାକୁ ବହୁରଞ୍ଜିତ କରି ମାନିଲେ ଭିତରେ ଅସଲ ସିଂହାସନଟି ଉପରେ ସିଏ ପ୍ରକୃତରେ ଆସୀନ ହୋଇ ରହିଛନ୍ତି କି ନାହିଁ ଚାହିଁ ଦେଖିବାକୁ ଯେ ହୁଏତ ଫୁରୁସତ ମିଳେ ନାହିଁ, ପୃଥିବୀର ସନ୍ଥ ଓ ଭାଗବତ ପଥିକମାନେ ଆମକୁ କେଡ଼େ ସାବଧାନ କରାଇଦେଇ ସେକଥା କହିଯାଇଛନ୍ତି । ହୁଏତ ଏକଥା ମଧ୍ୟ ସତ ଯେ, ପରସ୍ପର ପାଖରେ ନିଜକୁ ଅଧିକ କରି ଦେଖାଇ ହେବା ଲାଗି ଆମେ ବାହାରର ଉପଚାରଗୁଡ଼ାକୁ ଏପରି ରାଜସିକ ଭାବରେ ଗରୁ କରି ରଖିଥାଉ । ଅନେକ ମଣିଷ ଅସଲ ଆହ୍ଵାନଟି ପାଖରୁ ଚାହାଳୀଚୋର ହୋଇ ବୁଲୁଥାନ୍ତି ବୋଲି ହୁଏତ ଔପଚାରିକ ବାହ୍ୟତାଗୁଡ଼ାକୁ ଅଧିକରୁ ଅଧିକ ଭବ୍ୟ ଓ ଭାରାକ୍ରାନ୍ତ କରି ଦେଖାଇବାକୁ ଅତ୍ୟଧିକ ଆଗ୍ରହ ଦେଖାଇବାରେ ଲାଗିଥାନ୍ତି । ହୁଏତ ସେଇଥିଲାଗି ମନ୍ଦିରଗୁଡ଼ାକୁ ଇନ୍ଦ୍ରଭୁବନ ପରି ଗଢ଼ି ଥୋଇଦେବାକୁ ଆମ ସଂସାରରେ ଉଦାର ଦାନୀମାନେ କେଡ଼େ ସହଜରେ ରାଜୀ ହୋଇଯାନ୍ତି; ମାତ୍ର ଆପଣାର ଅସଲ ମନ୍ଦିରଟି ଭିତରେ ତାଙ୍କୁ ସିଂହାସନ ଉପରେ ବସାଇ ଆଗକୁ ବାଟ ଚାଲିବା ନିମନ୍ତେ କେତେଜଣ ସମ୍ମତ ହୁଅନ୍ତି ? ଆଉ ଏକ ଭାଷାରେ କହିଲେ, ତାଙ୍କରି ମୁହୂର୍ତ୍ତଟି ଆସି ଉପସ୍ଥିତ ହୋଇଗଲା ବୋଲି ସନ୍ଦେଶ ପାଇ ଆପଣାର ମନ୍ଦିରଟିକୁ ପରିଚ୍ଛନ୍ନ ଓ ଯଥାପରିମଳ କରି ରଖିବା ଲାଗି କେତେଜଣ ସାହସ କରନ୍ତି ?

 

ଆମର ଶିକ୍ଷାକେନ୍ଦ୍ରଟିକୁ ଯଦି ଆମେ ସତକୁ ସତ ଆମ ଇପ୍ସିତ ପରିବର୍ତ୍ତନର ପ୍ରୟୋଗଶାଳାଟିଏ ବୋଲି ଗ୍ରହଣ କରିପାରନ୍ତୁ, ତେବେ ସେହି ଶିକ୍ଷାକେନ୍ଦ୍ରକୁ ମାଧ୍ୟମରୂପେ ବ୍ୟବହାର କରି ଆମ ନିଜ ଜୀବନରେ ମଧ୍ୟ ଏକ ପରିବର୍ତ୍ତନ ଘଟିବା ଆରମ୍ଭ ହୋଇଯାନ୍ତା । ଆମେ ଯେଉଁମାନେ କେତେ ନା କେତେ ବ୍ୟାକୁଳତା ନେଇ ସେହି, କେନ୍ଦ୍ରଗୁଡ଼ିକରେ ଆସି ଏକାଠି ହୋଇଛୁ, ସେମାନେ ଆଉ ପରସ୍ପର ସହିତ କ୍ଷୟକାରୀ ନାନା ପ୍ରତିଯୋଗିତା ଭିତରେ ପଶି ଖଣ୍ଡିଆଖାବରା ହେବାକୁ ମୋଟେ ମନ ବଳାନ୍ତେ ନାହିଁ । ଆମେ ପରସ୍ପର ଲାଗି ଅଗ୍ରଗତିର କାରଣ ହୁଅନ୍ତେ, ପରସ୍ପରର ଦ୍ଵାର‌ଉନ୍ମୋଚନରେ ସହାୟକ ହୁଅନ୍ତେ, ଆମ ଉଦ୍ୟମଟିର କ୍ଷେତ୍ରରେ ପରସ୍ପରକୁ ପରସ୍ପରର ପରିପୂରକ ବୋଲି ଅନୁଭବ ବି କରନ୍ତେ । ଏବଂ ଯେଉଁ ପିଲାମାନେ ଆମ ଚାରିପାଖରେ ରୁଣ୍ଡହୋଇ ଆମକୁ ଏକ ଅଭିନବ ଭବିଷ୍ୟତର ଆଶା କରିବା ଲାଗି ସୁଯୋଗ ଦେଇଛନ୍ତି, ସେମାନଙ୍କୁ ଆମେ ଆମ ବୟସ୍କତାର ଜାଲଗୁଡ଼ାକୁ ପକାଇ ଆଦୌ ବୁଢ଼ା କରିଦେବାର ଫିକର କରନ୍ତେ ନାହିଁ । ନିଜ ଜୀବନରେ ଯେଉଁ କୋମଳତା, ନମନୀୟତା ଏବଂ ତାରୁଣ୍ୟକୁ ନାନା ଅନ୍ୟ ପ୍ରକୋପନରେ ପଡ଼ି ଆମେ କ୍ରମଶଃ ମାରିଦେଇ ଆସିଛୁ, ଯେଉଁ ପିଲାମାନଙ୍କର ଅଭୟ ଓ ପ୍ରଶସ୍ତ ସଖ୍ୟସ୍ପର୍ଶ ପାଇ ଆମେ ତାହାକୁ ସତେଅବା ପୁନରୁଜ୍ଜୀବିତ କରି ଆଣୁଥିବା ପରି ଅନୁଭବ କରିପାରୁଛୁ, ସେମାନଙ୍କୁ ଆମେ ଆଉ କଦାପି ଆମ ପୁରୁଣା ତାଳଗୁଡ଼ାକ ଅନୁସାରେ ନଚାଇବାକୁ ଚେଷ୍ଟା କରନ୍ତେ ନାହିଁ । ଆମର ଶିକ୍ଷାକେନ୍ଦ୍ରଗୁଡ଼ିକୁ ଅନାଇଦେଲା ମାତ୍ରକେ ସତେଅବା ଆମକୁ ଆଗାମୀ କାଲିର ଦର୍ଶନ ଉପଲବ୍ଧ ହୋଇ ପାରୁଥାନ୍ତା । ପରସ୍ପର ଆଡ଼କୁ ଅନାଇ ଆମେ ପରସ୍ପର ମଧ୍ୟରେ ସତତ ଉଦ୍ୟତ ହୋଇ ରହିଥିବା ଶିଶୁଟିକୁ ଆବିଷ୍କାର କରି ପାରୁଥାନ୍ତେ । ପରସ୍ପରର ଝୁଣ୍ଟିବାଗୁଡ଼ାକୁ କଦାପି ନିଠ କରି ଧରନ୍ତେ ନାହିଁ, ପରସ୍ପରକୁ ସାହସ ଦିଅନ୍ତେ, ବଳ ଦିଅନ୍ତେ । ଯେଉଁସବୁ ନୂତନ ସଂବେଦନାକୁ ମୂଳସୂତ୍ର କରି ଆଗାମୀ ସଂସାରଟି ଗଢ଼ି ଉଠିବ ବୋଲି ଆମେ କେଡ଼େ ଉତ୍ସାହର ସହିତ କହୁଛୁ, ଆମେ ଆଜି ଆମର ଉପସ୍ଥିତ ସମ୍ମିଳନ-କ୍ଷେତ୍ରଟିରେ ମଧ୍ୟ ସେହି ସଂବେଦନାକୁ ବଞ୍ଚିବା ଲାଗି ସମର୍ଥ ହୁଅନ୍ତୁ ।

 

ଯଦି ଆମେ ସତକୁ ସତ ରାଜୀ ହୁଅନ୍ତେ, ତେବେ ପରସ୍ପର ଆଡ଼କୁ ଅନାଇ କେବଳ ବନ୍ଧୁମାନଙ୍କୁହିଁ ଦେଖନ୍ତେ । ଅନ୍ଧାରର ଗର୍ଭ ମଧ୍ୟରେ ଆଲୋକଟିର ଉପସ୍ଥିତି ଅନୁଭବ କରିପାରନ୍ତେ-। ଯଦି ସତକୁ ସତ ଦୁଆର ଖୋଲି ଦେବାକୁ ଅର୍ଥାତ୍‌ ସାଙ୍ଗରେ ବାଟ ଚାଲୁଥିବା ଅନ୍ୟ ସମସ୍ତଙ୍କ ପାଇଁ ନିଜ ଭିତରେ ଥାନ ଟିକିଏ ରଖିବା ପାଇଁ ସମର୍ଥ ହୁଅନ୍ତେ, ତେବେ ତାହାହିଁ ଆମର ଶକ୍ତିକୁ ବହୁଗୁଣିତ କରିଦିଅନ୍ତା । ଯଦି ସତକୁ ସତ ସବୁରି ମଧ୍ୟରେ ତାଙ୍କରି ଯୋଜନାଟି କାର୍ଯ୍ୟକାରୀ ହେଉଥିବାର ଅନୁଭବ କରି ପାରନ୍ତେ, ତେବେ କଦାପି କାହାକୁ ପ୍ରତ୍ୟାଖ୍ୟାନ କରି ଆପେ ଶୁଖିଲା ଉଚ୍ଚପିଣ୍ଡାକୁ ଉଠି ଆସିଲେ ବୋଲି ମୋଟେ ଭ୍ରମ କରନ୍ତେ ନାହିଁ । ଯାହା ଆସୁଛି, ତାହା ଆମର କୌଣସି ପୁରୁଣା ପାଞ୍ଜିର ନିୟମ ମାନି କଦାପି ଆସୁ ନାହିଁ । ତାହା ଅନେକ ସ୍ଵୀକୃତ ଦରବାରର ନିରର୍ଥକତାକୁ ଘୋଷଣା କରି ଆସୁଛି; ଅନେକ ପୁରୁଣା ଗଣ୍ଠି, ପୁରୁଣା ଅର୍ଦ୍ଧସତ୍ୟ ଓ ପୁରୁଣା ଅଭିମାନକୁ ପଦାରେ ପକାଇ ଦେବାକୁ ଆସୁଛି ।

 

ଆମେ ଯେଉଁଟିକୁ ଆପଣାର ବାଟ ବୋଲି କେଡ଼େ ଖୁସୀ ହୋଇ କହୁଛେ, ସେଇ ବାଟଟିକୁ କ'ଣ ଆମେ ସତକୁ ସତ ସ୍ଵୟଂ ବାଛିଛେ ? ଅନ୍ୟ କେଉଁଠାରୁ ମାଡ଼ ଖାଇ, ଖଣ୍ତିଆ ଓ କାତର ହୋଇ ଆମେ ପ୍ରାଣବିକଳରେ ଏଇଟି ଭିତରକୁ ପଳାଇ ଆସି ନାହେଁତ ? ଏହି ପ୍ରଶ୍ନଟିକୁ ଆମେ ନିଜକୁ ପଚାରିବା ଏବଂ ତା'ପରେ ଯାଇ ନିଜର ଅନୁରକ୍ତିଗୁଡ଼ାକର ସଦରମଫସଲକୁ ନିରୂପଣ କରିବାକୁ ଚେଷ୍ଟା କରିବା । ତେଣୁ ବିରକ୍ତ ହୋଇ ଏପାଖକୁ ପଳାଇ ଆସିଥିବା ମଣିଷ ଏହି ଜଗତ ଲାଗି ଅଭିପ୍ରେତ ହୋଇ ରହିଥିବା ପରବର୍ତ୍ତୀ କାର୍ଯ୍ୟଟିରେ ହୁଏତ ଆଦୌ ଖୁବ୍ ବେଶୀ କାମରେ ଲାଗି ପାରିବ ନାହିଁ । ସିଏ ହୁଏତ ସ୍ଵୟଂ ଶୁଦ୍ଧ ହୋଇ ରହିବାର ଆଳରେ ଏଠୁ ଦୂରଛଡ଼ା ହୋଇ ରହିବ । ଦୂରରୁ କେଡ଼େ ଉଜ୍ଜ୍ୱଳ ଦେଖା ଯାଉଥିବ । ମାଆଙ୍କ ଭାଷାରେ, "Do not try to be among the pure." ଏବଂ, "Those who want to remain great, lumionous, strong, powerful and so on and so forth, well, let them stay up there, they cannot do anything for the earth.', (Mother's Cent. Vol.-X, Page-122-214)".

 

ସେପ୍‍ଟେମ୍ବର, ୧୯୮୫

Image

 

ବିଦ୍ୟାରୁ ବିନୟ

 

ବିନୟକୁ ଅନେକ ମଣିଷ ସତେଅବା ଏକ ଗୁଣ ବୋଲି କଳ୍ପନା କରିଥାନ୍ତି । ଏହି ଗୁଣକୁ ଅର୍ଜନ କରାଯାଏ । ସାଧୁମାନେ ବିନୟୀ ହୋଇଥାନ୍ତି ବୋଲି ଆମ ସଂସାରରେ ଏକ ଅପବାଦ ହୁଏତ ଆବହମାନ କାଳରୁ ରହିଛି । ତେଣୁ, ଯେଉଁମାନେ ନିଜକୁ ସାଧୁ ବୋଲି ପରିଚିତ କରାଇବା ସକାଶେ ଇଚ୍ଛା କରୁଥାନ୍ତି, ସେମାନଙ୍କୁ ବିନୟରୂପୀ ଗୁଣଟିକୁ ମଧ୍ୟ ଆୟତ କରିବାକୁ ହେଇଥାଏ । ଏହିଭଳି ବ୍ୟକ୍ତିମାନଙ୍କୁ ବିନୟର ଶିକ୍ଷା କରିବା ଲାଗି ହୁଏତ କେତେକ ବିଶେଷ ବିଧିକୁ ମାନିବାକୁ ପଡ଼େ । ବିନୟର ବିଧିଗୁଡ଼ିକୁ ମାନିବା ଓ ତାହାର ଉପକାରିତା ସମ୍ବନ୍ଧରେ ପୃଥିବୀରେ କେତେ କେତେ ଶାସ୍ତ୍ର ଲେଖାହୋଇ ରହିଛି । ବିନୟର ବିଶେଷ ମାର୍ଗଟିକୁ ବତାଇଦେବା ନିମନ୍ତେ ଏହି ସଂସାରରେ ଯୁଗେଯୁଗେ ଗୁରୁଜନମାନେ ରହି ଆସିଛନ୍ତି । ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ଆପଣାର ଅର୍ଜିତ ଗୁଣଗୁଡ଼ିକୁ ସତେଅବା ଗୋଟିଏ ଗୋଟିଏ ମୁଖା ପରି ବ୍ୟବହାର କରିଥାନ୍ତି । ସେମାନେ ନିଜ ଭିତରେ ସତକୁ ସତ ଆଉ କ'ଣ ହୋଇ ରହିଥାନ୍ତି, ମାତ୍ର ଉପରକୁ ମୁଖାଗୁଡ଼ାକୁ ପିନ୍ଧି ନିଜକୁ ସତେଅବା ଆଉ କ'ଣ ବୋଲି ଦେଖାଇବାକୁ ମନ କରନ୍ତି । ଭିତରେ ଆଦୌ କୌଣସି ବିନୟ ନଥିଲେ ମଧ୍ୟ ଉପରଟାକୁ ବିନୟ‌-ଗୁଣରେ ଭୂଷିତ କରି ରଖିଥାନ୍ତି । ଭୂଷଣ ପିନ୍ଧି ସଜ୍ଜନ ହୁଅନ୍ତି, ସଜ୍ଜନ ବୋଲାନ୍ତି । ଆପଣା ବଞ୍ଚିବାର ଅସଲ ମୁହଁଗୁଡ଼ାକୁ ଲୁଚାଇ ରଖିବା ନିମନ୍ତେ ସତେଅବା ମୁଖା ପିନ୍ଧିବାକୁ ଆବଶ୍ୟକ ମନେ କରନ୍ତି । ଅନେକ ସମାଜରେ ଭବ୍ୟତା ଏବଂ ଭଦ୍ରତା କହିଲେ ହୁଏତ କେବଳ ଏତିକିକୁହିଁ ବୁଝାଏ । ଉପର ଗୁଣଗୁଡ଼ିକର ପରିପାଟୀରୁ ମଣିଷମାନଙ୍କର ବିଚାର କରାଯାଏ ।

 

ଆହୁରି ଗୋଟାଏ ପ୍ରକାରର, ଗୋଟିଏ ଅନ୍ୟ ସ୍ତରର ଓ ଅନ୍ୟ ଭୂମିର ବିନୟ ରହିଛି, ଯାହାକି ବିଦ୍ୟାରୁ ଉପଲବ୍ଧ ହୋଇଥାଏ । ଏଠାରେ ବିଦ୍ୟା କହିଲେ ବହି ପଢ଼ି ପଣ୍ଡିତ ହେବାର ସେହି ଅଳ୍ପ କଥାଟିକୁ ଆଦୌ ବୁଝାଏ ନାହିଁ । ବିଦ୍ୟା ଗଣ୍ଠି ଫିଟାଇଦିଏ, ବିଦ୍ୟାବନ୍ତ ମଣିଷ ସଂସାରରେ ଆପଣାକୁ ଲୁଚାଇ ରଖିବା ଲାଗି ଆଦୌ କୌଣସି ଆବଶ୍ୟକତା ଅନୁଭବ କରେନାହିଁ-। ଅସଲ ବିଦ୍ୟା ଆମେ ନାନା ପ୍ରୟୋଜନର ବଶବର୍ତ୍ତୀ ହୋଇ ପିନ୍ଧିଥିବା ମୁଖାଗୁଡ଼ିକୁ ଗୋଟିଗୋଟି କରି ଖସାଇ ପକାଏ । ଆମ ଜୀବନରେ ସୂର୍ଯ୍ୟଦର୍ଶନ କରାଏ । ଆହୁରି ଅଧିକ ଯଥାର୍ଥ ଭାବରେ କହିଲେ, ଭିତରର ଅପେକ୍ଷମାଣ ସୂର୍ଯ୍ୟକୁ ନେଇ ବାହାରର ପରିପ୍ରକାଶମାନ ସୂର୍ଯ୍ୟଟି ସହିତ ଭେଟ କରାଇ ଦିଏ । ସେହି ଭେଟ ଆମର ଜୀବନରେ ଯେଉଁ ନୂତନ ଅନୁରାଗ ଏବଂ ନୂତନ ଉନ୍ମୋଚନଟିର ଅବତାରଣା କରାଏ, ତାହାହିଁ ବିନୟ । ମୋ' ସମ୍ମୁଖରେ ଏହି ବିରାଟ ଆକାଶ,–ସେହି ଆକାଶର ସମ୍ମୁଖରେ ଦଣ୍ଡାୟମାନ ହୋଇ ମୁଁ ତାହାର ତୁଳନାରେ ସତକୁ ସତ କେତେ କ୍ଷୁଦ୍ର ବୋଲି ଆଦୌ ମ୍ରିୟମାଣ ହୋଇ ପଡ଼ୁନାହିଁ, ମାତ୍ର ଆପଣାକୁ ଏହି ଆକାଶରୂପୀ ଭୂମାର ଅନ୍ତର୍ଗତ ହୋଇ ରହିଥିବାର ଅନୁଭବ କରୁଛି, ମୋ'ର ଅନ୍ତରଙ୍ଗତମ ଯାବତୀୟ ବାସନା ଏବଂ ଦ୍ୟୋତନାର ମୂଳରେ ମୁଁ ସେହି ଭୂମାର ସ୍ପର୍ଶ ଅନୁଭବ କରୁଛି, ସେହି ସ୍ପର୍ଶ ମୋତେ ଏକ ବିରାଟର‌, ଏକ ଅନ୍ୟ ସାନ୍ନଧ୍ୟର ପ୍ରେରଣା ଆଣି ଦେଉଛି,– ମୋତେ ସ୍ତବ୍ଧ କରି ଆଣୁଛି, ନୀରବ କରି ଆଣୁଛି, ମୋର ସକଳ ଅହଂମନ୍ୟତା ଏବଂ ଔଦ୍ଧତ୍ୟକୁ ପ୍ରଶମିତ କରି ଆଣୁଛି; ସତେଅବା ଅତି ଆପଣାର କେଉଁ ଥଳଟିକୁ ଆବିଷ୍କାର କରିଥିବା ପରି ମୁଁ ଅତ୍ୟନ୍ତ ସ୍ଵାଭାବିକ ଭାବରେ ତାହାରି ହୋଇଯାଉଛି, ତାହାରି ହୋଇ ବିଚରଣ କରିବାକୁ ନିଜ ଜୀବନର ଅସଲ ବୈଭବ ବୋଲି ଅନୁଭବ କରୁଛି, ସେହି ପ୍ରେରଣାଟି ହେଉଛି ବିନୟର ପ୍ରେରଣା । ସେହି ବିନୟ ମଣିଷକୁ ଆପଣାର ଯାବତୀୟ କ୍ଷୁଦ୍ର ଅହଂଗ୍ରନ୍ଥିଳତାରୁ ବାହାରକୁ ବାହାର କରି ନେଇଆସେ, ଆମ ଜୀବନରେ ତାହା ଅନେକ ମୁକ୍ତିର କାରଣ ହୁଏ । ଆମକୁ ଏକ ବୃହତ୍ତର ବୃତ୍ତର ଭାଜନ କରାଇ ତାହା ଆମର ଯାବତୀୟ କ୍ଷୁଦ୍ର ବୃତ୍ତର ବାଡ଼ରେ ସତକୁ ସତ ଏକ ବିମୋଚନ ଆଣି ଦେଇଥାଏ ।

ଆପଣାକୁ ଗୋଟାସୁଦ୍ଧା ମୁକୁଳା କରିଦେଇ ସମଗ୍ର ବିଶ୍ଵକୁ ପ୍ରାଣମୟ ଓ ଜୀବନୋଜ୍ଜ୍ୱଳ କରି ରଖିଥିବା ଆଲୋକ ଭିତରେ ଠିଆହେଲେ ମଧ୍ୟ ସେହିସରି ନିଜ ଭିତରେ ନାନା କାରଣରୁ ସାଇତା ହୋଇ ରହିଥିବା ଅନ୍ଧକାରଗୁଡ଼ାକର ଅହଂକାର ସତେଅବା କୁଆଡ଼େ ମିଳାଇ ଯାଉଥିବା ପରି ମନେହୁଏ । ସେହିପରି, ନିଜକୁ ଆମର ଚାରିପାଖରେ ଆମକୁ ବେଷ୍ଟନ କରି ରହିଥିବା ଏହି ବୃହତ୍ତର ପୃଥିବୀର ଏକ ଅଂଶରୂପେ ଆବିଷ୍କାର କରିନେଇ ପାରିଲେ ମଧ୍ୟ ବିନୟହିଁ ଆମ ଜୀବନର ସର୍ବବୃହତ୍‌ ଆଭିମୁଖ୍ୟ ବୋଲି ଅନୁଭୂତ ହୋଇଥାଏ । ଅହଂକାରମାନେ ଆମକୁ ଭାରି ଏକୁଟିଆ କରି ରଖିଥାଆନ୍ତି; ଅହଂକାର ଗୁଡ଼ାକୁହିଁ ଜୀବନବେଭାରର ଅସଲ ଆଶ୍ରୟ ବୋଲି ଜାବୁଡ଼ି ଧରିଥିବା ପର୍ଯ୍ୟନ୍ତ ଆମେ ସତେ ଯେପରି ମାଳ ମାଳ ଶତ୍ରୁଦୁର୍ଗଭିତରେ ଏକ ସତତ ଲଢ଼େଇରେ ଅସ୍ତବ୍ୟସ୍ତ ହୋଇ ରହିଥିବା ପରି ଜୀବନ ବଞ୍ଚୁଥାଉ । ବେଳେ ବେଳେ ସେହି ଦୁର୍ଗ ଗୁଡ଼ିକ ଉପରେ ଆପାତ ବିଜୟମାନ ହାସଲ କରି କେଡ଼େ ପୁଲକିତ ହୋଇଯାଉ, ସଂସାରର ସବୁ ପାଜିଙ୍କୁ ସତେଅବା ଦଉଡ଼ିରେ ବାନ୍ଧି ଆଣି କେଡ଼େ ଦର୍ପରେ ନଚାଉଥିବା ପରି ଅନୁଭବ କରୁ; ପୁଣି, ଆଉ ବେଳେବେଳେ ହାରିଯାଇ ଅପମାନିତ ବୋଧ କରୁ, ନାନା ଗ୍ଳାନି ଏବଂ ତଜ୍ଜନିତ ନାନା କୋପନର କବଳରେ ପଡ଼ି ଜେତେ ଦାନ୍ତ ରଗଡ଼ୁ, ଆପଣାକୁ କେତେ ଧିକ୍କାର ଦେଉ,–ସଂସାରଯାକକୁ ଗୋଟାଏ ମାଡ଼ରେ ସାବାଡ଼ କରି ରଖିବାର ବଳ ଓ ବର ସେମାନେ ଆମକୁ ଦିଅନ୍ତୁ ବୋଲି ଉପରେ ଥାଇ ଆମ ସୁକୁଟ ଦେଖୁଥିବା ଅପଦେବତାମାନଙ୍କ ପାଖରେ କେତେ ଗୁହାରି ଓ ତର୍ଜ୍ଜନା କରିବାରେ ଲାଗିଥାଉ । ଭିତରେ ବିନୟ ନଥିଲେହିଁ ମଣିଷ ଭିତରେ ଆପଣା ପାଖରେ ତଥା ବାହାରେ ସାରା ସଂସାର ପାଖରେ ଏହିପରି ଅନୁରାଗହୀନ ହୋଇ ରହିବାକୁ ବାଧ୍ୟ ହୁଏ । ଏବଂ, ତୁମେ ଯେଡ଼େ ବଡ଼ ସିଂହାସନ ଉପରେ ଯାଇ ବସିଥାଅ ପଛକେ, ଭିତରେ ଓ ବାହାରେ ଅନୁରାଗହୀନ ହୋଇ ରହିବାକୁ ବାଧ୍ୟ ହେଉଥିବା ପର୍ଯ୍ୟନ୍ତ ତୁମର ଏହି ଯାବତୀୟ ଧନ୍ଦା ସତ୍ତ୍ୱେ ତୁମକୁ କେବଳ ଦରିଦ୍ର ବୋଲିହିଁ କହିବାକୁ ପଡ଼ିବ । ଆପଣା ଅଭିମାନରୁ ପ୍ରସୂତ,– ସ୍ଥାନାଭିମାନ, ଜ୍ଞାନାଭିମାନ; ଈର୍ଷାଭିମାନ ପ୍ରଭୃତି ସବୁକିଛି,–ଏକାବେଳକେ ନାନା ସିଂହାସନ ଉପରେ ଅତ୍ୟନ୍ତ ଦର୍ପଜର୍ଜର ହୋଇ ବସି ରହିଥିବା କେତେ ଦରିଦ୍ର ଲୋକ ଆମର ଏହି ସଂସାରରେ ଦେଖିବାକୁ ନମିଳିବେ ! ସେମାନେ ଆପଣା ଭିତରେ ଅସଲ ବିନୟଟିର, ଅସଲ ନମନୀୟତାଟିର ସନ୍ଧାନ ପାଇନାହାନ୍ତି, ତେଣୁ କୁଢ଼ କୁଢ଼ ସଞ୍ଚୟ ଓ ସାଜସଜା ସତ୍ତ୍ୱେ ତଥାପି କେଡ଼େ ଦରିଦ୍ର ହୋଇ ରହିଛନ୍ତି-!

ଅସଲ ବିଦ୍ୟା ଆମକୁ ଏହି ନମନୀୟତା ଆଣିଦିଏ । ଆମର ନମନୀୟତା ଆମକୁ ଉନ୍ମୋଚିତ କରାଏ, ଅଧିକରୁ ଅଧିକ ପରିମାଣରେ ସମ୍ମତ କରାଏ, ଆମକୁ ଅସଲ ସଦନ ଗୁଡ଼ିକ ଆଡ଼କୁ ଆମରି ସମ୍ମତି ସହିତ ଅଗ୍ରସର କରାଇ ନେଇ ଯାଉଥାଏ । ଅନମନୀୟମାନେ ଆପଣାକୁ ସତେଅବା ଅନେକ ଅଳ୍ପତାର କଂସାକବାଟ ଦେଇ ମୁଦି କରି ରଖିଥାଆନ୍ତି । ସେମାନେ କାହାରି ପାଖରେ ମୋଟେ ରାଜି ହୁଅନ୍ତି ନାହିଁ, ଅନେକ ସମୟରେ ଆପଣା ପାଖରେ ମଧ୍ୟ ରାଜି ହୋଇ ପାରନ୍ତି ନାହିଁ । ରାଜି ହେବାକୁ ଭୟ କରନ୍ତି । ବିଦ୍ୟାହିଁ ଆମକୁ ସେହି ଭୟରୁ ମୁକ୍ତ କରାଏ । ଭୟମୁକ୍ତ ମଣିଷହିଁ ନମନୀୟ ହୁଏ, ଏବଂ, ନମନୀୟ ମଣିଷକୁ ଯେଉଁ ଅସଲ ଉତ୍‍ପ୍ରେରଣାଟି ଉତ୍ସରୂପେ ଅବସ୍ଥିତ ରହି ଆପଣା ଭିତରେ ଆପଣାର ଅଧିକରୁ ଅଧିକ ଅନ୍ତରଙ୍ଗ କ୍ଷେତ୍ରଗୁଡ଼ିକରେ ତଥା ବାହାରେ ଏହି ବୃହତ୍ତର ବିଶ୍ଵସାନ୍ନିଧ୍ୟର ବିବିଧ ବିଚରଣ ମଧ୍ୟରେ ପ୍ରେରିତ କରି ରଖିଥାଏ, ମନୁଷ୍ୟର ସେହି ସମ୍ପଦଟିକୁ ଆମେ ଗୋଟିଏ ଶବ୍ଦରେ ବିନୟ ବୋଲି କହିପାରିବା । ବିଦ୍ୟାହିଁ ଆମ ଅଜ୍ଞାନ ଗୁଡ଼ିକର ଯାବତୀୟ ଅମଙ୍ଗ ବନ୍ଧଗୁଡ଼ାକୁ ଭାଙ୍ଗିଦେବାକୁ ଆସେ । ମୁଁ ଯେତିକି ଜାଣିଛି, ତାଠାରୁ ଅନେକ ଅଧିକ ଜାଣିବାକୁ ରହିଛି; ମୁଁ ଯେତିକି ଅନୁଭବ କରିବାକୁ ସମର୍ଥ ହୋଇଛି, ତା'ଠାରୁ ଅନେକ ଅଧିକ ଅନୁଭବ କରିବାକୁ ବାକୀ ରହିଛି; ଜୀବନର ଯାବତୀୟ ସଖ୍ୟ ଓ ସମ୍ମିଳନର କ୍ଷେତ୍ରରେ ମୁଁ ସତେଅବା ବନ୍ଧୁ ପରି ଡାକି ପାଖକୁ ଯିବା ଲାଗି ଆହ୍ଵାନ ଦେଉଥିବା ଯେତିକି ଅବସରର ସମ୍ମୁଖୀନ ହେଉଛି, ତା'ଠାରୁ ଆହୁରି ଅଧିକ ସଖ୍ୟ ତଥା ସମ୍ମିଳନର ଅବସର ମୋ ଲାଗି ଅପେକ୍ଷା କରି ରହିଛି; ମୋ ଚାରି ପାଖରେ ମୋତେ ସମ୍ଭାରି ଧରିଥିବା ଦୃଶ୍ୟ ଏବଂ ଅଦୃଶ୍ୟ ଏହି ଅବଲମ୍ବନ ଏବଂ ଆହ୍ଵାନଗୁଡ଼ିକର ମୁଁ ଯେତିକି ମର୍ମଭେଦ କରି ପାରିଛି, ତା'ଠାରୁ ଅନେକ ଅଧିକ ଆହ୍ଵାନ ଏବଂ ଅବଲମ୍ବନ ମୋଲାଗି ଅପେକ୍ଷା କରି ରହିଛି, କେବଳ ବିନୟହିଁ ଆମକୁ ଏହିସବୁ ଅନୁଭୂତି ଓ ଉପଲବ୍ଧିର ଉପଯୁକ୍ତ କରାଇ ଆମକୁ ଜୀବନରେ ପ୍ରବୃତ୍ତ କରାଇ ରଖିପାରେ । ଏହି ବିନୟ ଆମର ଅଜ୍ଞାନ ଅର୍ଥାତ୍‌ ଆପାତ ଜ୍ଞାନଗୁଡ଼ିକୁ ଅଧିକକୁ ମନ କରିବାର, ଅଧିକ ହେବାର ଓ ଅଧିକ ସଙ୍ଗଲାଭର ଯୋଗ୍ୟ ହେବାର ନୂତନ, ନିତ୍ୟନୂତନ ପ୍ରସ୍ଥଗୁଡ଼ିକୁ ଆଣି ଯୋଗାଇ ଦେଇ ଯାଉଥାଏ ।

ବିନୟୀ ମଣିଷ ଅନୁରାଗୀ ହୁଏ; ସତ୍ୟାନୁରାଗୀ ହୁଏ, ଜୀବନାନୁରାଗୀ ହୁଏ । ମନୁଷ୍ୟାନୁରାଗୀ ହେବାକୁ ତାକୁ ମୋଟେ କୌଣସି ପରିଶ୍ରମ କରିବାକୁ ପଡ଼େ ନାହିଁ । ଏବଂ, ମନୁଷ୍ୟାନୁରାଗୀ ମଣିଷ କେବେହେଲେ ମନୁଷ୍ୟକୁ ଗିଳି ପକାଇବାକୁ ମନ କରେ ନାହିଁ । ଆମ ଭିତରେ, ଏହି ଅନୁରାଗହୀନ ଓ ବିନୟବର୍ଜିତ ସମାଜରେ କେତେ କେତେ ମଣିଷ ନାହାନ୍ତି, ଯେଉଁମାନେ କି ଆପଣାକୁ ସତେଅବା ଗୋଟାଏ ଗୋଟାଏ ବଡ଼ ମାଛ ବୋଲି ବିଚାରି ସାନମାଛମାନଙ୍କୁ ଗିଳି ଦେବା ପାଇଁ ଲଣ୍ଡଭଣ୍ଡ ହେଉ ନଥାନ୍ତି ! ଆମର ଏହି ଅଭିଶପ୍ତ ସଂସାରରେ ତଥାକଥିତ କେତେକେତେ ଶିକ୍ଷକ ନାହାନ୍ତି, ଯେଉଁମାନେ କି ସେମାନଙ୍କର ଛାତ୍ରମାନଙ୍କୁ ଗିଳି ପକାଇବା ସକାଶେ ଧାଇଁନଥାନ୍ତି ! ମନୁଷ୍ୟର ନାନା ଅନୁରାଗକୁ ଯଥାସମ୍ଭବ ଅଧିକ ନିଷ୍ପକ୍ଷ ଶ୍ରଦ୍ଧାର ସହିତ ବୁଝିବାକୁ ଚେଷ୍ଟା କରୁଥିବା ବିଦ୍ୟା କହିବ ଯେ, ଜଣେ ମନୁଷ୍ୟ ଯେତେବେଳେ ନାନା କାରଣରୁ ଭଲ ପାଇବାକୁ ଅସମର୍ଥ ହୋଇପଡ଼ିଥାଏ, ସେତିକିବେଳେହିଁ ସିଏ ଅନ୍ୟମାନଙ୍କୁ ଗିଳି ପକାଇବାକୁ ଭାରି ମନ କରେ । ଗିଳିପକାଇ, ଆତ୍ମସାତ୍‌ କରି ସେତେବେଳେ ମଣିଷ ଅନ୍ୟଜଣେ ମଣିଷକୁ ପାଇଲା ବୋଲି, ତା ଉପରେ ଆପଣାର ଅଧିକାରକୁ ବିସ୍ତାର କରି ପାରିଲା ବୋଲି ଅନୁଭବ କରୁଥାଏ । ଏହିପରି ଭାବରେ ଜଣେ କର୍ମୀ ତାର ସହକର୍ମୀକୁ ଗିଳି ପକାଇବାକୁ ମନ କରୁଥାଏ, ଜଣେ ଭକ୍ତ ଆଉ ଜଣେ ଭକ୍ତକୁ ଗିଳି ପକାଇବାକୁ ବ୍ୟାକୁଳ ହେଉଥାଏ, ଜଣେ ଜ୍ଞାନୀ ଆଉ ଜଣେ ଜ୍ଞାନୀକୁ ମଧ୍ୟ ଗିଳି ପକାଇବାକୁ ଯନ୍ତା ସଜ କରିବାରେ ଲାଗିଥାଏ । ଏମାନେ ସମସ୍ତେ ସଂସାରରେ ବଡ଼ ଉପଦ୍ରବୀ ହୁଅନ୍ତି, ଅସଲ ମୁହୂର୍ତ୍ତଗୁଡ଼ିକୁ ପଣ୍ଡ କରିଦେବାରେ ଲାଗିଥାନ୍ତି । ବିନୟକୁହିଁ ଜୀବନର ଅସଲ ଗ୍ରହଣଦ୍ଵାର କରି ରଖିପାରି ଥିଲେ ଏସବୁ ଉପଦ୍ରବ କରିବା ସକାଶେ କୌଣସି ଆଗ୍ରହହିଁ ହୁଏନାହିଁ । ବିନୟ ରହିଥିଲେ ଜ୍ୟେଷ୍ଠ କନିଷ୍ଠକୁ ସଙ୍ଗୀ ବୋଲି ସ୍ଵୀକାର କରିନିଏ; ତାପାଇଁ ମଧ୍ୟ ବାଟ ଛାଡ଼ିଦିଏ, ଥାନ ଛାଡ଼ିଦିଏ ।

ପୂର୍ଣ୍ଣାଙ୍ଗ ଶିକ୍ଷାର ସାହସୀ ଯାତ୍ରାଟି ମଧ୍ୟରେ ପରସ୍ପରକୁ ଭେଟିଥିବା ଆମେ ସମସ୍ତେ ପରସ୍ପରର ଯେତିକି ଅଧିକ ନିକଟବର୍ତ୍ତୀ ହେଉଥିବା, ଆମେ ପରସ୍ପର ପାଖରେ ସେତିକି ବିନୟୀ ହେବା, ପରସ୍ପରକୁ ଆମର ସଙ୍ଗୀ ବୋଲି ସେତିକି ଅଧିକ ପରିମାଣରେ ସ୍ଵୀକାର କରିନେବାକୁ ସମର୍ଥ ହେବା । ଆମ ପ୍ରତ୍ୟେକଙ୍କର ହୃଦୟରେ ସାଙ୍ଗରେ ଥିବା ଅନ୍ୟ ସମସ୍ତଙ୍କ ଲାଗି ଅବଶ୍ୟ ଏକ ସ୍ଥାନ ରହିଥିବ । ଆମେ ସମସ୍ତେ, ଗୋଟିଏ ମତର ହୋଇ ନପାରୁଥିଲେ ମଧ୍ୟ ତଥାପି ଆମ ଭିତରେ ପରସ୍ପର ଲାଗି ଶ୍ରଦ୍ଧାର ସେହି ସ୍ଥାନଟି ସୁନିଶ୍ଚିତ ଭାବରେ ରହିଥିବ । କେବଳ ଏକ ଅନ୍ତର୍ଗତ ନମନୀୟତା ଦ୍ଵାରାହିଁ ତାହା ସମ୍ଭବ ହେବ । ମୋ' ନିଜର ଆହୁରି ଅନେକ ବାଟ ଚାଲିବାର ଅଛି, ଏହି କଥାଟିକୁ ଅନୁଭବ କରୁଥିବା ପର୍ଯ୍ୟନ୍ତ ଆଉ ଜଣେ ମୋ' ପରି ବାଟ ଚାଲିପାରିଲା ନାହିଁ ଅଥବା ମୋ' ପରି ଯୋଗ୍ୟ ହୋଇ ପାରିଲା ନାହିଁ ବୋଲି ମୁଁ କଦାପି ତାକୁ ବର୍ଜନ କରି ପଳାଇ ଆସିବି ନାହିଁ, ତାକୁ ହତବଳ କରି ପକାଇ ମୁଁ କଦାପି ଖୁସୀ ହେବିନାହିଁ । ଅନେକ ସମୟରେ ଅଜ୍ଞାନ ସହିତ ନ ଲଢ଼ି ଅନ୍ୟ ମଣିଷମାନଙ୍କ ସହିତ ଲଢ଼ିବାରେହିଁ ଭାରି ମତ୍ତ ହୋଇପଡ଼ୁ; ତଦ୍ଦ୍ୱାରା ବେଳେ ବେଳେ ଆମେ ଅଧିକ ପ୍ରତାପଶାଳୀ ହୋଇ ଏକା ତିଷ୍ଠି ରହିବାର ଓ ଏକା ସବୁକିଛି କରିବାର ଏକ ଆସୁରିକ ଆନନ୍ଦ ଲାଭ କରୁ ସତ, ମାତ୍ର ଅଜ୍ଞାନଗୁଡ଼ାକ ପାଖରେ ଅଧିକ ପରିମାଣରେ ହତବଳ ହୋଇ ରହିଯାଉ । ଆମର ଅନମନୀୟତା କେବଳ ଅଜ୍ଞାନକୁହିଁ ଅଧିକ ବଳ ଦିଏ । ଆମ ବିଦ୍ୟାଳୟଗୁଡ଼ିକରେ ଆମେ ସମସ୍ତେ ସମସ୍ତଙ୍କର ରକ୍ଷକ । ଯଥାର୍ଥ ବିନୟ ସହିତ ପରସ୍ପରକୁ ଅବଲୋକନ କରି ପାରୁଥିଲେ ଯାଇ ଆମେ ସେହି କଥାଟିକୁ ଯଥାର୍ଥ ଭାବରେ ବୁଝିପାରିବା । ଯଥାର୍ଥ ବିଦ୍ୟା ଏକ ଶ୍ରଦ୍ଧାକୁ ଜନ୍ମ ଦିଏ ଏବଂ ସେହି ଶ୍ରଦ୍ଧାରୁହିଁ ଆବଶ୍ୟକ ନମନୀୟତାଟି ଉପଲବ୍ଧ ହୋଇଥାଏ । ଅଧିକ ବିଦ୍ୟା ପ୍ରକୃତରେ ଅଧିକ ଶ୍ରଦ୍ଧାଶୀଳ କରେ, ଅଧିକ ନମନୀୟ କରେ । ମାତ୍ର, ନିଜର ମଞ୍ଜ ଭିତରେ ଯିଏ ଆଉ ସବୁକିଛିର ସେପାଖକୁ ସବାଆଗ କ୍ଷମତାକୁହିଁ ଇଚ୍ଛା କରୁଥାଏ ଓ ତେଣୁ ସଂସାରଯାକକୁ ଗିଳି ପକାଇବ ବୋଲି ଦାଣ୍ତକୁ ବାହାରିଥାଏ, ସିଏ ବିଚରା ସଙ୍ଗ ଓ ସଖ୍ୟର କ୍ଷେତ୍ରରେ ବଡ଼ ଦରିଦ୍ର ହୋଇ ରହିଯାଏ । ପୋଖରୀଟା ଯାକର ପାଣିରେ ସିଏ ସତେଅବା ଏକୁଟିଆ ମାଛ ହୋଇ ପହଁରିବ ବୋଲି ପାଞ୍ଚ ରଖିଥାଏ । ବିଦ୍ୟାର ପରିବେଶଟି ପାଇଁ ସିଏ ପ୍ରକୃତରେ ବଇରୀ ହୋଇ ରହେ । ତେଣୁ ଆହୁରି ଅଧିକ ନମନୀୟତା ଦରକାର, ଆହୁରି ଅଧିକ ବିନୟ ଦରକାର,–ଆହୁରି ଅଧିକ ପରିମାଣରେ ସମ୍ମତ ହୋଇ ପାରିବା ଦରକାର ।

ନଭେମ୍ବର, ୧୯୮୫

Image

 

ପୂର୍ଣ୍ଣ ଶ୍ରଦ୍ଧା ପୂର୍ଣ୍ଣାଙ୍ଗ ଶିକ୍ଷା

 

ଆଗେ ଆମ ପୃଥିବୀରେ ଶିକ୍ଷା ଲାଗି ଯେତେ ଆୟୋଜନ ହେଉଥିଲା, ଏବେ ହୁଏତ ତାହାର ହଜାରେ ଗୁଣ ଅଧିକ ଆୟୋଜନ ହେଉଛି । ଆଗେ ଶିକ୍ଷାର ପସରା ବସିବ ବୋଲି ଯେତେ ସରଞ୍ଜାମର ଯୋଗାଡ଼ ହେଉଥିଲା, ଏବେ ତାହାର ହୁଏତ କେତେ ହଜାର ଗୁଣ ଅଧିକ ଯୋଗାଡ଼ ହେଉଛି । ଆଗେ ପ୍ରଧାନତଃ ପରିବାରରେ ଅଥବା ଖୁବ୍‌ ବେଶୀ ହେଲେ ସାନସାନ ସମାଜ ଭିତରେହିଁ ଶିକ୍ଷାର ଯୋଗାଡ଼ ହେଉଥିଲା, ଏବେ ରାଷ୍ଟ୍ରର ବୃହତ୍‌-ଶକ୍ତି ଶିକ୍ଷା-ବିତରଣର ପ୍ରାୟ ସଂପୂର୍ଣ୍ଣ ଦାୟିତ୍ଵ ଗ୍ରହଣ କରିଛି । ରାଷ୍ଟ୍ର ନମୁନା ଯୋଗାଇ ଦେଉଛି, ବିଶାରଦମାନଙ୍କୁ ବସାଇ ମଡ଼େଲ୍‌ଗୁଡ଼ିକୁ ତିଆରି କରିଦେଉଛି, ତାହାରି ଅନୁସାରେ ସ୍କୁଲ ବସୁଛି, କଲେଜମାନ ବସୁଛି । ଏହିସବୁ ସ୍ଥାନ ଓ ଅସ୍ଥାନଗୁଡ଼ିକରେ କ'ଣ ପଢ଼ାହେବ, କେତେ ପଢ଼ାହେବ ଓ କିପରି ପଢ଼ାହେବ, ସେକଥା ମଧ୍ୟ ସେହି ରାଷ୍ଟ୍ର ଠିକ୍‌ କରି ଦେଉଛି । ତୁମେ ଇଚ୍ଛା କଲେ ରାଷ୍ଟ୍ର ଠିକ୍‌ କରି ଦେଇଥିବା ଅଡ଼ାଗୁଡ଼ିକ ଭିତରକୁ ତୁମ ପିଲାକୁ ପାଠପଢ଼ିବା ଲାଗି ପଠାଅ ଅଥବା ନିଜର ସ୍ଵତନ୍ତ୍ର ଅଡ଼ାସବୁ କରି ପିଲାମାନଙ୍କୁ ନେଇ ତାରି ଭିତରେ ଛାଡ଼ ପଛକେ, ତୁମକୁ ରାଷ୍ଟ୍ର ତରଫରୁ ତିଆରି କରି ଦିଆଯାଇଥିବା ବାଡ଼ଗୁଡ଼ିକୁ ମାନିବାକୁହିଁ ପଡ଼ିବ; ତାହାରି ଛାଞ୍ଚଗୁଡ଼ିକରେ ମଣ ହେବାକୁ ପଡ଼ିବ,–ତାହାରି ହଣ୍ଡାଗୁଡ଼ିକ ଭିତରେ ପଡ଼ି ରନ୍ଧା ହେଲେ‌ ଯାଇ ତୁମେ ପ୍ରକୃତରେ ସିଝି ପାରିଲ ବୋଲି ପ୍ରମାଣିତ ହେବ ।

ଯୁଗ ଓ ଯୁଗର ଆଗ୍ରହ ଗୁଡ଼ାକ ଯେତିକି ଅଧିକ ଆଧୁନିକ ହୋଇ ଆସୁଛି, ମଣିଷ ଉପରେ ତଥା ତା'ର ଜୀବନ ଉପରେ ରାଷ୍ଟ୍ରର ଅକ୍ତିଆର ମଧ୍ୟ ସେତିକି ଅଧିକ ହୋଇଛି । ରାଷ୍ଟ୍ରହିଁ ଆପଣାର ମତଲବ ଅନୁସାରେ ମଣିଷ ଲାଗି ବୃଦ୍ଧି ତଥା ବିକାଶର ଗାରଗୁଡ଼ିକୁ ଠକ୍‌ କରିଦେଇଛି । ସେହି ଅକ୍ତିଆର ଓ ସେହି ନିୟନ୍ତ୍ରଣ କ୍ରମେ ଅଧିକରୁ ଅଧିକ ହେବାରେ ଲାଗିଛି । ମଣିଷର ବିବେକ କହିଲେ କ୍ରମେ ଅଧିକ ପରିମାଣରେ ଆଉ କେଉଁମାନେ ବସି ତୁମ ପାଇଁ ନିର୍ଦ୍ଧାରିତ କରି ଦେଇଥିବା ନିୟମଗୁଡ଼ାକୁ ବୁଝାଉଛି । ବିଧାନ କହିଲେ ଆତ୍ମ-ଆବିଷ୍କାର ଦ୍ଵାରା ପ୍ରାପ୍ତ କୌଣସି ସତ୍ୟ ଅଥବା ତାହାର ଆଚରଣକୁ ନବୁଝାଇ କ୍ରମେ ଅଧିକ ପରିମାଣରେ ସତେଯେପରି ଆମଲାଗି ଆଉ କେଉଁମାନେ ଠିକ୍‌ କରି ଦେଇଥିବା ବୋଲଗୁଡ଼ାକୁହିଁ ମାନିବାକୁ ବୁଝାଉଛି । ଜଣେ ମନୁଷ୍ୟ-ବ୍ୟକ୍ତି ଯଦି ଖାଲି ଗୋଟିଏ ଦେଶର କିମ୍ବା ରାଷ୍ଟ୍ରର ହୋଇଥାନ୍ତା, ତେବେ ହୁଏତ ସବୁକଥା ଏହିପ୍ରକାରର ହୁଅନ୍ତା । ଅବଶ୍ୟ ପୃଥିବୀର ଅଧିକାଂଶ ରାଷ୍ଟ୍ର ଓ ରାଷ୍ଟ୍ରଯନ୍ତ୍ର ଏବେ ମଧ୍ୟ ପ୍ରାୟ ଏହିପରିହିଁ ଚିନ୍ତା କରିଥାନ୍ତି । ମନୁଷ୍ୟ ଭିତରେ ଏପରି ଏକ ସତ୍ୟ ରହିଛି, ଯାହାକୁ ଏକ ରାଷ୍ଟ୍ର ଭିତରେ ଅଥବା ଦେଶ ଭିତରେ କଦାପି କିଳି ରଖା ଯାଇ ପାରିବ ନାହିଁ । ମନୁଷ୍ୟର ଜୀବନ-ଗଭୀରରେ ଏପରି ଏକ ବ୍ୟାକୁଳତା ରହିଛି, କୌଣସି ରାଷ୍ଟ୍ର ଯାହାରକି ଆଦୌ କୌଣସି କଳନା କରି ପାରିବ ନାହିଁ, ତାହାର ପରିଚାଳନା କରି ପାରିବାତ ଆହୁରି ଦୂରର କଥା । ମନୁଷ୍ୟର ନିୟତି ଏପରି ଏକ ପ୍ରତିଶ୍ରୁତିର ଆକାଶ ଦ୍ଵାରା ସମାବିଷ୍ଟ ଓ ଅନୁପ୍ରେରିତ ହୋଇରହିଛି, ଯାହାକୁ କି କୌଣସି ଦେଶ ଅଥବା ରାଷ୍ଟ୍ରର ଗାର ଭିତରେ ଆଣି ସୀମାଙ୍କିତ କରି ଦେଇ ହେବ ନାହିଁ ।

ଯେଉଁ ଶିକ୍ଷା ଏତିକି ବିଷୟରେ ସଚେତନ ନଥାଏ, ତାହା ଆମ ପୃଥିବୀରେ କେବଳ ନାନାବିଧ ବର୍ବରତା ବୃଦ୍ଧି କରିବାରେହିଁ ସହାୟତା କରିଥାଏ । ମନୁଷ୍ୟ ଓ ତା ସାମୂହିକ ଜୀବନ ତଥା ସମ୍ବନ୍ଧର ଯେତିକି ଅଧିକରୁ ଅଧିକ କ୍ଷେତ୍ରକୁ ରାଷ୍ଟ୍ର ନିଜର । ଅକ୍ତିଆର ଭିତରେ ଏକ ନିର୍ଦ୍ଦିଷ୍ଟ ଛାଞ୍ଚରେ ପକାଇ କରି ରଖିବାକୁ ଇଚ୍ଛା କରିଛି, ମଣିଷମାନଙ୍କୁ ତାହା ଅଧିକରୁ ଅଧିକ ବର୍ବରତା ସହିତ ସହଯୋଗ କରିବାକୁହିଁ ଅଧିକରୁ ଅଧିକ ପରିମାଣରେ ସମ୍ମତ କରାଇ ରଖିପାରିଛି । ଆମର ପୃଥିବୀରେ ଏବେ ଯେଉଁସବୁ ରାଷ୍ଟ୍ରୀୟ ଖଣ୍ଡ-ଆଦର୍ଶମାନ ଚତୁର୍ଦ୍ଦିଗରେ ସିଂହାସନାରୂଢ଼ ହୋଇ ରହିଥିବାର ଦେଖାଯାଉଛି, ସେସବୁ ମଣିଷର ଅସଲ ଆଦର୍ଶ ପାଖରୁ ତାକୁ ହୁଡ଼ାଇ ନେଇଯିବାରେ ଅଧିକ ସାହାଯ୍ୟ କରିଛି । ରାଷ୍ଟ୍ରର ବୋଲ ମାନ, ରାଷ୍ଟ୍ରର ବୋଲ ଅନୁସାରେ ନିଜକୁ ମଣ କରି ରଖ ଏବଂ ରାଷ୍ଟ୍ର ତରଫରୁ ତୁମକୁ ଯୋଗାଇ ଦିଆଯାଉଥିବା ସୁଖଗୁଡ଼ିକୁ ଭୋଗକର ଓ ଏହା ବ୍ୟତୀତ ଆଉ ଯାହାକିଛି ରହିଲା, ତୁମେ ସେସବୁକୁ ଗୋଟାସୁଦ୍ଧା ଭୁଲିଯାଅ । ନିଜକୁ ଶୀତଳ କରି ରଖ, ଗାର ସେପାଖକୁ ଅନାଅ ନାହିଁ, ଗାର ସେପାଖକୁ ଆଦୌ କୌଣସି ପ୍ରଶ୍ନ ପଚାର ନାହିଁ,– ଆମ ପୃଥିବୀର କ୍ଷମତାସୀନ ଯାନ୍ତ୍ରିକତାମାନେ ଅଧିକରୁ ଅଧିକ କୁଶଳତାପୂର୍ଣ୍ଣ ଭାବରେ ଆମକୁ ଏହି ପରାମର୍ଶ ଦେବାରେ ଲାଗିଛନ୍ତି । ସେମାନଙ୍କ ଦ୍ଵାରା ପ୍ରବର୍ତ୍ତିତ ଶିକ୍ଷାବ୍ୟବସ୍ଥା ମଧ୍ୟ ପ୍ରାୟ ଏହିପରି ଏକ ଶକ୍ତିହରଣକାରୀ ସମ୍ମୋହନ ମନ୍ତ୍ରରେ ଜୁଆ ହୋଇ ରହିଛି । ଆମେ ପୃଥିବୀଯାକ ସେହି ମନ୍ତ୍ର ଦ୍ଵାରା ବଶ ହୋଇ ସୁଖରେ ରହିଛୁ,–ଏହାଠାରୁ ଅଧିକ ଭଲ ଆଉକିଛି କଦାପି ସମ୍ଭବ ନୁହେଁ ବୋଲି ଅଫିମ ଖାଇ ବସିଛୁ । ଏଣେ, ଏତେ ସରଞ୍ଜାମ ଏବଂ ଆଡ଼ମ୍ବର ସତ୍ତ୍ୱେ ପୃଥିବୀରେ ହିଂସ୍ରତା ବଢ଼ୁଛି, ନୃଶଂସତା ବଢ଼ୁଛି, ଦୂରତାଗୁଡ଼ାକ ହୁ’ ହୁ' ହୋଇ ବୃଦ୍ଧି ପାଉଛନ୍ତି; ଶ୍ରଦ୍ଧାମାନେ, ସଖ୍ୟମାନେ ସତେଅବା ମିଉଜିୟମ ଭିତରେ ଯାଇ ରହିଲେଣି, ଭଗବାନ୍‌ମାନେ ମୂର୍ତ୍ତି ପାଲଟି ଗଲେଣି । ପୃଥିବୀର ହିସାବସବୁ ବର୍ବରମାନଙ୍କ ଦ୍ଵାରା ନିୟନ୍ତ୍ରିତ ହେଉଛି ।

ମଣିଷମାନେ ଭଲ ଖାଇଲେ, ଭଲ ପିନ୍ଧିଲେ ଓ ବଡ଼ଲୋକ ହେଲେ ଯେ ସେମାନଙ୍କର ଶ୍ରଦ୍ଧା ବଢ଼େ, ସେକଥା ଆଦୌ ନୁହେଁ । ମୂର୍ଖମାନେ ପାଠପଢ଼ି ଶିଖିଲେ ଓ ପାଠୁଆମାନେ ଅଧିକ ପାଠୁଆ ହେଲେ ଯେ ଶ୍ରଦ୍ଧା ଅଧିକ ହୁଏ, ସେ କଥା ମଧ୍ୟ ନୁହେଁ । ସଂସାରର ମନ୍ଦିରଗୁଡ଼ାକ ଶଙ୍ଖମର୍ମର ପଥରରେ ତିଆରି ହେଲେ ଓ ଠାକୁରମାନଙ୍କୁ ବଡ଼ଠାକୁର ବୋଲି କୁହାଗଲେହିଁ ତାହାରି ଦ୍ଵାରା ଶ୍ରଦ୍ଧା କଦାପି ବଢ଼େନାହିଁ । ଦରିଦ୍ରମାନେ ଧନୀ ହେଲେ, କ୍ଷମତାକାଙ୍‍କ୍ଷୀମାନେ ଅଧିକ କ୍ଷମତାର ଅଧିକାରୀ ହେଲେ ମଧ୍ୟ ତାହାରି ଦ୍ଵାରାହିଁ ପୃଥିବୀରେ କଦାପି ଶ୍ରଦ୍ଧା ବଢ଼ିଯାଏ ନାହିଁ । ଆମ ସ୍କୁଲମାନଙ୍କରେ ପିଲାଏ ଆମରି କାର୍ଯ୍ୟନିର୍ଘଣ୍ଟ ଅନୁସାରେ ସଫା ପୋଷାକ ପିନ୍ଧି ମନୋହର ଭାବରେ ଡ୍ରିଲ୍‌ କଲେ, ମନୋହର କ୍ରୀଡ଼ାକୌଶଳ ଦେଖାଇଲେ, ଗୀତ ଗାଇ, ନାଚ ନାଚି, ନାଟକ ଦେଖାଇ ଅତିଥିମାନଙ୍କର ମନୋରଞ୍ଜନ କଲେ ତଦ୍ଦ୍ୱାରା ଯେ ସେମାନଙ୍କର ଶ୍ରଦ୍ଧାଘରେ ଛାଏଁ ଛାଏଁ କୋଲପ ଫିଟିଯାଏ, ସେକଥା ମଧ୍ୟ ନୁହେଁ । ଆମ ସ୍କୁଲର କଚ୍ଚା ଘରମାନ ପକ୍କା ହୋଇଗଲେ, ଆମ ନଡ଼ିଆଗଛ ଗୁଡ଼ିକରେ ନଡ଼ିଆ ଫଳିଲେ ଏବଂ ତଦ୍ଦ୍ୱାରା ସ୍କୁଲର ଆୟ ବଢ଼ିଲେ ମଧ୍ୟ ତାହାରିଦ୍ୱାରାହିଁ ଶ୍ରଦ୍ଧା ମୋଟେ ବଢ଼ିଯାଏ ନାହିଁ । ଆମେ ଅଧିକ ଓ ଅଧିକ ଦରମା ପାଇଲେ ମଧ୍ୟ ତାହା ହୁଏ ନାହିଁ । ଅସଲ ଜାଗାରେ କବାଟ ଫିଟିଲେ ଯାଇ ଶ୍ରଦ୍ଧା ବଢ଼େ । ଆମ ବିଦ୍ୟାଳୟଗୁଡ଼ିରେ ଛାତ୍ର ଓ ଶିକ୍ଷକ, ଶିକ୍ଷକ ଓ ପରିଚାଳକ, ପରିଚାଳକ ଓ ଅଭିଭାବକମାନଙ୍କ ମଧ୍ୟରେ ଅସଲ ଡୋରଟି ଲାଗିବା ସମ୍ଭବ ହେଲେ ଯାଇ ଶ୍ରଦ୍ଧାର ବୃଦ୍ଧି ହୁଏ । ଚଉକୀ, ଟେବୁଲ୍‌,, ନଡ଼ିଆଗଛ, ପକ୍କା ଘର, ସ୍ଵତନ୍ତ୍ର ପ୍ରାର୍ଥନା-କକ୍ଷ ଓ ତା' ସାଙ୍ଗକୁ ଯାନବାହନ,–ଏସବୁ କିଛି ନଥିଲେ ମଧ୍ୟ ଅସଲ ଡୋରଟି ଲାଗି ରହିଥିଲେ ଅର୍ଥାତ୍‌ ଆମେ ସମସ୍ତେ ପରସ୍ପରକୁ ଯଥାର୍ଥ ଭାବରେ ଛୁଇଁକରି ରହିଥିଲେ ମଧ୍ୟ ତଥାପି ଶ୍ରଦ୍ଧା ବଢ଼େ, ସଖ୍ୟ ବଢ଼େ, ଆତ୍ମୀୟତା ବଢ଼େ ଏବଂ ବର୍ବର ହେବାର ପ୍ରମାଦରୁ ରକ୍ଷା ମିଳିଯାଏ । ଭଗବାନ ଆମକୁ ଯୋତା, ମୋଜା, ଚଉକୀ, ଟେବୁଲ କିଛି ନଦିଅନ୍ତୁ ପଛକେ, ଆମକୁ ବର୍ବର ନକରନ୍ତୁ ସେ ଆମକୁ ଶ୍ରଦ୍ଧା ଦିଅନ୍ତୁ । ଅଧିକରୁ ଅଧିକ ଶ୍ରଦ୍ଧା ଦିଅନ୍ତୁ, ଶ୍ରଦ୍ଧାରେ ବଳବାନ୍‌ କରାନ୍ତୁ, ଶ୍ରଦ୍ଧା ଦ୍ଵାରା ପରସ୍ପରକୁ ପାଖକୁ ଟାଣିଆଣି ପାରିବାର ଶିକ୍ଷା ଦିଅନ୍ତୁ । ଆମକୁ ସେ ଠିକ୍‌ ଏହିପରି ଭାବରେ ଧନୀ କରି ରଖିଥାନ୍ତୁ, ଭୟଶୂନ୍ୟ କରି ରଖିଥାନ୍ତୁ, ଶକ୍ତିମାନ୍‌ କରି ରଖିଥାଆନ୍ତୁ । ଆମ ପ୍ରତ୍ୟେକଙ୍କ ଭିତରେ ଯେଉଁ ଚୈତ୍ୟ କେନ୍ଦ୍ରଟି ମଧ୍ୟରେ ସିଏ କାଳ କାଳରୁ ଅପେକ୍ଷା କରି ବସିଛନ୍ତି, ସିଏ ଆମକୁ ତାହାରି ଚାବିଟିକୁ ଆବିଷ୍କାର କରିବାର ବଳ ଦିଅନ୍ତୁ, ବ୍ୟାକୁଳତା ଦିଅନ୍ତୁ, ସେହି ଚୈତ୍ୟ କେନ୍ଦ୍ରର ଅସଲ ଦର୍ପଣଟି ଉପରେ ଆମେ ଯେପରି ପରସ୍ପରକୁ ଚିହ୍ନିବାକୁ, ସ୍ଵୀକାର କରିନେବାକୁ ସମର୍ଥ ହେବା, ସିଏ ଆମକୁ ସେଇ ଶକ୍ତି ଦିଅନ୍ତୁ, ଠିକ୍‌ ସେହି ଆଖିଟିକୁ ପ୍ରଦାନ କରନ୍ତୁ ।

ଆମର ନୂତନ ବିଦ୍ୟାଳୟଗୁଡ଼ିକୁ ଅଧିକରୁ ଅଧିକ ପୂର୍ଣ୍ଣାଙ୍ଗ କରି ପାରିବାର ପ୍ରଚେଷ୍ଟାରେ ଆମେ ଚଉକୀ, ଟେବୁଲ‌, ବାରିବଗିଚା ବଢ଼ାଇବାକୁ କେତେ ମେହେନତ ନ କରୁଛୁ ! ଏଠୁ ବଞ୍ଚାଇ ସେଠୁ କାଟି ଆମେ ପାଞ୍ଚ ଟଙ୍କାକୁ ପାଞ୍ଚ ଶହ ଟଙ୍କା କରି ଚାଳଘରକୁ ଟାଇଲ୍‌ ଘର କରୁଛୁ, ଦୁଇ ବଖରାକୁ ବଢ଼ାଇ ଚାରି ବଖରା କରୁଛୁ,–ଆମ ପିଲାଙ୍କ ଖାଲି ଗୋଡ଼ମାନେ ଧୋବ ଜୋତା ଓ ମୋଜା ପିନ୍ଧି ଆମ ବାଜା ମୁତାବକ ପ୍ୟାରେଡ଼୍ କରି ବାହାରିଲେ ଆମ ଗାଆଁକୁ ସତେଅବା ସତ୍ୟଯୁଗ ଆସିଗଲା ପରି ଅନୁଭବ କରୁଛୁ । ମାତ୍ର, ହୁଏତ ଯେତିକି ବର୍ବର ଥିଲୁ, ଠିକ୍‌ ସେତିକି ବର୍ବର ହୋଇ ରହିଛୁ, ପିଲାମାନଙ୍କୁ ଯେମିତି ଗୋଡ଼ିମାଟି କିଂବା ଖୁବ୍‌ ବେଶୀହେଲେ ଆମ ଡିହମାନଙ୍କରେ ସ୍ଵତନ୍ତ୍ର ହୋଇ ବଢ଼ୁଥିବା ଶସିଆଳ ପାନବରଜ ପରି ଦେଖୁଥିଲୁ, ସେମାନଙ୍କୁ ତଥାପି ଠିକ୍‌ ସେହିପରି ଦେଖୁଛୁ ।

ଛାତ୍ର ଓ ଶିକ୍ଷକ ଭିତରେ, ଶିକ୍ଷକ ଓ ପରିଚାଳକମାନଙ୍କ ଭିତରେ, ଆମର କେନ୍ଦ୍ର ଓ ଆମର ବହିର୍ବ୍ୟସନ ମଣ୍ଡିତ ପରିଧିଗୁଡ଼ାକ ଭିତରେ ଦୂରତାମାନ ବଢ଼ିବଢ଼ି ଚାଲିଛି; ଆମେ ବାହାରକୁ ଅଧିକରୁ ଅଧିକ ଭଦ୍ର, ଭବ୍ୟ ଏବଂ ସଂସ୍କାରଯୁକ୍ତ ହୋଇ ଦେଖା ଯାଉଥିଲେ ମଧ୍ୟ ଦୂରତାମାନେହିଁ ତଥାପି ଆମ ବିଦ୍ୟାଳୟରେ ପାଟରାଣୀ ଓ ପାଟଶାଣୀ ହୋଇ ବସିଛନ୍ତି । ଆମର ସକଳ କାର୍ଯ୍ୟକ୍ରମ ଦିନୁଁ ଦିନ ଅଧିକ ପୁଥୃଳ ଏବଂ ବପୁଯୁକ୍ତ ହେବାରେ ଲାଗିଥିଲେ ମଧ୍ୟ ଆମ ଭିତରେ ଶ୍ରଦ୍ଧା ଅଧିକରୁ ଅଧିକ ମାଡ଼ ଖାଇ ଯାଉଛି । ଆମେ ଏହି ସବୁକିଛି ନୂଆ ବସ୍ତ୍ର ପିନ୍ଧି, ନୂଆ ମନ୍ତ୍ର ପଢ଼ି ଓ ନୂଆ ଉପଚାର ବଢ଼ାଇ ତଥାପି ସେହି ପୁରୁଣା ଅଶ୍ରଦ୍ଧାର ସଢ଼ା ବଜାରରେ ଜଣେ ଜଣେ ମାମଲତ୍‌କାର ହୋଇ ରହିବାକୁ ମନ ରଖିଛୁ କି ? ଆମେ ପ୍ରତ୍ୟେକେ ନିଜକୁ ଯାହା ପଚାରିବା, ହୁଏତ ତାହା ପଚାରିବାର ବେଳ ବର୍ତ୍ତମାନ ଆସିଛି ।

ଜାନୁଆରୀ, ୧୯୮୬

Image

 

ପ୍ରହ୍‍ଲାଦଃ ନାମା ଭକ୍ତଃ

 

ପ୍ରସିଦ୍ଧ ଭକ୍ତ ପ୍ରହ୍ଲାଦ ବିଷୟରେ ଆମେ ସମସ୍ତେ କେତେ କେତେ କଥା ଶୁଣିଛୁ । ପ୍ରହ୍ଲାଦ ବିଷୟରେ ପ୍ରାଚୀନ କାଳରୁ କେତେ କେତେ କାହାଣୀ ଲେଖା ହୋଇ ରହିଛି । ଏବେ ମଧ୍ୟ ଲେଖା ହେଉଛି । ଭାଗବତ-କାବ୍ୟରେ ମଧ୍ୟ ପ୍ରହ୍ଲାଦର ଉପାଖ୍ୟାନ ଲେଖାଯାଇଛି । ପିଲାମାନଙ୍କୁ ପୁରାତନ କାଳର କାହାଣୀମାନ କହିଲେ ପିଲାମାନଙ୍କର ଜୀବନ ଓ ଚରିତ୍ର ମୂଳରୁହିଁ ଶୁଦ୍ଧ ହୋଇଯିବ ବୋଲି ଆମଭିତରୁ ଯେଉଁମାନେ ବିଶ୍ଵାସ କରନ୍ତି, ସେମାନେ କେଡ଼େ ଉତ୍ସାହରେ ପିଲାଙ୍କ ଆଗରେ ପ୍ରହ୍ଲାଦକୁ ଏକ ଦୃଷ୍ଟାନ୍ତରୂପେ ନେଇ ରଖିବାକୁ ଇଚ୍ଛାକରନ୍ତି । ପ୍ରହ୍ଲାଦ ରାକ୍ଷସର ସନ୍ତାନ ଥିଲା । ସିଏ ରାକ୍ଷସକୁଳରେ ଜନ୍ମ ହୋଇଥିଲା । ଅର୍ଥାତ୍, କୌଳିକ ପରିଚୟରେ ପ୍ରହ୍ଲାଦ ମଧ୍ୟ ରାକ୍ଷସ ଥିଲା । ପ୍ରହ୍ଲାଦର ପିତା ହିରଣ୍ୟକଶିପୁ କେବଳ କୌଳିକ ସମ୍ବନ୍ଧ ଅନୁସାରେ ରାକ୍ଷସ ନଥିଲା, ସିଏ ସ୍ଵଭାବରେ ମଧ୍ୟ ରାକ୍ଷସ ଥିଲା । ପ୍ରହ୍ଲାଦ ରାକ୍ଷସକୁଳରେ ଜନ୍ମଗ୍ରହଣ କରିଥିଲା ସତ, ମାତ୍ର ସିଏ ସ୍ଵଭାବରେ ରାକ୍ଷସ ନଥିଲା, ଭକ୍ତ ଥିଲା । ସେହି କାରଣରୁହିଁ ପୁଅ ବାପାର ପ୍ରତିକୂଳ ହେଲା । ପୁଅ ଯେ ଭଗବାନଙ୍କ ପାଖରେ ଆପଣାର ସର୍ବସ୍ଵ ସମର୍ପଣ କରି ଦେଇଛି, ସେହି କଥାଟିର ଏକାଧିକ ପ୍ରମାଣ ପାଇଥିଲେ ମଧ୍ୟ ହିରଣ୍ୟକଶିପୁର ରାକ୍ଷସସ୍ଵଭାବ ଚେତି ପାରିଲାନାହିଁ । ସ୍ଵଭାବରେ ରାକ୍ଷସମାନେ ଠିକ୍‌ ହିରଣ୍ୟକଶିପୁ ପରି କ୍ରୂର ହୁଅନ୍ତି, ଦୁର୍ଦ୍ଦାନ୍ତ ହୁଅନ୍ତି । କେବଳ ସେହି ଯୁଗରେ ଯେ ହେଉଥିଲେ, ସେକଥା ମୋଟେ ନୁହେଁ, ଆମର ଏ ଯୁଗରେ ମଧ୍ୟ ହେଉଛନ୍ତି । ରାକ୍ଷସ, ଅର୍ଥାତ୍‌ ଯିଏ ପ୍ରମାଣ ପାଇକରି ମଧ୍ୟ ଚେତିବାକୁ ମନ କରେ ନାହିଁ, ଭିତରକୁ କବାଟଟିଏ ରହିଥିଲେ ମଧ୍ୟ ତଥାପି କବାଟଟିକୁ ଖୋଲେ ନାହିଁ । ସିଏ ପୁଅ ମାନେ ନାହିଁ, ଅସଲ ସଂକେତଗୁଡ଼ିକୁ ମୋଟେ ବୁଝିପାରେ ନାହିଁ; ସିଂହରୂପୀ ଭଗବାନ ଖୁମ୍ବକୁ ଫୁଟାଇ ବାହାରିବାର ବେଳ ଯେତିକି ନିକଟବର୍ତ୍ତୀ ହୋଇ ଆସୁଥାଏ, ସିଏ ସେତିକି ଅଧିକ କ୍ରୂର ଓ ଅନମନୀୟ ହେବାରେ ଲାଗିଥାଏ । ଆଦୌ ବାଟ ଛାଡ଼େ ନାହିଁ । ତା' ନିଜ ଗାତହିଁ ତାକୁ ଶେଷରେ ଗିଳିପକାଏ ।

 

ପ୍ରହ୍ଲାଦ ଭିତରେ ବିଶ୍ଵାସ ଥିଲା । ଭକ୍ତି, ଜ୍ଞାନ ଓ କର୍ମ,–ଏଗୁଡ଼ିକର ମୂଳରେ ବିଶ୍ଵାସ, ପରିଣାମରେ ମଧ୍ୟ ବିଶ୍ଵାସ ହେଉଛି ଜ୍ଞାନ, କର୍ମ ଓ ଭକ୍ତି ପ୍ରତ୍ୟେକଟିର ଜନନୀ ଏବଂ, ଜ୍ଞାନ, କର୍ମ ଓ ଭକ୍ତି,-ଏହି ପ୍ରତ୍ୟେକଟି ଆମ ଭିତରେ ସେହି ବିଶ୍ଵାସକୁହିଁ ବୁଦ୍ଧି କରିଥାଆନ୍ତି । ବିଶ୍ଵାସ ପ୍ରତ୍ୟକ୍ଷ ହେଲେ ଆମ ଜୀବନରେ ଅସାଧ୍ୟ ବି ସାଧ୍ୟ ହୁଏ । ପ୍ରହ୍ଲାଦର ବିଶ୍ଵାସ ବଳରେ ଭଗବାନ ସ୍ତମ୍ଭ ଭିତରୁ ମଧ୍ୟ ବାହାରିଲେ । ହିରଣ୍ୟକଶିପୁ ଯାହାକୁ ଅସମ୍ଭବ ବୋଲି ଭାବୁଥିଲା, ତାହାହିଁ ସମ୍ଭବ ହେଲା । ଅବିଶ୍ଵାସକୁ ବିଦୀର୍ଣ୍ଣ କରିବା ଲାଗି ବିଶ୍ଵାସ ସିଂହରୂପରେ ଅବତୀର୍ଣ୍ଣ ହେଲା । ନୃସିଂହ ଅବତୀର୍ଣ୍ଣ ହେବାର ଦେଖି ହିରଣ୍ୟକଶିପୁ ବଡ଼ ତ୍ରସ୍ତ ହୋଇ ପଡ଼ିଲା, ମାତ୍ର ପ୍ରହ୍ଲାଦ ଆଦୌ କୌଣସି ପ୍ରକାରେ ଭୀତ ହେଲାନାହିଁ । ଅବିଶ୍ଵାସର ସମ୍ମୁଖରେ ବିଶ୍ଵାସ ଠିକ୍‌ ଏହିପରି ଭାବରେ ସିଂହର ଭୀମରୂପ ଧାରଣ କରି ଅବତୀର୍ଣ୍ଣ ହୁଏ । ଅବିଶ୍ଵାସକୁ ତ୍ରସ୍ତ କରିଦିଏ । ପ୍ରହ୍ଲାଦ ଏଡ଼େଟିକିଏ ପିଲା, ତାକୁ ଭଗବାନଙ୍କର ଏହି ସିଂହରୂପ ଦେଖି କୌଣସି ଭୟ ଲାଗିଲା ନାହିଁ । ରୁଦ୍ରରୂପ ଭିତରେ ସିଏ ସତେଅବା ଭଗବାନଙ୍କର ସେହି କାନ୍ତରୂପର ଅନୁଭବ କରୁଥିଲା ଏବଂ ତେଣୁ ଭଗବାନଙ୍କର ସ୍ତବଗାନ କଲା । ଭଗବାନଙ୍କର ବିଜୟ ହେଲା, ଭକ୍ତିର ବିଜୟ ହେଲା, ବିଶ୍ଵାସର ବିଜୟ ହେଲା । ଭକ୍ତ ପ୍ରହ୍ଲାଦ ସେହିସବୁ ବିଜୟକୁ ହିଁ ଆପଣାର ପରମ ବିଜୟରୂପେ ସ୍ଵୀକାର କରିନେଲା । ନିଜ ସାଇଁ ସେ ଆଦୌ କିଛି ମାଗିଲା ନାହିଁ । ଅସଲ ବିଶ୍ଵାସ ଦ୍ଵାରା ଧନୀହୋଇ ସାରିଥିବା ମଣିଷ ନିଜପାଇଁ ମୋଟେ କିଛିହେଲେ ମାଗେନାହିଁ । ସିଏ ଭଗବାନଙ୍କର ବିଜୟ ଲାଗିହିଁ କାମନା କରୁଥାଏ । ସେହିଟିକୁହିଁ କେବଳ ନିଜ ଲାଗି ନୁହେଁ, ସମସ୍ତ ଜଗତ ଲାଗି ମଧ୍ୟ ପରମ ଲାଭ ବୋଲି ସମଝେ । ପ୍ରହ୍ଲାଦ ଆର୍ତ୍ତ ଭକ୍ତ ନଥିଲା । ଆର୍ତ୍ତ ଭକ୍ତ ସବାଆଗ ନିଜ ପାଇଁ ମାଗେ,–ସତେଅବା ନିଜ ଭକ୍ତିର ପ୍ରତିଦାନ ସ୍ୱରୂପ ଭଗବାନଙ୍କଠାରୁ ଯଥାସମ୍ଭବ ଅଧିକରୁ ଅଧିକ ମାଗି ନିଜ ଘରକୁ ବୋହିନେବ ବୋଲି ଛନଛନ ହେଉଥାଏ ।

 

ପ୍ରହ୍ଲାଦ ଯଦି ମନ କରିଥାନ୍ତା, ତେବେ ଭଗବାନଙ୍କୁ କେତେ କ'ଣ ମାଗି ପାରିଥାନ୍ତା । ଏପରି ଗୋଟିଏ ଅନୁକୂଳ ମୁହୂର୍ତ୍ତରୁ ସିଏ ନିଜ ପାଇଁ ଯଥାସମ୍ଭବ ଅଧିକ ଲାଭ ଉଠାଇ ପାରିଥାନ୍ତା । ଆର୍ତ୍ତ ଅର୍ଥାତ୍‌ ଆତ୍ମକାମୀ ଭକ୍ତଟିଏ ହୋଇଥିଲେ ମଧ୍ୟ ପ୍ରହ୍ଲାଦ ସେହିକଥା ଅବଶ୍ୟ କରିଥାନ୍ତା । ତେବେ, ପୁରାଣ ଓ ଉପାଖ୍ୟାନମାନଙ୍କର ଅନ୍ୟ ଆତ୍ମକାମୀ ଆର୍ତ୍ତମାନଙ୍କର ତାଲିକାରେ ପ୍ରହ୍ଲାଦର ବି ନାମ ରହି ଯାଇଥାନ୍ତା । ପ୍ରହ୍ଲାଦ ନୃସିଂହରୂପୀ ଭଗବାନଙ୍କଠାରୁ ତା' ବାପାଙ୍କର ଜୀବନଭିକ୍ଷା ମଧ୍ୟ କରି ପାରିଥାନ୍ତା । ତା'ର ଅଚଳା ଭକ୍ତିରେ ସନ୍ତୁଷ୍ଟ ହୋଇ ଭଗବାନ ତା'ର ମନସ୍କାମନା ପୂର୍ଣ୍ଣ କରିବାର ସକଳ ସମ୍ଭାବନା ମଧ୍ୟ ଅବଶ୍ୟ ରହିଥିଲା । କିନ୍ତୁ ପ୍ରହ୍ଲାଦ ନିଜ ବାପାଙ୍କର ଜୀବନରକ୍ଷା ନିମନ୍ତେ ଭଗବାନଙ୍କୁ ମୋଟେ ପ୍ରାର୍ଥନା କରି ନଥିଲା । ଏକ ଅବତାର ପୃଥିବୀପୃଷ୍ଠରେ ଅବତରଣ କରି ତାଙ୍କର ଅଭିପ୍ରାୟ ପୂରଣ କଲେ, ଅବିଶ୍ଵାସ ଉପରେ ବିଶ୍ଵାସର ବିଜୟ ହେଲା ଏବଂ ସିଏ ନିଜେ ସେହି ଘଟଣାଟି ସମ୍ପନ୍ନ ହେବାରେ ନିମିତ୍ତରୂପେ କାର୍ଯ୍ୟ କରିପାରିଲା,– ପ୍ରହ୍ଲାଦ ପାଇଁ ଏତିକି ଯଥେଷ୍ଟ ଥିଲା । ଅସଲ ଭକ୍ତ ନିମନ୍ତେ ସର୍ବଦା ଏତିକିହିଁ ଯଥେଷ୍ଟ ବୋଲି ଅନୁଭୂତ ହୋଇଥାଏ । ଆମେ ଯେଉଁମାନେ ଆର୍ତ୍ତ ହୋଇଥିବାରୁହିଁ ଭକ୍ତ ହୋଇଥାଉ, ଅର୍ଥାତ୍‌, ଭିତରେ ବହୁବିଧ ଦୀନତା ଓ କ୍ଳିଷ୍ଟତାର ତାଡ଼ନାରେ ଭଗବାନଙ୍କର ପିଛା ଧରିଥାଉ, ସେମାନେ କେବଳ ନିଜ ପାଇଁହିଁ ଭଗବାନଙ୍କୁ ଲୋଡ଼ୁଥାଉ । ଭଗବାନଙ୍କୁ ଏଇଟା ସେଇଟା ତଥା ଯଥାସମ୍ଭବ ସବୁକିଛି ମାଗି ଆପଣା ଭିତରେ ଆମେ ଭାରି ହୀନ ଏବଂ ଗ୍ଳାନିଗ୍ରସ୍ତ ହୋଇ ରହିଥାଉ । ଆମେ ଭଗବାନଙ୍କର ଆଖି ଆଗରେ ଛିଡ଼ା ହୋଇଥିଲେ ମଧ୍ୟ ଆମ ଆଖିରେ ଥିବା ଚମଡ଼ାଗୁଡ଼ିକ ମୋଟେ ଖସି ଯାଇପାରନ୍ତି ନାହିଁ । ପ୍ରହ୍ଲାଦ ନିଜ ପାଇଁ ଭଗବାନଙ୍କୁ ଲୋଡ଼ୁନଥିଲା । ସେଥିଲାଗି ଭଗବାନଙ୍କ ପାଖରେ ନିଜ ବାପାଙ୍କର ଜୀବନଭିକ୍ଷା ମଧ୍ୟ କଲା ନାହିଁ । ଭଗବାନଙ୍କର ଇଚ୍ଛାପୂରଣକୁହିଁ ଜଣେ ଭକ୍ତର ସର୍ବୋଚ୍ଚ ଅଭୀଷ୍ଟସିଦ୍ଧି ବୋଲି ସ୍ଵୀକାର କରିନେଲା । ଖ୍ରୀଷ୍ଟିୟାନ ଜୀବନଶାସ୍ତ୍ର ବାଇବେଲ୍‌ରେ ଗୋଟିଏ ପ୍ରସଙ୍ଗରେ ପ୍ରତ୍ୟେକ ପୁତ୍ର ନିଜ ନିଜ ବାପାମାନଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିବେ ବୋଲି କୁହାଯାଇଛି-। ଏ ପୁରୁଷ ସେ ପୁରୁଷଟି ବିରୁଦ୍ଧରେ ଖଡ୍ଗଉତ୍ତୋଳନ କରିବେ ବୋଲି କୁହାଯାଇଛି । ଭଗବାନଙ୍କର ସାମ୍ରାଜ୍ୟ ଯେତେବେଳେ ନିକଟବର୍ତ୍ତୀ ହୋଇ ଆସିବ, ସେତେବେଳେ ଏହିପରି ଘଟିବ ବୋଲି ଘୋଷଣା କରାଯାଇଛି । ଏ ପୁରୁଷ, ଅର୍ଥାତ୍‌ ଯିଏ ସେହି ସାମ୍ରାଜ୍ୟଟିର ଥାପନାରେ ନାନା ପ୍ରକାରେ ଅନ୍ତରାୟ ସୃଷ୍ଟି କରି ଅସଲ ମୁହୂର୍ତ୍ତଟିକୁ ଗଡ଼ାଇ ଗଡ଼ାଇ ଦେଉଛି । ଏଇଟି ପୁରାତନର ପ୍ରତୀକ । ଅବିଶ୍ଵାସର ପ୍ରତୀକ । ପ୍ରତିବନ୍ଧଗୁଡ଼ିକର ପ୍ରତୀକ ।

 

ବାପାଠାରୁ ଭଗବାନ ଅନେକ ଅଧିକ ବଡ଼ । ଯେଉଁ ଭବିଷ୍ୟଟି ଆସୁଛି, ବର୍ତ୍ତମାନଠାରୁ ସେଇଟି ଅନେକ ବଡ଼ । ନିଜର ଏକାନ୍ତ ସ୍ଵାର୍ଥଗୁଡ଼ିକଠାରୁ ସଂସାରର ପରିବର୍ତ୍ତନ ଅନେକ ଅଧିକ । ବିବର୍ତ୍ତନର ସେହି ପରବର୍ତ୍ତୀ ପାହାଚଟି ଲାଗି ବାଟ ଛାଡ଼ିଦେବାରେହିଁ ଆମ ବର୍ତ୍ତମାନ ପାହାଚଟିର ସାର୍ଥକତା ନିହିତ ହୋଇ ରହିଛି । ସେହି ଆଗାମୀ ଭବିଷ୍ୟ ବା ପରବର୍ତ୍ତୀ ବିବର୍ତ୍ତନ ନିମନ୍ତେ ଭଗବାନଙ୍କ ସହିତ ସହଯୋଗ କରିବାକୁ ହେଲେ, ଆମର ବିଶ୍ଵାସରୂପୀ ବୃତ୍ତଟି ପ୍ରକୃତରେ ଅନେକ ବୃହତ୍‍ ହୋଇଥିବା ଉଚିତ । ଆମେ ବର୍ତ୍ତମାନର ଦ୍ଵାହି ଦେଇ ନିଜ ଭିତରେ ଏବଂ ବାହାରେ ଯେଉଁ ପଙ୍କନାଳୀଗୁଡ଼ାକ ଭିତରେ ଯାଇ ପଡ଼ିଛୁ ଓ ତାହାକୁହିଁ ସତେଅବା କେଡ଼େ ପୁଲକରେ ଆମର ଅସଲ ଆଶ୍ରା ବୋଲି କହୁଛୁ, ଆମର ତାହା ମଧ୍ୟରୁ ସଂପୂର୍ଣ୍ଣ ଭାବରେ ବାହାରି ଆସିପାରିବା ଉଚିତ-। ସେଗୁଡ଼ାକରୁ ବାହାରି ଆସିପାରିବା ନିମନ୍ତେ ଆମ ଭିତରେ ଉପଯୁକ୍ତ ସାହସ ଏବଂ ବଳ ରହିଥିବା ମଧ୍ୟ ଉଚିତ । ଏବଂ ମୂଳତଃ, ସେହି ବଳ ଲାଗିହିଁ ଆମର ଭଗବାନଙ୍କ ପାଖରେ ପ୍ରାର୍ଥନା କରିପାରିବା ଉଚିତ । ଅସଲ ଭକ୍ତି ଓ ଅସଲ ବିଶ୍ଵାସ ଭିତରେ ସତକୁସତ ପ୍ରବେଶ କରି ପାରିଲେ ଏକଥାଟି ଆମକୁ ପ୍ରକୃତରେ କେଡ଼େ ସ୍ଵଚ୍ଛ ଓ ସ୍ପଷ୍ଟ ଭାବରେ ଦେଖାଯାଇ ପାରନ୍ତା । ତା’ପରେ ଆମେ ଭଗବାନଙ୍କୁ ଆଉ କଦାପି ନିଜ କାମରେ ଆଣି ଲଗାଇବାର ପାପିଷ୍ଠତା କରନ୍ତେ ନାହିଁ । ଯେଉଁମାନେ ତାହା କରୁଛନ୍ତି, ସେମାନଙ୍କୁ ପାମର ବୋଲି କହି ସେମାନଙ୍କର ସାଙ୍ଗ ଛାଡ଼ି ନିର୍ମଳ ହୋଇ ବାହାରି ଆସି ପାରନ୍ତେ ।

 

ଆମରି ଭିତରେ ଗୋଟିଏ କଣରେ ପ୍ରହ୍ଲାଦଟିଏ ରହିଛି, ଆଉ ଗୋଟିଏ କଣରେ ହିରଣ୍ୟକଶିପୁ ମଧ୍ୟ ରହିଛି । ବେଳେବେଳେ ମନେହୁଏ, ସେମାନେ ସତେଅବା ବାପପୁଅ ହୋଇ ଆମ ଭିତରେ ରହିଛନ୍ତି । ଆମେ ସଂସାରରେ ରହିଥିଲାବେଳେ ଓ ସାଂସାରିକ ସଫଳତାର ରଥ ଚଳାଇ ବିଜୟ ପରେ ବିଜୟ ହାସଲ କରୁଥିବା ସମୟରେ ଆମ ଭିତରର ହିରଣ୍ୟକଶିପୁହିଁ ଆମ ଜୀବନର ରାଜା ହୋଇ ବସିଛି, ଆମେ କେତେ ପ୍ରତ୍ୟୟର ସହିତ ତାହାରି ହାତରେହିଁ ସବୁଯାକ ରଜ୍ଜୁକୁ ଧରାଇଦେଇ କେଡ଼େ ନିଦକ ଭାବରେ ଅଚେତା ହୋଇ ରହିଛୁ । ଆମ ଭିତରେ ରହିଥିବା ଏକାନ୍ତ ଉପଦ୍ରବୀଟାର ଅନୁଗତ ପ୍ରଜାଟିଏ ହୋଇ ରହିଛୁ । ସେହି ହିରଣ୍ୟକଶିପୁ ଆମ ସକାଶେ ଦ୍ରବ୍ୟ ଆଣି ଦେଉଛି, ଆମେ କାମନା କରୁଥିବା ଦ୍ରବ୍ୟଗୁଡ଼ିକୁ ଆଣି ପାଖରେ ଜମା କରିଦେଉଛି; ସିଏ ଆମକୁ ଅନ୍ୟ ଶହେଜଣଙ୍କଠାରୁ ଅଧିକ ବଡ଼ ଓ ଅଧିକ ଉଚ୍ଚ କରି ରଖିଛି, ଆମକୁ ମଧୁର ଲାଗୁଥିବା ନାନାବିଧ କ୍ଷମତା ଭିତରେ କେଡ଼େ ମୋଟା କରି ରଖିଛି । ଏହି ସଂସାରଟା ମୋ ଲାଗି ଯଦି ସବୁକାଳ ପାଇଁ ଏହିପରି ରହିଯାଆନ୍ତା, ତେବେ ମୁଁ କଦାପି ଭଗବାନଙ୍କୁ ମନ କରନ୍ତି ନାହିଁ ଏବଂ ଏଇଠି ମୋର ଏହି ସ୍ଵର୍ଗଟି ଭିତରେ ବାସ କରନ୍ତି ବୋଲି ମୁଁ କେଡ଼େ ସରାଗରେ ଚିନ୍ତା ମଧ୍ୟ କରୁଛି । ଆମ ହିରଣ୍ୟକଶିପୁଟା କ୍ଳାନ୍ତ ହୋଇ ଶୋଇ ପଡ଼ିଲେ ହୁଏତ ଆମେ ପ୍ରହ୍ଲାଦଟିକୁ ମନେ ପକାଉଛୁ । ତା’ ପାଖରେ ସେହି ଅଣଓସାରିଆ କଣଟି ଭିତରେ ଘଡ଼ିଏ ବସି ଆସିବାକୁ ମନ କରୁଛୁ-। ଆମର ଦୁଷ୍ଟ ବୁଦ୍ଧିଗୁଡ଼ାକ ଆମକୁ କହିବାରେ ଲାଗିଛନ୍ତି ଯେ, ଏହି କୁନି ପ୍ରହ୍ଲାଦଟିକୁ ଜୀବନରେ ଅସଲ ସନ୍ତକ ବୋଲି ଗ୍ରହଣ କରିନେଲେ ଆମେ ସଂସାରରେ ଭାରି ଅପଦସ୍ଥ ହୋଇ ପଡ଼ିବା । ହୁଏତ ଏହିପରି ଏକ ମନ୍ତ୍ରଣା ଦେଇ ଆମେ ନିଜକୁ ଶହେରେ ଅନେଶତ ଭାଗ ସେହି ହିରଣ୍ୟକଶିପୁଟା ପାଖରେ ଯାଇ ଅଧିଆ ପକାଇବାକୁହିଁ ସଂସାରସାର ବ୍ୟାକରଣ ବୋଲି ଧରି ନେଉଛୁ । ଆମ ଭିତରର ପ୍ରହ୍ଲାଦ ଘଡ଼ିଏ ଭଗବାନଙ୍କୁ ସ୍ମରଣ କରି ପାରିବ ବୋଲି ଆମ ଭିତରର ହିରଣ୍ୟକଶିପୁ ସତେଅବା କେତେ ଉଦାରତା ଦେଖାଇ ଓ କେଡ଼େ ଅନୁଗ୍ରହ କରି ଭବ୍ୟ ମନ୍ଦିରମାନ ଗଢ଼ି ଥୋଇ ଦେଉଛି, ଆମ ଭଗବତ୍‍ଲାଳସୀ ମନର ପ୍ରୀତ୍ୟର୍ଥେ ବାରମାସକୁ ତେର ପର୍ବର ସର୍ଜନା କରିଦେଇଛି । ଆମ କଳ୍ପନାର ବଡ଼ଦାଣ୍ଡ ମାନଙ୍କରେ ଭିଡ଼ାଭିଡ଼ି ବେତବାଡ଼ି ଚାଲୁଛି । ଆମକୁ କେଡ଼େ ପୁଲକରେ ଜଡ଼ାଇ ରଖିଛି । ଆମ ଭିତରର ପ୍ରହ୍ଲାଦ ଆମ ଭିତରର ହିରଣ୍ୟକଶିପୁ ପାଖରେ କେଡ଼େ ଚମତ୍କାର ଭାବରେ ପୋଷା ମାନି ରହିଯାଇଛି ।

 

ଆମ ଜୀବନରେ ଏହିପରି ଏକ ଅସୁନ୍ଦର ସହାବସ୍ଥାନକୁ ବାସ୍ତବ ବୋଲି ମାନି ନେଇଥିବାରୁହିଁ ସମ୍ଭବତଃ ଆମେ ଯେଡ଼େ ରଡ଼ି କିମ୍ବା ଅଳି କଲେ ମଧ୍ୟ ସ୍ତମ୍ଭ ଭିତରୁ ଭଗବାନଙ୍କର ଆବିର୍ଭାବ ହୋଇ ପାରୁନାହିଁ । ଆମର ବର୍ତ୍ତମାନଗୁଡ଼ିକ ଆମର ଅଭିଳଷିତ ଭବିଷ୍ୟତଟି ନିମନ୍ତେ ବାଟ ଖୋଲିଦେଇ ପାରୁନାହାନ୍ତି । ଆମର ତଥାକଥିତ ଆଦର୍ଶମାନେ ଆମର ବାସ୍ତବ ମଧ୍ୟକୁ ଅବତୀର୍ଣ୍ଣ ହୋଇ ପାରୁନାହାନ୍ତି । ପୃଥିବୀ ବଦଳି ପାରୁ ନାହିଁ । ଆମେ କେଡ଼େ ସରାଗରେ ଗଢ଼ିଥିବା ନୂଆ ଆସ୍ଥାନଗୁଡ଼ିକ ସଂଜ ନବୁଡ଼ୁଣୁ ପୁରୁଣା ହୋଇଯାଉଛନ୍ତି । ମନେ ହେଉଛି, ଆମ ଜୀବନରେ ଅସଲ ନିଷ୍ପତ୍ତିଟିକୁ ଗ୍ରହଣ କରିବା ଅର୍ଥାତ୍‌ ଅସଲ ଇଚ୍ଛାପୂରଣଟି ଲାଗି ସମ୍ମତି ଦେବା ଯେପରି ବହୁଦୂର ବାକି ରହିଛି । ଦେଉଳଗୁଡ଼ାକ କେଡ଼େ ଉଚ୍ଚ ହୋଇ ତିଆରି ହେଉଛନ୍ତି; ତଥାପି ସେଠି ସବାଆଗ ଯାହାଙ୍କ ଲାଗି ଆସ୍ଥାନଟିଏ ରହିବା କଥା, ସିଏ ସେପରି ଭିତରକୁ ଆସିବା ଲାଗି ମୋଟେ ବାଟ ପାଉନାହାନ୍ତି । ଆମ ଭିତରର ପ୍ରହ୍ଲାଦଟି ହିରଣ୍ୟକଶିପୁର ଅନୁଗୃହୀତ ଭାବରେ ଦିନ କାଟୁଛି, 'ବପ୍ ପଭଟ୍ଟାରକ-ପାଦଭକ୍ତ' ହୋଇ ରହିଛି । ତେଣୁ ଅସଲ ଭକ୍ତିର ଭାଜନ ହୋଇ ପାରୁ ନାହିଁ, ଅସଲ ଭକ୍ତିକୁ ସାହସ କରି ପାରୁ ନାହିଁ । ଅସଲ ବଳରେ ବଳୀୟାର ହୋଇ ପାରୁନାହିଁ । ଏବଂ କଦବା କେମିତି, ଆମେ ପ୍ରହ୍ଲାଦଟିକୁ ଆଣି ସତେଅବା ବହୁ ଅର୍ଦ୍ଧବିଶ୍ଵାସର ଅସ୍ପଷ୍ଟତା ଭିତରେ ଭଗବାନଙ୍କର ସମ୍ମୁଖରେ ଠିଆ କରାଇ ପାରୁଥିବା ସମୟରେ ମଧ୍ୟ ଆମେ କେବଳ ନିଜ ପାଇଁହିଁ ଏଇଟା ଅଥବା ସେଇଟା ମାଗିବାରେ ଲାଗିଛୁ । ଆମ ଦରିଦ୍ରତା ଓ ନିର୍ବୋଧ ମତ୍ତତାଗୁଡ଼ାକର ପ୍ରଦର୍ଶନ କରାଇ ଆମେ ବଡ଼ ଲାକରା ହୋଇ ରହୁଛୁ । ଏବଂ କ୍ରମଶଃ ଅଧିକରୁ ଅଧିକ କ୍ଳାନ୍ତ ହୋଇ ପଡ଼ୂଛୁ । ଆମର ବିଶ୍ଵାସମାନେ ପୃଥିବୀରେ ମତ୍ତ ହୋଇ ବୁଲୁଥିବା ଅବିଶ୍ଵାସଗୁଡ଼ିକର ସମ୍ମୁଖରେ ପରାଜୟ ସ୍ଵୀକାର କରିବାକୁ ବାଧ୍ୟ ହେଉଛନ୍ତି । ତେଣୁ, ଆମ ଜୀବନରେ ସେହି ନୃସିଂହ ଅବତାର ଆଉ କେବେ ସମ୍ଭବ ହେବ ? ଆମେ ମନ କଲେ ଯାଇ ହେବ ।

 

ନଭେମ୍ବର, ୧୯୮୭

Image

 

ଆମ ଅନୁରାଗ ତାଙ୍କର ଦାବୀ

 

ଆମେ ଯେତେବେଳେ ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରୟୋଗଟିଏ ଆରମ୍ଭ କଲୁ, ସେତେବେଳେ ସରକାର ଆମ ସାଥିରେ ନଥିଲେ । ହଁ, ସରକାରୀ ମହଲରେ ଉଚ୍ଚ ଗାଦୀରେ ଅଥବା ଉଚ୍ଚ ପିଣ୍ଡି ଉପରେ ବସିଥିବା କେତେକ ବ୍ୟକ୍ତିବିଶେଷ ଆମ ସହିତ ରହିଥିବା ପରି ବେଳେବେଳେ ଅବଶ୍ୟ ମନେ ହେଉଥିଲା । ସେମାନେ ଆମକୁ ସହାନୁଭୂତି ଦେଖାଉଥିଲେ । ମଝିରେ ମଝିରେ ସାହାଯ୍ୟ କରୁଥିଲେ । ସରକାରଙ୍କର ସରଘରୁ ବେଳେବେଳେ ଆମ ପାଇଁ ଏଇଟାକୁ ବା ସେଇଟାକୁ ମଞ୍ଜୁର ମଧ୍ୟ କରି ଆଣୁଥିଲେ । ଆମେ ଅନେକ ସମୟରେ ସେସବୁ ଲାଗି ଅତ୍ୟନ୍ତ ଗଦ୍‌ଗଦ ହୋଇ ଯାଉଥିଲୁ । ଏବଂ ସ୍ଵୟଂସରକାର ଆମ ପଟରେ ରହିଛନ୍ତି ବୋଲି ନିଜକୁ ନାନା ପ୍ରତ୍ୟୟ ମଧ୍ୟ ଦେଉଥିଲୁ । ହୁଏତ, ଆମ ପଟରେ ଭଗବାନ ଅବଶ୍ୟ ରହିଛନ୍ତି ବୋଲି ଯେତେ ଅନୁଭବ ହେଉ ନଥିଲା, ସରକାର ତା'ଠାରୁ ଅଧିକ ପରିମାଣରେ ରହିଛନ୍ତି ବୋଲି କେତେ ପ୍ରମାଣ ମଧ୍ୟ ମିଳି ଯାଉଥିଲା । ସରକାର ଭିତରେ ରହିଥିବା କେତେ ମଣିଷଙ୍କୁ ଆମେ ପୁଲକରେ, ଆମ ନିଜ ଲୋକ ବୋଲି କହି ପକାଉଥିଲୁ । ସଭାରେ ଏହିପରି କଥାମାନ କହି ବିଶେଷ ଆନନ୍ଦ ଅନୁଭବ କରୁଥିଲୁ ।

 

ସେହି ବିଶେଷ ଲୋକମାନେ ନମ୍ରତା ହେତୁ ହେଉ ଅଥବା ସିଆଣିଆପଣରୁ ହେଉ, ସେତେବେଳେ ଆମକୁ ଅସଲ ଓ ପ୍ରକୃତ କଥାଟି ମୋଟେ କହୁ ନଥିଲେ । ବହୁ ସ୍ଥଳରେ ହୁଏତ ଅନୁଗ୍ରହ କରୁଥିବା ମଣିଷମାନେ ଅନୁଗୃହୀତ ହେଉଥିବା ମଣିଷମାନଙ୍କୁ ଏହିପରି ଭାବରେ କିମିଆ ଭିତରେ ପକାଇ ରଖିବାରେ ଭାରି ଆନନ୍ଦ ଅନୁଭବ କରିଥାଆନ୍ତି । ସେମାନେ ସେଇଟାକୁ ସତେଅବା ଭଗବାନଙ୍କର ବରାଦ ବୋଲି ମାନି ନେଇଥା’ନ୍ତି । ଆମ ଦେଶର ସରକାର ମଧ୍ୟ ଅନେକ ସମୟରେ ସେହିଭଳି ବରାଦଗୁଡ଼ିକ ଅନୁସାରେ ଚାଲୁଥିବା ପରି ମନେ ହୋଇଥାଏ । ବିଧାନ ଅନୁସାରେ ଯେତେ ନୁହେଁ, ବ୍ୟକ୍ତିଗତ ବଦାନ୍ୟତା ଦ୍ଵାରା ଅଧିକ ପରିମାଣରେ ଚାଲୁଥିବା ପରି ମନେ ହୋଇଥାଏ । ଆଗେ ପୃଥିବୀରେ ରାଜାମାନଙ୍କ ଅମଳରେ ସେହିପରି ହେଉଥିଲା । ଭାରତବର୍ଷରେ ବି ହେଉଥିଲା । ବିଧାନ ଥିଲା, ଧର୍ମ ଥିଲା, ସବୁ ଥିଲା ସତ, ମାତ୍ର ରାଜାଙ୍କର ମୁଖନିସୃତ ବାଣୀଟୀହିଁ ସବୁ ବିଧାନକୁ ଟପି ଯାଉଥିଲା । ଆମ ଏଯୁଗରେ ମଧ୍ୟ ସେହିପରି ବଦାନ୍ୟହୃଦୟ, ବିଶେଷ ବ୍ୟକ୍ତିମାନେ ଅଛନ୍ତି । ସେମାନେ ଶାସନର ଉଚ୍ଚସ୍ଥାନ ମାନଙ୍କରେ ବି ରହିଛନ୍ତି । ସେମାନେ ମୋହମତ ଭାଙ୍ଗି ପାରନ୍ତି ନାହିଁ । କେହି ଆସି କୌଣସି ଭଲ କାମ ଲାଗି କିଛି ମାଗିଲେ ସେମାନେ ଆଇନ ଦେଖାଇ ମନା କରି ପାରନ୍ତି ନାହିଁ । ଆଇନ ବାହାରକୁ ଯାଇ ମଧ୍ୟ ସାହାଯ୍ୟ କରିବା ଲାଗି ଇଚ୍ଛା କରୁଥାନ୍ତି । ଅନୁଗୃହୀତମାନଙ୍କୁ ଭାରି ଭ୍ରମରେ ପକାଇ ଦିଅନ୍ତି ।

 

ବର୍ତ୍ତମାନର ସମାଜରେ ଚଳନ୍ତି ଭାଷାରେ ଯାହାକୁ ଭଲକାମ ବୋଲି କୁହାଯାଏ, ପୂର୍ଣ୍ଣାଙ୍ଗ ଶିକ୍ଷାକୁ ନେଇ ଆମର ପ୍ରୟୋଗଟି ମୋଟେ ସେହିପରି ଏକ ଭଲ କାମ ନୁହେଁ । ଏହା ହେଉଛି ସମାଜକୁ ବଦଳାଇବାର ଏକ କାମ । ଏକ ଅନ୍ୟ ପ୍ରକାର ଶିକ୍ଷା ଦ୍ଵାରା ଚେତନାକୁ ବଦଳାଇ ଦେବାର କାମ । ଅନ୍ୟ ପ୍ରକାରର ଶ୍ରଦ୍ଧା ଦ୍ଵାରା ଏଠି ମଣିଷ ମଣିଷ ମଧ୍ୟରେ ରହିଥିବା ସମ୍ବନ୍ଧକୁ ବଦଳାଇ ଦେବାର କାମ । ଶିକ୍ଷାର ମାନବିକ ଓ ଲକ୍ଷ୍ୟଗତ ଆହ୍ଵାନଗୁଡ଼ିକ ବିଷୟରେ ଲିଖିତ ଗୋଟିଏ ପୁସ୍ତକରେ ଶିକ୍ଷାକୁ ସୁଚିନ୍ତିତ ଭାବରେ ଏକ Subversive Activity ବୋଲି କୁହାଯାଇଛି । ଇଂରାଜୀରେ Subvert ଶବ୍ଦଟିର ଅର୍ଥ ହେଉଛି ଓଲଟାଇ ଦେବା, ଭାଙ୍ଗିରୁଜି ଦେବା । ପୁରୁଣାକୁ ଭାଙ୍ଗିରୁଜି ଏକ ନୂତନ ଭାବରେ କିଛି ଗଠନ କରିବା । ଅସଲ ଶିକ୍ଷା ଆମ ଭିତରେ କେତେ କ'ଣ ଭାଙ୍ଗିରୁଜି ଦେବାପାଇଁ ସର୍ବଦା ଚକ୍ରାନ୍ତ କରୁଥାଏ । ପୁରୁଣା ବିଶ୍ଵାସ ଓ ପୁରୁଣା ଦମ୍ଭଗୁଡ଼ିକ ଭାଙ୍ଗିରୁଜି ଯାଇ ଏକ ନୂତନ ମୂଳଦୁଆ ପଡ଼ିଲେ ତାହାରି ଆବଶ୍ୟକତା ତଥା ପ୍ରେରଣାରେ ବାହାରଟା ମଧ୍ୟ ବଦଳିଯାଏ । ବାହାରେ ଆମର ଅଭ୍ୟସ୍ତ ଅବର୍ଜିଆଗୁଡ଼ାକ ଭାଙ୍ଗିରୁଜି ଯାଆନ୍ତି । ନୂତନ ପାଇଁ ବାଟ ଛାଡ଼ିଦିଅନ୍ତି । ପୃଥିବୀରେ କୌଣସି ସରକାର ଏତେଗୁଡ଼ାଏ ଅଘଟଣା ଘଟିବା ଲାଗି ଆଦୌ ପ୍ରସ୍ତୁତ ହୋଇ ଆସିନଥାନ୍ତି । ପୃଥିବୀରେ ଅଧିକାଂଶ ସରକାର ସ୍ଥିତାବସ୍ଥାକୁ ସ୍ଥାୟୀ କରି ରଖିବାକୁହିଁ ମନସ୍ଥ କରିଥାନ୍ତି, କାରଣ ସେମାନେ ସ୍ଥିତାବସ୍ଥା ହେତୁହିଁ ତିଷ୍ଠି ରହି ଥାନ୍ତି । ସମାଜର ପରିବର୍ତ୍ତନ, ସମ୍ବନ୍ଧର ଭୂମିରେ ପରିବର୍ତ୍ତନ ଓ ସର୍ବୋପରି ଚେତନାରେ ପରିବର୍ତ୍ତନ,–ଏସବୁ ପାଇଁ ସତକୁ ସତ କାର୍ଯ୍ୟ କରିବାର ନିର୍ବୋଧତା ପୃଥିବୀରେ କୌଣସି ସରକାର କେବେ ଦେଖାଇ ନାହାନ୍ତି । ପରିବର୍ତ୍ତନର ଭାଣ କରି ଏଠି ସେଠି କିଛି ତାଳି ପକାଇ ଦେବାକୁ କେତେକ ପରିମାଣରେ ରାଜୀ ହୋଇଛନ୍ତି ସତ, ମାତ୍ର କଳଗୁଡ଼ାକୁ ଏକାବେଳକେ ବଦଳାଇ ଦେବାକୁ କଦାପି ମଙ୍ଗି ନାହାନ୍ତି । କଳଗୁଡ଼ାକ ଚିରସ୍ଥାୟୀ ହୋଇ ରହିଥାଉ ବୋଲି ଭଗବାନଙ୍କ ପାଖରେ ପ୍ରାର୍ଥନା ମଧ୍ୟ କରିଛନ୍ତି ।

 

ସେହି ବଦାନ୍ୟ ବ୍ୟକ୍ତିମାନେହିଁ ଆମର ପ୍ରୟୋଗଟିକୁ ଅର୍ଥାତ୍ ଆମକୁ ସରକାରଙ୍କ ଆଡ଼କୁ ଟାଣିଲେ । ଆମେ ଏକ ଉତ୍ତମ ପ୍ରୟୋଗ କରୁଛୁ ଏବଂ ସେଥିଲାଗି ସେପାଖରେ ଆବଶ୍ୟକ ସକଳ ସହାନୁଭୂତି ଅବଶ୍ୟ ରହିଛି ବୋଲି ମୌଖିକ ଭାବରେ ଆମକୁ କେତେ ଭରସା ଦିଆଗଲା । ଭରସା ପରେ ଭରସା ଦିଆଯିବା ପରି ଲାଗିଲା ଏବଂ ଆମେ ସେହି ଭରସା ବଳରେ ଆମ ପ୍ରୟୋଗଟିର ବାଟରେ ବର୍ଷକୁ ସାତ ପାହାଚ କରି ଉପରକୁ ଉଠିଯାଇ ପାରିବୁ ବୋଲି କ୍ରମେ ବିଶ୍ଵାସ ମଧ୍ୟ କରିବାକୁ ଆରମ୍ଭ କଲୁ । ବିଶ୍ଵାସ କରୁ କରୁ ପାଲରେ ପଡ଼ିଗଲୁ । ଆମର ଅସଲ ବଳଟିକୁ ଭୁଲି ଏହି ବଳଟି ଉପରେ ସତେଅବା ଅଧିକ ନିର୍ଭର କରିବା ଲାଗି ପ୍ରଲୁବ୍ଧ ହେଲୁ । ଭିତରେ ହୁଏତ କୋଉଠି କ'ଣ ତା'ର ନିଜ ଧାରାରେ ଭାରି ଟାଣ ହୋଇ ତିଆରି ହୋଇ ଆସୁଥିଲା, ମିଛ ସହାନୁଭୂତି ଗୁଡ଼ାକର ପାଶ ଭିତରେ ପଡ଼ି ସେଇଟି ଲୋସଡ଼ି ପଡ଼ିଲା । ଏବଂ ତା'ଫଳରେ ଯେଉଁ ପାରସ୍ପରିକତାହିଁ ଆମକୁ ଆମର ସଂକଳ୍ପରେ ଦୃଢ଼ କରି ରଖିଥିଲା, ଆମେ ସତେଅବା ଆଉ ଏକ ସମ୍ମୋହନରେ ପଡ଼ି, ସେଇଟିକୁ ପାସୋରି ଦେବାକୁ ଆରମ୍ଭ କଲୁ । ଆମେ ଯେ କ୍ରମେ ଲୋସଡ଼ି ପଡ଼ିଲୁଣି, ଏକଥା ଆମକୁ ବଦାନ୍ୟତା ଦେଖାଉଥିବା କର୍ତ୍ତାମାନେ ମଧ୍ୟ ଠଉରାଇ ନେଇ ପାରିଲେ । ଆମେ ବି ସମସ୍ତଙ୍କୁ ଏକାଠି ସାଙ୍ଗରେ ନନେଇ ବିଶେଷ ଫଳପ୍ରାପ୍ତି ନିମନ୍ତେ ବେଳେବେଳେ ଏକା ଏକା ତାଙ୍କ ପାଖକୁ ଧାଇଁଲୁ, ନିଜ ନିଜର କାମଗୁଡ଼ିକୁ କରାଇ ନେଲୁ । କିମ୍ବଦନ୍ତୀ ରହିଛି ଯେ ଅର୍ଜୁନଠାରୁ କୃଷ୍ଣଙ୍କର କଳା ଅପସାରିତ ହୋଇଯିବା ପରେ ବିଚରା ଅର୍ଜୁନ ତାର ଧନୁଟାକୁ ମଧ୍ୟ ଆଉ ଉଠାଇ ପାରିଲା ନାହିଁ । ଆମରି ୟାଡ଼ୁ ସାଡ଼ୁ ଆହୁରି ବଳ ଆଖିଦୃଶିଆ ହୋଇ ବୃଦ୍ଧି ପାଇବାକୁ ଲାଗିଲା ସିନା, ମାତ୍ର ସତେଅବା ସେହିଗୁଡ଼ାକହିଁ ଆମର ଅସଲ ବଳଟିକୁ ଆମଠାରୁ ହରଣକରି ନେବାର ଚକ୍ରାନ୍ତ କଲା । ଆମେ ଆମ ପରସ୍ପରକୁ ବାନ୍ଧି ରଖିଥିବା ବଳଟି ଉପରେ ସବାଆଗ ନିର୍ଭର କରିବା ଉପରେ ଆଉ ଅଧିକ ଭରସା ରଖିପାରିଲୁ ନାହିଁ ।

 

ଏହାପରେ ସରକାର ଆମଠାରୁ ଅଧିକରୁ ଅଧିକ ଦାବୀ କରିବାକୁ ଆରମ୍ଭ କଲେ । ଉପରର ରାଜାମାନଙ୍କ ଅପେକ୍ଷା ତଳେ ରହିଥିବା ସାନ ବୋଲକରାମାନେ ଆପଣାର ଅସଲ ପାଞ୍ଜିଟିକୁ ଫିଟାଇ ଆମକୁ ହଜାର ହଜାର ନିୟମ ଦେଖାଇଲେ । ପୁରୁଣା ଗୋଟାଳି ଦ୍ଵାରା ଆମର ଗଣାପୋଛା କରିବାଲାଗି ମନ ବଳାଇଲେ । ସମ୍ଭବତଃ ଏପଟରେ ଆମେ ବି ତାଙ୍କର ସେହି ପୁରୁଣା ଧିସାଗୁଡ଼ାକ ଅନୁସାରେ ନାଚିବା ଲାଗି ଅବସ୍ଥାକ୍ରମେ ମଣ ହୋଇ ସାରିଥିଲୁ । ଥରେ ସରକାରୀ କୋଳିଗୁଡ଼ାକ ପାଟିରେ ପଡ଼ିବା ପରେ ଆଉ ଅନ୍ୟ କୋଳିଗୁଡ଼ାକ ଉପରୁ ଆସ୍ଥା ବି ତୁଟି ତୁଟି ଆସୁଥିଲା । ସେହି ସହଜ କୋଳିଗୁଡ଼ାକ ଆମର ଅସଲ ପ୍ରୟୋଗଟି ପାଖରୁ ମଧ୍ୟ ଆମକୁ ଦୂରକୁ ଦୂରକୁ ନେଇଯିବାକୁ ଆରମ୍ଭ କରୁଥିଲେ । ପ୍ରୟୋଗର ଉତ୍ସାହ କ୍ରମେ ଊଣା ହୋଇ ଆସିଲା-। ତାଙ୍କ କାଗଜଗୁଡ଼ାକୁ ଯେକୌଣସି ପ୍ରକାରେ ଭରଣା କରି ତାଙ୍କରି ମନୋମତ ହେଲା ଭଳି ଠିକଣା ମୁକାମଗୁଡ଼ିକରେ ଯାଇ ଛିଡ଼ା ହୋଇ ପାରିଲେ ଯାଇ ଆମର ବାଞ୍ଛିତ ଅନୁଗ୍ରହଗୁଡ଼ିକ ଆମକୁ ମିଳିବ ବୋଲି କ୍ରମେ ଆମେ ମଧ୍ୟ ଭାବିବାକୁ ଲାଗିଲୁ । ଭାରି ମନ କଷ୍ଟ କଲୁ । ଆମକୁ ଅଗତ୍ୟା ଏଗୁଡ଼ାକୁ କରିବାକୁ ପଡ଼ୁଛି ବୋଲି କେତେ ସଫେଇ ଦେଲୁ । ଯୁଗକୁ ନିନ୍ଦିଲୁ, ପ୍ରତିକୂଳ ପରିସ୍ଥିତିଗୁଡ଼ାକ ଉପରେ ଦୋଷଗୁଡ଼ାକୁ ନେଇ ଢାଳିଦେଲୁ, ଯାବତୀୟ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଆମେ ତଥାପି ଯେ ଏକଦା ଏକ ଅନ୍ୟ ପ୍ରୟୋଗରେ ହାତ ଦେଇଥିଲୁ, ସେକଥା ଆଉ ଚିନ୍ତା କରି ପାରିଲୁ ନାହିଁ ! ସତେଅବା ନିଜ ଉପରେ ପ୍ରତିଶୋଧ ନେବା ପାଇଁ ଯେଉଁ ବାଟକୁ ଆମେ ପ୍ରୟୋଗର ପ୍ରତିକୂଳ ବୋଲି ଉତ୍ତମରୂପେ ଜାଣୁଥିଲୁ, ସେହି ବାଟଟାକୁ ଅଧିକ ଗୁରେଇ ତୁରେଇ ହୋଇ ଯାବୁଡ଼ି ଧରିଲୁ । ଭୀରୁ ହେଲୁ, ଏକ ଅତ୍ୟନ୍ତ ଅପମାନଜନକ ଧ୍ଵଜଭଙ୍ଗରୁ ଭାରି କଷ୍ଟ ପାଇଲୁ-

 

ସେମାନଙ୍କର ଦାବୀ ଆହୁରି ବଢ଼ିବ । ଆମକୁ ସେହି ପୁରୁଣା ଗୁଳା ଭିତରକୁ ଆଣି ନାକ ନ ଘଷାଇଲା ପର୍ଯ୍ୟନ୍ତ ସେମାନଙ୍କର ଦାବୀଗୁଡ଼ିକ ଆମ ଉପରେ ଆସି ଅଜାଡ଼ି ହୋଇ ପଡ଼ୁଥିବ । ନୂତନ ପ୍ରୟୋଗଟିଏ ଫେଲ୍‌ ମାରିଲେ ପୁରାତନ ସ୍ଥାନାଧିପତିମାନେ ପ୍ରକୃତରେ ଏକ ପୁଲକ ଅନୁଭବ କରନ୍ତି । ଯାହା କେବେ ନହେବାର କଥା, ତାହାହିଁ ହେବ ବୋଲି ସଂକଳ୍ପ କରି ବାହାରିଥିବା ଦୁଃସାହସୀମାନେ ଶନି ହାବୁଡ଼ରେ ପଡ଼ି ସଂକଳ୍ପରୁ ହୁଡ଼ିଗଲେ ପୁରାତନ ଦୁର୍ଗଗୁଡ଼ାକର ଅମଲା ଓ ଅମୀରମାନେ ଭାରି ଆନନ୍ଦିତ ହୁଅନ୍ତି, ଭାରି ଉଶ୍ଵାସ ଅନୁଭବ କରନ୍ତି । ନାକ ଘଷି ଘଷି ଆମେ ସେହି ପୁରୁଣା ହାଇସ୍କୁଲ କିମ୍ବା ପୁରୁଣା ମାଇନର ସ୍କୁଲ ପର୍ଯ୍ୟନ୍ତ ଆସିଯିବୁ । ସେହି ମାର୍କାର ନକଲି ନମୁନାଟାଏ ବନି କେଡ଼େ ବିଚିତ୍ର ଦିଶିବୁ । ଏହି ସଂସାରକୁ କେବେହେଲେ ବଦଳାଇ ହେବନାହିଁ ବୋଲି ଆମେ ମଧ୍ୟ କାନମୋଡ଼ି ହୋଇ କହିବୁ । ଭାରତବର୍ଷରେ କେତେ କେତେ ଶିକ୍ଷା-ପ୍ରୟୋଗ ଠିକ୍‌ ଏହିପରି ଭାବରେ କାନମୋଡ଼ି ହୋଇ ଅଜାମାନଙ୍କ ଘରକୁ ଫେରି ଆସିଛନ୍ତି । ସେମାନଙ୍କର ପ୍ରୀତ୍ୟର୍ଥେ ସରକାର କୋଠା ତୋଳି ଦେଇଛନ୍ତି, ସେମାନେ ଚଢ଼ିବେ ବୋଲି ହାତୀ ଯୋଗାଇ ଦେଇଛନ୍ତି. ଘୋଡ଼ା ଯୋଗାଇ ଦେଇଛନ୍ତି ସତ, ମାତ୍ର ସେମାନଙ୍କୁ ନିଜ ଫରୁଆ ଭିତରେ ପୂରାଇ ପଙ୍ଗୁ କରି ଦେଇଛନ୍ତି । ଅନୁରାଗ କ୍ଷମତା ପାଖରେ ଝଅକ ମାରି ତୁନି ହୋଇ ରହିଛି । ପୁରୁଣା ଦରୱାନମାନେ ଗଡ଼ର ମାଲିକ ବୋଲି ଘୋଷିତ ହୋଇଛନ୍ତି । ଅନୁରାଗ ସତେଅବା ଲାଜରେ ମୁହଁ ଲୁଚାଇ ବସିରହିଛି ।

 

ମଣିଷ ଭିତରେ ରହିଥିବା ଅସଲ ଅନୁରାଗଗୁଡ଼ିକ କ'ଣ ଏହିପରି ଯୁଗେ ଯୁଗେ ପରାଭବ ମାନି ରହିଯାଉଥିବ ? ଅନୁରାଗ କ'ଣ କାଳେ କାଳେ କେବଳ ବହିର ପାଠ ହୋଇ ରହିଥିବ, କେବଳ ବ୍ରାହ୍ମଣତୁଣ୍ଡର ମନ୍ତ୍ର ହୋଇ ରହିଥିବ? ଏବଂ, କ୍ଷମତା, ଦୂରତା, ଅନାତ୍ମୀୟତା ଓ ଯାନ୍ତ୍ରିକତା, କାଳେକାଳେ ଏହିମାନେ କ’ଣ ପୃଥିବୀଟାକୁ ଶାସନ କରିବାରେ ଲାଗିଥିବେ ? ଗୋଟିଏ ପୁରୁଷ ପରବର୍ତ୍ତୀ ଆଉ ଗୋଟିଏ ପୁରୁଷକୁ କ'ଣ ନିତି ଏହିପରି ଧୋକା ଦେବାରେ ଲାଗିଥିବ ? ଅନୁରାଗର ଭାଗ୍ୟ ଖରାପ ବୋଲି ଯେ ତାକୁ ଏହିସବୁ ପରାଭବ ଭୋଗିବାକୁ ପଡ଼ୁଛି, ସେକଥା ମୋଟେ ନୁହେଁ । ଗୋଟିଏ ପାଖରେ ମଣିଷକୁ ଗଦ କରି ରଖିଥିବା କର୍ମବାଦ ଓ ଆଉଗୋଟିଏ ପାଖରେ ଏକ ଅବଶ୍ୟମ୍ଭାବୀ ପରିବର୍ତ୍ତନର ଆହ୍ଵାନ । ଆମେ ନିଜ ବିଶ୍ଵାସର ଅସଲ ଘରଟିରେ କେତେଦୂର ସେହି ପରିବର୍ତ୍ତନ ପଟରେ ରହିଛୁ, ଆମର ଅନୁରାଗଟି ଅତ୍ୟନ୍ତ ନିର୍ମମ ଭାବରେ ତାହାରି ଦ୍ଵାରା ନିରୂପିତ ହେବ । ଯେଉଁ ବିଧାତା ତାର କାର୍ଯ୍ୟଗୁଡ଼ିକ ଲାଗି ମଣିଷମାନଙ୍କୁ ବାଛେ, ସିଏ ପ୍ରକୃତରେ ଅତ୍ୟନ୍ତ ନିର୍ମମ । ଅସଲ ଅନୁରାଗଗୁଡ଼ିକର ପରୀକ୍ଷା କରୁଥିବା କାଳ ମଧ୍ୟ ନିର୍ମମ ହେବା ବ୍ୟତୀତ ଆଉ କ'ଣ ହୋଇପାରିବ ? ଯାହା ଯେତିକି ଯେପରି ଭାବରେ ଅଛି, ତାହାରି ଭିତରେହିଁ ଆମକୁ କେତେଟା ତାତ୍କାଳିକ ସଫଳତା ଦେବା ଲାଗି ଶିକ୍ଷାର ଏହି ପ୍ରୟୋଗଟି ମୋଟେ ଆରମ୍ଭ ହୋଇନଥିଲା । ପୁରାତନ ଅବର୍ଜିଆଗୁଡ଼ାକୁ ଭାଂଗି ଏକ ନୂତନର ସଂସ୍ଥାପନା କରିବା ଲାଗି ବିଧାତା ବର୍ତ୍ତମାନ ଯେଉଁ ଷଡ଼ଯନ୍ତ୍ର କରିବାରେ ଲାଗିଛି, ପ୍ରୟୋଗଟି ତାହାରି ସହିତ ସମ୍ମିଳିତ ହୋଇ ପାରିଲେ ଯାଇ ସେହି ବିଧାତାର ଆଶୀର୍ବାଦ ଲାଭ କରି ପାରିବ । କର୍ତ୍ତାମାନଙ୍କଠାରୁ ସାମୟିକ ଅନୁଗ୍ରହମାନ ହାସଲ କରିବା ଲାଗି ସେହିମାନଙ୍କର ଦାବୀ ଅନୁସାରେ ଉଠବସ ହେବାର ଅବର୍ଜିଆ ପ୍ରୀତିରେ ରହିଥିବା ପର୍ଯ୍ୟନ୍ତ ଆମେ ଅନୁରାଗର ସିଡ଼ିରେ କେବେହେଲେ ଉତ୍ତୀର୍ଣ୍ଣ ହୋଇ ପାରିବା ନାହିଁ, କେବେହେଲେ ନିକଟବର୍ତ୍ତୀ ହୋଇପାରିବା ନାହିଁ ।

 

ଥରେ ଅସଲ ଅନୁରାଗ ଭିତରକୁ ଆସିଗଲେ ତା'ପରେ ଆଉ କୌଣସି କର୍ତ୍ତାଙ୍କ ପାଖରେ ମୁଣ୍ଡ ନୁଆଁଇବାକୁ ମନ ହୁଏ ନାହିଁ । ତା'ପରେ ମଣିଷ କର୍ତ୍ତାମାନଙ୍କ ଆଡ଼କୁ ଅପେକ୍ଷା ନରଖି ଅନୁରାଗୀ ଅନ୍ୟମାନଙ୍କୁ ଆବିଷ୍କାର କରି ବାହାରେ । ସେଇଥିରୁ ଏକ ନୂତନ ପାରସ୍ପରିକତା ଜନ୍ମଲାଭ କରେ । ତାହାହିଁ ସାହସ ଆଣିଦିଏ, ସାଲିଶ୍‍ର ବହୁବିଧ ସନ୍ତାପରୁ ବଞ୍ଚାଏ । ଆମେ ଏକ ଅନ୍ୟ ଚେତନାର ନିମିତ୍ତ ହୋଇ ବାହାରୁ । ଏକ ଅନ୍ୟ ମୁହୂର୍ତ୍ତ ଲାଗି ସେନାନୀ ରୂପେ ତିଆରି ହେବାକୁ ଆରମ୍ଭ କରୁ । ଆମର ବିଦ୍ୟାଳୟ ଏକ ଅନ୍ୟ ସମ୍ଭାବନାକୁ ପ୍ରତିଫଳିତ କରିବାକୁ ସମର୍ଥ ହୁଏ । ତେଣୁ ଭୟ ନାହିଁ, ଆମ ଅନୁରାଗର ଏହି ପରୀକ୍ଷାଟି ମଧ୍ୟ ହୋଇଯାଉ ।

 

ଡିସେମ୍ବର, ୧୯୮୭

Image

 

ଉତ୍ସାହ ଆଦୌ ଯଥେଷ୍ଟ, ନୁହେଁ

 

ପୂର୍ଣ୍ଣଯୋଗର ସାଧନାରେ ଶ୍ରୀଅରବିନ୍ଦ ଉତ୍ସାହକୁ ଏକ ସହାୟକ ବୋଲି ସ୍ଵୀକାର କରିଛନ୍ତି । ଉତ୍ସାହ ନଥିଲେ ମୋଟେ କୌଣସି ବାଟ ଚାଲିହୁଏ ନାହିଁ । ଯୋଗ ମାର୍ଗରେ ଚାଲିବା ତ ଆହୁରି ଅଧିକ ଦୁରୂହ କଥା । ଉତ୍ସାହ ନଥିବା ମଣିଷ ହୁଏତ କେତେ ନା କେତେ ଥାନରେ ଭାରି ସହଜରେ ବଶ୍ୟତା ସ୍ଵୀକାର କରି ପକାଏ । ମାତ୍ର ଅସଲ ସମର୍ପଣ କେବଳ ଏକ ଅତୁଳ ଉତ୍ସାହ ଦ୍ଵାରାହିଁ ସମ୍ଭବ ହୁଏ । ଆପଣାଠାରୁ ବୃହତ୍ତର କୌଣସି ସତ୍ୟ ଅଥବା ଇଚ୍ଛାର ନିମିତ୍ତ ହେବାକୁହିଁ ଯଦି ସମର୍ପଣ ବୋଲି କୁହାଯାଏ, ତେବେ ସେହି ସମର୍ପଣ କେବଳ ଉତ୍ସାହୀ ମଣିଷ ଦ୍ଵାରା ସମ୍ଭବ ହୁଏ ।

 

ତଥାପି କେବଳ ଉତ୍ସାହ ମୋଟେ ଯଥେଷ୍ଟ, ନୁହେଁ । ଆମେ ଯେତେବେଳେ ଆମର ଶିକ୍ଷାକେନ୍ଦ୍ରଗୁଡ଼ିକୁ ଆରମ୍ଭ କରିଥିଲୁ, ସେତେବେଳେ ଆମ ଭିତରେ କେତେ ଉତ୍ସାହ ରହିଥିଲା । ହୁଏତ କେବଳ ଉତ୍ସାହ ହିଁ ରହିଥିଲା । ଶିକ୍ଷାକେନ୍ଦ୍ରଗୁଡ଼ିକୁ ଘୋଷାରି ଘୋଷାରି ଏହି କେତେ ବର୍ଷର ବାଟ ଆଗକୁ ଆଣିବା ପରେ, ଆମେ ଯାହା ଗଢ଼ିବୁ ବୋଲି ଅଭିଳାଷ ରଖିଥିଲୁ, ତାହାକୁ ଠିକ୍‌ ସେହିପରି ଭାବରେ କେଜାଣି କାହିଁକି ଗଢ଼ିପାରୁଲୁ ନାହିଁ ବୋଲି ଆମ ଭିତରେ ଏବେ ଯେଉଁ ସଂଶୟ ଗୁଡ଼ିକ କୁହୁଳୁ ଥିଲା ପରି ବୋଧ ହେଉଛି, ତାହାହିଁ ପ୍ରମାଣ କରିଦେଉଛି ଯେ କେବଳ ଉତ୍ସାହ ଆଦୌ ଯଥେଷ୍ଟ ନୁହେଁ ।

 

ଅତ୍ୟୁତ୍ସାହୀ ମଣିଷମାନେ ଏତେ ଟିକକରେ ନିରୁତ୍ସାହିତ ହୋଇ ପଡ଼ନ୍ତି । ଗେଲବସର ପିଲାମାନେ ଯେମିତି ଏତେ ଟିକକରେ ରୁଷି ବସନ୍ତି ଓ ଭେଁ' କରି କାନ୍ଦିବାକୁ ଲାଗନ୍ତି, ଇଏ ପ୍ରାୟ ସେହିପରି ଗୋଟିଏ ସତ କଥା । ଗେଲବସର ପିଲାମାନେ ସର୍ବଦା ଅନ୍ୟମାନେ ସେମାନଙ୍କ ଲାଗି ସତେ ଅବା ସବୁକିଛି କରିଦେବେ ବୋଲି ଅତ୍ୟନ୍ତ ମନମୁଖୀ ଭାବରେ ବିଶ୍ଵାସ କରୁଥାନ୍ତି ଓ ସେମାନଙ୍କର ପ୍ରତ୍ୟାଶା ଅନୁସାରେ ସବୁକିଛି ନଘଟିଲେ ତତକ୍ଷଣାତ୍‌ ମୁହଁ ମୋଡ଼ି ଦିଅନ୍ତି ଓ ହାତରୁ ସବୁ ଦଉଡ଼ି ଛାଡ଼ିଦେଇ ବସନ୍ତି । ଆମେ ମଧ୍ୟ ଅନେକ ସମୟରେ ଭଗବାନ ଆମ ପାଇଁ ସବୁକିଛି କରିଦେବେ ବୋଲି ଆଣ୍ଟ କରି ବସିଥାଉ, ଆମ କାମଟି ଭଗବାନଙ୍କର କାମ ବୋଲି ସେହି କାରଣରୁହିଁ କହି ବୁଲୁଥାଉ ଏବଂ କେଉଁଠାରେ ଟିକିଏ ମାଡ଼ ଝୁଣ୍ଟିବା ମାତ୍ରକେ ବିମୁଖ ହୋଇପଡ଼ୁ । ଭଗବାନଙ୍କର କାମ କରିବା ଅର୍ଥାତ୍‌ ଭଗବାନଙ୍କର ନିମିତ୍ତ ହେବା । ତାଙ୍କ କାମର ଯୋଗ୍ୟ ହେବା ସକାଶେ ଉଦ୍ୟମ କରିବା । ନିଜ ସଂକଳ୍ପର ମାର୍ଗରେ ପାହାଚ ପାହାଚ ହୋଇ ଅଗ୍ରସର ହେବା । ଏବଂ, ଯଦି ପୁଳାଏ ଉତ୍ସ ଏହା ବ୍ୟତୀତ ଆମ ଭିତରେ ସତକୁ ସତ ଆଉ ବିଶେଷ କିଛି ନଥାଏ, ତେବେ ଆମର ଅଗ୍ରସର ହେବା କଦାପି ସମ୍ଭବ ହୁଏ ନାହିଁ ।

 

ଆଗଣାର ଅତ୍ୟୁତ୍ସାହରେ ଆମେ କାଳ ଉପରେ, ଭଗବାନଙ୍କ ଉପରେ ଏତେବେଶୀ ନିର୍ଭର କରି ଶିଖିଥାଉ ଯେ, ଆମର ସେହି ଉତ୍ସାହ ଅନେକ ସମୟରେ ଆମକୁ ନାନା ପୁଲକିତ ଆଳସ୍ୟ ଭିତରେ ପକାଇ ରଖିଥାଏ । ଆମ ଭିତରେ କେବଳ ଉତ୍ସାହ ରହିଥିଲେ ଆମେ ଅତିମାନସ ଅତ୍ୟନ୍ତ ଆସନ୍ନ ହୋଇ ଆସିଲାଣି ବୋଲି ବକ୍ତୃତାଟାଏ ଶୁଣି ଅତିମାନସ ସତେଅବା ପ୍ରକୃତରେ ଆସି ସହଞ୍ଚିଗଲା ବୋଲି ଏକାବେଳକେ ଛଳଛଳ ହୋଇଉଠୁ ଏବଂ ତା'ପରେ ସେହିସରି ଗଦ୍‌ଗଦ ହୋଇ ଶୋଇବାକୁ ଚାଲିଯାଉ । ଆମର ଯେପରି ଆଉ କିଛିହେଲେ କରିବାର ନଥାଏ । ଆମକୁ ପରମେଶ୍ଵରଙ୍କର କରୁଣା ସତତ ପ୍ରାପ୍ତ ଦେଉଛି ବୋଲି ମହୋତ୍ସାହରେ ଭାବୁଭାବୁ ଆମେ ଏକ ନିଷ୍କ୍ରିୟତା ଭିତରେ ଯାଇ ବୁଡ଼ିଯାଉ ଏବଂ ତାପରେ ଆମର ଆଉକିଛି କରିବାକୁ ରହିଲା ବୋଲି ଅନୁଭବ କରି ପାରୁନାହିଁ । ପରମେଶ୍ଵରଙ୍କର କରୁଣା ପ୍ରକୃତରେ ମଣିଷର ନିଦ ଭାଙ୍ଗିଦେଇ ଯିବା ଉଚିତ । ନିଜକୁ ପରମ କରୁଣାର ଅଧିକାରୀ ବୋଲି ଭାବି ଯିଏ ଶୋଇବାକୁ ବାହାରିଯାଏ, ତାକୁ ଆମ ସମସ୍ତଙ୍କର ପ୍ରକୃତରେ କରୁଣା କରିବା ଉଚିତ । ତାଙ୍କର କରୁଣା ଆମ ଉପରେ ହେଲେ ଆମକୁ ଆଉ ବସି ରହିବାକୁ ସମୟ ମିଳିବ କେତେବେଳେ ? ତାଙ୍କର କରୁଣା କେବଳ ବାଟ ଚାଲି ବାହାରିବାର ଉଦ୍‌ବୋଧନ ଦେବ । ତାଙ୍କର କରୁଣା ଯେ ଆମର ଯାବତୀୟ ଆଳସ୍ୟକୁ ଭାଙ୍ଗିଦେବାକୁ ଆସେ, କରୁଣା ଲାଭ କରିଥିବା ପ୍ରତ୍ୟେକ ମନୁଷ୍ୟ ଜୀବନରେ ସେହି ସତ୍ୟଟିକୁ ଅବଶ୍ୟ ଅନୁଭବ କରିଥିବ । ଉତ୍ସାହରୁ ସବୁ ଆରମ୍ଭ; ମାତ୍ର, ଉତ୍ସାହରେ କଦାପି ସବୁକିଛିର ଶେଷ ନୁହେଁ ।

 

ଆମ ନୂତନ ଶିକ୍ଷାକେନ୍ଦ୍ରଗୁଡ଼ିକ ଆରମ୍ଭ ହେଲାବେଳେ ଆମେ କ'ଣ କେବଳ ସେହି ଉତ୍ସାହରେହିଁ ଶେଷ ପର୍ଯ୍ୟନ୍ତ ସେହି କାର୍ଯ୍ୟଟିକୁ ଚଳାଇ ନେବା ପାଇଁ ଆଶା କରିଥିଲୁ କି ? ଅତ୍ୟୁତ୍ସାହୀମାନେ ସଚରାଚର କେବଳ ଆପଣାକୁହିଁ ଦେଖନ୍ତି, ଅତ୍ୟୁତ୍ସାହୀ ଭକ୍ତ ଓ କର୍ମୀମାନେ ସେଥିଲାଗି ଅନେକ ଉଦ୍ୟମରେ ବହୁ ପ୍ରମାଦର କାରଣ ହୁଅନ୍ତି । ଅତ୍ୟୁତ୍ସାହୀ ନେତାଟି କେବଳ ଆପଣାକୁହିଁ କେନ୍ଦ୍ରରେ ଦେଖିବାରେ ଲାଗିଥାଏ ଓ ସେହି କେନ୍ଦ୍ରଟିର ଅବଶ୍ୟ ଏକ ପରିଧି ରହିବ ବୋଲି ସ୍ଵୀକାର କରିବାକୁ ହିଁ ମନ କରେ ନାହିଁ । ଅତି ଉତ୍ସାହରେ ଏକମାତ୍ର ସିଏହିଁ ଯଥାର୍ଥ କଥାଟିକୁ କହୁଛି ବୋଲି ଭାରି ପ୍ରଚଣ୍ଡ ଭାବରେ ବିଶ୍ଵାସ କରୁଥାଏ । ଭଗବାନ ସତେଅବା ଏକା ତାହାରି ପାଟିରେ କଥା କହୁଛନ୍ତି ଓ ଏପରିକି ସିଏ ସତେଅବା ଭଗବାନଙ୍କର ତୁଣ୍ଡରେ ବସି ବୋଲ ବତାଇ ଦେଉଥିବା ପରି ଅତ୍ୟନ୍ତ ଭୋଳ ହୋଇ ବିଚାର କରିଥାଏ । ତା'ପରେ ଆଉ କାହାରିଠାରୁ କିଛି ଶୁଣିବାର ପ୍ରୟୋଜନହିଁ ନଥାଏ । ଦୁର୍ଭାଗ୍ୟବଶତଃ ଯଦି କୌଣସି ଏକ ଉଦ୍ୟମରେ ଏକାବେଳକେ ତିନିଚାରୋଟି ଏହିପରି ଅତ୍ୟୁତ୍ସାହୀ ଜନ୍ତୁ ରହିଥାନ୍ତି, ତେବେ ଭଗବାନ ସତେଅବା ଚାରିଫାଳ ହୋଇଯାଆନ୍ତି ଓ ଫାଳଗୁଡ଼ାକ କେହି କାହାପାଖରେ ମୁଣ୍ଡ ନୁଆଁଇବାକୁ ମୋଟେ ଇଚ୍ଛା କରନ୍ତି ନାହିଁ-। ଉଗ୍ର ଧର୍ମୋତ୍ସାହୀମାନେ ଇତିହାସରେ ସଚରାଚର ଏହି କାଣ୍ଡଟିକୁ କରିଛନ୍ତି ଓ ସଂସାରରେ ବହୁ ସମ୍ଭାବନାକୁ ଭଣ୍ଡୁର କରି ଦେଇଛନ୍ତି । ଆଦର୍ଶବାଦୀ ଅତ୍ୟୁତ୍ସାହୀମାନେ ଏହିପରି ସଂସାରକୁ ଅତ୍ୟନ୍ତ ପରାକ୍ରମ ସହିତ ଖାଇଯିବାକୁ ବସିଛନ୍ତି । ମିଛ ଆସନ ଓ କ୍ଷମତାଗୁଡ଼ାକ ବି ଅନେକ ମଣିଷଙ୍କୁ ବେଳେବେଳେ କମ୍‌ ଅନ୍ଧ କରି ନାହିଁ । ଇତିହାସର ନକଲି ବୀରମାନେ ଆମଲାଗି ଅତ୍ୟୁତ୍ସାହିତାର ଗୋଟିଏ ଗୋଟିଏ ଅସଲି ଦୃଷ୍ଟାନ୍ତ ହୋଇ ରହିଛନ୍ତି । ଏହି ସଂସାରକୁ ସେମାନେ ବହୁତ ଦୁଃଖ ଦେଇଛନ୍ତି ।

 

ଅତ୍ୟୁତ୍ସାହୀ ମଣିଷମାନେ ସଂସାରରେ ସବୁକିଛି ନିଜେ କରିବାକୁ ଇଚ୍ଛା କରୁଥାନ୍ତି । ଅର୍ଥାତ୍‌ ସେମାନେ ଆଉ କାହାକୁ ହେଲେ କିଛି କରାଇ ଦେବାକୁ ଇଚ୍ଛା କରୁନଥାନ୍ତି । ଅନ୍ୟମାନେ ଗୋଟିଏ କାର୍ଯ୍ୟକୁ କଦାପି ସେମାନଙ୍କ ପରି ନିପୁଣ ଓ ଯଥାର୍ଥ ଭାବରେ କରି ପାରିବେ ନାହିଁ, ତେଣୁ ବରଂ ସବୁ କାର୍ଯ୍ୟକୁ ସେମାନଙ୍କୁ ନିଜକୁହିଁ କରିବାକୁ ହେବ ବୋଲି ସେମାନେ ଏପରି କରନ୍ତି ଅଥବା କାର୍ଯ୍ୟଟିକୁ କରିପାରିବାର ସବୁଯାକ ଯଶକୁ ସେମାନେ ଗୋଟାସୁଦ୍ଧା ନିଜେ ଆତ୍ମସାତ୍‌ କରି ରଖିବାକୁ ଇଚ୍ଛା କରି ସେଭଳି କରନ୍ତି, ସେକଥା ନିର୍ଭୁଲ ଭାବରେ ଭାଗମାପ ବାହାର କରି ମୋଟେ କହିହେବ ନାହିଁ । କୌଣସି ପରିବାରର ବାପା ଯେପରି ଆଉକାହାକୁ ମୋଟେ କିଛି କରିବାକୁ ଦିଏ ନାହିଁ ଏବଂ ପ୍ରାୟ ଏକ ପ୍ରଦର୍ଶନକାରୀ ବରିଷ୍ଠପଣିଆର ବାହାଦୁରୀକୁ ମୁଣ୍ଡରେ ପଗଡ଼ି କରି ବାନ୍ଧି ନିଜେହିଁ ସବୁକିଛି କରୁଥାଏ ଓ ଅନ୍ୟମାନଙ୍କୁ କାବା କରି ରଖିଥାଏ, ଏଇଟି ମଧ୍ୟ ପ୍ରାୟ ସେହିପରି ଗୋଟିଏ କଥା । ଅନେକ ଉତ୍ସାହୀ ଶିକ୍ଷକ ଅଛନ୍ତି, ଯେଉଁମାନେ କି ପିଲାଟିଏ ଆପେ ଚେଷ୍ଟା କରିବା ଆଗରୁ ତାକୁ ସବୁକିଛି ବତାଇ ଦେଉଥାନ୍ତି । ଆପଣାକୁ ଭାରି ଉପକାରୀ ବୋଲି ଦେଖାଇ ହୁଅନ୍ତି । ଏମାନେ ସମସ୍ତେ ଅସଲ ଜାଗାରେ ମଣିଷର ଅସମ୍ମାନ କରନ୍ତି; ଆପଣାକୁ ସେମାନେ ଏତେ ପାରୁଆ ବୋଲି ମଣନ୍ତି ଯେ ଅନ୍ୟମାନଙ୍କର ଅବଜ୍ଞା କରିବାରେ ଲାଗିଥାନ୍ତି । ଫଳରେ, ଯେତେ ଅଦୃଶ୍ୟ ଭାବରେ ହେଲେ ମଧ୍ୟ ଏକ ପ୍ରତିବାଦ ଏବଂ ପ୍ରତିସ୍ଵର କୁହୁଳି ଉଠିବାରେ ଲାଗିଥାଏ । ଉତ୍ସାହର ପ୍ରତିବାଦରେ ପ୍ରତ୍ୟୁତ୍ସାହ ମସ୍ତକ ଉତ୍ତୋଳନ କରେ ଏବଂ ଶିବିରରେ ବିଦ୍ରୋହ ଜଳି ଉଠେ । ସବୁ ଉତ୍ସାହ ତେଣିକି ଏକ କ୍ଷୟକାରୀ ଗୃହଯୁଦ୍ଧରେହିଁ ସରିବାକୁ ବାଧ୍ୟ ହୁଏ । ଭାରତବର୍ଷରେ ସାମୂହିକ ଜୀବନରେ ଆମର ତଥାକଥିତ ନେତୃତ୍ଵଗୁଡ଼ାକ ପ୍ରାୟ ଏହିପରି ସ୍ଵକେନ୍ଦ୍ରସର୍ବସ୍ଵ ହୋଇ ରହିଥାନ୍ତି ଓ ବହୁ ଦୁଃଖଦ ପରିଣତିର କାରଣ ହୁଅନ୍ତି ।

 

ଭାରତବର୍ଷରେ ନେତୃତ୍ଵର ବହୁ କ୍ଷେତ୍ରରେ ଆମେ ଏହି କଥାଟିକୁ ଭାରି ସ୍ପଷ୍ଟ ଭାବରେ ଲକ୍ଷ୍ୟ କରି ପାରିବା । ଏଠି ଅତ୍ୟୁତ୍ସାହୀ ଜଣେ ବା ଦୁଇଜଣ କେନ୍ଦ୍ରରେ ଅଥବା ଊର୍ଦ୍ଧ୍ଵରେ ଥାଇ ସମୁଦାୟ କ୍ଷେତ୍ରଟିକୁ ଏପରି ଆବୋରି ରଖିଥାଆନ୍ତି ଯେ ଆଉ କାହାକୁ ହେଲେ କିଛି କରାଇ ଦିଅନ୍ତି ନାହିଁ । ସଂପୃକ୍ତ ସମସ୍ତଙ୍କ ପାଇଁ ଆଦର୍ଶସ୍ଥାନୀୟ ହୁଅନ୍ତି ଓ ମହାପୁରୁଷର ମର୍ଯ୍ୟାଦା ଲାଭ କରନ୍ତି । ସେହିମାନେହିଁ ସବୁଯାକ ତ୍ୟାଗ କରନ୍ତି, ସବୁଯାକ ବୁଦ୍ଧି ଖରଚ କରନ୍ତି, ପୂଜ୍ୟ ହୋଇ ରହନ୍ତି, ଆଉ କାହାରିକୁ ହେଲେ କିଛି ଛୁଆଁଇ ଦିଅନ୍ତି ନାହିଁ । ଏଠାରୁ ଲୀଳା ସମାପ୍ତ କରି ସେମାନେ ଅମର ହୋଇ ରହନ୍ତି, ସେମାନଙ୍କର ଭଳିଭଳି ମୂର୍ତ୍ତି ଗଢ଼ା ହୋଇ ଏଠାରେ ପୂଜା ପାଆନ୍ତି । ମାତ୍ର, ସେମାନେ ଯେଉଁ କାର୍ଯ୍ୟଟିକୁ କରି ଯାଇଥିଲେ, ସେଇଟିକୁ ଆହୁରି ଆଗକୁ ନେଇଯିବା ପାଇଁ ଆଉ କେହି ନଥାନ୍ତି; ଆଉ କେହିହେଲେ ଯୋଗ୍ୟ ହୋଇ ଟାଣ ହୋଇ ତିଆରି ହୋଇନଥାନ୍ତି । ନେତା ନେତୃତ୍ଵ ଦେଉଥିବା ବେଳେ ଏପରି ଏକ ପବିତ୍ର ଦୂରତ୍ଵ ରକ୍ଷା କରି ଆପଣାକୁ ଆତଯାତ କରିଥାଆନ୍ତି ଯେ ତାଙ୍ଗ ପଛକୁ ଗୋଷ୍ଠୀଟିଏ ତିଆରି ହୋଇ ନଥାଏ ଓ ତେଣୁ ନେତା ଚାଲିଯିବା ସଙ୍ଗେ ସଙ୍ଗେ ଘରଟି ମଧ୍ୟ ଅନ୍ଧକାର ହୋଇଯାଏ । ଅର୍ଥାତ୍, ଜଣକର ଉତ୍ସାହ ଆଉ ସମସ୍ତଙ୍କୁ ସତେଅବା କୋଢ଼ି କରି ପକାଇଥାଏ, ଅତିରିକ୍ତ ପରିମାଣରେ ନିର୍ଭରଶୀଳ କରି ରଖିଥାଏ । ତେଣୁ, ଗୋଟିଏ ଘର ଭାଙ୍ଗି ତିନିଟା ଘରରେ ବିଭକ୍ତ ହୋଇଯାଏ ସିନା, ମାତ୍ର ସେହି ଘରଟିକୁ ଅକ୍ଷତ ଭାବରେ ଆଗକୁ ନେଇ ଯିବାଲାଗି ଗୋଷ୍ଠୀଟିଏ ଆଦୌ ତିଆରି ହୋଇ ନଥାଏ ।

 

ସୁତରାଂ, କେବଳ ଉତ୍ସାହରେ ଖୁବ୍‌ ବେଶୀ ସାଧ୍ୟ ହୁଏ ନାହିଁ । ଏବଂ, ପୂର୍ଣ୍ଣାଙ୍ଗ ଶିକ୍ଷାର ଉଦ୍ୟମଟି ଦ୍ଵାରା ଯଦି ଆମେ ସତକୁ ସତ ଉପସ୍ଥିତ ଶିକ୍ଷାସ୍ତରୀୟ ସମସ୍ୟାଗୁଡ଼ିକର ଉପଯୁକ୍ତ ସମାଧାନ ବାହାର କରିବା ବୋଲି ଆକାଙ୍‍କ୍ଷା ରଖିଥାଉ, ତେବେ ଆମକୁ ସମାନ ଉତ୍ସାହର ସହିତ ପଛକୁ ଆହୁରି ଅନେକଙ୍କୁ ସାଙ୍ଗରେ ନେବାକୁ ପଡ଼ିବ, ଏକ ସଚେତନ ଏବଂ ସଂହତିଯୁକ୍ତ ଗୋଷ୍ଠୀରୂପେ ଅଗ୍ରସର ହେବାକୁ ପଡ଼ିବ । ତେଣୁ, ଆମ ଭିତରୁ, ସିଏ ଯେତେ ଅଧିକ ଯୋଗ୍ୟ ବା ପ୍ରବୀଣ ହୋଇଥାଉ ପଛକେ, ଜଣେ ମଣିଷ କଦାପି ଏତେଗୁଡ଼ାଏ ଅଧିକ ଉତ୍ସାହ ବାହାର କରିବ ନାହିଁ, ଯାହାକି, ସାଙ୍ଗରେ ରହିଥିବା ଆମ ସମସ୍ତଙ୍କୁ ଗିଳି ପକାଇବ । ଯାହାର ଅଧିକ ଯୋଗ୍ୟତା ଅଛି, ଅଧିକ ଅଭିଜ୍ଞତା ରହିଛି ଏବଂ ଯିଏ ଆମ ସମସ୍ତଙ୍କ ଭିତରୁ ସତକୁ ସତ ଅଧିକ ଦୂରକୁ ଦେଖି ପାରୁଛି, ତାକୁ ସାଙ୍ଗରେ ନେବା ପାଇଁ ସମକକ୍ଷ ଗୋଷ୍ଠୀଟିଏ ତିଆରି କରିବାକୁ ପଡ଼ିବ । ଆପଣାକୁ କେନ୍ଦ୍ରରେ ନରଖି ସିଏ ବିଚାରଟିକୁ ତଥା ପ୍ରେରଣାଟିକୁ କେନ୍ଦ୍ରରେ ରଖି ଜାଣିଥିବ । ଆମର ଗୋଷ୍ଠୀଟିକୁ ସିଏ ଏପରି ଉପଯୁକ୍ତ ପରିମଳ ଦେଇ ଗଢ଼ିଥିବ, ଯେପରିକି ସଂପୃକ୍ତ ଅନ୍ୟମାନେ ଅସଲ ବିଚାରଟି ଦ୍ଵାରା ଉଦ୍‌ବୁଦ୍ଧ ହେବେ, ବ୍ୟକ୍ତିଗତ ଭାବରେ ତା'ପ୍ରତି ଉଦ୍‌ବୁଦ୍ଧ ହୋଇ ତାହାରି ପାଖରେହିଁ ଅଟକି ରହିଯିବେ ନାହିଁ । ସେମାନେ ଏକାଠି ବସିବେ, ବନ୍ଧୁହୋଇ ବସିବେ, ସହକର୍ମୀ ପଥଚାରୀ ହୋଇ ଅଗ୍ରସର ହେବେ । ଗୋଷ୍ଠୀ ଭିତରେ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗୋଟିଏ କେନ୍ଦ୍ର ହୋଇ ରହିବେ, ପରସ୍ପର ଲାଗି ପରିପୂରକ ହୋଇ ରହିବେ । ଏକ ମହାନ୍‌ ଆନ୍ଦୋଳନ ଓ ଅଭିକ୍ରମର ଅନୁରାଗୀ ବାହକରୂପେ ସେମାନେ ପ୍ରତ୍ୟେକେ ନିଜକୁ ଯଥେଷ୍ଟ ସମ୍ମାନ ଦେଇ ଦେଖି ପାରୁଥିବେ, ପରସ୍ପରକୁ ମଧ୍ୟ ସମ୍ମାନର ଦୃଷ୍ଟିରେ ଅବଶ୍ୟ ଦେଖୁଥିବେ । ଆତ୍ମୀୟତା ତା'ର ଆଧ୍ୟାତ୍ମିକ କୋଟୀଟିକୁ ସ୍ପର୍ଶ କଲେ ମଣିଷ ଯେକୌଣସି ପ୍ରକାରର ଅତ୍ୟୁତ୍ସାହରୁ ମଧ୍ୟ ଅତ୍ୟନ୍ତ ଦୂରରେ ରହିଥାଏ, ଆପଣାର ତଥାକଥିତ ଉତ୍ସାହ ଓ ଆତିଶଯ୍ୟଗୁଡ଼ାକ ଦ୍ଵାରା ସିଏ କାହାକୁ ଗିଳି ପକାଏ ନାହିଁ କିମ୍ବା ନିଜକୁ ମଧ୍ୟ ଆଉ କାହାଦ୍ଵାରା ଗିଳା ହେବାକୁ ବାଟ ଛାଡ଼ି ଦିଏନାହିଁ । ତେବେଯାଇ ଏକ ଶକ୍ତିଶାଳୀ ସହଯୋଗିତା ଜନ୍ମଲାଭ କରିବା ସମ୍ଭବ ହୁଏ । ତେଣୁ ଏଣିକି ଆମେ ତୁଚ୍ଛା ଉତ୍ସାହର ସ୍ତରରୁ ଆଉ ପାହାଚେ ଉପରକୁ ଉଠିଯିବା । ସମସ୍ତଙ୍କୁ ସାଙ୍ଗରେ ନେବା । ପ୍ରତ୍ୟେକର ଅଭିବୁଦ୍ଧିରେ ପ୍ରତ୍ୟେକ ସହାୟକ ହେବା । ଆମ ଭିତରୁ ଯିଏ ଅଧିକ ଜାଣିଛି, ଅଧିକ ଦେଖିଛି ଏବଂ ଅଧିକ ଅଧିଗମି ପାରିଛି, ତା'ଉପରେ ଅବଶିଷ୍ଟ ଆଉ ସମସ୍ତଙ୍କର ଅଧିକ ଅପେକ୍ଷା ଓ ଅଧିକ ପ୍ରତ୍ୟାଶା ରହିଛି । ସିଏ ଆମର ପାଖେ ପାଖେ ରହୁ । ଆମକୁ କେବଳ ପରମ ଉତ୍ସାହର ସହିତ ଆଗକୁ ଅଡ଼ାଇ ନେଇଯିବାରେ ସିଏ ମୋଟେ କୌଣସି ଆନନ୍ଦ ନପାଉ । ତେବେ ଆମ ଭିତରେ ତା'ର ସମ୍ମାନ ଆହୁରି ଅଧିକ ବଢ଼ିବ । ଏବଂ, ଆମ ସମସ୍ତଙ୍କର ସଂକଳ୍ପଶକ୍ତି ମଧ୍ୟ ଅଧିକ ବୃଦ୍ଧିପାଇବାରେ ଲାଗିଥିବ । ଆମେ ଅଧିକରୁ ଅଧିକ ଯୋଗ୍ୟ ହେଉଥିବା ପରି ଅନୁଭବ କରୁଥିବା, କେବଳ ବୋଲ ମାନି କାମ ବଢ଼ାଇ ଦେବାକୁ କଦାପି ଯଥେଷ୍ଟ ବୋଲି ମାନି ନେଉ ନଥିବା । ତେବେଯାଇ ସେନାଟିଏ ତିଆରି ହୋଇପାରିବ । ଆମ ଭିତରୁ କେହି କେଉଁଠି ରହିଗଲେ ମଧ୍ୟ ତଥାପି ସବୁ ରହିଗଲା ବୋଲି କଦାପି ଭ୍ରମ ହେଉ ନଥିବ । ଭଗବାନଙ୍କର କାର୍ଯ୍ୟଟି ଲାଗି ଆମେ ପ୍ରତ୍ୟେକେ ଅପରିହାର୍ଯ୍ୟ ହୋଇ ରହିଥିବା ।

 

ଜାନୁଆରୀ, ୧୯୮୮

Image

 

ଆନ୍ତରିକତାର ଅଡ଼ୁଆ

 

ଆମ ସ୍କୁଲମାନଙ୍କରେ ପିଲାମାନେ ଯୋଉ ପାଠ ପଢ଼ନ୍ତି, ତାକୁ ଯଦି ସେମାନେ ସତକୁ ସତ ସତ୍ୟ ବୋଲି ଗ୍ରହଣ କରି ନେଉଥାନ୍ତେ, ତେବେ ଆମ ସମାଜରେ ନିଆଁ ଲାଗି ଯାଆନ୍ତା । ଆମ ସ୍କୁଲର ଶିକ୍ଷକମାନେ ଯାହାସବୁ ପିଲାମାନଙ୍କୁ ପଢ଼ାନ୍ତି, ଯଦି ସେମାନେ ସେହିଗୁଡ଼ିକରେ ପ୍ରକୃତରେ ବିଶ୍ଵାସ କରୁଥାଆନ୍ତେ, ତେବେ ସେମାନେ ଆମ ଶିକ୍ଷାକାଶକୁ ଓ ତେଣୁ ଶିକ୍ଷାଗତ ଜୀବନକୁ ପ୍ରାୟ ଚତୁର୍ଦିଗରୁ ଘୋଟି ରହିଥିବା ଅନ୍ଧାର ଦିହରେ ନିଆଁ ଲଗାଇ ଦିଅନ୍ତେ । ଭକ୍ତମାନେ ଭଗବାନଙ୍କ ଭଜନ ବୋଲିବା ସମୟରେ ଯଦି ତାହାର କଥା ଓ ଭାବଗୁଡ଼ାକ ଚମକୁ ଭେଦି ଟିକିଏ ଭିତରକୁ ଯାଇ ପାରୁଥାନ୍ତା, ଅର୍ଥାତ୍‌ ଯଦି ଭାବପ୍ରବଣତାର ମିଛ ଫୁଲେଇ ଗୁଡ଼ାକର ସୀମାକୁ ଟପି ତାହା ସତକୁ ସତ ହୃଦୟକୁ ସ୍ପର୍ଶ କରି ପାରୁଥାନ୍ତା, ତେବେ ଆମର ଏହି ମାଦଳ ସଂସାରର ପୁରୁଣା ସିଂହାସନଗୁଡ଼ାକ ଟଳିବାପରି ମନେ ହୁଅନ୍ତା । ଏବଂ ଭଜନ ଗାଉଥିବା ଭକ୍ତ ମଧ୍ୟ ଭଗବାନଙ୍କ ସ୍ପର୍ଶକୁ ମନ୍ଦିର ବାହାରର ସଂସାର ଭିତରକୁ ସାଙ୍ଗରେ ବହନ କରି ନେଇଯାଇ ପାରନ୍ତା । ଆମ ସଭାମାନଙ୍କରେ ବକ୍ତାମାନେ ଯାହା ବକ୍ତୃତା ଦିଅନ୍ତି, ଯଦି ସେମାନେ ସତକୁ ସତ ନିଜ ଅନ୍ତର ସହିତ ଖିଅ ଲଗାଇ ସେହି ଶବ୍ଦଗୁଡ଼ିକୁ କହି ପାରୁଥାନ୍ତେ, ତେବେ ବକ୍ତୃତା ଦ୍ଵାରା ମଧ୍ୟ ସଂସାରର ବହୁ ବିମୋଚନ ସମ୍ଭବ ହୋଇ ପାରନ୍ତା । ଏବଂ ରାଜନୀତି ଭିତରେ ରହିଥିବା ବୃହତ୍‍ମାନେ ଯଦି ସତକୁ ସତ ଅନ୍ତର ଭିତରେ କୌଣସି ନିଦା ବିଶ୍ଵାସ ରଖି ଆପଣାର ରାଜନୀତିକ ଜୀବନଟିକୁ ବଞ୍ଚୁଥାଆନ୍ତେ, ତେବେ ରାଜନୀତିର ଶାପମୋଚନ ହୋଇଯାଆନ୍ତା, ଆମ ଜୀବନରେ କଳିଯୁଗ ଯାଇ ସତ୍ୟଯୁଗ ଆସି ହାବୁଡ଼ିଗଲା ପରି ମନେ ହୁଅନ୍ତା ।

 

ଯେତେବେଳେ ମନୁଷ୍ୟ ଅନ୍ତର ଭିତରୁ ଚାହେ, ଅନ୍ତର ଭିତରୁ ଖୋଜେ, ଅନ୍ତର ଭିତରୁ ସ୍ଵପ୍ନ ଦେଖେ, ଅନ୍ତର ଭିତରୁ କହେ ଏବଂ ଅନ୍ତର ଭିତରୁ ବଞ୍ଚେ, ସେତେବେଳେ ତାହାକୁ ଆନ୍ତରିକତା କୁହାଯାଏ । ମନୁଷ୍ୟ ମାତ୍ରକେ ସମସ୍ତଙ୍କର ଅନ୍ତର ରହିଛି ସତ, ମାତ୍ର ସବୁ ମଣିଷ ଯେ ଅନ୍ତର ଭିତରୁ ଜୀବନ ବଞ୍ଚନ୍ତି ଓ ଅନ୍ତର ଭିତରୁ ସମ୍ବନ୍ଧଗୁଡ଼ିକୁ ଯୋଡ଼ନ୍ତି, ସେକଥା ମୋଟେ ନୁହେଁ । ବିଶେଷ କରି ଚଲାଖମାନେ ସେକଥାଟିକୁ ମୋଟେ କରି ପାରନ୍ତି ନାହିଁ । ଚଲାଖମାନେ ବୁଦ୍ଧିର କୁହାରେ ଆତଯାତ ହେଉଥାନ୍ତି,–ମାପି କରି ବାଟଚାଲନ୍ତି । ମନୁସ୍ମୃତିର ଭାଷାରେ କହିଲେ, ସେମାନେ ବକପରି ଅର୍ଥର ଚିନ୍ତା କରନ୍ତି, ସିଂହପରି ଆକ୍ରମଣ କରନ୍ତି । ବୃକ ପରି ଡିଆଁ ମାରନ୍ତି ଏବଂ ଶଶା ପରି ପଳୟନ ମଧ୍ୟ କରି ପାରନ୍ତି । (ମନୁ-ସ୍ମୃତି, ୭।୧୦୬) ପ୍ରକୃତରେ ବୁଦ୍ଧିଆ ନହେଲେ ଏକାବେଳକେ ଚାରିଜଣ ପତି ବା ଚାରିଜଣ ପତ୍ନୀ ସହିତ ଘର କରି ଚଳିବା ଯେପରି କଦାପି ସମ୍ଭବ ହୁଏ ନାହିଁ, ସେହିପରି ପ୍ରକୃତରେ ବୁଦ୍ଧିଆ ନହେଲେ ନିଜ ଭିତରେ ଚାରିଟା ରୂପକୁ ଭର୍ତ୍ତିକରି ଜୀବନ ବଞ୍ଚି ମଧ୍ୟ ହୁଏ ନାହିଁ । ଯେଉଁମାନେ ଏପରି ବଞ୍ଚି ପାରନ୍ତି, ସେମାନଙ୍କୁ ବୁଦ୍ଧିର ସାମ୍ରାଜ୍ୟରେ ଅବଶ୍ୟ ମହାପୁରୁଷ ବୋଲି କୁହାଯାଉଥିବ । ଆନ୍ତରିକତା ଏକ ଅନ୍ୟ ସମ୍ପଦ । ଚାରିଟା ବା ପାଞ୍ଚଟାକୁ ଭାଙ୍ଗି ମଣିଷ ଯେତେବେଳେ ପାଚେରୀ ପରେ ପାଚେରୀ ପାରହୋଇ ଭିତରେ ସତକୁ ସତ କେନ୍ଦ୍ରଟିଏ ଆବିଷ୍କାର କରିପାରେ ଓ ସେଇଠୁ ରଜ୍ଜୁଟିଏ ଲାଭ କରି ସେଇଥିରେ ବାହାର ସଂସାର ସହିତ ସମ୍ବନ୍ଧଟିଏ ଯୋଡ଼ି ଜୀବନ ବଞ୍ଚୁଥାଏ, ସେତେବେଳେ ସେ ନିଜର ଜୀବନରେ ଆନ୍ତରିକତା ନାମକ ଏକ ଚେତନାପ୍ରସ୍ଥରେ ଆସି ପହଞ୍ଚିଥାଏ । ସେହି ରଜ୍ଜୁଟି ହେଉଛି ଅନୁରାଗର ରଜ୍ଜୁ । ସେହି ରଜ୍ଜୁଟି ପକାଇ ସବୁଠାରେ ଯୁକ୍ତ ହୋଇ ପାରୁଥିଲେ ମଣିଷ ଲାଗି ବୁଦ୍ଧିଆ ହେବାର ଆଉ ଆଦୌ କୌଣସି କାରଣ ରହେ ନାହିଁ ।

 

ଜୀବନରେ ଧର୍ମ ଯେତେବେଳେ କପଟର ପ୍ରସ୍ଥଗୁଡ଼ାକୁ ପାର ହୋଇ ଆନ୍ତରିକତାକୁ ଗ୍ରହଣ କରେ, ସେତିକିବେଳେ ତାହା ଆଧ୍ୟାତ୍ମିକତାର ଅନ୍ୟ ସ୍ତରଟିକୁ ସ୍ପର୍ଶ କରେ । କୌଣସି ପ୍ରକାରେ ବାଧ୍ୟ ହୋଇ ଏହି ପାର ହେବା ସମ୍ଭବ ହୁଏ ନାହିଁ । ମନକୁ ମନ ଦୁଆର ଖୋଲିବାକୁ ଇଚ୍ଛା କଲେ ଯାଇ ତାହା ଘଟିଥାଏ । ବାହାର ଆଉ ଭିତର ମଧ୍ୟରେ ଆଉ କୌଣସି ଲୁଚକାଳି ଖେଳ ଖେଳିବାର ପ୍ରୟୋଜନହିଁ ରହେନାହିଁ । ଜୀବନରେ ଆମେ ଅନେକ ଜିନିଷ ଛାଡ଼ୁ, ମାତ୍ର ତଥାପି ଆମର ସବୁ ଛାଡ଼ିବା ଯେ ଆନ୍ତରିକତା ଦ୍ଵାରା ପ୍ରେରିତ ହୋଇଥାଏ, ସେକଥା ମୋଟେ ନୁହେଁ । ଜୀବନରେ ଆମେ କେତେ ନା କେତେ ଭେକ ପିନ୍ଧୁ, ସେହି ଭେକର ମାଧ୍ୟମରେହିଁ ବହୁ ଦାଣ୍ଡରେ ଆମର ପରିଚୟ ହେଉଥାଏ । ମାତ୍ର ଆମର ସବୁ ପରିଚୟ ଯେ ଆନ୍ତରିକତା ଦ୍ଵାରା ପ୍ରେରିତ ହୋଇଥାଏ, ସେକଥା ମଧ୍ୟ ଆଦୌ ସତ ନୁହେଁ । ଆମ ଭେକଗୁଡ଼ାକ ଆମ ଜୀବନର ଦେହ ଉପରେ ସତେଅବା ଗୋଟାଏ ଗୋଟାଏ ଖୋଳ ହୋଇ ରହିଥାନ୍ତି । ସେହି ଖୋଳର ପରମ୍ପରା ଆଗେ ଥିଲା, ଏବେ ମଧ୍ୟ ରହିଛି; ଆମ ଅନେକଙ୍କର ଜୀବନକୁ ବହୁ ପରାକ୍ରମ ସହିତ ମାଡ଼ି ବସି ରହିଛି । ଏହି ଖୋଳଗୁଡ଼ାକ ପ୍ରତି ଆମର ଶ୍ରଦ୍ଧା ରହିଥିବା ପର୍ଯ୍ୟନ୍ତ, ଅର୍ଥାତ୍, ଖୋଳଗୁଡ଼ାକ ଖସି ପଡ଼ିଲେ ଆମେ ପଦାକୁ ଦେଖାଇବାକୁ ଇଚ୍ଛା କରୁ ନଥିବା ଆମର କୌଣସି ଅଂଶଟି ବା ଅଞ୍ଚଳଟି କାଳେ ପଦାରେ ପଡ଼ିଯିବ ବୋଲି ଭୟ କରୁଥିବା ପର୍ଯ୍ୟନ୍ତ ଏହି ଖୋଳଗୁଡ଼ିକ ପ୍ରତି ଆମର ମମତା ରହିଥାଏ । ଖୋଳଗୁଡ଼ିକ ଜୀବନରେ ଅନେକ କାମ ଦିଏ । ସେଗୁଡ଼ିକ ଦ୍ଵାରା ଅନ୍ୟ ବହୁତ ମଣିଷଙ୍କୁ ବଶ କରି ରଖାଯାଇପାରେ ଯହି ତଦ୍ଦ୍ୱାରା ମଣିଷମାନଙ୍କୁ ଏଡ଼େ ବୁଦ୍ଧିମତ୍ତା ସହିତ ବଶ କରାଯାଇ ପାରୁଛି, ତେବେ ଭଗବାନଙ୍କୁ ମଧ୍ୟ କାହିଁକି ବଶ କରାଯାଇ ନ ପାରିବ ବୋଲି ଅନେକେ ଅଧିକ ସାହସ କରି ତେଣେ ମଧ୍ୟ ମନ ବଳାଇଥାନ୍ତି ।

 

ଏହି ଖୋଳଗୁଡ଼ାକ ସହିତ ଆନ୍ତରିକତାର ଦ୍ଵନ୍ଦ୍ଵ ଚିରକାଳର । ଗେଲବସରୀ ମାଆମାନଙ୍କୁ ପିଲା ଅଡ଼ୁଆ ହେଲା ପରି ଆମର ଗେଲବସର ପାଇଁ ଭାରି ଅଲିଅଳରେ ବଢ଼ି ଆସିଥିବା ଖୋଳଗୁଡ଼ାକ ଲାଗି ଆନ୍ତରିକତା ସର୍ବଦା ବହୁ ଅଡ଼ୂଆର କାରଣ ହୋଇ ରହିଥାଏ । ସେହି ଅଡ଼ୁଆ ଭିତରେ ପଡ଼ି ବୁଦ୍ଧିମାନ ମଣିଷମାନେ ସଂସାରରେ ଅଭିନୟ କରିବାକୁ ବାଧ୍ୟ ହୁଅନ୍ତି-। ଅଭିନୟ କରି ଛେଚରା ହୋଇଯାଆନ୍ତି ପଛକେ, ତଥାପି ଅଭିନୟକୁ ମୁରୁଛି ରହି ପାରନ୍ତି ନାହିଁ । ଗୁରୁଜନମାନେ ସାନମାନଙ୍କ ଆଗରେ ଯେଉଁ ଅଭିନୟ କରନ୍ତି, ସେଗୁଡ଼ିକ ବିଚରା ସାନମାନେ ଜାଣି ପାରନ୍ତି ନାହିଁ ସିନା, ଗୁରୁଜନମାନେ ସେକଥାକୁ ଖୁବ୍‌ ଭଲରୂପେ ଜାଣିଥାଆନ୍ତି ଏବଂ ସେହିପରି କରି ଆପଣାର ବୁଦ୍ଧିକୁ କେତେ ବାହାଦୁରି ଦେବାରେ ଲାଗିଥାନ୍ତି । ଆମ ସଂସାରରେ ଏହି ଗୁରୁଜନରୂପୀ ଜ୍ଞାନୀମାନେ ବି ଅଛନ୍ତି, ଗୁରୁଜନରୂପୀ ଭକ୍ତମାନେ ଅଛନ୍ତି ଓ ଗୁରୁଜନରୂପୀ କର୍ମୀମାନେ ଅଛନ୍ତି । ଭଗବାନରୂପୀ ବାଳୁତଟିକୁ ସେମାନେ ଖୋଳଗୁଡ଼ାକ ଦ୍ଵାରା କେତେ ଭୂରୁଡ଼ାଇ ଦେଉଛନ୍ତି । ସେମାନଙ୍କ ଆଖିକୁ ବାଳୁତ ପରି ଦେଖାଯାଉଥିବା ଭଗବାନ ଯୁଗଯୁଗ ଧରି ସେମାନଙ୍କର ସୁକୁଟ ଦେଖି ଆସୁଛନ୍ତି । ଆମ ଭିତରେ ଗୋଟାଏ ପାଖରେ ବୁଦ୍ଧିଆ ଓ ଆଉ ଗୋଟାଏ ପାଖରେ ଭଗବାନ । ବୁଦ୍ଧିଆ ଚିତାକାଟିବାରେ ଲାଗିଛି, ଭଗବାନ ଅପେକ୍ଷା କରି ବସିଛନ୍ତି । ସିଆଣିଆପଣରେ ଆମ ଭିତରର ବୁଦ୍ଧିଆ ଆମ ଭିତରର ଭଗବାନଙ୍କୁ ମଧ୍ୟ ହରାଇ ଦେଇ ପାରୁଛି ବୋଲି ସତେଅବା କେଡ଼େ ଖୁସୀଟାଏ ହୋଇଯାଉଛି । ତଥାପି ଭଗବାନ ଅପେକ୍ଷା କରି ରହିଛନ୍ତି, ଆମ ଉପରେ ସତେଅବା କେଡ଼େ ଭରସା କରି ବସିଛନ୍ତି ।

 

ପୂର୍ଣ୍ଣଯୋଗର କର୍ମଧାରା ମଧ୍ୟରେ ଆନ୍ତରିକତା ହେଉଛି ସର୍ବମୂଳ କଥା । ଜଣେ ମଣିଷର ଆନ୍ତରିକତା ଅନୁସାରେ ତା'ର ଚେତନା ଏବଂ ତା' ଚେତନା ଅନୁସାରେ ତା'ର ଆନ୍ତରିକତା । ସିଏ ସତକୁ ସତ ରାଜୀ ହୋଇଛି ତ ? ନୂଆ ସ୍କୁଲଟିଏ ଆରମ୍ଭ କରିବା ପୂର୍ବରୁ ସିଏ ସତକୁ ସତ ନୂଆ ହେବା ପାଇଁ ରାଜୀ ହୋଇଛି ତ ? ନୂଆ ବାଟଟିଏ ଆଦରିଛି ବୋଲି କହିବା ପୂର୍ବରୁ ସତକୁ ସତ ସେହି ବାଟଟିକୁ ଚାଲିବା ଲାଗି ରାଜୀ ହୋଇଛି ତ ? ପୃଥିବୀରେ ଏକ ନୂତନ ଊଷାର ଉଦୟ ହେବାକୁ ଯାଉଛି ବୋଲି ଉଲ୍ଲସିତ ହେବା ଆଗରୁ ସିଏ ନିଜ ଭିତରର ବହୁ ଲୋଭନୀୟ ଅନ୍ଧାରର ମମତାକୁ ତୁଟାଇ ପାରିଛି ତ, ଆପଣାର ଠିକଣା ଦ୍ଵାରଟିକୁ ଖୋଲିଦେବା ଲାଗି ଏକ ନିଷ୍ପତ୍ତି ସିଏ ଗ୍ରହଣ କରି ପାରିଛି ତ ? ନିଜକୁ ଏହିସବୁ ପ୍ରଶ୍ନ ପଚାରି ଆମେ ନିଜେହିଁ ଆପଣାର ଆନ୍ତରିକତାକୁ ମାପି ପାରିବା । ଯଥାର୍ଥ ନିବିଡ଼ ଭାବରେ ଏହି ପ୍ରଶ୍ନଗୁଡ଼ିକ ପଚାରି ପାରିଲେ ଆମେ ସେଗୁଡ଼ିକର ଉତ୍ତର ଅବଶ୍ୟ ପାଇବା । ଆମେ ଯାହାକୁ ସଚରାଚର ଉତ୍ସାହ ବୋଲି କହୁ, ତାହା ଅନେକ ସମୟରେ ପ୍ରଧାନତଃ ଉପରେ ଉପରେହିଁ ରହିଥାଏ, ଭାରି ଲୋକଦେଖାଣିଆ ଭାବରେ ରହିଥାଏ, ମାତ୍ର କିଛି ସମୟ ସକାଶେ ରହିଥାଏ । ଆମ ସହିତ ସେହି ଉତ୍ସାହର ଆଦୌ କୌଣସି ନିବିଡ଼ ବନ୍ଧନ ସ୍ଥାପିତ ହୋଇ ନଥାଏ, ତେଣୁ ଅସଲ ଅଳନ୍ଧୁଗୁଡ଼ିକ ତଥାପି ଲାଗି ରହିଥାନ୍ତି । କେବଳ ବହୁତ ବୁଦ୍ଧିର ଫିସାଦ ଦ୍ଵାରାହିଁ ଆମେ ଅନ୍ୟମାନଙ୍କ ପାଖରେ ଗୋଟାସୁଦ୍ଧା ସଫା ହୋଇ ଗଲୁଣି ବୋଲି ଏକ ପ୍ରତ୍ୟୟ ଦେବାରେ ସମର୍ଥ ହେଉ । ଏବଂ, ନିଜ ପାଖରେ ଚୋର ହୋଇ ରହିଥାଉ । ଆମ ଭିତରର ଚୋର ଓ ଆମ ଭିତରର ପୋଲିସ୍‌ ପରସ୍ପରକୁ ଈର୍ଷା କରିବାରେ ଲାଗିଥାନ୍ତି । ଆମ ଭିତରର ଅନ୍ଧାର ଆମ ଭିତରର ଆଲୋକକୁ ସତେଅବା ଜଉମୁଦ ଦେଇ ରଖିଥାଏ । ଆଲୋକକୁ ହାଡ଼େ ହାଡ଼େ ଭୟ କରୁଥାଏ ।

 

ସଂପୂର୍ଣ୍ଣ ଆନ୍ତରିକତା କେବଳ ଗୋଟିଏ କଥାକୁହିଁ ବୁଝାଇବ । ମାଆଙ୍କର ଭାଷାରେ କହିଲେ, ଆପଣାକୁ ଠକିବାର ଆଦୌ କୌଣସି ଚେଷ୍ଟା ନକରିବା । ଆମ ସତ୍ତାର କୌଣସି ଗୋଟିଏ ଅଂଶ ସତେଅବା ଅଧିକ ଚତୁର ଏବଂ ପରାକ୍ରମୀ ହୋଇ ଯେତେବେଳେ ଅନ୍ୟ ସବୁଯାକ ଅଂଶକୁ ଆପଣାର ଫିସାଦ ଅନୁସାରେ ମଣ କରିନେବା ଲାଗି କୌଣସି ପ୍ରୟାସ ନକରିବ, ତାହାହିଁ ଆନ୍ତରିକତା । ଆମେ ଯାହାସବୁ କରିବାକୁ ସତକୁ ସତ ଇଚ୍ଛା କରୁଛୁ; ତାହାରି ସପକ୍ଷରେ ଅନୁକୂଳ ଯୁକ୍ତି ଦେଖାଇ ସେଗୁଡ଼ିକୁ କରିବାର ଏକ ଫିସାଦ ବାହାର ନକରିବା ହେଉଛି ଆନ୍ତରିକତା । କୌଣସି ଅପ୍ରୀତିକର କଥାକୁ ଆଖି ବୁଜି ନଦେବା, “ଥାଉ, ଏଇଟା ସେତେବେଶୀ ମହତ୍ତ୍ଵପୂର୍ଣ୍ଣ ନୁହେଁ, ଆରଥରକୁ ଏଇଟିକୁ ମୁଁ ଅଧିକ ଭଲ ଭାବରେ ଓ ଅଧିକ ଯତ୍ନ ସହକାରେ କରିବି” ବୋଲି ଆଶ୍ଵାସନା ଦେଇ କୌଣସି କଥାକୁ କଦାପି ଗଡ଼ାଇ ନଦେବା,–ମାଆ ତାହାକୁହିଁ ଯଥାର୍ଥ ଆନ୍ତରିକତା ବୋଲି କହିଛନ୍ତି । (ମାତୃ- ରଚନାବଳୀ, ଶତବାର୍ଷିକୀ ଇଂରାଜୀ ସଂସ୍କରଣ, ୬ଷ୍ଠ ଖଣ୍ଡ, ୧୯୭୯, ପୃଷ୍ଠା ୧୩୨-୩୩) ଚତୁର ହୋଇ ସାରା ସଂସାରକୁ ଠକିପାରୁଛୁ ବୋଲି ଆପଣା ପାଖରେ ସାବାସ୍‌ପଣିଆ ଦେଖାଉଥିବା ସମୟରେ ଆମେ ଯେ ପ୍ରକୃତରେ ନିଜକୁହିଁ ଠକିବାରେ ଲାଗିଥାଉ, କେବଳ ଯଥାର୍ଥ ଆନ୍ତରିକତାକୁ ମନ କରୁଥିବା ମଣିଷ ସେହି କଥାଟିକୁ ହୃଦୟଙ୍ଗମ କରିପାରିବ ।

 

ଆନ୍ତରିକତାହିଁ ଆମର ଯାବତୀୟ କାର୍ଯ୍ୟକୁ ଏକ ଉଚ୍ଚତା ଓ ମହନୀୟତାର ପ୍ରସ୍ଥ ଆଣି ଯୋଗାଇ ଦେଇଥାଏ । ଆମେ ଅନେକ ସମୟରେ ଗୋଟାଏ ଆଖିଦୃଶିଆ ବଡ଼ କାମରେ ହାତ ଦେଇ ତାହାରି ଦ୍ଵାରା ବଡ଼ ହୋଇ ଦିଶିବା ବୋଲି କେତେ ସରାଗ କରି ବାହାରିଥାଉ । ଆମର ଆନ୍ତରିକତାହିଁ ତଥାକଥିତ ସାନ କାର୍ଯ୍ୟଗୁଡ଼ିକୁ ମଧ୍ୟ ଏକ ମହନୀୟତା ପ୍ରଦାନ କରିଥାଏ । ମାତ୍ର, ଆମର ଆନ୍ତରିକତାହିଁ ତଥାକଥିତ ସାନ କାର୍ଯ୍ୟଗୁଡ଼ିକୁ ମଧ୍ୟ ଏକ ମହନୀୟତା ପ୍ରଦାନ କରିଥାଏ । ମାତ୍ର, ଆମ ଆନ୍ତରିକତାର ଅଭାବ ମାଙ୍କଡ଼ ପରି ହୋଇ ବହୁତ ବଡ଼ କାର୍ଯ୍ୟକୁ ମଧ୍ୟ ଭାରି ନରଖର କରିପକାଏ । ଆମ ଭଳି ବହୁତ ମାଙ୍କଡ଼ ମିଶିଲେ ସତକୁ ସତ ପବିତ୍ର ଘରଗୁଡ଼ିକ ମଧ୍ୟ ଚାହୁଁ ଚାହୁଁ ଗୋଟିଏ ଗୋଟିଏ ଗୁହାଳରେ ପରିଣତ ହୋଇଥାଏ । ସେତେବେଳେ ଆମେ ସତେଅବା ଏକ ଅନମନୀୟ ଈର୍ଷା ଦ୍ଵାରା ପରିଚାଳିତ ହୋଇ ସ୍ଵୟଂ ଭଗବାନଙ୍କୁ ମଧ୍ୟ ଦୋଷ ଦେଇ ବାହାରୁ । ତାଙ୍କର କାର୍ଯ୍ୟଟି କାହିଁକି ବିଫଳ ହୋଇଗଲା ବୋଲି ତାଙ୍କୁହିଁ ଏକନମ୍ବର ଆସାମୀରୂପେ ଅଭିଯୁକ୍ତ କରିବାକୁ ବି ଇଚ୍ଛା କରୁଥାଉ । ମାତ୍ର, ସତ କଥା କହିଲେ, ଭଗବାନଙ୍କର କାର୍ଯ୍ୟ ତଥାପି ଚାଲିଥାଏ, ଆମେହିଁ ଅଯୋଗ୍ୟ ହୋଇ ପଛରେ ରହିଯାଉ । ନିର୍ବାଚିତ ଅନ୍ୟମାନଙ୍କ ଦ୍ଵାରା ତାଙ୍କର ଯୋଜନାଗୁଡ଼ିକ ଫଳିଫଳି ଯାଉଥାଏ ।

 

ଆନ୍ତରିକତା ବିଷୟରେ ବିଶେଷ ଭାବରେ ସ୍ଵକୀୟ ବ୍ୟାଖ୍ୟା ଦେଇ ମାଆ ଆଉ ଗୋଟିଏ ପ୍ରସଙ୍ଗରେ କହିଛନ୍ତି (ତତ୍ରୈବ, ୭ମ ଖଣ୍ତ, ୧୯୭୯, ପୃଷ୍ଠା - ୩୨୮): ଏହି ନୂତନ ଉପଲବ୍ଧିଟିହିଁ ଯଥାର୍ଥରେ ଜୀବନ ବଞ୍ଚିବାର ଏକମାତ୍ର ଧ୍ୟେୟ ଭୂମି ବୋଲି ଯଦି ଆମେ ପ୍ରକୃତରେ ବିଚାର କରୁଥିବା, ଯଦି ଯାହାକିଛି ରହିଛି, ତାହା ଯଦି ପ୍ରକୃତରେ ଅସହ୍ୟ ବୋଧ ହେଉଥିବ,–କେବଳ ନିଜ ସକାଶେହିଁ ଅସହ୍ୟ ନୁହେଁ, ସମ୍ଭବତଃ କେବଳ ଏତେବେଶୀ ଅସହ୍ୟ ନୁହେଁ, ମାତ୍ର ତଥାପି, ଯଦି ଜଣେ ବ୍ୟକ୍ତି ଏକାବେଳ ଗୋଟାସୁଦ୍ଧା ସ୍ଵାର୍ଥପର ଓ ନୀଚ ହୋଇନଥିବ, ତେବେ ସେ ପ୍ରକୃତରେ ଅନୁଭବ କରି‌ବ ଯେ, ଏହି ସ୍ଥିତି ପୃଥିବୀରେ ଦୀର୍ଘକାଳ ରହିଲାଣି ଏବଂ ଏଥର ତାହା ଚାଲିଯିବା ଉଚିତ ଓ ଏକ ପରିବର୍ତ୍ତନ ହେବା ଉଚିତ, - ଯଦି ଜଣେ ବ୍ୟକ୍ତି ସେହିପରି ଅନୁଭବ କରୁଥିବ, ତେବେ ସେ ନିଶ୍ଚୟ ସେଥିଲାଗି ଆପଣାର ସବୁଯାକ ବଳ ଲଗାଇବ; ସିଏ ନିଜେ ଯାହାକିଛି ହୋଇ ପାରିଛି, ତାର ସାମର୍ଥ୍ୟ ବୋଲି ଯେତେଯାହା ରହିଛି, ତା ପାଖରେ ସମ୍ପଦ ଓ ସାମଗ୍ରୀ ବୋଲି ଯାହା କିଛି ଅଛି, ସବୁକିଛିକୁ ସାଙ୍ଗରେ ଧରି ସିଏ ଆପଣାକୁ ସାଧନରୂପେ ନିୟୋଜିତ କରିବ । ଆପଣାକୁ ସଂପୂର୍ଣ୍ଣ ରୂପେ ସେହି ପ୍ରୟାସ ମଧ୍ୟରେ ଉତ୍ସର୍ଗ କରିଦେବ, ଆଦୌ ପଛକୁ ଅନାଇବ ନାହିଁ, ବିପଦ ବା ବାଧା ଯାହାକିଛି ଆସୁ ପଛକେ, ସିଏ କଦାପି ଅଟକି ରହିଯିବ ନାହିଁ । ମୁଁ ତ ବସ୍ତୁତଃ ଏଭଳି ମଧ୍ୟ ଅନୁଭବ କରିଛି ଯେ, ବାହାରେ, କୂଳରେ ବସି କଂପିବା ଅପେକ୍ଷା ଏବଂ ଏପରି ଏକ ଦୁଃସାହସୀ ପଦକ୍ଷେପ ଗ୍ରହଣ କଲେ କାଲି ମୋର ଦଶା ପୁଣି କଣ ହେବ ବୋଲି ତାଟକା ହୋଇ ଚିନ୍ତା କରୁଥିବା ଅପେକ୍ଷା, ଗର୍ତ୍ତଟା ଭିତରକୁ ସତକୁ ସତ ଡେଇଁ ପଡ଼ିବାହିଁ ଅବଶ୍ୟ ଅଧିକ ଶ୍ରେୟସ୍କର ହେବ !

 

ଏ "Are you among the satisfied ones or among those who want this change ? ବୋଲି ପଚାରି ମାଆ ତାଙ୍କର ଏହି ଉକ୍ତିଟିର ଉପସଂହାର କରିଛନ୍ତି । ଆମେ ପ୍ରତ୍ୟେକେ ଆନ୍ତରିକତା ସହିତ ତାଙ୍କର ଏହି ପ୍ରଶ୍ନଟିର ଉତ୍ତର ଦେବା । ନିଜ ପାଖରେ ଦେବା ଓ ପରସ୍ପର ପାଗରେ ମଧ୍ୟ ଦେବା । ଆମ ବିଦ୍ୟାଳୟ ଗୁଡ଼ିକରେ ଆମେ ସାନ ବଡ଼ ଯାହାକିଛି କରୁଛୁ, ତାହା ତଥାପି ସେହି ପରିବର୍ତ୍ତନ ଲାଗିହିଁ ଅଭିପ୍ରେତ ହୋଇ ରହିଛି । ଆମେ ପରିବର୍ତ୍ତନକାରୀମାନଙ୍କ ମଧ୍ୟରେ ରହିବା ଅଥବା ସନ୍ତୁଷ୍ଟମାନଙ୍କ ପଙ୍ଗତ ଭିତରେ ଯାଇ ବସିବା, ଆନ୍ତରିକତା ସହିତ ଆମେ ଅନ୍ତତଃ ଆମ ନିଜ ଲାଗି ସେହି କଥାଟିର ନିଷ୍ପତ୍ତି କରିନେବା ।

 

ଜାନୁଆରୀ, ୧୯୮୮

Image

 

ଆନନ୍ଦଂ ଦଦାତୀତି ନନ୍ଦନଃ

 

ଓଡ଼ିଆ ଭାଷାରେ ନନ୍ଦନ ଶବ୍ଦର ଅର୍ଥ ହେଉଛି ପୁତ୍ର । ନନ୍ଦନ ଅର୍ଥାତ୍‌ ଯିଏ ଆନନ୍ଦ ଦିଏ-। ନୟନକୁ ଆନନ୍ଦ ଦିଏ, ହୃଦୟକୁ ଆନନ୍ଦ ଦିଏ, କୁଳକୁ ମଧ୍ୟ କମ୍ ଆନନ୍ଦ ଦିଏ ନାହିଁ । ପୁତ୍ରର ସମବାଚୀ ଶବ୍ଦ ସଂସ୍କୃତ ଭାଷାରେ ଆହୁରି ଅନେକ ରହିଛି ଏବଂ ତଦନୁସାରେ ଓଡ଼ିଆ ଭାଷାରେ ମଧ୍ୟ ରହିଛି । ଭିନ୍ନ ଭିନ୍ନ ଅର୍ଥମହତ୍ତ୍ୱରୁ ଏହି ଶବ୍ଦଗୁଡ଼ିକ ତିଆରି ହୋଇଛି ଓ ରହିଛି । ନନ୍ଦନ କହିଲେ ଆଗେ ପୁଅକୁ ବୁଝାଉଥିଲା । ସେତେବେଳେ ସମାଜରେ ଅର୍ଥାତ୍ ଲୋକବୋଧରେ ପୁଅମାନଙ୍କର କୌଣସି ମୂଲ୍ୟ ନଥିଲା । ଆବଶ୍ୟକତା ଥିଲା ସତ, ମାତ୍ର କୌଣସି ମୂଲ୍ୟ ନଥିଲା । ଯେପରି ସେହି ସମାଜରେ ଶୂଦ୍ରମାନଙ୍କର ଆବଶ୍ୟକତା ଥିଲା ମାତ୍ର ମୂଲ୍ୟ ନଥିଲା, ଏଇଟି ହେଉଛି ପ୍ରାୟ ସେହିପରି ଗୋଟିଏ କଥା । ବ୍ୟାକରଣରେ ନନ୍ଦନରୁ ନନ୍ଦିନୀ ଶବ୍ଦଟି ନିଷ୍ପନ୍ନ ହୋଇ ଆସିଲା ଏବଂ ସୂତ୍ର ଅନୁସାରେ ଝିଅମାନଙ୍କୁ ବୁଝାଇଲା । ମାତ୍ର, ଝିଅଟିଏ ସତକୁ ସତ କୁଳକୁ ଆନନ୍ଦ ଦିଏ ବୋଲି ସେହି ଯୁଗରେ ସମ୍ଭବତଃ କେହି ବିଶ୍ଵାସ କରୁନଥିଲେ ।

 

ପୁରୁଷମାନେ ବିଶ୍ଵାସ କରୁ ନଥିଲେ କି ସ୍ତ୍ରୀମାନେ ବିଶ୍ଵାସ କରୁ ନଥିଲେ । ବାପମାନେ ବିଶ୍ଵାସ କରୁ ନଥିଲେ ବା ମାଆମାନେ ମଧ୍ୟ ବିଶ୍ଵାସ କରୁନଥିଲେ । ସେତେବେଳେ ମାଆମାନେ ପୁତ୍ରୀଲାଭ ପାଇଁ ନୁହେଁ, ପୁତ୍ରଲାଭ ପାଇଁହିଁ ଓଷାକରୁଥିଲେ ଉପବାସ କରୁଥିଲେ, କାମନା କରୁଥିଲେ । ବର ମାଗିଲା ବେଳକୁ ସମସ୍ତେ ପୁତ୍ରହିଁ ମାଗୁଥିଲେ, ପୁତ୍ରୀ କେହି ମାଗୁନଥିଲେ । ଦେବତାମାନେ ବର ଦେଲାବେଳେ ପୁତ୍ର ଲାଗିହିଁ ବର ଦେଉଥିଲେ । ଯେତେବେଳେ ଯମଦେବତା ବାଳକ ନଚିକେତାକୁ ତା'ର ଅସଲ ପ୍ରଶ୍ନଟିର ଉତ୍ତର ନଦେବା ପାଇଁ ତାକୁ ଅନ୍ୟାନ୍ୟ ଦ୍ରବ୍ୟ ଦେବାର ଲୋଭ ଦେଖାଉଥିଲେ, ସେତେବେଳେ ସିଏ ତା'ର ଶହେ ବା ସହସ୍ରେ ପୁଅ ହୁଅନ୍ତୁ ବୋଲି ହୁଏତ କହିଥିବେ । ଗୋଟିଏ କିମ୍ବା ସାତୋଟି ଝିଅ ହୁଅନ୍ତୁ ବୋଲି କଦାପି କହିନଥିବେ । ସେହି ଯମରାଜ ମୃତ ସତ୍ୟବାନଙ୍କୁ ନେଇ ଯେତେବେଳେ ଚାଲି ଯାଉଥିଲେ, ସେତେବେଳେ ତାଙ୍କଠାରୁ ତିନୋଟି ବର ମାଗିବା ନିମନ୍ତେ ଆଦେଶ ପାଇ ସାବିତ୍ରୀ ତାଙ୍କୁ ପୁଅ ମାଗିଥିଲେ । ଝିଅ ମାଗିବାର କୌଣସି ପ୍ରଶ୍ନହିଁ ନଥିଲା । ତତ୍କାଳୀନ ସମାଜରେ ନଥିଲା କି ସଂସ୍କାର ଭିତରେ ନଥିଲା । ତେଣୁ ପୁରାଣରେ‌ ତାହା ଲେଖାଯିବାର କୌଣସି ଅବକାଶ ମଧ୍ୟ ନଥିଲା ।

 

ଏବେ ସାମାଜିକ ବୋଧ ଓ ଅନୁମାନର ଅର୍ଥରେ ଆମେ ନନ୍ଦନ କହିଲେ ପୁଅ ଓ ଝିଅ ଉଭୟଙ୍କୁ ବୁଝିବା । ସନ୍ତାନ କହିଲେ ଯେମିତି ଉଭୟଙ୍କୁ ବୁଝୁଛୁ ଠିକ୍ ସେହିପରି ନନ୍ଦନ କହିଲେ ମଧ୍ୟ ଉଭୟଙ୍କୁ ବୁଝିବା । ଆମର ପିଲାମାନେ ଆମକୁ ଅବଶ୍ୟ ଆନନ୍ଦ ଦିଅନ୍ତି । ସେମାନେ ସବାଆଗ ଆମର ବୋଲି ଆମକୁ ଏଡ଼େ ଆନନ୍ଦ ଦିଅନ୍ତି । ଆମର ସକଳ ଭାବନାରେ ଓ ଯୋଜନାରେ ସେହିମାନେହିଁ ସବାଆଗରେ ରହିଥାନ୍ତି । ସନ୍ତାନମାନେ ଯେ ଆମକୁ କେତେ ସୁଖ ଦିଅନ୍ତି, ସନ୍ତାନ ନଥିବା ବାପାମାଆ ମାନଙ୍କର ଦୁଃଖ ଦେଖିଲେ ସେହି କଥାଟି ଅତ୍ୟନ୍ତ ସ୍ପଷ୍ଟ ହୋଇ ଯାଇଥାଏ । ସନ୍ତାନଟିଏ ପାଇଁ, ନନ୍ଦନଟିଏ ପାଇଁ, ସେମାନେ ଯୁଗେ ଯୁଗେ ଯେମିତି କେତେ ମନାସ କରି ଆସିଛନ୍ତି, ଏବେ ମଧ୍ୟ ସେହିପରି କରୁଛନ୍ତି । ପିଲାମାନେ ଆମର ଏତେ ନିଜର ଯେ, ସେମାନଙ୍କୁ ସଂସାରରେ ମଣିଷ କରିବାର କାର୍ଯ୍ୟ ମଧ୍ୟ ଆମର । ଆମେ ସେମାନଙ୍କୁ କାଳକାଳର ସଂସ୍କାର ଫଳରେ ଏପରି ଅତିଶୟ ଭାବରେ ନିଜର ବୋଲି ଅନୁଭବ କରି ଆସିଛୁ ଯେ, ସେମାନଙ୍କୁ ଆମେ ମଣିଷ ନକଲେ ସେମାନେ ହୁଏତ ବଡ଼ ହୋଇ ସଂସାରରେ ଆଦୌ ମଣିଷ ହୋଇ ପାରିବେନାହିଁ ବୋଲି ଆମେ କେଡ଼େ ସହଜରେ ଅର୍ଥାତ୍‌ ବେପରୁଆ ଭାବରେ ଚିନ୍ତା କରିପାରୁଛୁ । ସେମାନଙ୍କୁ ଆମେ ମଣିଷ ନକଲେ ସେମାନେ କୁଆଡ଼େ ଗୋଟାସୁଦ୍ଧା ଘୁଷୁରି ହୋଇଯିବେ, ଭାରି ଦୁଃଖ ପାଇବେ । ଦୁଃଖ ଓ ସୁଖ ପାଇବା ବିଷୟରେ ଆମର ଯେତିକି ଅନୁଭବ ବା ଅବଗାହନ ରହିଛି, ପିଲାଙ୍କର କଥା ଭାବିବା ସମୟରେ ଆମେ ତାହାରି ଆୟତନ ମଧ୍ୟରେହିଁ ସେମାନଙ୍କୁ ନେଇ ଯାହାକିଛି ବିଚାର କରିଥାଉ । ସଂସାରରେ ସଫଳତା ବା ବିଫଳତା କହିଲେ ଆମ ନିଜର ଅଥବା ଖୁବ୍‌ବେଶି ହେଲେ ବଜାରର ମାନକ ଏବଂ ମାପଜଗୁଡ଼ିକ ଅନୁସାରେ ଯେଉଁସବୁ ଧାରଣା ରହିଥାଏ, ଆମେ ପ୍ରାୟ ସେହିଗୁଡ଼ିକ ଅନୁସାରେହିଁ ଆମ ପିଲାମାନଙ୍କର ସମ୍ଭାବ୍ୟ ସଫଳତା ଏବଂ ବିଫଳତାଗୁଡ଼ିକ ବିଷୟରେ ବିଚାର କରିଥାଉ । ଏହା ବ୍ୟତୀତ ଆମେ ପ୍ରକୃତରେ ଆଉ କ'ଣ ବା କରି ପାରନ୍ତୁ ? ନିଜର ଗାରଟି ଭିତରୁ ବାହାରି କିଛି ଦେଖି ପାରିବାର ଅଥବା ଭାବି ପାରିବାର ସାମର୍ଥ୍ୟ ବା ଆମ ଭିତରୁ କେତେଜଣଙ୍କର ପ୍ରକୃତରେ ରହିଛି ?

 

ଆମେ ଆମ ପିଲାମାନଙ୍କ ସକାଶେ ଯାହାକିଛି କରୁ, ସଂପୂର୍ଣ୍ଣ ସଦିଚ୍ଛା ଏବଂ ଶୁଭେଚ୍ଛା ସହିତହିଁ ତାହା କରିଥାଉ । ସେମାନଙ୍କୁ ଆମେ କେଡ଼େ ଭଲପାଉ ବୋଲି ତାହା କରିଥାଉ । ଆମେ ସେମାନେ କୌଣସି ଆପଦରେ ପଡ଼ନ୍ତୁ ଓ କଷ୍ଟ ପାଆନ୍ତୁ ବୋଲି ମୋଟେ ଇଚ୍ଛା କରୁନଥାଉ । ତେଣୁ, ଆମର ଚିହ୍ନା ସଂସାରଟିର ନକ୍‍ସାଟିକୁ ନେଇହିଁ ସେମାନଙ୍କ ଉପରେ ଲଦି ଦେଉ । ସେମାନେ ଅମୁକ ହୁଅନ୍ତୁ ବା ସମୁକ ହୁଅନ୍ତୁ ବୋଲି କେଡ଼େ ଦମ୍ଭର ସହିତ ଚିନ୍ତା କରିଥାଉ-। ଆମର ପିଲାଏ ଯାହା ହୁଅନ୍ତୁ ବୋଲି ଆମେ ଇଚ୍ଛା କରୁଛୁ, ସେମାନେ ତାହା ହୁଅନ୍ତୁ ବୋଲି ଆମେ କେଡ଼େ ତତ୍ପରତାର ସହିତ ଭାବୁ ଓ ସେହି ଅନୁସାରେ କେତେ କେତେ କାର୍ଯ୍ୟ କରୁ-। କେତେ ଅକାର୍ଯ୍ୟ ମଧ୍ୟ କରିଥାଉ । ଆମେ ଆମ ପିଲାଙ୍କର ଭବିଷ୍ୟକଥା ସିନା ଚିନ୍ତା କରୁ, ମାତ୍ର ସେହି ଚିନ୍ତା ଦ୍ଵାରା ପ୍ରେରିତ ହୋଇ ଯାହାକିଛି କରୁ, ତଦ୍ଦ୍ୱାରା ସେମାନଙ୍କୁ ଆମେ ଏହି ବର୍ତ୍ତମାନର ଭିତରେହିଁ ବାନ୍ଧିକରି ରଖିଦେଉ । ଏହି ପୃଥିବୀର ଏକ ଭବିଷ୍ୟ ଅଛି ବୋଲି ସମ୍ଭବତଃ ଆମେ ବିଚାର କରି ପାରୁନାହିଁ । ସେହିପରି ବିଚାର କରିବାକୁ ସମ୍ଭବତଃ ଭାରି ଭୟ କରୁ-। ଆମ ପିଲାଙ୍କର ଭବିଷ୍ୟତକୁ ନିରାପଦ କରିବାର ବ୍ୟସ୍ତତାରେ ଏବଂ ମୋହରେ ଆମେ ବର୍ତ୍ତମାନଟାକୁହିଁ ସତେଅବା ଚିରଦିନ ପାଇଁ ପୂର୍ଣ୍ଣ ନିରାପଦ ଭାବରେ ଏଠି ଗଣ୍ଠି ପକାଇ ଜାଲ ପାତି ରହିବା ଲାଗି ବାଟ ସଜାଡ଼ି ଦେଉ । ଭବିଷ୍ୟତର ବାଟକୁ ଓଗାଳି ରଖିଥାଉ । ପୃଥିବୀ ଲାଗି ଯେଉଁ ଭବିଷ୍ୟଟି ଆସୁଛି, ତାହା ଯେ ବର୍ତ୍ତମାନର ଏହି ପରିଚିତ ଛାଞ୍ଚଗୁଡ଼ିକ ଠାରୁ ଏକାବେଳେକେ ଭିନ୍ନ ହେବ, ସେବିଷୟରେ ଆମେ ପ୍ରକୃତରେ କେତେ କମ୍‌ ଜାଣିଥାଉ; ଅର୍ଥାତ୍, ପିଲାଙ୍କୁ ମଣିଷ କରିବା ପାଇଁ, ସେମାନଙ୍କର ଭବିଷ୍ୟ ପାଇଁ ସଂସ୍ଥାନଟିଏ ଖଞ୍ଜିଦେବାର ବ୍ୟାକୁଳତାରେ ଆମେ ସେମାନଙ୍କୁ ବର୍ତ୍ତମାନର ଗୁହାଳଟାରେହିଁ ଘୁଷୁରି କରି ରଖିଦେବାର ଚକ୍ରାନ୍ତ କରୁ । ଆମେ ଯେମିତି ଘୁଷୁରି ହୋଇ ରହିଛୁ, ସେମାନଙ୍କୁ ମଧ୍ୟ ଠିକ୍‌ ସେମିତି ଘୁଷୁରି କରି ରଖିବାରେ କେଡ଼େ ସାହାଯ୍ୟ କରୁ । ଏଣୁ ଇତିହାସର ପ୍ରଧାନତଃ ଏକ ପୁନରାବୃତ୍ତି ହେବାରେ ଲାଗିଥାଏ । ଆମ ନନ୍ଦନଙ୍କ ପାଇଁ ଆମେ ଯେଉଁ ସୁଖର ବହୁ କଳ୍ପନା କରିଥାଉ, ସେମାନେ ସେହି ସୁଖ ଅର୍ଥାତ୍‌ ସେହି ଭବିଷ୍ୟତକୁ ଉତ୍ତୋଳିତ ହୋଇ ପାରନ୍ତି ନାହିଁ । ପ୍ରଧାନତଃ ଆମରି ଗୁହାଳରେ ପ୍ରାୟ ଆମରି ପରି ଘୁଷୁରି ହୋଇ ରହନ୍ତି ।

 

ଶିକ୍ଷା ପରିବର୍ତ୍ତନରେ ବିଶ୍ଵାସ କରେ । ଶିକ୍ଷା ବିବର୍ତ୍ତନରେ ବିଶ୍ଵାସ କରେ ଏବଂ ସେହି ବିବର୍ତ୍ତନକୁ ତ୍ଵରାନ୍ୱିତ କରିବା ଲାଗି ଆପଣାର ଯାବତୀୟ ପ୍ରୟାସକୁ ନିୟୋଜିତ କରିବାକୁ ଇଚ୍ଛା କରୁଥାଏ । ଏହି ବିବର୍ତ୍ତନ ତ୍ଵରାନ୍ୱିତ ହୁଏ, ଯେତେବେଳେ ସଚେତନ ମନୁଷ୍ୟମାନେ ଆପଣାର ପ୍ରୟାସ ଓ ତପସ୍ୟା ଦ୍ଵାରା ସେଥିରେ‌ ସାହାଯ୍ୟ କରନ୍ତି । ମନୁଷ୍ୟକୁ ଏଥିଲାଗି ସମୁଚିତ ଭାବରେ ସଚେତନ କରାଇବା ହେଉଛି ଯଥାର୍ଥ ଶିକ୍ଷାର ଅସଲ ଉଦ୍ଦେଶ୍ୟ । ମନୁଷ୍ୟକୁ ଅନ୍ତଃସଚେତନ ତଥା ବହିଃସଚେତନ କରାଇବାକୁ ଶିକ୍ଷା ଆପଣାକୁ ଉଦ୍ଦିଷ୍ଟ କରି ରଖିଥାଏ । ସଚେତନତା ସଂକଳ୍ପକୁ ଜନ୍ମ ଦିଏ । ଅନ୍ତଃସଚେତନତା ଆମର ଭିତରଟାକୁ ବଦଳାଇ ଦେବାଲାଗି ଆମକୁ ବଳ ଆଣିଦିଏ, ଆମକୁ ସମ୍ମତ କରାଏ ଓ ଆଗକୁ ବାଟଟିଏ ବତାଇ ଦିଏ । ବହିଃସଚେତନତା ବାସ୍ତବ କ୍ଷେତ୍ରରେ ଆମର ଭୂମିକାଟିକୁ ନିର୍ଣ୍ଣିତ କରିଦିଏ । ସଚେତନ ମଣିଷମାନେହିଁ ପୃଥିବୀରେ ଅସଲ ବିପ୍ଳବଗୁଡ଼ିକୁ ଘଟାନ୍ତି । ପୁରୁଣା ଗୁହାଳଗୁଡ଼ିକ ଭାଙ୍ଗିଯାଏ । ନୂତନ ପ୍ରତ୍ୟୟରେ ଅତ୍ୟନ୍ତ ସଚେତନ ଭାବରେ ସ୍ଵପ୍ନମାନ ଦେଖାଯାଏ । ପୁରୁଣା ନୂଆକୁ ବାଟ ଛାଡ଼ିଦିଏ । ଇତିହାସର ଅସଲ ପରିବର୍ତ୍ତନଗୁଡ଼ିକ ଏହିପରି ଭାବରେ ହୋଇଛି । ଶିକ୍ଷା ଦ୍ଵାରା ହୋଇଛି ।

 

ତେଣୁ ଆମକୁ ହିଁ ଆନନ୍ଦ ଦେବାକୁ ଆମର ନନ୍ଦନମାନେ ମୋଟେ ପୃଥିବୀକୁ ଆସିନାହାନ୍ତି । ସେମାନେ ପୃଥ୍ୱୀବିବର୍ତ୍ତନର ପ୍ରୟାସ ଓ ପ୍ରକ୍ରିୟାକୁ ସଚେତନ ଭାବରେ ତ୍ଵରାନ୍ୱିତ କରିଦେବାକୁ ଏହି ପୃଥିବୀକୁ ଆସିଛନ୍ତି । ସେମାନେ ଆମର ନୁହନ୍ତି, ଆମର ସମ୍ପତ୍ତି ତ କଦାପି ନୁହନ୍ତି । ସେମାନେ ପ୍ରକୃତରେ ଯାହାର ଆମେ ସେମାନଙ୍କୁ ତାଙ୍କରି ହେପାଜତରେ ଛାଡ଼ିଦେବା । ସେମାନେ ଯେପରି ତାଙ୍କର ହେପାଜତରେ ରହି ପାରିବେ, ତାଙ୍କରି ପାଇଁ ସମ୍ମତ ଫୁଲଟିଏ ହୋଇ ଫୁଟି ଉଠିପାରିବେ, ଆମେ ସେଥିଲାଗି ଯଥାର୍ଥ ପରିବେଶଟିଏ ତିଆରି କରି ରଖିବା । ଆମର ଛାଞ୍ଚଗୁଡ଼ିକୁ ନେଇ କଦାପି ସେମାନଙ୍କ ଉପରେ ଲଦି ଦେବାନାହିଁ ଓ ପୃଥିବୀର ବ୍ୟାଧିଗୁଡ଼ିକୁ ବଢ଼ାଇବାରେ ଆଦୌ କୌଣସି ସହାୟତା କରିବା ନାହିଁ । ତେବେ ଆମର ପିଲାମାନେ କେବଳ ତାଙ୍କ ବାପମାଆମାନଙ୍କ ପାଇଁ ନୁହେଁ, ସମଗ୍ର ପୃଥିବୀକୁ ମଧ୍ୟ ଆନନ୍ଦ ଦେବାର ଯୋଗ୍ୟ ହୋଇ ପାରିବେ । ଭଗବାନଙ୍କର ଏହି ପୃଥ୍ୱୀକୁ ତାଙ୍କରି ଆଖିରେ ସୁନ୍ଦର ଲାଗିଲା ଭଳି ଗଢ଼ାହେବାରେ ସେମାନେ ସୈନିକ ହୋଇ ବାହାରି ପାରିବେ । ଆମ ଭିତରୁ ଯିଏ ଏହି କଥାଟିକୁ ହୃଦୟଙ୍ଗମ କରି ପାରୁଥିବେ, ପ୍ରକୃତରେ ସେଇ ଯଥାର୍ଥ ବାପ ଓ ମାଆ ହୋଇପାରିବେ । ଯଥାର୍ଥ ଶିକ୍ଷକ ମଧ୍ୟ ହୋଇ ପାରିବେ ।

 

ଏହି ସଂସାରଟି ପ୍ରକୃତରେ ଯାହାର, ଏଠି ମନୋମତ ମନୁଷ୍ୟଛବିଟିଏ ଫୁଟାଇବା ନିମନ୍ତେ ଯିଏ ଏହାକୁ କେତେମନ୍ତେ ଭାଙ୍ଗି ପୁଣି କେତେମନ୍ତେ ଗଢ଼ିବାରେ ଲାଗିଛି, ଫୁଲଟିକୁ କ୍ରମଶଃ ଫୁଟାଇ ଆଣୁଛି, ସତକୁ ସତ ତାହାରି ଉପରେ ବିଶ୍ଵାସ ରଖିଥିଲେ, ଅର୍ଥାତ୍‌ ଆପଣା ଜୀବନର ଅନ୍ତରଙ୍ଗତମ ମୁହୂର୍ତ୍ତଗୁଡ଼ିକରେ ତାଙ୍କୁ ପ୍ରତ୍ୟକ୍ଷ ଭାବରେ ଅନୁଭବ କରୁଥିଲେ, ଆମେ ଯେମିତି ଅଛୁ, କଦାପି ଠିକ୍‌ ସେମିତି ହୋଇ ରହି ପାରିବାନାହିଁ । ଆମେ ଅନ୍ୟ ପ୍ରକାରର ବାପାମାଆ ହୋଇଯିବା, ଅନ୍ୟ ପ୍ରକାରର ଶିକ୍ଷକ ମଧ୍ୟ ହୋଇଯିବା । ଅସଲ ଆଖିରେ ଦେଖିଲେ ଆମେ କେହି କାହାରି ନନ୍ଦନ ନୋହୁ କି କେହି କାହାରି ବାପା ମାଆ ନୋହୁ, କେହି କାହାରି ଶିକ୍ଷକ ନୋହୁ କି କେହି କାହାରି ଛାତ୍ର ନୋହୁ । ଆମେ ହେଉଛୁ ପରସ୍ପରର ସାଙ୍ଗ, ଗୋଟିଏ ବାଟରେ ପରସ୍ପରର ସହଯାତ୍ରୀ; ଗୋଟିଏ ମନ୍ତ୍ରରେ ମନ୍ତୁରା ହୋଇ ପୃଥିବୀକୁ ଆସିଛୁ ଓ ଏକାଠି ବାଟ ଚାଲୁଛୁ !

 

ଫେବୃଆରୀ, ୧୯୮୯

Image